Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ପ୍ରଶାନ୍ତ କୁମାର ବେହେରା

Inspirational Others

5.0  

ପ୍ରଶାନ୍ତ କୁମାର ବେହେରା

Inspirational Others

ଆଉ ଜଣେ କାଉଲ୍ ( ଦଶମ ଭାଗ )

ଆଉ ଜଣେ କାଉଲ୍ ( ଦଶମ ଭାଗ )

3 mins
14.2K


ଏମିତି ଭିତରେ ଭାଇଙ୍କ ପୁଅ ମାଟ୍ରିକୁଲେସନ୍ ପରୀକ୍ଷା ଦେଇ ବହୁତ ଭଲ ନମ୍ୱର ରଖି ଉତ୍ତୀର୍ଣ୍ଣ ହେଲା । ପୁଅର ଭବିଷ୍ୟତକୁ ଦୃଷ୍ଟିରେ ରଖି ଭାଇ ଓ ଭାଉଜ ବସି କଥାବାର୍ତ୍ତା ହୋଇ ସ୍ଥିର କଲେ ତାକୁ ଭୁବନେଶ୍ଵରରେ ଗୋଟେ ଭଲ ଆବାସିକ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢାଇବା ଠିକ୍ ହେବ । ସେଇ ମୁତାବକ୍ ଭାଇ ପୁଅକୁ ଡାକି କହିଲେ, " ଆରେ ବାପା, ଆମେ ନିଷ୍ପତି ନେଲୁ ତୁମକୁ ଭୁବନେଶ୍ଵରର ଏକ ଭଲ ରେସିଡ଼େଣ୍ଟସିଆଲ୍ କଲେଜରେ ପଢାଇବା ପାଇଁ । ତେଣୁ ଘର ଛାଡି ଭୁବନେଶ୍ଵର ଯିବାକୁ ଅଜିଠୁ ନିଜକୁ ପ୍ରସ୍ତୁତ କର ।"

ପୁଅ କିଛି ସମୟ କଣ ସବୁ ଚିନ୍ତାକରି ଦୃଢ଼ ଭାବରେ କହିଲା, " ନାଇଁ , ମୁଁ ଘର ଛାଡି କୁଆଡେ ଯିବିନି । ଏଇଠି ରହି ପଢିବି ।"

ଭାଇ ମଧ୍ୟ ସେମିତି ଦୃଢ଼ ଭାବରେ କହିଲେ, " ତମେ ପିଲା ଲୋକ, କଣ କଲେ ଠିକ୍ ହେବ ଏମିତି ନିଷ୍ପତି ନେବା ବୟସ ତୁମର ହୋଇନି । ତେଣୁ ବାପ ମା ହିସାବରେ ଆମେ ଯାହା ନିଷ୍ପତି ନେଇଛୁ ତାକୁ ତୁମକୁ ମାନିବାକୁ ପଡିବ ।"

ପୁଅ ବି କୋଉ ଛାଡିବା ପିଲା । ସେ କାଉଲ୍ ପରି ଚରିତ୍ରଙ୍କ ପୁଅ । ବାପ ପରି ଖୁବ୍ ଜିଦ୍‌ଖୋର । ଫାଇନାଲି କହିଲା, "ଭୁବନେଶ୍ଵରରେ ରହି ପଢିବାର ପ୍ରଶ୍ନ ହିଁ ଉଠୁନି । ଯଦି ପଢିବି ଏଇ ଘରେ ରହି ନଚେତ୍ ଆଦୌ ପଢିବି ନାହିଁ ।"

ଭାଇ ଆମର ପୁଅ ଜିଦି ଦେଖି ପୁରା ତାଜୁବ୍ । ଯେଉଁ ପିଲା ତାଙ୍କ ସାମ୍ନାରେ କଥା ହେବାକୁ ଡରେ ସେ ଆଜି ମୁହେଁ ମୁହେଁ ଏମିତି ସବୁ କଥା କହିବାକୁ କେମିତି ସାହସ କରି ପାରିଲା ? ଭାଇଙ୍କ ମୁଣ୍ଡ କାମ କରୁନଥାଏ । ତଥାପି ଭାଇ ଶେଷ ଥର ପାଇଁ ପୁଅକୁ ପଚାରିଲେ ," ଭୁବନେଶ୍ଵର ଯାଇ ପଢିବାକୁ କାଇଁ ରାଜି ହେଉନ ? କରଣ କଣ କୁହ ? "

