Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saswat Routroy

Fantasy Horror Others

3  

Saswat Routroy

Fantasy Horror Others

ଅଲକ୍ଷ୍ମୀ

ଅଲକ୍ଷ୍ମୀ

9 mins
662


ସାଲ ୧୯୩୫। ସମଗ୍ର ଭାରତବର୍ଷ ବ୍ରିଟିଶ ଶାଶନାଧୀନ ହୋଇ ନିଆଁରେ ଜଳୁଛି|

ମୁଁ ସେଇ ସମୟରେ କୋରାପୁଟ ବନବିଭାଗରେ ଜଣେ ଭାରପ୍ରାପ୍ତ ଅଫିସର। ପାହାଡ଼ି ଅଞ୍ଚଳ, ଚାରିଆଡ଼େ ଗଭୀର ବଣ। ମଝିରେ କିଛି ଜାଗା ପରିଷ୍କାର କରି ବ୍ରିଟିଶ ସରକାର ବନବିଭାଗର କାର୍ଯ୍ୟାଳୟ, କ୍ୱାର୍ଟର, ମେସ, ଇତ୍ୟାଦି ବନେଇଛି। ପାଖାପାଖି ଗୋଟେ ବିଳାସବହୁଳ ଡାକବଙ୍ଗଳା ବି ଥିଲା- ମଝିରେ ମଝିରେ କାଠ ବ୍ୟବସାୟୀ, ବ୍ରିଟିଶ ଅଫିସର, ଅଥବା ସ୍ଥାନୀୟ ଏଷ୍ଟେଟର ରାଜା ଏଇ ଆଡ଼େ ଆସି କିଛିଦିନ ବିତେଇ ଯାଉଥିଲେ।

ହଠାତ ଦିନେ ଖବର ପାଇଲି, ବାପାଙ୍କ ଦେହ ଭଲ ନାହିଁ। ଉପରମହଲକୁ ଚିଠି ଲେଖି ଛୁଟି ପାଇଁ ଆବେଦନ ଜଣେଇଲି। ଜଗନ୍ନାଥଙ୍କ କୃପା, ଅଳ୍ପ ଦିନ ଭିତରେ ଛୁଟି ଆବେଦନ ଗ୍ରହଣ ହୋଇଗଲା।

ଯୋଉ ସମୟକାର କଥା, ସେଇ ସମୟ ରାୟଗଡ଼ ରେଳ-ଷ୍ଟେସନ ହୋଇ ସାରିଛି। ଘରକୁ ଯିବା ପାଇଁ ରାୟଗଡ଼ରୁ ଟ୍ରେନ ଧରିବି ମୁଁ। କର୍ମସ୍ଥଳଠୁ ରାୟଗଡ଼ ଯିବାକୁ ଜିପଗାଡ଼ିରେ ଦି ଦିନ ଲାଗି ଯାଏ- ମଝିରେ ଝରାଖାଲିର ଶିକାର କୋଠିରେ ରାତି ବିତେଇବାକୁ ପଡ଼େ। କଷ୍ଟ କରି କେଦାରଗଡ଼ ପହଞ୍ଚି ଗଲେ ଆଉ ଅସୁବିଧା ନାହିଁ। ସେଠୁ ରାୟଗଡ଼ ପାଇଁ ବସ ମିଳି ଯାଏ ସହଜରେ।

ନିର୍ଦ୍ଦିଷ୍ଟ ଦିନ ସକାଳ ୮ଟା'ରେ ଯାତ୍ରା ଆରମ୍ଭ କରିଲି, ସାଙ୍ଗରେ ଥିଲା ବଣବିଭାଗର ଗାଡ଼ିଚାଳକ ବାପିନା ବାଂଠ। ଟୋକାଟି ଯେମିତି ହସିଖୁସି ଆଉ ପ୍ରାଣୋଜ୍ଜ୍ଵଳ ସେମିତି ହିଁ ଦକ୍ଷ ଗାଡ଼ିଚାଳକ। କଥା ଥିଲା, ମତେ କେଦାରଗଡ଼ରେ ଛାଡ଼ି ଫେରି ଯିବ ସିଏ।

ଝରାଖାଲି ପହଞ୍ଚୁ ପହଞ୍ଚୁ ସନ୍ଧ୍ୟା ୫ଟା ବାଜି ଗଲା। ଶିକାର କୋଠିଟା ନିକଟବର୍ତ୍ତୀ ଏଷ୍ଟେଟର ରାଜାଙ୍କର। ଶୀତ ସମୟରେ ବ୍ରିଟିଶ ବାବୁଙ୍କୁ ଧରି ଏଇ କୋଠିରେ କିଛିଦିନ ବୁଲି ଯାନ୍ତି ରାଜାସାହେବ, ସାଙ୍ଗରେ ଥାଏ ଶିକାର ଆଉ ଅନ୍ୟାନ୍ୟ ଆମୋଦପ୍ରମୋଦର ସବୁ ଆୟୋଜନ। ବର୍ଷର ଅନ୍ୟାନ୍ୟ ସମୟରେ ଖାଲି ପଡ଼ି ଥାଏ କୋଠିଟା। କୋଠିର କମ୍ପାଉଣ୍ଡ ଭିତରେ ବିଶାଳ ଗୋଟେ ଲନ। ଲନର ଗୋଟିଏ ପ୍ରାନ୍ତରେ କେୟାରଟେକର ପାଇଁ ଛୋଟ ଗୋଟିଏ କ୍ୱାର୍ଟର।

ଗାଡ଼ି ଶବ୍ଦ ଶୁଣି କେୟାରଟେକର ଦୌଡ଼ି ଆସିଲା। ତାକୁ ରାତିରେ ଏଠି ରହିବି ଜଣେଇ, ଗୋଟେ ଘର ଖୋଲି ଦେବାକୁ କହିଲି- ହାତରେ କିଛି ଟଙ୍କା ଦେଲି ରାତିର ଖାଇବା ପାଇଁ।

