Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamala Satpathy

Tragedy Romance

4.4  

Kamala Satpathy

Tragedy Romance

ଧୂଳି

ଧୂଳି

13 mins
959


“ହାପି ଆନିଭରସାରୀ ଡାର୍ଲିଙ୍ଗ୍ .. ମେନି ମେନି ହାପି ରିଟର୍ନସ ଅଫ୍ ଦ ଡେ …”...


ଶୀତୁଆ ସକାଳର କାଲୁଆ ପବନକୁ ବେଖାତିର କରି ବିରାଟ ଗୋଲାପ ତୋଡାକୁ ହାତରେ ଧରି ହସ ହସ ମୁହଁରେ ଦରଜା ଠେଲି ପଶି ଆସୁଥିବା ସାହେବଙ୍କ ଆଡକୁ ମୁଗ୍ଧ ଦୃଷ୍ଟିରେ ଚାହିଁ ରହିଗଲା ବାସନ୍ତୀ । ସାହେବଙ୍କ ଆଖିରୁ ଫୁଟି ପଡୁଥିବା ସହସ୍ର ସୂର୍ଯ୍ୟର ପ୍ରକାଶକୁ ମନଭରି ଉପଭୋଗ କଲା ବେଳେ ତା’ ହାତରୁ ଖସି ପଡୁଥିବା ବାସନର ଝଣ୍ ଝାଣ୍ ଶବ୍ଦରେ ଚତୁର୍ଦ୍ଦିଗ ଶବ୍ଦାୟିତ ହେଇଗଲା ସିନା, ହେଲେ ତା’ ଭିତରର ଶୂନ୍ୟତା ଯେମିତିକୁ ସେମିତି ରହିଗଲା । ନିଜ ଭିତରେ ହଜି ଯାଉ ଯାଉ କିଛି ଗୋଟେ ଅସ୍ୱାଭିବକ ଶବ୍ଦ ତାକୁ ପୁଣି ସେହି ପରିବେଶ ଭିତରକୁ ଫେରେଇ ଆଣିଲା । ହଁ, ସେମାନେ ଉଭୟେ ପରସ୍ପରକୁ ଚୁମ୍ୱନରେ ପୋତି ପକୋଉଥିଲେ .. ଆଲିଙ୍ଗନବଦ୍ଧ ହେଉଥିଲେ .. ଉଭୟଙ୍କ ହାତକୁ ମୁଠେଇ ଧରୁଥିଲେ।


କେତେ ପବିତ୍ର ଲାଗୁଥିଲା ସମଗ୍ର ପରିବେଶ ସତରେ ! ବୟସର ଉତ୍ତର ପାହାଚରେ ପହଞ୍ଚି ସାରିଥିବା ଏକ ବୃଦ୍ଧ ଦମ୍ପତ୍ତି ବି ନିଜର ବିବାହ ବାର୍ଷିକୀ କଥା ମନେ ରଖି ପାରନ୍ତି, ଆଉ ତାକୁ ଏମିତି ନିବିଡତାର ସହ ପ୍ରଦର୍ଶନ କରପାରନ୍ତି, ସେକଥା ପ୍ରଥମ ଥର ପାଇଁ ସେ ଦେଖୁଛି । ପ୍ରଥମ ଥର ପାଇଁ ଅନୁଭବ କରୁଛି ସ୍ୱାମୀ ସ୍ତ୍ରୀଙ୍କ ଭିତରର ଅନ୍ତରଙ୍ଗତା ! ଅଜବ ଏକ କୋଳାହଳ ସୃଷ୍ଟି ହେଉଛି ତା’ ଭିତରେ .. ବହୁ ଚେଷ୍ଟା କଲେ ବି ସେ କୋଳାହଳ ତା’ର ପିଚ୍ଛା ଛାଡୁନାହିଁ । ରହି ରହି ପ୍ରଶ୍ନ ହୋଇ ତାକୁ ଲହୁଲୁହାଣ କରିଦେଉଚି । ନା, ତା’ ଦେଇ ଆଉ କାମ ହେବନାହିଁ । ତାକୁ ଘରକୁ ଯିବାକୁ ହେବ । ଚାରି ଦିନରୁ ସୁବଳ ସହିତ ଭଲରେ କଥା ପଦେ ହୋଇନାହିଁ । ଭଲରେ ରାନ୍ଧିବାଢି ଖାଇବାକୁ ଦେଇନାହିଁ । ଏଇ ଥର ସେ ଜମା ବି ଲଇଁବ ନାହିଁ ବୋଲି ପ୍ରକାରାନ୍ତରେ ଜଣେଇ ଦେଇଛି। ସୁବଳର ସବୁ ଅତ୍ୟାଚାରର ବିରୋଧ ତା’ଠୁ ଏମିତି ଖାଲି ଦୂରେଇ ରହି ରହି ସୁଝେଇବ ବୋଲି ମନେ ମନେ ପ୍ରତିଜ୍ଞା କରିସାରିଛି ।


ଆଜି ପଞ୍ଚମ ଦିନ । ସକାଳୁ ବାସି ପାଇଟ ସାରି ବିନା କୁହାବୋଲାରେ ସେ ଘର ଛାଡିଛି । ସୁବଳ ପଛରୁ ବହୁତ ଡାକିଥିଲା .. କିଛି କହିବ କହିବ ହେଉଥିଲା, ହେଲେ ସେ ପଛକୁ ବୁଲିକି ଚାହିଁନାହିଁ । ରାଗ ଅଭିମାନରେ ଏକମୁହାଁ ହୋଇ ବାହାରି ଆସିଛି ଯେ ଆସିଛି । ନା, ସେ ଏଥର ଜମାରୁ ନରମ ପଡିବ ନାହିଁ । ତା’ର ସବୁଦିନର ଗାଳିମନ୍ଦ ଆଉ ସହିବ ନାହିଁ ।


କିନ୍ତୁ …. ଏଇ କିନ୍ତୁ ହି ବେଳ ଅବେଳରେ ତା’ର ସବୁ ଦୃଢତାକୁ ଦୋହଲେଇ ଦେଉଛି । ପ୍ରତି ଥର ନିଜ ପାଖରେ କରିଥିବା ପ୍ରତିଜ୍ଞାକୁ ଭାଙ୍ଗି ତା’ ପାଖକୁ ଚାଲିଯିବାକୁ ବାଧ୍ୟ କରିଦେଉଛି । ଏଥର ଅବଶ୍ୟ ସବୁ ‘କିନ୍ତୁ’ କୁ ନିଜ ଭିତରକୁ ଆସିବାକୁ ସେ ଏପର୍ଯ୍ୟନ୍ତ ଦେଉନଥିଲା, ହେଲେ ଆଜି ସକାଳୁ ସାହେବ ଆଉ ମ୍ୟାଡାମ୍ ଙ୍କୁ ଦେଖି ।


