ଭୁଲ୍ ମାନସାଙ୍କ
ଭୁଲ୍ ମାନସାଙ୍କ
ମାତ୍ର ୧୨ ବର୍ଷ। ଭଲ ପ୍ରସ୍ତାବ କହି ବାପା ଚାରି ଘର ଛାଡି ବାହାଘର ଠିକ କରିଦେଲେ। ବୋଉ ବାରଣ କଲା ଯେ ବକଟେ ବୋଲି ଝିଅ ଆମର, ଦ୍ଵିତୀୟ ପକ୍ଷରେ ନଦେଇ ଆଉ ଟିକେ ଖୋଜିଲେ ହୁଅନ୍ତାନି । ଆର ବର୍ଷ କରିବା, ଆଉ ଭଲ ପାତ୍ର ଖୋଜ। କିନ୍ତୁ ବାପା ବୁଝେଇ ଦେଲେ ଯେ, ଆମେ ତ ନାରଣକୁ ଜାଣିଛେ। ତା’ଛଡା ତା ପ୍ରଥମ ସ୍ତ୍ରୀ ନିମୋନିଆରେ ଆରପାରିକୁ ଗଲା। ଗୋଟିଏ ଚାରି ବର୍ଷ, ଆଉ ଗୋଟିଏ ଦୁଇ ବର୍ଷର ପୁଅ। ଆମ ସରୁ ଖୁସିରେ ରହିବ। ଆମେ ତ ଏଇ ପାଖରେ ଅଛେ, ସୁବିଧା ଅସୁବିଧା ବୁଝିବାନି।
ସରୋଜିନୀ। ବାପା ବୋଉଙ୍କ ଏକମାତ୍ର ଝିଅ। ତିନି ପୁଅରେ ଝିଅ। ପୁଣି ତା ଜନ୍ମ ପରେ ବାପାଙ୍କ ସରକାରୀ ଚାକିରି ହେଲା ବୋଲି ସେ ଲକ୍ଷ୍ମୀ , ବୋଉ କହେ। କିନ୍ତୁ ବାପା ବୋଉଙ୍କ ତା ବାହାଘର ପାଇଁ ବ୍ୟସ୍ତତା ଦେଖି ସେ ଭାବିଲା, ଝିଅ କଣ ସତରେ ବୋଝ ଯେ ଏତେ ଶୀଘ୍ର ତା ବିବାହ କରି ଦିଆ ଯାଉଛି। କିଛି ଭାବି ପାରୁ ନଥିଲା କି ବାପା ବୋଉକୁ କିଛି କହିବାର ସାହସ ନଥିଲା ।
ଶୁଭ ବେଳା ଦେଖି ବିବାହ ହେଲା । ତାକୁ ଭୀଷଣ ନିଦ ଲାଗୁଥିଲା କିନ୍ତୁ ବୋଉ ଲୁଗା ପିନ୍ଧେଇ ମୁଣ୍ଡରେ ଓଢଣା ଦେଇ ବେଦୀ ଉପରେ ନେଇ ବସେଇ ଦେଲା । ଦୁବ ଚାଉଳ ପଡି ବାହାଘର ସରିଗଲା । ସେ ଏବେ ଅଲିଅଳି ସରୁରୁ ଜଣଙ୍କ ସ୍ତ୍ରୀ, ପରିବାରର ବୋହୂ, ଦୁଇଟି ଛୁଆର ମା’।
ଯେତେ ସ୍ନେହ ଆଦର ଦେଲେ ବି ସମସ୍ତେ କୁହନ୍ତି ସାବତ ମା’। କୋଉ ଦିନ ଖାଇବାକୁ ଦବା ଟିକେ ଡେରି ହେଲେ କୁହନ୍ତି, ନିଜ ପିଲା ହେଇଥିଲେ ସିନା ଯତ୍ନ ନିଅନ୍ତା ଠିକ ସମୟରେ ଖାଇବାକୁ ଦିଅନ୍ତା। ୧୨ ବର୍ଷର ସରୁ ବୁଝି ପାରେନି ଏ ସାବତ ମା’’ର ଅର୍ଥ।
