Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବନ୍ଧୁତ୍ୱର ପରିଚୟ
ବନ୍ଧୁତ୍ୱର ପରିଚୟ
★★★★★

© Arati Sahoo

Tragedy

4 Minutes   8.0K    25


Content Ranking

ବନ୍ଧୁତ୍ୱର ପରିଚୟ

ଅନେକ ଦିନ ତଳର କଥା।ମୁଁ ସେତେବେଳେ ସ୍ନାତକ ପ୍ରଥମ ବର୍ଷର ଛାତ୍ର ଥାଏ।ଆମ ଘର ଥାଏ ବଣ ଜଙ୍ଗଲ ଭରା ଏକ ଛୋଟ ସହରରେ।ବାପା ଥାଆନ୍ତି ଫରେଷ୍ଟ ରେଞ୍ଜର।ତେଣୁ ଆମର ବଦଳି ଏହିପରି ସ୍ଥାନ ମାନଙ୍କରେ ହିଁ ହୋଇ ଥାଏ।

ଜଙ୍ଗଲ ଇଲାକାରେ ଘର ହୋଇ ଥିବାରୁ ଅନେକ ବଣୁଆ ଲୋକ ଆସୁଥାନ୍ତି ନାନା ପ୍ରକାର ଜଙ୍ଗଲୀଦ୍ରବ୍ୟ ବିକ୍ରି କରିବା ସକାଶେ।ଯେମିତି ମହୁ, ଝୁଣା,ଛତୁ, ବିଭିନ୍ନ ପ୍ରକାରର କୋଳି, ବାଉଁଶ କରଡି଼ ଇତ୍ୟାଦି।ମିତ୍ରତା କରିବାର କଳାଟି ମୋର ଚମତ୍କାର ଥିଲା।ତେଣୁ ଜଙ୍ଗଲୀ ଲୋକ ମାନଙ୍କୁ ମୁଁ ଅନାୟାସରେ ସାଙ୍ଗ କରି ପାରୁଥିଲି।ମୁଁ କିଛି କିଛି ଜଙ୍ଗଲୀ ଭାଷା ମଧ୍ୟ ଆୟତ୍ତ କରି ପାରି ଥିଲି।

ଥରେ ଦଳେଲୋକ ଆସିଥାନ୍ତି ମହୁ ବିକିବା ସକାଶେ।ଆମ ଘରକୁ ମଧ୍ୟ ପ୍ରାୟ ମୋରି ଵୟସର କାଳିଆ ଓ କିମ୍ଭୁତ କିମାକାର କିନ୍ତୁ ଅଗାଧ ବଳଶାଳୀ ପିଲାଟିଏ ଆସିଥାଏ ମହୁ ନେଇ।ମୋ ମାଆ ତାଠାରୁ ମହୁ କିଣୁଥାଏ କିଛି କଥା ବୁଝି ,କିଛି ଠାର ବୁଝି।ମାଆ ତାକୁ ଦେଉଥାଏ ପାଞ୍ଚଟି ଆଠେଣି ଓ ଦୁଇ ଗୋଟି ଚାରେଣି,ସମୁଦାୟ ତିନି ଟଙ୍କା।କିନ୍ତୁ ତା ବଣୁଆ ମୁଣ୍ଡରେ ପଶିଥାଏ,ବଡ଼ ପଇସା ଛଅଟି, ନଚେତ ସାନପଇସା ବାର ଗୋଟି ହେଉଛି ତାର ମୂଲ।ତେଣୁ ସେ ମାଆ ସହିତ ଯୁକ୍ତି ତର୍କ ଲଗେଇ ଥାଏ।ମାଆ ତାକୁ ବୁଝେଇ ପାରୁ ନ ଥାଏ।ତାର ବଣୁଆ ବୁଦ୍ଧି କୁ ଠିକଣା ବାଟରେ ପହଞ୍ଚେଇଥିଲି ମୁଁ।ଅବଶେଷରେ ମୋ କଥାରେ ସେ ସମ୍ମତ ହେଲା।ମୋ ଉପରେ ଖୁସି ହୋଇ ଯାଇ ସେ ମୋତେ ସହି(ସାଙ୍ଗ) ବୋଲି ଡାକିଥିଲା ଓ କିଛି ଅଧିକି ମହୁ ମଧ୍ୟ ଦେଇ ଯାଇ ଥିଲା।ତାର ସରଳତା ଦେଖି ଆମେ ଖୁବ୍ ପ୍ରଭାବିତ ହୋଇ ଥିଲୁ।

