ଆସ ଧନୀ ହେବା
ଆସ ଧନୀ ହେବା
ଦେଶର ରାଜଧାନୀ ଦିଲ୍ଲୀରେ ରହିବା ସମୟର କଥା। ନିଲେଶ ନାମରେ ଜଣେ ତଳିଆ ସହକର୍ମୀ ଥିଲେ କାର୍ଯ୍ୟକ୍ଷେତ୍ରରେ । ବୟସରେ ବି ସବୁ କର୍ମଚାରୀ ମାନଙ୍କ ତୁଳନାରେ ସାନ । କିନ୍ତୁ ସ୍ୱଭାବରେ ପୂର୍ଣ୍ଣ ଗାମ୍ଭୀର୍ଯ୍ୟ । ସବୁ କର୍ମଚାରୀ ମାନେ ତାଙ୍କୁ ତାଙ୍କ ସ୍ଵଭାଵ ପାଇଁ (ତାଉ) ବୋଲି ଡାକନ୍ତି । ସଂପୂର୍ଣ୍ଣ ଉତ୍ତର ଭାରତରେ ବୟବୃଦ୍ଧ ମାନଙ୍କୁ ପ୍ରାୟ ତାଉ ବୋଲି ସମ୍ବୋଧନ କରାଯାଏ। ହେଲେ ଆମ ଅଫିସରେ ଥିବା ତାଉର ନାମ ନିଲେଶ ବୋଲି ମୋ ବ୍ୟତୀତ ଆଉ ଜଣେ ଦୁଇଜଣ ଜାଣିଥିବେ ସେଥିପାଇଁ ନିଲେଶକୁ ସମସ୍ତେ ପ୍ରାୟ ତାଉ ବୋଲି ଡାକନ୍ତି । ତାଉର ଗାମ୍ଭୀର୍ଯ୍ୟ ର କାରଣ ଜାଣିବାକୁ ମୋ ମନରେ ବ୍ୟାକୁଳତା ଚରମର ଶେଷ ସୀମାରେ ଏତେ କମ ବୟସରେ ଏତେ ଗାମ୍ଭିର୍ଯ୍ୟ ! କାମରୁ ଟିକେ ଫୁରସତ ମିଳିଲେ ମୁଁ ତାଉ ପଛରେ ପଡ଼ିଯାଏ ଯେମିତି ସେ କୁହୁକ ଦ୍ବୀପର ବାସିନ୍ଦା ଆଉ ମୁଁ ତାକୁ ପିଛା କରୁଥିବା ଗୁପ୍ତଚର । ସବୁସମୟରେ ମୁଁ ତା ସହ ଥଟ୍ଟା(ଗମାତ) ହୁଏ । ଆମ ସମସ୍ତଙ୍କର ରହିବା ଜାଗା ମଧ୍ୟ ସମାନ ।ଦିଲ୍ଲୀ ବାହାରର ସମସ୍ତ କର୍ମଚାରୀ ଆମେ ଗୋଟିଏ ଛାତ ତଳେ ରହୁ । ମୁଁ ଯେତେ ଥଟ୍ଟା ହୁଏ ତାଉ ସହ ତାଉ ସେତେ ପାଖାଏ ମୋ ଆଡ଼କୁ । ଅନ୍ୟକେହି ସାହସ କରନ୍ତିନି ତାଉ ସହ ଗେଲ ହବାପାଇଁ ତା'ର ଗମ୍ଭୀର ସ୍ଵଭାବ ପାଇଁ । ତେଣୁ ଅନ୍ୟମାନଙ୍କ ଗମାତର ମୂଳଧନରେ ମୁଁ ନିଜର ସୁଧ ଯୋଗକରି ତାଉ ପାଖରେ ପହଂଚାଏ ବିଷୟବସ୍ତୁକୁ ଅତିରଞ୍ଜିତ କରି । ତାଉବି ନିଜପ୍ରତି ହେଉଥିବା ବ୍ୟଙ୍ଗାତ୍ମକ ଟିପ୍ପଣୀକୁ ଉପଭୋଗ କରେ ଯାହା ତାର ଚେହେରାର ହାବଭାବରୁ ସ୍ପଷ୍ଟ ବାରିହେଇଯାଏ ।
