Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ନିଶି-ପଦ୍ମା
ନିଶି-ପଦ୍ମା
★★★★★

© Pratibha Priyadarshini

Drama Romance

8 Minutes   21.2K    12


Content Ranking

ନିଶି-ପଦ୍ମା


"ଶ୍ରୀକୁଞ୍ଜ'' କିଣିବାର ଏ ଭିତରେ 6-7 ମାସ ହୋଇଗଲାଣି। ପୁରୁଣା ଜମିଦାର କୁଞ୍ଜବିହାରୀ ମହାନ୍ତିଙ୍କ ଘର। ଘରଟା ପୁରୁଣା ହେଲେବି ସ୍ଥାପତ୍ୟ ଭାରି ସୁନ୍ଦର ଓ ଆଭିଜାତ୍ୟର ଛାପ ସ୍ପଷ୍ଟ ବାରିହୁଏ ପ୍ରତିଟି କାନ୍ଥରେ। କୁଞ୍ଜବିହାରୀ ଙ୍କର ଥିଲେ 2 ସନ୍ତାନ, ପୁଅ ଅଭିଳାଷ ଓ ଝିଅ ଅବନ୍ତିକା। କିନ୍ତୁ କାଳର ବିଚିତ୍ର ଖେଳ, ଏବେ ପରିବାରର ଏକମାତ୍ର ଦାୟାଦ ଏହି ସମସ୍ତ ସମ୍ପତ୍ତି ବିକ୍ରି କରିଦେଇ, ଏଠାରୁ 3 କିଲୋମିଟର ଦୂର ଅନ୍ୟ ଏକ ଜମିଦାରଙ୍କ କୋଠୀ "ପଦ୍ମାଳୟା'' ରେ ରହୁଛନ୍ତି। ଶ୍ରୀକୁଞ୍ଜ ଓ ପଦ୍ମାଳୟା, ଏହି ଦୁଇ କୋଠୀ ମଧ୍ୟରେ ଗୁନ୍ଥା ହେଇଛି ସମ୍ପର୍କର ଜଟିଳ ଜ୍ୟାମିତି। ଏହି ଉଭୟ ସମ୍ପତ୍ତିର ମାଲିକାଣୀଙ୍କ ବିଶ୍ୱସ୍ତ କେୟାରଟେକର ଅଞ୍ଜନା ଦେବୀ ହିଁ ମୋଟାମୋଟି ସବୁ କାରବାର ବୁଝନ୍ତି। ସେ ହିଁ ଆଜି ନିମନ୍ତ୍ରଣ କରିଛନ୍ତି ପଦ୍ମାଳୟାରେ ରାତ୍ରୀଭୋଜନ ପାଇଁ। ସୁବ୍ରତ ପ୍ରଥମେ ଟିକେ ଅରାଜି ହେଉଥିଲେ, ମାତ୍ର ତାଙ୍କ ଭିତରର ବ୍ୟବସାୟୀ ଏହାକୁ ସୁଯୋଗଟିଏ ବୋଲି ବିଚାର କରୁଥିଲା। ହୁଏତ ଶ୍ରୀକୁଞ୍ଜର ପୂର୍ବ ମାଲିକାଣୀ ସୁବ୍ରତଙ୍କ ବ୍ୟବସାୟ ପ୍ରସ୍ତାବରେ ରାଜି ହୋଇପାରନ୍ତି। ଉଭୟଙ୍କର ଲାଭ ହୁଅନ୍ତା।

