Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସୌମ୍ୟା, ପରିଡା ରୁ ମହାନ୍ତି ହୋଇଗଲା ପରେ..
ସୌମ୍ୟା, ପରିଡା ରୁ ମହାନ୍ତି ହୋଇଗଲା ପରେ..
★★★★★

© Amiya Bej

Others

3 Minutes   13.7K    5


Content Ranking

ସୌମ୍ୟା,

ପରିଡାରୁ ମହାନ୍ତି ହୋଇଗଲା ପରେ..


ଲୋକାଲ୍ ବସ୍ ଅବା ଟ୍ରେନ୍ । ଆଗତୁରା ପହଞ୍ଚିଯାଇଥିବା ଯାତ୍ରୀଟି ଉଣାଅଧିକେ ଅକ୍ତିଆର କରିନିଏ କିଛି ଅଧିକା ଜାଗା । ନିଜେ ବସିବା ପରେ ପାଖକୁ ରୁମାଲ୍, ବ୍ୟାଗ୍, କିଛି ନହେଲେ ପୁରୁଣାକାଗଜ ପକାଇ ଅପେକ୍ଷାରେ ରୁହେ ନିଜ ଇପସିତଙ୍କୁ । ସେ ଜଣକ ଅଜଣା ଅଚିହ୍ନା ହୁଅନ୍ତୁ ପଛେ, ସୁହାଇଲା ପରି ହେବା ଦରକାର । ନହେଲେ ଗାଡି ଛାଡ଼ିବାଯାଏଁ  'ଅଛନ୍ତି' କହିକହି ଆଶାକୁ ଜିଆଁଇ ରଖିଥାଏ ।

ଭୂବନେଶ୍ଵର-ବାଙ୍ଗିରିପଶି ଟ୍ରେନରେ ଲେଉଟିବାବେଳେ ମୁଁ ଏଇରକମ ଆଶା ନେଇ ପ୍ରତ୍ୟହ ଜାଗା ରଖେ । କେବେକେବେ ଚିହ୍ନାମୁହଁ ମିଳନ୍ତି ନହେଲେ ନାହିଁ । କିଛି ମୋ ପରି ଦୈନିକଯାତ୍ରୀ ଏଇ ଗାଡିରୁ ହିଁ ବନ୍ଧୁ ହୋଇଯାଇଥାନ୍ତି । 

ସେ ଚଢୁଚଢୁ ମହକିଗଲା ଚିହ୍ନା ବାସ୍ନା । ଦୁଇଟା ବଡବଡ ବ୍ୟାଗ୍, ଆଉ ଲାଗିଲାଗି ରହୁଥିବା ଗୋଲୁମୋଲୁ ପୁଅଟିଏ । ଶୀତୁଆ ସଂଜରେ ବି ମୁହଁଭର୍ତ୍ତି ଝାଳବିନ୍ଦୁ। 
ସେ ଆଗରୁ ବି ଏମିତି । ଟିକେରେ ଝାଳ ଭରିଯାଏ । ମୁଁ ରୁମାଲ୍ ବଢାଏ । ସେ ମୁହଁପୋଛି ଫେରାଇଦିଏ ।  
- ରଖିଥାଅ , ଆଉରି ଦରକାର ହେବ ।
- ନା, ରୁମାଲ୍ ନେଲେ ସମ୍ପର୍କ କଟିଯିବ ।
ମୁଁ ହସେ, ତା'ର ଥିଲେବି ସେ ମୋ ରୁମାଲþରେ ହିଁ ମୁହଁ ପୋଛୁଥାଏ । ମୁଁ ଢେର୍ ଦିନଯାଏଁ ସେ ରୁମାଲକୁ ଅଧୂଆ ରଖୁଥାଏ ।

ସମ୍ପର୍କ କଟିଲାନି କି ? କାଇଁ ! ସୌମ୍ୟା ତ ମୋ ରୁମାଲ୍ ପୁରାପୁରି କେବେ ନେଇନଥିଲା ? ତେବେ ?
ମୁଁ ନିଜକୁ ଯୋଗ୍ୟ କରିବାକୁ ବିଳମ୍ବ କରୁଥିଲି ଯେତେ, ସମୟ ଗଡାଇ ସୌମ୍ୟା ବିବାହ ଅଯୋଗ୍ୟା ହେଉଥିଲା ସେତେ । ଶେଷକୁ ହାତରୁ ନଟେଇ ଛାଡ଼ିବାକୁ ହିଁ ପଡିଲା । ମଝି ଆକାଶରେ ଡେଣାଝାଡି ଫରଫର ଉଡୁଥିବା ଗୁଡି଼ ମୋର କଟିଯାଇ ମୁହଁମୋଡ଼ି ପଡ଼ିଲାଆସି କେଉଁ ଅଜଣା ଜାଗାରେ ।
ଶେଷଦେଖାରେ ସୌମ୍ୟା, ମୁଁ ଭଲପାଉଥିବା ତା’ ମୁହଁଟାକୁ ଏମିତି ଅବାଗିଆ କରି ମୋତେ ଜତାଇଲା ଯେ - ମୋ ସହ ଅଯଥା, ସମୟ ଗୁଡାକୁ ଅକାରଣେ ସେ ସାରିଦେଲା ଯେମିତି !


