Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ପଦ୍ମିନୀ
ପଦ୍ମିନୀ
★★★★★

© Neelima Nivedita Behera

Inspirational Others

6 Minutes   14.3K    17


Content Ranking

“ଆଜିକାଲି ପିଲାମାନେ ବହି ମାଗି ନିଅନ୍ତି ସତ, ହେଲେ ପଢନ୍ତି ନାହିଁ । ତମେ ଯଦି ପଢିବ ବୋଲି ମୋତେ କଥା ଦେବ, ତେବେ ଯାଇ ତୁମକୁ ମୁଁ ମୋର ବହି ଖଣ୍ଡେ ଦେବି ।“ ଏଇ ଉକ୍ତିକୁ କେଇଟା ଦିନ ପୁରିନି ପଡିଲା ପଦ୍ମିନୀର ଜନ୍ମଦିନ । ନମିତା ଅନେକ ଦିନରୁ କହି ରଖିଥିଲା ପଦ୍ମିନୀକୁ ସରାଫ ମ୍ୟାଡାମଙ୍କୁ ଭେଟିବାକୁ । ପଦ୍ମିନୀ ଓ ନମିତା ଦୁହେଁ ବାହାରିଗଲେ ସରାଫ ମ୍ୟାଡାମଙ୍କ ଘର ଅଭିମୁଖେ । ପଦ୍ମିନୀ ନାଁ ପଦ୍ମିନୀ ନଦେଇ ଚତୁରୀ ଦେଇଥିଲେ ବେଶି ଭଲ ହେଇଥାଆନ୍ତା । ଗୋଟିଏ ଗୁଳିରେ ଦୁଇଟା ଶିକାର ଉଦ୍ଦେଶ୍ୟରେ ସେ ଯାଇ ପହଞ୍ଚିଲା ସରାଫ ମ୍ୟାଡାମଙ୍କ ଘରେ । ଅନେକ ଶୁଣିଛି ସେ ସରାଫ ମ୍ୟାଡାମଙ୍କ ଗପ ବିଷୟରେ । କାହାଣୀ ପ୍ରତି ତାଙ୍କର ଭିନ୍ନ ଦୃଷ୍ଟିଭଙ୍ଗୀ କେବେଠାରୁ ପଦ୍ମିନୀକୁ ବାଇଆଣୀ କରି ରଖିଛି । ଶେଷ ଥର ବି ସେ ମ୍ୟାଡାମଙ୍କ ଇଣ୍ଟରଭିୟୁ ନଉନଉ ନଜର ରଖିଥାଏ ତାଙ୍କ ବହିଥାକ ଉପରେ । ପିଲାଟି ବେଳୁ ବହି ପ୍ରତି ଦୁର୍ବଳତା ପଦ୍ମିନୀର । ଚିନି-ଗୁଡ଼ ପାଖରେ ଜନ୍ଦାପିମ୍ପୁଡ଼ି ଭଳି ପଦ୍ମିନୀ ବହି ପାଖରେ । ଇଣ୍ଟରଭିଉ ନେଇ ସାରି ତେଣୁ ଅଲାଜୁକ ହେଇ ମାଗି ବସିଲା ସଦ୍ୟ ପ୍ରକାଶିତ ସରାଫ ମ୍ୟାଡାମଙ୍କ ‘ଶ୍ରେଷ୍ଠ ଗଳ୍ପ’ ବହିଟିକୁ । ମ୍ୟାଡାମ ବି ଠିକ ଦେଖିପାରିଲେ ପଦ୍ମିନୀ ଆଖିରେ ବହି ପ୍ରତି ପ୍ରଗାଢ ନିଶା । ତଥାପି ନିଶାକୁ ବଢିବାକୁ ଦେଲେ । ଆଉରି ପକ୍କା ହେବାକୁ ଛାଡ଼ିଦେଲେ । ଆଉ ସେହି ଦିନ ତାକୁ ଖାଲି ହାତରେ ଫେରେଇ ଦେଲେ । ଫେରିଲାବେଳେ କିନ୍ତୁ ଦୁଆର ଯାଏଁ ଛାଡିବାକୁ ଆସିଲେ । ମନ କାଳେ ଊଣା କଲା କି କ’ଣ ଝିଅଟା ! ଏକଥା ଭାବି, ଜହ୍ନ ଆଡେ ହାତ ବଢେଇଲେ । କହିଲେ-ଜାଣ ପଦ୍ମିନୀ ! ଜହ୍ନ ପରି ତୁମ ହସ ଯେ ନିର୍ଲିପ୍ତ । ତୁମ ଚାହାଣୀରେ ଅୟୁତ କାହାଣୀ ! ତଥାପି ଯଦି ତୁମେ ଚାହୁଁଛ ମୋ ଲେଖା ପଢିବାକୁ ତେବେ ସମୟ ଆସିଲେ ମୁଁ ନିଜେ ତୁମକୁ ବହିଟିଏ ଭେଟି ଦେବି ।


