Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ତୁଳନା
ତୁଳନା
★★★★★

© Balabanta Sahu

Inspirational Abstract Others

9 Minutes   7.5K    26


Content Ranking

ଅନାୟତ ପରିସ୍ଥିତିର ଝାଞ୍ଜିମାଡ଼ରେ ଶିରାପ୍ରଶିରାର ଯେଉଁ ତାଜାରକ୍ତ ସବୁ ଶୁଖି ଆସୁଥିଲା ଖୁବଶୀଘ୍ର ଚଳଚଞ୍ଚଳ ହେବ , ଲୋଚକୋଚା ମାଂସପେଶୀ ସବୁ ସକ୍ରିୟ ହୋଇଉଠିବ , ପୂର୍ବପରି । ହଁ , ପୂର୍ବପରି ମାନେ ତା' ଯୁବାବସ୍ଥା ପରି । ମହ ମହ ବାସରେ ମହକି ଉଠିବ ତା' ଚତୁଃପାର୍ଶ୍ବ । ଏମିତି କିଛି ଆଶାକୁ ଏକତ୍ରିତ କରି ତା' ସିଦ୍ଧାନ୍ତକୁ ପରିବର୍ତ୍ତନ କରିଛି ଶୁଭଶ୍ରୀ । ପୁଅ ରାଜୁ ସହ ଯିବା ପାଇଁ ରାଜି ହୋଇଛି ।

   ନିକଟ ଭବିଷ୍ୟତର ନୂତନ କିଛି ସ୍ୱପ୍ନକୁ ଆଙ୍କିଛି ମନ ରାଇଜରେ । ଭାବ ତୁଳୀର ସ୍ପର୍ଶରେ ସେ ସାଜିଯାଇଛି ଧନୀ , ମାନି ବ୍ୟକ୍ତିତ୍ୱ ଟିଏ । ମଚାତଳର ହାଣ୍ଡିକୁ ଉଠାଇ ଆଣିଛି ବାହାରକୁ...। ଚାରି-ପାଞ୍ଚ ଥର ପରୀକ୍ଷା ପରେ ନିଶ୍ଚିତ ହୋଇଛି ଯେ , ଶାଢୀରେ ଚିରା , ଫଟା କଳଙ୍କ କିଛି ନାହିଁ । ହଳଦିଆ ରଙ୍ଗର ଶାଢୀ , ସମ୍ବଲପୁରୀ କାନି , ଚପା ଲେଖେ ଫୁଲ ଗୋଟେ ଗୋଟେ ପଡିଛି ମଝିରେ... ମଝିରେ...। ଦାମ୍ ଦୁଇ ହଜାରରୁ ବଢିବ , ହେଲେ କମିବାର ନାଁ ନାହିଁ । ଇସ୍ତ୍ରୀର ପୋଡା ଦାଗ ଯୋଗୁ ପାଇଛି ସେ ତିନି ବର୍ଷ ପୂର୍ବେ । ଖୁବ ଭଲ ଲୋକ ଥେଲେ ବାବୁ, ବାବୁଆଣି । ଯେ ଶାଢ଼ୀ କୁ ଦେଇଥିଲେ ଶୁଭଶ୍ରୀର ବ୍ୟବହାର ଓ କର୍ତ୍ତବ୍ୟନିଷ୍ଠାକୁ ହୃଦୟଙ୍ଗମ କରି । ବେଳେବେଳେ ଶୁଭଶ୍ରୀ ଭାବେ ଏଇଟା ପରା ତା' ପରିଶ୍ରମ ପ୍ରତି ସମ୍ମାନ । ଖୁବ ଯତ୍ନରେ ରଖିଥେଲା । ଆଜି ପିନ୍ଧିବ । ଯଦିବା କାହିଁ କେତେଦିନୁ ହାଣ୍ଡିରେ ରହିଥିବାରୁ ଲୋଚକୋଚା ଟିକେ ହୋଇଯାଇଛି ତଥାପି ବେଶ ଭଲ ଅଛି ତ । ତା' ଅନ୍ୟ ଶାଢ଼ୀମାନଙ୍କ ତୁଳନାରେ... ।

