Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotiranjan Sahu

Romance

2  

Jyotiranjan Sahu

Romance

ତୁମ ବିନା ସାଥୀ

ତୁମ ବିନା ସାଥୀ

4 mins
528


॥ ତୁମ ବିନା ସାଥୀ ॥ ( ଲଭ୍ ଷ୍ଟୋରୀ )

ଘଡିରେ ରାତି ସାଢେ ଦଶଟା । ଫୋନ ଆସିଲା ପପୁ ବାବୁଙ୍କ ମୋବାଇଲ କୁ । ସେଥିରେ ଭାସିଆସିଲା ନାରୀ କଣ୍ଠ ଟିଏ । ସେପଟୁ ପ୍ରଶ୍ନ ହେଲା " କଣ ଶୋଇପଡିଲଣି "? ପପୁ ବାବୁ ଚୁପଚାପ ଉତ୍ତର ଦେଲେ " ନା ! କଣ କହିବ କୁହ" । ଏହାପରେ ସ୍ତ୍ରୀ ଲୋକ ଜଣକ ଟିକିଏ ବିଚଳିତ ସ୍ବର ରେ କହିଲେ "ସୁନୁ ବାପା ! ମୋତେ କିଛି ଭଲ ଲାଗୁନି ଗୋ । ମୁଁ ଆଉ ପାରୁନି । ଅଫିସ୍ ଘର ପିଲାଛୁଆ ବାପା ମା ମୁଁ କାହାରି ହୋଇପାରୁନାହିଁ । ମୋତେ ଲାଗୁଛି ମୁଁ ସମୟର ଚକ୍ରବ୍ୟୁହରେ ନିରସ୍ତ୍ର ଅଭିମନ୍ୟୁ । ମୋତେ ଲାଗୁଛି ଯେମିତି ସମୟଟା ମୋ ଜୀବନ କୁ ଉପହାସ କରୁଛି । ଅଫିସ୍ ର ଟେନସନ , ଘରେ ପହନ୍ଚି ପିଲାଙ୍କ କଥା ବୁଝ , ବାପା ମା ଙ୍କର ସୁବିଧା ଅସୁବିଧା ଆଉ ଏସବୁ ଭିତରେ ଘରକାମ ପାଇଁ ସମୟ ର ବି ଅଭାବ । ଏହା ଭିତରେ ମୁଁ ଖୁବ୍ ଥକିପଡିଲିଣି । ଇଚ୍ଛା ହେଉଛି ତୁମ କାନ୍ଧରେ ମଥାରଖି ଦି' ଘଡି ଶୋଇପଡନ୍ତି ଅଚିନ୍ତା ମନରେ । ତୁମକୁ ଛାତିରେ ଭିଡିଧରି ଭୁଲିଯାଆନ୍ତି ଏ କର୍ମମୟ ଜଞାଳଭରା ଦୁନିଆଁ କୁ । ତୁମବିନା ଅଧା ଅଧା ଲାଗୁଥିବା ଏ ଜୀବନଟା ଯେତେବେଳେ ପୂର୍ଣ୍ଣତା ଖୋଜେ ସେତେବେଳେ ତୁମକୁ ନପାଇ କି ଯେ କଷ୍ଟ ପାଏ ସେ କଥା ତୁମେ ଜାଣିପାରିବନି । କାହିଁକି କେଜାଣି ଆଜି ମୋ ମନ କହୁଛି ଏ ଭଲବହୂ ର ଆଖ୍ୟା ଟିକୁ ନିଜଠାରୁ ଦୂରକୁ ଆହୁରି ଦୂରକୁ ଦୂରଦିଗବଳୟର ସେପାରିକୁ ଫୋପାଡିଦେବାପାଇଁ । ମୋ ମନ ଭିତରେ ଲୁଚିରହିଥିବା ସବୁଯାକ କଷ୍ଟ କୁ କେଉଁଏକ ନିର୍ଜନ ସ୍ଥାନରେ ଚିତ୍କାର କରି କହିଦେବାପାଇଁ । କାହାକୁ କହିବି ମୋ ମନ କଥା ! ତୁମ ଫୋନ କୁ କଲ୍ କଲେ ତୁମେ ସବୁବେଳେ ବ୍ୟସ୍ତ । ମୋ ହୃଦୟ ର କଥା ବୁଝିବାକୁ ତୁମ ପାଖରେ ସମୟ ନାହିଁ । କାହାକୁ ଟିକିଏ ମନ ର କଥା କହିବି ଯେ ଶୁଣିବାକୁ ପାଖରେ କେହିନାହିଁ । ଏ ଜଞାଳଭରା ଜୀବନରେ ମୋତେ ଲାଗୁଛି ଯେମିତି ମୁଁ ନିଜ ସତ୍ତା ହରାଇବାକୁ ବସିଲିଣି ସୁନୁ ବାପା । ପାରିବ ମୋତେ କିଛିଦିନ ପାଇଁ ଏମିତି କେଉଁ ଏକ ଜାଗା ନେଇ ଯେଉଁଠାରେ ସମୟ ର ଏହି ଟିକ୍ ଟିକ୍ ଶବ୍ଦ ଟା ନଥିବ । ଯେଉଁଠି ତୁମଛଡା ମୋ ଭାବନା ର ଦୂରଦିଗବଳୟ ପର୍ଯ୍ୟନ୍ତ ଆଉ କେହିନଥିବେ "।