ପଦ୍ମିନୀ ପାଇଁ ଏହା କେବଳ କଥା ଦି’ପଦ ନଥିଲା, ଥିଲା ଗୋଟାଏ ବରଦାନ । ଖୁସିରେ ମ୍ୟାଡାମରୁ ଅପା ବାହାରିଗଲା ତା ପାଟିରୁ । ନଇଁଗଲା ମୁଣ୍ଡ ଅପାଙ୍କ ପାଦ ଛୁଇଁବାକୁ । ହେଲେ ମ୍ୟାଡାମ ଓରଫ ଅପା କୋଳେଇ ନେଲେ ମାଆଟିଏ ପରି ପଦ୍ମିନୀକୁ । ଆଉ ବିଦାୟ ଦେଲେ ଝିଅଟିଏ ପରି ।


ଏଇ ଥିଲା ଦ୍ଵିତୀୟ ଥର । କିନ୍ତୁ ପଦ୍ମିନୀ ଯେମିତି ଗେଟ ଖୋଲି ଅପା, ଡାକି ଘର ଭିତରକୁ ପଶିଗଲା ନମିତାକୁ ଲାଗିଲା ସେ ସରାଫ ମ୍ୟାଡାମଙ୍କ ଘରକୁ ଆସିନି, ବରଂ ପଦ୍ମିନୀ ଘରକୁ ଆସିଛି । ଏତେ ସହଜ ପଣ ଦେଖି ଥୋକାଏ ଈର୍ଷା ବି ହେଉଥାଏ ତାର ପଦ୍ମିନୀ ପ୍ରତି । କିନ୍ତୁ ତାଠାରୁ ଢେର ଗୁଣା ବେଶୀ ଖୁସି ଝଳସୁଥାଏ ଆଖିରେ ସରାଫ ମ୍ୟାଡାମଙ୍କୁ ଭେଟିବା ଆବେଗରେ । ସରାଫ ମ୍ୟାଡାମଙ୍କ ଆଦର ସତ୍କାର ପାଇ ହତବାକ ହେଉଥାଏ ନମିତା । ଏତେ ବଡ ଲେଖିକା ଆଉ ଏତେ ସରଳ, ଏତେ ସହଜ ? ବସିବା ଜାଗାରୁ ଉଠିପଡ଼ି ନମିତା ଅପାଙ୍କ ଗୋଡ଼ତଳେ ବସିପଡିଲା ଆଉ ଆଶୀର୍ବାଦ ମାଗିଲା । ଏବେଳେ ପଦ୍ମିନୀ ଚତୁରୀରୁ ଚୋରଣୀ ହେଲା । ଆଉ ଚୁପକିନା ସେଇ ମୁହୂର୍ତ୍ତକୁ ନିଜ ମୋବାଇଲରେ ବାନ୍ଧି ରଖିଲା ସ୍ମୃତିଟିଏ କରି । ଭେଟଭାଟ ପର୍ବ ସରନ୍ତେ, କରିଥିବା ଇଣ୍ଟରଭିଉର କପିଟିଏ ବଢେଇ ଦେଇ ପଦ୍ମିନୀ କହିଲା,-ଅପା ! ଆଜି ମୋର ଜନ୍ମଦିନ । ଏ ଗରିବ ଦୁଆରେ ଆପଣଙ୍କ ପାଦ ପଡ଼ିଲେ ମୋ ଖୁସି ଦ୍ଵିଗୁଣିତ ହୁଅନ୍ତା ।

ପଦ୍ମିନୀ ପାଟିରୁ କଥା ଛଡେଇ ନେଇ ସରାଫ ମ୍ୟାଡାମ କହିଲେ,


-ଝିଅ ଡାକିବ ଆଉ ମାଆ ଯିବନି? ଏମିତି କ’ଣ ହେଇପାରିବ ? ନିଶ୍ଚୟ ଯିବି, ହେଲେ ଗୋଟିଏ ସମସ୍ୟା ।


-କୁହନ୍ତୁନା ଅପା! କି ସମସ୍ୟା ? ସମସ୍ୟା ଅଛି ମାନେ ସମାଧାନ ବି ଥିବ ।


ଶୁଣୁଶୁଣୁ ନେବା ଆଣିବା ଦାୟିତ୍ଵ ତୁଲାଇବା ଥିଲା ସମସ୍ୟା । ପଦ୍ମିନୀ ଏବେ ନିଜକୁ ସମ୍ରାଟ ଭାବୁଥିଲା । ଯେତେବେଳେ ସ୍କୁଟିରେ ନମିତା ଓ ସରାଫ ଅପାଙ୍କୁ ବସେଇ ରାଜ ରାସ୍ତାର ପବନ କାଟି ଆଗକୁ ଆଗକୁ ମାଡି ଚାଲିଥିଲା ପଦ୍ମିନୀ ସତେଯେମିତି ତା ହାତରେ ରଥର ଲଗାମ ଧରିଥିଲା ଆଉ ରଥା ରୋହୀ ସ୍ଵୟଂ ମାତା ଅଭୟପ୍ରଦାୟିନୀ । ଚତୁରୀର ଦୁଇଟା ଯାକ ଗୁଳି ନିଜନିଜ ଲକ୍ଷ୍ୟସ୍ଥଳରେ ବାଜି ସାରିଥିଲା ସେତେବେଳକୁ । ଗୋଟିଏରେ ନମିତାକୁ ସରାଫ ମ୍ୟାଡାମଙ୍କ ସହ ଭେଟ କରେଇବା ଆଉ ଦ୍ଵିତୀୟଟିରେ ନିଜ ଜନ୍ମଦିନରେ ଏପରି ଜଣେ ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଲେଖିକାଙ୍କୁ ନିଜ ଘରକୁ ଆମନ୍ତ୍ରଣ କରିବାରେ ସଫଳ ହେବା । ବିଜୟୀନିର ତିଳକରେ ପଦ୍ମିନୀର ମୁହଁ ଆଉରି ଉଜ୍ଜ୍ଵଳ ଦିଶୁଥିଲା ।

ଘରେ ଅନ୍ୟ ସାଥୀମାନେ ବି ଥାଆନ୍ତି । ସୁମନ, ସୁଧା ଓ ପ୍ରୀତି । କେକ କଟାହେଲା ପରେ ସରାଫ ଅପା ବଢେଇଦେଲେ ଗୋଟିଏ ଉପହାର ପଦ୍ମିନୀ ହାତକୁ । ଖୋଲି ଦେଖେ ତ ସେଇ ବହି । ସରାଫ ମ୍ୟାଡାମଙ୍କ ‘ଶ୍ରେଷ୍ଠ ଗଳ୍ପ’ । ଏବେଳେ ପଦ୍ମିନୀ ଆଖି ନୁହେଁ ଗୋଲାପି ଦିଶୁଥିଲା ତା ଓଠର ଖେଳୁଥିବା ଧାରେ ହସ । ବହିକୁ ଧରି ସେ ଅନେକ ପୋଜ ଦେଲା । ନମିତା, ସୁମନ, ସୁଧା, ପ୍ରୀତି ଓ ସରାଫ ଅପାଙ୍କ ସହ ବୋହେ ଫଟୋ ଉଠେଇଲା । ହେଲେ ସେଦିନରୁ ଗତକାଲି ଯାଏଁ ବହିଟାକୁ ଥରେ ହେଲେ ଲେଉଟାଇନି । ପ୍ରାୟ ବର୍ଷେ ହେବ । ଆଜି କାଇଁ ଇଚ୍ଛା ହେଲା ପଢିବାକୁ ସେ ବହିର କାହାଣୀ । ସରାଫ ଅପାଙ୍କ କାହାଣୀ ଆଗରୁ ପଢିନି ସେ କଥା ନୁହେଁ, କି ଅନ୍ୟ ବହି ୟା’ ଭିତରେ ପଢାପଢି ହେଇନି ସେ କଥା ବି ନୁହେଁ । କାରଣ ପଛର କାରଣ ଜାଣି ନଥିଲା ସେ ଯାଏଁ ପଦ୍ମିନୀ, ଯେତେବେଳେ ସେ ଧ୍ୟାନ ସହକାରେ ପଢୁଥିଲା ବହିର ପ୍ରଥମ ଗଳ୍ପ “ଇଟାଭାଟିର ଶିଳ୍ପୀ” ।