   ଶାଢ଼ୀପିନ୍ଧି ଅଟୋ ପାଇଁ ଟଙ୍କା ଯୋଗାଡ଼ କରିଛି । ଧାଇଁ ଯାଇ ଦେଖିଛି ଚୂଳି ପାଖର ସେ କାନ୍ଥ ଉପର ଥାକକୁ । ପାଇଛି ଦୁଇଟା ଦଶଟଙ୍କା ଆଉ ହଳଦୀଲଗା ପାଞ୍ଚ ଟଙ୍କା ଟିଏ । କାଳେ ପଡିଯିବ ଭାବି ଗଣ୍ଠି ପକାଇଛି । ପୁଅର ପ୍ରଥମ ଡାକରେ ବାହାରି ପଡିଛି ହଁ... ହାଁ... କରୁ କରୁ । ଦେଖିଛି ରିକ୍ସା ଲାଗିଛି ... ଆଜି କୁଆଡେ ଓଡିଶା ବନ୍ଦ , କେହି ଜଣେ ମହାନ ବ୍ୟକ୍ତିତ୍ୱଙ୍କ ଇହଧାମରେ । କେଡେ.. ବଡ଼ ଲୋକ । ଦେଶ କାନ୍ଦୁଛି...। ଆଃ.. ଖୁବ ସମ୍ବେଦନଶୀଳ ହୋଇ କହିଉଥିଲା ଶୁଭଶ୍ରୀ । ପୁଣି ଦେଖିଛି ନାତି ଟୋକାଟା ବସି ପଡିଛି , କାହିଁ କେତେବେଳୁ ଆସି । ଭାରି ଜିଦିଆ ସେ...ଥରେ ମନ କରିଛି ମାନେ ଅଲବତ୍ ଯିବ ସେ । ବାପାକୁ ଟିକେ ଟିକେ ଡରେ , ହେଲେ ଆଉ କାହାରିକୁ ପଚାରେ ନାହିଁ ...। ଶୁଭଶ୍ରୀ ନାତିଆ'ଟାକୁ କିଛି ନ କହି ବସି ପଡିଛି । ରାଜୁ ଆସି ବାରମ୍ବାର ମନା କରିଛି ପ୍ରଶାନ୍ତକୁ , ହେଲେ ସେ କ'ଣ ବୁଝିବା ପୁଅ ? ସମସ୍ତେ ବସି ଚାଲିଛନ୍ତି ସେହି ରାଜ୍ୟସ୍ତରୀୟ ସଭା ଅଭିମୁଖେ ।ରିକ୍ସା ଗଡ଼ିବା ଆରମ୍ଭ କରୁ କରୁ ମନେ ପଡି ଆସୁଛି ଶୁଭଶ୍ରୀର ରଙ୍ଗୀନ ଅତୀତ । ଅର୍ଦ୍ଧ ଦୃଶ୍ୟମାନ ଆକାରରେ ଝିଲ ମିଲ କରି ଦେଖାଯାଉଛି ତା' ରଙ୍ଗୀନ ଅତୀତ । ସେ ବସିପଡ଼ିଛି ରିକ୍ସାର ମଝି ସିଟରେ , ଆଗରେ ରାଜୁବାପା । ଖୁବ ମିଠା ମିଠା କଥାରେ ବିତୁଥିଲା ସେ ମୁହୂର୍ତ୍ତ ଗୁଡିକ । ଗୂଡ଼ ଠାରୁ ମିଠା ଥିଲା ତା' ମର୍ଦ ର ସେ କଥା । ହେଲେ ଏ ସ୍ଵାର୍ଥପୂର୍ଣ୍ଣ ଦୁନିଆରେ କେବେ କ'ଣ କେହି ଚିରସ୍ଥାୟୀ ହୋଇ ରହିପାରିଛି ? ନା ରହିବ ? କାହାର ସ୍ୱାର୍ଥ ଜାଳରେ ଛନ୍ଦି ହୋଇପଡିଛି ରାଜୁବାପା । ଶୁଭଶ୍ରୀର ଶତ ବାରଣକୁ ବେଖାତିର୍ କରି ଚାଲିଯାଇଛି । ଯାଇଛି ଯେ...ଯାଇଛି.....ସେ। ମୋଟା ମୋଟା ଟଙ୍କାର ଆଶା ଓ ଲୋଭରେ ଫସିଯାଇଛି ତା' ମର୍ଦ ଟା । ଛଅ ଫୁଟର ମଣିଷ ଟା , ଏକା ପାଞ୍ଚ ଜଣର କାର୍ଯ୍ୟ କରିବାରେ କେବେ ଥକିନାହିଁ । ଯେତେ ଘାଟି(ଉଠାଣି) ଆସୁ ସେ ଓହ୍ଲାଇ ନାହିଁ ତା' ରିକ୍ସାରୁ , ଥରେ ଚଢିଲେ ଗନ୍ତବ୍ୟସ୍ଥଳକୁ ପହଂଚିଲେ ଯାଇ କଥାବାର୍ତ୍ତା ।