ପୁଣି ଥରେ କିଛି ଦିନ ପରେ ସେ ଆମ ଦୁଆରେ ଆସି, ସହି ,ସହି ବୋଲି ବଡ଼ ପାଟିରେ ଡାକିଲା । ମୋ ମାଆ ଆସିଲା, ସେ, ମହୁ ନେବାପାଇଁ କହିବାରୁ, ମାଆ ମନା କରି କହିଲା, ନିତ ନିତ୍ କିଏ ସେ ମହୁ କିଣିବ।ସେ ପିଲାଟି କହିଲା,

"ମହୁ ନି ନେଲେ ନାଇଁ, ମୋର ସହିକେ ଟିକେ ଡାକି ଦେ"

ମାଆ ମୋତେ ଡାକିଲାରୁ ମୁଁ ଆସିଲି। କିନ୍ତୁ ସେ କହିଲା,

"ଇଟା ମୋର ସହି ନିହେଁ,ମୋର ସହିକେ ଡାକ"

ଆମେ ଯେତେ ପ୍ରକାର ବୁଝାଇଲେ ଯେ ମୁଁ ହିଁ ତାର ସହି ,ସେ କିନ୍ତୁ ନାଛୋଡ଼ବନ୍ଧା।

ଆମକୁ ବଡ଼ ତାଜ୍ଜୁବ ଲାଗୁଥିଲା ଯେ ସେ କେମିତି ମୋତେ ଚିହ୍ନି ପାରୁ ନାହିଁ। ତାକୁ ଶେଷରେ କହିଲୁ,

"ଯା,ପରେ ଆସିବୁ,ତୋର ସହିକୁ ଭେଟିବୁ"

ସେ କିନ୍ତୁ ଫେରି ଯିବାପାଇଁ ମଧ୍ୟ ତିଆର ହେଉ ନ ଥାଏ।

"ସହିକେ ଭେଟଲେ ନ ଯିମି"

ଆମକୁ ବଡ଼ ଅଡ଼ୁଆ ଲାଗିଲା।ସେ ଟିକେ ଉତ୍ୟକ୍ତ ହୋଇ ପାଟି କରୁଥିବାରୁ, କିଛି ଲୋକ ମାନେ ମଧ୍ୟ ଜମା ହୋଇ କାରଣ ଜାଣିବା ପାଇଁ ଚାହିଁଲେ।ହଠାତ ମୋର କିଛି ମନେ ପଡ଼ିଲା ଓ ମୁଁ ଭିତରକୁ ଯାଇ ମୋର ଚଷମାଟି ପିନ୍ଧି ଆସିଲି।ପିଲାଟି ଖୁସି ହୋଇ ଯାଇ ମୋ ବେକରେ ହାତ ଛନ୍ଦି କହିଲା,

"ଇଟା ତ ମୋର ସହି ହେ"

ସେହି ଦିନ ଠାରୁ ପ୍ରାୟ ପନ୍ଦର ଦିନରେ ଥରେ ସେ ଆସି କିଛି ବଣୁଆ ଜିନିଷ ଦେଇ ଓ କିଛି ମୂଲ୍ୟ ନ ନେଇ ଚାଲି ଯାଏ।ମାଆ ଓ ମୁଁ ପଛରୁ ଡାକି ଡାକି ରହି ଯାଉ କିନ୍ତୁ ସେ ତାର ହଳଦିଆ ଦାନ୍ତ ଦି ଧାଡ଼ି ଦେଖାଇ ଚାଲି ଯାଏ।

ବାପାଙ୍କର ସେଠାରୁ ବଦଳି ହୋଇ ଯାଏ।ମୁଁ ମଧ୍ୟ ପଢ଼।ପଢ଼ି କରିବାକୁ ପାଟନା ଚାଲିଯାଏ। ତାପରେ ସେ ବଣୁଆ ସହି କଥା ମୋର ସ୍ମୃତି ର ପୃଷ୍ଠା ରୁ ଲିଭି ଲିଭି ଆସେ।