ପଶ୍ଚିମ ଆକାଶରୁ ଅସ୍ତାଚଳ ପିଙ୍ଗଳବର୍ଣ୍ଣ ପୋଛି ନହେଉଣୁ ସୁବ୍ରତ ପହଞ୍ଚିଲେ ପଦ୍ମାଳୟାରେ। ଅଞ୍ଜନା ଆଣ୍ଟିହିଁ ପାଛୋଟି ନେଲେ। ଘର ମାଲିକାଣୀ ସେଇ ଅଳ୍ପ ବୟସ୍କା ନାରୀଟି କେବଳ ଔପଚାରିକ ଅଭିବାଦନ ଜଣାଇ ଉପର ମହଲାରେ ନିଜ କକ୍ଷକୁ ଚାଲିଗଲେ। ସନ୍ଧ୍ୟାରେ ପ୍ରବଳ ଝଡବର୍ଷା ଯୋଗୁଁ ଗଛ ପଡି ରାସ୍ତା ଅବରୋଧ। ତେଣୁ ସୁବ୍ରତ ଶ୍ରୀକୁଞ୍ଜକୁ ଫେରିବା ଅସମ୍ଭବ। ଅଗତ୍ୟା ତାଙ୍କ ସେହିଠାରେ ରାତ୍ରିଯାପନ କରିବାକୁ ହେବ। ରାତ୍ରି ଭୋଜନର ମେନୁ ପୂଝାରୀକୁ ବୁଝେଇଦେଇ ଅଞ୍ଜନା ସୁବ୍ରତଙ୍କ ସହ ବୈଠକରେ ଯୋଗଦେଲେ। ପଦ୍ମାଳୟାର ପ୍ରକୃତ ମାଲିକ ଥିଲେ ଅଞ୍ଜନାଙ୍କ ସମ୍ପର୍କୀୟ ଭାଇ କୃଷ୍ଣକାନ୍ତ ଦାସ। କୃଷ୍ଣକାନ୍ତଙ୍କ ପତ୍ନୀ ବିୟୋଗ ବେଳେ ତାଙ୍କ ପିଲାମାନେ ଖୁବ୍ ସାନ ସାନ ଥିଲେ। ଦୁଇ ପୁଅ ରତିକାନ୍ତ ଓ ଶଶିକାନ୍ତ ଏବଂ ଝିଅ ପ୍ରୀତିପଦ୍ମା। ଅଞ୍ଜନା ବି ନିଜ ସମ୍ପୂର୍ଣ୍ଣ ପରିବାରକୁ ହରାଇ ଏକାକୀ ଦୁସ୍ଥ ଜୀବନ ବିତଉଥିଲେ। ଏଭଳି ସମୟରେ ସେ ଏଠି ଆଶ୍ରା ପାଇଲେ ଏବଂ ସଦ୍ୟ ମାତୃହରା ପିଲାମାନେ ପିଉସୀ ମା କୋଳକୁ ସହଜେ ଆଦରିନେଲେ। ସେବେଠୁ ଅଞ୍ଜନାଙ୍କ ଜୀବନ ବନ୍ଧାପଡିଚି ପଦ୍ମାଳୟା ଓ ଶ୍ରୀକୁଞ୍ଜ ଭିତରେ। କାନ୍ଥରେ ଟଙ୍ଗା ହେଇଥିବା ଫଟୋଗୁଡିକୁ ସେ ଚିହ୍ନେଇ ଦେଉଥିଲେ ସୁବ୍ରତଙ୍କୁ। କହିବା ଭିତରେ ହଠାତ୍ ଦୁଇଟି ଫୋଟୋ ପାଖରେ ଅଟକିଗଲେ।

ସେ ଦୁଇଜଣଙ୍କ ପରିଚୟ ପଚାରିବାରେ କହିଲେ, "ଏ ଜଣକ ହେଉଛନ୍ତି ନିଶିଥ ଓ କମ୍ ବୟସ୍କ ଯୁବକ ଜଣଙ୍କ ନିଶିଥଙ୍କ ପୁଅ ଓ ମୋ ଟିକି ପଦ୍ମାର ସ୍ୱର୍ଗୀୟ ପତି ନିଶିକାନ୍ତ। ନିଶିଥଙ୍କୁ କୃଷ୍ଣକାନ୍ତ ରାସ୍ତାରୁ ପାଇ ଆଣିଥିଲେ 12 ବର୍ଷ ବୟସରେ। ଆଶ୍ରୟ ଓ ନିର୍ଭୟ ଦେଇଥିଲେ। ହେଲେ ପିଲାଟା ଭିତରେ ଜମାଟ ବାନ୍ଧିଥିବା ଘୃଣାର ବିଷାକ୍ତ ମଞ୍ଜି କାଢି ପାରିଲେନି। ସେଇ ଘୃଣା ହିଁ ଛାରଖାର କରିଦେଲା ଏତେ ଗୁଡାଏ ଜୀବନ ଓ ଦୁଇଟା ପରିବାର''। ତାଙ୍କ କଥାସବୁ ସୁବ୍ରତଙ୍କୁ କୌଣସି ଉପନ୍ୟାସର ରୋମାଞ୍ଚକ କାହାଣୀ ଭଳି ଲାଗୁଥାଏ। ରାସ୍ତା ବାଧିତ ହେବା ଯୋଗୁଁ ପଦ୍ମାଳୟା ରେ ହିଁ ରାତ୍ରି ଯାପନ କରିବାକୁ ହେବ। ଗେଷ୍ଟ ରୁମ୍ ରେ  ପତ୍ରିକାଟେ ଧରି ଟେବୁଲ ପାଖରେ ବସିଗଲାବେଳେ ଦେଖିଲେ ଟେବୁଲ ଉପରେ ଲେଖା ହେଇଛି ପଦ୍ମା ଦାସ, ପଦ୍ମା ମହାନ୍ତି, ପଦ୍ମା ନିଶିଥ। ତାଙ୍କୁ କିଛି ଆବଶ୍ୟକ କି ନା ପଚାରିବାକୁ ଆସିଥିଲେ ଅଞ୍ଜନା ଆଣ୍ଟି। ସୁବ୍ରତ ଓଲଟା ପଚାରି ବସିଲେ ଏଥିରୁ କେଉଁ ନାଁ ଟି ଠିକ୍। ସେ କହିଲେ ସବୁତକ ଠିକ୍। ଆହୁରି ଆଶ୍ଚର୍ଯ୍ୟ ହେଲେ ସୁବ୍ରତ।