ଯେତେବେଳେ ୧୪ ବର୍ଷ ସେ ଗର୍ଭବତୀ ହେଲା। ତା’ଠାରୁ ୨୦ ବର୍ଷ ବଡ଼ ସ୍ଵାମୀଙ୍କ ତୃତୀୟ ସନ୍ତାନ ଓ ନିଜ ଗର୍ଭ ଜାତ ପ୍ରଥମ ସନ୍ତାନ ଜନ୍ମ ବେଳକୁ ୧୫ ବର୍ଷ ବି ହୋଇ ନଥାଏ। ସେ ସାବତ ମା’ ସହ ମା’ ବି ହୋଇଗଲା ।
୨୦ ବର୍ଷ ବେଳକୁ ତା ଗର୍ଭରୁ ଆଉ ଦୁଇଟି ସନ୍ତାନ ଜନ୍ମ ନେଇ ସାରିଲେଣି। ପାଞ୍ଚଟି ସନ୍ତାନ, ସ୍ଵାମୀ ଓ ଶାଶୁଙ୍କୁ ନେଇ ପରିବାର ଗାଡି ଚାଲିଥାଏ। ଅଚାନକ ସ୍ଵାମୀଙ୍କ ମୃତ୍ୟୁ ଦୋହଲାଇ ଦେଲା ସରୁ ଓ ତା ହସ ଖୁସିରେ ପୂର୍ଣ୍ଣ ପରିବାରକୁ। ଏଇ ଏବେ ତ ତୃତୀୟ ସନ୍ତାନ ଜନ୍ମ ପରେ ସେ ଦମ୍ପତିର ଅର୍ଥ ବୁଝିଚି। କିନ୍ତୁ ନିଷ୍ଠୁର ଦଇବ ତା ହାତରୁ ଶଙ୍ଖା, ମଥାରୁ ସିନ୍ଦୂର ଛଡାଇ ନେଇ କରି ଦେଇଚି ଏକୁଟିଆ.... ସଜେଇଚି ବିଧବା ।
କାଇଁ କେହି ତ କହିଲେନି ନା ନିଜ ଜନ୍ମ କଲା ବାପା ବୋଉ ନା ଶାଶୁ ଯେ, ସରୁ ତତେ ଦ୍ଵିତୀୟ ବିବାହ କରିବାକୁ ହେବ ଏଇ ପିଲା ମାନଙ୍କ ପାଇଁ। ଯେମିତି ପ୍ରଥମ ସ୍ତ୍ରୀ ଚାଲିଗଲା ପରେ ତା ସ୍ଵାମୀଙ୍କ ପାଇଁ ସମସ୍ତେ ବ୍ୟସ୍ତ ହୋଇ ପଡିଥିଲେ।
ବୋଧହୁଏ ପୁରୁଷକୁ ନିଶ୍ଚିତ ନାରୀର ସାନିଧ୍ୟ ସହଯୋଗ ଲୋଡ଼ା ଜୀବନର ପ୍ରତିଟି କ୍ଷେତ୍ରରେ କିନ୍ତୁ ନାରୀ ସବୁ ପରିସ୍ଥିତିରେ ଚଳିଯାଏ ସହଯୋଗ ମିଳୁ କି ନମିଳୁ ।
ଏବେ ସରୁ ଜୀବନରେ ଚାଳିଶି ବସନ୍ତ ଟପି ଗଲାଣି । ସାମନାର କିଛି ବାଳ ଧଳା ହେଇ ଗଲାଣି। ବଡ଼ ପୁଅ ଦୁଇଜଣଙ୍କ ବିବାହ ସରି ସରୁ ଶାଶୁ ହୋଇଗଲାଣି । ସେ ସିନା ନିଜକୁ ଶାଶୁ ଭାବେ କିନ୍ତୁ ଦୁନିଆ ଆଖିରେ ସେ ସାବତ ଶାଶୁ। ଦୀର୍ଘ ତିରିଶ ବର୍ଷ ସାଧନା କରି ମଧ୍ୟ ତା ନାମ ସହ ସାବତ ଲାଗି ରହିଛି।
