Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratima Das

Others

5.0  

Pratima Das

Others

ମଝି ପାହଚ

ମଝି ପାହଚ

5 mins
256



ଚନ୍ଦ୍ରବାବୁଙ୍କର ଗୋଡ଼ ଆଜି ତଳେ ଲାଗୁନି। ପୁଅ ତାଙ୍କର,ଚାକିରୀ ପାଇଛି, ଗୋଟିଏ ଉଚ୍ଚ ମଲ୍ଟି ନାସନାଲ ଇନଷ୍ଟିଚ୍ୟୁଟରେ,ତାପୁଣି ଆମେରିକାରେ।


ହେ ମାଧବ! ଏତେ ଦିନେ ମୋ ଡାକ ଶୁଣିଲ ପ୍ରଭୂ। ମୁଁ କାହା ଭଲ ମନ୍ଦରେ ନ ଥାଏ, ମୋ ନିଜ କାମରେ ଲାଗିଥାଏ। ନିଷ୍ଠାରେ ତୁମକୁ ପୂଜାର୍ଚ୍ଚନା କରିଥାଏ,ଇତ୍ୟାଦି ଇତ୍ଯାଦି.....। ନିଜକୁ ଉଚ୍ଚାଦରଜା ଦେଇ ଗରବ ଅନୁଭବ କରି ଚାଲିଥିଲେ। ମୁଁ ପୂଜାପାଠ କରି, ଧର୍ମକରିଛି ବୋଲି ମୋ ପୁଅ ଆମେରିକାରେ ଚାକିରି ପାଇଲା। ମୋର ଠାକୁରଙ୍କଠି ଧ୍ୟାନ ଥିବାରୁ ମୋ ପୁଅକୁ ପ୍ରତିଷ୍ଠିତ କରାଇ ପାରିଲି। ମୋ ବାବାଙ୍କ ଦୟା ଆଉ ଆଶୀର୍ବାଦରୁ ଏଭଳି ହେଲା। କେବଳ ମୋ.....ମୋ... ମୋ...ମୋ ବାବା... ଆଉ.... ମୁଁ ।


ଏକ ମିଥ୍ୟା ପ୍ରହେଳିକା ଭିତରେ ମଣିଷ ରହି, ଛୋଟ ଜୀବନଟିକୁ କାଟି ଦେବାକୁ ଚାହେଁ ସଫଳତାର ସହ। କିନ୍ତୁ ସେ ଜୀବନ ଯେବେ ବିଫଳତାର ସ୍ବାଦ ଭେଟି ଦିଏ ସେତେବେଳକୁ ଆଉ କିଛି ବାକି ନ ଥାଏ ,ଲେଡି ଗୁଡ କହୁଣୀକୁ ବୋହି ଯାଇଥାଏ, ଝିଭ ପାଏନି ଚାଟିବାକୁ।

ଜିଭ ନ ପାଉ, ବାମ ହାତରେ କିମ୍ବା ଚାମଚରେ ବି ଆଣି ସେହି ଗୁଡକୁ ବ୍ୟବହାର କରାଯାଇ ହେବ। ଚନ୍ଦ୍ରବାବୁ ଶେଷକୁ ସେହିପରି କରି ,ଶାନ୍ତି ଟିକେ ଜୀବନରେ ପାଇଛନ୍ତି। 


ଚନ୍ଦ୍ର ବାବୁ ଜଣେ ସ୍ବଘୋଷିତ ବାବାଙ୍କ ଶରଣରେ ନିଜକୁ ସମର୍ପିତ କରି ଥିଲେ ।ଅଖଣ୍ଡ ବିଶ୍ୱାସ ସେ ବାବାଙ୍କ ଉପରେ।   ବାବା ହିଁ ,ତାଙ୍କ ଜୀବନକୁ ଯେପରି ପରିଚାଳିତ କରି ସଫଳତାର ଶିଖରକୁ ନେଇ ଯାଇ ପାରିବେ,ଆଉ କେହି ନୁହେଁ । ବାବାଙ୍କ ବିନା ତାଙ୍କ କର୍ମ, ପୁରୁଷାର୍ଥର ମାନେ କିଛି ନାହିଁ। ବାବା ହିଁ ସବୁ। ବାବା..... ବାବା.... ବାବା........ ।