ଦିନେ ଉତ୍ତପ୍ତ ସନ୍ଧ୍ୟାରେ ବିଜୁଳିର ଅନୁପସ୍ଥିତିରେ ମୁଁ ତାଉ ସହ ଘରର ଛାତ ଉପରେ ବସିଥାଏ । ବହୁ ସମୟ ନିରାବତା ପରେ ମୁଁ ତାଉକୁ କହିଲି କି ଗୋଟେ ସ୍ବପ୍ନ ଦେଖିଛି । ତମେ ଥିଲ ମୋର ସେଇ ସ୍ୱପ୍ନରେ । ମନଦୁଃଖ କରିବ ବୋଲି କହିବିନି ଛାଡ଼ । ତାଉ ଉତ୍କଣ୍ଠା ବଶତଃ ମତେ ଅନୁରୋଧ କଲେ ମୁଁ ତାଙ୍କୁ ନେଇ ଦେଖିଥିବା ସ୍ୱପ୍ନ ବିଷୟରେ କହିବାପାଇଁ । ହଉ ଶୁଣ । ସ୍ବପ୍ନଟି ଏମିତି ମୁଁ ସକାଳୁ କାର୍ଯ୍ୟକ୍ଷେତ୍ରକୁ ଯିବା ସମୟରେ ଗୋଟେ ବଡ଼ କଳାରଙ୍ଗର ବିଦେଶୀ ଗାଡ଼ି ଆସି ମୋ ସାମ୍ନାରେ ଅଟକିଲା ସେ ଗାଡ଼ିଭିତରୁ ଜଣେ ଭଦ୍ରବ୍ୟକ୍ତି ଓହ୍ଲେଇଲେ ତାଙ୍କସହ ଦୁଇଜଣ ବନ୍ଧୁକଧାରୀ ଅଙ୍ଗରକ୍ଷକ ବି ଓହ୍ଲେଇଲେ । ହଠାତ ସେ ଭଦ୍ରବ୍ୟକ୍ତି ଜଣକ ମତେ କୁଣ୍ଢାଇପକେଇ ଆଉ ବଡ଼ଭାଇ କେମିତିଅଛ ବୋଲି ପଚାରିଲେ ! ମୋ ଆଶ୍ଚର୍ଯ୍ୟର ସୀମା ଚଉଦ ଭୁବନ ପାର । କିଏ ଭାଇ ଏ? ମୁଁ ଡରି ଡରି ପଚାରିଲି କିଏ ଆପଣ ? ମତେ ଚିହ୍ନିପାରୁନ ? ମୁଁ ତମ ତାଉ ! ତାଉ ! ମୁ ପଚାରିଲି । ସେ କିଛି କହିବା ପୁର୍ବରୁ ମୁଁ ପୁଣି କହିଲି । କିଏ ନିଲେଶ ତାଉ ? ହଁ ଭାଇ ମୁଁ ସେଇ ନିଲେଶ । ଆରେ ବାଃ ତମେ ତ ଏକଦମ ବଦଳିଯାଇଛ କେମିତି ଏ ସବୁ? ତାଉର ଭାବଭଙ୍ଗୀ ଦେଖି ବିସ୍ମୟ ହୋଇ ମୁଁ ପଚାରିଲି । ଛାଡ଼ ଭାଇ ସେକଥା , ପ୍ରଥମେ ଆପଣ କେମିତି ଅଛନ୍ତି କୁହନ୍ତୁ ? ତାଉ ମତେ ପଚାରିଲେ । ତାଉର ଚାଲି ଚଳଣୀ ସମ୍ପୂର୍ଣ୍ଣ ବଦଳିଯାଇଥିଲା ତାର ମୁଖମଣ୍ଡଳରେ ଗାମ୍ଭିର୍ଯ୍ୟର ତିଳେମାତ୍ର ଆଭାସ ନଥିଲା । କିନ୍ତୁ ତାର ବ୍ୟବହାର ପୂର୍ବବତ ଶାଳୀନତା ପୂର୍ଣ୍ଣ ଥିଲା। ମୁଁ ଉତ୍ତର ଦେଲି ବାସ ଯଥାବତ ପୁର୍ବପରି । ମୋ କଥା ଅଧାରୁ କାଟି ତାଉ କହିଲା । ଆରେ ବଡ଼ଭାଇ ଛାଡ଼ ଏ ଚାକିରୀ କରିବା କଣ ଦରକାର ତମର ମତେ କୁହ! ତାଉର ପ୍ରଶ୍ନରେ ମତେ ଲାଗିଲା ଯେମିତି ରାଜା ବଳି , ଦାନବୀର ହରିଶ୍ଚନ୍ଦ୍ର ଆଉ ଦାନୀକର୍ଣ୍ଣ ଗୋଟିଏ ଆତ୍ମା ଆଉ ଗୋଟିଏ ଶରୀର ହୋଇ ମତେ ଦାନ ଦେବାକୁ ବ୍ୟାକୁଳ । ମୁଁ କହିଲି ଥାଉ ଭଗବାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ତମର ଆର୍ଥିକ ଓ ମାନସିକ ବିକାଶ କରିଥିବାରୁ । ତାଉ ନଛୋଡବନ୍ଧା ନା ବଡ଼ଭାଇ କିଛିତ ନବାକୁ ପଡ଼ିବ । ବାରମ୍ବାର ମନାକରିବା ସତ୍ତ୍ୱେ ତାଉ ତା ଜିଦିରେ ଅଟଳ । ଶେଷରେ ତାଉକୁ ଡରେଇବାକୁ ମୁଁ କହିଲି ଦେଖ ତାଉ ମୁଁ ବ୍ରାହ୍ମଣ । ଯଦି ସତରେ ତମେ ଦବାକୁ ଚାହୁଁଛ ତାହେଲେ ପୁରା ବିଧିବିଧାନରେ ମୁଁ ନେବି ନାଇଁତ ତମ ରାସ୍ତାରେ ତମେ ଯାଅ । ଯେମିତି ଇଚ୍ଛା ସେମିତି ଦେବି ତାଉ ଦୃଢତା ଦର୍ଶାଇ କହିଲେ । ତମେ ଆହ୍ଲାବାଦର ଗଙ୍ଗାମା'ଙ୍କ ନାମରେ ଶପଥ କର ତାପରେ ମୁଁ ମାଗିବି । କିଛି ସମୟ ଭାବିବାପରେ ତାଉ ମୁଁ ଗଙ୍ଗାମାଙ୍କ ନାଁ'ରେ ଶପଥ କରୁଛି ତମେ ଯାହାବି ମାଗିବ ମୁଁ ତିଳେମାତ୍ର ଦ୍ଵିଧା ନ କରି ଦେବି ।
ଆଛା ତାଉ ତମର ଯେତେ ଧନ ସମ୍ପତ୍ତି, ଗାଡ଼ି , ଚାକର ବାକର ,ସ୍ଥାବର ଅସ୍ଥାବର ସବୁ ଧନ ସମ୍ପତ୍ତି ଏବେ ଠାରୁ ମୋର । ତମ ପିନ୍ଧା ଦାମି ପୋଷାକ ବି ମତେ ଦବାକୁ ପଡ଼ିବ । ମୋ କଥାଶୁଣି ତାଉ ପୁରା ଅବାକ୍ । ଦେଖ ଇଚ୍ଛା ନାହିଁ ଯଦି ଥାଉ ଏତିକି କହି ମୁଁ ଯିବାକୁ ବାହାରିଲି । ରୁହ ବଡ଼ଭାଇ , ଗଙ୍ଗା ମା'ଙ୍କ ରାଣ ଖାଇଛି ମୁଁ ମୋ ଶପଥ ରକ୍ଷା କରିବି । ଆଜିଠାରୁ ସବୁ ଧନସମ୍ପତି ଆପଣଙ୍କର ।
ଏତିକି କହି ମୋ ପାଖରେ ବସି ଏକଧ୍ୟାନରେ ତାର ସ୍ବପ୍ନ ଚରିତ୍ର ବିଷୟରେ ଶୁଣୁଥିବା ତାଉକୁ ମୁଁ କହିଲି ତାଉ ମୋ ସ୍ବପ୍ନ ସରିଲା । ମୋ କଥାରେ ତାଉ ତଟସ୍ଥ ହେଲା । ଆମ ଭିତରେ ପସରିଗଲା ନୀରବତା । ତାଉ ହଜିଗଲା କେଉଁଏକ ସ୍ବପ୍ନ ରାଇଜରେ । ମୁଁ ଜାଣିବାକୁ ଚାହୁଁଥିଲି ତାଉର ଗାମ୍ଭିର୍ଯ୍ୟର କାରଣ ?