କ’ଣ କରିବ ସେ ଏବେ ? ଫେରିକି ଘରକୁ ଯିବ, ଦେହ ଭଲ ଲାଗୁନିର ବାହନା କରି ? ନା, କାମ ସାରିକି ଯିବ ? ସୁବଳର କ’ଣ ମନେ ଥିବ ଯେ ଆଜି ସେମାନଙ୍କର ବି ହାପି ଆନିଭରସାରୀ ! ପାଞ୍ଚ ବର୍ଷ ପୂର୍ବରୁ ଆଜିର ଦିନରେ ଘରଲୋକଙ୍କ ସମସ୍ତ ବିରୋଧ ସତ୍ତ୍ୱେ ସାରା ଗାଁଟା ଆଗରେ ତା’ ମଥାରେ ସିନ୍ଦୂର ପିନ୍ଧେଇ ସେ ଘର ଛାଡିଥିଲା .. ଗାଁ ଛାଡିଥିଲା .. ଭାଇ ବନ୍ଧୁ କୁଟୁମ୍ୱ ଛାଡିଥିଲା ! ନୀଚ୍ଚ ଜାତିର ଝିଅକୁ ବୋହୂ ଭାବରେ ସ୍ୱୀକାର କରିବେ ନାହିଁ ବୋଲି ଘରଲୋକେ ଦୃଢ ଭାବରେ କହିଦେଲା ପରେ, ସୁବଳ ପରିକା ମଠରେ ଖାଇ ଖଟରେ ଶୋଉଥିବା ପିଲା ବି ସହରକୁ ଆସି ଘରଗୃହସ୍ଥୀର ବୋଝ ଉଠେଇବାକୁ ଅଟୋରିକ୍ସା ଚଲେଇଲା । କେବେ କୌଣସି ଦାୟୀତ୍ୱ ନେଇ ନଥିବା ପିଲଟା ହଠାତ୍ ସଂସାରର ସବୁଠାରୁ ଦାୟୀତ୍ୱବାନ୍ ମଣିଷ ପାଲଟି ଗଲା । ତେଲଲୁଣର ହିସାବ ରଖିଲା । ସାହି ପଡିଶାର ହାନିଲାଭ ବୁଝିଲା । ପରସ୍ପରର ହାତ ଧରି ଧରି ସେମାନେ ଜୀବନର ସବୁ ଝଡଝଞ୍ଜାକୁ ମୁହାଁମୁହିଁ ହେଲେ । କେବେ ଜିତି ଯାଇ ଖୁସି ହେଲେ ତ ଆଉ କେବେ ହାରିଯାଇ ଲୁହ ଝରେଇଲେ । କିନ୍ତୁ ଛାଡି ଆସିଥିବା ବନ୍ଧନ ଭିତରକୁ ଫେରିକି ଯିବା କଥା କେବେ ମନକୁ ଆଣିଲେ ହି ନାହିଁ । 


କେବେ କେବେ ସୁବଳକୁ ସଂସାର ଦାୟରେ ଏମିତି ଯୁଝୁଥିବାର ଦେଖି ତାକୁ ଭାରି କଷ୍ଟ ଲାଗେ । ଦୁଃଖ ଲାଗେ ଭାଗ୍ୟର ଏ ବକ୍ରଗତିକୁ ଦେଖି.. ସହି ! ପର ମୁହୂର୍ତ୍ତରେ କିନ୍ତୁ ନିଜକୁ ବୁଝେଇଦିଏ ସେ – ଭଲ ପାଇବା ପରି ଏକ ଦିବ୍ୟ ଅନୁଭବ ପାଇଁ ଯଦି ଦୁନିଆ ସେମାନଙ୍କୁ ଏପରି ଦଣ୍ଡ ଦେବାର ନିର୍ଣ୍ଣୟ ନେଇପାରିଲା, ତେବେ ସେ ଦଣ୍ଡକୁ ଅସ୍ୱୀକାର କରି ସେମାନେ ନିଜ ଭଲ ପାଇବାକୁ କାହିଁକି ଛୋଟ ହେଇଯିବାକୁ ଦେବେ ! କାହିଁକି ହାର୍ ମାନିଯାଇ ଫେରିଯିବେ ସେଇ କଠୋର ଦୁନିଆର ପିଞ୍ଜରା ଭିତରକୁ, ଯୋଉଠି ପ୍ରେମ ପରି ପବିତ୍ର ଅନୁଭବ ପ୍ରତି ମୁହୂର୍ତ୍ତରେ ଟାଣି ଭିଡି ହୋଇ କାଠଗଡା ଭିତରେ ଛିଡା ହେବାକୁ ବାଧ୍ୟ ହୁଏ !


ନା, ଯେତେ କଷ୍ଟ ହେଉ .. ପରିସ୍ଥିତି ଯେତେ ବିପରୀତମୁଖୀ ହେଉ, ସେମାନେ ନିଜ ପ୍ରେମକୁ ହାରିଯିବାକୁ ଦେବେ ନାହିଁ ।


କିନ୍ତୁ, କ’ଣ ହେଲା ଶେଷରେ ! କେତେ ବା ରଖିପାରିଲେ ନିଜ ପ୍ରତିଶ୍ରୁତି ସେମାନେ ! ରାତି ପାହିଲେ ଅଭାବର ଶିକୁଳି ମୁଣ୍ଡ ଉପରେ ଝୁଲି ପଡିଲା ବେଳେ ପ୍ରେମ ନାମକ ଶବ୍ଦଟା କୋଉ ବା ରହିପାରିଲା ଜୀବନରେ ? ଏବେ ତ ପ୍ରତି କଥାରେ ପରସ୍ପରକୁ ଦୋଷ ଦେବାରେ ହି ସେମାନଙ୍କର ଦିନ ବିତୁଛି ଆଉ ରାତି ବିତୁଛି ମଦ ପିଇ ମାଡଗାଳି ଦେବାରେ । କେତେ କେତେ ରାତିରେ ତ ସୁବଳ ଏତେ ପିଇ ଦେଉଛି ଯେ ଘରକୁ ଫେରି ହି ପାରୁନି । କୋଉଠି କାହା ବାରଣ୍ଡାରେ, ନହେଲେ ନର୍ଦ୍ଦମା କଡରେ ବେହୋସ ହେଇ ପଡିରହୁଛି । କେବେ କେବେ ବାହାରେ କାହାରି ନା କାହାରି ସହ ତା’ର ଝଗଡା ହେଇଯାଉଛି, ମରାମରି ହେଇ କଥା ପୁଲିସ୍ ପାଖକୁ ଯାଉଛି ।