ଆଜି କାଲି ଯୁଗରେ ସ୍ଵ ଘୋଷିତ ବାବା ଏବଂ ଆତ୍ମବଡ଼ିମା ଦେଖାଉ ଥିବା ଲୋକମାନଙ୍କର ଅଭାବ ନାହିଁ। 

ବିକୃତ ମାନସିକତା ଆଜି ସମାଜର। ଧର୍ମର ପରିଭାଷା ବଦଳି ହୋଇ ଯାଉଛି ନିଜକୁ ସୁହାଇଲା ଭଳି। ଯେଉଁ ସମୟରେ ବାପାମାଙ୍କୁ ହିଁ ଭଗବାନ ଭାବି ସେବା କରାଯିବା କଥା ସେଠି ବାପାମାଙ୍କ ସେବା ସାତସପନ ହେଲାଣି। 


ସ୍ବକଥିତ ବାବା ଗୋଟିଏ ଗୁରୁ କରି, ୟା ବାଡ଼ି, ତାବାଡ଼ି କିମ୍ବା ନିଜ ଵାଡିରୁ ଚାଂଗୁଡାଏ ଲାଖେ ଫୁଲ ତୋଳି, ପୂଜା ଘରେ ବସି କେବଳ ନିଜ ପାଇଁ ମାଗି ମାଗି, ପୂଜା କରାଯାଏ, ଦିଅଁଙ୍କ ନାମକୁ ସାର୍ଥକ କରାଯାଏ ଦିଅ ହେ ଗୋସାଇଁ...କହି। 


ଚନ୍ଦ୍ରବାବୁଙ୍କ ବାପା କୁହନ୍ତି, ତୋ ମନର ଶାନ୍ତି ଓ ସ୍ଥିରତା ପାଇଁ କିଛି ଧ୍ୟାନ ଧାରଣା କରେ କିନ୍ତୁ ଏ ବାବା ଫାଵା ଚକ୍ରରେ ପଡ଼ନା। ଆଜିକାଲି ବାପାଙ୍କ କଥା କିଏ ଶୁଣୁଛି।ଅଣ୍ଟାରୁ ପଇସା ଦେବାଯାଏଁ ସେ ବାପା। ପୋଷିବା ଯାଏଁ ବାପା। ତାପରେ ବାପା ଚୋପା ହୋଇ ଯାନ୍ତି। ଓଲଟି ବାପାଙ୍କୁ କୁହନ୍ତି, ତୁମ ଜମାନା କଣ ହୋଇଛି ଏ ଜମାନା। କେତେ ଦାଉପେଚ, କେତେ ତେଲମରା, କେତେ ବଡବଡିଆ ଚିହ୍ନା ହେଲେ ଯାଇ ଉଠିବି ଏବଂ ପ୍ରତିଷ୍ଠିତ ହେବି। ତୁମ ଭଳି ଅନାମଧେୟ ହୋଇ ବଞ୍ଚି,ମରିବାକୁ ଚାହେଁନା। ଏ ବାବା ମୋ ଜୀବନରେ ପ୍ରତିଷ୍ଠା ଆଣି ଦେବେ ଆଲୌକିକ ଶକ୍ତି ଦ୍ବାରା। ତୁମେ ଗଣ୍ଡେ ଖାଇକି ଖାଲି ବସ। ମୋ କାମ କି କଥାରେ ମୁଣ୍ଡ ପୁରାଅନି। 


