Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rakesh Mishra

Comedy

5.0  

Rakesh Mishra

Comedy

ଗୁଲୁଆର ବାହାଘର

ଗୁଲୁଆର ବାହାଘର

5 mins
7.7K


ମୋର ସଂପୂର୍ଣ୍ଣ ଆଶା ଓ ବିଶ୍ଵାସ ମୋର ପ୍ରିୟ ବନ୍ଧୁ ଗୁଲୁଆକୁ ଆପଣ ମାନେ ଏତେ ଶୀଘ୍ର ଭୁଲି ନଥିବେ । ପ୍ରେମ କରିବାକୁ ଯାଇ ସାଂଘାତିକ ଧୋକା ଖାଇବା ପରେ ତା ମନଟା ଭାଙ୍ଗି ରୁଜି ଟୁକୁଡ଼ା ଟୁକୁଡ଼ା ହୋଇ ଯାଇଥିଲା । ଅନେକ ଦିନ “ସଦମା”ର କମଳ ହସନ ପରି ବ୍ୟବହାର କରୁଥିଲା । ଚାକିରି ରେ ମନ ଲାଗିଲାନି । ଏସବୁ ଦେଖି ମାଲିକ୍ ଚାକିରିରୁ କାଢ଼ି ଦେଲା । ଦିନା କେତେ ଘରେ ରହି ତା ପରେ ଗୁଜୁରାଟ ପଳେଇ ସେଠି କଣ କାମ କରୁଥିଲା । ବିଚରା ଛୁଟି ନେଇ ଘରକୁ ଆସିଥିଲା ଯେ, ବୋଝ ଉପରେ ନଳିତା ବିଡ଼ା ପରି ମନୁଆ ବାହାଘରକୁ ବରଯାତ୍ରୀ ଯାଇ ସମସ୍ତେ ମଟନ ଝୋଳ ଖାଉଥିବା ବେଳେ ଗୁଲୁଆ ନିର୍ଘାତ ଛେଚା ଖାଇ ଘରକୁ ଫେରିଲା ।

ଘଟଣା ଥିଲା ଏମିତି, ରୋଷଣୀ ବେଳେ ନାଲିପାଣିର କରାମତି ସ୍ୱରୂପ ଗୁଲୁଆର ମାଟିରେ ଗଡ଼ିପଡ଼ି ବିଭିନ୍ନ ଅଙ୍ଗଭଙ୍ଗୀ ପ୍ରଦର୍ଶନ ପୂର୍ବକ ନାଗିନ୍ ଡ୍ୟାନ୍ସକୁ ଦେଖି ମନୁଆର କେହି ଜଣେ ଦୂର ସମ୍ପର୍କୀୟ ଶାଳି, ତାଳି ମାରି ହସି ହସି ବେଦମ ହେଉଥିଲା । ଗୁଲୁଆ ଫୁଲ୍ ନିଶାରେ ଥାଇ ମଧ୍ୟ ସେତକ ବେଶ ଭଲଭାବେ ଠଉରେଇ ପାରିଥିଲା । ଅତଃପର ଗୁଲୁଆ ଦ୍ଵିଗୁଣ ଉତ୍ସାହର ସହ ମାଟିରେ ଗଡ଼ି ଗଡ଼ି ନିଜ ନୃତ୍ୟକଳା ପ୍ରଦର୍ଶନ କରୁଥିବା ଅବସ୍ଥାରେ ହଠାତ ଦଇବ ଦାଉ ସାଧିଲା । ଉଦର ମଧ୍ୟସ୍ଥ ବିଦେଶୀ ପାନୀୟ ମୁଖ ଦେଇ ଭଳ ଭଳ ହେଇ ବାହାରିବାକୁ ଲାଗିଲା । ବରଯାତ୍ରୀଙ୍କ ଭିତରେ ହଇଚୈ ପଡିଗଲା । କଣ ହେଲା କଣ ହେଲା କହି ସମସ୍ତେ ଦଉଡି ଆସିଲେ । ଅନ୍ୟ ସାଙ୍ଗ ମାନେ କଥାଟାକୁ ବେଶି ପ୍ରଘଟ ନକରିବାକୁ କହିଲେ, ଚିନ୍ତା କରିବାର କାରଣ ନାହିଁ ନାଗିନ ବେଳେ ବେଳେ ଏମିତି ବିଷ ଛାଡ଼େ । ଏଇଟା ନାଗିନ୍ ଡ୍ୟାନ୍ସର ଲାଷ୍ଟ ପାର୍ଟ ।

