ଗୁରୁ ଦେବ
ଗୁରୁ ଦେବ
କାର୍ଯ୍ୟାଳୟରେ ପ୍ରବେଶ କରୁ କରୁ ପ୍ରଥମେ ଦେଖାହୁଏ ଜଣେ ସହକର୍ମୀ,.ଲମ୍ବିତ କେଶ, ଶ୍ମଶୃଳ ମୁଖ ମଣ୍ଡଳ, ମଥାରେ ଚନ୍ଦନର ଟିକା, ଧୋତି ପାଇଜାମା ପରିହିତ। ନିଜ ଆସନରେ ବସି ସର୍ବଦା ନିଜ କର୍ମରେ ନିମଗ୍ନ। ଶାନ୍ତ, ମିଷ୍ଟଭାଷୀ ଓ ପରୋପକାରୀ। ମଝିରେ ମଝିରେ ଶ୍ଲୋକ ଅବା ଓଡିଆ ଢଗଢମାଳିରୁ ଦୁଇପଦ ଶୁଣାଇ ସହକର୍ମୀଙ୍କ ମନକୁ ଉଲ୍ଲସିତ କରନ୍ତି। ଏ ଭଳି ଋଷି ପ୍ରତିମ ଚେହେରାକୁ ଦେଖିଲେ ଯେ କେହି ସମ୍ମାନ ଦେବାକୁ କୁଣ୍ଠିତ ହେବେ ନାହିଁ। ତେଣୁ ଆମେ ସମସ୍ତେ ଏପରିକି ଆମ କାର୍ଯ୍ୟାଳୟର ପଦାଧିକାରୀ ତାଙ୍କୁ ଗୁରୁ ବୋଲି ସମ୍ବୋଧନ କରନ୍ତି। ସେ ବି ଆମ୍ଭଙ୍କୁ ସ୍ମିତ ହାସ୍ୟ ବଦନରେ ସମ୍ଭାଷଣ କରନ୍ତି। ଏ ଭଳି ଚରିତ୍ର ସର୍ବ ସାଧାରଣରେ କିନ୍ତୁ ଖୁବ୍ ବିରଳ, ଯିଏକି ନିଜର ଜ୍ଞାନ ବଳରେ ନ ହେଲେ ବି ନିଜର ସ୍ଵଭାବ ଓ ଆଚରଣରେ ଗୁରୁ ପ୍ରତିମ।
ଯେଉଁଠି ଆମେ ଶ୍ରେୟ ବା ଶ୍ରେଷ୍ଠତା ଦେଖୁ ସେଠାରେ ଆମ ହୃଦୟରେ ସ୍ଵତଃ ଗୁରୁ ସମ୍ମାନ ଜାତ ହୁଏ। ଏ ଭଳି ଜଣେ ବ୍ୟକ୍ତିକୁ ଦେଖିଲେ ମୋର ବିଦ୍ୟାଳୟ ଜୀବନ କଥା ମନେପଡେ।
ଇଂରାଜୀ ଶିକ୍ଷକଙ୍କ ପଢାଇବାର ଢଙ୍ଗ, ଉଚ୍ଚାରଣ ଶୈଳୀ ଏତେ ମନମୁଗ୍ଧକର ଯେ ଆମେ ସମସ୍ତ ଛାତ୍ରଛାତ୍ରୀ ତାଙ୍କରି କ୍ଲାସରେ ମନ୍ତ୍ର ମୁଗ୍ଧ ହୋଇ ଅବିଚଳିତ ତାଙ୍କୁ ଶୁଣୁଥାଉ। ସେ କ୍ଲାସରୁ ଗଲା ପରେ ତାଙ୍କର କହିବା ଷ୍ଟାଇଲକୁ ନକଲ କରୁଥାଉ। ସଂସ୍କୃତ ଶିକ୍ଷକ ଧୋତି ପାଇଜାମା ପିନ୍ଧି, କପାଳରେ ଚନ୍ଦନ ଟିପା ମାରି କ୍ଲାସକୁ ଆସନ୍ତି। ସଂସ୍କୃତ ଶ୍ଲୋକକୁ ଏତେ ସୁନ୍ଦର ଆବୃତ କରନ୍ତି ଯେ, ଆମେ ମନେ କରୁ ପଞ୍ଚାମୃତ ପାନ କରି ପବିତ୍ର ଓ ଧନ୍ୟ ହେଉଛୁ।
