Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ranjit Sahu

Tragedy

3  

Ranjit Sahu

Tragedy

ଝୋଟି ପଞ୍ଚକର

ଝୋଟି ପଞ୍ଚକର

3 mins
575


ଆଈ ଦୁଇ ଦିନ ହେଲା ସବୁ ସରଞ୍ଜାମର ବ୍ୟବସ୍ଥା କରିବାରେ ଲାଗିଛି I କାର୍ତ୍ତିକ ସରିବ, ମାର୍ଗଶିର ମାସ ଆସିବ I ତାହାର ସାଙ୍ଗ ସବୁ ଏଥର ମଧ୍ୟ ପୁରୀ ଯାଇଛନ୍ତି କାର୍ତ୍ତିକ ମାସରେ ହବିଷ କରିବାକୁ I ଅଜା ଥିବା ସମୟରେ ଆଈ  ଯାଇଥିଲା ବର୍ଷଟିଏ କାର୍ତ୍ତିକ କରିବାକୁ I 

ଆଉ କେବେ ଇଛା କରିନି ଯିବା ଲାଗି I କେଜାଣି କେମିତି ନିଜକୁ ନିଜର ଗାଈ, ଘର . ସଂସାର ଭିତରେ ହଜେଇଦିଏ I ସକାଳୁ ଉଠି ଏମିତି ମଧ୍ୟ ନିତି ଲିପା ପୋଛା, ରୋଷେଇ ବାସ ଆଉ ଗାଈ ସେବା ତାହାର ଚାଲିଥାଏ ଘଡ଼ିର କଣ୍ଟା ସହିତ ତାଳ  ମିଶେଇ I ଘର କାମ ସାରି, ରୋଷେଇ କରିଥିବା ଅନ୍ନ ନେଇ ମନ୍ଦିରରେ ଭଗବାନଙ୍କୁ ଅର୍ପଣ କରି ଖାଏ I  ପୂରାଣ ପଢେ ଆଉ ପରେ ନିଜର ବାଡ଼ି ଆଡେ ଲାଗିଥାଏ ସଞ୍ଜ ଯାଏଁ I କାର୍ତ୍ତିକ ମାସରେ କେବଳ ଟିକିଏ ବଦଳେ ତାହାର ରୋଷେଇ, ମୁଗ  ଡାଲିରେ ଅଗସ୍ତି ଶାଗ କିଛି ମିଶେ, କଞ୍ଚା କଦଳୀ ଆଉ କନ୍ଦମୂଳ ସହ I   ଆଉ ଗୋଟିଏ ଜିନିଷ ବଦଳେ ତାହା ହେଲା ଅଗଣାର ଝୋଟି I ପଞ୍ଚୁ ବର୍ଣ୍ଣର ମୁରୁଜରେ ଆଈ  ଆଙ୍କି ଚାଲି ଥାଏ ଝୋଟି I ପଞ୍ଚକ ପାଞ୍ଚ ଦିନ ଆଈର ନିଷ୍ଠା ଆଉ ଟିକିଏ ବଢି ଯାଏ I ଘରେ ନିଜେ ତିଆରି କରିଥିବା ଘିଅ ଦୀପଟିଏ ଜାଳି ଦିଏ ଚଉଁରା ମୂଳେ I କାର୍ତ୍ତିକ ପୂର୍ଣ୍ଣିମା ବାସି ଦିନ ତାହାର ପ୍ରିୟ ସାଙ୍ଗ ରୁକ୍ମିଣୀ  ଫେରିବେ ସବୁ ବର୍ଷ ଭଳି  ଆଉ ତାଙ୍କ ପାଇଁ ଆଣିଥିବେ  ଜଗନାଥଙ୍କ ଅବଢ଼ା ଟିକିଏ I 


ସେ ମହାଲକ୍ଷ୍ମୀ ଆସନ୍ତୁ  କି ନ ଆସନ୍ତୁ ମାର୍ଗଶିର  ମାସର ପ୍ରଥମ ଦିନରେ, ରୁକ୍ମିଣୀ ଆଈ ନିଶ୍ଚୟ ଆସନ୍ତି ଅବଢ଼ା  ନେଇକି I ଆଈଙ୍କର ଝୋଟି ଦେଖନ୍ତି ସିଏ ଆଉ ବହୁତ ସମୟ ଗପ କରନ୍ତି I ତାଙ୍କୁ ଝୋଟି ଦେଇ ଆସେନି କିନ୍ତୁ ଝୋଟି ବହୁତ ଭଲ ପାଆନ୍ତି I ତାଙ୍କର ନିଜ ବୋହୁ ଦୁଇଜଣ ଆଧୁନିକ ବିଚାରର, ଚାକିରୀ କରିଛନ୍ତି ପଇସା ଆଣୁଛନ୍ତି ତେଣୁ ପରିବାରର ସମସ୍ତେ ଚୁପ I ପଇସା ତ  ଆସୁଛି ସେ ଅଗଣାରେ ଝୋଟି ଦେଲେ କେତେ ନ ଦେଲେ କେତେ? କିନ୍ତୁ ରୁକ୍ମିଣୀ ଆଈ ଝୋଟି ଟିକିଏ ପାଇଁ ବ୍ୟାକୁଳ ହୁଅନ୍ତି I ମାର୍ଗଶିର ବୁଧବାର ସଞ୍ଜରେ  ଆଈ  ଯାଇ ପକେଇ ଦିଏ ଗୋଟିଏ ଦିଟା ଝୋଟି ତାଙ୍କ  ଘରେ I 