ଗୋଟିଏ ଦୀର୍ଘ ନିଶ୍ବାସ ଛାଡି ସେ ସ୍ତ୍ରୀ ଲୋକ ଜଣକ ପୁଣି କହିଲେ " ଛାଡ ! ମୋର ସେ ଭାଗ୍ୟ କାହିଁ ? ତୁମେ ଶୋଇଗଲଣି କି ? ହ୍ୟାଲୋ ହ୍ୟାଲୋ ... । ବୋଧହୁଏ ମୋର କଥା... ... ... ହଉ ଶୋଇପଡ । ରାତିବି ଅନେକ ହେଲାଣି । ଗୁଡ ନାଇଟ୍ "। ରାତି ପାହି ସକାଳ ହେଲା ।

ସକାଳୁ ଉଠି ମୋବାଇଲ ରେ ଏକ ଭୟେସ ମ୍ୟାସେଜ କୁ ଦେଖି ତାକୁ ଖୋଲିଲେ । ସେଥିରେ ଥିଲା ପପୁ ବାବୁଙ୍କ କଣ୍ଠ । ସେ କହୁଥାନ୍ତି " ଆରେ ଏ ପୂଜା ! ମୁଁଟା ବହୁତ ଖରାପ ନାରେ ! ତୁମକୁ ଏକୁଟିଆ କରିଦେଇ ଏଇଠି ଏତେ ଦୂର ରେ ଅଛି । ତୁମ କଷ୍ଟ ଦୁଃଖ ବୁଝିବାପାଇଁ ମୋ ପାଖରେ ସମୟ ନାହିଁ । ତୁମର ଫୋନ କଲ ବି ବେଳେବେଳେ ରିସିଭ୍ କରିପାରୁନି । ହଁ ତୁମର ମୋପ୍ରତି ଅଭିମାନ ଟା ଆଦୌ ଭୁଲ୍ ନୁହେଁ । ତୁମର ତ୍ୟାଗ କର୍ତ୍ତବ୍ୟ ଆଉ ଭଲପାଇବା ମୋ ପ୍ରତି ତଥା ମୋ ପରିବାର ପ୍ରତି କଳ୍ପନାତୀତ । ମୁଁ ଜାଣେ ସବୁର ଗୋଟିଏ ସୀମା ଅଛି । ସେ ସୀମା ଲଂଘିଗଲେ ଅମୃତ ବି ବିଷ ଆଉ ଭଲ ବି ମନ୍ଦ ର ମାନ୍ୟତା ପାଏ । ତାହା ହୋଇନଥିଲେ କଣ ରାମଚନ୍ଦ୍ର ସୀତାଙ୍କ ପରି ପତିବ୍ରତାଙ୍କୁ ତ୍ୟାଗ କରିଥାନ୍ତେ ? ସର୍ବଜନ ସମ୍ମୂଖରେ ନିଜର ପୁରୁଷୋତ୍ତମ ଗୁଣ ପାଇଁ ପବିତ୍ର ସୀତାଙ୍କୁ ପରିତ୍ୟାଗ କରି ଜଣେ ଅବଳା ନାରୀ ଆଉ ଜ୍ଞାତ ସତ୍ୟ ଉପରେ କୁଠାରଘାତ କରିଥାନ୍ତେ ! ତେଣୁ ତୁମର ପ୍ରତ୍ୟେକ ଟି ଅଭିଯୋଗ ମୋ ପ୍ରତି ସମ୍ପୂର୍ଣ୍ଣ ଠିକ୍ । କିନ୍ତୁ ପୂଜା କେବେ ଭାବିଛ ତୁମ ବିନା ମୋ କଥା । ତୁମ ପାଖରେ ତ ବାପା ମା ପିଲାଛୁଆ ସମସ୍ତ ପରିବାର ଅଛନ୍ତି ; ତଥାପି ତୁମେ ଏକା ! ଆଉ ମୁଁ ? ଜାଣିଛ ତୁମ ବିରହ କୁ ଭୂଲାଇବା ପାଇଁ ମୁଁ ନିଜକୁ କେତେ ବ୍ୟସ୍ତ ରଖୁଛି ! ଯେତେବେଳେ ତୁମ ସହ କଥା ହେବାକୁ ଇଚ୍ଛା