  ହେଲେ , ଆନ୍ଧ୍ର ଯାଇକି ଆସୁ ଆସୁ କର୍ପୂର ଉଡିଯାଇଛି , କନା ରହିଯାଇଛି । କୁଆଡେ ଛୁ ହୋଇଯାଇଛି ତା' ମରଦପଣିଆ । ଯେଉଁଠି ବସିଲେ ବସିପଡୁଥାଏ । କଣ କେମିତି କାମ ଗୋଟେ କରିବାକୁ କହିଲେ ହଁ... ହଁ... କରି ଶେଷରେ ବାରଣ କରିଦିଏ । ହେଲେ ପୁଣିଥରେ ଗୋଡ଼ କାଢ଼ିଛି ତା'ରୋଜଗାର ଟଙ୍କା ସବୁ ଆଣିବା ପାଇଁ । ଶୁଭଶ୍ରୀର ବାରଣକୁ ଖାରଜ କରି କହିଛି - "ଆଜିର ଯୁଗେ ଟଙ୍ଗା ପଇସାରେ ବିଶ୍ୱାସ ନେଇ କାହାକେ " ଶୁଭଶ୍ରୀ ମଧ୍ୟ ମନେ ମନେ ହଁ ଭରିଛି । ହେଲେ ସେ ଯାଇଛି ଯେ..ଯାଇଛି....। ଆଉ ଆସିବ ନାହିଁ ମଧ୍ୟ । ଥରେ ଖବର ଆସିଥିଲା , ସେ କଣ ହଇଜାରେ ହରିଗଲା ଆଉ ଚାଲିଗଲା ଅଫେରା ଦୁନିଆକୁ । ତା' ସୁପ୍ତ ଲୋମ ଗୁଡିକ ଉଠିପଡିଛି ସତେକି ପ୍ୟାରେଡ଼ କରିବ ବୋଧେ , ତା' ମର୍ଦ ପ୍ରତି । ଅନାୟତରେ ବହି ଆସିଛି ଦୁଇ ଧାର ଉଷ୍ନ ଲୁହ ଧାର ।

 ଏତିକିରେ ଭାବନା ରାଇଜରୁ ପ୍ରସ୍ଥାନ କରୁ କରୁ ଲୁହଧାରକୁ କାନିରେ ପୋଛିହୋଇ ପ୍ରବେଶ କରି ତେଲଲୁଣର ବାସ୍ତବ ରାଇଜକୁ । ତା'ମତରେ- "କି ରାଇଜ..ଲୋ...ମାଆ.. ତାଙ୍କ କଲାଧଳା ଯୁଗ ତୁଳନାରେ ଏତ ବେଶ୍ ଆଗରେ...ମନ କଲେ....ହେଲୋ... ପୁଣି ମନ କଲେ ଗାଡ଼ି ଧରି ଫୁର୍ । ଆମେରିକାର କଥାବାର୍ତ୍ତା ଟିଭିରେ ସଙ୍ଗେସଙ୍ଗେ ଦଉଛି....ପ୍ରଶାନ୍ତ କୁଆଡେ କହୁଥେଲା ଏବେ ପୁଣି ମଙ୍ଗଳ ଗ୍ରହରେ ବସା ବାନ୍ଧୁଛି ବାପ୍ ରେ ଯୁଗ ଉନ୍ନତି କରୁଛି ଲୋ....ଲୋକେ ରୋଗ-ବେମାରରେ ବି ଆଉ ମରୁ ନାହାନ୍ତି..." । ରାଜୁ ଯେତେବେଳେ ମାଆ.. ବୋଲି ଡାକ ଦେଇଛି । ସାଙ୍ଗେ ସାଙ୍ଗେ କାନିରେ ଆଉଥରେ ଆଖିଲୁହକୁ ପୋଛି ହସି ଦେଇଛି ସ୍ମିତ ହସ ଟେ , କେବଳ ରାଜୁ ପାଇଁ । ଜାହିର୍ କରିଛି ସେ ଆଜି ଖୁସିରେ ଅଛି ।

 ଏତିକିରେ ରିକ୍ସା ପହଂଚିଯାଇଛି ଗନ୍ତବ୍ୟସ୍ଥଳରେ । ଓହ୍ଲେଇ ପଡିଛି ରିକ୍ସାରୁ । ଦେଖୁଛି ତା ଆଖି ସାମ୍ନାରେ କେତେ ବଡ଼ ବଡ଼ କୋଠା ନାଲି , ନେଲି, ବିରଙ୍ଗୀ ନାନା ପ୍ରକାରର..। ଛନ୍ଦାଛନ୍ଦି ହୋଇ ମୁଣ୍ଡ ଟେକିଛନ୍ତି ସତେକି ସହରର ଗର୍ବ ସକାଶେ । ଆଖି ପାହୁନାହିଁ ଶୁଭଶ୍ରୀର । ରାଜୁ ସାଥେ ସାଥେ ଆଗକୁ ଯାଇ ବସିପଡିଛି ଚଉକିରେ । ତା 'ଜୀବନ କାଳରେ କେବେ ଏତେ ବଡ଼ ଆୟୋଜନର ଭାଗି ହୋଇନାହିଁ । ଯଦିବା ହୋଇଛି ବାବୁଆଣୀର ବାହାଘରେ , ତା'କାମ ଥିଲା ବାସନକୁସନ ମଜା । ଏମିତି ସିଧା ସିଧା କେବେ ଦେଖିନାହିଁ ସେ, ଚାକଚକ୍ୟ କାର୍ଯ୍ୟକ୍ରମକୁ ।