ସ୍କୁଲରେ ସରସ୍ଵତୀ ପୂଜା ଆମେ ପିଲାମାନେ ଆୟୋଜନ କରୁ। ଶିକ୍ଷକମାନେ ପରାମର୍ଶ ଦେଇ ସହାୟତା କରନ୍ତି। ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମୂଖ୍ୟ ଭୂମିକା ନିଅନ୍ତି କର୍ତ୍ତା ହିସାବରେ। ଚାନ୍ଦା ଆଦାୟ କରିବା, ପୂଜାରୀ ରୋଷେୟା ଯୋଗାଡ କରିବା, ସଉଦା ପତ୍ର କିଣି ଆଣିବା ଏବଂ ଖର୍ଚ୍ଚର ହିସାବ ରଖି ଶେଷରେ ପ୍ରଧାନ ଶିକ୍ଷକଙ୍କୁ ଦେଖାଇ ଅନୁମୋଦନ ନେବା ସବୁ ଦଶମ ଶ୍ରେଣୀ ଛାତ୍ରଙ୍କର। ଏକାଦଶ ଶ୍ରେଣୀ ଛାତ୍ରୀ ଛାତ୍ର ମାନେ ଶେଷ ବର୍ଷରେ ଆମର ନିମନ୍ତ୍ରିତ ଅତିଥି ହିସାବରେ ପୂଜାରେ ଯୋଗ ଦିଅନ୍ତି।
ନିମନ୍ତ୍ରଣ ପତ୍ର ଗ୍ରାମର ମୁଖିଆ, ସ୍କୁଲର ପରିଚାଳନା କମିଟିର ସଭ୍ୟମାନଙ୍କୁ ଓ ଏକାଦଶ ଶ୍ରେଣୀର ବଡ ଭାଇ ଭଉଣୀ ମାନଙ୍କୁ ଦିଆଯାଏ। ତେଣୁ ନିମନ୍ତ୍ରଣ ପତ୍ର ବାଣ୍ଟିବା ଦାୟିତ୍ଵ ଦଶମ ଶ୍ରେଣୀର କିଛି ଛାତ୍ରଙ୍କୁ ଦିଆ ଯାଇଥାଏ। ଆମ କ୍ଲାସର ତ୍ରିନାଥକୁ ଦିଆଗଲା ନିମନ୍ତ୍ରଣ ପତ୍ର ଏକାଦଶ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ଦେବା ପାଇଁ। ତ୍ରିନାଥ ନିମନ୍ତ୍ରଣ କାର୍ଡ ଦେଇ କହେ - ଏ ରାକେଶ, ସରସ୍ଵତୀ ପୂଜା ଭୋଜି ଖାଇବାକୁ ନିଶ୍ଚୟ ଯିବ। ତୁମେ ଗଲା ବର୍ଷ କରିଥିବା ଭୋଜି ଠାରୁ ଏ ବର୍ଷ ଆମ ଭୋଜି କେଡେ ମଜାଦାର ହୋଇଛି ଦେଖିବ।
ସେମାନେ ଆମର ସିନିୟର, ବଡ ଭାଇ ଭଉଣୀ। ଟେଷ୍ଟ ପରୀକ୍ଷା ପରେ ଆମଠାରୁ ବିଦାୟ ନେଇ ବୋର୍ଡ ପରୀକ୍ଷା ପାଇଁ ଘରେ ବସି ପ୍ରସ୍ତୁତ ହେଉଛନ୍ତି। ଅତିଥି ମାନଙ୍କୁ ନିମନ୍ତ୍ରଣ କାର୍ଡ ଦେଇ କଣ ଏମିତି କୁହାଯାଏ? କିଛି ଏକାଦଶ ଶ୍ରେଣୀ ଛାତ୍ର ମନରେ ଆଘାତ ପାଇଲେ। କହିଲେ ଆମକୁ ଏମାନେ ସମ୍ମାନ ଦେଉ ନାହାନ୍ତି। ଆମେ କେହି ସରସ୍ଵତୀ ପୂଜାକୁ ସ୍କୁଲକୁ ଯିବା ନାହିଁ।