"ରହିବାକୁ କୌଣସି ଅସୁବିଧା ହବନି ବାବୁ, କିନ୍ତୁ ଆପଣମାନେ ଟିକେ ସାବଧାନ ରହିବେ।" କେୟାରଟେକର ଟିକେ ଚିନ୍ତିତ ମୁହଁରେ କହିଲା।

"କଣ ହେଇଛି ଭାଇନା, ଏମିତି କାହିଁକି କହୁଛ?" ବିସ୍ମିତ ହୋଇ ପଚାରିଲି ମୁଁ।

ହଠାତ ବଜ୍ରକଠିନ ଗୋଟେ ଗର୍ଜନ ଶୁଣି ପଛକୁ ଫେରିଲି। ଏବେ ଯାଏଁ ଧ୍ୟାନ ଦେଇ ନ ଥିଲି, ବିଶାଳ ଲନ'ଟିର ମଝିରେ କିଛି ଚେୟାର ଟେବୁଲ ପଡ଼ିଛି। ଜଣେ ବ୍ରିଟିଶ ଯୁବକ ଟେବୁଲ ଉପରେ ମଦ-ଦୋକାନ ଖୋଲି ସୋମରସ ପାନ କରିବାରେ ମତ୍ତ। ଏମିତି ବିଦ୍ୱେଷପୂର୍ଣ୍ଣ ଗର୍ଜନ ଯୋଉ କଣ୍ଠରୁ ବାହାରିଛି, ତାହାର ମାଲିକ ସିଏ ଛଡ଼ା ଆଉ କେହି ହେବା କଥା ନୁହେଁ।

"କଣ ହେଇଛି ସାହେବ?", ମୁଁ ପଚାରିଲି।

"ଏଇ ଅଶିକ୍ଷିଟ କେୟାରଟେକର ଆମକୁ ଭୂଟ ଷ୍ଟୋରୀ ଶୁଣଉଛି। ହି ଥିଙ୍କସ ଆଟ ନାଇଟ, ଏଇ କୋଠିରେ କେହି ଆସି ଉପଦ୍ରବ କରେ। ହ୍ୟାଙ୍ଗ ଇଓର ବ୍ଲଡି ଫୋକଟେଲ, ଇଉ ରାସ୍କେଲ। ଯେମିତି ଟୁମମାନକୁ ବ୍ରିଟିଶ ଜୋତା ତଳେ ଦବେଇ କରି ରଖା ହୁଏ, ଟୁମର ଇଣ୍ଡିଆନ ଘୋଷ୍ଟମାନକୁ ସେମିତି ଜୋତା ତଳେ ରଖିବି।" ମଦ୍ୟପ ସାହେବର ମୁହଁରୁ ଆଉ କିଛି ଉଚ୍ଚଭାଷା ବାହାରି ଆସିଲା।

"ଏଇ ସାହେବ କଣ କହୁଛି, ଭାଇନା?"

"ବାବୁ, ଏଇ କୋଠିଟା ଭଲ ନୁହେଁ, ରାତିରେ ବିପଦ ଅଛି। କୋଠି ପଛପଟେ ସାମାନ୍ୟ ଟିକେ ଦୂରରେ ସ୍ଥାନୀୟ ଆଦିବାସୀମାନଙ୍କ ପୂଜାସ୍ଥଳ। ସେଇ ପୂଜାସ୍ଥଳର ଉପାସ୍ୟ ଦେବୀ ଭାରି ଭୟଙ୍କର ଆଉ ଜାଗ୍ରତ। ଏଇ କୋଠିରେ ତାଙ୍କ ଛାୟା ପଡ଼ିଛି। ସେଥିପାଇଁ କହୁଛି, ରାତିରେ ଟିକେ ସାବଧାନରେ ରହିବେ।"

ତାର କଥା ଶୁଣି ଭାରି ମଜା ଲାଗିଲା। ଉପାସ୍ୟ ଦେବୀଙ୍କୁ ଦେଖିବା ପାଇଁ ଭାରି କୌତୁହଳ ସୃଷ୍ଟି ହେଉଥିଲା ମନ ଭିତରେ। ଜିନିଷପତ୍ର ଘରେ ରଖି ଅଳ୍ପସମୟ ପରେ ଉପାସ୍ୟସ୍ଥଳ ଉଦ୍ଦେଶ୍ୟରେ ବାହାରି ପଡ଼ିଲି।

ଉପାସ୍ୟସ୍ଥଳ ବେଶୀ ଦୂରରେ ନୁହେଁ। ଗୋଟେ ବିଶାଳ ବରଗଛ ତଳେ ଟିକେ ଜାଗା ପରିଷ୍କାର କରି, ପଥର ପକେଇ ଗୋଲ ପରିଧି ପରିକା କରା ହୋଇଛି। ପରିଧିର କେନ୍ଦ୍ରରେ ବିରାଜମାନ ସେଇ ଉପାସ୍ୟ ଦେବୀ- କଳା ମସୃଣ ପଥରରେ ତିଆରି ଗୋଟେ ଅତୁଳନୀୟ ପ୍ରତିମା।

