Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଷଷ୍ଠ ଇନ୍ଦ୍ରିୟ
ଷଷ୍ଠ ଇନ୍ଦ୍ରିୟ
★★★★★

© Minakshi Samal

Inspirational

7 Minutes   44    0


Content Ranking


ହୋଲି......ହୈ.......

ବୁରା ନା ମାନୋ ହୋଲି ହୈ.....

ପିଲା ଓ ବଡ ମାନେ ଏକା ସ୍ବରରେ ଚିତ୍କାର କରି ରଙ୍ଗବେରଙ୍ଗୀ ଅବୀର ଉଡାଇ ହୋଲି ପାଳନର ଶୁଭାରମ୍ଭ କଲେ।


ଗ୍ରୀନ୍ ଫିଲ୍ଡ ହାଇଟ୍....ମେଗାସିଟିରେ ବହୁତଳ ବିଶିଷ୍ଟ ଅଟ୍ଟାଳିକା ମାନଙ୍କର ସମାହାରରେ ବନାହୋଇଥିବା ଏକ ରେସିଡେନ୍ସିଆଲ କମ୍ପ୍ଲେକ୍ସ୍ । ପାଖାପାଖି ଦୁଇଶହଟି ଫ୍ଲାଟ୍ ର ସମାହାର ଏଇଠି କିନ୍ତୁ ସମସ୍ତେ ସବୁବେଳେ ନଥାନ୍ତି । କେହିକେହି ସ୍ଥାନାନ୍ତରିତ ହୋଇ ଅନ୍ୟ ଜାଗାକୁ ଚାଲିଯାଇଥା'ନ୍ତି । ସେଥିପାଇଁ ସେସବୁ ଫ୍ଲାଟ୍ ରେ ତାଲା ଲଗା ହୋଇଥାଏ ତ ଆଉ କେହିକେହି ଛୁଟି ଦିନ ମାନଙ୍କରେ ଆଖପାଖରେ ଥିବା ଜାଗାକୁ ବୁଲିବାକୁ ପଳାନ୍ତି । ଏଥର ହୋଲି ବେଳକୁ କମ୍ପ୍ଲେକ୍ସ୍ ର ପିଲାମାନଙ୍କର ବାର୍ଷିକ ପରୀକ୍ଷା ଶେଷ ହୋଇଯାଇଥାଏ । ସେଥିପାଇଁ ଅଧାରୁ ଅଧିକ ଫ୍ଲାଟ୍ ରେ ତାଲା ଝୁଲା ହେଇଥାଏ । ଏଠାରେ ପିଲାମାନଙ୍କ ପାଇଁ ପିତାମାତା ମାନେ ବେଶୀ ସଚେତନ । ପରୀକ୍ଷା ପାଇଁ ପିଲାମାନଙ୍କ ସାଙ୍ଗେ ମା' ମାନେ ମଧ୍ୟ ପରୀକ୍ଷାରେ ବସିବା ଭଳି ଲାଗେ । ସେଥିପାଇଁ ପରୀକ୍ଷା ସରିବା ପୂର୍ବରୁ ବୁଲିଯିବାର ସମସ୍ତ ସୂଚୀ ପିତାମାତାଙ୍କ ଦ୍ବାରା ପ୍ରସ୍ତୁତ ହୋଇ ସାରିଥାଏ ।ଗ୍ରୀନ୍ ଫିଲ୍ଡ୍ ହାଇଟ୍ ର ପ୍ରେସିଡେଣ୍ଟ ଓ ସେକ୍ରେଟାରୀ ପ୍ରି ହୋଲି ମିଟିଂରେ ସମସ୍ତ କମିଟି ମେମ୍ବର୍ ତଥା ଲେଡିଜ୍ କ୍ଲବ୍ ମେମ୍ବର୍ ଙ୍କ ସହ ମିଶି ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ ......ଏଥର ହୋଲିରେ ତିନୋଟି କାଉଣ୍ଟର୍ ବନା ହେବ । ଗୋଟିଏରେ ଇଚ୍ଛୁକ ମହିଳା ରେସିଡେଣ୍ଟ ମାନେ ନିଜର ହାତରେ ବନେଇଥିବା ବ୍ୟଞ୍ଜନ ମାନଙ୍କର ଷ୍ଟଲ ଲଗାଇବେ । ଯାହା ଲାଭ ହେବ ତାହାର ପଚାଶ ସତାଂଶ ସେମାନେ ଆର୍ମୀ ଓ୍ବେଲଫେୟାର ଫଣ୍ଡ୍ କୁ ଦାନ କରିବେ ।

ଅନ୍ୟ ଏକ କାଉଣ୍ଟର୍ ରେ କମିଟି ତରଫରୁ ରଙ୍ଗ,ଅବୀର,ପିଲାମାନଙ୍କ ପାଇଁ ପିଚ୍ କାରୀ ଇତ୍ୟାଦିର ବ୍ୟବସ୍ଥା କରାଯିବ । ଠିକ୍ ଦଶଟା ବାଜିବା ବେଳକୁ ସମସ୍ତଙ୍କୁ ନିଜ ନିଜର ଫ୍ଲାଟ୍ ରୁ ଆସି ଯିବାକୁ ପଡିବ । ପିଲାମାନଙ୍କୁ କଡାକଡି ଭାବରେ ମନା କରି ଦିଆଯିବ ଯେମିତିକି ସେମାନେ କୌଣସି କାନ୍ଥରେ ରଙ୍ଗ ପକେଇବେ ନାହିଁ,ବୟସ୍କ ମାନଙ୍କୁ ତଥା ଅଜଣା ଆଗନ୍ତୁକଙ୍କୁ ମଧ୍ୟ ରଙ୍ଗ ପକାଇବେ ନାହିଁ।

ତୃତୀୟ କାଉଣ୍ଟର୍ ଟି ଦୁଇଭାଗରେ ବିଭକ୍ତ ହେବ । ଗୋଟିଏ ପଟେ ବୟସ୍କ ତଥା ମହିଳା ମାନଙ୍କର ବସିବାର ବ୍ୟବସ୍ଥା ରହିବ ଏବଂ ଅନ୍ୟପଟେ ପୁରୁଷ ମାନଙ୍କର ଆଡ୍ଡା ଜମିବ । ଆଡ୍ଡା ଶବ୍ଦର ବ୍ୟବହାରରେ ଆଭାସ ମିଳିଯାଏ ଯେ ମଦିରା ପାନ ଯାହାକି ଆଧୁନିକ ସମାଜର ଏକ ଅଭିନ୍ନ ଅଙ୍ଗ । ପ୍ରତ୍ୟେକ get together ରେ ଏହା ଏକ ଚିରାଚରିତ ପ୍ରଥା ଭାବେ ଚାଲି ଆସିଛି ଆଜିପର୍ଯ୍ୟନ୍ତ । ଦିନ ଗୋଟାଏ ବାଜିବା ପର୍ଯ୍ୟନ୍ତ ହୋଲିଖେଳ ହେବ । ତାପରେ ସମସ୍ତେ ଯେଝା ଘରକୁ ଯାଇ ଫ୍ରେସ୍ ହୋଇ ଲଞ୍ଚ ଖାଇବା ପାଇଁ କମ୍ୟୁନିଟି ହଲ୍ ରେ ପୁଣି ଏକତ୍ରିତ ହେବେ ଦିନ ଦୁଇଟାରୁ ଅଢେଇଟା ମଧ୍ୟରେ । ଯେହେତୁ ହୋଲି ଗ୍ରାଉଣ୍ଡରେ ଖେଳା ହେବ ,ରନ୍ଧା ରନ୍ଧି କାମ ଛାତରେ ହେବ ବୋଲି ସ୍ଥିର କରାଗଲା । ସିକ୍ୟୁରିଟି ଦୁଇଜଣ ରୋଷେଇ କାମ ସମ୍ଭାଳିବେ କାରଣ ଏ ବାବଦରେ କିଛି ଟଙ୍କା ମିଳିଯିବ ତାଙ୍କୁ । ଦୁଇଜଣଙ୍କର ପତ୍ନୀ ଓ ଜଣେ ସିକ୍ୟୁରିଟିର ଝିଅଟି ମଧ୍ୟ କଟା ବଟାରେ ସାହାଯ୍ୟ କରିଦେବେ ତେଣୁ ଅସୁବିଧା ହେବନି । ପ୍ରତିବର୍ଷ ସରସ୍ବତୀ ପୂଜା,ହୋଲୀ,ଦଶହରା ଓ ଦିଓ୍ବାଲୀରେ ସମସ୍ତେ ଏକାଠି ହୁଅନ୍ତି । ଖେଳ,ମଜା ମଉଜ ସହିତ ଖାଇବାର ମଧ୍ୟ ବ୍ୟବସ୍ଥା କରାହୁଏ । ବ୍ୟସ୍ତ ଜୀବନରେ କେହି କାହାର ମୁହଁ ଦେଖିବାକୁ ସମୟ ପାଆନ୍ତି ନାହିଁ । ବର୍ଷରେ ଅନ୍ତତଃ ଚାରିଟି ଅବସର ହେଉନା କାହିଁକି ସମସ୍ତେ ଏକାଠି ହୋଇ ଭାବର ଆଦାନ ପ୍ରଦାନ କରନ୍ତି । ସମସ୍ତଙ୍କ ସମ୍ମତି ପ୍ରଦାନ ସହିତ ମିଟିଂ ଶେଷହେଲା।