କାହାଣୀଟି ମୁଖ୍ୟତଃ ଚାରି ପାଞ୍ଚଟି ଚରିତ୍ର ଭିତରେ ଘୂରୁଥିଲା । ମାଆ, ପୁଅ, ବାପ, ଦଲାଲ ଓ ମନୋରମା । ଖଟିଖିଆ ଦାଦନର ଗୋଟିଏ ଭିନ୍ନ ପ୍ରେମ କାହାଣୀ, ଯେଉଁଥିରେ ପ୍ରେମିକ ଏକ ୧୨ ବର୍ଷର ମୂର୍ତ୍ତିକାର ଓ ପ୍ରେମିକା ମାଟିର ସୁଗନ୍ଧ । ପ୍ରେମିକ ଓ ପ୍ରେମିକାକୁ ବାନ୍ଧି ରଖିଥିବା ନିଶାର ନାଁ ସରପଞ୍ଚ ଝିଅ ମନୋରମା । ଏ କାହାଣୀରେ ପଦ୍ମିନୀକୁ ପ୍ରେମ କମ ଆଉ ମମତା ବେଶୀ ଦିଶୁଥିଲା । ଭୂମିସୂତାର ମାତୃତ୍ଵ ସ୍ଵାଭାବିକ ଲାଗୁଥିଲାବେଳେ ପଦ୍ମିନୀ ବୁଡି ରହିଥିଲା କାର୍ତ୍ତିକର ପିତୃତ୍ଵଠାରେ । ଗରିବ ହେଇବି ବାବୁ ପ୍ରତି କାର୍ତ୍ତିକର ଡହଳବିକଳ ରହିରହି ଓଦା କରୁଥିଲା ପଦ୍ମିନୀର ନୀଳ ଆଖି ଯୋଡ଼ିଏକୁ ପଦ୍ମିନୀ ନାଁ ତାକୁ ତାର ବାପା ଦେଇଥିଲେ । କାରଣ କ’ଣ ହେଇପାରେ ସେ କଥା ପଦ୍ମିନୀ ନିଇତି ଦର୍ପଣରେ ଖୋଜେ, କିନ୍ତୁ ପାଏନା । ନୀଳ ଆଖି ଯୋଡ଼ିଏରେ ଅଗଣତି କାହାଣୀ ଛଡ଼ା ତାକୁ ଆଉ କିଛି ମିଳେନା । ପଦ୍ମ ପାଖୁଡ଼ା ପରି ସୁନ୍ଦର ନୁହେଁ ତା ମୁହଁ, କୋମଳ ନଥିଲା ତା ଜିଗର । ଭାରି କଠୋର ପଦ୍ମିନୀର ହୃଦୟ । ଆଉ ଟିକିଏ ମସୃଣ ବି । ବେଳ ଅବେଳରେ ଖସିଯାଏ କେଇଟା ଲୁଣ ଖଣ୍ଡ ତା ଆଖିର ନୀଳିମା ଦେଇ । ନଚେତ ସେ ବାଘ ପାଟିରେ ହାତ ପୁରେଇଦେବା ଝିଅ । ସାହସ ବି ଏମିତି, ଯେମିତି ହାତ ବଢେଇ ତୋଳି ଆଣିବ ଚାନ୍ଦକୁ ! ଆଖିରେ ଆଖି ମିଶେଇ ହରେଇଦେବ ମୃତ୍ୟୁକୁ ! ସେ ଯାହା ହେଉ । ସଞ୍ଜ ପ୍ରହରୁ ରାତି ଖାଇବା ସରିଗଲା । ଅଫିସ କାମ ବି କିଛି ପେଣ୍ଡିଂ ନଥାଏ । ତା ଛଡ଼ା ଟି’ ପଏ ଉପରେ କିଏ ସରାଫ ମ୍ୟାଡାମଙ୍କ ବହିଟା ଥୋଇଦେଇ ଥାଏ କେଜାଣି ! ବିକୁ ବୋଧେ ଥୋଇଥିବ । ସେଇ ସଜାଡୁଥିଲା ତା ବହିଥାକ । ପଦ୍ମିନୀର ସବା ସାନ ଭାଇ । ଚାରି ଭାଇ ଭଉଣୀ ଭିତରେ ବିକୁ ହିଁ ବେଶୀ ଗେହ୍ଲା । ସେଇ କାରଣରୁ ସେ ଇଂରାଜୀ ମିଡିୟମରେ ପଢିଲା । ଆଉ ଆଜି ସେ ଖଡଗ ପୁରରେ । ଇଞ୍ଜିନିଅରିଂ ଶେଷ ବର୍ଷ ତାର । ଇନ୍ଫୋସିଟିରେ ତାର ତିନି ମାସିଆ ଟ୍ରେନିଂ ପଡ଼ିଛି । ପୁଳେ ବହି ଖାତା ଆଣି ପଦ୍ମିନୀ ବହି ଥାକରେ ଭାଗ ବସିଛି ସେ ଏଇ କେଇଦିନ ପାଇଁ । ଗୋଟିଏରେ ଅଣ୍ଟିଲାନି ଯେ ପଦ୍ମିନୀର ଚାରି ଛଅଟା ବହି କାଢି ଟି’ ପଏ ଉପରେ ଥୋଇ ଦେଇଛି । ଆଉ ସବା ଉପର ବହିଟି ସରାଫ ମ୍ୟାଡାମଙ୍କ ବହି ‘ଶ୍ରେଷ୍ଠ ଗଳ୍ପ’ ।


