Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Mishra

Classics

3  

Lopamudra Mishra

Classics

ସୁକନ୍ୟା

ସୁକନ୍ୟା

5 mins
471


ସୁକନ୍ୟା ସହ ମୋର ଦେଖା ହେଇଥିଲା ଅନେକ ଦିନ ତଳେ, ଟ୍ରେନ୍ ରେ l ସେ ବି ଆସୁଥିଲା ହାଇଦ୍ରାବାଦ୍ ରୁ ଓଡିଶା l ମୁଁ ତା'କୁ ଆଗରୁ ଚିହ୍ନିନଥିଲି, ସେ ବି ମୋତେ ଜାଣିନଥିଲା l ସେହି ଟ୍ରେନ୍ ରେ ମୋର ତା ସହ ଦେଖା ଓ ପରିଚୟ l ମୁଁ ଯାଜପୁର ରୋଡ୍ ରେଳ ଷ୍ଟେସନ୍ ରେ ଓହ୍ଲେଇଥିଲି l ସୁକନ୍ୟା ମୋ ଠାରୁ କୋଉ ଷ୍ଟେସନରେ ବିଦାୟ ନେଲା ସେ କଥା ମୁଁ କହିପାରିବିନି l କହିନପାରିବାର ଅର୍ଥ ନୁହେଁ ମୋର ମନେ ନାହିଁ, ସେ ମୋତେ ମନାକରିଛି ଲେଖିବାକୁ l 


   ମୁଁ ଯଦି କହିବି ସୁକନ୍ୟାର ନାଁ ପ୍ରକୃତରେ ସୁକନ୍ୟା ନୁହେଁ ଆପଣମାନେ ପଚାରିପାରନ୍ତି, "ତେବେ କ'ଣ ତା'ର ପ୍ରକୃତ ନାମ? " l ମୁଁ ତାହା ବି କହିପାରିବିନି କାରଣ ସେହି ସୁକନ୍ୟା ହିଁ ମୋତେ ତା'ର ଅସଲ ପରିଚୟ ଲୁଚେଇବାକୁ କହିଛି l ଆପଣମାନେ ଧରି ନିଅନ୍ତୁ ସେ ଅଜବ ଝିଅଟିର ନାମ ସୁକନ୍ୟା l


   ସୁକନ୍ୟା କାହିଁକି ଅଜବ ? ସୁକନ୍ୟା ଅଜବ ଏଥିପାଇଁ ଯେ ଆଜିଯାଏଁ ସେ ଏ ଦୁନିଆଁକୁ ଯେମିତି ଦୃଷ୍ଟିରେ ଦେଖିଛି, ବୁଝିଛି, ଜାଣିଛି ବୋଧେ ଆଉ କେହି ସେମିତି ଦେଖିନାହାଁନ୍ତି l ଗତାନୁଗତିକ ସମସ୍ତ ଜିନିଷ ଠାରୁ ଯିଏ ଅଲଗା କିଛି ଭାବେ,ବୁଝେ, କରେ ସେ ତ ସଭିଙ୍କ ନଜରରେ ଅଜବ ହିଁ ହେଇଥିବ l


   ହଁ ମୁଁ କାହିଁକି ଏ ସୁକନ୍ୟା ବିଷୟରେ ଲେଖୁଛି ? ସୁକନ୍ୟା ମୋତେ ଲେଖିବାକୁ ଅନୁରୋଧ କରିଛି l ଆଉ ତା'ର ଅନୁରୋଧ ସେବେର ନଥିଲା, ଏହି ଜମା ଦୁଇମାସ ତଳର l