ଅଞ୍ଜନା ଙ୍କ ଜଣାଇବା ଓ ସୁବ୍ରତଙ୍କ ଜାଣିବାର ଆଗ୍ରହରୁ ଆରମ୍ଭ ହେଲା "ପଦ୍ମା'' ର ସମଗ୍ର କଥନ। ଅଞ୍ଜନା ଗୋଟି ଗୋଟି କରି ସବୁକଥା କହିଲେ। ଭାଇ କୃଷ୍ଣକାନ୍ତଙ୍କ ତିନି ସନ୍ତାନ ଓ ପାଳିତ ନିଶିଥର ଦେଖାଶୁଣା କରିବା ଦାୟିତ୍ୱ ତାଙ୍କର ଥିଲା। ଭାଇଙ୍କ ଦୁଇ ପୁଅ ବଡ ଥିଲେ, ତେଣୁ ଏତେଟା ପାଖରେ ରୁହନ୍ତିନି। ପାଠପଢା ରେ ବ୍ୟସ୍ତ ରୁହନ୍ତି। ଝିଅ ପ୍ରୀତିପଦ୍ମା ଓ ନିଶିଥ ହିଁ ଘରେ ରୁହନ୍ତି ଏକାଠି। ପିଲାଟି ଦିନରୁ ଏକାଠି ବଢିଥିଲେ ଦୁହେଁ। ପରସ୍ପର ପ୍ରତି ଅହେତୁକ ସ୍ନେହ ଓ ଆକର୍ଷଣ। ନିଶିଥ ପାଠପଢାଠୁ ବେଶୀ ଧ୍ୟାନ ଦିଏ କୃଷ୍ଣକାନ୍ତଙ୍କ ଜମିଜମା ଓ ବ୍ୟବସାୟରେ। ବୟସ ବଢିବା ସହ ବିଚକ୍ଷଣ ହୋଇଯାଇଥାଏ ସେ ଏସବୁ କାମରେ। ତାରୁଣ୍ୟ ଡେଇଁ ଯୌବନରେ ପାଦଥାପିବା ବେଳକୁ ନିଶିଥ ଓ ପଦ୍ମା ର ସମ୍ପର୍କ ଭିନ୍ନ ମୋଡ ନେଇ ସାରିଥାଏ। ଥରେ ଛୁଟି ସମୟ, ରତି ଓ ଶଶି ଘରକୁ ଆସିଥାନ୍ତି। ସମସ୍ତେ ମଜାଗପରେ ମସଗୁଲ୍ ଥିଲେ। ଭବିଷ୍ୟତ ଚର୍ଚ୍ଚା ମଧ୍ୟ ହେଲା। କଥାଛଳରେ ସେ ଦୁହେଁ ନିଶିଥକୁ ପାଠଛାଡି ଜମିବାଡି ଓ ବ୍ୟବସାୟରେ ମନ ଦେଇଥିବା ଯୋଗୁଁ ପରିହାସ କଲେ। ସେ ଯେ ଦୟାର ପାତ୍ର, କରୁଣା ପ୍ରତିପାଳିତ ଏମିତି ଆକ୍ଷେପ ବି କଲେ। ପଦ୍ମା ମୁହଁକୁ ଚାହିଁ ନିଶିଥ ସବୁ ଶୁଣିବା ପରେ ବି ଚୁପ୍ ରହିଲେ। କିନ୍ତୁ ଯେବେ ଏକାନ୍ତରେ ପଦ୍ମା ପଚାରିଥିଲା,"ନିଶିଥ, ତୁମ ପରିଚୟ କ'ଣ ? କେଉଁ ଆଧାରରେ ତୁମ ସହ ଭବିଷ୍ୟତର ସ୍ୱପ୍ନ ଦେଖିବି?'' ତା କହିବାର ଉଦ୍ଦେଶ୍ୟ ଥିଲା ନିଶିଥର ସ୍ୱାଭିମାନକୁ ଉଜାଗର କରିବା, ହେଲେ ନିଶିଥର ପୁରୁଷତ୍ୱ ଓ ଅହଂ ଆଘାତ ପାଇଲା। ସେଇ ବର୍ଷଣ ମୁଖର ରାତିରେ ସେ ପଦ୍ମାଳୟା ଛାଡି ଅଜ୍ଞାତବାସରେ କେଉଁଆଡେ ଚାଲିଗଲା। ସାରାରାତି ମୋ ପଦ୍ମା ବର୍ଷାରେ ଭିଜି ଫାଟକ ପାଖରେ ଅପେକ୍ଷା କରି ରହିଲା। ନିତି ଅପେକ୍ଷା ରେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ଯାଏ ରାସ୍ତାକୁ ଅନେଇ ରହିବା ଆଉ ନିଶବ୍ଦ ରାତିର ପ୍ରତ୍ୟେକ ଧ୍ୱନିରେ ନିଶିଥର ପାଦ ଶବ୍ଦକୁ ଖୋଜିବାରେ ନିଜକୁ କ୍ଷୀଣ, ଦୁର୍ବଳ କରିଚାଲିଥିଲା ପଦ୍ମା।

