Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ABhimanyu Panda

Others Fantasy

3  

ABhimanyu Panda

Others Fantasy

ଦାସ ର ଦାସ

ଦାସ ର ଦାସ

6 mins
468



ଦୁଷ୍ମନ୍ତ ମୋର ଅତି ଘନିଷ୍ଠ ବନ୍ଧୁ । ବନ୍ଧୁ ନୁହେଁ ତ ଭାଇ ,ଶୁଭଚିନ୍ତକ କହିଲେ ଅତ୍ୟୁକ୍ତି ହେବନାହିଁ । ଘରେ ଖାଇ ଉଭୟେ ଉଭୟଙ୍କ ପାଖରେ ମୁହଁ ଧୋଇ ବାକୁ ଆସୁ । ସମୟ ବିତିଗଲାଣି ଆମେ ନିଜ ନିଜ କର୍ମ ଜଞ୍ଜାଳ ଓ ସଂସାର ମାୟାରେ ଛନ୍ଦି ହେଇଗଲୁଣି । ତଥାପି ଆମ ଜୀବନରେ ଉଭୟଙ୍କ ମହତ୍ୱକୁ ଆମେ ଉଣା ହବାକୁ ଦେଇନୁ ।


          ଦୁହେଁ ଏକା ଦିନରେ ପାନ ଖାଇବା ଆରମ୍ଭ କଲୁ ଯୌବନର ଆଗମନରେ ଦୁହେଁ ସାଥି ହେଇ ଝିଅମାନଙ୍କୁ କମେଣ୍ଟ କରିବାକୁ ଯାଉ । ଘର ବାହାରେ ଭୋଜି ତ ସବୁଦିନ ଚାଲୁଥିଲା । ଜଣକୁ ଆଘାତ ଲାଗିଲେ ଅନ୍ୟଜଣକୁ କଷ୍ଟ ହେଉଥିଲା । ଏବେବି ସେଇଆ । 


        ମୋ ବନ୍ଧୁ ଦୁଷ୍ମନ୍ତର ବାପା ଜଣେ ସାଧାରଣ ସରକାରୀ କର୍ମଚାରୀ । ଦୁଷ୍ମନ୍ତ ତାର ବଡ଼ଭଉଣୀ ଆଉ ତା ମା ଏମିତି ଚାରି ପ୍ରାଣୀର ଛୋଟ ଆଉ ସୁଖି ସଂସାର ତାଙ୍କର । ଏଭିତରେ ଏମିତି ଏକ ଘଟଣା ଘଟିଲା ଯାହାକି ଆମ ଦୁହିଁଙ୍କର ଜୀବନର ଗତିପଥ ବଦଳେଇ ଦେଇଥିଲା । ଜୀବନକୁ ଜାଣିବାର ଏକ ସୁକ୍ଷ୍ମ ଦିଗକୁ ଆମେ ଦୁହେଁ କିଞ୍ଚିତେ ଅନୁଭବ କରିଥିଲୁ । 


       ଘଟଣାଟି ଏମିତି - ଦିନେ ଅଧରାତିରେ ଆମେ ଦୁହେଁ ଶୋଇଥିବା ଗୋଟେ ବାହାରିଆ ଘର ବାହାରେ ବଡ଼ବୋଉ(ଦୁଷ୍ମନ୍ତର ବୋଉ) ଅତି ବ୍ୟତିବ୍ୟସ୍ତ ହେଇ ଜୋର ଜୋରରେ କବାଟ ବାଡ଼େଇ ଆମକୁ ଡାକିବାର ଶୁଣିଲୁ । ଦୁହେଁ ଭୋଜି ଖାଇ ପୁରା ନିଶାରେ ଏଇ ଘଡ଼ିଏ ହବ ଶୋଇଥିଲୁ । ତଥାପି ବଡ଼ବୋଉର ସେ ଡାକର ଆବିଳତାରେ ଆମେ ଦୁହେଁ ଛାନିଆରେ ଧଡ଼ପଡ଼ ହେଇ ଉଠି କବାଟ ଖୋଲିଲୁ । ବଡ଼ବୋଉ କାନ୍ଦିକାନ୍ଦି ମୋ ହାତକୁ ଧରି କହିଲେ , ତୋ ଦଦେଇଙ୍କର କଣ ହେଇଯାଇଛି ! ରୁନି (ଦୁଷ୍ମନ୍ତର ବଡ଼ଭଉଣୀ) କୁ ତାଙ୍କ ପାଖରେ ଛାଡ଼ି ଆସିଛି ତମେ ଦୁହେଁ ଜଲଦି ଆସ । ଏତିକି କହି ବଡ଼ବୋଉ ଆଗେ ଆଗେ ଆଉ ଆମେ ଦୁହେଁ ତା ପଛେ ପଛେ । ଘରେ ପହଞ୍ଚି ଦେଖିଲୁ ରୁନି ନାନୀ କାନ୍ଦୁଛି ବଡ଼ବାପାଙ୍କ ମୁଣ୍ଡକୁ ତା କୋଳରେ ଧରି । 