ହୋଲି ଯଥାରୀତି ଆରମ୍ଭ ହୋଇଗଲା । ସବୁଠାରୁ ଖୁସି ଥିଲେ ପିଲାମାନେ । ଦୌଡାଦୌଡି କରି କାଉଣ୍ଟର୍ ରୁ ନିଜ ନିଜର ଇଚ୍ଛା ମୁତାବକ ଅବିର ଓ ପିଚକାରୀ ନେଇ ପରଷ୍ପର ଉପରେ ରଙ୍ଗ ପକେଇବା ଆରମ୍ଭ କରିଦେଲେ ।


ଏପଟେ ମହିଳା ମାନେ ନିଜ ନିଜର ଉଦ୍ଦିଷ୍ଟ ସ୍ଥାନରେ ବିଭିନ୍ନ ଖାଦ୍ୟ ସାମଗ୍ରୀ ସଜାଇବାରେ ବ୍ୟସ୍ତ ଥିଲେ । ଦହିବରା,ଆଳୁଦମ୍,ପାପଡି ଚାଟ୍,ଛୋଲେ ଭଟୁରେ,ପାଓଭାଜି,ବିଭିନ୍ନ ପ୍ରକାର ରୋଲ୍,ଢୋକଲା,ମାଲପୁଆ,ଗୋଲାପଜାମୁ,କ୍ଷୀରସାଗର ଆଦି ସ୍ବାଦିଷ୍ଟ ତଥା ମନଲୋଭା ଖାଦ୍ୟ ସବୁ ନିଜ ନିଜ ଜାଗାରେ ସୁନ୍ଦର ଭାବେ ସଜାଇ ରଖୁଥାଆନ୍ତି ସେମାନେ । ଏହିପରି କାର୍ଯ୍ୟକ୍ରମ ଜରିଆରେ ଏଠିକାର ମହିଳା ମାନେ ନିଜନିଜର ଅନ୍ତର୍ନିହିତ ରୋଷେଇ କଳାର ପ୍ରଦର୍ଶନ କରନ୍ତି।


ବୟସ୍କ ଲୋକମାନେ ନିଜ ନିଜର ବନ୍ଧୁ ମାନଙ୍କ ସହିତ ଏକାଠି ବସି ଗପର ଆସର ଜମେଇ ଦେଇଥିଲେ । ପୁରୁଷ ମାନେ ରଙ୍ଗ ଖେଳିବା ଆରମ୍ଭ କରିଦେଇଥିଲେ । ଯେଉଁ ମହିଳାମାନେ ଖାଇବା ଷ୍ଟଲ୍ ଲଗାଇ ନଥିଲେ ସେମାନେ ମଧ୍ୟ ରଙ୍ଗ ଖେଳିବାର ମଜା ନେଉଥିଲେ ।