କିନ୍ତୁ ବିଷ ଉଗାଳି ସାରି ନାଗିନ୍ ମାନେ ଗୁଲୁଆର ଅବସ୍ଥା ସାଡ଼େ ବାର’ଟା । ଜାମା ପ୍ୟାଣ୍ଟ ସବୁ ବାନ୍ତିରେ ଲତପତ । ଉଠିବାକୁ ଶକ୍ତି ନାହିଁ । ଦୈବାତ କନ୍ୟାଘର ଅତି ପାଖରେ ଥିବାରୁ ସାଙ୍ଗମାନେ ଧରାଧରି କରି ତାକୁ କନ୍ୟାଘରକୁ ଟେକି ନେଇଗଲେ। ସେଠି ଦେହରେ ମୁଣ୍ଡରେ ପାଣି ଢାଳି ଟିକେ ସାଷ୍ଟମ ହେବାରୁ ତାକୁ ଗୋଟେ ଘରେ ଖଟିଆ ଉପରେ ଶୁଆଇ ଦେଇ ସାଙ୍ଗମାନେ ବେଦି ପାଖକୁ ଫେରିଗଲେ । କିନ୍ତୁ ଗଣ୍ଡଗୋଳ ହେଲା ମନୁଆର ଶାଳି ଯାଉଣୁ ଆସୁଣୁ ଗୁଲୁଆକୁ ଦେଖି ମୁରୁକି ହସକୁ ନେଇ । ଗୁଲୁଆ ମନରେ ପ୍ରେମ ବୀଜ ପୁଣି ଥରେ ଅଙ୍କୁରିତ ହେଲା । ଶାଳି ମହୋଦୟା ଗୁଲୁଆକୁ ଦେଖି ହସୁଥିଲେ ନା ତା ଅବସ୍ଥା ଦେଖି ହସୁଥିଲେ ସେତକ ବୁଝି ନପାରି ଗୁଲୁଆ ଆଉ ଏକ ଭୟାନକ କାଣ୍ଡ କରିବସିଲା। ପ୍ରେମ ଜୁଆରରେ ଲହଡି ଭାଙ୍ଗି ଶାଳି ମହୋଦୟାଙ୍କ ଆଡେ ବାରମ୍ବାର ଉଡ଼ନ୍ତା ଚୁମ୍ବନ (ଫ୍ଲାଇଙ୍ଗ କିସ୍) ଫିଙ୍ଗି ନିଜ ସର୍ବନାଶକୁ ହୁଇସିଲ ମାରି ଡାକି ଆଣିଲା । କନ୍ୟାଘର ଲୋକଙ୍କ ଭିତରୁ କେହି ଜଣେ ଗୁଲୁଆର ଏ ସବୁ କୀର୍ତ୍ତି ଦେଖି ସମସ୍ତଙ୍କୁ କହିବାରୁ ବହେ ଉତ୍ତମ ମଧ୍ୟମ ପାଇ ମୁଣ୍ଡରୁ ମଦ ନିଶା ସହ ପ୍ରେମ ନିଶା ବି ପୁରା ଉତୁରିଗଲା । ଭାଗ୍ୟ ଭଲ ସାଙ୍ଗ ମାନେ ପହଞ୍ଚି କୌଣସି ପ୍ରକାର ସମସ୍ତଙ୍କୁ ବୁଝାସୁଝା କରି, ତାକୁ ପୁଣି ଟେକି ନେଇ ବରଯାତ୍ରୀ ମାନେ ଆସିଥିବା କୌଣସି ଏକ ଗାଡିରେ ଶୁଆଇ ଦେଇ ପୁଣି ଯେଝା ବାଟରେ ଚାଲିଗଲେ । ବିଚରା ଗୁଲୁଆ ମାଡ଼ଗାଳି ଖାଇ ସେଇ ଗାଡି ଭିତରେ ଶୋଇପଡିଥିଲା, ନିଦ ଭାଙ୍ଗିଲା ପରଦିନ ସକାଳୁ କନ୍ୟା ବିଦା ବେଳକୁ ।