ସୌମ୍ୟା ସହ ସାମ୍ନାସାମ୍ନି ପୁଣି ହେବି ଏକଥା ମନରେ କେବେ ଆଣୁନଥିଲି ମୁଁ । ଏତେ ଲମ୍ବା ରେଳଟାରେ, ମୁଁ ବସିଥିବା ଡବାକୁ ସେ ଚଢିଆସିବା ସଂଯୋଗ ହୋଇପାରେ । କିନ୍ତୁ ତାକୁ ଲୁଚି ମୁଁ କ'ଣ ଚାଲିଯିବା ଠିକ୍ ହେବ ? ଭାବୁଭାବୁ ଆଖିରେ ଆଖି ମିଶିସାରିଥିଲା । ଏବେ ଖୁବ୍ ସଂକୋଚରେ ମୁଁ ଅକ୍ତିଆର କରିଥିବା ବଳକା ସିଟ୍ ଆଡେ ଇଶାରା କଲି । ଭାବୁଥିଲି ମୋ ଅଯଥା ଆବେଗ ଦେଖି ସୌମ୍ୟା ଫିଲ୍ମ ଡାଇଲଗ୍ ମାରି ମୋତେ ଏଡାଇଯିବ -
- ଏ ସିନ୍ଦୂର ଗାର ହେଉଛି ଲଷ୍ମଣରେଖା । ଏଇ ଜୀବନରେ ଆଉ ଲଂଘି ହେବନି ।

କାଇଁ ! ସୌମ୍ୟା ସେପରି କିଛି କଲାନି । ସହଜ ହୋଇ ମୋ ପାଖରେ ଈ' ଆସି ବସିଲା । ପୁଅକୁ ମୋ ଆଡେ ବଢାଇ ସଜାଡି ହେଲା । ମୁଁ ଛୁଆଟିକୁ ଆଦର କଲି । ତା'ପରେ ଆରମ୍ଭକଲା କଥାପେଡି । ତା' ପରିଡାରୁ ମହାନ୍ତି ହେବାଯାଏଁ । ପଚାରି ବୁଝିନେଲା ମୋ ସ୍ଥିତି-ଅବସ୍ଥିତି ।
କିଂଚିତ୍ ଆଶ୍ଚର୍ଯ୍ୟ ଆଉ ଢେର୍ ଆମୋଦିତ ହେଉଥିଲି ମୁଁ । ବାରବର୍ଷର ବିମୁଖତା ପରେ ବି ସହଜଥିଲା ସମ୍ପର୍କ ! 
ଆଉରି ଚମକାଇଲା ସୌମ୍ୟା, ଯେବେ ମୋ' କାନ୍ଧରେ ନିଶ୍ଚିନ୍ତରେ ଘୁମାଇପଡିଲା । ପୁଅଟିର ସମ୍ପୂର୍ଣ୍ଣ ଦାୟିତ୍ଵ ମୁଁ ନେଇସାରିଥିଲି ।
ପ୍ରେମ ମରି, ସରି ନଥିଲା କି କ'ଣ ! 
ବେଳ ଅବେଳରେ ଭରସା ଟିକକ ଭାଙ୍ଗିଯାଏ ସିନା, ବିଶ୍ଵାସଟା ବୋଧେ ସେଇମିତି ରହିଯାଏ ପରା !

ସୌମ୍ୟା ଶୋଇପଡେ ଗାଡିରେ । ମୋତେ ବେଶ୍ ଜଣା । ଆଗରୁ ଅନେକଥର ଏମିତି ହୋଇଛି । ମୋ' ଚିହ୍ନା ବାସ୍ନା ।
ଆଗପରି ସେଇ କ୍ଲିନିକ୍ ପ୍ଲସ, ସେ ଏଯାଏଁ ବୋଳୁଛି ନା ଏ ବାସ୍ନା ସୌମ୍ୟାର ନିଜର କେବଳ ? 
ସେ ଶୋଇଥିଲା ମୋ କାନ୍ଧରେ । ବିମୋହିତ ହେଉଥିଲି । ପ୍ରଲୋଭିତ ବି ।

ପତ୍ନୀର ଫୋନ୍ ଆସିଲା । ଉଠିଗଲା ସୌମ୍ୟା ।
- କେଯାଏଁ ହେଲଣି ?
ମୁଣ୍ଡ ଗଳାଇ ଦେଖିଲି, ଭଦ୍ରକ ବୋଧେ ।
ସଜାଡ଼ି ହେଲା ସୌମ୍ୟା । ମୋ ମୁହଁସାରା ବିଞ୍ଚିହୋଇଥିବା ବାସ୍ନା ସବୁକୁ ଠୁଳାଇନେଇ ଫେରିଯାଉଥିଲା ଦରଜା ପାଖକୁ ।
ଦରଜା ବାହାରେ , ଏତେ ଭିଡ଼ଭିତରେ ବି ଜଣେ ସୁଦର୍ଶନ ବ୍ୟକ୍ତିଙ୍କୁ ଦେଖି ପିଲାଟି ପାଟିକରି ଉଠିଲା - "ପାପା" !!!

ବି:ଦ୍ର :- ଗପଟିର ନାଁ - 
("ସୌମ୍ୟା, ପରିଡାରୁ ମହାନ୍ତି ହୋଇଗଲା ପରେବି ") 
ଦେଇ ହୋଇଥାନ୍ତା ।

ସୌମ୍ୟା ପରିଡା ରୁ ମହାନ୍ତି ହୋଇଗଲା ପରେ..

Rate the content


Originality
Flow
Language
Cover design

Comments

Post

Some text some message..