     ପାଞ୍ଚବର୍ଷ ତଳେ ମୁଁ ମୋର ଏକ ପରୀକ୍ଷା ଶେଷକରି ଭାଇ ପାଖକୁ ବୁଲିବାକୁ ଯାଇଥିଲି ହାଇଦ୍ରାବାଦ୍ l ସେଠି ଦୁଇମାସ ରହି ଟ୍ରେନ୍ ରେ ଫେରୁଥିଲି ମୋ ଘରକୁ l ଭାଇ ଟ୍ରେନରେ ଢୋଳାଉଥିଲା ଓ ମୁଁ ବୋର୍ ହେଉଥିଲା ବେଳେ ବାଇଶ-ତେଇଶ ବର୍ଷର ସୁଶ୍ରୀ, ପତଳୀ, ଶ୍ୟାମଳୀ ଝିଅଟିଏ ଆସି ତା ସିଟ୍ ନମ୍ବର୍ ଖୋଜିଲା ଓ ମୋରି ପାଖରେ ବସିଗଲା l ସେ ମୋତେ ମୋର ସମବୟସ୍କା ପରି ଦେଖାଯିବାରୁ ମୁଁ ଖୁବ୍ ଖୁସି ହେଇଗଲି କଥାବାର୍ତ୍ତା କରିବାକୁ ସାଥୀଟିଏ ମିଳିଗଲା ଭାବି l ସେ ତା'ର ସବୁ ଲଗେଜ୍ ଠିକ ଠାକ୍ କରି ରଖିସରିଲା ପରେ ଗୋଡ଼ ଦୁଇଟାକୁ ଭାଙ୍ଗି ଚକାମାଡି ବସିଗଲା l ମୁଁ ତା' ଆଡକୁ ଚାହିଁବାରୁ କହିଲା, "ଗୋଡ଼ ପ୍ରୋବ୍ଲେମ୍ ଅଛି, ଓହଳେଇ ବସି ପାରେନି l" ମୁଁ ଆହୁରି ଖୁସି ହେଲି ସେ ଓଡିଆ ବୋଲି ଜାଣି l ମୁଁ ତାକୁ ପଚାରିଲି -ଆପଣ କେମିତି ଜାଣିଲେ ମୁଁ ଓଡ଼ିଆ ? ସେ କହିଲା -ତୁମ ସମ୍ବଲପୁରୀ ସଲ୍ୱାର ସୁଟ୍ ରୁ l ତା'ର ମୋତେ 'ତୁମେ' ସମ୍ବୋଧନ କରିବା ମୋତେ ବହୁତ ଭଲ ଲାଗିଥିଲା l ସତରେ ଭଲ ଲାଗିଥିଲା l ସେ ମୋତେ ପ୍ରଥମରୁ ହିଁ ଖୁବ୍ ଆପଣାର ଲାଗିଥିଲା, କାହିଁକି କିନ୍ତୁ କହିପାରିବିନି l


     ଆମେ ଟ୍ରେନ୍ ରେ ଅନେକ କିଛି ଗପିଥିଲୁ l ସମୟ ଯେତେ ଯେତେ ଆଗଉଥିଲା ସୁକନ୍ୟାର ନିର୍ମଳ ହୃଦୟ ସହ ମୋର ସେତେବେଶି ପରିଚୟ ହେଇଯାଉଥିଲା l କିନ୍ତୁ ଯେତେବେଳେ ମୋ ଭାଇର ନିଦ ଭାଙ୍ଗିଲା ଓ ସେ ଉଠି ମୋତେ ସୁକନ୍ୟା ସହ ଗପସପରେ ମଜ୍ଜିଯାଇଥିବାର ଦେଖିଲା, ସେ ଟିକେ ବିବ୍ରତ ଜଣାଗଲା l ସେ ମୋତେ ଇସାରା ଇସାରାରେ କହୁଥିଲା ସୁକନ୍ୟା ସହ ଆଉ ବେଶି କଥା ବାର୍ତ୍ତା ନକରିବା ପାଇଁ l କିନ୍ତୁ ଭାଇ କାହିଁକି ସେମିତି ଚାହୁଁଥିଲା ସେକଥା ମୁଁ ସେବେ ବୁଝିନଥିଲି l ଯାହାହେଉ ଆମର ଗପସପ, ହସଖୁସି ଭିତରେ ସମୟ କେମିତି କଟିଗଲା ମୁଁ ଆଦୌ ଜାଣିପାରିଲିନି l ସୁକନ୍ୟା ମୋ ଠାରୁ ବିଦାୟ ନେଲାବେଳକୁ ମୋ ଫୋନ୍ ନମ୍ବର୍ ନେଇଥିଲା ଓ ତା' ନମ୍ବର୍ ମଧ୍ୟ ମୋତେ ଦେଇଥିଲା l  