କୋଲ୍ଡ /ସଫ୍ଟ ଡ୍ରିଙ୍କ ର ଷ୍ଟଲ ପାଖରେ କିଛି ଲୋକ କିଣିବା ଆରମ୍ଭ କରିଦେଇଥିଲେ । ଏପଟେ ଦହିବରା ଆଳୁଦମ୍ ଷ୍ଟଲ୍ ପାଖରେ ଭିଡ ବଢି ଚାଲୁଥିଲା । ଷ୍ଟଲ୍ ଲଗାଇଥିବା ମହିଳା ଦୁଇଜଣଙ୍କ ମୁହଁରୁ ଖୁସିର ହସ ଝରି ପଡୁଥିଲା । ମିଠା ପସନ୍ଦ କରୁଥିବା ଲୋକମାନେ ମିଠାଇ ଷ୍ଟଲ୍ ଆଡକୁ ମୁହାଁଇଲେ । ଘରେ ଜଳଖିଆ ଯେଉଁମାନେ ଖାଇନଥିଲେ ସେମାନେ ସ୍ନାକ୍ସ୍ ଷ୍ଟଲ୍ ପାଖକୁ ଯିବାକୁ ଲାଗିଲେ । 


ଏପଟେ ପୁରୁଷ ମାନଙ୍କର ମାନଙ୍କର ମଦିରା ସେବନର ଆସର ଜମିଯାଇଥାଏ । ସ୍ବୟଂ କମିଟି ପ୍ରେସିଡେଣ୍ଟଙ୍କ ଘରୁ ବଡ ଏକ ଟ୍ରେ ରେ ମିକ୍ସ୍ ଚର୍,ସଲ୍ଟେଡ୍ ଚିନାବାଦାମ୍ , ସଲ୍ଟେଡ୍ କାଜୁ ଓ ଚିକେନ୍ ପପ୍ କର୍ଣ୍ଣ୍ ଆସିଥିଲା । ଗୋଲ ଟେବୁଲ୍ ବୈଠକରେ ବସିଯାଇଥିଲେ ପୁରୁଷ ମାନେ ।


ଲେଡିଜ୍ କ୍ଲବ୍ ର ପ୍ରେସିଡେଣ୍ଟ ନୀଲମ୍ ରଙ୍ଗ ଖେଳୁ ଖେଳୁ ଚାରି ଆଡକୁ ନଜର ବୁଲାଉ ଥା'ନ୍ତି । ଖୁବ୍ ଦାୟିତ୍ୱ ସମ୍ପନ୍ନ ମହିଳା ସେ।ତାଙ୍କର କାର୍ଯ୍ୟ ଦକ୍ଷତା ଯୋଗୁଁ ପ୍ରତିବର୍ଷ ସେ ଅପ୍ରତିଦ୍ବନ୍ଦୀ ଭାବେ ମହିଳା କ୍ଲବ୍ ର ପ୍ରେସିଡେଣ୍ଟ ଭାବେ ନିର୍ବାଚିତ ହୁଅନ୍ତି।ସମସ୍ତେ ତାଙ୍କୁ ସମ୍ମାନ ଦିଅନ୍ତି କାରଣ ସେ କମ୍ପ୍ଲେକ୍ସ୍ ର ଉନ୍ନତି ପାଇଁ ଯେଉଁସବୁ ପରାମର୍ଶ ଦିଅନ୍ତି ସେସବୁ ସମସ୍ତଙ୍କର ପସନ୍ଦ ହୁଏ । ପିଲାଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଇବା,ବଡମାନଙ୍କର ମନୋରଞ୍ଜନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିବା,ପିକ୍ ନିକ୍ ସ୍ପଟ୍ ଠିକ୍ କରିବା ଇତ୍ୟାଦି ତାଙ୍କର କାମ । ତା'ଛଡା ଦୁସ୍ଥ ଓ ଅସହାୟ ମାନଙ୍କ ପାଇଁ ଅନୁଦାନ ସଂଗ୍ରହ କରି ସେମାନଙ୍କର ଉନ୍ନତି ମୂଳକ କାର୍ଯ୍ୟକ୍ରମରେ ମହିଳା ମାନଙ୍କୁ ସହଯୋଗ କରିବାକୁ ପ୍ରୋତ୍ସାହିତ କରିବା,ଅବସର ସମୟରେ ମହିଳା ମାନଙ୍କ ସହାୟତାରେ ଗରୀବ ପିଲାଙ୍କୁ ମାଗଣାରେ ପାଠ ପଢାଇବା ଇତ୍ୟାଦି କାର୍ଯ୍ୟକ୍ରମ ତାଙ୍କର ମାନସ ପ୍ରସ୍ତୁତ । ପରୀକ୍ଷା ପରେ ପରେ ମୀନାବଜାର କାର୍ଯ୍ୟକ୍ରମ ଜରିଆରେ ପରିବାରରେ ଏବଂ ସମାଜରେ ରହୁଥିବା ଲୋକଙ୍କ ମଧ୍ୟରେ କିପରି ଏକ ସୁସ୍ଥ ସଂପର୍କ ସ୍ଥାପନ କରାଯାଇପାରିବ ।

