Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Sashi Bhushan Mohapatra

Tragedy

5.0  

Dr.Sashi Bhushan Mohapatra

Tragedy

ମନର ଉପ କଥା

ମନର ଉପ କଥା

10 mins
726



           ସମସ୍ତଙ୍କର ଆଖି ତା' ଉପରେ | କି’ଏ ତା' ଆଖିରେ ଆଖି ମିଳାଇବାକୁ ଚାହେଁ ତ କି’ଏ କୁକୁର ଭଳି ପଛରେ ଗୋଡ଼ାଏ | ସେ ଯେମିତି ଗଛର ପାଚିଲା ଫଳଟିଏ, ପକ୍ଷୀମାନେ ଅନାଇଛନ୍ତି ଖୁମ୍ପି ଖାଇବାକୁ ଅବା ଫୁଲଟିଏ ଭଅଁରମାନେ ଅନେଇଛନ୍ତି ମହୁ ଶୋଷିବାକୁ |ଏ ଭୁଲ କାହାର? ତା'ର ନା ସେମାନଙ୍କର | କାହାକୁ ଦୋଷ ଦେବ ? ଦୋଷ କରିଥିବା ଲୋକତ ପାଖରେ ନାହିଁ |ସେ ଅନାଇଲା ନାହିଁ , ଯିଏ ସୁଖ ଦୁଃଖରେ ଭାଗି ହେବ ବୋଲି କଥା ଦେଇଥିଲା | ଯାହାକୁ ସେ ଆପଣାର କରିଥିଲା |

          ଅନ୍ୟମାନଙ୍କୁ ଦୋଷ ଦେଇ ଲାଭ କ’ଣ ? ଯାହାପାଇଁ ଏ ଫଳ ପାଚିଥିଲା ଯଦି ସେ ନଖାଇଲା, ବିଲୁଆପରି ଅନ୍ୟମାନେ ଲାଳ ଗାଡ଼ାଇଲେ ତାହେଲେ ସେମାନଙ୍କର ଭୁଲ ରହିଲା କେଉଁଠି ?ତେବେ ସେ କ’ଣ ଫଳଟିଏ ଯିଏ ଚାହିଁବା ଆମ୍ବ ପରି ଝୁଣିଯିବ| ସେ କ’ଣ ଫୁଲଟିଏ ଯେ, ଯେକେହି ବାସ୍ନା ବାରିଯିବ ? ସେ ଫୁଲ ନୁହଁ କି ଫଳ ନୁହଁ,ସେ ଗୋଟିଏ ନାରୀଟିଏ ମଣିଷ ରୁପରେ |

           ଜୀବନର ମୂଲ୍ୟ କ’ଣ କିଛି ନାହିଁ ?ଜନ୍ମ ହେବା, ମରିବା ଏବଂ ତାଭିତରେ ଧଇଁ ସଇଁ ହୋଇ ବଂଚିବା କ’ଣ ଜୀବନ |ଜଣେ କେହି କହି ଥିଲେ, ଜୀବନ ଆନନ୍ଦମୟ ତେବେ ତାର ଜୀବନ ଏତେ ଯନ୍ତ୍ରଣାମୟ କାହିଁକି? କାହିଁ କେହିତ ତା' ଭଳି ସଢୁ ନାହାନ୍ତି | କେହିତ ତା’ ଭଳି ଦହଗଞ୍ଜ ହେଉନାହାନ୍ତି,ସେ ତେବେ ଏତେ ଉଦାସ କାହିଁକି ? ଅନ୍ୟମାନଙ୍କ ପରି ସେ କଣ ହସି ପାରିବନି,ବଂଚିପାରିବନି?ସେ ନିରୁପାୟ କ’ଣ ପାଇଁ,କ’ଣ ପାଇଁ ସେ ଦ୍ରୁବଳ ? ଅନ୍ୟ ମାନଙ୍କପରି ସେ ବି ମଣିଷଟିଏ, ଫରକ ଏତିକି ଯେ ସେ ସମ୍ପୂର୍ଣ ଏକା | ନିହାତି ଏକଲା, ଯେଉଁ ସମୟରେ କେହି ଏକା ଏକା ରହିନଥାନ୍ତି | 

           ସାଥିଟିଏ ସେ ପାଇଥିଲା |ପକ୍ଷୀ ପକ୍ଷୀଣି ପରି ନୀଡ଼ଟିଏ ରଚିଥିଲେ |ଚକୋର ଚକୋରି ପରି ଅନେକ ରାତି ଉଜାଗର ରହିଥିଲେ |ଗୋଟିଏ ସ୍ବପ୍ନ ଦୁହେଁ ମିଶି ଦେଖିଥିଲେ | ଘର ଭାଙ୍ଗି ଗଲା,ସ୍ବପ୍ନ ହଜିଗଲା ,ରାତି ପାହିଗଲା ,ମନର ମଣିଷ ବି କାହିଁ କେଉଁ ଆଡେ ଉଭେଇଗଲା|

