Quotes New

Audio

Forum

Read

Contests


Write

Sign in
Wohoo!,
Dear user,
କାମିନୀ
କାମିନୀ
★★★★★

© Deepak Sarangi

Horror

8 Minutes   248    35


Content Ranking



 ସୀତାନାଥ ବାବୁ କଟକରେ ନୂଆ କରି ପୋଷ୍ଟମାଷ୍ଟର ଜେନରାଲ ହୋଇ କି ଆସି ଥାଆନ୍ତି । ତାଙ୍କ ଅଧୀନରେ କଟକ ଜିଲ୍ଲାର ଅଧିକାଂଶ ପୋଷ୍ଟ ଅଫିସ ରହିଥିଲା । କିଛିଦିନ ହେବ ବଡମ୍ବା ଅଞ୍ଚଳ ଦୁର୍ଜନପୁରର ଲୋକଙ୍କ ଠାରୁ ସେ ଅଭିଯୋଗ ପାଇ ଆସୁଥିଲେ ଯେ ସେଠିକାର ପୋଷ୍ଟ ଅଫିସରେ କିଛି କାମ ହେଉନି ବୋଲି । ସେଠିକାର ପୋଷ୍ଟମାଷ୍ଟର ଯିଏ ଥିଲେ ସେ ମାସକରେ ୭ ଦିନ ଆସିଲେ ୧୦ ଦିନ ଛୁଟିରେ ରହୁଛନ୍ତି । ଯେହେତୁ ଗ୍ରାମାଞ୍ଚଳ ସେଥି ପାଇଁ ବହୁତ ଲୋକ ପୋଷ୍ଟ ଅଫିସ ଉପରେ ହିଁ ନିର୍ଭର କରି ଆସୁଥିଲେ ଟଙ୍କା ରଖିବା, ଉଠାଇବା ଫିକ୍ସ ଡିପୋଜିଟ, ଚିଠିପତ୍ର ଆଦି ବହୁ କାମରେ ପୋଷ୍ଟ ଅଫିସ ହିଁ ଥିଲା ଲୋକଙ୍କର ଏକମାତ୍ର ସାହା ଭରସା । ସରକାରଙ୍କ ତରଫରୁ ଆଦେଶ ଆସିଲା ଯେ ପର୍ଯ୍ୟନ୍ତ ଦୁର୍ଜନପୁରକୁ କୌଣସି ନୂଆ ପୋଷ୍ଟମାଷ୍ଟରଙ୍କୁ ନିଯୁକ୍ତି ଦିଆଯାଇ ନାହିଁ ସେ ପର୍ଯ୍ୟନ୍ତ ସୀତାନାଥ ବାବୁ କିଛି ଦିନ ଦୁର୍ଜନପୁର ପୋଷ୍ଟଅଫିସରେ ଡେପୁଟେସନରେ କାମ କରିବେ ।