ବୟୋବୃଦ୍ଧ ମାନଙ୍କର ମହତ୍ତ୍ୱ ସମ୍ପର୍କରେ କାର୍ଯ୍ୟକ୍ରମ,ପିଲାମାନଙ୍କର ମନସ୍ତତ୍ତ୍ବ ଭିତ୍ତିକ କାର୍ଯ୍ୟକ୍ରମ ଗୁଡିକର ସୁଚିନ୍ତିତ ଭାବେ ଚୟନ ଓ ସୁଚାରୁ ରୂପେ ଉପସ୍ଥାପନା କରାଇବା ତାଙ୍କର ସବୁଠାରୁ ଗୁରୁ ଦାୟିତ୍ଵ ଥିଲା । ମୋଟ ଉପରେ କହିବାକୁ ଗଲେ ଆଜିକାଲିର ସମୟରେ ସମସ୍ତେ କିପରି ସମ୍ପର୍କ ମାନଙ୍କ ମଧ୍ୟରେ ସମନ୍ୱୟ ରଖି ଚଳି ପାରିବେ ଏଇଟା ଥିଲା ନୀଲମ୍ ଙ୍କ ମୁଖ୍ୟ ଲକ୍ଷ୍ୟ । ଯେହେତୁ ଖୁବ୍ ସହଜରେ ସମସ୍ତଙ୍କ ସହିତ ମିଶିପାରୁଥିଲେ ସେଥିପାଇଁ ପିଲାଠୁଁ ବଡଯାଏ ସେ ସମସ୍ତଙ୍କର ଖୁବ୍ ପ୍ରିୟ ଥିଲେ ସେ ।