4 ବର୍ଷ ବିତିଲା ଏମିତିରେ। କୃଷ୍ଣକାନ୍ତ ନିଜ ଭଙ୍ଗୁର ସ୍ୱାସ୍ଥ୍ୟ ଯୋଗୁଁ, ଆଖି ମୁଦିବା ଆଗରୁ ପଦ୍ମାକୁ ବିବାହ ଦେବାକୁ ସ୍ଥିରକଲେ କୁଞ୍ଜବିହାରୀଙ୍କ ଏକମାତ୍ର ପୁଅ ଅଭିଳାଷଙ୍କ ସହିତ। ପାତ୍ର ଭାବରେ ଅଭିଳାଷଙ୍କ ଭଳି ଶିକ୍ଷିତ, ଶିଷ୍ଟ, ଶାନ୍ତ ଓ ଭଦ୍ର ପିଲା ଆମ ପଦ୍ମା ପାଇଁ ଯୋଗ୍ୟ ବର ଥିଲେ। ବିବାହ ପରେ ପଦ୍ମା ଦାସ ହେଇଗଲା ପଦ୍ମା ମହାନ୍ତି। ଅଭିଳାଷ ମହାନ୍ତିଙ୍କ ସୁଲକ୍ଷଣା ପତ୍ନୀ। ଶ୍ରୀକୁଞ୍ଜ କୁ ଗଲାବେଳେ ମୋ ଗେହ୍ଲୀ ଜିଦ୍ ଧରିଲା, ଅଞ୍ଜନା ପିଉସୀ ବିନା ଯିବନି ଶାଶୁଘର। ଅଗତ୍ୟା ମୁଁ ଗଲି। ଏମିତି ତ ଅଭିଳାଷଙ୍କ ପିତାମାତା ସ୍ୱର୍ଗବାସୀ ହେବା ପରେ ଭାଇ ଭଉଣୀ ଦୁହେଁ ଏକା ଥିଲେ। ସେ ଘରଟା ଆମକୁ ଖୁବ୍ ଶୀଘ୍ର ଆପଣେଇ ନେଲା। ମୋ ପଦ୍ମା ହଠାତ୍ ବଡ ହେଇଗଲା, ପୁରା ଘରର ଦାୟିତ୍ୱ ନେଇଥିଲା ନିଜ ହାତକୁ। ସଂସାର ଜଞ୍ଜାଳରେ ହଜେଇଦେଲା ନିଜକୁ। ମୁଁ ମାନି ନେଲି ସେ ଅଭିଳାଷଙ୍କୁ ପାଇ ନିିଶିଥକୁ ଭୁଲି ପାରିଛି ବୋଲି। ଫେରିଆସିଲା ନିଶିଥ। ଢେର ପରିବର୍ତ୍ତନ ତା'ଠି। କେଉଁ ଅଜଣା ବ୍ୟବସାୟ କରି ଅର୍ଜିଥିଲା ଅନେକ ସମ୍ପତ୍ତି ଓ ପ୍ରତିପତ୍ତି। ସୁଠାମ ଓ ସବଳ ଶରୀରରେ ପୌରୁଷର ଉଦ୍ଦାମତ୍ତା ସ୍ପଷ୍ଟ ବାରି ହେଉଥିଲା। ସେ ହେଇଥିଲା ପୂର୍ବାପେକ୍ଷା ଅଧିକ କଠୋର, ନିର୍ଦ୍ଦୟ ଓ ପ୍ରତିଶୋଧ ପରାୟଣ। ଶଯ୍ୟାଶାୟୀ କୃଷ୍ଣକାନ୍ତଙ୍କୁ କାବୁକରି ସମସ୍ତ ସ୍ଥାବର, ଅସ୍ଥାବର ସମ୍ପତ୍ତି ନିଜ ମାଲିକାନାକୁ ନେଇଗଲା। ରତି ଓ ଶଶିକୁ ଅଳ୍ପ କିଛି ଦାନ ଦେଇ ସହର ବାହାରକୁ ବିଦା କରି ଅପମାନର ପ୍ରତିଶୋଧ ନେଲା। ପହଞ୍ଚିବା ପରେ ପ୍ରଥମେ ଅବଶ୍ୟ ଦୌଡି ଆସିଥିଲା ମୋ ପାଖକୁ। ତା ପ୍ରାଣପ୍ରିୟ ପଦ୍ମା ଲାଗି ଯୋଗ୍ୟ ହେଇ ଫେରିଥିଲା ସେ, କିନ୍ତୁ ପଦ୍ମା ଏବେ ଅଭିଳାଷଙ୍କ ପତ୍ନୀ। ଏକଥା ସେ ସହ୍ୟ କଲାନି। ତା ଯିବାପରେ ପଦ୍ମାର ତା ପାଇଁ ଅପେକ୍ଷା ବିଷୟ ଜାଣି ମନ ତାର ଆର୍ଦ୍ର ହେଇଥିଲା। ହେଲେ ଅଭିଳାଷଙ୍କ ପ୍ରତି ଈର୍ଷା ଓ ଦ୍ୱେଷ ବଢିଥିଲା ତା ଭିତରେ। ଜାଣିଶୁଣି ତାଙ୍କ ଉପସ୍ଥିତିରେ ଆସେ ଶ୍ରୀକୁଞ୍ଜ କୁ। ପଦ୍ମା ଓ ଅବନ୍ତିକା ସହ ଢେର ହସ, ଖୁସି ଓ ଗପ କରେ। ଉଦ୍ଦେଶ୍ୟ ଥିଲା ଅଭିଳାଷଙ୍କୁ ଦେଖାଇବା ଯେ ତାଙ୍କ ପତ୍ନୀ ତା ପୂବର୍ତନ ପ୍ରେମିକା ଯିଏ ଆଜି ବି ତା ସାନ୍ନିଧ୍ୟରେ ଖୁସି ହୁଏ। ଅଭିଳାଷ କିନ୍ତୁ ଭିନ୍ନ ଉପାଦାନରେ ଗଢା। ତାଙ୍କ ଉପରେ ଏସବୁର କୌଣସି ପ୍ରଭାବ ପଡେନି। ଏ ଭିତରେ ଅବନ୍ତିକା ମନ ଦେଇ ବସିଥିଲା ନିଶିଥକୁ। ଏକଥା ସେ ପଦ୍ମାକୁ ଜଣାଇଲା। ଧର୍ମ ସଙ୍କଟରେ ପଡିଗଲା ମୋ ପଦ୍ମା। ନାଁ କଲେ ଅବନ୍ତିକା ଭାବିବ ଭାଉଜ ଏବେବି ଭୂତପୂର୍ବ ପ୍ରେମିକ ଠାରୁ ମୋହ ତୁଟାଇ ପାରି ନାହାନ୍ତି। ହେଲେ ନିଶିଥ ର ପ୍ରକୃତି ଓ ଏବେର କଠୋର ହୃଦୟ ଯୋଗୁଁ ଅବନ୍ତିକା ଭଳି ନିରୀହ ଝିଅର ଜୀବନକୁ ଜାଣିଶୁଣି ଅନ୍ଧାର, ଦୁଃଖମୟ ପରିସ୍ଥିତିରେ ପକାଇବା ବି ଉଚିତ ହେବନି। ଅଭିଳାଷଙ୍କୁ ସବୁ ଜଣାଇଲା ପରେ ଦୁହେଁ ଏହି ପ୍ରସ୍ତାବକୁ ବିରୋଧ କରିବେ ବୋଲି ନିଷ୍ପତ୍ତି ନେଲେ। କିନ୍ତୁ ଅବନ୍ତିକାର ମନ କଥା ଜାଣିବା ପରେ ଏହାକୁ ଏକ ସୁଯୋଗ ଭାବିନେଲା ନିଶିଥ, ଅଭିଳାଷଙ୍କୁ କଷ୍ଟ ଦେବା ପାଇଁ। ରାତି ରାତି ଅବନ୍ତିକାକୁ ନେଇ ଚାଲିଗଲା ସହର ବାହାରକୁ। ବିବାହ କରି ଫେରିଆସିଲେ ୨-୩ ଦିନ ପରେ। ନିରୀହ ଝିଅଟା ପାଷାଣ ନିଶିଥ ପାଖରେ ଖୁବ୍ କଷ୍ଟ ପାଇଲା। ଅଭିଳାଷଙ୍କ ପ୍ରତି ଥିବା ଈର୍ଷା ଅବନ୍ତିକାକୁ କଷ୍ଟ ଦେଇ ସୁଝାଏ। ପଦ୍ମା ବି ଖୁବ୍ ବୁଝେଇଥିଲା, "ନିଶି, ଅବନ୍ତିକା ନିର୍ଦ୍ଦୋଷ। ତାଙ୍କୁ କାହିଁକି କଷ୍ଟ ଦେଉଛ? ଝିଅଟା ତୁମକୁ ଏତେ ଭଲପାଏ ଯେ ନିଜ ବଡ ଭାଇ ଯିଏ ତା ଲାଗି ବାପା, ମା, ସଖା, ସହୋଦର, ଭଗବାନ ଭଳି,ତାଙ୍କୁ ଆଡେଇ ଦେଇ ଆସିଛି, ତାକୁ ଆପଣେଇ ସୁଖରେ ସଂସାର କର। ଏସବୁ କରି ନିଜକୁ ଅମଣିଷ କରନି। ମୁଁ ସହ୍ୟ କରିପାରୁନି ତୁମର ଏମିତି ଅଧଃପତନ''। ସେଦିନ ନିଶିଥ ତାତି ଉଠିଥିଲା। କହିଥିଲା ତାକୁ ଭଲପାଇବା ଓ ତା ସ୍ନେହ ପାଇବାର ଐକାନ୍ତିକ ଅଧିକାର କେବଳ ପଦ୍ମାର। ସେ ସ୍ଥାନ ଅନ୍ୟ କେହି ନେଇ ପାରିବନି। ଅବନ୍ତିକା ତା ସନ୍ତାନର ଜନନୀ ହେବାକୁ ଯାଉଛି ସେତିକି ଖୁବ୍ ବଡ ଉପକାର ତା ପ୍ରତି। ଆଜନ୍ମ ଶ୍ୱାସରୋଗୀ ଅବନ୍ତିକାର ଶରୀର ଆଉ କଷ୍ଟ ସହିପାରିଲାନି। ସମୟ ପୂର୍ବରୁ ପୁଅର ଜନ୍ମ ସହିତ ତା ଜୀବନର ଅବସାନ। ସ୍ୱାମୀ ଓ ପ୍ରେମିକ ଭିତରେ ଅହଂର ଲଢେଇ ଓ ସେଥିରେ ସାନଭଉଣୀ ପରି ପ୍ରିୟ ନଣନ୍ଦର ବଳି ପଡିବା କଷ୍ଟ ସହିପାରିଲାନି ମୋ ପଦ୍ମା। ଝିଅ ଜନ୍ମ ହେବାର ବର୍ଷେ ପରେ ସେ ବି ଚାଲିଗଲା ଅଫେରା ବାଟରେ। ଜାଣିଛନ୍ତି ସୁବ୍ରତ ବାବୁ, ସେ ଅଶୁଭ ରାତିରେ କିନ୍ତୁ ଶେଷ ଥର ଲାଗି ପଦ୍ମାକୁ କୋଳରେ ଧରିଥିଲା ନିଶିଥ। ଅଭିଳାଷ ନଥିଲେ ବୋଲି ପଦ୍ମାର ସ୍ୱାସ୍ଥ୍ୟ ବିଗିଡିବା ବେଳେ ମୁଁ ତାକୁ ଡାକିଥିିଲି। ନିଶିଥ କୋଳରେ ହିଁ ପଦ୍ମା ଚିରନିଦ୍ରାରେ ଶୋଇଗଲା। ତାହାହିଁ ଥିଲା ଦୁହିଙ୍କ ପ୍ରେମର ମହାର୍ଘ ମୁହୂର୍ତ୍ତ। କଠୋର ପାଷାଣ ନିଶିଥ ସେଦିନ ଅବୋଧ ଶିଶୁଟି ଭଳି କାନ୍ଦି କାନ୍ଦି ଭୂଇଁରେ ଲୋଟିଯାଉଥିଲା।