ବିଧିବଦ୍ଧ ଭାବେ ସରକାରୀ ଚିଠି ପାଇବା ପରେ ସେ ବାହାରିଲେ ଦୁର୍ଜନପୁର ଅଭିମୁଖେ । ବସରେ ପ୍ରାୟ ତିନିଘଣ୍ଟାର ଯାତ୍ରା ପରେ ସେ ଯାଇଁ ପହଞ୍ଚିଲେ ବସଷ୍ଟାଣ୍ଡରେ । ଲୋକଙ୍କ ଠାରୁ ପଚାରି ବୁଝି ନେଲେ ଯେ ସେଇଠୁ ଦୁର୍ଜନପୁର ଗାଁ ପ୍ରାୟ ୧୦ କିଲୋମିଟରର ରାସ୍ତା ଯେଉଠି କି ଯିବା ପାଇଁ ମଧ୍ୟ କିଛି ସାଧନ ନାହିଁ । ବସଷ୍ଟାଣ୍ଡରେ କିଛି ସମୟ ବସିଲା ପରେ ଜଣେ ଲୋକ ଆସି ତାଙ୍କୁ ନମସ୍କାର ପକାଇଲା ଆଉ କହିଲା “ଆଜ୍ଞା ଆପଣ ହେଉଛନ୍ତି ସୀତାନାଥ ମହାନ୍ତି ନା? ସୀତାନାଥ ବାବୁ ସମ୍ମତି ଦବା ପୂର୍ବରୁ ଲୋକଟି ସୀତାନାଥ ବାବୁଙ୍କର ବ୍ୟାଗ ଦୁଇଟିକୁ ଦୁଇ ହାତରେ ଉଠାଇ ନେଇ କହିଲା “ଆସନ୍ତୁ ମୋ ସାଥିରେ ଆପଣ ଆଜି ଆସୁଛନ୍ତି ବୋଲି ମୋତେ ଆଗରୁ କଟକ ଅଫିସରୁ ଖବର ମିଳି ସାରିଥିଲା । ମୋ ନା ପୀତାମ୍ବର ସାହୁ ମୁଁ ଦୁର୍ଜନପୁର ପୋଷ୍ଟଅଫିସର ଏକମାତ୍ର କର୍ମଚାରୀ । ଆପଣଙ୍କର ରହିବା ଓ ଖାଇବାର ବ୍ୟବସ୍ଥା ସବୁ ଆମ ଗାଁ ଡାକ ବଙ୍ଗଳାରେ ହୋଇଛି । ସୀତାନାଥ ବାବୁ ପଚାରିଲେ “ଆଛା ତୁମେ ମୋତେ ବସ ଷ୍ଟାଣ୍ଡରେ ଚିହ୍ନିଲ କେମିତି”? ପୀତାମ୍ବର କହିଲା ଏଥିରେ କୌଣସି ସନ୍ଦେହ ନଥିଲା ଯେ ପରିଷ୍କାର ସୁଟସାର୍ଟ ପିନ୍ଧା ବାବୁ ତ ଆମ ଗାଁ ବସଷ୍ଟାଣ୍ଡ ରେ ତ ଆପଣ ହିଁ ଥିଲେ । ମୁଁ ଆମ ଗାଁ ର ସବୁ ଲୋକଙ୍କୁ ଚିହ୍ନିଛି ତେଣୁ ଆପଣଙ୍କୁ ପାଇବା ମୋ ପାଇଁ କିଛି କଷ୍ଟକର କାମ ନଥିଲା” । ସୀତାନାଥ ବାବୁ ଅଳ୍ପ ହସି କହିଲେ “ପୀତାମ୍ବର ବର୍ତମାନ ଆମେ ତୁମ ଗାଁ କୁ ଯିବା କେମିତି” । ପୀତାମ୍ବର ସଙ୍ଗେ ସଙ୍ଗେ ନିଜ ସାଇକେଲ ଆଡକୁ ହାତ ଦେଖେଇ କହିଲା ଏଇ ଦେଖୁ ନାହାଁନ୍ତି ସାର ଆପଣଙ୍କୁ ନବା ପାଇଁ ମୁ ମୋ ଶୂନଗାଡି କୁ କେମିତି ସଜେଇ କି ଆଣିଛି । ଶୂନ ଗାଡି ଶୁଣି ସୀତାନାଥ ବାବୁ ହସି ଉଠିଲେ ।  