  

  ଶୁଭଶ୍ରୀ ତା'ଜୀବନର ଅପରାହ୍ଣରେ ଉପସ୍ଥିତ ହୋଇଥିଲେ ମଧ୍ୟ କେବେ ଦେଖିନଥିଲା ଏତେ ବଡ଼ ବଡ଼ ଲୋକ । ତା ଭାଷାରେ ଭାବନାରେ- " କଳା କୋଟ , ବୋଟ ସୁଟ ,ହାତରେ କେଡେଟାଏ ମୋବାଇଲ ଗୋଟେ ଗୋଟେ । ପାଖରୁ କେହି କେହି ଚାଲିଗଲେ କି ବାସ୍ନା ଲୋ..ମାଆ । ତା'ସହିତ ବୁଟର କଡ଼ପ.. କଡ଼ପ..ଶବ୍ଦରେ ସତେକି ଜାହିର୍ କରୁଥାନ୍ତି ତାଙ୍କ ବଡ଼ପଣକୁ । ଏମାନେ ବେଶ୍ ଆଗରେ ଆମ ପରି ପୁତଲା ତୁଳନାରେ.. । ହଁ ପୁତଲା , ଜୀବନ ଥିଲେ ବି ମୁକ , ବଧୀର ପରି କେବଳ ଦେଖୁଛୁ ସେମାନଙ୍କୁ..।"

 ସେମାନେ କେତେ ବଡ଼ । କେହି ଜଣେ ତ ଆସି ବସିଥିଲା ଆଉ ତାକୁ ଦେଖି କୁଆଡେ ଘୁଞ୍ଚିପଳାଇଲା ଅନ୍ୟ ସିଟ୍ କୁ । ତା ' ପରେ ଆରମ୍ଭ ହୁଏ କାର୍ଯ୍ୟକ୍ରମ । ଆସନ୍ତି ଆହୁରି ବଡ଼ ବଡ଼ ଲୋକ । ଫୁଲତୋଡା ଦେଇ , ଉପାଢୋକନ ଦେଇ ପୁଷ୍ପବୃଷ୍ଟି ସହ ସ୍ୱାଗତ କରାଯାଏ ତାଙ୍କୁ । ଏମାନେ ହିଁ ଜୀବନରେ ସଫଳ ହୋଇଛନ୍ତି ବୋଧେ ? ପୁଣି କଣ ଗୋଟେ ଗୋଟେ ପକେଟ୍ ପାଖରେ ଖୋସୁଥାନ୍ତି...କେଜାଣି ଲୋ...ମାଆ । ଏମିତି ଭାବିନିଏ ଶୁଭଶ୍ରୀ । ସାତ ଜଣ ବାବୁ ଆସି ବସିଲେଣି , ଆଉ ସେମାନଙ୍କ ମଧ୍ୟରୁ ସେ ଧୋବ ଫର୍ ଫର୍ ଢ଼ିଲା ପିନ୍ଧା , ସଫେଦ୍ ବାଳ ଥିବା ବାବୁଙ୍କୁ ତାର ନଜର । ବେଶ୍ ଶାନ୍ତ , ନମ୍ର , ଭଦ୍ର ଜଣାପଡୁଥାନ୍ତି ଅନ୍ୟ ବାବୁ ମାନଙ୍କ ତୁଳନାରେ । ଶୁଭଶ୍ରୀ ଭାବିଛି ଏ ବାବୁ ବୁଝିପାରୁଥେବେ ଦୁଃଖୀ ହୃଦୟର ଦରଦକୁ , ଭୋକିଲା ଉଦରର ଜ୍ୱାଳା କୁ । ହେଲେ ତା ଆଶାରେ ପାଣି ଫାଟିଯାଏ ଲୋ...ମାଆ..। ସେ ବାବୁଙ୍କ ଭାଷଣ ଶୁଣି ବୁଢ଼ୀ ଆଁ....। ଏ କି ଭାଷଣ ଲୋ ମାଆ ? ତାହାକୁ ଜଣା । ବଡ଼ ଲୋକମାନଙ୍କ ଭାଷା ହୋଇଥିବ କାଳେ ? ଏତିକିରେ ପୁରସ୍କାର ବିତରଣ ସଭା ଆରମ୍ବ ହୋଇଛି । ପ୍ରଥମେ ପ୍ରଥମେ ନାଁ ପଡିଛି ତା ପୁଅର- "ରାଜକୁମାର ହଂସ" । ତା' ଛାତି ଫୁଲିଉଠିଛି ଗର୍ବରେ , ସୁପ୍ତ ଲୋମଗୁଡିକ ସମ୍ବେଦନ ହୋଇ ଚେଇଁ ଉଠିଛନ୍ତି ଉତ୍ସାହ ଆଉ ଦୁଃଖରେ । କେତେ ଖୁସି ହୋଇଥାନ୍ତେ ରାଜୁବାପା ଥିଲେ ? ପୁଅ ଯାଇଛି । ସେଇ ବାବୁ ଠାରୁ ପୁରସ୍କାର ଗ୍ରହଣ କରିଛି । ତା ପରେ ଅନୁରୋଧ କରିଛି କିଛି କହିବା ପାଇଁ । ବାବୁ ମାନଙ୍କ ମୁଣ୍ଡ ହଳିବା ପରେ କହିଛି- "ସଭାର ଭଦ୍ରମଣ୍ଡଳୀକୁ ମୋର ଆନ୍ତରିକ ପ୍ରଣାମ । ଆଜି ମୁଁ ଏଠାରେ ଛିଡା ହୋଇଛି କେବଳ ମୋ ମାଆ ପାଇଁ , ନହେଲେ ମୁଁ ଏଠାରେ ମୁଁ ନଥାନ୍ତି । ଦିସ ଇଜ ଡ଼େଡିକେଟେଡ ଟୁ ମାଇ ମଦର । ମାଆ ଏହା ତୋ ପାଇଁ । ସେ ଦିନର ସେ ବହିହାଟର ଘଟଣା ଆଜିବିି ମୋ ଆଖି ଆଗରେ ନାଚି ଉଠେ । ଯାହାକି ମୋ ଜୀବନର ଗତିପଥ ବଦଳାଇ ଦେଇଥିଲା... ଆସିଛି ବୋଲି ଆସିଛି ଆଜି ଏ ପର୍ଯ୍ୟନ୍ତ ।"