ଏଇ ପଦ୍ମା ହେଉଛି ପ୍ରୀତିପଦ୍ମାର ଝିଅ ପଦ୍ମଜା ମହାନ୍ତି। ମୁଁ ତାକୁ ଟିକି ପଦ୍ମା ଡାକେ ଯେହେତୁ ରୂପ ଗୁଣରେ ସେ ତା ମାଆର ଅବିକଳ ପ୍ରତିରୂପ। ଏଇ ହାତରେ ବଢେଇଚି ମାତୃହରା ଛୁଆଟିକୁ। ଉଭୟ ନିଶିଥ ଓ ଅଭିଳାଷ ପରସ୍ପରକୁ ଦାୟୀ କରନ୍ତି ପଦ୍ମାର ମୃତ୍ୟୁ ପାଇଁ। ପୂର୍ବରୁ ବାପାମାଆଙ୍କୁ ହରାଇଥିବା ଅଭିଳାଷ ପତ୍ନୀ ଓ ଭଉଣୀର ମୃତ୍ୟୁପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଲେ। ତାଙ୍କ ସ୍ବାସ୍ଥ୍ୟବି ବିଗିଡିବାକୁ ଲାଗିଲା। ଏଇ ଟିକି ପଦ୍ମାହିଁ ଥିଲା ତାଙ୍କ ବଞ୍ଚିବାର ଏକମାତ୍ର ଅବଲମ୍ବନ। 23 ବର୍ଷ ଭିତରେ ନିଶିଥ ଖୁବ୍ ସଫଳ ବ୍ୟବସାୟୀ ପାଲଟି ଯାଇଥିଲା। ପଦ୍ମାର ମୃତ୍ୟୁ ପାଇଁ ଅଭିଳାଷଙ୍କୁ ଦୋଷୀ କରି ତାଙ୍କୁ ଦଣ୍ଡ ଦେବାକୁ ଅପେକ୍ଷା କରିଥିଲା। ତାଙ୍କ ପୁଅ ନିଶିକାନ୍ତ ଆମ ଟିକି ପଦ୍ମାଠୁ ବର୍ଷେ ବଡ। ନିଜ ପ୍ରେମିକାର ଶେଷ ସନ୍ତକ, ତା'ର ଅବିକଳ ପ୍ରତିଛବି ଏଇ ଝିଅଟିକୁ ନିଶିକାନ୍ତ ସହିତ ବିବାହ କରାଇବାକୁ ଆଶା ରଖିଥିଲା ନିଶିଥ। ନିଶିକାନ୍ତ ପିଲାଟି କିନ୍ତୁ ବାପାଠୁ ଏକବାର ଓଲଟା ପ୍ରକୃତିର। ଖୁବ୍ ମାର୍ଜିତ, ଚରିତ୍ରବାନ, ଶିକ୍ଷିତ, ସରଳ ଓ ଶାନ୍ତ।  ତେଣୁ ବିବାହ ପ୍ରସ୍ତାବରେ ଅରାଜି ହେଲେନି ଅଭିଳାଷ, ମାତ୍ର ବଞ୍ଚିବାର ଶେଷ ଆଶ୍ରାକୁ ନଶିକାନ୍ତକୁ ସମର୍ପି ଦେବାର 3-4 ମାସରେ ସେ ବି ଆଖିବୁଜିଲେ। ମୁଁ ଟିକି ପଦ୍ମା ସହ ପୁଣି ଫେରିଲି ପଦ୍ମାଳୟାକୁ। ଶ୍ରୀକୁଞ୍ଜ ରେ ତାଲା ପଡିଲା। ନିଶିଥଙ୍କ ନାଁ ରେ କିଛି ସାଙ୍ଗିଆ ନଥିଲା ତେଣୁ ନିଶିକାନ୍ତ ଥିଲେ ନିଶିକାନ୍ତ ନିଶିଥ ଆଉ ତାଙ୍କୁ ବାହାହେବା ପରେ ଇଏ ହେଲା ପଦ୍ମା ନିଶିଥ। ଏଠିକୁ ଆସିବା ପରେ ଟିକି ପଦ୍ମା ତା ମା ର ପୁରୁଣା ସ୍ମୃତିକୁ ଅନୁଭବି ଥିଲା। ତା ମା ରୁମକୁ ନିଜଲାଗି ବାଛି ନେଲା ସେ। ସେ କୋଠରୀ ସାମ୍ନାରେ ଝୁଲି ରହିଛି ମଧୁମାଳତୀ ଲତା। ସେଇ ଫୁଲ ଡାଳକୁ ଧରି ପବନର ତାଳେ ତାଳେ ତା ମା ଭଳି  ସେ ବି ଗୀତ ଗାଏ, "ସାୟାହ୍ନ ଶୀତଳ ପବନରେ ଯେବେ କ୍ଳାନ୍ତ ଫୁଲ ବାସ ଭରେ, ତୁମ ଅଙ୍ଗବିହୀନ ଆଲିଙ୍ଗନେ ପ୍ରିୟ, ମୋର ସକଳ ଅଙ୍ଗ ପୁରେ''। ହେଲେ ମୋ ଟିକି ପଦ୍ମାର ସୁଖ ବେଶୀ ଦିନ ରହାଲାନି। 2ବର୍ଷ ତଳେ ଗୋଟେ ସଡକ ଦୁର୍ଘଟଣାରେ ଉଭୟ ନିଶିଥ ଓ ନିଶିକାନ୍ତ ଚାଲିଗଲେ। ସଂସାର କ'ଣ ଜାଣିବା ଆଗରୁ ସଂସାର ଉଜୁଡି ଗଲା ମୋ ଟିକି ପଦ୍ମାର। ଆଉ ମୁଁ, ଏଇ ହାତରେ ବଢେଇ ଥିବା ଛୁଆମାନଙ୍କୁ ଗୋଟି ଗୋଟି କରି ଏମିତି ଅସମୟ ଚାଲିଯିବାର ଦେଖି ପଥର ହେଇଗଲିଣି।