ପୀତାମ୍ବର କହିଲା “ଆପଣ ହସିଲେ ଯେ ଆମ ଗାଁ ରେ ତ ୟାକୁ ସମସ୍ତେ ଶୂନ ଗାଡି ବ ସାର ବୋଲି କହୁ । ଆପଣ ପଛରେ ବସନ୍ତୁ ମୁଁ ଆପଣଙ୍କୁ ନେଇ ସାବଧାନରେ ଡାକବଙ୍ଗଳାରେ ଛାଡି ଦେଇ ଆସିବି । ଏତିକି କହି ପୀତାମ୍ବର ବ୍ୟାଗ ଦୁଇଟିକୁ ସାଇକେଲ ହ୍ୟାଣ୍ଡଲ୍ ରେ ଟଙ୍ଗେଇ ଦେଇ ସୀତାନାଥ ବାବୁଙ୍କୁ ସାଇକେଲ ର କ୍ୟାରିଆର ରେ ବସିବାକୁ କହିଲା । ପୀତାମ୍ବର ସାଇକେଲ ରେ ପେଡାଲ ମାରି ଆଗକୁ ମାଡି ଚାଲିଲା ପଛରେ ବସିବାକୁ ସୀତାନାଥ ବାବୁଙ୍କୁ ଟିକେ କଷ୍ଟ ହେଉଥାଏ । କିନ୍ତୁ ଆଉ କିଛି ଉପାୟ ମଧ୍ୟ ନାହିଁ । କିଛି ବାଟ ଗଲା ପରେ ମାଟି ରାସ୍ତା ପଡିଲା । ରାସ୍ତାରେ ବଡ ବଡ ଖାଲଖମା । ଗୋଟେ ଗୋଟେ ଜାଗାରେ ବଡ ବଡ ପଥର ମଧ୍ୟ ବାହାରି କି ଥାଏ । ପଛରେ ବସିଥିବା ସୀତାନାଥ ବାବୁଙ୍କୁ ବଡ କଷ୍ଟ ହେଉଥାଏ । ସେ ପୀତାମ୍ବରକୁ କହିଲେ “ଏମିତିଆ ରାସ୍ତା ଆଉ କେତେ ବାଟ ପର୍ଯ୍ୟନ୍ତ ରହିବ ପୀତାମ୍ବର କହିଲା ହଁ ପ୍ରାୟ ୩/୪ କିଲୋମିଟର ପର୍ଯ୍ୟନ୍ତ ରହିବ । ସୀତାନାଥ ବାବୁ କହିଲେ “ତେବେ ଟିକେ ରହିଯାଅ ଆମେ ସେତିକି ବାଟ ଚାଲିଚାଲି ପଳେଇବା” । ସୀତାନାଥ ବାବୁ ଙ୍କ କଥା ଶୁଣି ପୀତାମ୍ବର ସାଇକେଲ ରୁ ଓହଲେଇ ଗଡେଇବାକୁ ଲାଗିଲା । ସୀତାନାଥ ବାବୁ ତାକୁ ପଚାରିଲେ “ତୁମେ ଏ ପୋଷ୍ଟ ଅଫିସରେ କେତେ ଦିନ ହେଲାଣି ରହିଲଣି”? ପୀତାମ୍ବର ଉତ୍ତର ଦେଲା ମୋର ଏଇଠି ତ ଜନ୍ମ ମାଟ୍ରିକ ପାସ କଲା ପରେ ବାପା ମରିଗଲା ପରେ ମୁଁ ବାପାଙ୍କ ପୋଷ୍ଟରେ ରହିଛି । ମୋର ଏଠି ପ୍ରାୟ ୧୫ ବର୍ଷ ହୋଇ ଗଲାଣି” । ସୀତାନାଥ ବାବୁ ପୁଣି ପଚାରିଲେ “ଏଠିକି କୌଣସି ପୋଷ୍ଟ ମାଷ୍ଟର କାହିଁକି ରହୁ ନାହାଁନ୍ତି? ଯିଏ ବି ରହୁଛି ପୋଷ୍ଟ ଅଫିସକୁ ନିୟମିତ ଆସୁନି ଯାହା ଫଳରେ କି ମୋତେ ଏଠିକି ଡେପୁଟେସନରେ ପଠା ହୋଇଛି ।  କଣ ପାଇଁ ଏମିତି ହେଉଛି? ପୀତାମ୍ବର କିଛି ସମୟ ଅଟକି ଯାଇ ପଚାରିଲା “ସାର ଆପଣଙ୍କ ପରିବାର ରେ ଆଉ କିଏ କିଏ ଅଛନ୍ତି”? ସୀତାନାଥ ବାବୁ କହିଲେ “ମୋର ପରିବାର କହିଲେ ମୁଁ ଏକା ମୋ ସ୍ତ୍ରୀ ଗତ ଦୁଇ ବର୍ଷ ହେଲାଣି ଆର ପାରିକି ଚାଲି ଗଲାଣି । ଆଉ ବାପା ମା ତ କେବେ ଠୁ ଚାଲି ଗଲେଣି । ମୁଁ ଏବେ ସମ୍ପୂର୍ଣ ଏକା ପୀତାମ୍ବର ଟିକେ ରହି ଯାଇ କହିଲା “ତେବେ ସାର ଆପଣ ଏଠି ଟିକେ ଜଗି ରଖି ଚଳିବେ”। ସୀତାନାଥ ବାବୁ ପଚାରିଲେ “କାହିଁକି କଣ ପାଇଁ”? ଏଥର ପୀତାମ୍ବରର ସ୍ଵର ଟିକେ ଗମ୍ଭୀର ହୋଇ ଗଲା