ଦିନ ସେତେବେଳକୁ ଗୋଟାଏ ପାଖାପାଖି ହେଲାଣି । ଅର୍ଦ୍ଧେକ ଅଧିବାସୀ ମାନେ ନିଜ ନିଜ ଫ୍ଲାଟ୍ କୁ ଫ୍ରେସ୍ ହେବାପାଇଁ ଯାଇ ସାରିଥା'ନ୍ତି । ନିଲମ୍ ଙ୍କର ଆଖି ଦୁଇଟି ଘୁରି ବୁଲୁଥାଏ ଚତୁର୍ଦ୍ଦିଗରେ ସି.ସି.ଟିଭିର କ୍ୟାମେରା ପରି । ହଠାତ୍ ଗୋଟିଏ ଜାଗାରେ କ୍ୟାମେରାର ଲେନ୍ସ ଅଟକି ଗଲା । ଦୁଇଜଣଯାକ ସିକ୍ୟୁରିଟି ଗାର୍ଡ ଓ ତାଙ୍କର ପରିବାର ହୋଲି ଖେଳରେ ସାମିଲ ହୋଇ ସାରିଥିଲେ । ହେଲେ ବୟସ୍କ ସିକ୍ୟୁରିଟି ଗାର୍ଡର ଝିଅ ଅନୁଭା ସେଠାରେ ଦେଖାଯାଉନଥିଲା । ହଠାତ୍ ତରୁଣ ମାନଙ୍କୁ ନଦେଖି ଚାରି ଦିଗରେ ଦୃଷ୍ଟି ଘୁରାଇ ଆଣିଲେ ନୀଲମ । ତାଙ୍କର ଷଷ୍ଠଇନ୍ଦ୍ରିୟରେ ମୃଦୁ କମ୍ପନ ସୃଷ୍ଟି ହେବାକୁ ଲାଗିଲା । ହିନ୍ଦୀ ଚଳଚ୍ଚିତ୍ର ଦାମିନୀର କିଛି ଅଂଶ ତାଙ୍କର ମାନସପଟରେ ଉଙ୍କି ମାରିବାକୁ ଲାଗିଲା । ନିଜକୁ ଆୟତ୍ତରେ ରଖିବା ଅସମ୍ଭବ ହୋଇପଡିଲା । ନିଜର ମୋବାଇଲ ଫୋନ୍ ଟି ଉଠାଇ ଏକ ରକମ ଦୌଡିବାକୁ ଲାଗିଲେ ସେ ଲିଫ୍ଟ୍ ଦିଗକୁ । ଦଶ ମହଲା ପରେ ଛାତ । ଅଣ ନିଃଶ୍ବାସୀ ହୋଇଯାଉଥାଆନ୍ତି ଭିତରୁ । ଚାରି ପାଞ୍ଚ ସେକେଣ୍ଡ ତାଙ୍କପାଇଁ ବର୍ଷଟିଏ ପରି ଲାଗୁଥାଏ । ଲିଫ୍ଟ୍ ପହଞ୍ଚିଲା ଗନ୍ତବ୍ୟ ସ୍ଥଳରେ । ଫଟାଫଟ୍ ଦରଜା ଖୋଲି ଛାତ ଆଡକୁ ଦୌଡିବାକୁ ଲାଗିଲେ । ନାନା ପ୍ରକାରର ବ୍ୟଞ୍ଜନର ସୁଗନ୍ଧ ଚାରିଆଡେ ଖେଳାଇ ଯାଇଥାଏ । ତାଙ୍କର ମନର ଉଦ୍ ବେଗ ସେ ସୁଗନ୍ଧ ଆଘ୍ରାଣ କରିବାର ଅବସ୍ଥାରେ ନଥାଏ । ଆଖି ତାଙ୍କର ଖୋଜି ବୁଲୁଥାଏ ସେଇ ପନ୍ଦର ଜଣିକିଆ କିଶୋର ଓ ଯୁବଗୋଷ୍ଠୀକୁ । ପାଦ ଦୁଇଟି ପହଞ୍ଚି ଗଲେଣି ରୋଷେଇ ହେଉଥିବା ଜାଗାରେ । ଆରେ ସେ ଏ କ'ଣ ଦେଖୁଛନ୍ତି ?


