Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nityananda Nandi

Classics Inspirational

4.4  

Nityananda Nandi

Classics Inspirational

ଚିଠିବାଲା

ଚିଠିବାଲା

5 mins
345



ଡାକ ପିଅନ ପର୍ଶୁରାମ...ଚିଠିବାଲା ରୂପେ ପରିଚିତ ସେ ଘରେ ଘରେ।

ଜୀବନ ସାରା ଚିଠି ବାଣ୍ଟି ବାଣ୍ଟି ଅନେକ କ୍ଳାନ୍ତ ସେ । ଅବସର ଗ୍ରହଣ କରିଛନ୍ତି ଆଜି ପର୍ଶୁରାମ। ଆଖିରେ ମୋତିଆ ବିନ୍ଦୁ। ଗୋଲ ଗୋଲ ଗାନ୍ଧୀ ଚଷମା ଦୁଇ ଆଖି ଉପରେ। 

ପୋଷ୍ଟ ମାଷ୍ଟର କେତେ ଥର କହିଲେ, ଆଖି ଅପରେସନ 

କରିନିଅ ! ସେ କଣ ଶୁଣିଲେ !!! 

ଖାଲି ଗୋଟାଏ କଥା କହି ହସି ଦିଏ ପର୍ଶୁରାମ।

ଝାପସା ଝାପସା ହେଲେ ବି ଚିଠିର ରଙ୍ଗ ଦେଖି ମୁଁ ଜାଣିନିଏ କାହାର ଚିଠି। ମଶାଣି ଆଉ କେତେ ଦୂର ! ମରିବାଯାଏ ଚଳେଇ ନେବି ଏଇ ଆଖିକୁ ! ଆଖିର ଆଉ ଦୋଷ କଣ !! ସବୁ ଭାଗ୍ୟର ଦୋଷ। ତା ବ୍ୟତୀତ, ଅନ୍ୟ କାହାର ମନକୁ ପଢ଼ିବା ପାଇଁ କଣ ଆଖି ଦରକାର ହୁଏ। ବାସ୍, ହୃଦୟଟିଏ ଦରକାର। ମୋର ଆଉ କିଏ ଶତ୍ରୁ ଅଛି ଯେ..., ଯାହାକୁ ଚିଠି ଦିଏ ସେ ହିଁ ନିଜର ହୋଇଯାଏ।

 

ଚିଠି ପଢ଼ିବାଯାଏଁ ପର୍ଶୁରାମ ଗେଟ୍ ପାଖରେ ଛିଡ଼ା ହୋଇ ରହେ । ଘର ଭିତରୁ କାନ୍ଦିବାର ସ୍ଵର ଶୁଣିଲେ ତା କଲିଜା ଫାଟିଯାଏ। ହେ ରାମ କହି ସାଇକେଲ ଷ୍ଟାଣ୍ଡ ଖୋଲି ଆଗକୁ ବଢେ, ଗଳାରେ ଗୋଡ଼େଇ ଥିବା ଗାମୁଛାରେ ଆଖି ପୋଛିହୁଏ। ଚିଠି ଦେବା ପରେ କାହା ଘର ଭିତରୁ ହସ ଫୁଟି ଆସିଲେ ହିପ ହିପ ହୁରେ... କହି ବିଦ୍ୟୁତ୍ ବେଗରେ ସାଇକେଲ ଚଲେଇ ଆଗକୁ ବଢିଯାଏ। 


ସୁଖ ଦୁଃଖର ବହୁତ ବଡ଼ ପରିଧି ଭିତରେ ଦୁଃଖକୁ ହଜମ କରି ସୁଖ ବାଣ୍ଟି ପାରିଲେ ମନ ଭିତରେ ଅହେତୁକ ଖୁସି ବସା ବାନ୍ଧେ। ଅଦ୍ଭୁତ କଳା ଏ ଖୁସି ବାଣ୍ଟି ନିଜେ ଖୁସି ହେବା। ସମସ୍ତେ କଣ ପାରନ୍ତି !!!