ଚନ୍ଦ୍ରବାବୁଙ୍କ ବାପା ଅଣ-ନିଶ୍ବାସି ଜୀବନଟିଏ କାଟନ୍ତି ପୁଅ ପାଖରେ। କଣ କରିବେ। ଗାଁ ଘରଦ୍ବାର କିଏ ଆଉ ଦେଖିବ ବୋଲି ବିକ୍ରିବଟା କରିଦେଲେ। ଯିବେ କୁଆଡ଼େ। ସକାଳୁ ଯାହା ହେଉ ନ ହେଉ ଗିନି ଖଁଜଣୀ ମାଡ। ସଂଧ୍ୟାରେ ବି ସେୟା। ଆଜି ଅମକ ଭୋଗ ତ କାଲି ସମକ ଭୋଗ। ବୁଢା ବାପଟି ବିଚାରା ଆଉଟୁ ହେବଣି କଣ ଦିଟା ପାଟିରେ ପକାଇବାକୁ। କିନ୍ତୁ ପୂଜା ନ ସରିଲେ ଘରେ ସୁଂଖୁଡି ପଡିବନି ନାନାଦି ବାଜ୍ୟେ ନିୟମ ଭିତରେ ସତୁରୀ ବର୍ଷର ବୁଢାଟି ଭୋକିଲା ପଡିଥାନ୍ତି। ନିଜକୁ ପ୍ରଶ୍ନ କରନ୍ତି ଚନ୍ଦ୍ରବାବୁଙ୍କ ବାପା ଏପରି ମିଥ୍ୟା ଆଶ୍ରୟରେ ବଂଚିବା କିପରି, କେଉଁଠୁ ଶିଖିଲା ଚନ୍ଦ୍ର ?


ସାରା ଇତିହାସ ଦେଖିଲେ, ଫକିରମୋହନ ସେନାପତିଙ୍କ ଧୁଳିଆ ବାବାଜୀଠୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଯେତେ ବାବା ସବୁ ଧର୍ମ ଆଳରେ କେବଳ ବେପାର କରନ୍ତି।ନିରୀହ ହତାଶ ମଣିଷ ତାଙ୍କ କବଜାରେ  ରହି, ଅର୍ଥ ଶ୍ରାଦ୍ଧ କରି, ଉଠବସ ହୋଇଥାନ୍ତି। ।ଲୋକ ଗଦାକରି, ନିଜ ପ୍ରଚାର କରିବାରେ,ପୁଞ୍ଜୀ ବଢାଇବାରେ ଲାଗିଥାନ୍ତି।  


ମଣିଷର ଜନ୍ମ ଗତ ପ୍ରବୃତ୍ତି ହେଲା ଭୋକ, ଶୋଷ ,ଦୈହିକ କ୍ଷୁଧା ଏବଂ ଅନେକ ପ୍ରକାରର ଲାଳସା। ତାକୁ ଚାପିଚୁପି ରଖିବାର କିଛି ଯଥାର୍ଥତା ନାହିଁ, କିନ୍ତୁ ମାର୍ଜିତ ନିୟମ ଭିତରେ ଏବଂ ଅନ୍ୟଜଣେ ଆଘାତ ପ୍ରାପ୍ତ ନହେବା ଭଳି କରିବା ଉଚିତ୍।  କାହିଁକି ଯେ ବାବାମାନେ ନିଜକୁ ବହ୍ମଚାରୀ କହି ଅମୁକ ସମକ କହି ଢୋଲ ପାରିଥାନ୍ତି।

ଘରସଂସାର, କରୁଥିବା ଲୋକଙ୍କପାଖରେ କେତେବା ସମୟ? ସକାଳର ବଂଟା କୁଟା ସମୟ ଭିତରୁ ମୁଖ୍ୟ ଭାଗଟି ପୂଜାରେ ସରିଯାଏ। ତାହାପରେ ଘରଣୀଙ୍କ ତାଗିଦ୍ ସବୁ ଫୁଲ ଠିକ୍ ଠାକ୍ ଦେଲନା ନାହିଁ, କେଉଁ ଦିଅଁ କାଳେ ରୋଷକରିବେ, ସବୁ ଗଡ଼ବଡ଼ କରି ଦେବେ। ଦିଅଁମାନଙ୍କୁ ବିଭାଗୀୟ ଅଧିକାରୀଭାବେ ଗଣାଯାଏ ଆମମାନଙ୍କ ଅନ୍ଧ ସଂସ୍କୃତିରେ। 