 ଏତିକି ଯଥେଷ୍ଟ ଥିଲା ଶୁଭଶ୍ରୀ ପାଇଁ , ତା ମନର ପରଦାରେ ସେ ଦେଖୁପାରୁଥିଲା ସେ କ୍ଷୁଦ୍ର ତଥା ହୃଦୟସ୍ପର୍ଶୀ ଚଳଚ୍ଚିତ୍ରଟି । ପ୍ରଥମେ ପ୍ରଥମେ ବହି ହାଟ ଆସିଥାଏ ରାଧାପାଟପୁରକୁ । ଗାଁ ଠାରୁ ଚାରି କିଲୋମିଟର ହେବ । ରାଜୁ ସେତେବେଳେ ନୂଆ ନୂଆ ପାଦ ଦେଉଥାଏ ସାହିତ୍ୟ ଜଗତକୁ । ନାଟକ ଲେଖିବା , ନାଟକ ଦେଖିବା , ନାଟକ ପଢିବା ସତେ କି ତା'ପେଶା । ପେଶା ତ ନିଥଲା , ଥିଲା ନିଶା । ବହୁତ ନିବେଦନ କରି ମାଗିଥିଲା ପଚାଶ ଟଙ୍କାଟେ । ତାକୁ , ତା' ବାପାକୁ । ହେଲେ ପ୍ରତ୍ୟାଖ୍ୟାନ ହିଁ ପାଇଥିଲା । ଓଡ଼ିଶାର ପ୍ରଖ୍ୟାତ ନାଟ୍ୟକାର ଆସିଥିଲେ । ଟିକଟ ଥିଲା ସେ ସମୟର ପଚାଶ ଟଙ୍କା । ସେ ବହୁତ ଦୁଃଖରେ ଘରେ ବସିପଡ଼ିଲା । ଭାବିଲା ଆଉ ନାଟକ ଲେଖାଲେଖି ଦେଖାଦେଖି ବନ୍ଦ । ଏହା ଭାବି ତା' ଲେଖିଥିବା କାଗଜକୁ ଦେଇଦେଇଛି ରଘୁଆ ଦୋକାନରେ । ତା ପ୍ରତିବଦଳରେ ରଘୁଆ ପାଞ୍ଚ ଟଙ୍କାଟେ ଦେଇଛି ରାଜୁକୁ । ଭାବବିହ୍ୱଳ ହୋଇ ସାଇତିରେ ରଖିଛି ତାକୁ ।