   ତା' ନମ୍ବର୍ ମୋ ପାଖରେ ଥିଲା ସତ କିନ୍ତୁ ବ୍ୟସ୍ତତା ଭିତରେ ମୁଁ ତା'କୁ କେବେ ଫୋନ୍ କରିପାରି ନାହିଁ l ସେ ବି ବୋଧେ ସେହି କାରଣରୁ ମୋତେ ଫୋନ୍ କରିନଥିବ l ସେ ଯାହା ବି ହେଉ ସେହି ଗୋଟିଏ ଦିନର ଦେଖା ସାକ୍ଷାତ ଓ ବିଦାୟ ପରେ ମୁଁ ସୁକନ୍ୟାକୁ ପ୍ରାୟ ଭୁଲି ଯାଇଥିଲି l ସେ ମୋ ମନ ପରିଧି ଭିତରକୁ ଏତେଟା ଆସେନି ଆଉ l ଆସିବାର କିଛି ଖାସ୍ କାରଣ ମଧ୍ୟ ନଥିଲା l କିନ୍ତୁ ସେହି ତା' ସହ ଦେଖା ହେବାର ବର୍ଷେ ପରେ ଦିନେ ମୁଁ ମୋ ହ୍ୱାଟ୍ସଅପ୍ ର କଣ୍ଟାକ୍ସ୍ ଚେକ୍ କରୁଥିଲି ସୁକନ୍ୟାର ଫୋଟୋ ମୋ ଆଖିରେ ପଡିଲା l ମୁଁ ଗୋଟିଏ 'ହେଲୋ' ଲେଖି ସେଣ୍ଡ୍ କରିଦେଲି ତା'କୁ l ସେ ମଧ୍ୟ ମୋର ନମ୍ବର୍ ରଖିଥିଲା l ସଙ୍ଗେ ସଙ୍ଗେ ଚିହ୍ନିଗଲା ଓ ରିପ୍ଲାଇ ଦେଲା l ଅଳ୍ପ କିଛି କଥାବାର୍ତ୍ତା ପରେ ସେ 'ବାୟ' ଲେଖି ଅଫଲାଇନ୍ ହେଇଗଲା l


    ସେବେଠୁଁ ମୁଁ ବରାବର ସୁକନ୍ୟାର ହ୍ୱାଟ୍ସଅପ୍ ସ୍ଟାଟସ୍ ଦେଖେ l ତା'ର ସବୁ ଷ୍ଟାଟସ୍ ମୋତେ ବଡ଼ ଅଜବ ଲାଗେ l ମୁଁ କିନ୍ତୁ କେବେ କିଛି ପଚାରିନାହିଁ ତା'କୁ l 


  ଏମିତି ଏମିତି ସମୟ ଗଡ଼ିଚାଲେ ଓ ସୁକନ୍ୟାର ପ୍ରୋଫାଇଲ୍ ପିକ୍ଚର୍, ସ୍ଟାଟସ୍ ବଦଳି ଚାଲିଥାଏ l ମୋର ବାହାଘର ହେଇଯାଏ l ସୁକନ୍ୟା ମୋର ହୁଆଟ୍ସପ୍ ରେ ମୋତେ 'ହାପି ମ୍ୟାରେଡ୍ ଲାଇଫ୍' ଲେଖି ମୋ ଷ୍ଟାଟସର ରିପ୍ଲାଇ ଦିଏ l କିନ୍ତୁ ସେହି ଚାରିବର୍ଷ ଭିତରେ କେବେ ଆଉ ଆଉ ଆମେ ଫୋନ୍ ରେ କଥା ହେଇନୁ l 


    ଏହି ଦୁଇମାସ ତଳେ ମୁଁ ଘରପାଖ ପାର୍କକୁ ସନ୍ଧ୍ୟାରେ ଟିକେ ବୁଲାବୁଲି କରିବାକୁ ଯାଇଥାଏ ହଠାତ୍ ସୁକନ୍ୟାର ନମ୍ବରରୁ ମୋତେ କଲ୍ ଆସିଲା l ମୁଁ ଆଶ୍ଚର୍ଯ୍ୟ ହେଲି l ଏତେ ବର୍ଷପରେ ଏ ଝିଅ ଆଜି ମୋତେ କାହିଁକି କଲ୍ କରୁଛି ? ଫୋନ୍ ରିସିଭ୍ କଲି l


ହାଲୋ, କେମିତି ଅଛ ? ଏତେଦିନ ପରେ


ମୁଁ ଭଲ ଅଛି l ଗୋଟିଏ କଥା ପଚାରିଥାନ୍ତି ତୁମକୁ


ହଁ ହଁ ପଚାର


ତୁମେ ହିଁ ଶିଳାଲିପି ସ୍ପିକ୍ସ୍  


ହଁ ହଁ ସେଇଟା ମୋର ପର୍ଶନାଲ୍ ବ୍ଲଗ୍ l ମୁଁ ସେଥିରେ ଗଳ୍ପ ଲେଖି ପୋଷ୍ଟ୍ କରେ


ମୋତେ ତ କେବେ ତୁମ ବ୍ଲଗ୍ ବିଷୟରେ ହ୍ୱାଟ୍ସଅପ୍ ରେ କହିନ


କହିନି ଏଇଥିପାଇଁ, ମୁଁ ଭାବେ ତୁମର ବୋଧେ ଓଡ଼ିଆ ଗପ ପଢିବାରେ ରୁଚି ନଥାଇପାରେ l କିନ୍ତୁ ତୁମେ ଜାଣିଲ କେମିତି ? ତୁମେ ଫେସବୁକ୍ ରେ ବି ତ ନାହଁ କହୁଥିଲ l