ଏଇହେଲା ଚଂଦ୍ରଵାବୁଙ୍କ ଭଳି ଆମ ସମାଜର ଅନେକ ଲୋକଙ୍କର ଚଳଣି।ସବୁ ପ୍ରକାରର ଦରକାରୀ କାଗଜପତ୍ର ଯାଞ୍ଚ କରି, ଯୋଗାଡ କରି, ପୁଅ ସହିତ ବୋହୂକୁ ବିଦେଶ ପଠାଇଲେ ଚଂଦ୍ର ବାବୁ। ୟା ଭିତରେ ଦଶ ବର୍ଷ କିପରି ବିତିଯାଇଥିଲା ଜଣା ପଡିଲାନି। ବାପା ବି ପରପାରିକି ଚାଲି ଗଲେଣି ୟା ଭିତରେ । ଘରେ କେବଳ ରୋଗୀଣା ସ୍ତ୍ରୀ ଆଉ ସେ ଏବଂ ବାବାଙ୍କ ଦେଖାଇଥିବା ଅନ -ଔପଚାରିକ ଉପଚାର। 


ପ୍ରଥମେ ବର୍ଷେ/ଦୁଇବର୍ଷ ଯାଏ ପୁଅ ଠିକ୍ ଠାକ୍ ଫୋନ୍ ଫାନ୍ କଲା। ଥରେ ଦୁଇଥର ଆସିଲା ମଧ୍ୟ। ଏବେ କିନ୍ତୁ ଆସିବାତ ଦୂର କଥା,ଏପଟୁ ବହୁତଥର ଫୋନ୍ କଲା ପରେ ଫୋପାଡ଼ିଲା ଭଳି ପଦେ ଅଧେ କଥା ହୁଏ। ମୋ ଉପରେ କାମର ଚାପ ଅଧିକ, ଅଯଥା କଥାବାର୍ତ୍ତା କରିବା ପାଇଁ ସମୟ ନାହିଁ..... ଇତ୍ୟାଦି ଇତ୍ୟାଦି।


  ଦିନକୁ ଦିନ ସ୍ତ୍ରୀ ରୋଗୀଣା ହୋଇ ପଡ଼ିଲେଣି, ଖର୍ଚ୍ଚ ବଢ଼ିଯାଉଛି, କଣ କରିବେ? ଏଭଳି ପରିସ୍ଥିତି ଜୀବନରେ ନ ଆସିଛି ବୋଲି ନୁହେଁ। ପୁଅ ଛୋଟ ଥିଲା ବେଳେ କେତେଥର ମେଡିକାଲ ତାକୁ ନେବାକୁ ପଡ଼େ, ପାଣି ଭଳି ପଇସା ବୋହିଯାଏ, ପୁଅର ଦେହ ଠିକ୍ କରି ଘରକୁ ଆଣିବା ପର୍ଯ୍ୟନ୍ତ। ଜିପିଫ୍ ଉଠାଇଛନ୍ତି, ଧାର -ଉଧାର କରିଛନ୍ତି। 


ନିଜ ବାପା କିନ୍ତୁ ସବୁବେଳେ ଅଣ୍ଟା ଭିଡ଼ି ପାଖେ ପାଖେ ଥାନ୍ତି। ହତାଶ ହୋଇ ପଡ଼ିଲେ ବାପା କୁହନ୍ତି, ଆମର ପରା ଏକୋଇର ବଳା ବିଶିକେଶନ, ତା ପାଇଁତ ମୋ ଜୀବନ ଦେଇଦେବି, ଏ ଟଙ୍କାପଇସା ବା କେତେ??ଚନ୍ଦ୍ରବାବୁଙ୍କ ବାପା ଏପରି ଭଲମଣିଷ ଥିଲେ।  