ସମୟ ତା ସ୍ୱାଭାବିକ ଏକ୍ସିଲିଟର୍ ଦବାଇ ଚାଲିଛି.., ଦିନେ ଜଣେ ବ୍ୟକ୍ତି ଆସିଦେଖା କରିଛନ୍ତି ରାଜୁକୁ । ଆଉ ତା'ଲେଖିଥିବା ନାଟକ କିଛି ଦେଖାଇବାକୁ କହିଛନ୍ତି । ହେଲେ ପ୍ରଶାନ୍ତ ମନା କରି କହିଦେଇଛି । ଆଉ କହିଛି ଯେ ସେ ଲେଖିବା ଛାଡିଦେଇଛି । ସେଇ ବ୍ୟକ୍ତିଙ୍କ ବାରମ୍ବାର ଅନୁରୋଧ କ୍ରମେ ସେ ଗୋଟିଏ ନାଟକ ଦେଲା । ଯାହାକି ସେଦିନ ଦୋକାନରେ ଦେବା ପାଇଁ ଭୁଲିଯାଇଥିଲା । ସେ ନେଇକି ଚାଲିଯାଇଛନ୍ତି । କିଛି ଦିନ ପରେ ରାଧାପାଟପୁର ମହୋତ୍ସବ ହୋଇଛି । ସେଠାକୁ ରାଜୁକୁ ଡାକରା ଆସିଛି । ସେ ଯାଇଛି । ତାକୁ ତା ନାଟକ କ୍ଷେତ୍ରରେ ଥିବା ଅଭିଜ୍ଞତାକୁ ଦେଖି ପୁରସ୍କୃତ କରାଯାଇଛି । ଆଉ ସବୁଠୁ ଖୁସିର କଥା ଯେ , ତା'ନାଟକ ସେଠାରେ ପରିବେଷଣ କରାଯାଇଛି । ସେହି ଦିନଠୁ ଆରମ୍ଭ ତାର ଏ ଯାତ୍ରା । ଯାହାଦ୍ୱାରା ଆଜି ରାଜ୍ୟ ସରକାରଙ୍କ ଠାରୁ ପୁରସ୍କୃତ ହେଉଛି । ଶୁଭଶ୍ରୀ ଆଜି ବହୁତ ଖୁସି ତା 'ପୁଅ ନାଁ କରିଛି , ରାଜ୍ୟ ସରକାରଙ୍କ କାନକୁ ଗଲାଣି ତା ପୁଅ ନାଁ..। ତା'ପରେ ଘରକୁ ଆସିଛନ୍ତି ସମସ୍ତେ ।ସମୟ ତା ବାଟରେ ଆଜି ବହୁତ ଦୂର ଚାଲିଗଲାଣି । ସ୍ପଷ୍ଟ ଭାବେ ଆଉ ଭାବି ବି ହେଉନି । ଝାପସା ଝାପସା ଦେଖାଯାଉଛି ।

*ଦଶ ବର୍ଷ ପରେ....ଆଜି..*

ଏ ପ୍ରକୃତିର ପାଣି , ପବନ ଆଉ ସମାଜର ହସକାନ୍ଦରେ ପ୍ରଶାନ୍ତ ଆଜି ଯୌବନରେ ଉପସ୍ଥିତ । ଗାଁ'ର ବାକି ଟୋକାଠୁ ଖୁବ ଆଗରେ । ଗୋଟିଏ ଦୃଷ୍ଟିରୁ ଦେଖିଲେ ଗାଁ ର ଅତ୍ୟାଧୁନିକ ଯୁବକ ଟେ । ବେକାରୀ ହୋଇ ବୁଲୁଛି । ଆଜି ସିନେମା କାଲି ପାର୍ଟି , ଆର ଦିନ ପିକନିକ୍ । ବାପ୍ ରେ....। 

ଏଇ ସିନେମା ଯିବା ପାଇଁ ରାତିରୁ ଅଳି କରୁଛି । ମାଆ ଶହେ ଟଙ୍କା ଟେ ଦେଲେଣି ବି , ତୃପ୍ତି ହେବାର ନାଁ ନାଇଁ । "ବୋଉ ମୁଁ ସିନେମା ଦେଖିବାକୁ ଯିବି ପରା ? ଏତିକି ଟଙ୍କାରେ କଣ ହେବ ?" ପ୍ରଶାନ୍ତ ଅଭିଯୋଗ କରି କହିଲା । "ଟିକେଟ କେତେ ଦାମ୍ ଜାଣିଛୁ ନା ?" ଆଉ ସାଙ୍ଗମାନେ ଥିବେ ମୁଁ ଏତେ କମ୍ ଟଙ୍କା ଧରି କେମିତି ଯିବି କହିଲୁ ? ମୋର ମାନସମ୍ମାନ ବୋଲି କିଛି ଅଛି ନା ନାହିଁ ?" ଖାଇବା ଟେବୁଲରେ ବସିଥିବା ବେଳେ ବୋଉ ଯାହା ଦେଇଥିଲେ ସେତକ ନେଇ ନିରବ ହୋଇଗଲା ପରେ ପୁଣି କହିଲା, " ବୋଉ ମୋର ଟାଇମ ହେଲାଣି ,ଟଙ୍କା ଦେ ।" ରୋଷେଇ ଘରୁ ବୋଉ କହିଲେ - "ମୋ ପାଖରେ କିଛି ନାହିଁ , ତୁ ବାପାଙ୍କୁ ମାଗି ନେଇଯା ।'