ସ୍ଵାମୀ ଯିବାର ତିନି ବର୍ଷ ମଧ୍ୟରେ ଶାଶୁ ଆରପାରିକୁ ଚାଲିଗଲେ। ତା ନିଜ ବୋଉ ବାପା ବି ଅଳ୍ପ ଅଳ୍ପ ଦିନ ବ୍ୟବଧାନରେ ଆଖି ବୁଜିଲେ । ଏକୁଟିଆ କେତେ କଷ୍ଟ କରି ପାଞ୍ଚଟି ସନ୍ତାନକୁ ବଡ଼ କରିଚି ସେ ହିଁ ଜାଣିଚି। ଭାଇ ମାନେ ସହଯୋଗ କରନ୍ତି କିନ୍ତୁ ସେମାନଙ୍କର ମଧ୍ୟ ପରିବାର ଅଛି। କେବେ ଯଦି କିଛି ଆଶା କରିଛି ସହଯୋଗର ଭାଉଜ ମାନେ ଭଲରେ ଭଲରେ ଏମିତି କଥା କୁହନ୍ତି ଯେ, ହୃଦୟ କାନ୍ଦେ। ତେଣୁ ବିଶେଷ କିଛି ଆଶା କରିନି।
ଜମି ବାଡ଼ି କଥା ନିଜେ ବୁଝେ। ସେଥିରୁ ବର୍ଷକ ପାଇଁ ଚାଉଳ ଡାଲି ମିଳିଯାଏ। କିନ୍ତୁ ପିଲା ଯେତେ ବଡ଼ ହେଲେ ପାଠ ପଢା ଖର୍ଚ୍ଚ, ଅନ୍ୟାନ୍ୟ ଖର୍ଚ୍ଚ ବଢି ଚାଲିବାରୁ ସେ ଦିନରାତି ସିଲେଇ କରି ଅଧିକ ରୋଜଗାର କଲା।
ଆଜି ବଡ ଦୁଇ ପୁଅ ସରକାରୀ ଚାକିରି କରିଛନ୍ତି। ଗାଁ ପାଖ ସହରରେ ଜଣେ ଓ ଆଉ ଜଣେ ଭୁବନେଶ୍ଵରରେ ନିଜ ନିଜ ପରିବାର ନେଇ ରୁହନ୍ତି। ଅବଶ୍ୟ ଛୁଟି ଦିନରେ ବୋଉକୁ ଦେଖିବାକୁ ଆସନ୍ତି। ଭଲମନ୍ଦ ବୁଝନ୍ତି। ସେମାନେ କେବେବି ସରୋଜିନୀକୁ ସାବତ ମା’ ବୋଲି ଭାବି ନାହାନ୍ତି।
ନିଜ ଗର୍ଭଜାତ ପ୍ରଥମ ସନ୍ତାନ ମାନେ ତୃତୀୟ ପୁଅ ଇଂଜିନିୟର ହେଇ ସୁଦୂର ମୁମ୍ବାଇରେ ରହୁଛି। ସିଏ ସେଠାରେ ନିଜ ଇଚ୍ଛାରେ ବିବାହ କରି ବୋହୂକୁ ସାଙ୍ଗରେ ଆଣି ବୋଉକୁ ଦେଖେଇ ନେଇଗଲା। ମା’ ତ, ସାଦରେ ଗ୍ରହଣ କଲା ଓ ଗାଁ ଲୋକଙ୍କ ଟାହିଟାପରା ନଶୁଣି ବିବାହ ଭୋଜି ଦେଲା। ପୁଅ ଏବେ ଦୁଇ ତିନି ବର୍ଷରେ ଥରେ ଘରକୁ ଆସେ, ସେ ପୁଣି ଏକୁଟିଆ।
ସରୁର ଝିଅ ପଢ଼ା ସାରି ଶିକ୍ଷୟତ୍ରୀ ଚାକିରି କରିବାର ଅଳ୍ପ ଦିନ ମଧ୍ୟରେ ଭଲ ପାତ୍ର ଦେଖି ତାର ବାହାଘର କରିଦେଲା। ଏବେ ଘରେ ଏକୁଟିଆ ସାନ ପୁଅ। ମାଟ୍ରିକ ଖଣ୍ଡକ ବହୁ କଷ୍ଟରେ ପାଶ୍ କଲା। ତା ହାତରେ ବିଶେଷ ପାଠ ହେଲାନି। ତେଣୁ ଗାଁରେ ଜମିବାଡ଼ି କଥା ବୁଝିଲା। ଦୁଆର ମୁହଁରେ ଡାଲି ଚାଉଳ ଦୋକାନ ଟିଏ ସରୁ କରିଦେଲା। ମା’ ପୁଅ ଭଲରେ ଚଳିଲେ।
