Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasant Kumar Senapati

Inspirational

3.6  

Prasant Kumar Senapati

Inspirational

ବସ୍ତ୍ରହରଣ

ବସ୍ତ୍ରହରଣ

3 mins
14.9K


ବସ୍ତ୍ରହରଣ-:

 

ସମସ୍ତ ସଭାଗଣ ନିଜ ନିଜ ସ୍ଥାନରେ ଉପବେଷ୍ଠିତ । ଭାରି ସଭାରେ ଯେତେବେଳେ ଦ୍ରୌପଦୀଙ୍କୁ ସଭାଗୃହକୁ ଘୋଷାଡି ଘୋଷାଡି ଅଣଗଲା, ଅର୍ଦ୍ଧେକ ବସ୍ତ୍ର ଦ୍ରୌପଦୀଙ୍କ ଶରୀର ଢାଙ୍କିବା ପାଇଁ ଅସମର୍ଥ ଓ ଅର୍ଦ୍ଧେକ ବସ୍ତ୍ର ଦୁଃଶାସନର ହାତରେ । ଉପସ୍ଥିତ ସଭାଗୃହରେ ଦୁଃଶାସନର ଦୁଃସାହସ ସଫା ସଫା ଝଲସି ଯାଉଥିଲା । କେବେ ଦ୍ରୌପଦୀର ବସ୍ତ୍ର ତ କେବେ କେଶକୁ ଧରି ସଭାର ମଧ୍ୟସ୍ଥଳିରେ ଦୁଃଶାସନ ଘୋଷାଡୁ ଥାଏ । କିନ୍ତୁ ଦ୍ରୌପଦୀ ନୀରବ ଓ ନିଶ୍ଚଳ । ସେ ହାତଯୋଡି ମୁକ୍ତି ପାଇଁ ଭିକ୍ଷା ପ୍ରାର୍ଥନା କରୁନଥାନ୍ତି । 

 

ସଭାରେ ଉପସ୍ଥିତ କିଛି ନିର୍ଲଜ ଅଟ୍ଟହାସ୍ୟ କରୁଥାନ୍ତି ଓ କିଛି ନିଜ ପୌରୁଷତ୍ବ ପାଇଁ ଲଜ୍ଜିତ ହେଉଥାନ୍ତି । କିଛି ସଭାଗଣ ନିଜର ଶ୍ରବଣ ଶକ୍ତି, ଦୃଷ୍ଟିଶକ୍ତି ଓ ଅନୁଭବ ଇନ୍ଦ୍ରିୟମାନଙ୍କୁ ଲଜ୍ଜ୍ୟା କିମ୍ଭା ଭୟରେ ନିଜ ଭିତରେ ସମାଧି ଦେଇ ସାରିଥାନ୍ତି । ଆଉକିଛି ସଭାଗଣଙ୍କ ଶ୍ରବଣ ଶକ୍ତି, ଦୃଷ୍ଟିଶକ୍ତି ଓ ଇନ୍ଦ୍ରିୟମାନ ଆବଶ୍ୟକତା ଠାରୁ ଅଧିକ ଚଳଚଞ୍ଚଳ ମନେ ହେଉଥାଏ। 

 

କେଶରାଶି ଓ ଗୋଟିଏ ବାହୁ ଧରି ଯେତେବେଳେ ଦୁର୍ଯ୍ୟୋଧନ ଦ୍ରୌପଦୀଙ୍କୁ ଠିଆ କରାଇଲା, ସେ ଅସହାୟ ପରିଲକ୍ଷିତ ହେଉନଥିଲା । ଅଗ୍ନି ସ୍ଫୁଲିଙ୍ଗ ପରି ଚମକୁଥିଲା ତାର ଦୁଇ ଆଖି ।

 

ଡାକେ, ଡାକେ ! ତୋର ସ୍ବାମିମାନଙ୍କ ମଧ୍ୟରୁ କାହାକୁ ବି ତୋତେ ରକ୍ଷା କରିବା ପାଇଁ ଡାକେ । ପ୍ରାର୍ଥନା କର ! ତୋର ସ୍ବଇଚ୍ଛାରେ ରକ୍ଷା ନିମିତ୍ତ କାହାକୁ

ବି ପ୍ରାର୍ଥନା କର । ସ୍ମରଣ କର ! ତୋର ସଖା ଶ୍ରୀକୃଷ୍ଣଙ୍କୁ ସ୍ମରଣ କର ତୋତେ ରକ୍ଷା କରୁ । ଦୁର୍ଯ୍ୟୋଧନ କେଶରାଶିକୁ ନିଜ ମୁଠାରେ ଭିଡିଧରି ଓ

ଦାନ୍ତ କାମୁଡି ଦ୍ରୌପଦୀଙ୍କୁ ଦୁଃଶାସନ ନିକଟକୁ ଠେଲି ଦେଇ ଆଦେଶ ଦେବା ସ୍ବରରେ କହିଲା - ସମସ୍ତ ବସ୍ତ୍ର ଉତ୍ତାରି ସଭା ମଝିରେ ଉଲଗ୍ନ କରିଦିଅ ଓ ଏହାର ସମସ୍ତ ଗର୍ବ ଅହଂକାର ଖର୍ବ ହୋଇଯାଉ ।

 