ଗପର ପଂକ୍ତି ଏହିପରି -

“ଆଗ ଦିହପା’, ଜୀବନ । ପଛେ ଯାଇ ସବୁ । ସେମାନେ କ’ଣ କରିବେ ? କ’ଣ କରିପାରିବେ ? ଡରିଲେ ଚଳିବ ନାଇଁ । କିଛି ଗୋଟେ କରିବାକୁ ହେବ । ଜିତିଲେ ଜୀବନ । ହାରିଲେ ମରଣ । ବାବୁର ବାପା ଆଗରୁ ବାଟ, ଘାଟ ଠାବ କରିନେଲା । ଆସିଲା ସେ ରାତି । ଅନ୍ଧାର ପାରି ହେବା ରାତି । ଆତଙ୍କର ଭରା ନଈ ପହଁରିବା ରାତି । ଉଠ ପଡ ଛାତି । ଦେବତାଙ୍କୁ ସୁମରଣ କରି ଛାଡ଼ିଲେ ସେମାନେ ଗୁଡସି । ସହଜ ନଥିଲା କିଛି । ପାଦେ ପାଦେ ବିପଦ । ଶୁଣିଲା ସମୟର ଦେବୀ, ସାହା ହେଲା । ଶୁଣିଲା ଜୀବନ ଦେବତା, ରାହା ଦେଲା ।“



ସଂଳାପଟା ପଢା ସରିଛି କି ନାଇଁ, ସୁମି ଧପ କରି ଲିଭାଇ ଦେଲା ଆଲୁଅ । ରୁମର ନୁହେଁ ମ ! ଟିଭିର । ଏ ଅଭ୍ୟାସ ଆକାଶର, ସୁମିର ନୁହେଁ । ମାନେ ଆଗପଛ ବିଚାର ନକରି ଲାଇଟ, ଫ୍ୟାନ, ଟିଭି ସବୁ ଆକାଶ ବନ୍ଦ କରନ୍ତି । ସୁମି ତ ଛେଳି । ଆକାଶ କଥାରେ ହୁଁ ମାରିମାରି ତାକୁ ପଞ୍ଚାବନ । ମାଆ କୁହାରେ ବି ସୁଗୃହିଣୀ ଓ ପତିବ୍ରତା ପାଇଁ ଢେର ଶ୍ରମ କରିଛି । ସତୀ ଓ ସତୀ ବୋଲି ଭାରି ଦରପ ତାର । ହେଲେ ଏଇ କିଛି ଦିନ ହେବ ତା ଭିତରେ ଯେମିତି କେଉଁ ପ୍ରେତାତ୍ମା ସବାର । ନିଜ ସ୍ଵଭାବର ବିପରୀତରେ ତାର ଦିନଚର୍ଯ୍ୟା ଆରମ୍ଭ ହୁଏ, ଆଉ ଶେଷ ବି । ଆଜି ରାତିରେ ବି ନକରିବା କାମ, କଲା ସୁମି । ଆଉ କପାଳକୁ ଟିଭି ଦେଖୁଥିଲେ ଆକାଶ । ସୁମିର ପତିଦେବ । ସଙ୍ଗେସଙ୍ଗେ ଚିହିଙ୍କି ଉଠିଲେ ସେ । ସୁମି ନିଜ ଅସୁସ୍ଥତାର କାରଣ ଦେବା ସତ୍ତ୍ଵେ ଆକାଶ ଥମୁ ନଥାନ୍ତି । ପଦ୍ମିନୀ ତେଣୁ ବାଧ୍ୟ ହେଲା ବହିରୁ ମୁହଁ ଉଠାଇବାକୁ । ଜାଣେ ବାପାମାନଙ୍କୁ ଭଣ୍ଡେଇ ହୁଏନା, ତଥାପି ରିପୋର୍ଟଟିଏ ଖୋଜିବାକୁ କହି ଘଟଣାର ଦିଗ ବଦଳେଇବାକୁ ଚେଷ୍ଟା କଲା ପଦ୍ମିନୀ । ସୁମି ଓ ଆକାଶଙ୍କ ଜ୍ୟେଷ୍ଠ କନ୍ୟା ପଦ୍ମିନୀ ।