ପୂଜା ଯଥା ରୀତିରେ ସମ୍ପନ୍ନ ହେଲା। ରାତିରେ ଅତିଥି ମାନେ ଆସିଲେ ଭୋଜି ଖାଇବାକୁ। କିନ୍ତୁ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀ କେହି ଆସିଲେ ନାହିଁ। ଆମେ ବି ଟେର ପାଇଗଲୁ ଯେ ସେମାନେ ଆସିବେ ନାହିଁ। ସାମାଜିକ ବିଜ୍ଞାନ ଶିକ୍ଷକ ମହାପାତ୍ର ସାର୍ ଏହା ଜାଣି ପାରି ରାତିରେ ସ୍କୁଲରୁ ପିଅନକୁ ପଠାଇଲେ ଗାଁକୁ। ସମସ୍ତ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଆସିବାକୁ କହିଲେ। ସେମାନେ ଆସିଲେ।
ବାହାରେ ଅନ୍ୟ ପିଲାମାନେ ଓ ଅତିଥିମାନେ ଭୋଜି ଖାଉଛନ୍ତି। ଏ ପାଖରେ ଗୋଟିଏ କ୍ଲାସ ଭିତରେ ଦଶମ ଶ୍ରେଣୀର କର୍ମକର୍ତ୍ତା ମାନେ ଓ ଏକାଦଶ ଶ୍ରେଣୀର ପିଲାମାନଙ୍କୁ ନେଇ ସମ୍ମିଳନୀ ହେଲା। ଅସଲ କାରଣ ଜଣା ପଡିବା ପରେ ମହାପାତ୍ର ସାରେ କହିଲେ - "ତ୍ରିନାଥ, ତୋର କହିବାର ଶୈଳୀ ଠିକ୍ ହୋଇନି। ଅତିଥିମାନଙ୍କୁ କିଭଳି ନିମନ୍ତ୍ରଣ କରାଯାଏ ସମସ୍ତଙ୍କୁ ଶିଖିବା ଉଚିତ୍। କେବଳ ପାଠ ପଢି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ କେହି ମଣିଷ ହୋଇ ଯାଏ ନାହିଁ। ଉତ୍ତମ ଚାଲିଚଳନ, ଶିଷ୍ଟ ବ୍ୟବହାର ଜୀବନକୁ ସରସ ସୁନ୍ଦର ଓ ମଧୁର କରିବା ପାଇଁ ଅତି ପ୍ରୟୋଜନ। ତୋର ଭୁଲ ହୋଇଛି। ତୁ ବଡ ଭାଇ ଭଉଣୀ ମାନଙ୍କୁ ହାତଯୋଡି କ୍ଷମା ମାଗେ।"
ଦୁଇ ତିନି ଥର କହିବା ପରେ ତ୍ରିନାଥ କ୍ଷମା ମାଗିଲା। ଏକାଦଶ ଶ୍ରେଣୀ ପିଲାମାନଙ୍କର ଅଭିମାନ ଓ ଅସନ୍ତୋଷ କିନ୍ତୁ ଦୂର ହୋଇନି। ସେମାନେ ସେଠାରୁ ଉଠି ଗାଁକୁ ଫେରିଯିବାକୁ ବାହାରିଲେ। ଶିକ୍ଷକ କହିଲେ - "ତୁମେମାନେ ବଡଭାଇ ଭଉଣୀ ସଦୃଶ । ସାନ ଭାଇ ଭୁଲ କଲେ କଣ ତାର ଭୁଲକୁ କ୍ଷମା କରିବା ତୁମର କର୍ତ୍ତବ୍ୟ ନୁହେଁ? ଭୁଲ କରି କ୍ଷମା ଆଚରଣ କରିବା ଓ କ୍ଷମା ଦେବା ଦୁଇଟି ଯାକ ମହାନ ଗୁଣ। ଏ ଦୁଇଟି ମହାନ ଗୁଣକୁ ଯେ ଶିଖିଥାଏ ଓ ଜୀବନରେ ପ୍ରୟୋଗ କରିଥାଏ ସେ ସବୁବେଳେ ଉନ୍ନତି କରିଥାଏ ଏବଂ ଜଣେ ସୁନାଗରିକ ହୋଇ ପାରେ। ପୁସ୍ତକରେ ଥିବା ଜ୍ଞାନ ଛଡା ତୁମେମାନେ ଏହି ସବୁ ମହାନ ଗୁଣ ଶିକ୍ଷା କରିବା ଉଚିତ୍। "
ସେମାନେ ଶାନ୍ତ ହେଲେ ଏବଂ ଶିକ୍ଷକଙ୍କ କଥାକୁ ସମ୍ମାନ ଦେଲେ। ସମସ୍ତେ ଭୋଜି ଖାଇ ଚାଲି ଯିବା ପରେ ଆମେ ଦଶମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଓ ସ୍କୁଲର ସମସ୍ତ ଶିକ୍ଷକ ଏକାଠି ଭୋଜି ଖାଇ ବସିଲୁ। ସେହି ଭୋଜିରେ ଯେଉଁ ଆତ୍ମତୃପ୍ତି ଓ ଶିକ୍ଷା ମିଳିଲା ତାହା ଅବିସ୍ମରଣୀୟ। ମହାପାତ୍ର ସାରେ ଆମ୍ଭମାନଙ୍କୁ ସ୍ନେହ ଓ ଆଦରରେ ଯେଉଁ ମଧୁର ବଚନ କହି ମହାନ ଶିକ୍ଷା ଦେଲେ ଏବଂ ଆମର ମନ ପରିବର୍ତ୍ତନ କରି ଆମକୁ ମାର୍ଜିତ କଲେ ତାହା ପରବର୍ତ୍ତୀ କାଳରେ ଜୀବନର ବିଭିନ୍ନ ସୋପାନରେ ପ୍ରୟୋଗ କରି ଆମେ ଅନେକେ ନିଶ୍ଚୟ ଧନ୍ୟ ମନେ କରିଛୁ। ଏବେ ବି ସେହି ଶିକ୍ଷକଙ୍କୁ ଦେଖିଲେ ତାଙ୍କର ସ୍ନେହ ମିଶା ନୀତି ବାଣୀ କାନ ଭିତରେ ଗୁଞ୍ଜରଣ ସୃଷ୍ଟି କରେ ଓ ବିଦ୍ୟାଳୟ ଜୀବନର ଘଟଣା ଆଖି ଆଗରେ ନାଚି ଯାଏ। ସେହିଭଳି ଗୁରୁଦେବଙ୍କ ଚରଣ ସ୍ପର୍ଶ କରିବାକୁ ମାଟି ଉପରେ ଆମେ ସ୍ଵତଃ ଲୋଟି ପଡୁ।
ଜ୍ଞାନ ବ୍ୟତୀତ ବ୍ୟକ୍ତିର ଉତ୍ତମ ବ୍ୟବହାର ଓ ଆଚରଣ ତାକୁ ଗୁରୁ ପ୍ରତିମ କରିଥାଏ। ଯେଉଁ କୁଶଳୀ ଶିକ୍ଷକ ମାନେ ଆମ୍ଭମାନଙ୍କୁ ଶିକ୍ଷା ଦାନ କରି ମନ୍ତ୍ରମୁଗ୍ଧ କରିରଖିଥିଲେ ସେମାନେ ଆମର ଚିର ସ୍ମରଣୀୟ ଓ ଚିର ନମସ୍ୟ।