ପ୍ରତିମାଟି ନିପୁଣ ଶୈଳୀରେ ନିର୍ମିତ- କୌଣସି ଅଜଣା ଶିଳ୍ପୀର ଅସୀମ ତପସ୍ୟାର ଫଳ ଏଇ ଅପୂର୍ବ ଭାସ୍କର୍ଯ୍ୟ। ସୁଡୌଲ ରମଣୀ ଦେହର ସୌନ୍ଦର୍ଯ୍ୟ ଅଂଟାର ଅଳ୍ପ ଚିକଣ ମେଦ ଦ୍ୱାରା ପରିସ୍ଫୁଟ। ନିତମ୍ବ କୋଉ ସୁଦକ୍ଷ କୁମ୍ଭାର ହାତରେ ଗଢ଼ା କଳସୀ ପରିକା ସୁଠାମ। ଉଦ୍ଧତ ବକ୍ଷ ପଦ୍ମପତ୍ର ଉପରେ ପଡ଼ିଥିବା ଜଳବିନ୍ଦୁ ପରିକା ନିଟୋଲ ଆଉ ପରିପୂର୍ଣ। ମୁଖଶ୍ରୀ ସୁଡୌଲ, ନାକଟି ତୀକ୍ଷ୍ଣ, ଓଷ୍ଠାଧାର ଦିଟା ଗୋଲାପ ପାଖୁଡ଼ା ପରିକା ସଦାହାସ୍ୟ ମୁଖର। ପାହାଡ଼ି ନଈ-ସ୍ରୋତ ପରିକା ଅଂଟା ପର୍ଯ୍ୟନ୍ତ ଦୋଳି ଖେଳୁଛି ଘନ କେଶରାଶି।

କିନ୍ତୁ ନା, ଏତେ ସୁନ୍ଦର ପ୍ରତିମା ଦେଖି ମନ ପୁଲକିତ ହୋଇବା ବଦଳରେ କେମିତି ଗୋଟେ ଅସ୍ୱସ୍ତି ଲାଗିଲା। ଘନ ସରୁ ଭୃଯୁଗଳ ତଳେ ଦିଘଲ କଳା ଆଖି, ଦୃଷ୍ଟି ତୀକ୍ଷ୍ଣ ଆଉ ଅନ୍ତର୍ଭେଦୀ। ସୁକୋମଳ ହାତର ସରୁ ଆଙ୍ଗୁଳିରେ ବନ୍ୟପ୍ରାଣୀ ପରିକା ସୁତୀକ୍ଷ୍ଣ ନଖରାଶି ଶୋଭିତ। ପାଖରୁ ଦେଖିଲେ ଓଷ୍ଠାଧାରରେ ଗୋଟେ ହାଲ୍କା ବିଦ୍ୱେଷପୂର୍ଣ ହସ- ମନେ ହୋଇବ ଗୋଟେ ସୁପ୍ତ ଜିଘାଂସା ଜାଗୃତ ହୋଉଛି ଧୀରେ ଧୀରେ। ଆସନ୍ନ ସନ୍ଧ୍ୟାର ଛାଇ-ଆଲୁଅରେ ସେଇ ମୂର୍ତ୍ତୀ ସାମ୍ନାରେ ଛିଡ଼ା ହୋଇ କେମିତି ଟିକେ ଶିହରି ଉଠିଲି ମୁଁ। ମନର ଅଜ୍ଞାତ ଆଶଙ୍କା ତ୍ୟାଗ କରି କୋଠିକୁ ଫେରି ଆସିଲି ଦ୍ରୁତଗତିରେ।

ରାତି ୮'ଟା ଭିତରେ ଆମର ଖାଇବା ସରିଗଲେ କେୟାରଟେକର ତା କ୍ୱାର୍ଟରକୁ ଚାଲି ଗଲା। ବାପିନା ସାରାଦିନ ଗାଡ଼ି ଚଳେଇ କ୍ଲାନ୍ତ, ସେଥିପାଇଁ ତାକୁ ଜଲ୍ଦି ଶୋଇବାକୁ ପଠେଇ ଦେଲି। ଏତେ ଜଲ୍ଦି ମୋର ନିଦ ହୁଏ ନି, ସେଥିପାଇଁ ଗୋଟେ ବହି ନେଇ ପଢ଼ିବାକୁ ବସିଲି। ମଝିରେ ଗୋଟେ ବଖରା ଛାଡ଼ି ସାହେବର ବଖରା। ଏଇନେ ମଧ୍ୟ ସିଏ ମଦ୍ୟପାନ କରି ଚାଲିଛି। ଘଂଟାରେ ରାତି ୧୦ଟା ବାଜିଲେ ମୁଁ ବହି ରଖି ଖଟକୁ ଉଠିଗଲି। ଘର କଥା ଚିନ୍ତା କରୁ କରୁ କେତେବେଳେ ନିଦ ହୋଇ ଯାଇଛି ମନେ ନାହିଁ।

ହଠାତ କେ ଜାଣି କାହିଁକି ମଝି ରାତିରେ ନିଦ ଭାଙ୍ଗି ଗଲା। ବାହାରେ ସେଇ ସମୟରେ ପ୍ରବଳ ଝଡ଼, ସାଙ୍ଗରେ ମୁଷଳଧାରାରେ ବର୍ଷା। ଘର ବଖରା ଭିତରଟା କୋଉ ଅଜଣା କାରଣରୁ ଅସ୍ୱାଭାବିକ ଭାବରେ ଥଣ୍ଡା। ବର୍ଷା ଯୋଗୁ କି? ଝଡ଼ ପ୍ରଭାବରେ ହଠାତ କୋଉଠି ଭାଙ୍ଗି ପଡ଼ିଲା ଗୋଟେ ଗଛ ଡାଳ। ମନେ ହେଲା ମଡ଼ ମଡ଼ ଶବ୍ଦ କରି ଅନ୍ତିମ ସମୟରେ ଅଭିଶାପ ଦେଇ ଗଲା କୋଉ ଶତ୍ରୁ କୁ। ଭୀଷଣ ପବନର ହା-ହା ଆବାଜ ନରକର କୋଉ ଭୟାନକ ଦାନବର ନିଷ୍ଠୁର ହସ ପରିକା ଶୁଭା ଯାଉଥିଲା।