ଆଖପାଖରେ ଗାଲୁଆ ନାଗିନ୍ ଡ୍ୟାନ୍ସ ସେତେବେଳେ ଏତେ ପ୍ରସିଦ୍ଧି ଲାଭ କରିଥିଲା ଯେ, ତା ପରଠାରୁ ସାଙ୍ଗସାଥି ସାହି ପଡିଶା କାହାର ପୁଅ ବାହାଘର ହେଲେ ଗୁଲୁଆକୁ ନିମନ୍ତ୍ରଣ କରିବା ଅବସରରେ କର୍ତ୍ତା ନାଗିନ୍ ଡ୍ୟାନ୍ସ ନକରିବାକୁ ସବିନୟ ଅନୁରୋଧ କରିଥାନ୍ତି । କିନ୍ତୁ କର୍ତ୍ତାଙ୍କର ଏମିତି ଅନୁରୋଧ ଗୁଲୁଆକୁ ଯେତେ ନ ବାଧେ ତା'ଠାରୁ ବେଶି ବାଧେ ତା ଓଥରା ପଣ । କାହାର ବାହାଘର କାର୍ଡଟେ ଦେଖିଲେ ତା ଛାତି ଭିତରେ କୋରି ହୋଇଯାଏ । ଉଡ଼ାକାଣ୍ଡିଆ ଶୁଣିବାକୁ ମିଳେ ବାହାରାଶି ଖୋଲିବାକୁ ଗୁଲୁଆ ଷୋଳ ସୋମବାର ବ୍ରତ ମଧ୍ୟ କରିଛି, ସେଥିରେ ବି କିଛି ଫଳ ହୋଇନି । ଉପରନ୍ତୁ ଡାହାଣ ହାତର ରେଖା ସବୁ ଘୋରିଗଲାଣି । ଶେଷରେ କେହି ଜଣେ ସାଙ୍ଗ ତାକୁ ପରାମର୍ଶ ଦେଲା ମ୍ୟାଟ୍ରିମୋନି ସାଇଟରେ ରେଜିଷ୍ଟର କରିବାକୁ । କାରଣ ପ୍ରେମରେ ଧୋକା ଖାଇଥିବା, କ୍ୟାରିୟର ନିଶାରେ ବୟସ ହୋଇ ସରିଥିବା ଦରବୁଢା ଦରବୁଢୀ, କଣା କୁଜା ସମସ୍ତଙ୍କ ଆଶା ଭରସା ଓ ନିଶ୍ଚିତ ବିବାହର ନିର୍ଭରଯୋଗ୍ୟ ପ୍ରତିଷ୍ଠାନ ଯଥା "ହାତଗଣ୍ଠି ଡଟ କମ", "ଚାଲ ବାହାହେବା ଡଟ କମ" ଇତ୍ୟାଦି ଇତ୍ୟାଦି ମ୍ୟାଟ୍ରିମୋନି ସାଇଟ୍ ମାନେ ।

ତେଣୁ କାଳ ବିଳମ୍ବ ନକରି ଗୁଲୁଆ ତତକ୍ଷଣାତ ଗୋଟେ ମ୍ୟାଟ୍ରିମୋନି ସାଇଟରେ ନିଜ ନାମ ନଥିଭୁକ୍ତ କରିପକେଇଲା। କିନ୍ତୁ ସେଠୁ ବି ନିରାଶା । ନା କନ୍ୟା ପକ୍ଷରୁ ଫୋନ ଆସୁଛି ନା କିଛି । ଘଟଣା କଣ ବୁଝୁ ବୁଝୁ ଜାଣିଲା, ପ୍ରାଇମ ମେମ୍ବରସିପ ନ’ନେଲେ ମ୍ୟାଟ୍ରିମୋନି ବାଲା ଛଣ ଛ’ବିଡ଼ାରେ ପଚାରିବେନି। ପ୍ରାଇମ ମେମ୍ବରସିପ ନେଲେ ହିଁ ଯାଇ ପ୍ରତ୍ୟାଶିତ କନ୍ୟା ମାନଙ୍କ ସହ ଯୋଗାଯୋଗ କରି ପାରିବ । ନହେଲେ କାଇଦା କରି ମ୍ୟାଟ୍ରିମୋନି ବାଲା ଝିଅଙ୍କ ଫୋନ ନମ୍ବର ଓ ଅନ୍ୟାନ୍ୟ ତଥ୍ୟ ଗୁପ୍ତ ରଖିଥିବେ, ଜଣେଇବେନି । ବାଧ୍ୟହୋଇ ଗୁଲୁଆ କିଛିଟା ପକେଟ ହାଲୁକା କରି ପ୍ରାଇମ୍ ମେମ୍ବରଶିପ ନେଲା ସିନା, କିନ୍ତୁ ଯେତେ ପ୍ରୋଫାଇଲ ଦେଖେ ଗୁଲୁଆ ମନକୁ ଯାଏନି । କିଏ ସ୍ଵାମୀ ପରିତ୍ୟକ୍ତା, କିଏ ବିଧବା ଅଥବା କିଏ ଦରବୁଢୀ । ଏମିତି ଦିନେ ବିବାହ ପ୍ରତ୍ୟାଶୀ ଝିଅ ମାନଙ୍କ ପ୍ରୋଫାଇଲ ଘାଣ୍ଟି ଦେଖୁ ଦେଖୁ ତା ନଜର ଗୋଟେ ପ୍ରୋଫାଇଲ ଉପରେ ପଡିଲା । ଗୁଲୁଆ ସେ ଫୋଟୋଟିକୁ ଦେଖୁ ଦେଖୁ ଚିହ୍ନିନେଲା । ହଠାତ୍ ବ୍ୟାକ୍ ଗ୍ରାଉଣ୍ଡରେ କିଏ ଯେମିତି ଗାଇ ଉଠିଲା, "ରହୁଥିଲା ଦିନେ ଛାତିରେ ଯିଏ, ମନ କହୁଛି ଏଇ ତ ସିଏ..."।

