କ୍ୟାନସର୍
କ୍ୟାନସର୍
ଟିକିଏ ଲମ୍ବା ଲାଇନ୍ ଥିଲା । ପ୍ରଥମ କ୍ଲାସ୍ ଆଜି କଲେଜରେ ଯାଇପାରିବିନି । ମୋ ଆଗରେ ବୁଢା ବୁଢୀ ଦୁଇ ଜଣ । ହଠାତ୍ ଡାକ୍ତରବାବୁ ଟିକିଏ ଚମକିଲେ । ବୁଢୀକୁ ବସିବାକୁ କହିଲେ । ବୁଢାଲୋକଟି ନିଶ୍ଚୟ ତା ସ୍ୱାମୀ ହେବ । ସେ ଡାକ୍ତରଙ୍କ ମୁହଁକୁ ଚାହିଁ ରହିଥାଏ । ଆସ୍ତେ ଆସ୍ତେ ସମସ୍ତଙ୍କ ନଜର ବୁଢା ବୁଢୀଙ୍କ ଆଡେ ପଳେଇଥିଲା । ଡାକ୍ତରବାରୁ ଛାତିରୁ ଲୁଗା ଖୋଲି ଦେଖୁଥାନ୍ତି । କ’ଣ ଗୋଟେ ଚିନ୍ତା କଲେ । ତା’ପରେ କହିଲେ ତୁମେ କଟକ ଯାଅ । ସେଠି ଦେଖାଇବ । ବୁଢୀଟି କିଛି ବୁଝି ପାରୁ ନ ଥାଏ । ଖାଲି ଚାହିଁ ରହିଥାଏ । ମୁଁ ବି ଦେଖୁଥାଏ । ଭାବୁଥାଏ, ଡାକ୍ତରବାବୁ ଏମିତି କାହିଁକି କହୁଛନ୍ତି ?
ତା’ପରେ ବୁଢାକୁ କହିଲେ, ‘ୟାଙ୍କୁ ଜଲଦି କଟକ ନେଇଯାଅ । ଅବସ୍ଥା ଭଲ ନାହିଁ ।’
: ଆଜ୍ଞା ! କ’ଣ ହେଇଛି ?
: କ୍ୟାନ୍ସର୍….
ବୁଢା ବୁଢୀଙ୍କ ଠାରୁ ଆରମ୍ଭ କରି ସମସ୍ତେ ଚମକି ପଡିଲେ ।
: ଏଇଠୁ କଟକ ନେଇଯାଅ । ମୁଁ ଲେଖିଦେଉଛି । ସେଠି ଆଡମିସନ୍ ହୋଇଯିବ ।
: ଆଜ୍ଞା ...... କଟକ..... ଏତେ ବାଟ କେମିତି ଯିବୁ ? ଗରୀବ ଲୋକ.... କୋଉଠୁ ପଇସା ପାଇବୁ ? ଏଠିକୁ ଏତେ ବାଟ ଚାଲି ଚାଲି ପଳେଇ ଆସିଲୁ । ହେଲେ କଟକ ? ବୁଢା ଲୋକଟି ବିକଳ ହୋଇ କହୁଥାଏ ।
: ଆରେ ଏଠି କିଛି ହୋଇପାରିବନି । କଟକ ଗଲେ ହୁଏତ ଅପରେସନ କଲେ ଭଲ ହୋଇ ଯାଇ ପାରେ ।
: ନାଇଁ ଆଜ୍ଞା ....... ଆମେ ଗରୀବ ଲୋକ.....
ବୁଢୀ ବି ସେତେବେଳକୁ ଭାଙ୍ଗି ପଡିଥିଲା । କହିଲା –
: ତେମେ ଆଜ୍ଞା ଭଲ କରିଦେଇଥାନ୍ତ ।
: ଆରେ ମୋ ହାତରେ କିଛି ହେବନି । ମୁଁ ଖାଲି ସିନା କିଛି ଔଷଧ ଲେଖିଦେବି । ହେଲେ...
: ତେମେ ଆପଣ ଭଲ କରିଦେଇଥାଆନ୍ତ ....... ଟେକ ରହିଥାଆନ୍ତା...... ବାନା ଉଡିଥାନ୍ତା....