ଏମିତି ଦୁର୍ଯୋଗପୂର୍ଣ୍ଣ ମଝି ରାତିରେ କେମିତି ଗୋଟେ ଅସ୍ୱସ୍ତି ସୃଷ୍ଟି ହେଲା ମନ ଭିତରେ। ମନେ ହେଲା ଏଇ ନିଝୁମ କୋଠିରେ ଆମକୁ ଛାଡ଼ି ଆଉ କେହି ଅଛି। କହି ପାରିବିନି, କିନ୍ତୁ ମନେ ହେଲା କାହାର ଅସ୍ତିତ୍ୱ ଅନୁଭବ କରି ପାରୁଥିଲି ମୁଁ। ଧୀରେ ଧୀରେ, କେମିତି ଗୋଟେ ଚାପା ଆଶଙ୍କା ଦାନା ବାନ୍ଧି ଆସୁଥିଲା ମୋର ଚେତନାରେ।

"ହିଁ ହିଁ ହିଁ ହିଁ .. ହିଃ.. ହିଁ ହିଁ ହିଁ......ହିଃ..." ହଠାତ ଅନ୍ଧାରକୁ ଚିରି କାହାର ଅପାର୍ଥିବ ହସ ଗୁଞ୍ଜି ଉଠିଲା କୋଠିରେ! ମନେ ହେଲା ନିସ୍ତବ୍ଧ କୋଠି ଥରି ଉଠିଲା କାହାର ଅଶୁଭ ଉପସ୍ଥିତି ଯୋଗୁ। ମୃତ୍ୟୁଶୀତଳ ଗୋଟେ ଆତଙ୍କ ଦ୍ରୁତଗତିରେ ଦୌଡ଼ୁଥିବା ମୋର ହୃଦପିଣ୍ଡରେ ମାଡ଼ି ବସୁଥିଲା ପ୍ରତି କ୍ଷଣରେ।

"ମେହୁରୀ ଧୀରକି ନେଲୁ ମାନଛୁ ଲାଡ଼ି କେନ୍ଦୁ....."

ଏଇ ଦୁର୍ଯୋଗପୂର୍ଣ ରାତିରେ, ଆଦିବାସୀ ଭାଷାରେ ଗୀତ ଗାଉଛି କିଏ? କିଏ ସେ, କିଏ?

"ମେହୁରୀ ଧୀରକି ନେଲୁ ମାନଛୁ ଲାଡ଼ି କେନ୍ଦୁ......"

ପୁଣି ଥରେ ଭାସି ଆସିଲା ସେଇ ଅଜଣା ଗୀତ- ଏଥର ଆହୁରି ପାଖରେ, ଆହୁରି ନିକଟରେ!

ହଠାତ ବିଜୁଳି ଆଲୁଅରେ ଝଲସି ଉଠିଲା ଚାରି ଆଡ଼। କ୍ଷଣିକ ପାଇଁ ଗୋଟେ ଜୀବନ୍ତ ଛାୟାମୂର୍ତି ଦେଖା ଗଲା କରିଡୋରରେ! ମୁହୂର୍ତ୍ତ ପରେ ଅନ୍ଧାରରେ ହଜି ଗଲା ସେଇ ବିଭୀଷିକାର ପ୍ରତିମୂର୍ତ୍ତୀ

"କିଏ? କିଏ ସେଇଠି ଛିଡ଼ା ହେଇଛ?", ସାହସ କରି ମୁଁ ଚିତ୍କାର କରି ପଚାରିଲି। ଗୋଟେ ଅଜଣା ଡରରେ ଶୁଷ୍କକୂପ ପରିକା ଶୁଖି ଯାଇଥିଲା ମୋର କଣ୍ଠ।

"ମେହୁରୀ ଧୀରକି ନେଲୁ ମାନଛୁ ଲାଡ଼ି କେନ୍ଦୁ......" ଏଥର ବହୁ ଦୂରରୁ ଶୁଭା ଗଲା ସେଇ ଅଜ୍ଞାତ ଗୀତ। ଧୀରେ ଧୀରେ ଝଡ଼ ଶବ୍ଦରେ ମିଳେଇ ଗଲା ସେଇ ଅଜଣା ଗାୟକର କଣ୍ଠ। ମନେ ହେଲା ରାତ୍ରିର ସନ୍ତାନ ହଜି ଗଲା ରାତ୍ରି କୋଳରେ।

----------------------------


ରାତିଟା ଦୁଃସ୍ୱପ୍ନରେ କଟିଲା। ଝଡ଼ ବିଜୁଳି ଭିତରେ କୋଉ ସମୟରେ ଶୋଇ ପଡ଼ିଥିଲି, ମନେ ନାହିଁ। ନିଦ ଭାଙ୍ଗିଲା ବେଶ ଡେରିରେ। ଲନରେ ଆସିକି ଦେଖିଲି ସାହେବ ଜଣେ ଆଦିବାସୀକୁ ହଗାନଗା କରି ବାଡଉଛି। ଗୋଟେ ନିରୀହ ଲୋକ ଉପରେ ଏତେ ଅତ୍ୟାଚାର ଦେଖି ମୁଁ ଚୁପ ରହି ପାରିଲିନି। ଯାଇ କିରି ସାହେବକୁ ବାଧା ଦେଲି।

"କଣ ହେଇଛି ସାହେବ, ନିରୀହ ଲୋକଟାକୁ ପଶୁ ପରିକା ମାରୁଛ କାହିଁକି?"

