କଫନ
କଫନ
ଅନେକ ଦିନ ତଳର କଥା । ମୋର ପୋଷ୍ଟିଙ୍ଗ ବସ୍ତ୍ରରର କାମଲୁର ରେଲୱେ ଷ୍ଟେସନରେ ଥିଲା । ସେଠାକାର ଆଦିବାସୀ ମାନେ ବହୁତ ଗରିବ ଓ ସରଳ ।
ଆଦିବାସୀ ସ୍ତ୍ରୀ ଲୋକ ମାନେ ପ୍ରାୟ ପରିବା ପତ୍ର ନେଇ ରେଲୱେ କଲୋନୀକୁ ବିକିବାକୁ ଆସନ୍ତି । ଥରେ ଜଣେ ଆଦିବାସୀ ସ୍ତ୍ରୀ ଲୋକ ପରିବା ନେଇ
ବିକିବାକୁ ଆମ ଘରକୁ ଆସିଥାଏ ,ସେ ଗୋଟେ ମଇଳା ଛିଣ୍ଡା ଗାମୁଛା ପିନ୍ଧିଥିଲା ଓ ଆଉ ଗୋଟେ ମଇଳା ଛିଣ୍ଡା ଗାମୁଛା ଘୋଡାଇ ହୋଇଥିଲା । ଏହା ଦେଖି ମୋର ଶ୍ରୀମତୀ ତାକୁ ପିନ୍ଧିବା ପାଇଁ ଗୋଟେ ପୁରୁଣା ଲୁଗା ଦେଲେ ଓ ତାର ପରିବାର ମୂଲ୍ୟ ତାକୁ ଦେଲେ । ସେ ବହୁତ ଖୁସି ହୋଇଗଲା ଓ ଲୁଗାକୁ ଘୋଡିହୋଇ ଜଙ୍ଗଲ ରାସ୍ତାରେ ଆଗକୁ ବଢିଲା ।
ପ୍ରାୟ ପନ୍ଦର ଦିନ ପରେ ସେ ଆଦିବାସୀ ସ୍ତ୍ରୀ ଲୋକ ପରିବା ନେଇ ପୁଣି କଲୋନୀକୁ ଆସିଲା ଓ ସେ ପୂର୍ବ ପରି ମଇଳା ଛିଣ୍ଡା ଗାମୁଛା ଘୋଡାଇ ହୋଇ ଆସିଥିଲା ।
ମୋ ଶ୍ରୀମତୀ ତାକୁ ପାଖକୁ ଡାକି ପଚାରିଲେ ,ମା’ ମୁଁ ଦେଇଥିବା ଲୁଗା କଣ ଭଲ ଲାଗିଲାନି , କାହିଁକି ପିନ୍ଧୁନ ? ସେ କହିଲା ମା’ ଓ କପଡା ବହୁତ ଆଚ୍ଛା ହେ ଇସଲିଏ ମେରା କଫନକେ ଲିୟେ ଉସକୋ ରଖଦିୟା ଏ। ତା କଥା ଶୁଣି ସମସ୍ତଙ୍କ ଆଖିରେ ଲୁହ ଆସିଗଲା । ଶ୍ରୀମତୀ ତାକୁ ଆଉ ଖଣ୍ଡେ ଲୁଗା ଦେଲେ ଓ ପିନ୍ଧିବାକୁ କହିଲେ ।