ସାମ୍ନାରେ ଠିଆ ହୋଇ ମୁଁ ଏ ସବୁ ଦେଖୁଥାଏ । ମୋତେ ଦେଖାଇ ଡାକ୍ତର କହିଲେ,
: ଆରେ....... ଏମାନେ ବୁଝୁ ନାହାନ୍ତି କାହିଁକି ? ଏଇଟା ବ୍ରେଷ୍ଟ୍ କ୍ୟାନ୍ସର୍....... ଅପରେସନରେ ହୁଏ ତ ଭଲ ହୋଇଯିବ । ଏଠି କି ଟ୍ରିଟମେଣ୍ଟ୍ ତା’ର ହେବ ?
ମୁଁ କ’ଣ ଉତ୍ତର ଦେବି ଭାବି ପାରୁ ନ ଥାଏ । ମନେ ମନେ ଭାବୁଥାଏ କ୍ୟାନ୍ସରର ମାନେ ଏମାନେ କ’ଣ ବୁଝୁଥିବେ ? ହୁଏ ତ କାହାଠୁ କେବେ ଶୁଣିଥିବେ । ହେଲେ ଏହାର ଭୟାବହତା ବିଷୟରେ ନିଶ୍ଚିତ ଭାବରେ ଅନଭିଜ୍ଞ ।
ନିରୂପାୟ ହୋଇ ଡାକ୍ତର ବାବୁ ଗୋଟେ କାଗଜରେ କିଛି ଔଷଧ ଲେଖିଦେଲେ । ଗଲାବେଳକୁ ବୁଢୀ ଲୋକଟି ଖାଲି ସେହି ପଦକ ଘୋଷୁଥାଏ । ଏତେ ଆଶା କରି ଆସିଥିଲୁ । ଏଇଠି ଭଲ କରି ଦେଇଥାନ୍ତ ....... ବାନା ଉଡିଥାନ୍ତା........
ଭାବିଲି ଏଇ ଡାକ୍ତରଖାନା ପର୍ଯ୍ୟନ୍ତ ଆସିବାକୁ ତାଙ୍କର ସମ୍ବଳ ନାହିଁ । କଟକ କଥା ତ ଚିନ୍ତାର ବାହାରେ । କ୍ୟାନ୍ସରର ଭୟାବହତା ବିଷୟରେ ଦୁହେଁ ସମ୍ପୂର୍ଣ୍ଣ ଅଜ୍ଞ । କଟକ ଗଲେ ଯେ ଭଲ ହୋଇଯିବେ, ତା’ର ବି କି ଭରସା ? ହୁଏ ତ ଅସହାୟତା ଓ ଅଜ୍ଞତା ବୁଢୀକୁ କିଛି ଦିନ ବଞ୍ଚେଇ ଦେଇପାରେ ।
*** *** *** *** ***
ମନେ ମନେ ସେ ଦିନ ପଣ କରିଥିଲି ଜଣେ ଡକ୍ଟର୍ ହେବି । ଏଇମାନଙ୍କ ପାଇଁ ଗାଆଁରେ କ୍ୟାନ୍ସର୍ ଇନଷ୍ଟଚ୍ୟୁଟ୍ ଖୋଲିବି । ବହୁତ ଥର ଚେଷ୍ଟା କଲି । ହେଲାନି । ଭାଗ୍ୟରେ ଥିବା ଇଞ୍ଜିନିୟର୍ ହେବା । ଡକ୍ଟର୍ ହେଇଥିଲେ ଯେ କ୍ୟାନ୍ସର୍ ଇନଷ୍ଟିଚ୍ୟୁଟ୍ ଖୋଲି ଦେଇଥାଆନ୍ତି ତା’ ନୁହେଁ । ହେଲେ ପିଲାଦିନେ ଏମିତି ସ୍ୱପ୍ନ ସମସ୍ତେ ଦେଖିଥାଆନ୍ତି ....... ଯେଉଁଟା ବାସ୍ତବତାର ଅନେକ ଦୂରରେ ।
ଗୋଟି ଗୋଟି କରି ସ୍କୁଲ ଦିନର ସେ ଘଟଣାଟିକୁ ଟ୍ରେନରେ ବଖାଣୁଥାନ୍ତି ଜୟନ୍ତ ସାଙ୍ଗ ସିଦ୍ଧାର୍ଥ ଆଗରେ । ଦୁଇ ଦିନ ପରେ ଗୋଟେ ଆଇ ଟି। କମ୍ପାନୀରେ ଜଏନ୍ କରିବେ ସେ ।
*** *** ***