           ଯୌବନର ତାତିରେ ଏବେ ଦେହରେ ଖଇ ଫୁଟୁଛି |ଜୀବନ ତା'ର ବିଳାପ କରୁଛି |ମନ ଆଉ ବାଡ଼ ବତା ମାନୁନି |ତାର ବି ତ' ଗୋଟେ ଦେହ ଅଛି ,ମନ ଅଛି |କେତେ ଲଗାମ ଦେବ | ଏ ବୟସରେ କିଏ କ’ଣ ଏମିତି ଏକା ଏକା ଜୀବନ କଟୁଥିବ, କେଜାଣି?ସେ ବୋଧ ହୁଏ ଏକ ବ୍ୟତିକ୍ରମ |ସାଥି ହରା ପକ୍ଷୀଟିଏ | ଏକା ଏକା କେତେ ଉଡ଼ିବ ? ଉଡି ଉଡି ହାଲିଆ ପ୍ରାୟ |ଏମିତି ହାଲିଆ ହୋଇ ତଳେ ଖସି ପଡିବା ଅପେକ୍ଷା କାହା ପଞ୍ଜୁରୀରେ ଧରାଦେବା ଶ୍ରେୟସ୍କର|

           ବସି ବସି ସାରୀ କେତେ କଥା ଭାବୁଥିଲା |ଏଇ କିଛି ବର୍ଷ ତଳେ ତାର ବିଭାଘର ହୋଇଥିଲା ରଘୁଆ ସହ, ଅଗ୍ନିକୁ ସାକ୍ଷୀ ରଖି |କି ରୋମାଞ୍ଚ ନଥିଲା ସେଦିନ !ମନ୍ତ୍ର ଉଚ୍ଚାରଣ ଏବଂ ହୁଳ ହୁଳିର ଶବ୍ଦରେ ଦି ଦିଟା ଜୀବନ ପରସ୍ପରକୁ ଯୋଡି ହୋଇ ଯାଇଥିଲେ |ବାହାଘର ପୂର୍ବରୁ ଭାବିଥିଲା ବେଦି ମୂଳେ ଘଣ୍ଟ ଘଣ୍ଟା ବସିବା କେତେ କଷ୍ଟ ,ଓଢଣା ଭିତରେ ଦି ପାଦ ଚାଲିବା କେତେ କଷ୍ଟ |ସେ ପାରିବନି କିନ୍ତୁ ସେଦିନ ସେ ଠିକ ପାରିଥିଲା |କାହିଁ କିଛିତ କଷ୍ଟ ଅନୁଭବ କରିନଥିଲା ବରଂ ଓଢଣା ଭିତରେ ଅତି ସହଜ ଅନୁଭବ କରିଥିଲା |ଅନେକ ସ୍ବପ୍ନ ଦେଖି ଥିଲା |ପଣତ କାନିରେ ତାର ହୃଦୟର ମଣିଷକୁ ସବୁଦିନ ଘୋଡାଇ ରଖିବ ବୋଲି ଏକ ପ୍ରକାର ଶପଥ ନେଇଥିଲା |ତା' ମଣିଷ ଗୋଟାପଣେ ତାର ଆଉ ସେବି ଗୋଟାପଣେ ତା' ମଣିଷର |

           ଏବେ କଣ ହେଲା ?ତା' ପ୍ରାଣ ର ମଣିଷ ସବୁ ସ୍ୱପ୍ନକୁ ଦଳି ଚକଟି ଦେଲା |ମଧୁ ମକ୍ଷି ପରି ଗୋଟିଏ ଫୁଲରୁ ଯାଇ ଆଉ ଗୋଟିଏ ଫୁଲରୁ ମଧୁ ଶୋଷିଲା |ସତେ ଯେମିତି ଫୁଲ ସବୁ ଶୋଷ ମେଣ୍ଟାଇବା ପାଇଁ ଫୁଟୁଛି|

           ମନେ ପଡୁଛି ବିନି କଥା| ସେ ବହୁତ ପୂର୍ବରୁ ବାହା ହୋଇଥିଲା |ତା' ବର କିନ୍ତୁ ତାକୁ ଛାଡି କେଉଁଆଡେ ପଳାଇଗଲା ଆଉ ଆସିଲା ନାହିଁ |ସେଦିନ ସେ ବିନି କୁ କହିଥିଲା, ତୁ ନିହାତି ବୋକୀଟେ ତାକୁ ତୋ କାନିରେ ବାନ୍ଧି ରଖିପାରିଲୁନାହିଁ |ତୋ ରୂପରେ ମୋହି ପାରିଲୁନି ତେଣୁ ସେ ଛାଡି ଜିବେନିତ ଆଉ କ'ଣ ତୋ ସହିତ ରହିଥାନ୍ତେ ?ଏବେ କିନ୍ତୁ ସେ ତା’ ଭଳି ଦଶା ଭୋଗୁଛି |ସେ କାହିଁକି ବାନ୍ଧି ରଖି ପାରିଲାନି ?ତାର ରୂପ କ'ଣ ନଥିଲା ନା ଯୌବନ ନଥିଲା |ସବୁତ ସମର୍ପି ଦେଇଥିଲା |ତେବେ ରଖିପାରିଲାନାହିଁ କାହିଁକି ?ଏ ଦୋଷ କ’ଣ ତାର ?ଏମିତି ଅନେକ ପ୍ରଶ୍ନ ତାକୁ ସର୍ପ ପରି ଦଂଶନ କରୁଥିଲା |