ସେ କହିଲା “ସାର ଆମ ପୋଷ୍ଟଅଫିସ ଯିବା ବାଟରେ ଗୋଟେ ନିଛାଟିଆ ରାସ୍ତା ପଡେ ସେଇ ବାଟ ଦେଇ ସାଧାରଣତଃ କେହି ବେଶୀ ଯିବା ଆସିବା କରନ୍ତି ନାହିଁ। ପ୍ରାୟ ପାଞ୍ଚ ବର୍ଷ ତଳେ କାମିନୀ ବୋଲି ଗୋଟେ ୨୦ /୨୧ ବର୍ଷର ଝିଅକୁ ଆମ ଗାଁ ର ୨ଟା ଟୋକା ତାକୁ ସେଇଠି ଧର୍ଷଣ କରି ମାରି କି ଫୋପାଡି ଦେଇ ଚାଲି ଯାଇଥିଲେ । ସେ ମରିବାର କିଛି ଦିନ ପରେ ଗୋଟେ ଟୋକାର ଶବ ଠିକ୍ ସେଇ ଜାଗାରୁ ହିଁ ମିଳିଥିଲା । କାମିନୀର ଅମୋକ୍ଷ ଆତ୍ମା ତାକୁ ମାରି ଗଛରେ ଟଙ୍ଗେଇ ଦେଇ ଥିଲା । ଲୋକମାନେ କୁହନ୍ତି ଯେ କାମିନୀ କୁଆଡେ ରାତି ହେଲେ ସେଇ ରାସ୍ତାରେ ବସି କାନ୍ଦେ । ଏମିତିକି ଗାଁ ଲୋକେ ତାକୁ ସେଠୁ ବାହାର କରିବା ପାଇଁ କେତେ ଥର ଗୁଣିଆ ଓ ତାନ୍ତ୍ରିକ ଆଦି ଆଣି ପୂଜା ପାଠ କରେଇଲେଣି କିନ୍ତୁ କାମିନୀ ସେ ଯାଗା ଛାଡି ଜମାରୁ ଯାଉନି , ଆଉ ସେଥି ଯୋଗୁଁ କୌଣସି ପୋଷ୍ଟମାଷ୍ଟର ଏଠିକି ଆସିବା ପାଇଁ ମନ ବଳାଉ ନାହାନ୍ତି ଆଉ ଯିଏ ବି ଆସୁଛନ୍ତି ସେ କିଛି ଦିନ ପରେ ଏଠୁ ଛାଡି ପଳାଉଛନ୍ତି । ସେଥି ମୁଁ ଆପଣଙ୍କୁ ଏବେଠାରୁ ସାବଧାନ କରେଇ ଦଉଛି ଆପଣ ୪ଟା ବାଜିଲାମାନେ ପୋଷ୍ଟଅଫିସ ଛାଡି ଡାକ ବଙ୍ଗଳାକୁ ଫେରି ଆସିବେ । ଟିକେ ରାତି ହେଲା ମାନେ ତା’ର ଦୌରାତ୍ମ୍ୟ ଆରମ୍ଭ ହୋଇଯାଉଛି । ସେ ରାସ୍ତାରେ ସେଥିପାଇଁ ସନ୍ଧ୍ୟା ହେଲେ ଆଉ କେହି ଯିବା ଆସିବା କରୁ ନାହାଁନ୍ତି” । ଏ ସବୁ କଥା ପୀତାମ୍ବର ଠାରୁ ଶୁଣି ସୀତାନାଥ ବାବୁ ହସି ଉଠିଲେ କହିଲେ “ଆଜିକା ଯୁଗରେ ତୁମେ ଏ ଭୂତପ୍ରେତ କଥାରେ ବିଶ୍ଵାସ କରୁଛ । ହଉ ହଉ ମାଟି ରାସ୍ତା ସରି ଆସିଲାଣି ଏଥର ତୁମେ ପଛରେ ବସ ମୁଁ ସାଇକେଲ ଚଳଉଛି” । ଏତିକି କହି ସୀତାନାଥ ବାବୁ ନିଜେ ସାଇକେଲ ଚଲେଇଲେ ଆଉ ପୀତାମ୍ବର ପଛରେ ବସିଲା ପ୍ରାୟ ଗୋଟେ ଅଧ ଘଣ୍ଟା ପରେ ସେମାନେ ଯାଇଁ ଦୁର୍ଜନପୁର ଗାଁ ର ଡାକ ବଙ୍ଗଳାରେ ପହଞ୍ଚି ଗଲେ । ସେଦିନ ଆଉ ପୋଷ୍ଟଅଫିସକୁ ନ ଯାଇ ସୀତାନାଥ ବାବୁ ଡାକ ବଙ୍ଗଳାରେ ବିଶ୍ରାମ କଲେ । ତା ପର ଦିନ ଯାଇ ସୀତାନାଥ ବାବୁ ପୋଷ୍ଟ ଅଫିସର ସବୁ କାମକୁ ନିଜେ ତନଖି ନେଲେ । 