କିଛି ସମୟର ନିରାବତାପରେ ତାଉ କହିବା ଆରମ୍ଭ କଲା । ଆପଣ କଣ ଭାବୁଛନ୍ତି ବଡ଼ଭାଇ ମୁଁ ଗରୀବ ? ନା' । ମୋ ବାପାଙ୍କର ରୋଗ ମତେ ସବୁବେଳେ ପଇସା ମାଗୁଛି । ମୋ ସାନଭାଇର ପାଠପଢ଼ା ମତେ ଅର୍ଥ ମାଗୁଛି କାରଣ ଆଜି କାଲିର ବେପାରୀଆ ପାଠପଢ଼ା ମୋ ମନର ଶବ୍ଦକୁ ଭାଷାର ରୂପ ଦେଇପାରୁନି । ଆଉ ମୋର ବିବାହପଯୋଗ୍ୟା ଭଉଣୀର ବିବାହରେ ଦେବାକୁଥିବା ଯୌତୁକ ମତେ ସବୁଆଡ଼େ ନିରୁତ୍ତର କରିଛି । ମୁଁ ଅଧାରୁ ପଢିବାଛାଡ଼ି ପୁରା ପରିବାରକୁ କାନ୍ଧରେ ବୋହିବାରେ ଲାଗିଛି । କିନ୍ତୁ ମୁଁ ଥକିଯାଇନି । ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ବଡ଼ଭାଇ ଆପଣ ସ୍ୱପ୍ନରେ ବି ମତେ ମୋ ଅସଲ ଧନ ମୋ ପରିବାରକୁ ମୋ ଠାରୁ ମାଗିନେଇନ । ଯାହାକୁ ଦେଇଥିଲେ ମୁଁ ଏବେ ସତରେ କାଙ୍ଗାଳ ହେଇଯାଇଥାନ୍ତି । ଏତିକି କହୁକହୁ ତାଉ ଆଖିରେ ଲୁହ ଆସିଯାଇଥିଲା ଆଉ ତାର ଗଳା ଭରି ଆସିଥିଲା । ତାଉ ଆଉ କିଛି କହିବାଆଗରୁ ମୁଁ କହିଲି ତାଉ ତମେ ଯାହା କହିଲ ଏ ତ ସମଗ୍ର ପୃଥିବୀବାସୀଙ୍କ ସମସ୍ୟା । ଏଥିରେ ଦୁଃଖ କରିବାର କଣ ଅଛି !? ଜୀବନକୁ ସରଳ କରି ବଞ୍ଚିବାକୁ ହେବ ।
ମୋର ମଧ୍ୟ କିଛି ସମସ୍ୟା ଅଛି । ଯିଏବି ଜନ୍ମ ନେଇଛି ଏ ସଂସାରରେ ସମସ୍ତଙ୍କର ସମସ୍ୟା ଅଛି । ଦିନେ ଆମେ ସମସ୍ତେ ମରିବା ତାର ମାନେ ନୁହଁଯେ ବର୍ତ୍ତମାନ ଯାଇ ମଶାଣୀରେ ଗାତ ଖୋଳି ଶୋଇବା । ଯାହାବି ପରିସ୍ଥିତି ତମ ଜୀବନରେ ଆସିଛି ସେଥିପାଇଁ ତମେ ଆଦୌ ଦୋଷୀ ନୁହଁ ତେଣୁ କଣ ପାଇଁ ଏକ ଦୋଷକାରୀର ଜୀବନକୁ ବାଛିନେଇଛ? ତମ ଚେହେରାର ଭାବ ଯଦି ବିଷର୍ଣ୍ଣ ରହିଲା ଏ ସମାଜ କେବେବି ତମକୁ ଶାନ୍ତିରେ ବଞ୍ଚିବାକୁ ଦବନି ତାଉ । ଯଦି ତମେ ନିଜେ ହସି ନ ପାରିଲ ତମେ ତମର ଅସଲ ଅମୁଲ୍ୟ ଧନ କହୁଥିବା ପରିବାର