           ସେ ଚାଲିଗଲା ତା' ବାଟରେ |ଟିକେବି ତାକୁ ଚାହିଁଲାନି ,ଭାବିଲାନି ସେ ବଂଚିବ କେମିତି ?ଦୁହେଁ ଲଗାଇଥିବା ଗଛଟି ବଂଚିବ କେମିତି ?କେଉଁ ବଙ୍ଗାଳି ଝିଅଟିଏ ଫସାଇ ନେଇଗଲା ତାକୁ ସୁଖରେ ରଖିବ ବୋଲି |କେଉଁ ସୁଖ ପାଇବା ତାକୁ ଜଣ ?ସେ ତା’ ସୁଖରେ ରହିଥାଉ ,ନ ଆସୁ |ଏବେ ସେ ସୁଖରେ ଅଛି |ତା' ଓଠରେ ହସ | ତା' ପୁଅ ଆଜି ମାଟିରେ ପାଦ ଥାପିଲାଣି |ତା' ହାତରେ ହାତ ଥାପି ଗୋଡ ହାତ ସଳଖିଲାଣି |ସେଇ ତାର ଜୀବନ |ତା' ହୃଦୟର ଗଣ୍ଠି ଧନ,ଏକୋଇରବଳା ବିଷିକେଶନ |ତାକୁ ସେ ମଣିଷ ଭଳି ମଣିଷ କରିବ |ତା' ଆଖିର ଲୁହକୁ କୁନି କୁନି ହାତରେ ପୋଛିବ |ସେ ହସିବ ଏବଂ ସେ ହସରେ ଆଉ କାହାକୁ ଭାଗ ବସାଇବାରେ ସାମିଲ କରିବନି |

           କେମିତି ବଂଚିବ ?ଏତେବଡ଼ ସହରରେ କିଏ ଅଛି ନିଜର ? ଦି ମୁଠା ଆହାର ଯେଉଁଠି ସ୍ବପ୍ନ ସେଠି ତା' ପୁଅ କୁ କେମିତି ପାଳିବ ?କାମ କେଉଁଠୁ ମିଳିବ ?କି'ଏ ଦେବ ସାହାରା ?ସମସ୍ତଙ୍କର ନଜର ତା' ଦେହ ଉପରେ |କି'ଏ କଣେଇ ଚାହୁଁଛିତ କିଏ ଘଷି ହୋଇ ଯାଉଛି |କି'ଏ ଖଣ୍ଡି କାଶ ମରିଛିତ କି'ଏ ଇସାରା ଦେଉଛି |ଏମିତିକି ବୟସରେ ସାନ ପିଲାମାନେ ବି ଇସାରା ଦେବାକୁ ପଛାଉନାହାନ୍ତି |ସତରେ ସେ ଏତେ ସୁନ୍ଦରୀ !ଏ ତେବେ ତାର ଦୋଷ ନୁହେଁ ,ଦୋଷ ଏଇ ଯୌବନ ଭରା ଶରୀରର !ତେବେ ତା' ମଣିଷ କାହିଁ ଏ ସୌନ୍ଦର୍ଯ୍ୟରେ ଅଟକି ଗଲାନି ?ଏବେ ଏସବୁ ଚିନ୍ତା କରିବାରେ କିଛି ମାନେ ନାହିଁ |ସେ କେବଳ ମହିଳାଟିଏ ନୁହେଁ ,ମା'ଟିଏ ମଧ୍ୟ | ମାତୃତ୍ଵ ତାର ବିଳପି ଉଠୁଛି |ତା' ଶୁଖିଲା ସ୍ତନରୁ କୋଉ ଅମୃତ ଝରିବ ଯେ ସେ ତା' ପୁଅ ପାଇଁ ନିଗାଡ଼ିଦେବ |ନ ଝରୁ ଟୋପାଏ ,ସେ ଶୋଷିନେଉ ତାର ରକ୍ତ ମାଂସ | ସେଥିରେ ଆନନ୍ଦ ଅଛି,ମାତୃତ୍ଵ ଯାହିରି କରିବାରେ ସୁଖ ଅଛି | ସେ ଏକ ଭିନ୍ନ ଆବେଗ ସୃଷ୍ଟିକୁ ବଞ୍ଚାଇ ରଖିବାରେ |ମା'ତ ସର୍ବସଂହା ,ସୃଷ୍ଟି ପାଇଁ ସବୁ କଷ୍ଟ ସହିପରେ |

           କେତେ ଦିନ ଏମିତି ଭୋକ ଉପାସରେ ବଂଚିବ ?ଦେହକୁ ମୋଡ଼ି ମକଚି ଚିରା ଫଟା ଶାଢ଼ୀ ଭିତରେ କେତେଦିନ ଲୁଚାଇ ରଖିବ ? ଦେହ ପାଇଁ ଆହାର ମୁଠେ ଦରକାର |ଆହାର ଦେବା ପାଇଁ ସେମାନଙ୍କର ଦେହ ଦରକାର |ଜୀବନ ପାଇଁ ଏଦୁଇଟା ଦରକାର |

ଦୁଇଟା ଜୀବନ ବଂଚିବା ପାଇଁ ଗୋଟିଏ ଦେହ ବାଜି ପଡିଲେ ପାପ ରହିଲା କେଉଁଠି ?ପୁଅ ତାର ସିଧା କରି ଛିଡା ହେବ |ଅନ୍ୟମାନ ଙ୍କ ଭଳି ମିଠାଈ, ବିସ୍କୁଟ ଖାଇବ ଏବଂ ସ୍କୁଲକୁ ଯିବ |ସେ ବି ମା' ମା' ଡାକିବ |ମା' ମା' ଡାକରେ ତା' ଛାତି କୁଣ୍ଢେ ମୋଟ ହେବ| ସେଥିରେ ସେ ହେଳା କରିବ କାହିଁକି?