ରୋଜ୍ ରୋଜ୍ ଏସବୁ ପାଲା ଦେଖି ଦେଖି ବାସନ୍ତୀର ମନ ଛାଡିଗଲାଣି । ଏଥରକ ଦୃଢ ନିଶ୍ଚୟ କରିସାରିଛି ସେ – ଆଉ ସେ ସୁବଳ ପାଖରେ ରହିବ ନାହିଁ । ତାକୁ ସବୁଦିନ ପାଇଁ ଛାଡି ଚାଲିଯିବ । ଦୁଇ ଦିନ ପରେ ପହିଲା, ତାକୁ ଦରମା ମିଳିବ, ଆଗରୁ କିଛି ପଇସା ସଞ୍ଚୟ କରିକି ରଖିଛି । ସବୁକିଛି ନେଇ ସେ ଏ ଘର କ’ଣ, ପୂରା ସହର ଛାଡି ଏତେ ଦୂରକୁ ଚାଲିଯିବ ଯେ ଜୀବନ ସାରା ଖୋଜିଲେ ବି ଆଉ ସୁବଳ ତାକୁ ପାଇବନି ।


ବିଗତ ତିନି ଦିନରୁ ସବୁ ପ୍ରକାରର ଯୋଜନା କରି ସେ ନିଜକୁ ଦୃଢ କରି ନେଇଛି । ସୁବଳ ଆଖିରୁ ବଞ୍ଚେଇ ନିଜ ଜିନିଷପତ୍ର ବି ସଜାଡି ଦେଇଛି । ଦୁଇ ଦିନ ପରେ ସୁବଳ ନାମକ ମଣିଷକୁ ନିଜ ଜୀବନରୁ ପୂରା ପୋଛି ଦେବାର ସମସ୍ତ ପ୍ରସ୍ତୁତି ତା’ର ସରିଛି । ଆଉ ଏତିକିବେଳେ ଏ ବିଚିତ୍ର ଅନୁଭବ !! ଏ ଅଦ୍ଭୁତ ଭାବନା !! କୋଉଠୁ ଆସୁଛନ୍ତି ସେମାନେ ସତରେ ! କାହିଁକି ବା ଆସୁଛନ୍ତି !


ଫେରି ଚାହିଁଲା ଘର ଭିତରକୁ ପୁଣି ଥରେ, ଯୋଉଠି ଅଶୀ ତିପର ସାହେବ ନିଜ ହାତରେ ସଦ୍ୟ ଗୋଲାପର ତୋଡା ଧରି ନିଜ ଶଯ୍ୟାଶାୟୀ ପତ୍ନୀକୁ ହାପି ଆନିଭରସାରୀ କହୁଛନ୍ତି । ଜୀବନ ସାରା କରିଥିବା ଯେତେ ସବୁ ଅଣହେଳା .. ଯେତେ ସବୁ ଅବମାନନା ପାଇଁ କ୍ଷମା ମାଗୁଛନ୍ତି । ନିଜ କୃତକର୍ମ ପାଇଁ ଅନୁତାପ କରୁଛନ୍ତି । ଆଉ ଏକଥାକୁ ବି ଜଣୋଉଛନ୍ତି ଯେ ସାରା ଜୀବନ ତାଙ୍କୁ ନିଃସର୍ତ୍ତରେ ଭଲ ପାଇଥିବା ମଣିଷର ପ୍ରେମକୁ ଆଉ କିଛି ବର୍ଷ ଆଗରୁ ତାଙ୍କୁ ବୁଝି ଯିବାର ଥିଲା । ପ୍ରେମର ଶକ୍ତିକୁ ହୃଦୟଙ୍ଗମ କରିବାର ଥିଲା । ଏବେ ସେସବୁ ସେ କରି ପାରୁଛନ୍ତି ସତ, ହେଲେ ସେସବୁକୁ ତାଙ୍କ ସହିତ ବାଣ୍ଟିବାର ସମୟ ଆଉ ନାହିଁ .. ସୁଯୋଗ ବି ନାହିଁ ..


“ଆବଶ୍ୟକତା ବି ନାହିଁ ..” ମଧୁର ହସରୁ ମେଞ୍ଚାଏ ବାହାରି ଆସିଲା ପଦାକୁ । ଶୁଖିଲା ଆଖିରେ କ୍ଷଣିକ ପାଇଁ ବିଜୁଳି ଚମକିଗଲା ସତେ କି ! ଶେଯରେ ପଡି ପଡି ଅସାଡ ହେଇ ଚାଲିଥିବା ଦେହରେ ତରଙ୍ଗ ଖେଳିଗଲା । ଧିରେ କରି ଉଠିଲା ତାଙ୍କ ହାତ, ଆଉ ଅନନ୍ୟ ଆବେଗରେ ସାହେବଙ୍କ ଗାଲକୁ ଛୁଇଁଗଲା – “ଭଲ ପାଇବା କ’ଣ କେବେ କେହି ପ୍ରଦର୍ଶୀତ କରେ, ନା କଲେ ବି ସଫଳ ହୋଇପାରେ ? ଏହା ତ ଏକ ଦିବ୍ୟ ଅନୁଭବ, ଯାହା ମଣିଷକୁ ମଣିଷ ସହିତ ବାନ୍ଧି ରଖିପାରେ ଯୁଗ ଯୁଗ ଧରି ! ଯେମିତି ରହିପାରିଲେ ଆମେ .. ଯେମିତି ରହିପାରିଛି ଏ ସାରା ଦୁନିଆ ! ଅସହନ୍ତି ପଣର ଝଡଝଞ୍ଜା ଆମ ଭିତରେ ଯେତେ ବହିଲେ ବି ଆମେ କେବେ କ’ଣ ପରସ୍ପର ପାଖରୁ ଦୂରେଇଯିବା କଥା ଚିନ୍ତା କରପାରିଛେ ? କେବେ ଭାବିଛେ ଅଲଗା ଅଲଗା ହୋଇ ବଞ୍ଚି ରହିବାର ? ଏବେ ଏତେ ବର୍ଷ ପରେ ମୋର ଯିବା ସମୟ ଆସିଗଲାଣି ଜାଣି ତୁମେ ଯେମିତି ବ୍ୟାକୁଳ ହେଇପଡୁଛ, ତାହା ହିଁ ତ ଆମ ଭିତରର ପ୍ରେମ ! ରାତିଦିନ ମୋ ପାଇଁ ଠାକୁରଙ୍କ ପାଖରେ ଅଧିଆ ପଡୁଛ .. ମତେ ସୁସ୍ଥ କରିଦେବାକୁ ଗୁହାରି କରୁଛ .. ସହରର ବଡ ବଡ ଡାକ୍ତରଙ୍କୁ ଯାଇ ପରାମର୍ଶ କରୁଛ, ଏସବୁ ପ୍ରେମ ନୁହେଁ ତ ଆଉ କ’ଣ ? ..”


