Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Golak Bihari Sahoo

Abstract

3  

Golak Bihari Sahoo

Abstract

ଭଗବାନ

ଭଗବାନ

3 mins
7.0K


ଭଗବାନ 

ଗୋଲକ ବିହାରୀ ସାହୁ

          ସେଦିନ ରାତିରେ ସ୍ତ୍ରୀ ଓ ପୁଅ, ଝିଅଙ୍କୁ ନେଇ ବଲାଙ୍ଗୀରରୁ ଏକ ସରକାରୀ ବସରେ ଉଠିଲି । ସରକାରୀ ବସରେ ଯାତ୍ରୀମାନେ ନିଜର ଜିନିଷ ରଖିବା ପାଇଁ ସିଟ୍ ଉପରେ ମୋଟା ତାରଜାଲିର ଥାକ ଥିଲା । ଗୋଟିଏ ଲମ୍ବା ସିଟରେ ଆମେ ତିନିଜଣ ବସିଲୁ । ଅନେକଯାତ୍ରୀ ଗାଡିର ମଝିଭାଗରେ ଠିଆହୋଇଆସୁଥିଲେ । ସେମାନେ ବି ନିଜର ଜିନିଷ, ବ୍ୟାଗ, ବ୍ରିଫ୍ କେଶ ଇତ୍ୟାଦି ଜାଲିଥାକରେ ରଖିବାକୁ ଲାଗିଲେ । ମୁଁ ବାରମ୍ବାର ଉପରକୁ ଅନାଇ ଦେଖୁଥାଏ । ବ୍ୟାଗଗୁଡିକ ଆମ ମୁଣ୍ଡଉପର ଥାକରେ ଠିକ୍ ଭାବେ ରଖାଯାଇଛି କି ନାହିଁ । ଭୟ, କାଳେ ଆମ ମୁଣ୍ଡଉପରେ ପଡିଯାଇପାରେ । ବଲାଙ୍ଗୀରରୁ ନୟାଗଡ଼ ରାସ୍ତା ସେତେ ଭଲନଥିଲା । ପାହାଡ଼, ଜଙ୍ଗଲ ମଧ୍ୟରେ ରାସ୍ତା ଅଙ୍କାବଙ୍କା ଓ ଉଚ୍ଚାନିଚ୍ଚା । ମୋଡଗୁଡିକରେ ଡ୍ରାଇଭରକୁ ସତର୍କତାର ସହିତ ଚଳାଇବାକୁ ହେଉଥିଲା । 