ପୁଅ ଏଥର ଗୋଟେ ସାଂଘାତିକ୍ ଉତ୍ତର ଦେଲା । ଭାଇ ସେ ଉତ୍ତର ଶୁଣି ସେଇଠି ବେହୋସ୍ ହେବା ଭଲି ସ୍ଥିତିରେ ପହଞ୍ଚି ଗଲେ । ବିନା ନିଶାରେ ଭାଇଙ୍କ ଦେହରୁ ଝାଳ ବାହାରିବା ଆରମ୍ଭ କଲା । ପୁଅ ତାଙ୍କ ମୁହଁ ସାମ୍ନାରେ ଏମିତି ଉତ୍ତର ଦେଲା ବୋଲି ଭାଇଙ୍କ ମନ ଭିତରେ ବସା ବାନ୍ଧିଥିବା ଅସନ୍ତୋଷ ସହ ଦାଉ ଦାଉ ହୋଇ ଜଳୁଥିବା ରାଗ ସବୁ ଯେମିତି ଗୋଟେ ମୁହୂର୍ତ୍ତରେ ଠପ୍ କରି କେଉଁଆଡେ ମିଳାଇଗଲା । ସତେ ଯେମିତି ସବୁ ତକ ରାଗ ଉପରେ କିଏ ଅଚାନକ ପୁଳେ ଥଣ୍ଡା ପାଣି ଢାଳିଦେଲା ।

ପୁଅର ସେଇ ଜବରଦସ୍ତ ଉତ୍ତର ହେଉଛି , " ଦେଖନ୍ତୁ ଡାଡି, ଆପଣ ରାତି ଅଧରେ ଖୁବ୍ ନିଶାରେ ଘରକୁ ଫେରୁଛନ୍ତି । ଦିନେ ଦିନେ ଏତେ ନିଶା ଖାଇଥିବେ ନିଜେ ଠିକ୍ ରେ ଚାଲିବା ସ୍ଥିତିରେ ଆପଣ ନଥାନ୍ତି । ଅଧିକାଂଶ ଦିନ ମୁଁ ଓ ମମି ମିଶି ଆପଣଙ୍କୁ ଧରାଧରି କରି ଘରକୁ ଆଣି ଶୁଆଇଦେଉ । ମୁଁ ବି ଆପଣଙ୍କ ବାଇକ୍ କୁ ଘର ଭିତରେ ଆଣି ରଖେ । ମୁଁ ଯଦି ଭୁବନେଶ୍ଵର ପଢିବାକୁ ଗଲି ତାହେଲେ ମମି ଏକୁଟିଆ ଏସବୁ କାମ କରି ପାରିବେନି । ସେ ବହୁତ ହଇରାଣ ହେବେ । ତେଣୁ ଯଦି ପଢିବି ଏଇଠି ରହି ପଢିବି, ବ‍ହାରକୁ ଯିବାର ପ୍ରଶ୍ନ ହିଁ ଉଠୁନି ।"

ଗୋଟେ ଅସଭ୍ୟ, ଅଶିକ୍ଷିତ, ଉଚ୍ଛୃଙ୍ଖଳ ନିଶାଖୋର୍ ବାପା ପାଇଁ ହୁଏତ ପୁଅର ଏ ଉତ୍ତର କିଛି ବି ମାଏନା ରଖେନି । କିନ୍ତୁ କାଉଲ୍ ପରି ଓୌଜଲ୍ୟମାନ ଚରିତ୍ର ହେଉଛନ୍ତି ଏଇ ଭାଇ । ଦୃଢ଼ ଆତ୍ମବିଶ୍ୱାସ ସହ ଅନୁଶୋଚନା ବିହୀନ ନିର୍ବିକାର ପୁରୁଷ ହେଉଛନ୍ତି ଏଇ ଭାଇ । ଭୁଲ ଠିକ୍ କଣ ଜାଣୁଥିବା ଶିକ୍ଷିତ ନିଶାଖୋର୍ ହେଉଛନ୍ତି ଏଇ ଭାଇ । ତେଣୁ ପୁଅର ସେଇ ଜବରଦସ୍ତ୍ ଉତ୍ତରରେ ଭାଇ ଆମର ପୁରା ପରାସ୍ତ ହୋଇ କିଛି କ୍ଷଣ ଚୁପ୍ ହୋଇଗଲେ । ମୁଣ୍ଡରେ କିଛି ବି ବୁଦ୍ଧି ପଶିଲା ନାହିଁ । କିଛି ସମୟ ସ୍ତବ୍ଧ ହୋଇଗଲେ । ବିନା ନିଶାରେ ଆଖି ବୁଜି କିଛି ସମୟ ଚିନ୍ତା କଲେ । ଆଉ ସେଇ ଚିନ୍ତା କରିବା ଭିତରେ ନେଇଗଲେ ନିଜ ଜୀବନର ସବୁଠୁ ବଡ ନିଷ୍ପତି ।