      ବଡ଼ବାପା ନିସ୍ତେଜ ହେଇ ପଡ଼ି ରହିଛନ୍ତି ଅଚଳ ପ୍ରାୟେ । ଲାଗୁଥିଲା ସେ ଆଉ ନାହାଁନ୍ତି ବୋଲି । କିଛି ସମୟର ନିରୀକ୍ଷଣ ପରେ ମୁଁ ଦେଖିଲିକି ବଡ଼ବାପାଙ୍କର ବନ୍ଦଥିବା ଆଖି ଭିତରେ ଡୋଳାଟି ବୁଲିବାର । ଆଉ ଡେରିନକରି ସାଇପଡ଼ିଶା ଆଉ କିଛି ବନ୍ଧୁମାନଙ୍କୁ ଡାକି ତାଙ୍କୁ ଡାକ୍ତରଖାନା ନବାର ବ୍ୟବସ୍ଥା କଲୁ । ସିଧା କଟକ । ରାସ୍ତା ସାରା ବଡ଼ବୋଉର କାନ୍ଦଣା ବନ୍ଦ ହେଉନଥାଏ । ଦୁଷ୍ମନ୍ତ ଓ ମୁଁ ପୁରା ନୀରବ । ଆମେ ବିଶ୍ୱାସ କରିପାରୁନଥିଲୁ ଆଜି ସନ୍ଧ୍ୟାରେ ଯେଉଁ ମଣିଷ ଆମକୁ ସୁଧୁରି ଯିବାକୁ ଦାଣ୍ଡ ମଝିରେ ଖୁବ ଗାଳି କରୁଥିଲେ ସେଇ ଲୋକ କେଇ ଘଣ୍ଟା ଭିତରେ ନିର୍ଜୀବ ପ୍ରାୟ ଆମ ସାମ୍ନାରେ । ଗାଡ଼ିରେ ଗଲାବେଳେ ମୁଁ ମୋ ବାଲ୍ୟବନ୍ଧୁର ଆଖିରେ ଅସହାୟତା ସ୍ପଷ୍ଟ ଦେଖିପାରୁଥିଲି । ତାର ନୀରବତାରେ ମୁଁ ତାର ବ୍ୟସ୍ତତା ,ବିବ୍ରତତାକୁ ବୁଝିପାରୁଥିଲି । ଯାହାହେଉ ଡାକ୍ତରଖାନାରେ ପହଞ୍ଚି ,ଆଶୁ ଚିକିତ୍ସା ବିଭାଗରେ ଦାଖିଲା ମିଳିଗଲା ଆଉ ତୁରନ୍ତ ଚିକିତ୍ସା ବି ଆରମ୍ଭ ହେଇଗଲା । 

      

   ମୋ ବନ୍ଧୁ ମୋ ଉପରେ ସବୁ ଦାୟିତ୍ୱ ଦେଇ ଦୂରରେ ବସିଥାଏ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଯାହା ଯାହା ଦରକାର ମୁଁ ସବୁ ଯୋଗାଇ ଦେଉଥାଏ  ମୋର ବନ୍ଧୁକୁ ନ ଡାକି । ଏ ଭିତରେ ଦୁଷ୍ମନ୍ତ ଡାକ୍ତରଖାନାରେ ପୂଜା ପାଉଥିବା ଗଣେଶଙ୍କ ମୂର୍ତ୍ତି ସାମ୍ନାରେ ଶୋଇଯାଇଥିଲା । ଡାକ୍ତରଙ୍କ ପାଖରୁ ଆଶ୍ୱାସନା ପାଇବା ପରେ ମୁଁ ବି ଆସି ତାରି ମୁଣ୍ଡ ପାଖରେ ବସିଥାଏ । 