ନାଇଁ ମୁଁ ଫେସବୁକ୍ ରେ ମୋ ନିଜ ପ୍ରକୃତ ପରିଚୟରେ ନାହିଁ କିନ୍ତୁ ଫେକ୍ ପରିଚୟ ନେଇ ଅଛି l ସେଇଠି ଦେଖିଲି ଶିଳାଲିପି ସ୍ପିକ୍ସ୍ ର କେତେଟା ଗପକୁ କେହି ଜଣେ ସେୟାର୍ କରିଥିଲେ l ପଢ଼ିଲି l ତୁମ ନାଁ ଓ ଫୋଟୋରୁ ଜାଣିଲି ତୁମେ ବୋଲି l ସେଥିପାଇଁ ପାଇଁ ଫୋନ୍ କଲି l ପ୍ରକୃତ କଥା ହେଲା ମୋର ଗୋଟେ ସାହାଯ୍ୟ ଦରକାର l ସାହାଯ୍ୟଟି ମୋତେ ଶିଳାଲିପି ହିଁ କରିପାରିବ l


   ମୁଁ ପୁଣି ଆଶ୍ଚର୍ଯ୍ୟ ହେଲି ସୁକନ୍ୟାର କଥାରେ l "ଶିଳାଲିପି କି ପ୍ରକାର ସାହାଯ୍ୟ କରିପାରିବ ତୁମକୁ ?", ପଚାରିଲି l କହିଲା, "ଶିଳାଲିପିକୁ ସୁକନ୍ୟାର ସତକାହାଣୀ ଲେଖିବାକୁ ଅନୁରୋଧ l ମୁଁ ତୁମକୁ ସବୁ ସତ କହିବି l ମୁଁ ମୋ ନିଜକୁ ତୁମ ପାଖରେ ଖୋଲିଦେବି l ତୁମେ କେବଳ ତୁମର ଫ୍ରି ଟାଇମ୍ ମୋତେ ଜଣାଇବ l ମୁଁ ତୁମକୁ କଲ୍ କରିବି l ବହୁତ କିଛି କହିବାର ଅଛି l " 


  ମୁଁ ମନାକରିପାରିଲିନି l ସେ ମୋ ଠାରୁ ସମୟ ମାଗିନେଇ ଫୋନ୍ କାଟିଦେଲା l ମୁଁ ପରଦିନ ସନ୍ଧ୍ୟା ସାଢ଼େ ପାଞ୍ଚକୁ ତା' ଫୋନ୍ ର ଅପେକ୍ଷାରେ ଥିଲି l ସେ ନଭୁଲି ଫୋନ୍ କଲା ମୋତେ l କଥା ଥିଲା ସେ ସବୁଦିନ ସନ୍ଧ୍ୟାରେ ଅଧଘଣ୍ଟାଏ ତା' ନିଜର କାହାଣୀ କହିବ ଓ ମୁଁ ତା'ର କାହାଣୀ ଲେଖିବା ଆରମ୍ଭ କରିବି l ସେମିତି ହିଁ ହେଲା l ସେହିଦିନଠାରୁ ମୁଁ ସବୁଦିନ ସନ୍ଧ୍ୟାରେ କାଗଜ,କଲମ ଓ ମୋବାଇଲ୍ ଧରି ବସିଯାଏ l ସୁକନ୍ୟାର ଫୋନ୍ ଠିକ ସମୟରେ ଆସେ l ସେ କହିଚାଲେ ଓ ମୁଁ ତା' କାହାଣୀ ଭିତରେ ହଜିଯାଉଥାଏ l ତାହାରି ଭିତରେ ମୁଁ କିଛି କିଛି କଥା ମୋ ଖାତାରେ ଟିପି ରଖେ l 


    ସୁକନ୍ୟାର କାହାଣୀ ଆପଣମାନଙ୍କ ପାଖରେ ପହଞ୍ଚେଇବା ପୂର୍ବରୁ ତା' ବିଷୟରେ ଏତିକି କହିବା ଜରୁରୀ ଭାବି ଅନେକ କିଛି ଲେଖି ସାରିଲାଣି l ସୁକନ୍ୟାର ରହସ୍ୟମୟ ଜୀବନକୁ ସେ ନିଜେ ଯେତିକି ଖୋଲିଛି ମୁଁ ବି ସେତିକି ଖୋଲିବାକୁ ଚେଷ୍ଟା କରିବି l

   



Rate this content
Log in

Similar oriya story from Classics