ପ୍ରାୟ ଚାଳିଶ ବର୍ଷ ପରେ DSPହୋଇ ମୁଁ ସ୍ଥାନାନ୍ତରିତ ହୋଇ ଆସେ,ସେହି ପୁରୁଣା ସହର ଟିକୁ।

ସହରଟିର ସେପରି କିଛି ଆଖିଦୃଶିଆ ପରିବର୍ତ୍ତନ ହୋଇ ନଥାଏ କିନ୍ତୁ ବଣ ପାହାଡ଼ ସବୁ ଶତକଡ଼ା ପଚାଶ ଭାଗ ବି ନଥାଏ।ମାଫିଆ ମାନଙ୍କ ଦ୍ୱାରା ବଣ ଜଙ୍ଗଲ ରୁ ବହୁମୂଲ୍ୟ କାଠ ଚୋରାରେ କାରବାର ହେଉଥାଏ, ପୁଣି ପାହାଡ଼ କାଟି ପଥର ଓ ଚିପ୍ସ୍ ବେପାର ମଧ୍ୟ ହେଉଥାଏ।ଏଇଥିପାଇଁ ବୋଧେ ବଣୁଆ ମାଓବାଦୀ ମାନେ ମାତିଥାନ୍ତି।ସେହି ଦାୟିତ୍ୱ ରେ ହିଁ ମୋର ଏଠାକୁ ବଦଳି ହୋଇ ଥାଏ।ମାଓବାଦୀଙ୍କ ଦାବି ସବୁ ମୋତେ ଉଚିତ ଲାଗୁ ଥିଲେହେଁ ମୁଁ ତ ସରକାରଙ୍କ ଦରମା ଖିଆ ଚାକର। ମୁଁ ଅବା କଣ କରି ପାରିଥାନ୍ତି। ମୋତେ ନିୟମାନୁସାରେ କାମ କରିବାକୁ ହିଁ ପଡ଼ିବ।ତାଛଡା, ରାଜନୀତି ତାର ବିକୃତ ଖେଳ ଖେଳୁଥାଏ। ତେଣୁ ଏଠାରେ କିଏ ଭୂଲ ,କିଏ ଠିକ ର ଗଣିତ ମୋର ବିଚକ୍ଷଣ ମସ୍ତିଷ୍କ ମଧ୍ୟ କସିବାରେ ଅକ୍ଷମ ହୋଇ ପଡୁଥାଏ।ଏଥିରେ କିଛି ଦୋଷୀ ଲୋକ ସାଥିରେ ଅନେକ ନିରୀହ ଜଙ୍ଗଲି ଲୋକ ମଧ୍ୟ ବଳି ପଡୁଥାନ୍ତି।