"ଦିସ ରାସ୍କେଲ, କାଲି ରାତିରେ କୋଠିରେ ପଶି ସାରା ରାତି ଭୂତଙ୍କ ପରିକା ଆବାଜ କରି ଲୋକକୁ ଶୋଇବାକୁ ଦେଇନି। ଓଃ! ଆଇ କୁଡ ନଟ ସ୍ଲିପ ଡିଉ ଟୁ ନାଇଟମେଅର"

ମୁଁ ଲୋକଟା ଆଡ଼େ ଫେରିଲି। ବଡ଼ ବଡ଼ ଜଟ ପଡ଼ିଥିବା ଧଳା ଚୁଟି। ମୁହଁର କିଛି ଦାନ୍ତ ଅନୁପସ୍ଥିତ। ବଳିରେଖା ଯୋଗୁ ଗାଲଗୁଡ଼ିକ ଧଡ଼ଧଡ଼। ଆଖି ଦିଟା ମଲା ମାଛ ପରିକା ହଳଦିଆ ଅଥଚ ଗଭୀର। ଦେଖିକିରି ତାକୁ ଟିକେ ଅପ୍ରକୃତିସ୍ଥ ଲାଗିଲା।

"ତୁମେ କିଏ? କାଲି ରାତିରେ କୋଠିରେ କଣ କରୁଥିଲ?"

"ଆମେ ତ ସବୁ ରାତିରେ ଆସୁ ବାବୁ। ରାତିରେ ଏଇଠି ଶୋଉ ଆମେ"

"ଆମେ ମାନେ? ତୁମେ ଆଉ କିଏ?"

"ମୁଁ ଆଉ ମୋର ଉପାସ୍ୟ ଦେବୀ, ବାବୁ", ଭଙ୍ଗା ଦାନ୍ତ ଦେଖେଇ ହସିଲା ଲୋକଟା। "ମୁଁ ତ ଦେବୀଙ୍କ ପୁରୋହିତ। ଦେବୀ ଯୋଉଠି, ମୁଁ ସେଇଠି।"

"କୋଉ ଦେବୀ", ମୁଁ ପଚାରିଲି ତାକୁ।

"ସେଇ ଯେ କୋଠି ପଛପଟର ବରଗଛ ତଳେ ଅଧିଷ୍ଠାତ୍ରୀ ଦେବୀ। ମୋ ସାଙ୍ଗରେ ସିଏ ବି ଆସନ୍ତି ପରା"

"ବ୍ଲଡି ଟ୍ରାଇବଲ", କ୍ରୁଦ୍ଧ ଗର୍ଜନ କରି ତା ଆଡ଼େ ମାଡ଼ିଗଲା ସାହେବ "ଏଇ ସବୁ ଗପ ଫାନ୍ଦି ଲୋକକୁ ଡରେଇ କୋଠିର ମଜା ନେଉଛ?"

ଆଦିବାସୀ ପୁରୋହିତ ଆଉ ଠିଆ ହେଲା ନି। ସାହେବର କବଳରେ ପଡ଼ିବା ଆଗରୁ ସିଏ ଦୌଡ଼ି ପଳେଇଲା ବଣ ଭିତରକୁ।

ଆଦିବାସୀକୁ ଧରି ନ ପାରି ସାହେବର ସବୁ ରାଗ ଯାଇ ପଡ଼ିଲା ତା ଚାକର ଉପରେ। ତାର ଏ ଦେଶୀୟ ଚାକର ଗାଡ଼ିରେ ଜିନିଷପତ୍ର ସଜାଡ଼ୁ ଥିଲା ସେଇ ସମୟରେ। ଜିନିଷ ବାନ୍ଧିବାକୁ ଏତେ ସମୟ କାହିଁକି ଲାଗୁଛି କହି ସାହେବ ତାକୁ ଶୋଧିବାକୁ ଲାଗିଲା।

ହଠାତ ଗୋଟେ ଜିନିଷ ଦେଖି ଆଶ୍ଚର୍ଯ୍ୟ ହୋଇ ଗଲି ମୁଁ। ଆଉ ସବୁ ଜିନିଷ ସାଥିରେ ସେଇ ଦେବୀମୂର୍ତ୍ତୀ ବି ସାହେବର ଗାଡ଼ିରେ ଲଦା ହୋଇଛି।

"ଇଏ କଣ, ସାହେବ? ତୁମେ ସିଧା-ସରଳ ଆସିବାସୀଙ୍କ ଉପାସ୍ୟ ଦେବୀମୂର୍ତ୍ତୀ କାହିଁକି ନେଉଛ?"

"ଏଟେ ଭଲ ଗୋଟେ ମୂର୍ତ୍ତୀ ଏଇ ଜଙ୍ଗଲରେ ପକେଇ ରଖିବି?", ବିଦ୍ରୁପ ହସି ସାହେବ କହିଲା- "ମୁଁ ଏଇଟା ଲଣ୍ଡନରେ ମୋର ହୋମକୁ ନେଇ ଯିବି। ଲୋକମାନେ ଦେଖିକି ଟାରିଫ କରିବେ।"

"କିନ୍ତୁ ସାହେବ, ଏଇଟା ଠିକ କଥା ନୁହେଁ।"

"ଟୁମେ ମତେ ଜ୍ଞାନ ଦିଅନି। ଇଉ କାଣ୍ଟ ଷ୍ଟଫ୍ ମି।", ସାହେବ ପକେଟରୁ ପିସ୍ତଲ ବାହାର କରିଲା- "ମୁଁ ପୁଲିସ ଏ.ଏସ.ଆଇ. ଜନସନ ସ୍ମିଥ। ଏଇ ଜଙ୍ଗଲ ଭିତରେ ଟୁମ ପରିକା କଲା ଇଣ୍ଡିଆନଙ୍କୁ ଗୁଳି କରି ମାରି ଦେଲେ ବି କେହି ଖୋଜି ପାଇବେନି।"