କିଛି ଦିନ ଭିତରେ ସୀତାନାଥ ବାବୁଙ୍କୁ ଗାଆଁର ସମସ୍ତେ ଚିହ୍ନିଗଲେ । ତାଙ୍କ କାମକୁ ମଧ୍ୟ ସମସ୍ତେ ପ୍ରଶଂସା କରୁଥିଲେ କାରଣ ସେ ଥିଲେ ଜଣେ କର୍ତ୍ତ ବ୍ୟପରାୟଣ ଲୋକ ।  ଠିକ ସମୟରେ ପୋଷ୍ଟଅଫିସକୁ ଯିବା ଓ ବନ୍ଦ କରିବା ଥିଲା ତାଙ୍କର ନିତି ଦିନିଆ କାମ । ଏଇ ଭିତରେ ସେସବୁ ଦିନ ସେହି ରାସ୍ତା ଦେଇ ଯିବା ଆସିବା କରୁଥାଆନ୍ତି ଯେଉଁ ବାଟର କଥା ସେ ପୀତାମ୍ବର ଠାରୁ ଓ ଗାଁ ର ଅନ୍ୟ ଲୋକ ମାନଙ୍କ ଠାରୁ ମଧ୍ୟ ଶୁଣି ଥିଲେ କିନ୍ତୁ ସେ କେବେ କୌଣସି ଦିନ କିଛି ଅସୁବିଧାର ସମୁଖିନ୍ନ ହୋଇ ନାହାନ୍ତି । ଏମିତି ପ୍ରାୟ ୬ ମାସ କଟିଗଲା ବର୍ଷା ଦିନ ଆସି ଯାଇଥାଏ । ଗାଁ ରାସ୍ତା ଏକଦମ କାଦୁଅରେ ଭର୍ତି ହୋଇ ଯାଇଥାଏ । ସେଦିନ ଥିଲା ଶନିବାର ଆଉ ଅମାବାସ୍ୟାର ତିଥି । ସୋମବାର କିଛି ଗୋଟେ ଛୁଟି ଦିନ ଥିବାରୁ ସୀତାନାଥ ବାବୁ ଚାହୁଁଥିଲେ ସବୁ କାମ ଠିକ ସେ ସାରିଦେବା ପାଇଁ କାରଣ ଆଗାମୀ ଦୁଇଦିନ ଛୁଟି ରହିବ । ସେଦିନ କାମ ସରୁସରୁ ଟିକେ ବେଶୀ ରାତି ହେଇଗଲା ପୀତାମ୍ବର ବି ଦୁଇ ଦିନ ହେଲାଣି ପୋଷ୍ଟ ଅଫିସ ଆସି ନ ଥିଲା । ରାତି ପ୍ରାୟ ୮ ଟା ବାଜି ଯାଇଥାଏ ସବୁ କାମ ସାରି ପୋଷ୍ଟଅଫିସ ବନ୍ଦ କରି ସୀତାନାଥ ବାବୁ ସାଇକେଲ ନେଇ ଡାକ ବଙ୍ଗଳାକୁ ଯିବାକୁ ବାହାରିଲା ବେଳକୁ କୁଆଡେ ଗୋଟେ ବାଦଲ ଥିଲା କେଜାଣି ଆସି ଅସରାଏ ବର୍ଷା ଢାଳି ଦେଇଗଲା । ଝିଙ୍କାରି, ବେଙ୍ଗ ଆଦି ଜନ୍ତୁ ମାନଙ୍କ ଶବ୍ଦ ପରିବେଶକୁ ଆହୁରି ଭୟଙ୍କର କରେଇ ଦେଉଥାଏ । ପୋଷ୍ଟ ଅଫିସରେ ଲାଇନ ସନ୍ଧ୍ୟା ବେଳଠାରୁ ନାହିଁ । ପାଖରେ ଥିବା ବ୍ୟାଟେରୀ ଟର୍ଚକୁ ସୀତାନାଥ ବାବୁ ବାହାର କଲେ ଓ ସାଇକେଲ ଚଲେଇ ଧୀରେ ଧୀରେ ଆଗକୁ ବଢିଲେ ଆଜି ତାଙ୍କୁ ଟିକେ ବେଶୀ ଭୟ ଲାଗୁଥାଏ । ଅନ୍ଧାର ରାତିକୁ ବର୍ଷା କିନ୍ତୁ ତଥାପି ସେ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି କରି ସେ ଆଗକୁ ଚାଲି ଥାଆନ୍ତି । ପୋଷ୍ଟଅଫିସ ଠାରୁ ଡାକ ବଙ୍ଗଳା ପ୍ରାୟ ୫ କିଲୋମିଟରର ରାସ୍ତା । କିଛି ବାଟ ଗଲା ପରେ ସେହି ରାସ୍ତା ପଡିଲା ଯେଉଁ ରାସ୍ତାରେ କାମିନୀ ମରିଥିଲା । ସେ ଚାହୁଁ ଥାଆନ୍ତି ସାଇକେଲ ଜୋରରେ ଚଳେଇବା ପାଇଁ କିନ୍ତୁ ବର୍ଷା ଆଉ କାଦୁଅ ରାସ୍ତାରେ ତାହା ଥିଲା ଅସମ୍ଭବ ।  