ନିଜ ଭିତରର ଭଲ ପାଇବାକୁ ଖୋଜିବା ଭିତରେ ସେମାନେ ବୁଡି ଯାଇଥିଲେ … ଆଉ ହଜି ଯାଉଥିଲା ବାସନ୍ତୀ ନିଜ ଭିତରେ । ସୁବଳ ସହିତ ତା’ର ସଂପର୍କ ଦିନେ ଗାଁରେ ସମସ୍ତଙ୍କ ପାଇଁ ଥିଲା ଏକ ଚର୍ଚ୍ଚାର ବିଷୟ । ଜାତିକୁ ନେଇ ଯେତେ ହୋ ହଲ୍ଲା ହେବା କଥା ତ ହେଉଥିଲା, ଆଉ ବି ହେଉଥିଲା ନିହାତି ଏକ ବେମେଳ ଜୋଡି ପାଇଁ । ସମସ୍ତେ ଜାଣିଥିଲେ ସୁବଳଟା ନିହାତି ଅକର୍ମାଟାଏ .. ବାପା ପଇସାରେ ଅୟସ କରିବା ଛଡା ଆଉ କିଛି ଜାଣିବାକୁ ଚାହୁଁନଥିବା ପିଲା । କିନ୍ତୁ ବାସନ୍ତୀ ଥିଲା ପୂରା ଗାଁ ପାଇଁ ଏକ ଗର୍ବ ଆଉ ଗୌରବ । ଭଲ ପାଠ ପଢିବା ସହିତ ସିଲେଇପତ୍ର, ବୁଣାବୁଣିରେ ସେ ଥିଲା ଖୁବ୍ ନିପୂଣା । ଗାଁର ଝିଅବୋହୂଙ୍କୁ ନିଜ ଖାଲି ସମୟରେ ସ୍ୱଇଚ୍ଛାରେ ସେସବୁ ସେ ଶିଖୋଉଥିଲା । କୌଣସି ସରକାରୀ ସହାୟତା ନନେଇ ବସ୍ତି ବସ୍ତି ବୁଲି ପିଲାଙ୍କୁ ଏକାଠି କରି ପାଠ ପଢୋଉଥିଲା । ବୁଢାବୁଢୀଙ୍କୁ ସ୍ୱାକ୍ଷର କରୋଉଥିଲା । କୋଶେ ଦୂରରେ ଥିବା ଗାଁର ଏକମାତ୍ର ଚିକିତ୍ସାକେନ୍ଦ୍ରକୁ ନିଜ ସାଙ୍ଗସାଥିଙ୍କୁ ନେଇ ମଝିରେ ମଝିରେ ସେଠିକାର ପରିବେଶକୁ ସଫାସୁତୁରା କରୁଥିଲା । 


କହିବାକୁ ଗଲେ ଠାକୁର ତାକୁ ପରର ହିତ ସାଧନ କରିବାକୁ ସମସ୍ତ ବୁଦ୍ଧି ଦେଇକି ହି ଧରାକୁ ପଠେଇଥିଲେ । ଗାଁ ସାରା ସମସ୍ତଙ୍କର ସେ ଥିଲା ଅତି ଆଦରର ଝିଅ .. ପ୍ରେରଣାର ସ୍ରୋତ ..! କିନ୍ତୁ ଏତେ ବୁଦ୍ଧିମତି, ଗୁଣବତୀ ଝିଅର ହଠାତ୍ ବୁଦ୍ଧି ସବୁ ବାଟବଣା ହେଇଗଲା କେମିତି ! ଦୁନିଆରେ ତା’ ପାଇଁ ଉପଯୁକ୍ତ ମଣିଷର ଅଭାବ ନଥିଲା ବେଳେ, ସୁବଳ ପରିକା ପିଲାକୁ ସେ ଭଲପାଇ ବସିଲା କେମିତି ? କ’ଣ ଦେଖିଲା ସେ ଅମଣିଷଟା ପାଖରେ ଯେ ଘରଲୋକଙ୍କର ସମସ୍ତ ବିରୋଧ ସତ୍ତ୍ୱେ ନିଜ ନିଷ୍ପତ୍ତିରୁ ଓହରିଲା ନାହିଁ କି, ଯୋଉ ଗାଁର ହିତସାଧନ ପାଇଁ ରାତିଦିନ ଲାଗି ପଡିଥିଲା, ସେ ଗାଁକୁ ଛାଡି ଚାଲିଯିବାକୁ ବି ପଛେଇଲା ନାହିଁ ?


ସତରେ, ସେ କ’ଣ ଦେଖିଥିଲା ସୁବଳ ଠାରେ ?


ଆଜି ଏତେ ବର୍ଷ ପରେ ବି ସେ ଏଇ ପ୍ରଶ୍ନର ଉତ୍ତର ପାଇନି । ଜାଣିନି କାହିଁକି ସମସ୍ତ ଦୃଢତା ତା’ର ସୁବଳର ମିଠା ହସ ପାଖରେ ପାଣିରେ ଲୁଣ ପରି ମିଳେଇଯାଏ ! କାହିଁକି ତାକୁ ଦେଖି ତା’ ମନରେ ସହସ୍ର ବୀଣା ଏକା ସଙ୍ଗରେ ବାଜିବାକୁ ଲାଗେ ! ପିଲାଙ୍କୁ ପଢୋଉ ପଢୋଉ ହାତ ଅଟକିଯାଏ ଯେତେବେଳେ ସୁବଳ ସେଇ ବାଟ ଦେଇ ଚାଲି ଯାଉ ଯାଉ ଅକ୍ଷୟ ମହାନ୍ତିଙ୍କ ‘ବୟସର କୃଷ୍ଣଚୂଡା ରଙ୍ଗ ତୁମ ମନ୍ଦ ନୁହେଁ…,’ ଗୀତ ତାକୁ ଶୁଭିଲା ପରି ସ୍ୱରରେ ଗାଇ ଗାଇ ଯାଏ ! ତା’ ମିଠା ସ୍ୱରର ମାଦକତା ସେତେବେଳେ ତାକୁ ଭୁଲେଇ ଦିଏ ଯେ ସୁବଳ ପରି ପିଲା ପାଇଁ ଜୀବନଟା ଏକ ବିରାଟ ଖେଳ ପଡିଆ, ଯୋଉଠି ବାପର ପଇସା ବଳରେ ଜୀବନ ସାରା ଖେଳିବା ହିଁ ତା’ର ଲକ୍ଷ୍ୟ .. ତା’ ଉଦ୍ଦେଶ୍ୟ ..! 