           ମୁନିସପାଲଟି ଘର ଭାଙ୍ଗିବାକୁ ଧମକ ଦେଲା |ତାରି ଆଖି ଆଗରେ ତାର ଛୋଟିଆ ବସାଟିକୁ ମାଟିରେ ମିସାଇଦିଆଗଲା |ଚାରିଆଡ ଅନ୍ଧାର ଘୋଟିଗଲା |କେହି ଜଣେ ସାହାରା ଦେବା ସର୍ତ୍ତରେ ସବୁ ଲୁଟିନେଲା |ଦେହ ଗୋଟିଏ କଣ୍ଢେଇ ପାଲଟିଗଲା |ପ୍ରଥମେ ପ୍ରଥମେ ଭାରି ଅଡୁଆ ଲାଗୁଥିଲା |ତାପରେ ସବୁ ଦେହସୁହା ହୋଇଗଲା |ଆଉ ଅଡୁଆ ଲାଗୁନି |ବଂଚିବାର ସେଇ ଗୋଟିଏ ପନ୍ଥା ତା ଆଗରେ ରହିଲା |ଏଥିରେ ପାପ ରହିଲା କେଉଁଠି ?ସେ ତ ଦେହର ଜ୍ୱାଳା ମେଣ୍ଟାଉ ନାହିଁ ବରଂ ଦୁଇଟା ପେଟର ଜ୍ୱାଳା ମେଣ୍ଟାଉଛି |ଦେହର ଜ୍ୱାଳା ଲିଭାଇବା ପାଇଁ ସେମାନେ ଫୋପାଡିଲେ ଆହାର |ଆହାର ତ ଲକ୍ଷ୍ମୀ ,ସେ ଯାହା ଗୋଟାଇ ଆଣିଲା |ତାପରେ ସେ ଶ୍ରୀମୟୀ ହେଲା |

           ବସନ୍ତ ଏବେ ପୁଣି ତା' ଉପରେ ସବାର ହେଲା |ସେ ନିଜକୁ ଇର୍ଷା କଲା |କେତେ ବଦଳି ଯାଇଛି ସତେ! ଖରାର ତାତି ସହି ପାରୁନଥିବା ଦେହ ଏବେ ସମସ୍ତଙ୍କର ତାତି କୁ ଦେହରେ ଖେଳାଇ ଦେଉଛି | ସମସ୍ତଙ୍କ ଗରମ ନିଶ୍ୱାସକୁ ସହି ଯାଉଛି |ଯିଏ ଯେମିତି ନଚାଉଛି ସେମିତି କଣ୍ଢେଇ ପରି ନାଚୁଛି |ତା' ପୁଅ ପାଇଁ ରୋଜ ବିସ୍କୁଟ ଆଣୁଛି , କଣ୍ଢେଇ ଆଣୁଛି |ତା' କୁନି କୁନି ପାଦରେ ଜୋତା ପିନ୍ଧାଇ ପାରୁଛି |ନିଜେ ନୂଆ ଶାଢ଼ୀ ପିନ୍ଧି ପାରୁଛି |ସ୍ନୋ ,ପାଉଡର ,ଅତର ଲଗାଉଛି |ଆଇନାରେ ବାରମ୍ବାର ମୁଂହ ଦେଖୁଛି |ଏବେ ସେ ବଞ୍ଚୁଛି ଯେମିତି ସମସ୍ତେ ବଂଚୁଛନ୍ତି | ତା' ପୁଅ ମୁଁହରେ ଚେନାଏ ହସ ଦେଖି ଆତ୍ମହରା ହେଉଛି| ଅନ୍ୟମାନଙ୍କ ପରି ହସୁଛି,ସ୍ଵପ୍ଣବି ଦେଖୁଛି |ପୁଅ ତାର ଆକାଶ ରେ ଉଡ଼ିବ |ଭଗବାନ ତାକୁ ଆଶିଷ ଦିଅନ୍ତୁ ସେ ଉଡୁ ଯେଉଁ ପର୍ଯ୍ୟନ୍ତ କେହି କେବେ ଉଡିନଥିବେ |

ପୁଅକୁ ଏବେ ପାଞ୍ଚ ବର୍ଷ |ସେ ଖେଳୁଛି,ବୁଲୁଛି,ହସୁଛି ତା' ମନରେ ଆନନ୍ଦ ଭରି | ପୁଅ ଆଜି ପଚାରୁଛି -

ମା' ମୁଁ ସ୍କୁଲ କୁ ଯିବି ?