ପ୍ରଶାନ୍ତ ବିରକ୍ତ ହୋଇ ଗରଗର ହେଉଥିବା ବେଳେ ଘର ଭିତରକୁ ପଶି ଆସୁଥିବା ବାପାଙ୍କ ପଦଧ୍ୱନି ଶୁଣି ନିରବ ହୋଇଗଲା ।

ବୁଢ଼ୀ ଖୁବ ପ୍ରାଞ୍ଜଳ ଭାବେ ନିରୀକ୍ଷଣ କରୁଥାଏ ଏସବୁକୁ , ସେ ଭାବିଛି ରଙ୍ଗୀନ ଇତିହାସକୁ । କିପରି ଭାବେ ରାଜୁର ପ୍ରତିଭା ଲୁଚିବାକୁ ବସିଥିଲା । ପ୍ରଶାନ୍ତ ନାଚ , ଗୀତ , ଅଭିନୟରେ ବେଶ୍ ଆଗ୍ରହୀ ଓ ପାରଦର୍ଶୀ ମଧ୍ୟ । ସେଥିପାଇଁ ତା'ସିନେମା ଯିବା ପାଇଁ ମନ । 

"ରାଜୁ ଏ କଣ ସିନେମା ଯିବ ? ଦେଇଦେ କଣ କେତେ ମାଗୁଛି ।" ପୁଅକୁ ନିର୍ଦ୍ଦେଶ ଟେ ଦେଇଦେଲା ଶୁଭଶ୍ରୀ।

 "ତୁ ଜାଣିନୁ ମାଆ , ଏ ବୁଲିବ..ଯେ.. ବୁଲିବ ସହର ସାରା ,ପୁଣି ଶହେ ଟଙ୍କା ତ ଦେଇଛି । ପାଠ ନାହିଁ କି ସାଠ ନାହିଁ କହୁଛି କଣ ନା ସିନେମା...ଯିବ...?" 

"ଯିବ ନାହିଁ..."

"ହଁ..ଯେ, ମନାକଲା କିଏ ଯାଉ । ପାଠ ସାଠ କିଛି...." ଗର ଗର ହୋଇ । 

"ହଁ.. ହଁ... ତୁ ବଜାର ଯାଉଛୁ ନା..?ଯା.."

"ହଁ ମୁଁ ଆସୁଛି । ପରୀକ୍ଷା ପାଖେଇ ଆସିଲାଣି ପଢ଼ାରେ ଧ୍ୟାନ ଦେ..." ପୁଅକୁ କହିଦେଇ ଚାଲିଗଲେ ।

ବୁଢୀଟା ମନେ ମନେ ତୁଳନା କରିଛି ଦୁହିଁଙ୍କୁ । ଗୋଟିଏ ପଟେ ପୁଅ ରାଜୁ ଆଉ ଅନ୍ୟ ପଟେ ନାତି ଟୋକା ପ୍ରଶାନ୍ତ । ସାଉଁଟିଛି ଅତୀତର ସ୍ମୃତିଗୁଡିକୁ । ତା ପରେ କରିଛି ଯୋଗ , ବିୟୋଗ , ଗୁଣନ , ହରଣ ..କେତେ କେତେ । ଶେଷରେ ସିଦ୍ଧାନ୍ତ ରେ ପହଂଚିଛି ଯେ- ପ୍ରଶାନ୍ତ ଠାରେ ମଧ୍ୟ ରହିଛି ଈଶ୍ୱର ଦତ୍ତ ଶକ୍ତି । ଠିକ୍ ଯେପରି ରହିଥିଲା ରାଜୁର । ନାତିଆ ମଧ୍ୟ ତାଙ୍କ ନାଁ କରିବ । ଏସବୁ ଭାବି ଖୁବ ଉତ୍ଫ୍ରୁଳିତ ହୋଇଯାଉଥାଏ ସେ । ତା'ପରେ ପ୍ରଶାନ୍ତକୁ ଡାକି ଥାଏ । ଆଉ ସେ ରଖିଥିବା ଦୁଇ ଶହ ଟଙ୍କା ଦେଇ କହେ-"ଯା.. ତୋ ବାପା ଆସୁ ଆସୁ ଚାଲିଆସିବୁ ."