ଦୁନିଆ ଯାକର ସବୁ କଥା ବେଶ୍ ଚିନ୍ତା କରିପାରୁଥବା ବାସନ୍ତୀ, ଏଇ ସାମାନ୍ୟ କଥାଟିକୁ କେମିତି କେଜାଣି ଜମାରୁ ଚିନ୍ତା କରିପାରିଲା ନାହିଁ .. କି ଭବିଷ୍ୟତରେ ଏହାର ପରିଣତି କ’ଣ ହେବ, ସେକଥା ଭାବିଲା ବି ନାହିଁ । ଭାବିଲା ତ କେବଳ ସୁବଳକୁ ନେଇ ଏକ ସୁନ୍ଦର ଜୀବନର କଥା .. ତା’ ବାହୁରେ ଝୁଲି ଝୁଲି ଗହମ ନିଦରେ ହଜିଯିବାର କଥା ! ସେ ନିଦର ପ୍ରଭାବ ତା’ର ସବୁ ବୁଦ୍ଧିବୃତ୍ତିକୁ ଏପରି କବଳିତ କରି ପକେଇଥିଲା ଯେ ରାତାରାତି ଗାଁର ସବୁଠାରୁ ପ୍ରିୟ ଝିଅରୁ, ଖଳନାୟିକା ପାଲଟି ଯିବାରେ ବି ତାକୁ ଦୁଃଖ ଲାଗିଲାନି, କି ଅବସୋସ ବି ହେଲାନି । ପ୍ରେମର ଯାଦୁକରୀ ପ୍ରଭାବରେ ମତୁଆଲା ହେଇ, ସେ ଖାଲି ଉଡି ବୁଲୁଥିଲା ନିଜ ମନଆକାଶରେ !


ନିଦ ଭାଙ୍ଗିଲା .. ସ୍ୱପ୍ନ ତୁଟିଲା .. ଯାଦୁର ଅଞ୍ଜନ ଆଖିରୁ ପୋଛି ହେଇଗଲା, ଯେତେବେଳେ ସଂସାରର ଦାୟ ବିରାଟ ରାକ୍ଷସଟିଏ ହୋଇ କାନ୍ଧ ଉପରେ ଆସି ବସିଗଲା .. ଆଉ ରାତିଦିନ, ପ୍ରତିଟି ମୁହୂର୍ତ୍ତରେ ନିଜ ପ୍ରଭାବ ଦେଖେଇ ଚାଲିଲା । କଥା କଟାକଟିରୁ ଆରମ୍ଭ ହେଲା .. ମୁହଁ ଫୁଲାଫୁଲି ହେଉ ହେଉ ହାତାହାତି ପର୍ଯ୍ୟନ୍ତ ଚାଲିଗଲା । ଏବେ ତ ସମସ୍ୟା ଏତେ ଗମ୍ଭୀର ହେଇଗଲାଣି ଯେ କେହି କାହାର ମୁହଁ ଚାହିଁବାକୁ ବି ଆଉ ଇଚ୍ଛା କରୁନାହାନ୍ତି ସେମାନେ ! ଆଉ ଭଲପାଇବାର ଦିବ୍ୟ ଅନୁଭବକୁ ପାଇବେ ବା କୋଉଠୁ !


ହତଚକିତ ହୋଇ ଉଭୟ ଚାହିଁ ରହିଗଲେ ପରସ୍ପରକୁ – ସେମାନଙ୍କ ଭିତରେ ଭଲ ପାଇବା ସତରେ କ’ଣ କେବେ ଥିଲା ? ଅବସ୍ଥା ଦିନେ ଏମିତି ବି ହେଇ ପାରିବ, ସେକଥା ତ ସେମାନଙ୍କ ସ୍ୱପ୍ନିଳ ଜଗତରେ କେବେ ଦୃଶ୍ୟ ହେଇନଥଲା ! କେବେ ଭାବି ତ ନଥିଲେ ଯେ ପେଟର ଭୋକ ଆଉ ଦେହର ଲାଜ ଆଗରେ, ପ୍ରେମ ନିଜ ସତ୍ତା ବି ହରେଇ ପାରିବ ! .. ସଂଘର୍ଷର ସିଢି ଦିନକୁ ଦିନ ଲମ୍ୱିବାରେ ଲାଗିଥଲା । ସେ ସିଢିରେ ପାଦ ଥାପି ଚାଲୁଥିବା ଅନ୍ୟ ସବୁ ମଣିଷମାନଙ୍କ ପରି ସେମାନେ ବି ହେଇଗଲେ ଗୋଟିଏ ଗୋଟିଏ ଯନ୍ତ୍ରମାନବ । ଦିନ ସାରା ଖାଲି କାମ .. କାମ .. ଆଉ କାମ ..! ଯୋଉ କାମକୁ ଦିନେ ସମାଜର ହିତ ସାଧନ ପାଇଁ ସ୍ୱଇଚ୍ଛାରେ ସେ କରୁଥଲା, ଏବେ ସେସବୁ ହେଇଗଲା ନିଜକୁ ବଞ୍ଚେଇ ରଖିବାର ଆଧାର । ସମାଜସେବୀ ବାସନ୍ତୀରୁ ସେ ପାଲଟିଗଲା ଧାଈ ବାସନ୍ତୀ .. କାମବାଲୀ ବାସନ୍ତୀ .. ଟିୟୁସନ୍ ଦିଦି .. ସିଲେଇ ଦିଦି .. ରୋଷେଇଆଣୀ .. ଏମିତି ଏମିତି କେତେ କ’ଣ ! ଆଉ ସେସବୁ ଭିତରେ ହଜିଗଲା କେବଳ ‘ବାସନ୍ତୀ’ ! ହଜିଗଲା ବି ତା’ ଭଲ ପାଇବା .. ତା’ ସ୍ବପ୍ନ .. ତା’ ଆଶା ଆକାଂକ୍ଷା ! ଜୀବନକୁ ନେଇ ତା’ର ଅନେକାନେକ ଯୋଜନା ! ଆଉ ଏସବୁଥିପାଇଁ ଦାୟୀ ଥିଲା କେବଳ ସୁବଳ ! ତାକୁ ଭଲପାଇ ସେ ଠକିଯାଇଛି .. ନିଜ ସହ ପ୍ରତାରଣା କରିଛି .. ଆକାଶକୁ ଛୁଇଁବାକୁ ହେଇଥିବା ତା’ର ଜନ୍ମ, ଧୂଳିରେ ମିଶିଯାଇଛି !