ଏଇ ହେଲା ପଦ୍ମା ଦାସ, ପଦ୍ମା ମହାନ୍ତି ଓ ପଦ୍ମା ନିଶିଥ ନା ର ଯାତ୍ରା। ଜାଣନ୍ତି ସୁବ୍ରତ ବାବୁ, ଗତଥର ଆପଣ ଆସିବା ବେଳେ ମୋ ଟିକି ପଦ୍ମା ଆପଣଙ୍କ ସହିତ ପୁଣିଥରେ କଥା କହିବା, ହସିବା ଦେଖି ମୋ ମନରେ କ୍ଷୀଣ ଆଶାର ସଞ୍ଚାର ହେଇଥିଲା। ମୋ ଜୀବନର 45 ବର୍ଷ ଦେଇଛି ଏଇ ଦୁଇ ପରିବାର ପାଇଁ। ଏବେ ଦୁଇ ବଂଶର ଶେଷ ସନ୍ତକ ମୋ ଟିକି ପଦ୍ମା। ତାକୁ କୌଣସି ଯୋଗ୍ୟ, ସୁରକ୍ଷିତ ହାତରେ ସମର୍ପି ପାରିଲେ ମୁଁ ଶାନ୍ତିରେ ଶେଷ ନିଶ୍ୱାସ ନେଇପାରିବି ଆଉ ମୃତ୍ୟୁପରେ କୃଷ୍ଣକାନ୍ତ, ଅଭିଳାଷ, ନିଶିଥ, ନିଶିକାନ୍ତ, ଅବନ୍ତିକା ଓ ପ୍ରୀତିପଦ୍ମାକୁ ମୁହଁ ଦେଖେଇ ପାରିବି। ସେଥିପାଇଁ ଆପଣଙ୍କୁ ବିବାହ ପ୍ରସ୍ତାବ ଦେଉଛି ପଦ୍ମା ସହିତ। ଏବେ ସବୁ ଜାଣିବା ପରେ ଆପଣ ଯାହାବି ନିଷ୍ପତ୍ତି ନେବେ ମୁଁ ଖୁସିରେ ଗ୍ରହଣ କରିବି''।