-ବାପା ! ବୋଉର ସେ ଡାଇବେଟିସ୍ ରିପୋର୍ଟଟା ଖୋଜି ଦଉନ ! ମୋର ଜଣେ ଡାକ୍ତର ବନ୍ଧୁଙ୍କୁ ଦେଖେଇ ଆଣନ୍ତି !

ଚେଷ୍ଟାରେ କି କେବେ ଫୁଲ ଫୁଟେ ? ବାଦଲ ବରଷେ ? ପଦ୍ମିନୀ ଚେଷ୍ଟା ବି ହାର ମାନୁଥିଲା କ୍ରମେ । କିନ୍ତୁ ପଢୁଥିବା କାହାଣୀରେ ବାପଟିଏର ଆତୁରତା ସେ ସେହି କ୍ଷଣି ପଢିଛି । ଭାବିଲା, ସ୍ତ୍ରୀକୁ ସିନା ଫାଙ୍କି ଦେଇପାରେ ଜଣେ ସ୍ଵାମୀ, ହେଲେ ଝିଅକୁ ଆଡ଼ କରି ପାରିବେନି ଜମା । “ଇଟାଭାଟିର ଶିଳ୍ପୀ” ଗପରେ ବାବୁ ପ୍ରତି କାର୍ତ୍ତିକର ଡହଳବିକଳ କଥାକୁ ମଜ୍ଜାରେ ଢୁକେଇ ନିଜ କଥାକୁ ପୁଣି ଥରେ ଦୋହରେଇଲା ପଦ୍ମିନୀ ।


-ବାପା ! ମନୋରଞ୍ଜନଠୁ ବୋଉର ସୁସ୍ଥତା ଜରୁରୀ ନୁହେଁ କି ? ତିନି ଦିନ ହେଲାଣି କହିଲାଣି ସେ । ରିପୋର୍ଟଟା ଦେଇଦେଲେ ତ କଥା ସରନ୍ତା ! ଖୋଜି ଦଉନ !


ଅନିଚ୍ଛା ପରେ ଯଦି ଜିଦ୍ ଘନାଏ, ତେବେ ପରିଣାମ କେବଳ ଦୁର୍ଘଟଣାର ରୂପ ନିଏ । ଏକଥା ବୋଧେ ସେଇ ମୁହୂର୍ତ୍ତରେ ବିସ୍ମରି ଯାଇଥିଲା ପଦ୍ମିନୀ । ଆଉ ଦେଖୁ ଦେଖୁ ଘଟିଗଲା ଗୋଟାଏ ଅଘଟଣ । ଆକାଶ ଫାଟିଲା ପରି ଫାଟିଲା ସାରା ଘର । ବର୍ଷା ବିନ୍ଦୁ ନୁହେଁ ଚଟାଣ ଲୁଣି ଲୁହରେ ସର ସର । ଅଘଟଣରେ ଆପାତତଃ କେହି ନିହତ ହେଲେନି ସତ, କିନ୍ତୁ ଆହତ ହୋଇଥିବା ବରିଷ୍ଠ ସମ୍ବାଦିକା ପଦ୍ମିନୀ ଭାବୁଥିଲା ପୁଣିଥରେ ମନେ ମନେ । ତା' ନାଁ ପଦ୍ମିନୀ ଦେବା ପଛର କାରଣ କ’ଣ ହେଇ ଥାଇପାରେ !



ପଦ୍ମିନୀ ନମିତା ସମ୍ରାଟ ପିତୃତ୍ଵ ପତ୍ନୀ ପୁସ୍ତକ ପ୍ରଭାବ

Rate the content


Originality
Flow
Language
Cover design

Comments

Post

Some text some message..