          ଗାଡି ଚାଲିଲା । ଡ୍ରାଇଭର ଗାଡି ଭିତର ଆଲୁଅ ସବୁକୁ ଲିଭାଇ ଦେଲେ । ପିଲାମାନେ ସିଟ୍ ରେ ବସି ଶୋଇପଡିଲେ । ମୋର ଆଖି ବି ବନ୍ଦ ହୋଇଆସିଲା । ରାତି ପ୍ରାୟ ଗୋଟାଏବେଳେ ଏକ ଶବ୍ଦ ହେବାରୁ ମୋ ନିଦ ଭାଙ୍ଗିଗଲା । ଦେଖିଲି, ଉପରଥାକରୁ ଗୋଟିଏ ବ୍ରିଫ୍ କେଶ ମୋ ମୁଣ୍ଡ ଉପରେ ପଡି ମୋ ମୁଣ୍ଡ ଫାଟି ରକ୍ତର ସୁଅ ଛୁଟିଛି । ମୁଁ ଚିତ୍କାର କରିବାରୁ ଡ୍ରାଇଭର ଆଲୁଅ ଜଲାଇଲା । ମୋ ପିନ୍ଧିଥିବା ସାର୍ଟଟି ରକ୍ତରେ ଜୁଡୁବୁଡୁ । କପାଳଫାଟି ରକ୍ତବୋହି ଗାଡି ସିଟ୍ ଭିଜିଗଲାଣି । ମୁଁ ଆଙ୍ଗୁଠିଟିପରେ କ୍ଷତ ଜାଗାକୁ ଚିପି ଧରିଲେ ବି ରକ୍ତ ବୋହିବା ବନ୍ଦହେଉନି । ମୋ ସ୍ତ୍ରୀ ରକ୍ତସ୍ରାବ ଦେଖି ଛାନିଆରେ ଥରିବାକୁ ଲାଗିଲାଣି । ପୁଅ, ଝିଅ ମୋ ଅବସ୍ଥା ଦେଖି ଭୟଭୀତ । ପାଖରେ ଠିଆ ହୋଇଥିବା ଜଣେ ଯାତ୍ରୀ ତାଙ୍କର ପଡିଯାଇଥିବା ବ୍ରିଫ୍ କେଶକୁ ଗୋଟେଇ ନେଇ କିଛି ନ ଜାଣିବାର ଅଭିନୟ କରୁଛନ୍ତି । କେତେକ ଯାତ୍ରୀ ବ୍ରିଫ୍ କେଶ ଠିକ୍ ଭାବେ ନରଖିଥିବା ଯାତ୍ରୀଙ୍କୁ ଗାଲି ଗୁଲଜ କରିବା ଆରମ୍ଭକଲେଣି । କଣ୍ଡକ୍ଟରକୁ ଗାଡିର ଫାଷ୍ଟଏଡ୍ ବକ୍ସ ଆଣିବାକୁ କହିବାରୁ ସେ କହିଲା- "ଆମ ସରକାରୀ ବସରେ ଫାଷ୍ଟଏଡ୍ ବକ୍ସ ନାହିଁ ।" ଲୋକଙ୍କର ହାହୁଲ୍ଲା ଶବ୍ଦ ଶୁଣି ଗାଡି ଠିଆହୋଇଗଲାଣି । କଣ୍ଡକ୍ଟର ମୋ ଅବସ୍ଥା ଦେଖି ନିରୁପାୟ । ଜଣେ ସହଯାତ୍ରୀ କହିଲେ- "ଆଉ ୩/୪ କି.ମି. ପରେ ଗୋଟିଏ ଗାଁ ପଡିବ । ସେଠାରେ ଗୋଟିଏ ହୋମିଓପାଥି କ୍ଲିନିକ ଅଛି । ସେ କିଛି ସାହାଯ୍ୟ କରି ପାରିବ କି ନାହିଁ ମୁଁ ଜାଣିନି । 

 