-ହଁରେ ମୋ ଧନ |

ମା' ମୁଁ ବହୁତ ପାଠ ପଢ଼ିବି -

-ହଁରେ ବାପା

ମା' ମୋତେ ରୋଜ ଚକଲେଟ ଦେବୁ

ଦେବିରେ ମୋ ବୁଢା |ତୁ ଯାହା ଚାହିଁବୁ ଦେବି | ବହି ଦେବି,ଖାତା ଦେବି,କଲମ ଦେବି |ତୁ ପଢ଼ିବୁ ,ବହୁତ ପଢ଼ିବୁ, ସମସ୍ତଙ୍କଠୁ ଅଧିକ |ହାକିମ ହେବୁ ତୁ |

ମା' ମୁଁ ଆକାଶକୁ ଯିବି |ଜହ୍ନ ରାଇଜକୁ ଯିବି |ସେଠି ରାଜା ହେବି |

-ହଁରେ ମୋ ରାଜା |ତୁ ରାଜା ହେବୁ |ତୋ ପାଇଁ ରାଣୀ ଆଣିଦେଵି|

ମା ରାଣୀ ମାନେ କ'ଣ ?

ରାଜାଙ୍କ ସ୍ତ୍ରୀଙ୍କୁ ରାଣୀ କୁହନ୍ତି |

ମା' ତାହେଲେ ମୋ ପାଇଁ ଗୋଟେ ରାଣୀ ଆଣିଦେ |

ହସିଲା ସାରୀ |କେତେ ସରଳ ତାର ଧନମଣି |ଏଡ଼େ ବକୁଟେ ହୋଇ କେତେ କଥା କହୁଛି |କେତେ କଥା ପଚାରୁଛି |ହେ ଭଗବାନ ! ତାକୁ ତୁମେ ରାଜା କର |

ମା' କ'ଣ ଭବୁଛୁ ?ମୋ ପାଇଁ ଆଣି ଦେବୁ ?

ହଠାତ ଭବନରୁ ଓହରି ଆସିଲା ସାରୀ |ଉତ୍ତର ଦେଇ କହିଲା- ହଁରେ ଧନ ତୋ ପାଇଁ ଆଣିଦେଵି |ଏବେ କ'ଣ କି'ଏ ଆଣି ରଖେ ?ବଡ ହେଲେ ତୋ ପାଇଁ ଆଣିଦେଵି |ଆଗେ ତୁ ରାଜା ହୁଅ |ତୋର ସୁଖ ଦେଖି ଦେଖି ମୁଁ ମରିଯିବି |

ମା' ତୁ ମରିବୁ!

-ହଁରେ ବାପା |

ମା' ସମସ୍ତେ ମାରନ୍ତି-

-ହଁ ମୋ ଧନ

ମା' ମୁଁ ବି -

-ନାରେ ମୋ ଧନ |ତୁ ସେମିତି କହନା |ସେ କଥା ତୁଣ୍ଡରେ ଧରନା |ତୋତେ ଷଠୀ ଦୁଛେଇଁ କୋଟି ଆୟୁଷ ଦେଇଥାନ୍ତୁ |

           ପୁଅ ତାର ସେଦିନ ପ୍ରଶ୍ନ ପଚାରି ପଚାରି ସୋଇ ପଡିଲା |କୋଳରେ ଜାକି ଧରି ଘନ ଅନ୍ଧାର ଭିତରେ ସାରୀ ସ୍ୱପ୍ନର ସାକାର ରୂପ ଖୋଜୁଥିଲା |

           ପୁଅ ତାର ଆଜି ସ୍କୁଲରେ ଭର୍ତି ହୋଇଛି |ହାତରେ ସିଲଟ ଧରି ଡେଇଁ ଡେଇଁ ସ୍କୁଲ କୁ ଯାଉଛି |ଏ ସବୁ ଦେଖି ସାରୀ ଆଖିରୁ ଲୁହ ଜକେଇ ଆସୁଛି |ଅନେକ ଦିନ ପରେ ମନ ଆନନ୍ଦରେ ନାଚି ଉଠୁଛି |ସବୁଦିନ ଭଳି ଆଜି ବି ଯାଇଛି |ଖରାବେଳରେ ଏକଲା ସୋଇ ରହି ଭାବୁଛି ତା' କଥା |କେମିତି ବସ୍ତି ସାରା ତା' ନାଁ ରେ ଟୁପୁରୁ ଟାପୁର ହେଉଛନ୍ତି |ସେ କୁଆଡେ ବାରଙ୍ଗନା,କଳକିଂନୀ,ତା' ପାଇଁ ସାରା ବସ୍ତି ଆଜି ଅପବାଦରେ ପଡୁଛି ଉଠୁଛି |