ହେଉଛି ତୁମେ କର୍ମ ଜଞାଳରେ ବ୍ୟସ୍ତ । ଆଉ ତୁମେ ମୋତେ ଖୋଜିଲା ବେଳକୁ ମୁଁ ଅର୍ଥ ରୋଜଗାର ରେ ବ୍ୟସ୍ତ । ତୁମେ ମନେପଡିଗଲେ କେତେଥର ତୁମ ଫେସବୁକ୍ ଏକାଉଣ୍ଟ କୁ ଖୋଲେ ଆଉ ବନ୍ଦ କରେ ତାର ହିସାବ ନାହିଁ । ସବୁଦିନ ମୁଁ ତୁମ ଶୋଇବା ପର୍ଯ୍ୟନ୍ତ ଅପେକ୍ଷା କରିଥାଏ । ଆଉ ଅପେକ୍ଷା ଥାଏ ଶୋଇବା ପୂର୍ବ ର ସେହି ଶେଷ କଲ୍ କୁ । ଯେଉଁଥିରେ ତୁମେ ମୋତେ ରାଗି ହୋଇ ତାଗିଦ୍ କରି କହିଥାଅ ପ୍ରେସର ଟ୍ୟାବଲେଟ ଖାଇବା ପାଇଁ । ମୁଁ ଖାଇବାକୁ ଭୁଲିନଥାଏ । କିନ୍ତୁ ଜାଣ ମୁଁ କାହିଁକି ଭୁଲିବାର ଅଭିନୟ କରେ ? କାହିଁକି ନା ତୁମର ସେ ରାଗ ଭିତରେ ଥିବା ଭଲପାଇବା କୁ ଅନୁଭବ କରିବାକୁ ଚେଷ୍ଟା କରୁଥାଏ । ତୁମର ସେହି ଫୋନ କଲ ଟା ସବୁଦିନ ମୋତେ ଜଣାଇଦିଏ ତୁମର ମୋ ପ୍ରତି ଥିବା ଭଲ ପାଇବା କୁ ଆଉ ମୋ ପରିବାର ପ୍ରତି ତୁମର ଉତ୍ସର୍ଗ କୁ । ମୋ ପାଇଁ ତୁମ ମନ ଆଉ ତୁମ ପାଇଁ ମୋ ମନ ଠାରୁ ସୁନ୍ଦର ଜାଗା ଏ ଦୁନିଆଁରେ ନଥିବ । ତୁମେ ଥିବ ମୋ ମନରେ ଆଉ ମୁଁ ଥିବି ତୁମ ମନରେ । ଥରେ ଖାଲି ତୁମେ ମୁଁ ଆଉ ମୁଁ ତୁମେ ହୋଇ ଅନୁଭବ କରିବା ଦୁହେଁ ଦୁହିଁଙ୍କୁ । ଦେଖିବ ତୁମର ସବୁ ପ୍ରଶ୍ନ ର ଉତ୍ତର ମିଳିଯିବ । ଆଉ ଶେଷରେ ଆଇ ଲଭ୍ ୟୂ ପୂଜା "।

ଏହାପରେ ପୂଜା ମ୍ୟାଡାମ ଫୋନ କଲେ ପପୁ ବାବୁଙ୍କୁ । ଆଉ କାନ୍ଦି କାନ୍ଦି ପଚାରଲେ " ହ୍ୟାଲୋ ! ପ୍ରେସର ଟ୍ୟାବଲେଟ କାଲି ରାତି ରେ ଖାଇଥିଲ "? ସେପଟୁ ଉତ୍ତର ଆସିଲା " ତୁମେ ନକହିଲେ କଣ ମୁଁ କେବେ ଖାଇଛି "? ଆଉ ଉଭୟଙ୍କ ଓଠ କୁ ଛୁଇଁ ଯାଉଥିଲା କେଇଟୋପା ଅଶ୍ରୁ ॥

॥ ଜ୍ୟୋତିରଞନ ସାହୁ ॥

jrs.2013rediffmail@gmail.com


Rate this content
Log in

Similar oriya story from Romance