Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhiram Mandal

Children Stories Fantasy

4.9  

Abhiram Mandal

Children Stories Fantasy

ନୀଳ ଗୋଲାପ

ନୀଳ ଗୋଲାପ

4 mins
678


ଅନେକ ଦିନ ତଳର କଥା । ସେତେବେଳେ ଚୀନ ଦେଶରେ ବାସ କରୁଥିଲେ ଏକ ଗରୀବ ପରିବାର । ଅତି ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଥିଲେ । ସେଇ ଗରୀବ ପରିବାରରେ ଥାଏ ଝିଅଟିଏ । ନା ତାର ଚାଲିଂ । ରୂପରେ ଯେମିତି ଗୁଣରେ ବି ସେହିପରି । ଚାଲିଂ ସବୁବେଳେ ତା' ବୁଢୀମା'ଠୁ ପରୀ କାହାଣୀ ଶୁଣିବାକୁ ଭଲ ପାଏ । ପରୀ ମାନେ କିପରି ନିଜର ଡେଣା ସାହାଯ୍ୟରେ ଦେଶ ବିଦେଶ ବୁଲନ୍ତି ଏକଥା ବି ଶୁଣେ । ଏହି ସବୁ ଶୁଣି ସାରିବା ପରେ ନିଜ ମନରେ ଭାବେ,ତାର ପରୀମାନଙ୍କ ପରି ଡେଣା ଥାଆନ୍ତା କି ସେ ବି ଦେଶ ବିଦେଶ ଉଡି ବୁଲନ୍ତା ।


ଏହି ଭାବନା ଚାଲିଂକୁ ସବୁବେଳେ ମାୟାଛନ୍ନ କରି ରଖିଥିଲା । ଖାଇବା, ପିଇବା,ଖେଳିବା ଏପରି କି ଶୋଇବା ସମୟରେ ବି ସେ ଏଇକଥା ହିଁ ଭାବୁଥିଲା । ସେ ଭଗବାନଙ୍କୁ ପ୍ରାର୍ଥନା କରୁଥିଲା, ତାକୁ ପରୀ ମାନଙ୍କ କରି ଡେଣା ଯୋଡିଏ ଦେବା ପାଇଁ । ଡେଣା ପାଇଲେ ସେ କୁଆଡୁକୁ ଯାଉ ନଯାଉ ଆଗେ ପରୀ ରାଇଜ ବୁଲିବାକୁ ଯିବ । ପରୀ ରାଇଜ କେତେ ସୁନ୍ଦର । କେତେ ସୁନ୍ଦର ଗଛଲତା, ସୁନ୍ଦର ସୁନ୍ଦର ଫୁଲ ଫଳ ସେଠାରେ ଭର୍ତ୍ତି ହେଇଛି । ବିଶେଷ କରି ସେଠାରେ ନୀଳ ଗୋଲାପ ମଧ୍ୟ ଅଛି । ଚାଲିଂର ସବୁବେଳେ ଇଛା ହୁଏ ଯେ ସେ ପରୀ ରାଇଜ ଯାଆନ୍ତା କି ସେଠାରୁ ସେ ନୀଳ ଗୋଲାପଟିଏ ଆଣନ୍ତା । ଶୁଣିଥିଲା ନୀଳ ଗୋଲାପ କୁଆଡେ ଭାରି ଗୁଣକାରୀ । ତାକୁ ଯିଏ ପାଇବ ତାର ଆଉ ଅଭାବ ରହିବ ନାହିଁ ।