ହଠାତ ତାଙ୍କୁ ମନେ ହେଲା ଯେପରି ତାଙ୍କ ପଛରୁ ଜଣେ କିଏ ତାଙ୍କ ପଛେପଛେ ଆସୁଛି । ସେ ଶୁଣି ପାରୁଥାନ୍ତି ଜଣେ କିଏ ସ୍ତ୍ରୀ ଲୋକର ଚାଲିବାର ଶବ୍ଦ ସେଥିପାଇଁ ସେ ସାଇକେଲର ବ୍ରେକ ମାରିଲେ ଆଉ କିଛି ସମୟ ରହିଗଲେ । ଏଥର ସେ ଚାଲିବାର ଶବ୍ଦ ମଧ୍ୟ ବନ୍ଦ । ସୀତାନାଥ ବାବୁ ପୁଣି ସାଇକେଲ ଚଳେଇବାକୁ ଆରମ୍ଭ କଲେ । ପୁଣି ସେହି ଚାଲିବାର ଶବ୍ଦ ଏଥର ଚାଲିବାର ଶବ୍ଦଟା ବେଶୀ ସ୍ପଷ୍ଟ ଶୁଣାଯାଉଥାଏ ତାଙ୍କୁ । ମନେହେଲା କିଏ ଯେପରି ତାଙ୍କ ସାଇକେଲର ପଛକୁ ଟାଣି ଧରିବାକୁ ଚେଷ୍ଟା କରୁଛି । ଖୁବ ଜୋରରେ ଡରିଗଲେ ସୀତାନାଥ ବାବୁ ମହା ମୃତ୍ୟୁଞ୍ଜୟ ମନ୍ତ୍ରକୁ ସେ ଜୋରରେ ବଡପାଟିରେ ଜପ କରିବାକୁ ଲାଗିଲେ । ତାଙ୍କୁ ଲାଗିଲା ଯେ ସତେ ଯେପରି ସେ ଶବ୍ଦ କୁଆଡେ ଉଭେଇଗଲା ପରି । ସେ ସାଇକେଲ ଚଳେଇବାକୁ ଗଲା ବେଳକୁ ତାଙ୍କୁ ଲାଗିଲା ଯେ କେହି ଜଣେ ସ୍ତ୍ରୀ ଲୋକର କାନ୍ଦିବାର ସ୍ଵର ।  ସୀତାନାଥ ବାବୁ ସବୁ ସାହସ ଜୁଟେଇ କହିଲେ “ଯେ କେହି ବି ଏଠି ଅଛ ମୁଁ ସବୁ ତୁମ ବିଷୟରେ ଗାଁ ଲୋକ ଆଉ ପୀତାମ୍ବର ଠାରୁ ଶୁଣି ସାରିଛି ତୁମେ କଣ ପାଇଁ ଏଠି ରହି ଲୋକ ମାନଙ୍କୁ ହଇରାଣ କରୁଛ କଣ ତୁମ ଇଚ୍ଛା”? ସୀତାନାଥ ବାବୁଙ୍କର ଏତିକି କଥା ସରିଛି କି ନାହିଁ ସେ ଦେଖିଲେ ରାସ୍ତାର ଆରପଟେ ବିଲ ଭିତରେ ଏକ କୁଡିଆ ଘର ଭିତରେ ଗୋଟେ ଉଜ୍ଵଳ ହୋଇ ଆଲୁଅ ଜଳି ଉଠିଲା । ତାଙ୍କୁ ମନେ ହେଲା ଯେପରି କିଏ ତାଙ୍କୁ ଜଣେ ସେଠାକୁ ଭିଡି ନେଇ ଯାଉଛି । ସୀତାନାଥ ବାବୁ କୁଡିଆ ପାଖରେ ପହଞ୍ଚିଲା ବେଳକୁ ଶୁଣିପାରିଲେ ଗୋଟେ ଜୋରରେ ଗର୍ଜନ କରୁଥିବାର ଶବ୍ଦ । ସେ କୁଡିଆ ଭିତରକୁ ଗଲେ ସେ ଯେମିତି ଭିତରକୁ ଯାଇଛନ୍ତି ସଙ୍ଗେ ସଙ୍ଗେ ସେ ଆଲୁଅଟି ଲିଭିଗଲା