ଦିନେ ଏକ ଏନ୍କାଉଣ୍ଟରରେ ମୁଁ ଆଗୁଆ ଥାଏ।କିଛି ମାଓବାଦୀ ଜଙ୍ଗଲରେ ଏକ କୁଡି଼ଆରେ କିଛି ନିରୀହ ଲୋକଙ୍କୁ ବନ୍ଦୀ କରି ରଖିଥାନ୍ତି।ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥାଏ।ଜଙ୍ଗଲଟା ସାରା ପାଲଟି ଯାଇଥାଏ ସତେ ଅବା କୁରୁକ୍ଷେତ୍ର।ବାହାରେ ଜଙ୍ଗଲି ସ୍ତ୍ରୀ ଲୋକ ଓ ଛୁଆ ମାନଙ୍କ ର ବିକଳ କାନ୍ଦଣାର କରୁଣ ଲହରୀ ପ୍ରତିଧ୍ୱନିତ ହେଉଥାଏ ପାହାଡ଼ ମାନଙ୍କରେ। ପଶୁପକ୍ଷୀଙ୍କର ଆର୍ତ୍ତନାଦ ଶୁଣା ଯାଉ ଥାଏଚତୁର୍ଦିଗ ରୁ।।ଶହଶହ ସଂଖ୍ୟା ରେ ସଶସ୍ତ୍ର ପୋଲିସ ବାହିନୀ ମାଡ଼ି ଚାଲି ଥାଆନ୍ତି,ସେ କରୁଣ ଚିତ୍କାର ସବୁକୁ ନିଜର କ୍ରୁର ଯୋତାରେ ଦଳି ଚକଟି,ଗୁଳ୍ମ ଲତା ମାନଙ୍କୁ ନିର୍ଦୟ ଭାବରେ ମନ୍ଥି ପକାଇ।ମୋତେ ଏସବୁ କିଛି ଭଲ ଲାଗୁ ନ ଥାଏ।ମୋର ଅଜାଣତରେ ମୁଁ ଅର୍ଡର ଦେଉଥାଏ ଯନ୍ତ୍ରବତ୍ , 'ଫାୟର' ବୋଲି।ପୁଣି ଟିକେ ଗୁଳିଚାଳନା କୋହଳ କରି ଲାଉଡ ସ୍ପିକର୍ ଦ୍ଵାରା ମାଓବାଦୀଙ୍କୁ ଆତ୍ମସମର୍ପଣ କରିବା ପାଇଁ ନେହୁରା ହେଉଥାଏ।କୁଡି଼ଆ ଭିତରୁ ମଧ୍ୟ ସ୍ତ୍ରୀ ଲୋକ ଓ ଶିଶୁଙ୍କର ଆର୍ତ୍ତଚିତ୍କାର ଶୁଣା ଯାଉଥାଏ।ମୋତେ ସବୁ ସ୍ୱପ୍ନ ପରି ଲାଗୁଥାଏ।ବାପାଙ୍କ କାମ ଓ ମୋର କାମ ଭିତରେ କେତେ ତଫାତ୍ ଭାବୁଥାଏ ଓ ମନେ ମନେ ନିଜକୁ ଏ ଦାୟିତ୍ୱରୁ ମୁକୁଳେଇବାର ଉପାୟ ଚିନ୍ତା କରୁଥାଏ।ଟିକିଏ ଅନ୍ୟ ମନସ୍କ ମଧ୍ୟ ହୋଇ ପଡୁଥାଏ। ଠିକ ଏତିକି ବେଳେ ସାଇଁ କିନା ଏକ ତୀକ୍ଷ୍ଣ ତୀର ମୋର କାନମୁଣ୍ଡା ଦେଇ ଚାଲିଯାଏ।ତା ପରେ ପରେ ଆଉ ଗୋଟାଏ ତୀର ମୋର କପାଳକୁ ସ୍ପର୍ଶ କରିବା ପୂର୍ବରୁ ମୋର ବାମ ପାର୍ଶ୍ଵରୁ ହନୁମାନଙ୍କ ପରି ଲମ୍ଫ ଦେଇ ଏକ କାଳିଆ ଦାନବ ସଦୃଶ୍ୟ ବିରାଟ ଲୋକ 'ସହି'ବୋଲି ଚିତ୍କାର କରି ମୋ ସାମନାରେ ଠିଆ ହୋଇ ଯାଏ ଓ ତୀରଟି ତାହାର ଦୁଇ ଭୃଲତା ମଧ୍ୟ ଦେଇ ବିଦ୍ଧ ହୁଏ ତାର ମସ୍ତିଷ୍କରେ।ମଣିଷ ଟିର ନିର୍ଜୀବ ଶରୀର ସେହିଠାରେ ଟଳି ପଡେ଼,ଅତ୍ୟନ୍ତ ବିଷାକ୍ତ ତୀରର ଆଘାତରେ।

ଲୋକଟିକୁ ଦେଖି ମୁଁ ଅବାକ୍ ହୋଇ ରହିଯାଏ।ଇଏ ତ ମୋର ଚାଳିଶ ବର୍ଷ ତଳର ସେହି ସହି ଯିଏ ମୋର ବିନା ଚଷମାର ଚେହେରା ଟିକୁ ଚିହ୍ନି ପାରି ନଥିଲା।ଆଉ ଆଜି ଏତେ କାଳର ବ୍ୟବଧାନ ସତ୍ୱେ କିପରି ନିଖୁଣ ଭାବରେ ମୋତେ ଚିହ୍ନି ପାରି ନିଜ ବନ୍ଧୁତାର ପ୍ରକୃତ ପରିଚୟ ଦେଇ ମୋର ଜୀବନ ବଞ୍ଚାଇ ଦେଇଛି।ବନ୍ଧୁତ୍ବ ର ଏତେ ମହାନ୍ ପ୍ରତିଦାନରେ ମୁଁ ବାକ୍ ରୁଦ୍ଧ ଅବସ୍ଥାରେ ସ୍ଥାଣୁ ପରି ଠିଆ ହୋଇ ରହି ଯାଇଥିଲି।ମୋର ଦୃଷ୍ଟି ଅଟକି ଯାଇଥିଲା ସେହି ଲୋକଟିର ଅଜଟିଳ,ନିଷ୍ପାପ ମୂଖମଣ୍ଡଳରେ,ହୃଦୟ ଅଟକି ଯାଇଥିଲା ତାହାର ବିଭୀଷିକାମୟ କରୁଣ ପରିଣତିରେ,ଆଉ କର୍ଣ୍ଣରେ ପ୍ରତିଧ୍ୱନିତ ହେଉଥିଲା,

"ଇଟା ତ ମୋର ସହି ହେ,ସହି ହେ,ସହି ହେ"

ବନ୍ଧୁତ୍ୱ ଜଙ୍ଗଲ ମହୁ

Rate the content


Originality
Flow
Language
Cover design

Comments

Post

Some text some message..