ଦିନକର ଘଟଣା । ସେଦିନ ତାର ଭାବନା ସତ୍ୟରେ ପରିଣତ ହେଲା । ସେ ତା ମା' ପାଖରେ ଶୋଇ ଏହି ସବୁ କଥା ଭାବୁଥାଏ । ଭାବୁ ଭାବୁ ତାକୁ ନିଦ ଆସିଗଲା । ସେ ନିଦରେ ଏକ ସ୍ୱପ୍ନ ଦେଖିଲା ଯେ କେହି ଜଣେ ଆସି ତାକୁ ଉଠାଇ କହୁଛି-"ଚାଲ ମୋ ସାଥିରେ, ଆମ ରାଇଜ ବୁଲି ଆସିବୁ ।" ଚାଲିଂ ଚାହିଁଲା ତା' ଆଡେ । ତା' ବୁଢ଼ୀ ମା' ଯେପରି କାହାଣୀରେ ପରୀର ବର୍ଣ୍ଣନା କରିଥିଲା ସେ ଥିଲା ଠିକ ସେହିପରି ଦେଖିବାକୁ । ତାର ଦୁଇଟି ଡେଣା ବି ଥିଲା । ଚାଲିଂ ପଚାରିଲା-"ତୁମେ କିଏ? ତୁମର ନାଁ କଣ ?" ସେ ହସି ହସି ଉତ୍ତର ଦେଲା-"ମୁଁ ଏକ ପରୀ, ମୋ ନାଁ ସ୍ୱପ୍ନ କୁମାରୀ । ମୁଁ ତତେ ଆମ ରାଇଜକୁ ବୁଲାଇ ନେବାକୁ ଆସିଛି । ଚାଲ ମୋ ସହିତ, ଆମ ରାଇଜ ବୁଲିବୁ, କେତେ କଥା ଦେଖିବୁ, ନୀଳ ଗୋଲାପ ବି ଆଣିବୁ ।"ନୀଳ ଗୋଲାପ ନାଁ ଶୁଣି ଚାଲିଂର ମନ ଖୁସି ହେଇଗଲା । ସେ ସଂଗେ ସଂଗେ ପରୀ ସହ ବାହାରି ପଡିଲା । ଯିବା ବେଳେ ପରୀ ଚାଲିଂକୁ ଏକ ପୋଷାକ ପିନ୍ଧାଇ ଦେଲା ଆଉ ଚାଲିଂ ଉଡି ଚାଲିଲା ପରୀ ସାଥିରେ ।


ଖୁବ କମ ସମୟରେ ଚାଲିଂ ପରୀ ରାଇଜରେ ପହଂଚି ଗଲା । ପରୀ ରାଇଜରେ ବୁଲି ବୁଲି ଅନେକ କଥା ଦେଖିଲା । ଦେଖିଲା ସେଠି ସମସ୍ତଙ୍କ ଦେହରେ ଡେଣା ଲାଗିଛି । ସମସ୍ତେ ହସଖୁସିରେ ଦିନ କାଟୁଛନ୍ତି । କାହାରି ମନରେ ଟିକେ ବି ଦୁଃଖ ନାହିଁ । ବୁଲାବୁଲି ସାରି ଚାଲିଂ ନୀଳ ଗୋଲାପ ଦେଖିବାକୁ ଗଲା । ଦେଖିଲା ଗୋଟିଏ ବଡ଼ ବଗିଚା ଖାଲି ନୀଳ ଗୋଲାପରେ ପୂର୍ଣ୍ଣ । ଗୋଲାପର ବାସ୍ନାରେ ତା' ମନ ଉଲ୍ଲସିତ ହେଇ ଉଠିଲା । ସେଠାରୁ ତାର ଫେରିବାକୁ ଜମା ଇଛା ହେଉନଥିଲା । ତେବେ ତାକୁ ତ ଫେରିବାକୁ ପଡିବ । ଯାହା ହେଉ ବୁଲା ବୁଲି ସାରି ସେ ଫେରିଲା । ଆସିଲା ବେଳେ ସ୍ଵପ୍ନ କୁମାରୀ ତାକୁ ଏକ ନୀଳ ଗୋଲାପ ଦେଇ କହିଲା-"ଏଇ ଗୋଲାପଟି ନେ, ସର୍ବଦା ପାଖରେ ରଖିବୁ । ଏହାର ଅନେକ ଗୁଣ । ଏଇଟିକୁ ଉଚିତ ବାଟରେ ଲଗେଇ ପାରିଲେ ତୁ ଯଶସ୍ବୀ ହେଇ ପାରିବୁ ।" ଏହା କହି ପରୀଟି ଚାଲିଂକୁ ତା' ଘରେ ଆଣି ଛାଡି ଦେଇଗଲା ।


ଚାଇଁକିନା ଚାଲିଂର ନିଦ ଭାଙ୍ଗିଗଲା । ଦେଖିଲା କେହି କୁଆଡେ ନାହିଁ । ଚାରିପାଖକୁ ଅନେଇବାରୁ ଦେଖିଲା ନୀଳ ଗୋଲାପଟିଏ ପଡିଛି । ଚାଲିଂ ବହୁତ ଖୁସି ହେଇଗଲା ଆଉ ନୀଳ ଗୋଲାପକୁ କାଳେ କିଏ ନେଇଯିବ ଭାବି ତାକୁ ଲୁଚାଇ ରଖିଦେଇ ଚୁପ ଚାପ ତା' ମା' ପାଖରେ ଶୋଇ ପଡିଲା ।