      ଦୁଷ୍ମନ୍ତ ହଠାତ ଉଠିପଡ଼ିଲା ଝାଳରେ ଜୁଡୁବୁଡ଼ୁ ,ଦେହ ବି ଥରୁଥାଏ ତାର । ଏଣେତେଣେ ଚାହୁଁଥାଏ ବୁଲିକି । ମୁଁ ତା କାନ୍ଧରେ ହାତ ରଖି କଣ ହେଲାବୋଲି ପଚାରିଲି ? ମତେ ଦେଖିବା ମାତ୍ରେ ତା ଆଖିରୁ ଧାର ଧାର ଲୁହ ବୋହିଗଲା । ଆରେ କାନ୍ଦୁଛୁ କାହିଁକି ? ଦଦେଇଙ୍କ ଅବସ୍ଥା ସ୍ଥିର ଅଛି । ଡାକ୍ତର କହିଛନ୍ତି ୨/୩ଦିନ ଭିତରେ ଆମେ ତାଙ୍କୁ ଘରକୁ ନେଇଯିବା । ଦୁଷ୍ମନ୍ତ ଆଖିରୁ କିନ୍ତୁ ଲୁହ ଝରିବା ବନ୍ଦ ହେଉନଥିଲା । ବହୁତ ବୁଝେଇଲା ପରେ ଶାନ୍ତ ହେଇ ସେ ଯାହା କହିଲା ମୁଁ ବି ଚକିତ ହେଇଯାଇଥିଲି । 


         ସେ କହିଲା ଜାଣିଛୁ ମୁଁ ଗୋଟେ ସ୍ୱପ୍ନଦେଖିଲି ଏବେ ? କଣ ଦେଖିଲୁ ଦଦେଇତ ଭଲ ଅଛନ୍ତି ? ମୁଁ ଆମ ଗାଁର ଠାକୁରାଣୀ ମଣ୍ଡପରେ ରାଧାକୃଷ୍ଣଙ୍କୁ ଦେଖିଲି ସ୍ୱପ୍ନରେ । ମୁଁ କେଉଁଆଡ଼େ ଯାଉଛି ରାତିପାହିଆସୁଛି  ସେ ସମୟରେ ମୋ ନଜର ଠାକୁରାଣୀ ପହଣ୍ଡ ଉପରେ ପଡ଼ିଲା । ରାଧାକୃଷ୍ଣ ଯୁଗଳ ମୁରତୀ କି ସୁନ୍ଦର ! କିନ୍ତୁ ଟିକେ ବ୍ୟତିକ୍ରମ ଥିଲା । ବ୍ୟତିକ୍ରମ କଣ ବୋଲି ମୁଁ ପଚାରିଲି । ଆମେ ଫଟୋରେ ସାଧାରଣତଃ ବାମରେ କୃଷ୍ଣ ଆଉ ତାଙ୍କ ବାମ ପାଖରେ ରାଧାରାଣୀଙ୍କୁ ଦେଖୁ । ହେଲେ ମୁଁ ଓଲଟା ଦେଖିଲି ପ୍ରଥମେ ରାଧାରାଣୀ ଆଉ ତାଙ୍କ ବାମ ପାଖକୁ ହାତରେ ବଇଁଶୀ ଧରୀ ମୁହଁରେ ମନ୍ଦ ମନ୍ଦ ହସ ଖେଳାଇ ରସରାଜ କୃଷ୍ଣ ଅଛନ୍ତି । 


      ବାସ ଏତିକି ଦେଖିଲୁଟି ?