ସତରେ, ଯାହାପାଇଁ ମାଡ଼ ଖାଇ ପନ୍ଦର ଦିନଯାଏ ଦେହରେ ଦରଜ ଥିଲା ତାକୁ କେମିତି ଭୁଲିପାରିଥାନ୍ତା ଗୁଲୁଆ। ମ୍ୟାଟ୍ରିମୋନି ବାଲାଙ୍କ ଠାରୁ ସେ ଝିଅର ସବିଶେଷ ବିବରଣୀ ନେଇ ତାକୁ ହିଁ ବିବାହ କରିବାର ଅଭିପ୍ରାୟ ନିଜଘରେ ଜଣାଇଲା ଗୁଲୁଆ । ସେପଟେ ମ୍ୟାଟ୍ରିମୋନି ବାଲାଙ୍କ ସଙ୍ଗେ ଗୁଲୁଆ କଥାବାର୍ତ୍ତା କରି, କନ୍ୟା ପକ୍ଷକୁ ତାର କୌଣସି ଡିମାଣ୍ଡ ନାହିଁ ବୋଲି ଜଣାଇ ବିବାହ ପାଇଁ ଯଥାଶୀଘ୍ର ପଦକ୍ଷେପ ନେବାକୁ ଅନୁରୋଧ ଜଣାଇଲା । ତା ସଙ୍ଗେ ଏ କଥା ବି ଜଣେଇଲା ଯେ ଝିଅ ଦେଖା ଇତ୍ୟାଦି ଦରକାର ନାହିଁ କାରଣ ସେ ଝିଅକୁ ଆଗରୁ ଦେଖିଛି ଓ ଝିଅ ତାର ବହୁତ ପସନ୍ଦ। କାରଣ, ତାର ଭୟ ଥିଲା, ଏ ସବୁ ଔପଚାରିକତା ପଛରେ ଦୌଡୁ ଦୌଡୁ ଝିଅଟା ହାତଛଡା ନ ହେଉ । କନ୍ୟା ପକ୍ଷ ତ ବିବାହ ପାଇଁ ଆଗରୁ ପ୍ରସ୍ତୁତ ରହିଥିଲେ ତେଣୁ ଯୁଦ୍ଧ କାଳୀନ ଭିତ୍ତିରେ ବିବାହ ସମ୍ପନ୍ନ ହୋଇ ଗଲା। ଗୁଲୁଆର ଗୋଡ଼ ତଳେ ଲାଗୁନଥାଏ । କନ୍ୟା ବିଦା ହେବାଯାଏ ଗୁଲୁଆର ବିଶ୍ଵାସ ହେଉ ନଥିଲା ଯେ ସବୁ କିଛି ଏତେ ସହଜରେ ହୋଇଯିବ । ମନେ ମନେ ଭଗବାନଙ୍କୁ ପ୍ରାର୍ଥନା କରୁଥିଲା, ହେ ପ୍ରଭୁ ଲୋକେ ସତରେ କୁହନ୍ତି “ଭଗବାନ କେ ଘର ଦେର ହୈ ଅନ୍ଧେର ନେହିଁ "।