ଏହାର କିଛିଦିନ ପରେ ହଠାତ ଚାଲିଂର ମା' ବେମାର ପଡିଲା । ଗରୀବ ପରିବାର ଔଷଧ ବା କେଉଁଠୁ ପାଇବେ ? ସମସ୍ତେ ମନ ଦୁଃଖରେ ଥାଆନ୍ତି । ଏଇ ସମୟରେ ଚାଲିଂର ନୀଳ ଗୋଲାପ କଥା ମନେ ପଡିଲା । ସେ ଦୌଡ଼ି ଯାଇ ନୀଳ ଗୋଲାପ ଆଣି ତାକୁ କହିଲା-


ଗୋଲାପ ରାଣୀ ଲୋ ଗୋଲାପ ରାଣୀ,

ଶୁଣି ଯା' ଥରେ ମୋ ଦୁଃଖ କାହାଣୀ,

ମା' ମୋ ହେଲାଣି ବିଛଣା ଲଗା,

ରୋଗ ତାର ତୁ ଭଗାରେ ଭଗା ।


ଏତିକି କହିବା ମାତ୍ରେ ଆସ୍ତେ ଆସ୍ତେ ତା' ମାଆର ବେମାର ଭଲ ହେଇଗଲା । କିଛି ବର୍ଷ ବିତିଗଲା । ଏଇ ସମୟରେ ଚାଲିଂ ଗୋଲାପର ସାହାଯ୍ୟ ନେଇ ଲୋକ ମାନଙ୍କର ଉପକାର କରି ଚାଲିଲା । ସମୟ ବିତିବା ସହ ଧୀରେ ଧୀରେ ସେ ଏକ ସୁନ୍ଦର ଯୁବତୀରେ ପରିଣତ ହେଲା । ତା' ସହ ତା'ର ଲୋକପ୍ରିୟତା ବି ଧିରେ ଧିରେ ବଢିବାରେ ଲାଗିଲା। ସୁବିଧା ଅସୁବିଧାରେ ଲୋକମାନେ ତାକୁ ସାହାଯ୍ୟ ମାଗିବାକୁ ଲାଗିଲେ।


ଗୋଟିଏ ବର୍ଷର କଥା । ଚାଲିଂ ଆଉ ତାର ପରିବାର ଯେଉଁ ରାଜ୍ୟରେ ବାସ କରୁଥିଲେ, ସେ ବର୍ଷ ଆଦୌ ବର୍ଷା ହେଲା ନାହିଁ । ରାଜ୍ୟବାସୀ କଣ କରିବେ କିଛି ଠିକ କରି ପାରିଲେ ନାହିଁ । ଚାଷ ବାସ ସବୁ ଉଜୁଡି ଯିବାକୁ ବସିଲା । ସମସ୍ତେ ହତାଶ ହେଇ ପଡିଲେ । କିଛି ଲୋକ ଚାଲିଂର ଶରଣାପନ୍ନ ହେଲେ। ଲୋକମାନଙ୍କ ଏ ଦୁର୍ଦ୍ଦଶା ଦେଖିଲା ପରେ ଚାଲିଂ ଆଉ ଚୁପ ହେଇ ରହି ପାରିଲା ନାହିଁ । ସେ ଗୋଲାପ କୁ କହିଲା-


ଗୋଲାପ ରାଣୀ ଲୋ ଗୋଲାପ ରାଣୀ,

ତୁ ପରା ମୋର ସୁନା ଭଉଣୀ,

ଚଡକ ପଡିଛି ରାଇଜେ ମୋର,

ଦେଖାରେ ଗୋଲାପ କୁହୁକ ତୋର ।


ଏହା କହିବା ମାତ୍ରକେ ଗୋଲାପ ଚାଲିଂ ହାତରୁ ଖସିଗଲା । ତା ପରେ ସେ ରାଜ୍ୟରେ ବହୁତ ବର୍ଷା ହେଲା । ହେଲେ ଗୋଲାପ ଆଉ ଫେରିଲାନି । ସେଥିପାଇଁ ଚାଲିଂର ମନରେ ଦୁଃଖ ନଥିଲା । ସେ ଲୋକଙ୍କ ଖୁସିରେ ଖୁସି ହେଉଥିଲା । ଚାଲିଂର ଏ ଉପକାରକୁ ଲୋକେ ଖୁବ ପ୍ରଶଂସା କଲେ । ଧୀରେ ଧୀରେ ଏ କଥା ସେ ରାଜ୍ୟର ରାଜାଙ୍କ କାନରେ ପଡିଲା । ସେ ଅତ୍ୟନ୍ତ ଖୁସି ହେଇ ନିଜ ପୁଅ ସହ ଚାଲିଂର ବାହାଘର କରାଇ ଦେଲେ ଆଉ ଚାଲିଂର ବାକି ଜୀବନ ବହୁତ ହସ ଖୁସିରେ ବିତିଲା ।


Rate this content
Log in