ଦୁଃଶାସନ ଦ୍ରୌପଦୀର ଯେତିକି ବସ୍ତ୍ର ଟଣା ଓଟରା କରି ଅଲଗା କରୁଥାଏ, ଦ୍ରୌପଦୀ ବି ନିଜ ଚାରିପାଖେ ଘୁରି ଘୁରି ସେତିକି ବସ୍ତ୍ର ପୁନଶ୍ଚ ଗୁଡାଇ ହୋଇ ଯାଉଥାଏ । 

 

ଦ୍ରୌପଦୀ ହାତଯୋଡୁ ନଥିଲା କି ଆଖିରେ ତାର ଭୟ ନଥିଲା ନା ଚେହେରାରେ ତାର ଯାଚନା ପ୍ରାର୍ଥନାର ଭାବ । ପେଣ୍ଡାଲ ତଳେ ବସିଥିବା ଦର୍ଶକଙ୍କ ମଧ୍ୟରୁ କେହିଜଣେ ଚିତ୍କାରକଲା "ଦ୍ରୌପଦୀ ନିଜକୁ ନିଜେ ରକ୍ଷା କରିବା ପରିବର୍ତ୍ତେ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କର" । ଶ୍ରୀକୃଷ୍ଣ ତୋର ରକ୍ଷା କରିବେ ଓ ଯୁଗେ ଯୁଗେ ଏହା ଚାଲି ଆସୁଛି ।

 

ଚିତ୍କାର କଲା ଦ୍ବୋପଦୀ ! କାହିଁକି ପ୍ରାର୍ଥନା କରିବି ଶ୍ରୀକୃଷ୍ଣଙ୍କୁ ! ଏ ସଭାରେ ଉପସ୍ଥିତ ସମସ୍ତ ପୁରୁଷ ନିଜ ପୁରୁଷତ୍ବକୁ ସମାଧୀ ଦେଇ ସାରିଛନ୍ତି । କଣ ଏହି ସଭାରେ ଉପସ୍ଥିତ ସ୍ତ୍ରୀମାନଙ୍କ ମନ କଣ ଉପସ୍ଥିତ ପୁରୁଷଙ୍କ ପରି ନିର୍ଲଜ ଓ କଠୋର ? କୁଆଡେ ଗଲେ ମାତା କୁନ୍ତି, କୁଆଡେ ଗଲେ ମାତା ଗାନ୍ଧାରୀ, କେଉଁଠି ଅଛନ୍ତି ଦୁର୍ଯ୍ୟୋଧନ - ଦୁଃଶାସନର ସ୍ତ୍ରୀମାନେ ଓ ସଭାରେ ଉପସ୍ଥିତ ସମସ୍ତ ପୁରୁଷଙ୍କ ସ୍ତ୍ରୀମାନେ ? କୁଆଡେ ଗଲେ ସବୁ ? 

 

କଣ ମୋତେ ଉଲଗ୍ନ ଦେଖି ସେମାନେ ନିଜ ନିଜ ଭିତରେ ଲଜ୍ଜ୍ୟା ଅନୁଭବ କରିପାରୁ ନାହାନ୍ତି ? କଣ ସେମାନଙ୍କ ଆତ୍ମସମ୍ମାନ ଉପରେ କିଛି ବି ପ୍ରଭାବ ପଡୁନି ? ମୁଁ ସ୍ତ୍ରୀ ହୋଇ ଜଣେ ପୁରୁଷକୁ ମୋର ସମ୍ମାନ ଇଜ୍ଜତ ରକ୍ଷା ପାଇଁ କାହିଁକି ଭିକ୍ଷା ପ୍ରାର୍ଥନା କରିବି ? ସ୍ତ୍ରୀ ଜାତି ମୋତେ ନ୍ୟାୟ ଦେବା ପାଇଁ କାହିଁକି ଆଗେଇ ଆସିବେନାହିଁ , କଣ ଯୁଗେ ଯୁଗେ ଜଣେ ନାରୀ ନିଜ ଆତ୍ମସମ୍ମାନ ପାଇଁ ପୁରୁଷର ଦୟାର ପାତ୍ର ହୋଇ ରହିଯିବ ? 

 

ତାଳିର ଶବ୍ଦରେ ପୁରା ପରିବେଶ ଗୁଞ୍ଜରିତ ହେଉଥିଲା । ସମସ୍ତ ଦର୍ଶକ ଓ ସଭାଗଣ ଦ୍ରୌପଦୀଙ୍କ ନୂତନ ବିଚାର ଓ ବଳିଷ୍ଠ ଯୁକ୍ତିକୁ ସମ୍ମାନ ଦେଇ ବସିବା ସ୍ଥାନରୁ ଉଠି ଦଣ୍ଡାୟମାନ ହେଲେ । ଆଜି ପାଇଁ ଏତିକିରେ ମହାଭାରତ ଦୃଶ୍ୟ ଶେଷ ହୋଇଥିଲା ଓ ପେଣ୍ଡାଲରେ ପରଦା ଆଢୁଆଳରେ ଲୁଚି ଯାଇଥିଲେ ନୂଆ ଏକ ବିଚାର ଓ ନୂତନ ଦିଗନ୍ତ ଦେଖାଇଥିବା ଦ୍ରୌପଦୀ ଭୂମିକାରେ ଅଭିନୟ କରୁଥିବା ନାୟିକା ଜଣକ ।

ସମାଜର ଦର୍ପଣ

© ପ୍ରଶାନ୍ତ ସେନାପତି


Rate this content
Log in

Similar oriya story from Inspirational