ସୁବ୍ରତ ଯେମିତି ଏଇ ପ୍ରସ୍ତାବଟା ଶୁଣିବାକୁ ଅପେକ୍ଷା କରିଥିଲେ, ଖୁସିରେ ହସିକି କହିଲେ,"ଅଞ୍ଜନା ଆଣ୍ଟି, ମୁଁ ପଦ୍ମାକୁ ଜୀବନସାଥୀ କରିବାକୁ ଆଗ୍ରହରେ ରାଜି ହେବି। ମୋର ଆଗକୁ ପଛକୁ କେହି ନାହିଁ। ତେବେ ମୋତେ ଆଉ ନାମ ବଦଳାଇ ସୁବ୍ରତ ପରିବର୍ତ୍ତେ ଅଲଗା ନା ରଖିବାକୁ ପଡିବନି ତ, ଯାହାକୁ ସର୍ଟରେ ନିଶି ବୋଲି ଡାକିହେବ''? ଦୁଇଜଣଙ୍କ  ସହଜ ହାସ୍ୟରୋଳରେ ନିର୍ଜନ ରାତିଟା ଗୁଞ୍ଜରୀ ଉଠିଲା। ସେପଟେ ମେଘମେଦୂରିତ ଆକାଶରେ ବାଦଲ ତଳୁ ମୁହଁ କାଢି ହସୁଥିଲା ରୂପାଜହ୍ନ। ସେ ବି ବୋଧେ ଶୁଣୁଥିଲା "ନିଶି-ପଦ୍ମା'' ଙ୍କ କାହାଣୀ ........

 

 

ନିଶିଥ ପ୍ରୀତିପଦ୍ମା ଅଭିଳାଷ ଅବନ୍ତିକା ନିଶିକାନ୍ତ ପଦ୍ମଜା ଅଞ୍ଜନା ସୁବ୍ରତ

Rate the content


Originality
Flow
Language
Cover design

Comments

Post

Some text some message..