ଆଖି ସାମ୍ନାରେ ଏତେ ସୁନ୍ଦର ପ୍ରତିମାଟି ହସ୍ତଗତ ହେବା ଦେଖି ହୃଦୟ ଫାଟି ପଡ଼ିଲା ମୋର। ସତ କହିବାକୁ ଗଲେ, ଆମ ଭାରତୀୟମାନଙ୍କ ନିଜ ସଂସ୍କୃତି ପାଇଁ ଅବହେଳା ଯୋଗୁ ଆମର ଐତିହ୍ୟ ଆଜି ଏମିତି ଧୂଳିରେ ବୁଡ଼ୁଛି। ଆମେ ତାହା ରକ୍ଷା କରି ପାରୁନୁ, ଆଉ ଭିନ୍ନଦେଶୀ ଅତ୍ୟାଚାରିମାନେ ଆସି ଆମର ଗୌରବଶାଳୀ ମୂର୍ତ୍ତୀ, ବିଗ୍ରହ, ଇତ୍ୟାଦି ଚୋରି କରି ବଳ ଖଟେଇ ନିଜ ଦେଶକୁ ନେଇ ଯାଉଛନ୍ତି। ସେଠି ସରକାରୀ ଯାଦୁଘରରେ ଅଥବା ବ୍ୟକ୍ତିଗତ ସଂଗ୍ରହଶାଳାରେ ଦ୍ରଷ୍ଟବ୍ୟ ବସ୍ତୁ ପରିକା ସଜେଇ ରଖୁଛନ୍ତି। ନିଜର ଅସହାୟତା ଯୋଗୁ ମୋର ନିଜ ଉପରେ ରାଗ ହୋଉଥିଲା ପ୍ରବଳ। ନିରୁପାୟ ହୋଇ ନିଜ ବଖରାକୁ ଫେରି ଆସିଲି ମୁ, ବାପିନାକୁ ଡାକିଲି ନିଦରୁ। କିନ୍ତୁ ମୋର ଦୁର୍ଭାଗ୍ୟ, ସେଦିନ ଆଉ ଯାତ୍ରା କରି ହେଲାନି।

ବାପିନାର ହଠାତ ପ୍ରବଳ ଜର, ସାଙ୍ଗରେ ଭୀଷଣ ଦେହ-ଦରଜ। ମୋ ପାଖରେ ଯାହା ଔଷଧପତ୍ର ଥିଲା ସେଥିରୁ ଜର ଔଷଧ ଟିକେ ଦେଲି। ଔଷଧ ଖାଇ, ସିଏ ପୁଣି କମ୍ବଳ ଘୋଡେ଼ଇ ଶୋଇ ପଡ଼ିଲା। ମୁଁ ଆଉ ତାକୁ ଡାକିଲିନି, ତାର ଗୋଟେ ଦିନ ପୁରା ବିଶ୍ରାମ ଦରକାର।

ଯାହା ହୋଉ, ସାରାଦିନଟା ଯେମିତି ହେଲେ ବି କଟି ଗଲା। ଔଷଧ ଯୋଗୁ ବାପିନାର ଦେହଟା ଟିକେ ଭଲ ହେଇ ଆସି ଥିଲା ସଞ୍ଜ ଆଡ଼କୁ। ସେଦିନ ଆଉ ଡେରି ନ କରି ଜଲ୍ଦି ଖାଇ-ପିଇ କିରି ଆମେ ଶୋଇ ପଡ଼ିଲୁ। ଠିକ କଲୁ, ଆମେ କାଲି ପାହାନ୍ତାରେ ଉଠି ଯାତ୍ରା ଆରମ୍ଭ କରିବୁ।

କେତେ ସମୟ ଶୋଇଛି ଧାରଣା ନାହିଁ, ହଠାତ ଆଗ ଦିନ ପରିକା ମଝି ରାତିରେ ମୋର ନିଦ ଭାଙ୍ଗି ଗଲା। ଏ ରାତିରେ ବି ଭୟଙ୍କର ଝଡ଼ ଆଉ ପ୍ରବଳ ବର୍ଷା। ବାହାରେ ପବନର ପ୍ରବଳ ତାଣ୍ଡବ, ସାଥିରେ ଘନ ଘନ ବିଜୁଳିର ଝଲକାନି। ଥଣ୍ଡା ହାଓୟାରେ କେମିତି ଗୋଟେ ମାଦକତା। ସ୍ପଷ୍ଟ ଅନୁଭବ କଲି ଗତ ରାତି ପରିକା ଆଜି ବି କୋଠିରେ ଅଜଣା କାହାର ଅସ୍ତିତ୍ୱ।

ହଠାତ ଦୂରରୁ ଭାସି ଆସିଲା ଗୋଟେ ସନ୍ଦେହଜଣକ ଶବ୍ଦ- "ଠକ ଠକ ଠକ ଠକ... ଠକ"

ନିଶ୍ଚୟ ସେଇ ଆଦିବାସୀ ପୁରୋହିତ ପୁଣି ଆସିଛି ଶୋଇବାକୁ। ନିର୍ଜନ କୋଠିରେ ଆରାମରେ ଶୋଇବାର ମଜା ପାଇ ଯାଇଛି ସିଏ।

ହଠାତ ଅପ୍ରାକୃତିକ କଣ୍ଠରେ ଗୁଞ୍ଜି ଉଠିଲା ସେଇ ଅପାର୍ଥିବ ହସ "ହିଁ ହିଁ ହିଁ ହିଁ ହିଁ ହି....ହିଁ ହିଁ ହି..ହିଁ ହି"- ତା ସାଥେରେ ଶୁଭା ଗଲା କାଲିର ସେଇ ଆଦିବାସୀ ଗୀତ "ମେହୁରୀ ଧୀରକି ନେଲୁ ମାନଛୁ ଲାଡ଼ି କେନ୍ଦୁ......"। ସାଙ୍ଗେ ସାଙ୍ଗେ ଗୋଟେ ଜିନିଷ ଉପଲବ୍ଧି କରି ଶିହରି ଉଠିଲି ମୁଁ।

ଗୀତ ଆଉ ହସ ଏକଦମ ଏକା ସାଥେରେ ଶୁଭା ଗଲା। ପୃଥିବୀରେ ଏମିତି କେହି ନାହିଁ ଯେ ଗୋଟିଏ ସମୟରେ ଗୋଟିଏ କଣ୍ଠରୁ ଦିଟା ଆବାଜ ବାହାରି କରି ପାରିବ। ୟାର ଖାଲି ଗୋଟେ ହିଁ ଅର୍ଥ ହୁଏ- ପୁରୋହିତ ସାଙ୍ଗରେ ଆଉ କେହି ଅଛି!