ଏବେ ତ ସୁବଳକୁ ଦେଖିଲେ ତା’ ଭିତରେ ପ୍ରେମ ନୁହେଁ, ସୁପ୍ତ ଆଗ୍ନେୟଗିରିଟିଏ ଜୀବନ୍ତ ହେଇଗଲା ପରି ଲାଗେ ! ତା’ ସ୍ପର୍ଶରେ ସାରା ଶରୀରରେ ବିଷ ଚହଟି ଯାଏ । ଚିତ୍କାରଟିଏ ଉଠିଆସେ ଛାତି ଭିତରେ – ନା, ନା, ଏମିତିଆ ଜୀବନଟିଏ ତା’ର ଆଦୌ ଲୋଡା ନାହିଁ । ସେ ଜନ୍ମ ହେଇନାହିଁ ପରଘରେ ନିକୁଚ୍ଛିଆ କାମ କରି ଖାଲି ଜିଇଁ ରହିବାକୁ ! ଗାଳିମନ୍ଦ ଶୁଣି ମୁଣ୍ଡ ନୁଆଇଁ ଗୋଡଭାଙ୍ଗି ସମସ୍ତଙ୍କ ଆଗରେ ଠିଆ ରହିବାକୁ । ଏସବୁ ପ୍ରତାରଣା ! ସୁବଳ ତା’ ପର କାଟିଦେଇଛି .. ତାକୁ ପରିଚୟହୀନ କରିଦେଇଛି .. ବନ୍ଦୀ କରିଦେଇଛି ତା’ର ସବୁ ସ୍ୱପ୍ନକୁ ! ଶ୍ୱାସରୁଦ୍ଧ ହେଇଯାଉଛି ସେ ଭଲ ପାଇବାର ଏ ବୋଝକୁ ମୁଣ୍ଡ ଉପରେ ଲଦି ! ସେ ଯିବ .. ସବୁକିଛି ପଛରେ ଛାଡି ଖୁବ୍ ଆଗକୁ ଚାଲିଯିବ, ଯୋଉଠି ପୁଣି ଥରେ ସେ ବଞ୍ଚିପାରିବ ନିଜ ଇପ୍ସିତ ଜୀବନ .. ଖଳନାୟିକା ହୋଇ ନୁହେଁ, ଏକଦମ୍ ନାୟିକା ହେଇ । ଆଉ ସେପରି ଜୀବନ ଭିତରେ ସୁବଳର ସ୍ଥାନ କୋଉଠି ବି ରହିପାରିବ ନାହିଁ । 


ସେଇଥିପାଇଁ ଏତେ ଦିନରୁ ସବୁ ପ୍ରସ୍ତୁତି ଚାଲିଛି ତା’ର । ଆଉ ଏମିତି ବେଳାରେ ସାହେବ ଆଉ ମ୍ୟାଡାମ୍ ଙ୍କର ବିବାହ ବାର୍ଷିକୀ ପାଳନ ସହିତ ଅତୀତର ରୋମନ୍ଥନ, ତାକୁ ଭିତରେ ଭିତରେ ଦୁର୍ବଳ କରି ପକୋଉଥିଲା । ପୁଣି ଥରେ ସୁବଳ ଆଡକୁ ମନ ଢଳୁଥିଲା । ସୁବଳର ଭଲ ପାଇବାକୁ ନେଇ ତା’ର କେବେ ବି ସନ୍ଦେହ ନଥିଲା, କି ଆଜି ବି ନାହିଁ । କେବଳ ଯାହା ସଂସାରର ଦାୟରେ ସେସବୁ ହଜି ହଜି ଯାଉଛି । କିନ୍ତୁ ସେଥିପାଇଁ କ’ଣ ସୁବଳ ଏକା ଦାୟୀ ? ସେ ତ ନିଜ ପାରୁପର୍ଯ୍ୟନ୍ତ ଚେଷ୍ଟା ଚଲେଇଛି ତା’ ପାଦ ତଳେ ସବୁ ସୁଖ ଆଣି ଲୋଟେଇ ଦେବାକୁ । ମାତ୍ର ବାସନ୍ତୀର ସୁଖର ପରିଧି ଏତେ ବିସ୍ତୃତ ଯେ ସୁବଳର ସମସ୍ତ ପ୍ରୟାସ ସିନ୍ଧୁ ଭିତରେ ବିନ୍ଦୁଟିଏ ହୋଇ ହଜିଯାଉଛି । ଚାହିଁକି ବି ସେଇ ବିନ୍ଦୁର ବ୍ୟାସକୁ ସେ ବଢେଇ ପାରୁନି ! ରାତିଦିନ ଏତେ ପରିଶ୍ରମ କରିଲା ପରେ ବି କେବଳ ପେଟ ପିଠି ପାଇଁ ହିଁ ଯେଗାଡ ହେଇ ପାରୁଛି ଯାହା । ମାତ୍ର ବାସନ୍ତୀର ସ୍ୱପ୍ନର ପରିଧି ଯେ ଏହାଠୁ ଆହୁରି ଅଧିକ, ସେକଥା ତାକୁ କ’ଣ ଅଜଣା ଅଛି !


ସେଇ ସ୍ୱପ୍ନ ସବୁକୁ ପୂରା କରିବାକୁ ବାହାଘର ପୂର୍ବରୁ ସେ ତାକୁ ପ୍ରତିଶ୍ରୁତି ଦେଇଥିଲା, ଯାହାକୁ ଭରସା କରି ଘର ଛାଡିଥିଲା ବାସନ୍ତୀ । ଅବଶ୍ୟ ସୁବଳ ନିଜ ପ୍ରତିଶ୍ରୁତି ରଖିବାକୁ ନିଜ ପାରୁ ପର୍ଯ୍ୟନ୍ତ ସବୁ ଚେଷ୍ଟା କରିଛି । କିନ୍ତୁ ସେତିକି ଚେଷ୍ଟାରେ ମାଟିଟେଳାକୁ ଉଠେଇ ହୁଏ ସିନା .. ପର୍ବତ ନୁହେଁ ! ପର୍ବତକୁ ଲୁଆଇଁବାକୁ ହେଲେ ସୁବଳକୁ ଆହୁରି ଅଧିକ କିଛି ଚିନ୍ତା କରବାକୁ ହେବ .. କିଛି ନୂଆ ବାଟ ଖୋଜିବାକୁ ହେବ, ଯାହା କରିବାକୁ ସେ ମୋଟେ ରାଜି ନୁହେଁ – “ସବୁ କିଛି ଧିରେ ଧିରେ ହେବ ଲୋ ବାସନ୍ତୀ ! ଆମ ଜୀବନ କ’ଣ ସରିଯାଉଛି ! ରାତି ଦିନ ଯଦି ଆମେ ଖାଲି ପଇସା ରୋଜଗାର କରିବା ଚିନ୍ତାରେ ଲାଗିରହିବା, ତେବେ ପରସ୍ପରର ସୁଖଦୁଃଖ କେବେ ବୁଝିବା ! କେବେ ହସଖୁସି ହେବା ! କେବେ ଆଉ ରଙ୍ଗୀନ ସ୍ୱପ୍ନରେ ବିଭୋର ହେବା ! ପଇସାର ବାସ୍ନାରେ ନିଜକୁ ଆମେ ଖାଲି ଠକିପାରିବା ଯାହା, ଜିଇଁପାରିବା ନାହିଁ ଲୋ .. ଆମେ କ’ଣ ସମସ୍ତଙ୍କୁ ବିରୋଧ କରି ଏଇଥିପାଇଁ ବାହା ହୋଇଥିଲେ ?”