ଏବେ ସରୁର ବୟସ ପାଖାପାଖି ପଚାଶ ହେବ। ତା ବୟସର ସ୍ତ୍ରୀ ଲୋକ ମାନେ ଯୌବନର ରୂପ ପାର କରି ନାହାନ୍ତି କିନ୍ତୁ ଦୀର୍ଘ ସଂଘର୍ଷମୟ ଜୀବନ କାଟୁଥିବା ସରୁ ମୁହଁ ରେ ବାର୍ଦ୍ଧକ୍ୟ ଛାପ ସ୍ପଷ୍ଟ ଜଣାପଡୁଛି। ମୁଣ୍ଡ ବାଳ ସବୁ ପାଚି ଝୋଟ ଦିଶିଲାଣି। ପିଲାମାନେ ସମସ୍ତେ ଯୋଗ୍ୟ ହୋଇଗଲେଣି, ସମସ୍ତେ ଆନନ୍ଦରେ ଅଛନ୍ତି। ୟା ଠାରୁ ଅଧିକ ମା’ ପାଇଁ ଆଉ କଣ ଦରକାର। ଏଥର ଦୁଃଖର ଦିନ ଗଲା। ସେ ଶାନ୍ତିରେ ନିଶ୍ଵାସ ମାରିବ। ନାତି ନାତୁଣୀ ମାନଙ୍କ ସହ ଖେଳି ହସ ଖୁସିରେ ବାକି ଜୀବନ କାଟିଦେବ। କେବଳ ସାନ ପୁଅ ବାହାଘର ହୋଇଗଲେ ସେ ଦାୟିତ୍ୱ କର୍ତ୍ତବ୍ୟ ମୁକ୍ତ ହେବ ।
ସୁନ୍ଦରୀ ଝିଅ ଟିଏ ଦେଖି ସାନ ପୁଅର ବିବାହ କରିଦେଲା। ମଝିରେ ମଝିରେ ଘରେ ସବୁ ପିଲା ଏକାଠି ହୁଅନ୍ତି, ଘର କୋଳାହଳରେ ପୂର୍ଣ୍ଣ ଲାଗେ। କିନ୍ତୁ ସମସ୍ତେ କର୍ମକ୍ଷେତ୍ରକୁ ଚାଲିଗଲେ ଘରେ ସରୁ, ସାନ ପୁଅ ଓ ବୋହୂ ରୁହନ୍ତି। ସଂସାର ଖୁସିରେ ଚାଲିଥାଏ।
କଥାରେ ଅଛି ନା, ଦୁଖୀ ଯିଏ ସେ ସବୁବେଳେ ଦୁଃଖୀ । ସରୁ ଜୀବନରେ ନୂତନ ପ୍ରଭାତ ଆସିଥିଲା ସତ, ହେଲେ ଅଳ୍ପ ଦିନ ପାଇଁ। ଇଂଜିନିୟର ପୁଅ ବମ୍ବେରେ ବଙ୍ଗଳା କିଣିବା ପାଇଁ ଅର୍ଥ ଯୋଗାଡ କରୁଥାଏ। କିଛି ଅଭାବ ହେବାରୁ ଗାଁରେ ନିଜ ଭାଗ ଜମି ବିକିବାକୁ ଆସିଲା। ସରୁର ଆଦୌ ଇଚ୍ଛା ନଥାଏ, କିନ୍ତୁ କହିବ ବା କଣ ? ଉଡା ଶିଖିଗଲା ପରେ ଶାବକ ଆଉ ବସାକୁ ଫେରେନି। ଏମିତିରେ ଥରେ ସାନ ବୋହୂର କଥା କାନରେ ପଡିଥିଲା। ସେ ତା ସ୍ଵାମୀକୁ( ସାନ ପୁଅ) କୁ କହୁଥିଲା, ସମସ୍ତେ ବାହାରେ ରହିବେ। ତମେ ଖଟି ଖଟି ଚାଷ କରିବ। ସମସ୍ତେ ଭାଗ ଶୁଖିଲାରେ ନେଇ କି ଯିବେ। ସମସ୍ତଙ୍କ ଶାନ୍ତି ଓ ଖୁସି ପାଇଁ ସରୁ ଜମି ବାଡ଼ି ଭାଗ କରିଦେଲା। ବଡପୁଅ ଭାଗରେ ଚାଷ ପାଇଁ ଦେଲା। କିନ୍ତୁ ମଝିଆ ଦୁହେଁ ବିକିଦେଲେ। ହୃଦୟ ବିଦାରି ହୋଇଯାଉଥାଏ ହେଲେ ସରୁ ନିରୁପାୟ।