           ମନେ ମନେ ହସୁଛି ସେ ବେଶ୍ୟା ବୋଲି |ଝିଅଟିଏ ଥିଲା ସ୍ତ୍ରୀଟିଏ ହେଲା ଏବଂ ତାପରେ ମା'ଟିଏ ହେଲା ଏବେ ପରଦାରୀଟିଏ ତାକୁ କିଏ କଲା ?ସମାଜରେ ମୁଖା ପିନ୍ଦିଥିବା ମଣିଷଙ୍କ କଥା ଭାବୁଥିଲା |କେମିତି ପଶୁ ଭଳି ସେମାନେ ଖିନ ବିନ କରୁଛନ୍ତି ତାରି ଭଳି ଅସହାୟ ଶାରୀମାନଙ୍କୁ |ସେ ତ ସୀତା ,ସାବିତ୍ରୀ ହୋଇ ରହିପାରିଲାନି,ସେମାନେ କେଉଁ ରାମ, ସତ୍ୟବାନ କି ?ସମାଜ ଖାଲି ସାରୀ ଭଳି ଅସହାୟ ନାରୀମାନଙ୍କୁ ଘୃଣା କରି ଜାଣିଛି ହେଲେ କେବେ ସେମାନଙ୍କୁ ନୁହେଁ |

ସାରୀ ନିଜକୁ ପ୍ରଶ୍ନ ପଚାରୁଥିଲା କାହିଁ ସେ ତ ନିଜକୁ ଘୃଣା କରୁନି |ସେ ତା ସଂସାର ଭିତରେ ବେସ ଭଲରେ ଅଛି |ମନ ତାର ନିଷ୍ପାପ ,ହେ ଭଗବାନ ଏ ଶରୀରରୁ ମୁକ୍ତି ଦିଅ |

           ଏମିତି ଏକ ଖରାବେଳେ କବାଟରେ କାହାର ଖଟ ଖଟ ଶବ୍ଦ ଶୁଣିଥିଲା |କବାଟ ଖୋଲି ଦେଖିଲାତ ତାର ଘର ଛଡା ମଣିଷ ଛଅ ବର୍ଷ ପରେ ତା' ଆଗରେ ଖୁଣ୍ଟ ଭଳି ଛିଡା ହୋଇଛି |ଆଗର ରୂପ ଆଉ ନାହିଁ |

ମୁଂହରୁ କଥା ବାହାର କରି କହିଲା- ସାରୀ ମୁଁ ଫେରି ଆସିଛି |

ରଖ ତୋର ସାରୀ ଡାକ | କେଉଁଥିପାଇଁ ଆସିଛୁ ? ମୁଁ ତୋର କି’ଏ? ତୁବା ମୋର କି’ଏ ?

-ମୁଁ ତୋ ରଘୁ ,ରଘୁଆ |

ସାରୀ କହିଲା ସେ ସରାଗ କଥା ରଖ ତୋ ପାଖରେ | ସେ କଥା ନୂଆ ନୂଆ ବାହାଘର ବେଳେ ଭଲ ଲାଗୁଥିଲା ଏବେ ଯା ଆଉ କାହାକୁ କହିବୁ|

           ଭୁଲ ମାଗିଥିଲା ରଘୁ,କ୍ଷମା କରିବା ପାଇଁ ନେହୁରା ହୋଇଥିଲା ସେଦିନ |ସାରୀ କିନ୍ତୁ କିଛି ଶୁଣି ନଥିଲା |କେଉଁଥି ପାଇଁ ଶୁଣିବ ?ସେଦିନ ସେ କେତେ କାକୁତି ମିନତୀ ହୋଇଥିଲା କାହିଁ ସେତ ଶୁଣି ନଥିଲା |ପେଟରେ ବଢୁଥିବା ଛୁଆଟା କଥା ଭାବି ନଥିଲା |ଏବେ କାହିଁକି ଧାଇଁ ଆସିଛି ?ମୋ ଧନ କୁ ଦେଖି ଲୋଭ ହେଲାକି ?ଫେରିଯା,ଯେମିତି ଯାଇଥିଲୁ ସେମିତି ପଳା, ସାରୀ ଜଵାବ ଦେଲା |

ସାରୀ ସେ ମୋତେ ଛାଡି ଚାଲି ଗଲା | ମୋତେ କ୍ଷମା କର |ମୁଁ ବହୁତ ଦଣ୍ଡ ପାଇଲିଣି |

           ନାଗୁଣୀ ପରି ଫୁତ୍କାର କରି ସାରୀ କହିଲା ପଳା ଏଠୁ |ମାଈପ ସୁହାଗ ଆଉ ହଅନା | ତୋ ଭଳି ଅନେକ ମରଦ ଦେଖିଲିଣି ଆଉ କଅଁଳ କଥା କହନା | ଆହୁରି ଦଣ୍ଡ ପାଇବୁ |ଏତିକି କହି ସାରୀ ଧଡ଼ କରି କବାଟ ବନ୍ଦ କରିଦେଲା |ବାହାରୁ ଖାଲି ସାରୀ ସାରୀ ଶବ୍ଦ ଶୁଭୁଥିଲା |