ସେହି ଦିନ ପ୍ରଥମକରି ତାଙ୍କୁ ତାଙ୍କ ଜୀବନ ଛାଡ଼ିଗଲା ପରି ମନେ ହେଲା। ପାଦତଳୁ ଯେପରି ମାଟି ଖସିଗଲା ଲାଗିଲା । କଣ କଲା ପୁଅ? ସୁଦୂର ଆମେରିକାରୁ ଆସି ଶଶୁର ଘରେ ରହି ଫେରିଗଲା। ମନେ ପଡ଼ିଲାନି  ରୋଗୀଣା ମା, ଦଶ ମାସ ଗର୍ଭରେ ଧରି ଜନ୍ମ ଦେଇଥିବା ଜନନୀକଥା। ସାରା ଜୀବନର ସ୍ନେହ, ସାରା ଜୀବନର ପୁଞି ଖର୍ଚ୍ଚ କରି ଦେଇଥିବା ବାପା। ଅଶ୍ରୁଧାରା ବନ୍ଦ ହେଉନଥିଲା ।,ବୋହିଚାଲିଥାଏ ଲୁହ।


        ଦୁଃଖ ଗୁଡିକୁ ଭାବି ବସି ଅଧିକ ଲୁହ ଢାଳିବା ପାଇଁ ବି ଅବସର ନାହିଁ ଚନ୍ଦ୍ର ବାବୁଙ୍କ ପାଖରେ। ନିଜ ରୋଗୀଣି ସ୍ତ୍ରୀ ର କାମ, ତା'ସଂଗେ ଦୁନିଆଁ ଏପଟ ସେପଟ ହୋଇଗଲେ ବି ପାପୀ ପେଟ ମାନିବ ନାହିଁ ।ଖାଇବାକୁ ମାଗିବ ।


ଅଶାନ୍ତ ପେଟକୁ କିଛି ଖାଦ୍ୟ ଯୋଗାଇବା ନିମନ୍ତେ ଉଠିଲେ। ଏତେ ସବୁ କାମ ସତ୍ତ୍ବେ ଭାବନାର ଢେଉ ମନରେ ଥରକୁ ଥର ପିଟି ହେଉଥିଲା। କାହା ଆଗେ କହିବେ ଦୁଃଖ। 


ଦୀର୍ଘ ସମୟ ଦହି ମନ୍ଥନ ପରେ ଯେପରି ଲହୁଣୀ ଉପରକୁ ଉଠି ଆସେ, ଠିକ୍ ସେହିପରି ଚନ୍ଦ୍ର ବାବୁଙ୍କ ମନରେ ଠିକଣା କଥାଟି, ଅଙ୍କୁରିତ ହେଲା। ।ଏତେ ସବୁ ମିଶାଣ ଫେଡ଼ାଣ ପରେ, ଜାଗି ଉଠିଲେ ଚନ୍ଦ୍ରବାବୁ।

ମୋ ବାପାତ ଏହିପରି ଅନୁଭବ କରି ଥିବେ। ବାପା ବାପା...କହି କାନ୍ଦି ଉଠିଲେ ।ଛୋଟ ପିଲାଟିଏ ପରି ନିଜକୁ ଅନୁଭବ କରୁଥିଲେ। କିପରି ଅଳି ଅର୍ଦଳି କରି ବାପାଙ୍କ ପାଖରୁ ସବୁ ହାସଲ କରୁଥିଲେ।କେବେବି ବାପା ବିମୁଖ ହୋଇନାହାନ୍ତି, ଚନ୍ଦ୍ର ବାବୁଙ୍କ ଉପରେ। 