ଗାଁରେ ମନ୍ଦିର ଯାଇ ଓ ଘର କାମରେ ନିଜକୁ ବ୍ୟସ୍ତ ରଖିଥାଏ ସରୁ। ବୋହୂ ଯାହା ଯେତେବେଳେ ଦିଏ ବିନା ବାକ୍ୟ ବ୍ୟୟରେ ଖାଇଦିଏ। କେମିତି କେମିତି ଏ ଜୀବନ ସରିଗଲେ ଗଲା।
କିନ୍ତୁ ଭାଗ୍ୟେ ଆଉ କିଛି ଲେଖା ଥିଲା। ସାନ ବୋହୁ କହିଲା, ମା’ ତ ସମସ୍ତଙ୍କ ସମସ୍ତଙ୍କ ପାଖରେ ବୋଉ ରହିବେନି କାହିଁକି ଯେ। ଦ୍ଵିତୀୟ ପୁଅ ଗାଁକୁ ଆସିଥିଲା। ସାନ ପୁଅ ମା’କୁ ନବାକୁ ଭାଇକୁ କହିଲା। ଦ୍ଵିତୀୟ ପୁଅ ଖୁସିରେ ମା’କୁ ସାଙ୍ଗରେ ନେଇ ଗଲା । ବୋହୂ ବି ପ୍ରଥମେ ପ୍ରଥମେ ଖୁସି ହେଲା। କିନ୍ତୁ ମାସେ ରହିଲା ପରେ ତାର ବ୍ୟବହାର ପରିବର୍ତ୍ତନ ହେଲା। ତଥାପି ସରୁ ପୁଅ, ନାତି ନାତୁଣୀଙ୍କ ମୁହଁକୁ ଚାହିଁ ରହିଲା।
ସେଇ ଦିନ ସରୁ ନିଜ ମନକୁ ଟାଣ କରି ନୂଆ କରି ବଞ୍ଚିବାର ଶପଥ ନେଲା, ଯେଉଁ ଦିନ ସେ ଶୁଣିଲା, ବୋହୂ କହୁଥାଏ- ସେ ତ ତମ ସାବତ ମା’। ନିଜ ପୁଅ ପାଖକୁ ଯାଉ ନାହାଁନ୍ତି। ଆଉ ସବୁ ଶୁଣି ବି ପୁଅ କିଛି ଉତ୍ତର ଦେଉ ନଥାଏ।
କହାକୁ କିଛି ନକହି ଚିଠି ଖଣ୍ଡେ ଥୋଇ ଦେଇ ଘରୁ ବାହାରି ଗଲା ସରୁ। ସେଥିରେ ଲେଖା ଥିଲା, -ବାପାରେ ମୁଁ ଭୁଲ୍ ମାନସାଙ୍କ କରିଥିଲି। ଚାରି ଚାରିଟା ପୁଅ ଅଛନ୍ତି, ବାର୍ଦ୍ଧକ୍ୟ କିଚିରି ମିଚିରି ଶବ୍ଦରେ କଟିଯିବ ଭାବିଥିଲି। ହେଲେ ମୋ ଭାଗରେ ସେ ଖୁସି ବୋଧହୁଏ ନାହିଁ। ମୁଁ ମନ ଦୁଃଖ କରୁନି। ଖାଲି ମତେ ବାଧୁଛି ଏ ସାବତ ମା’ର ଉପାଧି। ମୁଁ କଣ କେବେ ତୁମ ପାଞ୍ଚ ଜଣଙ୍କ ଭିତରେ ପାତର ଅନ୍ତର କରିଛି କି ??ହଉ ମନ କଷ୍ଟ କରିବୁନି କି ମତେ ଖୋଜିବୁନି। ଅନ୍ୟ ମାନଙ୍କୁ ବି ମନା କରିବୁ ମତେ ଖୋଜିବେନି। ତମେମାନେ ଖୁସିରେ ରୁହ। ।।
....... ପଦ୍ମାଳୟା