ମୁହଁରେ କେମିତି ହସଫୁଟେଇବ । ଆମ ଅଫିସରେ କାର୍ଯ୍ୟରତ ମୋଇନ ଭାଇଙ୍କୁ ଦେଖ ଚାଲିବାର ଶକ୍ତିନାହିଁ ତଥାପି କେତେଖୁସି ପୋଲିଓ ତାଙ୍କପାଖରେ ହାରିଯାଇଛି । ଆଉ ରବି ଭାଇଙ୍କୁ ଦେଖ ସବୁଠୁ ଖୁସି ମିଜାଜର ମଣିଷ ବିନା ଇନ୍ସୁଲିଂରେ ଯିଏ ଗୋଟେ ଦିନ ବଞ୍ଚିବା କଷ୍ଟ । ତମେ ମନରୁ ଗରିବ ତାଉ । ତମେ ମନରେ ଭାବିନେଇଛ ତମେ ଗରିବ । ତମକୁ କେହିବି ସମର୍ଥ କରିପାରିବେନି ଯେ ପର୍ଯ୍ୟନ୍ତ ତମେ ନିଜେ ନିଜ ଭିତରେ ବଞ୍ଚିଥିବା କୃତ୍ରିମ ଦରିଦ୍ରତାକୁ ନ ମାରିଛ । ଯଦି ତମେ ନିଜକୁ ନିଜେ ନ ବଦଳାଇଛ ତମ ରୋଗୀଣା ବାପାଙ୍କ ଫୋଟୋରେ ହାର ପଡ଼ିବା ଆଗରୁ ତମ ନିଜ ଫୋଟୋରେ ହାର ପିନ୍ଧାଇଦିଆଜିବ । ସ୍ୱପ୍ନରେ ଯେଉଁ ଗଙ୍ଗା ମା'ଙ୍କ ରାଣରେ ତମେ ତମର ସର୍ବସ୍ୱ ମତେ ଦେଲା ପରେବି ବି ଖୁସିଥିଲ ବାସ୍ତବରେ ତମେ ସେଇଆ ନୁହଁ । ତମର ତିଳେମାତ୍ର ବିଶ୍ୱାସ ନାହିଁ ଗଙ୍ଗା ମା'ଙ୍କ ଉପରେ । ଯଦି ଥା'ନ୍ତା ତମେ ବିଶ୍ୱାସର ଧନୀ ହେଇଥାନ୍ତ ନା' କି ହତାଶର । ଜୀବନର ସକାରାତ୍ମକ ଦିଗକୁ ଦେଖ ତାଉ । ମୋ କଥାରେ ତାଉ ପୁରା ଅଧର୍ଯ୍ୟ । ତାଉ ଆଖିର ଗଙ୍ଗା ଯମୁନାରେ ଉଛୁଳା ବନ୍ୟା । ସତେଯେମିତି ତା ମନରେ ବ୍ୟାପିଥିବା ହତାଶର ମରୁଭୂମିରେ ଆଜି ଆଶାର ପଟୁ ମାଡ଼ିଯିବ । ତାକୁ ଅଟକାଇଲିନି ମୁଁ ବି ଚାହୁଁଥିଲି ତା ମନର ବ୍ୟାପିଥିବା ଅନ୍ଧାରର ବାଦଲ ବର୍ଷା ହେଇ ବର୍ଷିଯାଉ । ଶକ୍ତିହୀନ ବାଦଲ କ୍ଷଣିକ ମାତ୍ର । ତା ପରେତ କିରଣର ଇନ୍ଦ୍ରଧନୁରେ ତା ମନରେ ଅଶାର ରଙ୍ଗ ଭରିବ ।
କିଛି ସମୟପରେ ଜଣେ ବନ୍ଧୁ ଖାଇବାକୁ ଡାକିଲେ । ଏ ତାଉ ଚାଲ ଖାଇବା । ଜଲଦି ଶୋଇଲେ ମୁଁ ପୁଣି ସ୍ୱପ୍ନଦେଖିବି ତମକୁ ପୁଣି ଲୁଟିବି ସ୍ୱପ୍ନରେ ବ୍ରାହ୍ମଣର ଦ୍ୱାହିଦେଇ । ତାଉ ଜୋରରେ ହସିଉଠିଲା ମୋ ବ୍ୟଙ୍ଗରେ ।