 ନାଇଁ ନାଇଁ ତାଙ୍କୁ ଦେଖିବା ମାତ୍ରେ ମୁଁ ମୁଣ୍ଡିଆ ମାରି ସେ ଦୁହିଁଙ୍କର ମନୋରମ ରୂପରେ ହଜିଯାଇ ଏକ ଲୟରେ ଚାହିଁ ରହିଲି । କୃଷ୍ଣଚନ୍ଦ୍ରଙ୍କର ଓଠରେ ଲାଗିଥିବା ବଇଁଶୀର ସୁମଧୁର ସ୍ୱରରେ ମୁଁ ବିଲୀନ ହେଇଯାଇଥିଲି । ଆଉ ରାଧାରାଣୀ କଣ ଗୋଟେ ଖାଉଥାନ୍ତି ,ମୁଁ ତାଙ୍କ ଆଡ଼କୁ ମୋର ହାତ ବଢ଼େଇ ଦେଲି । ରାଧାରାଣୀ ମୋ ହାତରେ ସେ ଖାଉଥିବା ଜିନିଷ ରଖି ମୋ ମୁଠାକୁ ବନ୍ଦ କରିଦେଲେ । ଆଉ କହ୍ନେଇକୁ ଚାହିଁ କହିଲେ ଖାଲି ହସୁଥିବ ନା କଣ ? ଏ ପାଗଳାକୁ କିଛି କହିବନି ? ତାଙ୍କ କଥାରେ ମୁରଲୀଧର ମନ୍ଦ ମନ୍ଦ ହସରେ ମତେ ଚାହିଁଲେ ।

   

    ମୁଁ କିନ୍ତୁ ତାଙ୍କ ପଛରେ ଥିବା ଗଛ ଉପରେ ବସିଥିବା ଏକ ବିକଟାଳ ରୂପକୁ ଦେଖି ଭୟରେ ଥରୁଥିଲି । କାଳୀୟ ଦଳନ ଗୋପୀ ମନରଞ୍ଜନ କଳାକାହ୍ନୁ ମୋ ମନ କଥା ଜାଣି ଟିକେ ଆଡ଼ ନଜରରେ ସେ ବିକଟାଳିଆ ରୂପକୁ ଚାହିଁଦେଲେ ଆଉ ସେ ରୂପଟି ନିଆଁରେ ଶୁଖିଲା ପତ୍ର ଜଳିଲା ପରି ଜଳି ପାଉଁଶ ହେଇଗଲା । ପୁଣି ନନ୍ଦନନ୍ଦନ ମୁଖମଣ୍ଡଳରେ ମନ୍ଦ ମନ୍ଦ ହସ ରଖି ମତେ ଚାହିଁ କହିଲେ ଆରେ ଭୟ କାହିଁକି କରୁଛୁ ! ମୁଁ ପରା ପ୍ରତୀକ୍ଷଣରେ ତୋ ପାଖେପାଖେ ଅଛି । 


    ଏତିକି କହି ପୁଣି ବଂଶୀରେ ସୁମଧୁର ତାନ ଦେଇ ରାଧାମୋହନ ମଜ୍ଜି ଗଲେ ,ଜଗତ ମନ ମୋହିବାକୁ । ମୁଁ ସେମିତି ଅପଲକ ନୟନରେ ଚାହିଁ ରହିଥାଏ ସେ ଯୁଗଳମୁରତିକୁ । କିଛି ସମୟପରେ ରାସରାସେଶ୍ୱରୀ  କହ୍ନେଇଙ୍କୁ କହିଲେ ଏବେ ଆମର ଯିବା ସମୟ ଆସିଗଲା ଚାଲ ଯିବା । ସେମାନଙ୍କ ପାଖରୁ ଦୁରେଇବାର ଇଚ୍ଛା ତିଳେମାତ୍ର ବି ମୋର ନଥିଲା । ମୁଁ ବି ବାହାରିଲି ତାଙ୍କ ସାଥିରେ ଜିବାକୁ । ମୋ ବ୍ୟଗ୍ରତାକୁ ପଢ଼ିନେଇ ଯଶୋଦା ନନ୍ଦନ ଅଳ୍ପ ହସି କହିଲେ କୁଆଡ଼େ ବାହାରୁଛୁ ? 


      ଆମେ ଦୁହେଁ ସେ ଅନ୍ୟ ଗାଁ କୁ ଯାଉଛୁ ତୋର ଯେବେବି ଦରକାର ହବ ତୁ ଆସିବୁ ସେ ଗାଁ କୁ । ଆଜି ତୁ ବେଶି ବ୍ୟସ୍ତ ବିବ୍ରତ ଥିଲୁ ବୋଲି ଆମକୁ ଆସିବାକୁ ପଡ଼ିଲା ।


        ଏତିକି କହି ଦୁହେଁ ଚାଲିଗଲେ ମୁଁ ତାଙ୍କ ଯିବା ରାସ୍ତାକୁ ଅପଲକେ ଚାହିଁ ରହିଥାଏ । ରାତି ବି ପାହି ଆସୁଥାଏ  ଆମ ଗାଁର ପୂଜାରୀ ପୋଖରୀକୁ ନିତ୍ୟ କର୍ମ ଲାଗି ଆସି ମତେ ଦେଖି ପଚାରିଲେ ଆରେ ଏଠି କଣ କରୁଛୁ ? କାଲି ରାତିରେ ବେଶି ହେଇଯାଇଥିଲା ବୋଧେ ? 