ନିଜ ବାପାଙ୍କ ପ୍ରତି କରିଥିବା ବ୍ୟବହାର ଭାବି କାନ୍ଦିପକାଇଲେ। ଫରକ୍ ଏତିକି, ମା, ଚାଲିଗଲା ପରେ, ନାମକୁମାତ୍ର, ବାପାଙ୍କୁ ସାଙ୍ଗରେ ରଖିଥିଲେ।କେବେ ଅନ୍ତରର ସହ ତାଙ୍କ ସଂଗେ ବସା ଉଠା କରିବା କି ଆଦରର ସହ ବାପାଙ୍କ ଖିଆପିଆ ବୁଝିବା କିଛି କରି ନ ଥିଲେ। ବାପାଙ୍କୁ ପରୋକ୍ଷ ଭାବରେ ଯେପରି ଏକ ଅକୁହା ନିର୍ଦ୍ଦେଶ ଥିଲା, ବଂଚିବା ଯାଏ ଏମିତି ପଡିଥାଅ ଖାଇପି ଗଣ୍ଡେ। ଆଉ ଅଧିକ କିଛି ନୁହେଁ।  


ଅନେକଥର, ବାପା ଡାକନ୍ତି, ଆଟିକେ, ମୋପାଖେ ବସ, କଣ ମନକଥା କହିଥାନ୍ତେ, ଦୁଃଖ ସୁଖ କଥା ହୋଇଥାନ୍ତେ, କିନ୍ତୁ ସେ କେବେ ଶୁଣି ନାହାନ୍ତି। ବାପାଙ୍କ ଗୋଡ଼ରେ କି ହାତରେ ଟିକିଏ ଘଷାମୋଡ଼ା କରି ନାହାନ୍ତି। ସାମାନ୍ୟ ଚଷମା ଟିଏପାଇଁ କେତେ କହି ନାହାଁନ୍ତି ବାପା, ଚନ୍ଦ୍ରରେ ପେପର ଟିକେ ପଢିବିରେ। ଚଷମାଟିଏ ଆଣିଦେ। ଖୁସିରେ ଚଷମାଟିଏ ଆଣିଦେବା ବଦଳରେ, ମୁରବୀପଣିଆ ଦେଖାଇ କହିଛନ୍ତି, ଏ ବୟସରେ ପେପର ପଢି କଣ କରିବ??କ'ଣ ରାଜନୀତି କରିବ ନା ଅଫିସ ଯିବ? କାହିଁକି ବାପା ଥାଉ ଥାଉ ମୁରବୀପଣିଆ ଦେଖାଉଥିଲେ ?


ତାଙ୍କ ଆଗରେ ସାନ ହୋଇ ରହିବାରେ ଯେଉଁ ସ୍ବର୍ଗୀୟ ଆନନ୍ଦ ପାଇଥାନ୍ତେ ,ତା ଆଉ କଣ କେଉଁଠି ଅଛି। କେଉଁଠି ହଜି ଯାଇଥିଲା ଏ ଭାବ ଏ ପ୍ରବଣତା??


ଯେଉଁ ବାପା ଥଣ୍ଡା ଟିକେ ହୋଇ ଗଲେ ରସୁଣ ଫୁଟା ସୋରିଷତେଲ, ରାତି ରାତି ବସି ଘଷୁଥିଲେ, ତା,ଙ୍କୁ ।,ସାଙ୍ଗ ହୋଇ ଖାଇଲା ବେଳେ, ପାଟିକୁ ଗୁଣ୍ଡାଏ ନ ଖୁଆଇବା ଯାଏ, ଖାଉନଥିଲେ। ସେହି ଜନ୍ମଦାତା ବାପାମା, ବହୁ ଅବହେଳାର ଶିକାର ହୋଇଛନ୍ତି। ପୁଅକୁ ପ୍ରତିଷ୍ଠିତ କରିବାର ଖିଆଲି ସ୍ଵଭାବ ଏବଂ ବ୍ୟସ୍ତତା ଭିତରେ, ପୁଅକୁ ଭଲ ମଣିଷଟିଏ କରିବା ଭୁଲି ଯାଇଛନ୍ତି ଯା ଫଳରେ ସେ ଆମେରିକାରେ ରହିଯାଇ ବାପା ମାଙ୍କୁ ପଚାରିଲାନି। 