ଆଜି ଚାକିରୀର ଶେଷ ଦିନ। ଘର ଭିତରେ ପଡ଼ିଥିବା ପୁରୁଣା ଡାକ ସବୁ ଖୋଜିଲା, ବାକି ଆଉ କାହିଁକି ରହିବ ? ପଡ଼ିଥିବା ସବୁ ଚିଠିକୁ ଗାଆଁ ଗାଆଁରେ ବାଣ୍ଟି ଦେଲେ ଯାଇ କାମ ଛୁଟି। ତାପରେ ଶାନ୍ତିରେ ନିଃଶ୍ୱାସ ମାରିବ ସେ। ଏ କଣ ! ବାସନ୍ତୀ ର ଗୋଟାଏ ଚିଠି ଏବେ ବି ଠଣାରେ ପଡି ରହିଛି ! ପାଖାପାଖି ତିରିଶ ବର୍ଷ ତଳର ଏଇ ଚିଠି..

ସମୟ ସ୍ରୋତରେ ସବୁକିଛି ବୋହିଯାଏ, ନଙ୍ଗର ପକେଇ ଭଙ୍ଗା ନୌକାକୁ ଅଟକେଇଲେ କିଛି ଲାଭ ହୁଏନି। ଗଦାଏ ସ୍ମୃତି ଖାଲି ତା ଭିତରେ ପଚିସଢି ଯାଏ। ପାଣି ପରି ସମୟ ତାକୁ ଛୁଇଁ ଛୁଇଁ ଭାସିଯାଏ ସମୁଦ୍ର ପର୍ଯ୍ୟନ୍ତ। ନୌକା ପଡି ରହିଥାଏ ଠିକ୍ ସେଇଠି।


ହଁ ମନେ ପଡ଼ିଲା, ଶତପଥୀ ବାବୁଙ୍କ ଗାଆଁକୁ ଯାଇ ଚିଠି ଦେବା ପାଇଁ ପଡୁଥିଲା। ସାତ କିଲୋମିଟର ଦୂରରେ ଗାଆଁଟି। ଠିକ୍ ତିରିଶ ବର୍ଷ ତଳର କଥା, ଚିଠି ନେଇ ଚାଲି ଚାଲି ଯାଇଥିଲି ତାଙ୍କ ଗାଆଁ କୁ। ସେତେବେଳେ ସାଇକେଲ ନ ଥିଲା ମୋ ପାଖରେ। ରାସ୍ତାରେ ଖରସ୍ରୋତା ନାଳ ପଡେ, ପୋଲ ନ ଥିଲା । ଯାଇ ନ ପାରି ଫେରି ଆସିଲି। ବାସନ୍ତୀର ଚିଠି ତା ପରେ ଆଉ ଆସି ନାହିଁ। ସେଇଟା ହିଁ ଶେଷ ଚିଠି ଥିଲା ବୋଧେ। ପୂରା ଭୁଲି ଯାଇଛି। 

ଏବେ ପୋଲ ହୋଇଯାଇଛି ସେ ନାଳ ଉପରେ। ସାଇକେଲ ମାରି ଚାଲିଲା ପର୍ଶୁରାମ। ଚିଠି ନେଇ ଶତପଥୀ ବାବୁଙ୍କୁ ଦେଖେଇବ। କାଳେ କିଛି ଜରୁରୀ କଥା ଥିବ ଚିଠିରେ...


ବହୁତ କିଛି ବଦଳି ଯାଇଛି ଏଇ ଗାଆଁ ରେ। ଦଶ ବର୍ଷରୁ ଅଧିକ ହେବ ସେ ଆସିନି। ଆଉଜଣେ ଚିଠିବାଲା ଅନ୍ୟ ଗୋଟାଏ ପୋଷ୍ଟ ଅଫିସରୁ ଆସେ ବୋଲି ପର୍ଶୁରାମ ଆଉ ଆସେନି ଏଇ ଗାଆଁ କୁ।


ପରମାନନ୍ଦ ଶତପଥୀଙ୍କ ଘରକୁ ଅତି କମରେ ୧୫ ଦିନରେ ଥରେ ତାକୁ ଆସିବାକୁ ହେଉଥିଲା ବାସନ୍ତୀର ଚିଠି ନେଇ। 

ପହଞ୍ଚିଲା ସେ ଶତପଥୀ ବାବୁଙ୍କ ଘର ପାଖରେ। ପ୍ରାୟ ଭୁତ କୋଠୀ ହୋଇ ପଡ଼ି ରହିଛି ଘରଟି। ରଙ୍ଗ ଫଙ୍ଗ ହୋଇନି ଜମାରୁ। କାନ୍ଥ ଫାଟି ଆଁ କରି ଚାହିଁ ରହିଛି ବାହାରକୁ। ବଟବୃକ୍ଷ ସବୁ ଆଶ୍ରୟ ନେଇଛନ୍ତି ଫଟା କାନ୍ଥରେ। କଳା କଳା ତୁଳସୀ ଗଛ ଭରି ପଡ଼ିଛି ଘର ଆଗରେ। କ୍ଳାନ୍ତ ଶ୍ମଶାନଟିଏ ଯେମିତି, ଆକାଶକୁ ଦେଖି ହାଇ ମାରୁଛି। 