ହୃତ୍ ସ୍ପନ୍ଦନ କିଛିକ୍ଷଣ ବନ୍ଦ ହୋଇଗଲା ପରି ଲାଗିଲା । ଓଃ...ତାପରେ ସ୍ବଃସ୍ତିର ନିଃଶାସଟି ଏମିତି ବାହାରିଲା ଯେ ,ସେହି ନିଃଶ୍ବାସ ଟିକକୁ ବହୁକ୍ଷଣ ନିଜଭିତରେ ଧରି ରଖିବାକୁ ଚେଷ୍ଟା କରୁଥିଲେ ନୀଲମ । ଅପୂର୍ବ ଏକ ଦୃଶ୍ୟକୁ ମୂର୍ତ୍ତିବତ୍ ହୋଇ ଦେଖୁଥିଲେ ସେ ସମସ୍ତଙ୍କ ପଛରେ ଠିଆ ହୋଇକି । ପନ୍ଦର ଜଣିଆ ଯୁବ ଓ ତରୁଣ ଦଳ ହାତରେ ଅବୀର ଥାଳି ଓ କିଛି ଖାଦ୍ୟ ପଦାର୍ଥ ସହିତ ଛାତ ଉପରେ ସିକ୍ୟୁରିଟିର ଝିଅ ଅନୁଭା ପାଖରେ ଠିଆ ହୋଇଥାନ୍ତି । ତାଙ୍କ ଭିତରୁ ସବୁଠାରୁ ଯେ ବଡ ଥିଲା ସେ ଥିଲା ଜୀତ୍ ଯେକି ଏବର୍ଷ ଦ୍ବାଦଶ ପରୀକ୍ଷା ଦେଇଛି। ସେ ଅନ୍ୟ ମାନଙ୍କୁ ନିର୍ଦ୍ଦେଶ ଦେଉଥିଲା ଅନୁଭା ପାଇଁ ଫୁଡ୍ ଷ୍ଟଲ୍ ରୁ ଆଣିଥିବା ଖାଦ୍ୟକୁ ତାକୁ ଦେବାପାଇଁ । ଦଳର ସବୁଠୁ ସାନ ସପ୍ତମ ଶ୍ରେଣୀରେ ପଢୁଥିବା ରାଜ୍ ତା ବଡଭଉଣୀ ଡେଜି କୁ କହୁଥାଏ.....ଦିଦି ଜଲଦି ଅନୁଭାକୁ ରଙ୍ଗ ଲଗାଇଦେ । ସେବି ଫ୍ରେସ୍ ହୋଇ ଆମ ମାନଙ୍କ ସହିତ ଖାଇବାକୁ କମ୍ୟୁନିଟି ହଲ୍ କୁ ଯିବନା । ସମସ୍ତେ ଉଚ୍ଚ ସ୍ବରରେ ହୋଲି ହୈ ବୋଲି ଚିଲେଇବାକୁ ଲାଗିଲେ ଆଉ ସେଇ ସମୟରେ ଡେଜି କିଛି ଅବୀର ନେଇ ଅନୁଭାର ମୁହଁରେ ଲଗାଇ ଦେଲା । ତୁ ମତେ ଅବୀର ଲଗେଇବୁନି କି ?....ପ୍ରଶ୍ନ କଲା ଡେଜି । ଅବିଶ୍ବାସ ଏବଂ କୁଣ୍ଠାର ସହିତ ଅବୀର ଥାଳିରୁ ଆଙ୍ଗୁଳି ଟିପରେ ଅଳ୍ପ କିଛି ଅବୀର ନେଇ ଡେଜିର ଗାଲରେ ଲଗାଇ ଦେଲା ଅନୁଭା । ସ୍ବପ୍ନ ପରି ସବୁକିଛି ଲାଗୁଥିଲା ଅନୁଭା କୁ । ବଡଘରେ ରହୁଥିବା,ଚକଚକିଆ ଗାଡିରେ ଯାଉଥିବା ପିଲାମାନେ ଏମିତି ହୋଇପାରନ୍ତି ତାହା ଅନୁଭାର ସରଳ ମନର ସୀମାରେଖା ବାହାରେ ରହିଯାଉଥିଲା ।


ସମସ୍ତଙ୍କର ଅଜାଣତରେ ସେମାନଙ୍କ ପଛରେ ଠିଆହୋଇ ସବୁକିଛି ଶୁଶୁଥିବା ଆଉ ଦେଖୁଥିବା ନୀଲମ ଆଉ ନିଜକୁ ନିୟନ୍ତ୍ରଣରେ ରଖିପାରିଲେନି । ସାବାସ୍....ସାବାସ୍ କହି ଜୋରରେ ତାଳି ବଜାଇବାକୁ ଲାଗିଲେ । ଚମକି ଗଲେ ପିଲାମାନେ । ପଛକୁ ଚାହିଁ ଦେଖିଲେ ନୀଲମ ଆଣ୍ଟି ମୃଦୁ ମୃଦୁ ହସୁଛନ୍ତି ।

ଆଗକୁ ଆଗେଇ ଆସି ଜୀତ୍ ପଚାରିଲା.... ଆଣ୍ଟି ଆପଣ ଏଠି ହଠାତ୍?