           ଆଖିରୁ ତାର ଦିଟୋପା ଲୁହ ଗଡିପଡିଲା |ସେ ଲୁହ ଭାରି ତତଲା ଥିଲା |କାନିରେ ଲୁହ ପୋଛି ପୋଛି ଭାବିଥିଲା କୋଉ ମନ ଅଛି ଯେ ତାକୁ ରଖିଥାନ୍ତା |ମନ କେଉଁଦିନୁ ଭାଙ୍ଗି ଖପରା ହେଲାଣି ଆଉ ଯୋଡ଼ିଲେ କଣ ହେବ |କେଉଁ ସୁଖ ସରାଗ ଅଛିଯେ ତା' ଛାତି ରେ ମୁଂହ ଗୁଂଜି ରାତି ପୁହାଇ ଦେବ |କଳଙ୍କିତ ଜୀବନରେ ସେ ସବୁର କେଉଁ ସୁଖ ଅଛି ?କେଉଁ ଗ୍ୟାରେଣ୍ଟି ଅଛି ସେ ରହିବ ?ପାଳାଇଯିବ ଯଦି; ଜୀବନ ସାରା କାନ୍ଦିବା ସାର ହେବ |ଦେହଟା କୋଉ ଆଉ ତାର ହୋଇ ଅଛି ଯେ ସେଥିରେ ସ୍ୱାମୀ ସୁହାଗ ରଖିବ | ଏ ସାରୀ ତ ସମସ୍ତଙ୍କର ,ସମସ୍ତେ ତାକୁ ପୋଷା ମନାଇଛନ୍ତି |ସେ ଏବେ ସମସ୍ତଙ୍କ ହାତରୁ ଆହାର ଗୋଟାଉଛି | ହଠାତ ପୁଅ ର ମା' ମା' ଶବ୍ଦ ରେ ଚମକି ପଡିଲା ସାରୀ !କେତେବେଳେ ସ୍କୁଲ ଛୁଟି ହୋଇଗଲାଣି ଜଣା ନାହିଁ |ପୁଅ ଆସି ଆଗରେ ଛିଡା ହୋଇଛି |ଜାବୁଡି ଧରି ପଚାରୁଛି ମା' ମା' ମୋତେ ତୁ ଆଜି ଗୋଟେ କଥା କହିବୁ |ସାରୀ କହିଲା -ଏତେ ବ୍ୟସ୍ତ କାହିଁକି ,ହାତ ,ମୁଂହ ଧୋଇ ହୋଇ ଖାଇ ସାରିଲେ ପଚାରିବୁ ?

ନା' ମା' ତୁ ଏବେ ନକହିଲେ ମୁଁ ଖାଇବି ନାହିଁ|

ତୁ ଏମିତି କଣ ପଚାରିବୁ ଯେ ମୁଁ କହିବିନି |ପଚାରିଲେ ତୁ ପଚାରିବୁ ଚକ ମାନେ କଣ ,ଅଖ ମାନେ କଣ |ଏଇଆ ନା ଆଉ କଣ ?

-ନା ମା' ଏ ସବୁ ନୁହେଁ |

ତାହେଲେ ଆଉ କଣ ?

ମା ବେଶ୍ୟା ମାନେ କଣ ? ତୁ ଗୋଟେ .....

            ଚମକି ପଡିଲା ସାରୀ | ମୁଣ୍ଡ ତାର ଝାଇଁ ଝାଇଁ ମାରିଲା |କି'ଏ ତାକୁ ଏ କଥା କହିଲା ?ଏଡ଼େ ବକଟେ ପିଲା ମୁଣ୍ଡରେ କି'ଏ ବିଷ ଭରିଲା |ତାକୁ ଯେମିତି କି'ଏ ତାଠୁ ଛଡାଇ ନେଉଛି |ଆଖି ତାର ଛଳ ଛଳ ହୋଇ ଗଲା |

-ମା',ଏ ମା' ତୁ ଉତ୍ତର ଦେ |ମୋତେ ଆଜି ପିଲା ଖେଳାଇଲେ ନାହିଁ |ଦୂର ଦୂର କଲେ |ବେଶ୍ୟାର ପୁଅ ବୋଲି ପାଖରେ ପୁରାଇଲେ ନାହିଁ |

           ସାରୀ ଆଖିରୁ ଟୋପା ଟୋପା ତତଲା ଲୁହ ନିଗାଡ଼ି ଆସିଲା |ଜାକି ଆଣିଲା ତାକୁ କୋଳକୁ |ସେ କିନ୍ତୁ ଖସି ଗଲା ତା' କୋଳରୁ | କୁହ ମା' ବେଶ୍ୟା ମାନେ କ'ଣ ? ଏହାର ଉତ୍ତର ସେ କ'ଣ ଦେବ ?ଉତ୍ତର କ'ଣ ଦେଇହୁଏ ?ହାରିଗଲା ସାରୀ |ତା' ଜୀବନ ଧନ ଏବେ ତାକୁ ଘୃଣା କରିବାରେ ଲାଗିବ !କେମିତି ତାକୁ ବୁଝାଇବ ?