"ଠିକ୍ ମନେ ଅଛି, ସତପଥୀ ବାବୁ ଘର ଆଗ ବଗିଚାରେ ଦୋଳିରେ ବସି ବାସନ୍ତୀଙ୍କ ସବୁ ଚିଠି ପଢନ୍ତି । ହସନ୍ତି ମନେ ମନେ। ଖୁସିରେ ମୋ ମନଟା କୁଣ୍ଢେ ମୋଟା ହୋଇଯାଏ। ଆଜି ସେ ଦୋଳି ବି ନାହିଁ ..."


ସାଇକେଲ ବେଲ ବଜେଇଲା ପର୍ଶୁରାମ। ଜଣେ ବିଧବା ମହିଳା ବାହାରି ଆସିଲେ ଘର ଭିତରୁ। ପଚାରିଲେ ଶତପଥୀ ବାବୁ !

ସେ ଚୁପ୍ ରହିଲେ....

ବୁଝି ପାରିଲା ପର୍ଶୁରାମ, ମୃତ୍ୟୁ ଏକ ଅଦ୍ଭୁତ ସତ୍ୟ, ନିଶବ୍ଦ ବେଦନା ମୃତ୍ୟୁର ସମ୍ବାଦ ନେଇ ଆସେ, ପର୍ଶୁରାମ ଭାଙ୍ଗିପଡିଲା..


କଣ କିଛି କାମ ଥିଲା କି ?


ମୁଣ୍ଡ କୁଣ୍ଡେଇ କୁଣ୍ଡେଇ ପର୍ଶୁରାମ କହିଲେ ବହୁତ ବଡ଼ ଭୁଲ ହୋଇ ଯାଇଛି ବୌଦି। ବାସନ୍ତୀର ଚିଠି, ତିରିଶ ବର୍ଷ ତଳର। ଖରସ୍ରୋତା ନାଳ ପର୍ଯ୍ୟନ୍ତ ଆସିଥିଲି, ବନ୍ୟାରେ ନାଳ ପାରି ହୋଇ ଆସି ନ ଥିଲି ତୁମ ଗାଆଁ କୁ। ତା ପରେ ଭୁଲି ଯାଇଛି।

ଚିଠିଟି କୁ ବଢେଇ ଦେଲେ ସେ ବିଧବା ମହିଳା ଙ୍କୁ।

ଚିଠି ଖୋଲି ପଢ଼ିଲେ ସେ..ପର୍ଶୁରାମ ଆଗରେ।


ଡିଅର ପରମା

ଭାବି ନ ଥିଲି, ଅଚାନକ ମୋ ବାହାଘର ଚମ୍ପାପୁର ଗାଆଁ ରେ ହୋଇଯିବ !!! ବହୁତ ବୁଝେଇଲି ବାପା ବୋଉଙ୍କୁ, ସେମାନେ କଣ ବୁଝିଲେ !!! ଅାମେ ନୀଚ ଜାତିର, ବ୍ରାହ୍ମଣ ଘର ସହ ସମ୍ୱନ୍ଧ ଯୋଡ଼ି ହେବନି ବୋଲି ବାପା ଜିଦ୍ କଲେ। ଗୋଟେ ଲମ୍ବା ଉପନ୍ୟାସର ପୂର୍ଣ୍ଣଛେଦ ପଡ଼ିଲା ଆଜିଠୁ। ଅଧା ରହିଗଲା ଆମ ପ୍ରେମ ଗଳ୍ପଟି। ତମେ ତମ ପିଲାଦିନ ସାଥି ମଞ୍ଜରୀଙ୍କୁ ବାହା ହୋଇ ଖୁସିରେ ରୁହ। ଶାଶୁ ଘରୁ ଆଉ ଚିଠି ଲେଖିବା ସମ୍ଭବ ହେବନି। ଏଇଟା ଶେଷ ଚିଠି ବୋଲି ଧରିନେବ।