କିଏ ସେ, କିଏ?

----------------------------


ପାହାନ୍ତା ବେଳ ଆଡ଼କୁ ବର୍ଷା ଛାଡ଼ି ଆସିଲା। ସୁବର୍ଣ୍ଣ ସୂର୍ଯ୍ୟକିରଣରେ ଭରି ଗଲା ସବୁଆଡ଼। ହାଲ୍କା ଖରା ଦେଖି ମନଟା ଭରି ଗଲା ମୋର ଖୁସିରେ।

ବାରଣ୍ଡାକୁ ବାହାରି ଦେଖିଲି, କଣରେ କାଲିର ସେଇ ଆଦିବାସୀ ପୁରୋହିତ ଗୋଟେ କନା ପକେଇ ଶୋଇଛି। ମୋ ପାଦ ଶବ୍ଦରେ ମୁହଁ ଉଠେଇ, ମତେ ଦେଖି ପାଗଳ ପରିକା ହସିଲା।

"ପୁଣି ଆସି ଏଠି ମଜାରେ ଶୋଇଛୁ? ବଦମାସ, ତତେ ଧରି ବାଡ଼େଇବା ଦରକାର। ଯଦି ଶୋଇବା ଇଛା, ଚୁପଚାପ ଶୋଇଲୁ ନି କାହିଁକି? ରାତିରେ ଭୂତଙ୍କ ପରିକା ଡରେଇବାର ମାନେ କଣ?"

"ଡରେଇବି କାହିଁକି ବାବୁ। ଆପଣ ତ କାଲି ମତେ ସେଇ ଗୋରା ସାହେବଠୁ ବଞ୍ଚେଇଲେ।" ଭଙ୍ଗା ଦାନ୍ତରେ ହସି କହିଲା ପୁରୋହିତ, "ଅସଲରେ, ଦେବୀଙ୍କ ସାଥେ ରେ ଆସିଲେ ତାଙ୍କୁ ବନ୍ଦନା କରିବା ପାଇଁ ଟିକେ ଗୀତ ଗାଏ।"

"ତାହଲେ କାଲି ଗାଉଥିଲୁ କାହିଁକି? ସାହେବ ତ ତୋର ଦେବୀଙ୍କୁ ନେଇ ଚାଲି ଯାଇଛନ୍ତି। ଏଇନେ ଆଉ ବନ୍ଦନା କରିବା ପାଇଁ ଦେବୀ କୋଉଠି?"

"କେ କହିଲା ବାବୁ? ଯାଇକିରି ଦେଖ, ଦେବୀ ସେଇଠି ହିଁ ଅଛନ୍ତି। ଅଲକ୍ଷ୍ମୀଙ୍କୁ ନେଇ କିରି ଯିବ, ଏତେ କ୍ଷମତା କାହାର ନାହିଁ।"

"ଅଲକ୍ଷ୍ମୀ? ଅଲକ୍ଷ୍ମୀ ମାନେ?" ମୋର ଏଇନେ ବିସ୍ମିତ ହୋଇବାର ପାଳି।

"କଣ, ଗୋରା ସରକାରଙ୍କ ଚାକିରୀ କରୁଛ ବୋଲି ନିଜ ପୁରାଣ ବି ଭୁଲି ଗଲଣି?" ହସି କହିଲା ପୁରୋହିତ "ସମୁଦ୍ର-ମନ୍ଥନରେ ମା ଲକ୍ଷ୍ମୀ ଉତ୍ପତ୍ତି ହୋଇ ବାହାରିଥିଲେ। ସିଏ ଆସିବା ପୂର୍ବରୁ ଦେବୀ ଅଲକ୍ଷ୍ମୀ ବାହାରିଥିଲେ। ମା ଲକ୍ଷ୍ମୀ ଯେମିତି ସୁଖ, ଧନ ଆଉ ସମୃଦ୍ଧିର ପ୍ରତୀକ, ଦେବୀ ଅଲକ୍ଷ୍ମୀ ଦୁଖଃ, ଦରିଦ୍ରତା, ହିଂସା ଆଉ ଅସମୃଦ୍ଧିର ପ୍ରତୀକ। ସେଥିପାଇଁ କେହି ଦେବୀ ଅଲକ୍ଷ୍ମୀଙ୍କୁ ପୂଜା କରନ୍ତିନି।"

"ଅଲକ୍ଷ୍ମୀ ଯଦି ଦୁଖଃ, ଦରିଦ୍ରତା, ହିଂସା ଆଉ ଅସମୃଦ୍ଧିର ପ୍ରତୀକ, ତୁମେ ମାନେ ତାହଲେ କାହିଁକି ତାକୁ ପୂଜା କରୁଛ?"