“ଆଉ କ’ଣ ପର ଘରେ ବାସି ପାଇଟି କରି ସେମାନଙ୍କ ଅଇଁଠା ଖାଇ ଜିଇଁ ରହିବାକୁ ବାହା ହେଇଥିଲେ ?” ବନ୍ଧୁକର ଗୁଳି ପରି ଠାଏଁ କରି ଚୋଟଟିଏ ଆସି ସିଧା ବସିଯାଏ ସୁବଳର ଛାତିରେ .. ହୃଦୟରେ ! ନିଜ ଅସମର୍ଥପଣ ତାକୁ ଭାଷାହୀନ କରି ପକାଏ । ଏବେ ବାସନ୍ତୀ ଆଉ ସେହି ପ୍ରେମର ଦେବୀ ହୋଇକି ନାହିଁ । ଦୁନିଆଦାରୀର କଠୋରତା ଭିତରେ ସବୁ ଦେବୀତ୍ୱକୁ ସେ ହରେଇ ବସିଛି । ଆଉ ଏସବୁଥିପାଇଁ ସୁବଳ ହିଁ ଦାୟୀ । ସେ ହିଁ ତାକୁ ସଦ୍ୟ ପ୍ରସ୍ଫୁଟିତ ଫୁଲରୁ ଜ୍ୱଳନ୍ତ ଅଗ୍ନିପିଣ୍ଡଟିଏ ବନେଇ ଦେଇଛି । 


ଏବେ ବାସନ୍ତୀକୁ ଦେଖିଲେ ତା’ ଭିତରେ ଆଉ ପ୍ରେମ ନୁହେଁ, ବରଂ ଅଜବ ଏକ କୁଣ୍ଠା ଭରିଯାଉଛି । ଭୟର ଶୀତଳ ଲହର ଖେଳେଇ ଯାଉଛି । ସେଥିପାଇଁ ଏବେ ଖାଲି ନିଜ ଉପରେ ହି ସେ ପ୍ରତିଶୋଧ ନେବାରେ ଲାଗିଛି । ଦୁଃଖ ଭୁଲିବାକୁ ମଦ ପିଉଛି .. ପାଟିତୁଣ୍ଡ କରୁଛି .. ମାଡ ଫୌଜଦାରୀ କରି ବନ୍ଧା ହେଉଛି । ସେଇଥିରେ ହିଁ ତାକୁ ମିଳୁଛି ସାମାନ୍ୟ ସନ୍ତୋଷ । ବାସନ୍ତୀ ଠାରୁ ଦୂରେଇ ରହିବାକୁ ଇଚ୍ଛା ନଥିଲେ ବି ପାଖେଇବାକୁ ସାହାସ ନକରି ପାରି ଆହୁରି ଆହୁରି ପ୍ରତିକ୍ରିୟାଶୀଳ ହେଇପଡୁଛି । ନିଜର ସବୁ ପ୍ରକାରର ଅସଫଳତାକୁ ଲୁଚେଇବାକୁ ଦିନକୁ ଦିନ ଅଧିକରୁ ଅଧିକ ନିସ୍ପୃହ ହୋଇପଡୁଛି ।


ଏସବୁ କଥା ବାସନ୍ତୀ ହୃଦୟଙ୍ଗମ କରିପାରୁଛି । ମାତ୍ର ଏବେ ଆଉ ତାକୁ ସୁବଳ ପାଇଁ ଦୁଃଖ ନୁହେଁ, ବରଂ ଅଧିକରୁ ଅଧିକ ରାଗ ମାଡୁଛି । ତାକୁ ବାଟକୁ ଫେରେଇ ଆଣିବାର ଆଗ୍ରହ ଆସୁନି । ଏମିତି ବି ତାକୁ ଆଉ କିଛି ଫରକ ପଡୁନି ତା’ ନିସ୍ପୃହତାର .. ଅବା ଅମଣିଷ ପଣିଆର ! ତେଣୁ ବହୁତ ଭାବିଚନ୍ତି ସେ ସ୍ଥିର କରିନେଇଛି ଏଠୁ ସେ ଚାଲିଯିବାଟା ଉଭୟଙ୍କ ପାଇଁ ସବୁ ଦିଗରୁ ଠିକ୍ ହେବ । ଏଇ ଶୁଭକାମଟା ଆଜି ସାରଦେଲେ ଭଲ ହେବ ! ଆଜି ହିଁ ଏକାଠି ହୋଇଥିଲେ, ଆଉ ଆଜି ହିଁ ଅଲଗା ହେଇଯିବେ ! ଏଇ କିଛି ଦିନର ସ୍ମୃତିକୁ ମନରୁ ପୋଛିଦେଇ ପୁଣି ଥରେ ନୂଆ କରି ନିଜ ନିଜର ଜୀବନ ନିଜ ହିସାବରେ ଆରମ୍ଭ କରିବେ ଉଭୟ। କଷ୍ଟ ତ ଲାଗିବ .. ପାଞ୍ଚ ବର୍ଷରୁ ଅଭ୍ୟାସ ପଡି ଯାଇଥିବା ଜୀବନରୁ ବାହାରିଯାଇ ସବୁକିଛିକୁ ଆଉ ଥରେ ଆରମ୍ଭ କରିବାକୁ ଦୁଃଖ ବି ଲାଗିବ କିଛି ଦିନ ଯାଏଁ। ପୁଣି ସବୁକିଛି ଧାରାରେ ପଡିଯିବ ନିଶ୍ଚୟ । ଆଉ ସେତିକି ପାଇଁ ଆଜି ଯେମିତି ହେଉ ସେ ସାହାସ କରିବ ।