କନ୍ୟା ବିଦା ସରିଲା । ବର କନ୍ୟା ଆସି ଗାଡ଼ିରେ ବସିଲେ, କନ୍ୟାର କାନ୍ଦ ବନ୍ଦ ହେଉନି, ଧକେଇ ଧକେଇ କାନ୍ଦି ଚାଲିଛି । ଗୁଲୁଆ ନିଜ ନବ ବିବାହିତା ପତ୍ନୀର ବୋଧ କରିବାକୁ ତଥା ସାମାନ୍ୟ ବାକ୍ୟାଳାପ କରିବାର ଅଭିପ୍ରାୟ ନେଇ କଥା ଆରମ୍ଭ କଲା ।

- ବାପା ବୋଉଙ୍କୁ ଛାଡି ଆସିଛ ବୋଲି ମନ ଖରାପ ହେଉଛି ସୁନା ?

ଅପର ପକ୍ଷରୁ ଆହୁରି ଜୋରରେ କାନ୍ଦ...

ଗୁଲୁଆ ଭାବିଲା ଏକେ ବାପା ବୋଉଙ୍କୁ ଛାଡି ଆସି ମନ ଖରାପ, ତାକୁ ସେକଥା ମନେ ପକେଇ ଦେଇ ସେ କାନ୍ଦ ଆଉ ବଢେଇବା ଠିକ୍ ନୁହେଁ । ଅନ୍ୟ କିଛି କହିବା ଦରକାର...

- ଆଛା, ତୁମେ ସେ ମୋ ସାଙ୍ଗ ବାହାଘର ଘଟଣାକୁ ନେଇ ମୋତେ କିଛି ଖରାପ ଭାବୁନ ତ ! ଦେଖ ସତ କହୁଛି ମୁଁ କିନ୍ତୁ ମଦୁଆ ମାତାଲି ନୁହେଁ । ଏମିତି କେତେବେଳେ କେମିତି ସାଙ୍ଗମାନେ ଜୋର୍ କଲେ ବେଳେ ବେଳେ ହେଇଯାଏ । ସେଦିନ ସାଙ୍ଗ ଗୁଡ଼ା ଜୋର୍ କରି ଟିକେ ବେଶି ପେଇ ଦେଲେ । ନ ପିଇବା ଲୋକ, ଟିକେ ପିଇ ଦେଲେ ଯାହା ହୁଏ । ମୁଁ କିନ୍ତୁ ଏତେ ଖରାପ ପିଲା ନୁହେଁ, ସତରେ ବିଶ୍ଵାସ କର ।

- ମୁଣ୍ଡ ଟୁଙ୍ଗାରିଲେ ନବ ବିବାହିତା ।

- ଆଚ୍ଛା କଣ ମୋ ଉପରେ ଏବେ ବି ରାଗି ରହିଛ !! କିଛି ତ କୁହ ପ୍ଳିଜ । ତୁମ କଥା ପଦେ ଶୁଣିବାକୁ ମୋ ମନ ଛଟପଟ କରୁଛି ଡାର୍ଲିଂ ।

- ନା ମୁଁ ତୁମ ଉପଲେ ଲାଗିନି ।

- ହଉ ଛାଡ଼, ୟା ପରେ କିନ୍ତୁ ତୁମେ ମୋ ସହ ଗୁଜୁରାଟ ଯିବ । ଖାଖରା, ଫାପଡ଼ା, ଢୋକଲା ଖାଇ ଖାଇ ପାଟି ଅରୁଚି ଧରିଲାଣି । ତୁମେ ଗଲେ ଖାଣ୍ଟି ଓଡ଼ିଆ ପିଠାପଣା କରିଦେବ । ଆସେତ?

- ହଁ, ତିତଉ, ତତୁଲି ଆତେ।

- ତିତଉ ? ତିତଉ ନୁହେଁ ଚିତଉ । ଚିତଉ ଚକୁଳି ଆଉ କଣ ଆସେ?

- ଥେୟା ତ ତୋଉତି, ବୁଦି ପାରୁନା ତି? ତିତଉ ତତୁଲି ବୁଲା ତତୁଲି ଥବୁ ତଲି ଆଥେ ।

© ରାକେଶ ମିଶ୍ର


Rate this content
Log in

Similar oriya story from Comedy