ଖାଲି (ମଝି ପାହଚ ) ରେ ଥିଲେ ସିନା, ଉପର ଏବଂ ତଳପାହଚ ଭିତରେ ସମନୟ ରଖି ପାରିନାହାନ୍ତି। 


ଯାହା ହେଉ ଏ ପରିଣିତ ବୟସରେ, ହାତରେ ସମୟ ଥାଉ ଥାଉ, ଅନୁତାପ କରିବାର ସୁଯୋଗ ଭଗବାନ ଦେଲେ ।ଲେଡିଗୁଡ ଝିଭ ଲଗାଇ ସିନା ଆଉ ଚାଟି ହେବନି ବାମହାତରେ ଚାମଚଧରି ଫେରାଇ ହେବ। 

ଆଜି ଠିକ୍ କଲେ, ଆଉ ପୁଅ !ପୁଅ !.ପୁଅ... ...ନୁହେଁ,। 


ଯାହା ବାପାମାଙ୍କ ପ୍ରତି କଲେ, ସେ ପାପକୁ ଧୋଇଵାର ଶକ୍ତି ତ ମୋର ନାହିଁ। ନିଜ ଚଳିବା ପାଇଁ କିଛି ଟଙ୍କା ପଇସାର ବ୍ୟବସ୍ଥା କରି, ବାକି ସବୁ ସମ୍ପତ୍ତିବାଡି ଏବଂ ସେ ଚାଲିଗଲା ପରେ ବାକି ସମ୍ପତିର ଏକ ଉଇଲ୍ ପ୍ରସ୍ତୁତ କରି ବାପାଙ୍କ ନାମରେ ଏକ ବୃଦ୍ଧାଶମକୁ ଦାନକଲେ, ଯେଉଁଆଶ୍ରମରେ ତାଙ୍କ ଭଳି ପୁଅଝିଅ ଅତ୍ୟାଚାରୀତ ଓ ପରିତ୍ୟକ୍ତ ବୁଢୀବୁଢ଼ା ରହୁଥିଲେ। ମଝି ମଝିରେ ସମୟ ବାହାରକରି, ବୃଦ୍ଧାଶମକୁ ଯାଇ ପରିଶ୍ରମ ଦାନ କରି ଆସୁଥିଲେ। 


ଭଗବାନଙ୍କ ମୂର୍ତ୍ତି ସବୁ ପୁଟୁଳୀ କରି ରଖିଦେଲେ। ବାବାଙ୍କ ଫଟୋ ଫୋପାଡି ଦେଲେ। ଆଶ୍ରମ ଯିବା ବନ୍ଦ କରିଦେଲେ। କେବଳ ପରମାତ୍ମା ଏବଂ ପିତା ମାତାଙ୍କ ଉଦେଶ୍ୟରେ ହାତଟେକି, ରୋଗୀଣି ସ୍ତ୍ରୀ ର କାମ କରି, ଆଖପାଖ ପରିବେଶ ସଫାରଖି, ରାସ୍ତାଘାଟ ସଫାସୁତୁରା କରି, ଅନେକ ଗଛଲଗାଇ, ସମୟ କାଟିଲେ। 


କିଛି ପାଖ ଆଖ ଲୋକ ତାଙ୍କ ଦ୍ବାରା ଅନୁପ୍ରାଣିତ ହେଲେ। କିଛି ବହୁତ ପାଖଲୋକ, ହାଅଟ୍ସ ଆପ୍,ଫେସବୁକରେ ପୁଅର ଷ୍ଟାଟସର କଥା ବାର୍ତ୍ତା କାନରେ ପକାଇବା ପାଇଁ ଚେଷ୍ଟା କରନ୍ତି। ଆଉ କିଛି ଲୋକ ଆଲୋଚନା କରି କୁହନ୍ତି, ପିତା ପାଇଛି ପିତୃତ୍ୱର ସଂଧାନ ହେଲେ ବାପା ଚାଲିଗଲା ପରେ।


Rate this content
Log in