ଭାଇ ମନ ଭିତରେ ଦୃଢ ନିଷ୍ପତି ନେଇ ସାରି ପୁଅକୁ କହିଲେ, " ଠିକ୍ ଅଛି , ତୁମେ ଭୁବନେଶ୍ଵର ପଢିବାକୁ ଯିବ ଆଉ ମୁଁ ଆଜିଠାରୁ ନିଶା ଖାଇବା ଛାଡିଦେଲି ।"

ଲଙ୍କାରେ ହରି ଶବ୍ଦ ଶୁଣିବା ଯାହା ଭାଇ ଆମର ନିଶା ଛାଡିଦେବେ ଠିକ୍ ସେଇଆ । ବିବାହ ପୂର୍ବରୁ ତାଙ୍କ ବାପ ମା କେତେ ଚେଷ୍ଟା କରିଥିବେ, ଭାଉଜଙ୍କୁ ପ୍ରେମ କଲାବେଳେ, ପ୍ରେମ କରି ସଫଳ ହୋଇ ବିବାହ କଲାପରେ ଭାଉଜ କେତେ ନେହୁରା ହୋଇ କହିଥିବେ ଏଇ ନିଶା ଛାଡିଦେବାକୁ । କିନ୍ତୁ କେହି ସଫଳ ହୋଇ ନାହାନ୍ତି ଆଜି ଯାଏ । ହେଲେ ଆଜି ପୁଅ ନିଶା ଛାଡିବାକୁ ବାପକୁ କହିନି, କିନ୍ତୁ ବାପ ଏକାଥରକେ ନିଶା ଛାଡିବାକୁ ଦୃଢ଼ ନିଷ୍ପତି ନେଇଗଲା ।

କାଉଲ୍ ଚରିତ୍ରମାନେ ବୋଧେ ସବୁବେଳେ ଏମିତି । ଥରେ ଯଦି ଦୃଢ଼ ନିଷ୍ପତି ନେଇଗଲେ ତାହେଲେ ଆଉ ସେଥିରୁ ହଟିବାର ପ୍ରଶ୍ନ ହିଁ ନାହିଁ । ସେମାନଙ୍କ ଚରିତ୍ରର ଏ ହେଉଛି ଖୁବ୍ ବଳିଷ୍ଠ ମର୍ଯ୍ୟାଦା । ନିଜେ ନେଇଥିବା ନିଷ୍ପତିକୁ ସମସ୍ତ ଶକ୍ତି ଲଗାଇ କାର୍ଯ୍ୟକାରି କରିଥାନ୍ତି । ଶେଷକୁ ସେଇଆ ହିଁ ହେଲା, ଏକବାରେ ଅସମ୍ଭବ କଥା ସମ୍ଭବ ହେଲା, ଲଙ୍କାରେ ହରି ଶବ୍ଦ ଶୁଭିଲା ପରି ଭାଇ ଆମର ମଦ ପିଇବା ଛାଡିଦେଲେ ଆଉ ଫଳସ୍ଵରୂପ ପୁଅ ଭୁବନେଶ୍ଵରକୁ ପଢିବାକୁ ଗଲା । ( କ୍ରମଶଃ ........)

ପ୍ରଶାନ୍ତ କୁମାର ବେହେରା

ଅଧ୍ୟାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ, ଜଗତସିଂହପୁର ।

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in

Similar oriya story from Inspirational