ହଁ, ଆଉ ଗୋଟେ କଥା।

ତମ ଆଗରେ ପର୍ଶୁରାମ ଛିଡା ହୋଇଥିବେ ନିଶ୍ଚୟ। ସମସ୍ତଙ୍କ ସୁଖ ଦୁଃଖ କୁ ସେ ବାଣ୍ଟି ନିଅନ୍ତି। ଜାଣିଛ ! ପୋଷ୍ଟ ଅଫିସ୍ ପାଖରୁ ତମ ଗାଆଁ ସାତ କିଲୋମିଟର ଦୂର। ପାଦରେ ଚାଲି ଚାଲି ଆସି ମୋର ସବୁ ଚିଠି ତମକୁ ଦେଇଛନ୍ତି ସେ। ଥରେ ମୁଁ ତମ ଘରକୁ ଆସିଥିଲି। ତମ ଘରେ ମୁଁ ଥିବା ସମୟରେ ହିଁ ମୋର ଗୋଟାଏ ଚିଠି ତମ ଘରକୁ ଆସିଥିଲା। ପର୍ଶୁରାମକୁ ମୁଁ ପ୍ରଥମ ଥର ପାଇଁ ସେଇଠି ଦେଖିଥିଲି। ଗେଟ ପାଖକୁ ମୁଁ ଦୌଡ଼ି ଆସିଥିଲି ମୋରି ଚିଠିଟି ରିସିଭ୍ କରିବାପାଇଁ। ଚିଠି ଗଦାରୁ ସେ ମୋ ଚିଠି ଖୋଜି ପାଉ ନ ଥିଲେ। ମୋତେ କହିଲେ ଝିଅ ! ଡାକ୍ତର କହିଛି ଆଖିରେ ମୋତିଆ ବିନ୍ଦୁ, ବୟସ ଆଉ କେତେ ହେବ, ତିରିଶ ଅତି ବେଶୀରେ। ଆଖିକୁ କିନ୍ତୁ ଠିକ୍ ଭାବେ ଦେଖା ଯାଏନି। ଶେଷରେ ଖୋଜି ଖୋଜି ପାଇଲେ ଚିଠି ଟି ..


ଗୋଟେ ଅସହାୟ ମଣିଷକୁ ଦେଖିଲି ଆଖି ଆଗରେ। ଆଖିକୁ ସ୍ପଷ୍ଟ ଦେଖା ଯାଉ ନ ଥିବା ମଣିଷ ଭିତରେ କେତେ କଣ ଆବିଷ୍କାର କଲି ସେଇଦିନ। କାମ ପ୍ରଥମେ, ତା ପରେ ସବୁ କିଛି। ଅଦ୍ଭୁତ କମିଟମେଣ୍ଟ। ତା ନ ହେଲେ କିଏ କାହିଁକି ନାଳ ଅତିକ୍ରମ କରି ଗୋଟାଏ ଚିଠି ପାଇଁ ଏତେ ଦୂର ଆସିବ। ପୁଣି ବାର ବାର। ବୟସରେ ମୁଁ ଅଳ୍ପ ଛୋଟ ଲାଗୁ ଥିଲେ ବି ପିତୃସୁଲଭ ଗୋଟାଏ ମାୟା ଭିତରେ ଛନ୍ଦି ହୋଇଗଲି ସେଦିନ। ମୋ ଚିଠି ନେଇ କେତେଥର ସେ ଦୌଡିଛନ୍ତିି ତମ ଗାଁକୁ, ଭାବିଲେ ଆଜି ବି କଷ୍ଟ ଲାଗେ। ଏହା ପରେ ବୋଧହୁଏ ତମ ଗାଆଁକୁ ତାଙ୍କୁ ଆଉ ଆସିବାକୁ ହେବନି !!!


ଏଇ ଖାମ୍ ଭିତରେ ଥିବା ପାଞ୍ଚ ଶହ ଟଙ୍କା, ତାଙ୍କ ପାଇଁ ପଠେଇ ଛି। ପ୍ଲିଜ୍ ତାଙ୍କୁ ଦେଇ କହିବ ମୋତିଆ ବିନ୍ଦୁ ଅପରେସନ କରେଇନେବେ। ଇତି, ବାସନ୍ତୀ


ଆଖି ଭିଜି ଯାଇଥିଲା ମହିଳା ଙ୍କ ର।

ତମ ନାଁ ପର୍ଶୁରାମ ?

ହଁ

ଆଛା ପର୍ଶୁରାମ ! ଚମ୍ପାପୁର ଗାଆଁଟି କୋଉଠି କହିଲ !