     ସମସ୍ତେ ଗଲା ପରେ ରାଧାରାଣୀ ମୋ ହାତରେ ରଖିଥିବା ଦ୍ରବ୍ୟକୁ ଦେଖିବାପାଇଁ ମୁଁ ମୁଠା ଖୋଲିଲି । ସେଥିରେ ୫/୬ଟି ଶୁଭ୍ର ଗୋଟି ଅରୁଆ ଚାଉଳର ଦାନା । ମୁଁ ପିନ୍ଧିଥିବା ଧୋତିର କାନିରେ ତାକୁ ବାନ୍ଧି ଯିବାକୁ ବାହାରନ୍ତେ ନିଦ ଭାଙ୍ଗିଗଲା । 


      ଏ ସବୁ କହିବା ଭିତରେ ଦୁଷ୍ମନ୍ତ ଆଖିରୁ ଲୁହ ଝରିବା ବନ୍ଦ ହେଇନଥିଲା । ଅନବରତ ଗଡ଼ି ଚାଲିଥିଲା ଭାବଧାରା । ମୁଁ ବି ତା କଥାରେ ଭାବ ବିହ୍ଵଳ ହେଇପଡ଼ିଥିଲି । ୩ ଦିନ ପରେ ଦଦେଇ ପୂର୍ଣ୍ଣ ସୁସ୍ଥହେଇ ଘରକୁ ଫେରିଲେ । ସମସ୍ତେ ଖୁସି ଆମେ ଦୁହେଁ ବି ବହୁତ ଖୁସି ହେଲେ ଦୁହିଁଙ୍କ ମନରେ ଗୋଟିଏ ଜିଜ୍ଞାସା  ଦେବକୀ ନନ୍ଦନ ଦୁଷ୍ମନ୍ତକୁ ସ୍ୱପ୍ନରେ କହିଥିବା ଠିକଣା ବିଷୟରେ ଜାଣିବାକୁ । ଏମିତି ଅନେକ ଲୋକଙ୍କୁ ଆମେ ସେ ଗାଁ ବିଷୟରେ ପଚାରିଛୁ ହେଲେ କେହି ସଠିକ କହିପାରିନାହାନ୍ତି ସେ କେଉଁ ମନ୍ଦିର । 


       ଆମେ ଦୁହେଁ ସବୁବେଳେ ବୁଲୁଥିଲେବି ,ଆମ ଗାଁ ପାଖରୁ ମାତ୍ର ୪/୫ କିଲୋମିଟର ଦୂରର ସେଇ ଗାଁକୁ ଯାଇ ସେ ଠିକଣାର ସତ୍ୟାସତ୍ୟକୁ ପରଖିବାକୁ ଆମ ପାଖରେ ସମୟ ନଥିଲା । ଦୁଷ୍ମନ୍ତ ଭିତରେ ମୁଁ ସେଇଦିନଠାରୁ ସୁଖଦ ପରିବର୍ତ୍ତନ ପରିଲକ୍ଷିତ କରିଛି । ତାର ପରିବର୍ତ୍ତନରେ ମୋରବି ସକାରାତ୍ମକ ପରିବର୍ତ୍ତନ ହେଇଛି । ଏମିତିରେ ଦୁଇବର୍ଷ ବିତିଗଲା । 


       କଲେଜ ବେଳର ଜଣେ ବନ୍ଧୁଙ୍କୁ ଭେଟିବାକୁ ଆମେ ଥରେ ସନ୍ଧ୍ୟାରେ ସେହି ନିର୍ଦିଷ୍ଟ ଗାଁକୁ ଗଲୁ । ଆମେ ଉଭୟ ଦୁଷ୍ମନ୍ତର ସେ ସ୍ୱପ୍ନ ବିଷୟରେ ପୁରାପୁରି ଭୁଲିଯାଇଥିଲୁ ସେଦିନ । ବନ୍ଧୁକୁ ଭେଟି ଫେରିଲାବେଳେ ହଠାତ ପ୍ରବଳ ବର୍ଷା ହେଲା । ବର୍ଷା ଦାଉରୁ ରକ୍ଷା ପାଇବାକୁ ମଟରସାଇକେଲ ଷ୍ଟାଣ୍ଡ କରି ଆମେ ଗୋଟେ ମନ୍ଦିର ବାରଣ୍ଡାକୁ ଉଠିଗଲୁ । 