ଦରଜାର ତାଲା ଖୋଲି ଭିତରେ ପାଦ ଥୋଉ ଥୋଉ ବିଜୁଳିର ଶକ୍ତ ଝଟକା ଖାଇ ଦୁଇ ପାଦ ପଛକୁ ଫେରିଆସିଲା ବାସନ୍ତୀ । ଚମକି ପଡି ପୁଣି ଥରେ ଆଖି ମଳି ମଳି ଭିତରର ଦୃଶ୍ୟ ଦେଖୁ ଦେଖୁ ନିଜକୁ ଚିମୁଟିକି ପରୀକ୍ଷା କିରନେଲା ଯେ ଯାହା ତା’ ଆଖି ଦେଖୁଛି ସେସବୁ ବାସ୍ତବ ନା ସତ୍ୟ ! .. ଆଖି ଆଗରେ ତା’ ଭଙ୍ଗାତୁଟା ଘରର ଏକ ସୁନ୍ଦର ସଜଡା ରୂପ .. ଝିଲିମିଲି ଆଲୋକମାଳାରେ ସଜାହେଇ ଖୁବ୍ ଆକର୍ଷଣୀୟ ଲାଗୁଛି । ଛୋଟିଆ ଟେବୁଲ୍ ଉପରେ ଥୁଆ ହେଇଛି ଗୋଟିଏ କୁନି କେକ୍ ଆଉ ତା’ ପାଖରେ ପାଞ୍ଚଟି ବଡ ବଡ ଜଳନ୍ତା ମହମବତୀ । ତା’ ସେପାଖକୁ ସତେଜ ନାଲି ଗୋଲାପର ଛୋଟ ଏକ ତୋଡା ଆଉ ରଙ୍ଗୀନ ନାଲି କାଗଜରେ ଗୁଡା ବଡ ଡବାଟେ । ଘରସାରା ଅତରର ମଧୁର ମୋହକ ବାସ୍ନା ସହିତ ଚାଇନିଜ୍ ଖାଦ୍ୟର ଅପୂର୍ବ ସୁଗନ୍ଧ !


ମୋହମୁଗ୍ଧ ବାସନ୍ତୀ ନିଜ ଅଜାଣତରେ କେତେବେଳେ ଭିତରକୁ ଚାଲିଯାଇଥିଲା, ଟେବୁଲ୍ ଉପରେ ରଖାଯାଇଥିବା ସମସ୍ତ ଜିନିଷ ଉପରେ ହାତବୁଲେଇ ଆଣି ନାଲି କାଗଜ ଗୁଡା ଡବାକୁ ଖୋଲି ସାରିଥିଲା, ତା’ର ହେତୁ ନଥିଲା । ସେଇ ସମ୍ମୋହିତ ଅବସ୍ଥାରେ ହି ଡବା ଭିତରୁ କାଢି ଆଣିଥିଲା ସୁଦର ଶାଢିଟିକୁ ଆଉ ଅନନ୍ୟ ଆବେଗରେ ଗୁଡେଇ ପକେଇଥିଲା ନିଜ ଦେହ ଉପରେ । ଆଜି ବହୁତ ବର୍ଷ ପରି ସେ ନିଜକୁ ଦେଖିଥିଲା ଦର୍ପଣରେ । ଧୂଳି ଜମି ଯାଇଥିବା ଦର୍ପଣରେ ଶାଢିକୁ ପାଇବାର ଖୁସି ଝାପସା ଦୃଶ୍ୟ ହେଲାରୁ ପଣତରେ ପୋଛି ପକେଇଲା । ସବୁକିଛି ପୁଣି ସ୍ପଷ୍ଟ ଦେଖାଗଲା – ସେ ବି, ଆଉ ଦରଜା ପାଖରେ ଠିଆହୋଇ ତାକୁ ମୁଗ୍ଧ ଦୃଷ୍ଟିରେ ଚାହିଁ ରହିଥିବା ତା’ର ପ୍ରେମିକ ସୁବଳ ବି ! 


ଏବେ ବି ସେ ଆଖିରେ ପ୍ରେମର ସେତିକି ଅଞ୍ଜନ .. ଏବେ ବି ସେ କଣ୍ଠରେ ଅକ୍ଷୟ ମହାନ୍ତିଙ୍କ ଗୀତର ଗୁଞ୍ଜନ ! କୋଉଠି କିଛି ବି ତ ବଦଳି ନାହିଁ ଟିକେ ! ତା’ହେଲେ ସେ କାହିଁକି ଭାବୁଥିଲା ସବୁ ସରିଗଲା ବୋଲି ! କାହିଁକି ଭଲ ପାଇବାର ଏଇ ସୁନ୍ଦର ସଂପର୍କ ତା’ ପାଇଁ ବୋଝ ଲାଗୁଥିଲା ? କାହିଁକି ଛାଡିଯିବାର ଦୃଢ ସଂକଳ୍ପ ନେଇ ଆଜି ସେ ଘରକୁ ଫେରିଥିଲା ? ସତରେ କ’ଣ ଏ ସଂପର୍କର ଅନ୍ତ ଅଛି ?


ବୁଲି ଚାହିଁଲା ସେ ସୁବଳକୁ । ଧାର ଧାର ଲୁହ ଗଡି ଛାତି ଓଦା କରିଦେଉଥିଲା । ଥର ଥର ହୋଇ କମ୍ପୁଥିଲା ଓଠ । ଭାବନାର ଢେଉ କୂଳ ଲଙ୍ଘୁଥିଲା । କିନ୍ତୁ କେହି କିଛି କହି ପାରୁନଥିଲେ .. କହିବାକୁ ଚାହୁଁ ହି ନଥିଲେ । କେବଳ ପରସ୍ପରର ହୃଦୟର ଗତିକୁ ଶୁଣୁ ଶୁଣୁ ନିଜକୁ ନିଜେ ହି କହୁଥିଲେ – ଦର୍ପଣ ଉପରୁ ଧୂଳି ଝାଡିଲା ପରି କେବେ କେବେ ସଂପର୍କ ଉପରୁ ଧୂଳି ଝାଡିଲେ ହି ତା’ ଭିତରର ପ୍ରକୃତ ଦୃଶ୍ୟକୁ ସ୍ପଷ୍ଟ ଦେଖିହୁଏ, ଯାହା ସେମାନେ ଆଜି କରିଦେଇଛନ୍ତି .. ଆଉ କରୁଥିବେ ସାରା ଜୀବନ ନିଜ ପ୍ରେମକୁ ଅକ୍ଷୟ ଅଜର କରିବା ପାଇଁ !!



Rate this content
Log in

Similar oriya story from Tragedy