ମା' ଏ ମା' ଏତେ ସବୁ କଣ ଭାବୁଛୁ ?କାନି ଧରି ଦୋହଲାଇ ପକାଇଲା ସେ |ହୁଗୁଳା ଖୁଣ୍ଟ ଟିଏ ପରି ସେ ଦୋହଲୁଥିଲା |ବିଦ୍ୟୁତ ତରଙ୍ଗରେ ତା' ଦେହ ଯେମିତି ଝିମ ଝିମ ହୋଇ ଯାଉଛି |କୋଳକୁ ଟାଣି ଆଣି ମୁଣ୍ଡ କୁ ଆଉଁଶି ଆଉଁଶି ସାରୀ କହିଲା ଧନରେ କାଲି ତୋତେ କହିବି | ରାତିରେ ଏକଥା କେହି କହନ୍ତିନି |ସକାଳ ହେଲେ କହିବି |

-ବିଦ୍ୟାରଣ ପକା ମା'କଲି ମୋତେ ନିଶ୍ଚୟ କହିବୁ | ବିଦ୍ୟାରଣ ମୋ ଧନ,ତୁ ସୋଇ ପଡ଼ |

           ସୋଇ ପଡିଲା ସେ |ରାତି ସାରା,ସାରୀ ଗୋଟିଏ କଥା ଭାବୁଥିଲା, ତା' କଥା ,ତା' ଧନ କଥା ଏବଂ ତା'ମଣିଷ କଥା |ସେଦିନ ସିନା ରାଗରେ ତାକୁ ତଡି ଦେଇଥିଲା ,ଆଜି କିନ୍ତୁ ଏ ମନ ତାକୁ ଖୋଜୁଛି |ବଂଚିବାଟା ଯେତେ ସହଜ ଭାବୁଥିଲା ତାହା ଏତେ ସହଜ ନୁହେଁ |ଏବେ ସେ ଠିକ ବୁଝୁଛି ଜୀବନରେ ସାଥୀଟିଏର କେତେ ଦରକାର |କେହି କେବେ ସହଜରେ ବଞ୍ଚିନି କି ସମାଜ ତାକୁ ସହଜରେ ଛାଡ଼ିନି | ପାପ ପୁଣ୍ୟର ଉତ୍ତର ସମସ୍ତଙ୍କୁ ଦେବାକୁ ପଡିବ |ହେଲେ ତା' ପାଇଁ ଏମିତି ଶାସ୍ତି କାହିଁକି?ତା' ପାଇଁ ତା' ପିଲା ଭୋଗିବ କ'ଣ ପାଇଁ ? ସରଳ ନିଷ୍ପାପ କୁନି ପିଲାଟିଏ ମିଛ ମାୟା ,ଭଲ ମନ୍ଦ କଣ ଜାଣିନି ଅଥଚ ଦଣ୍ଡ ପାଇବ |ଏ କି ନ୍ୟାୟ ,ହେ ଭଗବାନ ତାକୁ ତୁମେ ସହାୟ ହୁଅ |ତା' ଓଠରୁ ହସ ଟିକିକ ଛଡାଅ ନାହିଁ |ମୁଁ ପଛେ ତା' ପାଖରୁ ଦୁରେଇ ଯାଉଛି |ହେ ମା ଜଗତ ଜନନୀ ମୋ ଆୟୁଷ କୁ ନେଇ ତାକୁ ଦେଇଦେ |ସାରୀ ମନ ଭରି ତାକୁ କୋଳରେ ଜାକି ଧରିଲା,ପ୍ରାଣ ଭରି ତା'ମଥାରେ ଚୁମ୍ବନ ଦେଲା |ପାଖ ବସ୍ତିରେ ଥିବା ତା' ଆପଣାର ମଣିଷ ରଘୁ ପାଖକୁ ଯାଇ କହିଲା କାଲି ସକାଳେ ତା' ଘରକୁ ଆସିବା ପାଇଁ |ସବୁକୁ କ୍ଷମା କରିଦେଲି ଏବେ ଆସି ଘର ସମ୍ଭାଳ |ଫେରି ଆସିଲା ସାରୀ ପୁଅ ପାଖକୁ |ଶେଷ ଥର ପାଇଁ ତା ମୁଣ୍ଡରେ ହାତ ବୁଲାଇ ଦେଇ ସବୁଦିନ ପାଇଁ ତାଠୁ ଦୂରେଇଗଲା |

           ସକାଳ ହେଲା |ଡେରିରେ ଉଠିଲା ରାଜା |ମା' ମା' ଡାକ ଛାଡିଲା |ମା' ଶୁଣୁଛି କେଉଁଠି | ମା'ତ ଉପରେ ଝୁଲୁଛି |ହାତ ବଢ଼ାଇ ଆଖି ଖୋଲି ଅନାଇଛି ତା' ରାଜା କୁ କୋଳେଇ ନେବାକୁ |ମା' ମା' ଶବ୍ଦରେ ଘର ଫାଟି ପଡୁଛି |ଜଣେ କେହି ତାକୁ କୋଳି ନେଲା ସେଇ ତାର ବାପା| ତାରି କୋଳରେ ମୁଂହ ଗୁଂଜି ସେ କଇଁ କଇଁ କାନ୍ଦି କହୁଛି ମା' ମୁଁ ଆଉ ପଚାରିବିନି |ମୋର ସାଙ୍ଗ ଦରକାର ନାହିଁ |ମୁଁ ତୋ ସାଙ୍ଗେ ଖେଳିବି,ତୁ ମୋର ସାଙ୍ଗ ,ମୁଁ ତୋର ରାଜା ତୁ ମୋର ରାଜା ମା' |

                                                     ***********************

ଡଃ ଶଶୀ ଭୂଷଣ ମହାପାତ୍ର



Rate this content
Log in

Similar oriya story from Tragedy