ପଞ୍ଚକରେ ଶେଷରେ ପୂର୍ଣ୍ଣମୀ ପାଇଁ ଆଈ ବୋଇତ ବନ୍ଦାଣ ପାଇଁ ସରଞ୍ଜାମ ଯୋଗାଡ଼ କରିକି ରଖେ ପଞ୍ଚକ ଆରମ୍ଭ ହେବ ମାତ୍ରକେ I ସଞ୍ଜ ନଇଁ ଆସିଲାଣି, ପାହାନ୍ତରେ ଉଠିକି ଆଈ  ପୋଖରୀକୁ ଯାଇ ବୋଇତ  ଭସେଇ ଆସି ସାରିଛି I 

ଚଉଁରା ଚାରି ପାଖେ ଅଗଣାରେ ଝୋଟି ଦେଇଛି ଆଉ ସପଟିଏ ପକେଇଛି I ସକାଳୁ ରୁକ୍ମିଣୀ ଆଈ ଆସିବେ  ଅବଢ଼ା ନେଇକି ଆଉ ଯଦି ଡେରି ହେଲା ସାଙ୍ଗରେ  ଯାଇଥିବା କାହା ହାତରେ ପଠେଇ ଦେଇ ଦିପହରରେ ଆସି ବସିବେ  I ଦୀପଟିଏ ଚଉଁରା ମୂଳରେ ଦେଇ ଆଈ ବସିଗଲା ସପଟି ଉପରେ I ପଞ୍ଚକର ପୁଣ୍ୟ ମିଳୁ କି ନ ମିଳୁ, ରୁକ୍ମିଣୀ ଆଈଙ୍କ  କଥା ଭାବି ବହୁତ ଖୁସି  I ତାହାର ସବୁ ସାଙ୍ଗ ମାନେ ଆର ପାରିକୁ ଚାଲି ଗଲେଣି ଜଣେ ଦୁଇ ଜଣଙ୍କୁ ଛାଡି ଦେଲେ ଆଉ ତେଣୁ ରୁକ୍ମିଣୀ ଆଈ ହେଲେ ସବୁଠାରୁ ଘନିଷ୍ଠ I ତାହାର ମନ କଥା ବୁଝିଲା  ଭଳି ଆଉ କେହି ନାହିଁ ରୁକ୍ମିଣୀ ଆଈଙ୍କ ବ୍ୟତୀତ I କେତେ ବେଳେ ଆଈର ଆଖି ପତା ପଡ଼ିଛି ଜଣା ନାହିଁ I କିଛି ଗୋଟାଏ ଶବ୍ଦ ଶୁଣିକି ଚମକି ଆଈ ଆଖି ଖୋଲିଦେଲା ବେଳକୁ ସାମ୍ନାରେ ପଡିଶା ଘର  ବିରାଡ଼ି ଚଉଁରାର ଦୀପଟିକୁ ଓଲଟେଇ ଦେଇଛି I  ଧଡପଡ ହୋଇ ଦୌଡିଲା ବେଳକୁ ଆଈର ପାଦରେ ଘଷି ହେଇଗଲା ତାହାର ପ୍ରିୟ ଝୋଟିଟିକ  I ସ୍ତବ୍ଧ ହୋଇ ଠିଆ ହେଇଗଲା ଆଈ I ଏମିତି ତ  ଆଗରୁ କେବେ ହେଇ ନଥିଲା I ମନକୁ ପାପ ଛୁଇଁଲା ତାହାର I ମନେ ପଡ଼ିଗଲା ଅଜା ଚାଲି ଯାଇଥିବା ବର୍ଷ  ଦୀପଟି ଲିଭି ଯାଇଥିଲା ଏମିତି କାର୍ତ୍ତିକ ମାସରେ I 