" ଥ୍ୟାଙ୍କ ୟୁ..ଗ୍ରାଣ୍ଡ ପା.." ଏତିକି କହି ସ୍କୁଟି ଧରି ବାହାରିଲା ସିନେମା ହଳ ଅଭିମୁଖେ ।

ଯିଏ ଯାହା କହୁ ମୋ ନାତି ଟା ପରା...ବାପା ଯେମିତିିକୁ ପୁଅ ସେମିତି "

"ନାଇଁ ଲୋ..ମାଆ । ତୁଳ'ନା ତୁଳ'ନା ଏ ଦୁହିଁଙ୍କୁ । ଇଏ ଇଏ ଆଉ ସେ ସେ । " ଡାଇନିଂ ଟେବୁଲକୁ ପୋଛୁ ପୋଛୁ ପ୍ରଶାନ୍ତର ମାଆ ଉତ୍ତର ରଖିଲେ ।

ଆଜି ସଂକ୍ରାନ୍ତି । ବୁଢ଼ୀ ମନ୍ଦିର ଯିବ । ସେ ବି ବାହାରିଲା ପାଖ ଜଗନ୍ନାଥ ମନ୍ଦିର ଅଭିମୁଖେ । ଏ କଣ ପ୍ରଶାନ୍ତ ତ ସିନେମା ଯାଉଥିଲା । ସେ ତ ଏଇ ଆଇସକ୍ରିମ ଖାଉଛି । ମାଆ ଲୋ..ସେଇ ଝିଅ ଟା କିଏ ତା ଉପରେ ବସିଛି ଯେ । ଛି ଏତେ ଗହଳି ଅଛି । ଲାଜ ଲାଗୁନି ତାକୁ ? ପ୍ରସାନ୍ତକୁ ମନ୍ଦିର ସାମ୍ନାରେ ଦେଖି ସେ ଭାବିଛି । ଆଉ ଭାବିଛି - ରହ ଯାଉଛି ତୋତେ...ମୋ ଠାରୁ ଟଙ୍କା ମାଗିଲୁ..ମୁଁ କେତେ ଆଶା ଟେ ରଖି ଦେଇ ,ଦେଲି..ଆଉ ତୁ ଏଠାକୁ...ରହ ..ରହ..ଯାଉଛି । ଗରଗର ହୋଇ ପ୍ରଶାନ୍ତ ପାଖକୁ ଯାଉଥାଏ ।

"ହଇରେ... ପ୍ରଶାନ୍ତ ! ତୁ କଣ କରୁଛୁ ? ଆଉ ଇଏ ଭୁତୁଣୀ ଟା କିଏ ?" ପ୍ରଶାନ୍ତ କୁ ପ୍ରଶ୍ନ କଲା ।

ଆପଣ କିଏ ? ମୁଁ ଜାଣିନି ,ଚିହ୍ନିନି ? କାହାକୁ ଖୋଜୁଛନ୍ତି ? ରୁମାଲରେ ମୁହଁ ପୋଛୁ ପୋଛୁ ରୋକଠୋକ ଭାବେ ମନା କରିଦେଲା । 

"କିଂ କର୍ତ୍ତବ୍ୟ ଏ କଳିଯୁଗେ" ବୁଢ଼ୀ ଠିକ୍ ବୁଝିପାରୁଥିଲା ଯେ- " ସେ ସେ ଆଉ ଇଏ ଇଏ" । କେତେ ଲୋକଙ୍କ ଠାରୁ କେତେ କଥା ଶୁଣିଥିଲା । ପ୍ରଶାନ୍ତ ସିଗାରେଟ ଟାଣୁଛି , ମଦ ପିଉଛି , କଲେଜ ବାହାନାରେ ବୁଲୁଛି ଆଉ କେତେ କ'ଣ ? ହେଲେ ବିଶ୍ୱାସ କରୁନଥିଲା ସେ । କେତେ କଣ ହେବ ଭାବୁଥିଲା । ହିରୋ ହେବ । ନାଚିବ , ଗାଇବ , ନାଁ କରିବ କେତେ କ୍'ଣ ? ହେଲେ ଭାବନା ଷ୍ଟେରିଂ ମୋଡିଛି । ତା' ଭାବନାରେ ଭଟ୍ଟା ଚାଲି ଆସିଛି । ଭାବୁଛି - "ସତରେ..ମୁଁ ଭୁଲ ବୁଝୁଥିଲି ଲୋ.. ମାଆ.. । ମୋ ପୁଅ ତ ହୀରା ଆଉ ଇଏ ...ଛି ଲୋ ମାଆ...। ଛି.. ଏ ମଡ଼ନ୍ ଯୁଗର ସଡ଼ନ୍ ହିରୋ କୁ....। ବୋହୁ ଠିକ୍ କହୁଥିଲା। ଇଏ..ଇଏ.. ଆଉ ସେ.. ସେ..

ତୁଳନା ହିରୋ ବୋହୂ

Rate the content


Originality
Flow
Language
Cover design

Comments

Post

Some text some message..