ସେ ଗାଆଁ କଣ ଆଉ ଅଛି ବୌଦି !!! ସମୁଦ୍ରରେ ଚାଲିଗଲା ଗାଆଁ ଟି, ବଡ଼ ବାତ୍ୟାରେ। ସମସ୍ତେ ଭାସିଗଲେ।

ବିଭତ୍ସ ବେଦନାଟିଏ କାବୁ କରିନେଲା ରଞ୍ଜିତା ଙ୍କୁ। ଆଖି ଛଳ ଛଳ ହୋଇ ଉଠିଲା।


ତିରିଶ ବର୍ଷ ତଳର ପାଞ୍ଚ ଶହ ଟଙ୍କିଆ ନୋଟ, ଆଜି କଣ ଚଳୁଛି ! ଖାମ ଭିତରେ ରଖିଦେଲେ ସେ ଟଙ୍କାଟିକୁ। ଘର ଭିତରକୁ ଯାଇ ନୂଆ ପାଞ୍ଚ ଶହ ଟଙ୍କିଆ ନୋଟ୍ ଆଣି ଧରେଇଦେଲେ ପର୍ଶୁରାମ କୁ।

କିନ୍ତୁ କାହିଁକି ବୌଦି ?

ଚିଠି ପଢେଇ ଶୁଣେଇ ଦେଲେ ସେ ପର୍ଶୁରାମ କୁ। ଚିଠି ଶୁଣି ସାରିବା ବେଳକୁ ଆଖି ଓଦା ହୋଇ ଯାଇଥିଲା ପର୍ଶୁରାମ ର। କିଛି ଖୁସିର, ଆଉ କିଛି ଦୁଃଖର।

ବାଷ୍ପରୁଦ୍ଧ..  

"ଓଃ, ସେ ହିଁ ବାସନ୍ତୀ, ଥରେ ଏଇ ଗେଟ୍ ପାଖରେ ଭେଟିଥିଲି।"


କିଛି କଥା ଯୁଗ ଯୁଗ ପାଇଁ ରହିଯାଏ ମନ ଭିତରେ, ନିଶବ୍ଦ କାହାଣୀ ପରି ସଦା ସର୍ବଦା ହୃଦୟକୁ ଓଲଟ ପାଲଟ କରିଦିଏ , ସେଇ ଅଭୁଲା ସ୍ମୃତି ସବୁ....


"କେତେ ଲୋକକୁ ଦେଖି ମୁଁ ଜୀବନରେ ହସିଛି, କିନ୍ତୁ କେହି ଜଣେ ମୋ କଥା ଭାବି ନ ଥିଲେ। 

ଯାହା ହେଉ ଜୀବନଟା ସାର୍ଥକ ହୋଇଗଲା ବୌଦି। ସେ ଆଉ କୋଉଠି ବଞ୍ଚିଛି ଯେ, ଥରେ ଯାଇ ତା ଦ୍ଵାର ପିଣ୍ଡାରେ ବସି ପଡ଼ି ଝାଳ ମାରନ୍ତି। ବିଚରା ଶତପଥୀ ବାବୁ ! ସେ କଣ ଅଛନ୍ତି ଆଜି, ଚିଠିଟିକୁ ପଢ଼ିବେ !!!


ସର୍ବଶ୍ରେଷ୍ଠ ଅବସର ଜନିତ ବେନିଫିଟ୍ ପାଇଲି ଆଜି ଏଇ ଗାଁକୁ ଆସି କି...ପାଞ୍ଚ ଶହ ଟଙ୍କା କିଛି ସ୍ନେହ ସହିତ।

କେତେ ଭାଗ୍ୟବାନ୍ ମୁଁ !!!"


ବନ୍ଦ୍ ଲଫାପା ଭିତରେ ତିରିଶ ବର୍ଷର ସାଇତା ସ୍ନେହ ପର୍ଶୁରାମ ର ହୃଦୟକୁ ବିଦାରିତ କଲା। ଆଜି ନା ବାସନ୍ତୀ ବଞ୍ଚିଛି, ନା ଶତପଥୀ ବାବୁ ବଂଚିଛନ୍ତି। ମେଞ୍ଚାଏ ସ୍ନେହ କିନ୍ତୁ ସେମାନେ ଛାଡି ଯାଇଛନ୍ତି ତା ପାଇଁ।

ଗାମୁଛାରେ ଆଖି ପୋଛି ପୋଛି ଗେଟ୍ ଖୋଲି ବାହାରି ଗଲା ପର୍ଶୁରାମ..



Rate this content
Log in

Similar oriya story from Classics