"ବୁଝି ହେଲାନି କି ବାବୁ? ଆମ ଗାଁରେ ସମସ୍ତେ ଘରେ ଘରେ ଲକ୍ଷ୍ମୀ ପୂଜା କରନ୍ତି, କିନ୍ତୁ ଅଲକ୍ଷ୍ମୀ ପୂଜା ହୁଏ ଗାଁର ବାହାରେ, ସେଇ ବରଗଛ ତଳେ। ରାଜା ହୁଅନ୍ତୁ ବା ଅନ୍ୟାନ୍ୟ ଆଦିବାସୀ ଉପଜାତି ଲୋକମାନେ ହୁଅନ୍ତୁ, ଆମକୁ କେହି କେବେ ବି ଆକ୍ରମଣ କରିବାକୁ ସାହସ କରନ୍ତିନି। ସେମାନେ ଭାବନ୍ତି ଏଇ ଆଡ଼େ ଆସିଲେ ଅଲକ୍ଷ୍ମୀଙ୍କ ଦୃଷ୍ଟି ତାଙ୍କ ଉପରେ ପଡ଼ିବ, ତାଙ୍କର ସର୍ବନାଶ ହେଇ ଯିବ। ଅଲକ୍ଷ୍ମୀ ଆମର ଢାଲ। ତାଙ୍କୁ ସେଇ ମୂର୍ଖ ସାହେବ ନେଇ କିରି ଯାଇ ପାରିବନି।"

ପୁରୋହିତର କଥା ମୋର ବିଶ୍ୱାସ ହେଲାନି। ସତ୍ୟତା ପରୀକ୍ଷା କରିବା ପାଇଁ ମୁଁ ଆଉ ଥରେ ପୂଜାସ୍ଥଳକୁ ଗଲି। ଯାହା ଦେଖିଲି, ମୋର ନିଜ ଆଖିକୁ ବିଶ୍ଵାସ ହେଲା ନି। ଅତ୍ୟାଶ୍ଚର୍ଯ୍ୟ ଭାବରେ ଦେବୀ ମୂର୍ତ୍ତୀ ପୁନରାୟ ସେଇଠି ବିରାଜମାନ- ଦେଖିଲେ ମନେ ହେବନି ସେଇ ଜାଗାରୁ ଅଳ୍ପ ଟିକେ ବି ହଲିଥିଲା ସେଇ ମୂର୍ତ୍ତୀ।

ନା, ମୂର୍ତ୍ତୀରେ କିଛି ପରିବର୍ତ୍ତନ ହୋଇଛି। ମୂର୍ତ୍ତୀ ଉପରେ ଜାଗାରେ ଜାଗାରେ ଶୁଖିଲା ରକ୍ତର ଚିହ୍ନ- ଦୁଇ ହାତର ନଖର ଶୁଖିଲା ରକ୍ତରେ ରଞ୍ଜିତ। ବକ୍ର ହସର କଣରେ ଜମାଟ ବାନ୍ଧିଛି ଦୁଇ ଫୋଟା ରକ୍ତ। ଦେବୀର ମୁହଁରେ ଆଜି ହସଟା ଟିକେ ବେଶୀ ପ୍ରକଟ।

ଅଲକ୍ଷ୍ମୀଙ୍କ ମୂର୍ତ୍ତୀ ପୁନରାୟ ଏଠି ଫେରି ଆସିଲା କେମିତି? ସେଇ ରହସ୍ୟ କି ମୁଁ କେବେ ବି ଜାଣି ପାରିବି?

----------------------------


ଘରକୁ ଆସିବାର ଦୁଇ ଦିନ ପରର ଘଟଣା। ବାପାଙ୍କ ଦେହ ଆସ୍ତେ ଆସ୍ତେ ସୁସ୍ଥ ହୋଇ ଉଠୁଛି, ଡାକ୍ତର କହିଛନ୍ତି ଆଉ କିଛି ଆଶଙ୍କା ନାହିଁ।

ସେଦିନ ବସି ଖବର କାଗଜ ପଢ଼ୁଥିଲି, ହଠାତ ଗୋଟେ ଖବର ଦେଖି ଚମକି ଗଲି-

"ରାୟଗଡ଼ ଅନ୍ତର୍ଭୁକ୍ତ କେଦାରଗଡ଼ ଅଞ୍ଚଳର ଜଣେ ପୁଲିସ ଏ.ଏସ.ଆଇ ଜନସନ ସ୍ମିଥ କିଛିଦିନ ତଳେ କୋରାପୁଟରେ ତାଙ୍କ ସାଙ୍ଗ ଘରକୁ ଛୁଟି ବିତେଇବାକୁ ଯାଇଥିଲେ। ସପ୍ତାହ ଦୁଇ ପରେ କେଦାରଗଡ଼ ଫେରିବା ସମୟରେ ସିଏ ଆଉ ତାଙ୍କ ଚାକର ଅସ୍ୱାଭାବିକ ରୂପରେ ନିରୁଦ୍ଦେଶ ହୋଇ ଯାଇଛନ୍ତି। ପୁଲିସ ଝରାଖାଲିରୁ ଟିକେ ଆଗକୁ ତାଙ୍କ ଗାଡ଼ି ଖୋଜି କିରି ପାଇଛନ୍ତି, କିନ୍ତୁ ସ୍ମିଥ ବା ତାଙ୍କ ଚାକରର କିଛି ସନ୍ଧାନ ଏବେ ମଧ୍ୟ ପାଇ ନାହାନ୍ତି। ପୁଲିସ ଆଶଙ୍କା କରୁଛନ୍ତି, କୌଣସି ବନ୍ୟପ୍ରାଣୀ ଦ୍ୱାରା ସେମାନେ ଆକ୍ରାନ୍ତ ହୋଇ ପ୍ରାଣ ହରେଇଛନ୍ତି। ବନବିଭାଗ ସାଥିରେ ଯୋଗାଯୋଗ କରି ପୁଲିସ ଅନୁସନ୍ଧାନ ଚଲେଇଛି।"


© Saswat Routroy


: ଗୋଟେ ବିଦେଶୀ ଗପ "ଦି ଟୋଟେମ" ଆଉ ବିଖ୍ୟାତ ବଙ୍ଗାଳି ସାହିତ୍ୟିକ "ହେମେନ୍ଦ୍ର କୁମାର ରାୟ" ଦ୍ବାରା ରଚିତ "ଭୁତେର ରାଜା" ଠୁ ଅନୁପ୍ରାଣୀତ


Rate this content
Log in

Similar oriya story from Fantasy