          ମୋ ଦେହରୁ ଅତ୍ୟଧିକ ରକ୍ତସ୍ରାବ ହେବାଯୋଗୁଁ  ମୁଁ ଥରିବାକୁ ଲାଗିଲାଣି । ଏହି ସମୟରେ ବସର ଜଣେ ସହଯାତ୍ରୀ ମୋ ପାଖକୁ ଆସି ମୋର ରକ୍ତଭିଜା ସାର୍ଟ ଖୋଲି ରଖିଲେ ଏବଂ କ୍ଷତ ସ୍ଥାନରେ ମୋ ପକେଟରୁ ରୁମାଲ ନେଇ ଚିପି ଧରିଲେ । ରକ୍ତସ୍ରାବ ବନ୍ଦ ହେବାର ନାଁ ନେଉନି । ସେ କହିଲେ- "ଧମନୀ କଟି ଯାଇଛି । ତେଣୁ ସିଲାଇ ନ କଲେ ରକ୍ତସ୍ରାବ ବନ୍ଦ ହେବନି ।" ମୋତେ ଆଶ୍ଵାସନା ଦେଇ କହିଲେ- "ତୁମେ ଧୈର୍ଯ୍ୟ ଧର । ମୁଁ ଜଣେ ଡାକ୍ତର ।" ମୋ ମନରେ ଟିକିଏ ସାହସ ଓ ବିଶ୍ଵାସ ଉଦ୍ରେକ ହେଲା । ମୁଁ ଈଶ୍ଵରଙ୍କୁ ମନେମନେ କୃତଜ୍ଞତା ଜଣାଇଲି । ୫ମିନିଟ୍ ପରେ ପାଖରେ ଥିବା ଗାଁରେ ଗାଡି ଲାଗିଲା । ଡାକ୍ତରବାବୁ ମୋହାତ ଧରି ହୋମିଓପାଥି କ୍ଲିନିକ ପାଖକୁ ନେଲେ । ମୁଁ ସିଧା ଚାଲି ପାରୁନଥାଏ। ମୁଣ୍ଡ ବୁଲାଇ ହେଉଥାଏ । ଗୋଡ ଇଆଡେସିଆଡେ ପଡୁଥାଏ । ଡାକ୍ତର କହିଲେ- "ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ବ୍ଲଡ୍ ପ୍ରେସର କମିଯାଇଛି । ଧୈର୍ଯ୍ୟ ଧର ।" ରାତି ଘ୧.୩୦ ମିନିଟ୍ । କ୍ଲିନିକ କବାଟ ବାଡେଇବାରୁ ବୃଦ୍ଧ ହୋମିଓପାଥି ଡାକ୍ତର ଆସିଲେ ଏବଂ କହିଲେ- "ମୋ ପାଖରେ ସିଲାଇ କରିବାକୁ ଛୁଞ୍ଚି ଓ ସୂତା ଅଛି, କିନ୍ତୁ ଏଭଳି କ୍ଷତକୁ ମୁଁ ସିଲାଇ କରିପାରିବିନାହିଁ । ରୋଗୀକୁ ଶୀଘ୍ର ନୟାଗଡ଼ ନେଇ ଯାଆନ୍ତୁ ।" ଗାଡିରେ ଯାତ୍ରାକରୁଥିବା ଡାକ୍ତର ଜଣକ କହିଲେ- "ମୁଁ ଜଣେ ଏମ୍. ବି. ବି. ଏସ୍. ଡାକ୍ତର । ଆପଣ ମୋତେ ଛୁଞ୍ଚିସୂତା ଦିଅନ୍ତୁ । ମୁଁ ସିଲାଇ କରିଦେବି।"

          ସେମାନେ ମୋତେ ଟେକିନେଇ କ୍ଲିନିକ ବେଞ୍ଚରେ ଶୁଆଇଦେଲେ । ଡାକ୍ତରବାବୁ ମୋ କ୍ଷତକୁ ଯତ୍ନର ସହ ସିଲାଇ କଲାପରେ ରକ୍ତସ୍ରାବ ବନ୍ଦ ହେଲା । ସେତେବେଳକୁ ମୋ ଆଖିରୁ କୃତଜ୍ଞତାର ଅଶ୍ରୁ ଝରିବାକୁ ଲାଗିଲାଣି । ମୁଁ ଡାକ୍ତରବାବୁଙ୍କୁ ତାଙ୍କ ନାମ ପଚାରିବାରୁ ସେ କହିଲେ- "ମୋର ନାମ ଡାକ୍ତର ଭଗବାନ ସାହୁ । ମୁଁ ବୌଦ ହସ୍ପିଟାଲର ଡାକ୍ତର ।" ମୁଁ ତାଙ୍କର ହାତ ଦୁଇଟି ଧରି କୃତଜ୍ଞତା ପ୍ରକାଶ କରି କହିଲି- "ଆପଣ ଆଜି ମୋ ପାଖରେ ନଥିଲେ, ହୁଏତ ମୁଁ ଏ ଦୁନିଆରେ ଆଉ ନଥାନ୍ତି । ଆପଣ ମୋତେ ନୂଆ ଜୀବନ ଦେଲେ । ଆପଣ ମୋପାଇଁ ଡାକ୍ତର ଭଗବାନ ସାହୁ ନୁହନ୍ତି, ଆପଣ ମୋର ଭଗବାନ।"

 

********** 

 

 

 

 

 

 

 

 

 

 

 

 


Rate this content
Log in

Similar oriya story from Abstract