ପିଲାମାନେ..... ମୁଁ ଦେଖିବାକୁ ଆସିଥିଲି ଖାଦ୍ୟପ୍ରସ୍ତୁତି କେତେଦୂର ଯାଏ ଗଲାଣି ? ସମସ୍ତେ ଖାଇବାକୁ କମ୍ୟୁନିଟି ହଲ୍ ରେ ପହଞ୍ଚି ଗଲେଣି ଯେ।


ହଁ ଆଣ୍ଟି ଆମେମାନେ ତଳେ ହୋଲି ଖେଳୁଖେଳୁ ଦେଖିଲୁ ଯେ ସମସ୍ତେ ଖୁସିରେ ହୋଲିର ମଜା ଉଠାଉଛନ୍ତି । ସିକ୍ୟୁରିଟି ଅଙ୍କଲ ଓ ଆଣ୍ଟି ମଧ୍ୟ ହୋଲି ଖେଳରେ ସାମିଲ ହୋଇଥିଲେ । କେବଳ ଅନୁଭା ଏଠି ଏକୁଟିଆ ରହିଯାଇଥିଲା । ତାର ବି ଇଚ୍ଛା ଥିବ ସମସ୍ତଙ୍କ ସହିତ ହୋଲି ଖେଳିବାକୁ । ସେଥିପାଇଁ ଆମେମାନେ ସମସ୍ତେ ନିଜ ନିଜର ପକେଟ ମନିରୁ ତା ପାଇଁ କିଛି ଖାଇବା ଜିନିଷ ଫୁଡ୍ ଷ୍ଟଲ୍ ରୁ କିଣି ଆଣିଲୁ । ରାଜ୍ ତା ଦିଦିକୁ ଡାକିକି ଆଣିଲା ଅନୁଭାକୁ ରଙ୍ଗ ଲଗାଇବା ପାଇଁ । ଏସବୁ ଆମେ ଗତବାର ଦୁର୍ଗାପୂଜା ସମୟରେ ଆମ ର ଯେଉଁ ସ୍କିଟ ହୋଇଥିଲା ସେଥିରୁ ଶିଖିଛୁ । ସମାଜରେ ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି । ସମସ୍ତଙ୍କ ଶିରା ପ୍ରଶିରାରେ ଏକ ରଙ୍ଗର ରକ୍ତ ବହୁଛି । ତେଣୁ ଭାବିଲୁ ଯେ ହୋଲି ଅବସରରେ ଅନୁଭାକୁ ତାର ଖୁସିରୁ ବଞ୍ଚିତ କରିବା ଠିକ୍ ହେବନି ।


ଖୁସିରେ ଗଦ୍ ଗଦ୍ ହୋଇଯାଉଥିଲେ ନୀଲମ୍ । ଭୟରେ ଆତୁର ତାଙ୍କର ମନ ଏମିତି ଏକ ଉପହାର ପାଇବ ଏହା ତାଙ୍କ କଳ୍ପନାର ବାହାରେ ଥିଲା । ମନେମନେ ଭାବୁଥିଲେ ସଂସ୍କାରଧର୍ମୀ ଯେଉଁ କାର୍ଯ୍ୟକ୍ରମ ସବୁ ସେ ତାଙ୍କ କ୍ୟାମ୍ପସ ରେ କରାଇଛନ୍ତି ତାହାର ପ୍ରଭାବ ନିଶ୍ଚିତ ଭାବେ ପିଲାଙ୍କର ମନରେ ପଡିଛି । ଆଗାମୀ ପିଢି ଉପରେ ତାଙ୍କର ଭରସା ଦୃଢୀଭୂତ ହେଉଥିଲା। ସମାଜ କଲ୍ୟାଣ ପାଇଁ ସମ୍ପୂର୍ଣ୍ଣରୂପେ ନିଜକୁ ନିୟୋଜିତ କରିବାକୁ ନୀଲମ ପ୍ରସ୍ତୁତ ହେଉଥିଲେ।

ଉପହାର ଅଟ୍ଟାଳିକା ନୀଲମ ଅବୀର

Rate the content


Originality
Flow
Language
Cover design

Comments

Post

Some text some message..