    ପକେଟରୁ ରୁମାଲ କାଢ଼ି ପୋଛି ହବା ଭିତରେ ଦୁଷ୍ମନ୍ତ ଉପରେ ମୋର ନଜର ପଡ଼ିଲା । ଆଣ୍ଠୁମାଡ଼ି ହାତ ଯୋଡ଼ି ଅପଲକ ନୟନରେ ମନ୍ଦିରରେ ପୂଜା ପାଉଥିବା ମୂର୍ତ୍ତିକୁ ଚାହିଁ ନିଜ ଆଖି ଲୁହରେ ଭିଜି ଯାଉଥିଲା । 


       ମୁଁ ପୁଣି ପଚାରିଲି ଆରେ କଣ ହେଲା ? ଦୁଷ୍ମନ୍ତ କହିଲା , ଏ ସେଇ ଗାଁ ନା ? ତାର ଏତିକି କଥାରେ ମୋ ମନରେ ଅତୀତର ସେ ଘଟଣାର ପୁନରାବୃତ୍ତି ହେଇଗଲା । 


     ମୁଁ ବି ସେ ମୂର୍ତ୍ତିକୁ ଦେଖି ଭାବବିହ୍ଵଳିତ ହେଇପଡ଼ିଲି । କିନ୍ତୁ ଦୁଷ୍ମନ୍ତ ପରି ନୁହେଁ । ଦୁଷ୍ମନ୍ତ ଅସମ୍ଭାଳ ଥିଲା ,ମୁଁ ତାକୁ ସମ୍ଭାଳିବାକୁ ଚାହୁଁନଥିଲି । ଏମିତି ଲାଗୁଥିଲା ନୈମିଶା ଅରଣ୍ୟର କେଉଁ ଏକ ସିଦ୍ଧ ସାଧୁ ଏ କଳିଯୁଗରେ ଗୋପୀ ହେଇ ଜନ୍ମ ନେଇଛି ମୋ ବନ୍ଧୁ ଦୁଷ୍ମନ୍ତ ରୂପରେ । 


      ଜୀବ ପରମର ସେ ଅପୂର୍ବ ମିଳନକୁ ମୁଁ ଭାଷାରେ ବର୍ଣ୍ଣନା କରିବାକୁ ଅସମର୍ଥ । ଆଉ ସତରେ ଦୁଷ୍ମନ୍ତ ତାର ସ୍ୱପ୍ନ ବିଷୟରେ କହିଲା ବେଳେ ଯେମିତିକା ମନ୍ଦ ମନ୍ଦ ହସର ବର୍ଣ୍ଣନା କରିଥିଲା ସେ ମୂର୍ତ୍ତିରେ ମଦନ ମୋହନଙ୍କ ମାନମୋହକ ହସ ଦେଖିଲାପରେ ମୁଁ ବି ବିମୋହିତ ହେଇଗଲି ସେ ହସରେ । ଆଉ ମମତାର ସାଗର ପରି ଲାଗୁଥିଲା ରାସରାସେଶ୍ୱରୀ ରାଧାରାଣୀଙ୍କ ରୂପ । ମୋ ମନରେ ଏତିକି ଆସୁଥିଲା ,ହେ ମନମୋହନ ସତରେ ତମେ ଅଛ । ମୁଁ ତମର ପଛେ ଦାସ ନହେଲି ନାହିଁ କିନ୍ତୁ ତମ ଦାସ ର ଦାସ ହେଇ ଯେଉଁ ଦିବ୍ୟ ଖୁସି ମୁଁ ଅନୁଭବ କରୁଛି ସେଥିରୁ ମତେ ବଞ୍ଚିତ କରିବ ନାହିଁ । ଏତିକି ଗୁହାରୀ ମୋର ତମ ପାଦତଳେ ।



Rate this content
Log in