ତଳକୁ ଚାହିଁଲା ଆଈ I ତାହାର ସାଙ୍ଗ ପାଇଁ ଆଙ୍କିଥିବା  ଝୋଟିଟି ପୁରା ନଷ୍ଟ ହେଇ ଯାଇଛି I ଆଖିରୁ ଦୁଇ ଧାରା ଲୁହ ଗଡ଼ିଗଲା ଆଈର I ଦୁଲ କିନା  ବସିଗଲା ଚଉଁରାକୁ ଆଉଜି ଆଉ ଚାହିଁବାକୁ ଲାଗିଲା ଆକାଶକୁ I ପାଖ ମନ୍ଦିରରେ ଥିବା ଆକାଶଦୀପ ଆଉ ଟିକେ ପରେ ଉପରକୁ ତୋଳା ହେବ ମନ୍ଦିରର ଆଳତି ସରିଲା ପରେ I ମନ୍ଦିରର ଘଣ୍ଟି ଶବ୍ଦ ଶୁଣ ଗଲାଣି I ଆଖି ବୁଜି ଦେଲା ଆଈ ଆଉ ରାମ ନାମ  ହରି ନାମ ନେବାକୁ ଲାଗିଲା I 

ବୁଲୁ ସବୁ ଦେଖୁଥାଏ ବସିକି ଅଗଣାର ଗୋଟିଏ କୋଣରେ I ମାମୁଁ ତାଗିଦ କରିକି ଯାଇଛନ୍ତି, ଏ ବର୍ଷ ଦଶମ ପରୀକ୍ଷା, ତେଣୁ ସିଏ ନ ଫେରିଲା ଯାଏଁ ସେ ଘୁଞ୍ଚିବ ନାହିଁ ପଢ଼ା ସ୍ଥାନରୁ  I 

ସେଲ ଫୋନରେ କଲ ଦେଖିକି ହ୍ୟାଲୋ କହିଲା ବୁଲୁ I 

ମାମୁଁଙ୍କ ପାଟି ଶୁଭିଲା ଆର ପଟରୁ I 

" ମୁଁ ଆସୁଛି ଅଧା ଘଣ୍ଟାରେ I ପଢ଼ା ଚଳେଇଥିବୁ I ରୁକ୍ମିଣୀ ମାଉସୀଙ୍କର ଆଜି ପୁରୀରେ ଇହ ଲୀଳା ସମାପ୍ତ ହୋଇ ସାରିଛି," କାଲି ବୋଉ ଲାଗି କିଏ ଅବଢ଼ା ନେଇ ଆସିବା ମୁଁ ସେ କଥା ବୁଝିକି ଆସୁଛି I ବୋଉ କଣ କରୁଛି ?" 

"ଜେଜେମା ତ ଚଉଁରାକୁ ଆଉଜି ବସିଛନ୍ତି, ଆଖି ବୁଝିକି ଦଶ ମିନିଟ ହେଲା," ବୁଲୁ କହିଲା I 

" କଣ ହେଲା? ବୋଉ ତ  କେବେ ଚାଉଁରକୁ ଆଉଜି ବସେ ନାହିଁ, ସପରେ ବସେ I ଦେଖିଲୁ ଟିକେ ପାଖକୁ ଯାଇ I ଫୋନ ଦେ ବୋଉକୁ ," ମାମୁଁ କହିଲେ I 


ଚାଲିଗଲା ବୁଲୁ ଚଉଁରା ମୂଳକୁ ଆଉ ଆଈଙ୍କୁ ଧରାଇବାକୁ ଫୋନ ହାତଟି  ବଢ଼େଇଲା I ଢଳି ପଡିଲା ଆଈ ତାହାର ହାତ ବାଜି ତଳେ I 

"ବାପା ଜେଜେମା କିଛି କହୁନାହାନ୍ତି ଇI ଟଳି ପଡିଲେ ତଳକୁ," ବୁଲୁ କହିଲା  I 

"ଓଃ ମାଇ ଗଡ଼,ତୋ ବୋଉ କୁ ଡାକି ଆଣେ ଯୋଉଠି ବି ଅଛି, ମୁଁ ଆସୁଛି ଏଇନେ I "  ଦୌଡ଼ି ଗଲା  ବୁଲୁ ଘର ଭିତରକୁ I ପାଖ ମନ୍ଦିରର ଆକାଶଦୀପ ଉଠିବାକୁ ଲାଗିଥିଲା ଶେଷ ଥର ପାଇଁ ଉପରକୁ  ମିଞ୍ଜି ମିଞ୍ଜି ହୋଇ ଜଳୁଥିଲା କାର୍ତ୍ତିକ ମାସର ଅନ୍ଧାରରେ I 


ସେ ବର୍ଷ ପରେ ମାମୁଁ ମନା  କରିଛନ୍ତି  ଘରେ ଆଉ କେହି ପଞ୍ଚକ କରିବେନି I ଏବେ ମଧ୍ୟ ବୁଲୁ କହେ ବେଳେ ବେଳେ ସେ ଘଟାଣାଟିକୁ ମୋତେ, ମୁଁ ଯେତେ ବେଳେ ମନେ ପକାଏ  ଆଈର ପଞ୍ଚକ  ଝୋଟି କଥା ! 


Rate this content
Log in

Similar oriya story from Tragedy