କିନ୍ତୁ ସେ ଗର୍ଜନ ଆହୁରି ଜୋରରେ ହଉଥାଏ । ଲାଗୁଥାଏ ସତେ ଯେପରି କିଏ ଜେଣେ କାହାର ବେକକୁ ଜୋର ରେ ମାଡି ବସିଛି ସୀତାନାଥ ବାବୁ ଟର୍ଚ ମାରିଲା ବେଳକୁ ଆରେ ଏ କଣ ଏ ତ ପୀତାମ୍ବର । କିନ୍ତୁ ପୀତାମ୍ବରର ଶରୀର ଶୂନ୍ୟେ ଶୂନ୍ୟେ କୁଡିଆର ଉପରେ ଥାଏ । ପୀତାମ୍ବରର ବେକକୁ ଗୋଟେ ଅଦୃଶ୍ୟ ଶକ୍ତି ଚିପି କି ଧରି ଥାଏ । ସେ ଗଁ ଗଁ ଶବ୍ଦ କରୁ ଥାଏ । ସୀତାନାଥ ବାବୁ ଯେମିତି ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିଛନ୍ତି କଚାଡି ହୋଇ କି ପଡିଲା ପୀତାମ୍ବର ଉପରୁ ତଳକୁ । ସେ ଦଉଡି ଆସି ସୀତାନାଥ ବାବୁଙ୍କ ଗୋଡ ତଳେ ପଡି ଚିତ୍କାର କରି କହିଲା “ସାର୍ ମୋତେ ଏ କାମିନୀ କବଳରୁ ରକ୍ଷା କରନ୍ତୁ” । ଏତିକି କହିଛି କି ନାଇଁ ପୁଣି ପୀତାମ୍ବରର ଶରୀର ଉପରୁକୁ ଉଠି ସେଇଠି ଲଟକିଲା ଭଳି ରହିଗଲା । ତାକୁ ଜଣେ ଯେମିତି କହୁଥାଏ ଯେ ତୁ ସୀତାନାଥ ବାବୁଙ୍କୁ ସବୁ ସତ କଥା କହ । ପୁଣି କଚାଡି ହୋଇ ତଳେ ପଡିଲା ସେ । ପୀତାମ୍ବର ସୀତାନାଥ ବାବୁଙ୍କ ପାଖ କୁ ଦଉଡି ଆସି କହିଲା “ସାର ଏ ହେଉଛି କାମିନୀ ସେ ମୋତେ କହୁଛି ଯେ ମୁଁ ଆପଣଙ୍କୁ ସବୁ ସତକଥା କହି ଦବା ପାଇଁ । ଯଦି ଆପଣ ମୋ କଥା ଶୁଣି ୧୦୮ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ଏ କୁଡିଆରେ ନିଆଁ ଲଗେଇ ଦେଇ ପାରିବେ ତେବେ ଯାଇଁ କାମିନୀର ଆତ୍ମା ମୋକ୍ଷ ହେବ । ସୀତାନାଥ ବାବୁ କହିଲେ କେଉଁ ସତ କଥା ତୁ ମୋତେ କହିବୁ? ପୀତାମ୍ବର ଆରମ୍ଭ କଲା “କାମିନୀ ହେଉଛି ଆମ ଗାଁ ଭୋଳା ମଉସାଙ୍କର ଏକମାତ୍ର ଝିଅ । ଦେଖିବାକୁ ବହୁତ ସୁନ୍ଦର ମୁଁ ଦଶମରେ ପଢିଲା ବେଳେ ସେ ସ୍କୁଲରେ ନବମ ଶ୍ରେଣୀରେ ପଢୁଥିଲା । ମୁଁ ତାକୁ ବହୁତ ଭଲ ପାଉଥିଲି । ମୁଁ ଦଶମ ଶ୍ରେଣୀ ପାସ କରିବାପରେ ମୋ ବାପା ମରିଗଲେ ଏବଂ ମୋତେ ତାଙ୍କ ଜାଗାରେ ପୋଷ୍ଟଅଫିସରେ ଚାକିରି ମିଳିଲା । ଭଲ କିଛି ପଇସା ଆସିବା ପରେ ମୁଁ ମୋ ସାଙ୍ଗ ମଦନା ସହିତ ମିଶି ମଦ ପିଇବା ଆରମ୍ଭ କଲି । ମୋତେ କାମିନୀ ସବୁବେଳେ ମନା କରୁଥିଲା ଯେ ମଦନା ସହ ନ ମିଶିବା ପାଇଁ କିନ୍ତୁ ମୁଁ ତାର କିଛି କଥା ଶୁଣି ନଥିଲି । ଏମିତି ଦିନେ ଆମେ ଦୁଇ ଜଣ ସାଙ୍ଗ ଏଇ କୁଡିଆ ଭିତରେ ବସି ମଦ ପିଉଥିଲୁ । ସେଦିନ ଆମକୁ ଏଇ କୁଡିଆ ଭିତରେ କାମିନୀ ଦେଖିନେଲା ମୋତେ ମଦନା ସହ ଦେଖି ସେ ବହୁତ ରାଗିଗଲା କହିଲା ଯେ ଆଜି ଠାରୁ ତା’ର ମୋ ସହ ଆଉ କିଛି ସମ୍ପର୍କ ନାହିଁ ବୋଲି । ମୁଁ ମଦ ନିଶାରେ ଏକ ଦମ ଚୁର୍ ଥିଲି । ସେ ଏମିତି ସବୁ କହି କୁଡିଆ ବାହାରକୁ ଗଲାବେଳକୁ ମୁଁ ଆଉ ମଦନ ତାକୁ ପଛରୁ ମାଡି ବସିଲୁ ଆଉ ଜଣକ ପରେ ଜଣେ ଆମେ ତାକୁ ବଳତ୍କାର କଲୁ । କାଳେ ସେ ଗାଁ ରେ ସମସ୍ତଙ୍କୁ ଜଣେଇ ଦବ ବୋଲି ତା’ର ତଣ୍ଟି କି ଚିପି କି ମାରି ଦେଇ ଏଇ ପାଖ ଆମ୍ବ ଗଛରେ ଟଙ୍ଗେଇ ଦେଲୁ । ପର ଦିନ ସମସ୍ତେ ଜାଣିଲେ ଯେ କାମିନୀ ଆତ୍ମହତ୍ୟା କରିଛି ବୋଲି” । ପୀତାମ୍ବର ର ଏତିକି କଥା ସରିଛି କି ନାହିଁ ସୀତାନାଥ ବାବୁଙ୍କ ଆଗରେ ହିଁ ଗୋଟେ ଅଦୃଶ୍ୟ ଶକ୍ତି ଆସି ପୀତାମ୍ବରର ମୁଣ୍ଡକୁ ମୋଡି ଦେଲା କଡମଡ ହୋଇକି ତା ମୁଣ୍ଡ ତା ପିଠି ଆଡକୁ ବୁଲି ଗଲା ଆଉ ସେ ସେଇଠି ଟଳି ପଡିଲା । ସୀତାନାଥ ବାବୁ ଦେଖିଲେ ସେ ମରିବାର କିଛି କ୍ଷଣ ପରେ ପୁଣି ଆଲୋକିତ ହେଇ ଉଠିଲା କୁଡିଆଟି ସେ ଦେଖିଲେ ଭିତରେ କିଛି କାଠ ଦେଇ ନିଆଁ ଲାଗିଛି । ପୀତାମ୍ବରର କହିବା ମୁତାବକ ସେ ୧୦୮ ଥର ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ସାରିଲା ପରେ ସେ କୁଡିଆରେ ନିଆଁ ଲଗେଇ ଦେଲେ । ବର୍ଷାରେ ଓଦା ହୋଇଥବା ଚାଳ ଛପର କୁଡିଆ ହୁତୁହୁତୁ ହେଇ ଜଳିବା ସୀତାନାଥ ବାବୁ ତାଙ୍କ ଜୀବନରେ ପ୍ରଥମ ଥର ଦେଖୁଥିଲେ । ସେପଟେ ଆକାଶରେ ମେଘ ଛାଡି ଯାଇଥିଲା ଆଉ ସୂର୍ଯ୍ୟ ଉଦୟ ହୋଇ ଆସୁଥିଲେ ପୂର୍ବ ଦିଗବଳୟରୁ । 


ଧର୍ଷଣ ଚାଳ ଛପର ମହା ମୃତ୍ୟୁଞ୍ଜୟ

Rate the content


Originality
Flow
Language
Cover design

Comments

Post

Some text some message..