Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସଙ୍ଗୋପନର ଗପ
ସଙ୍ଗୋପନର ଗପ
★★★★★

© Soumya Shubhadarshinee

Others

6 Minutes   217    6


Content Ranking

ଦୁଃଖ ବାଣ୍ଟିବାକୁ କାହା ପାଖକୁ ଯିବା ଉଚିତ ? ଆତ୍ମୀୟ , ଅନାତ୍ମୀୟ , ଅପରିଚିତ, ପରିଚିତ ନା' ସହୃଦ । ସେଇ ଲୋକଟା କିନ୍ତୁ ସହଜରେ ମିଳେନି ନୁହେଁ !.........

★★★★★★★

ଦେବୀ ହଠାତ୍ କବାଟରେ ଜୋରରେ ଆଘାତ ଶୁଣି ଆଶ୍ଚର୍ଯ୍ୟ ହେଲା । କଲିଂ ବେଲ୍ ବୋଲି ବସ୍ତୁ ସହ ଅପରିଚିତ ଥିବା ମଣିଷଟା କିଏ ଆଜିର ସମୟରେ ? ସିସି ଟିଭିର ସ୍କ୍ରିନ୍ ଜଣେଇଲା ନିଶାନ୍ତ ଦାସ ଠିଆ ହେଇଛି ବାହାରେ । ଲୋକଟା ତା ' ମିଷ୍ଟର୍ ଙ୍କ ଅଫିସ

ମେଟ୍ । ଆସିଛି ଥରେ ଅଧେ ଘରକୁ । କିନ୍ତୁ ଆଜି କୁଆଡେ ଏତେବେଳେ , ରାତି

ଦଶ'ଟାରେ । ସେ ଜାଣେ ଶ୍ରୀଜିତ ନାହାଁନ୍ତି , କାରଣ ସେ ଅଫିସ ଟୁର୍ ରେ ଯାଇଛନ୍ତି।

ଆଛା କବାଟ ଖୋଲିବାକୁ ତ ହେବ କାରଣ ସେ ଜଣେ ପରିଚିତ ଲୋକ । କିଛି ଦରକାରୀ କାମରେ ଆସିଥିବେ ହୁଏତ । ନା' ଖୋଲିବାର ନୁହେଁ ଏମିତି ରାତିରେ ଏକା ଥିବା ସମୟରେ । ଟିକେ ହଲଚଲ ହେଲା ଦେବୀ ଭିତରେ ଭିତରେ । କିନ୍ତୁ ଏମିତି ଚୁପ ରହି କବାଟ ନଖୋଲିବା ମଧ୍ୟ ଅଭଦ୍ରାମୀ । ତେବେ କବାଟ ଖୋଲି ଦେଖିବା ବରଂ

ଭଲ ।

****************

ଦେବୀ ଭାରି ଡ଼ରକୁଳି ଝିଅଟେ ଥିଲା । ହଁ ହେବା ସ୍ୱାଭାବିକ , କାରଣ ତା' ନିଜ ପୃଥିବୀ

ବଡ଼ କୋଳାହଳମୟ ଥିଲା । ବସନ୍ତପୁର ଗାଁ ଯେଉଁଠି ସବୁ ଘର ସୁନ୍ଦରୀ ନଦୀ କୂଳରେ ।ଲୋକ ସବୁ ଜେଜେ , ଅଜା, ମଉସା , କକା , ନନା , ଜେଜୀ , ଆଈ ଖୁଡି , ମାଉସୀ , ଦେଇ । କୁକୁର ବିଲେଇ ସୁଦ୍ଧା କାଳୁ, ଶଂଖୀ ସେଇ ଗାଁର ଝିଅ ସେ । ତା' ଘରେ ଘରଭର୍ତି ଲୋକ । ଜେଜୀ ,ବଡ଼ ବୋଉ , ସନା କା' , ଦେବ ଭାଇ , ଶୁଭା , ନନା , ବୋଉ ସଭିଏଁ । ଘଡ଼ିଏ ଏକୁଟିଆ ରହିନି ସେ । ସକାଳୁ ରାତି ଯାଏଁ ଗପସପ , ହସଖୁସି , ଖେଳକୁଦ , ସାଙ୍ଗସାଥୀ ଗହଳିରେ ବିତିଥିବା ଜୀବନ , ବାହାଘର ପରେ ସହରର ଏକାକୀ ଜୀବନ ଦେଖି ଡରିବା ସ୍ୱାଭାବିକ ।

ହଁ ଦେବୀର ଘର ବହୁତ ବଡ଼ , ପୂରା ତିନି ହଜାର ସ୍କୋୟାରଫୁଟ୍ ଜମିଉପରେ ତିଆରି ଡୁପ୍ଲେକ୍ସ । ଆଉ ରହିବାକୁ ଦୁଇଟି ମଣିଷ ଦେବୀ ଆଉ ତା' ମିଷ୍ଟର୍ , ବାସ୍ ଆଉ କେହି ନାହିଁ । ସହରରେ ସମ୍ପର୍କ ଯୋଡିବାର କୌଣସି ଆବେଗିକତା ନଥାଏ ତେଣୁ ଦେବୀ ରୁହେ ଏକା ଆଉ ଝୁରେ ନିଜ ଲୋକ

ମାନଙ୍କୁ । ଏକା ରହିବାକୁ ଖୁବ୍ ଡ଼ରେ

ଦେବୀ । ତଳଘରେ ବସି ଉପର ମହଲାରେ କାହାର ପାଦ ଶବ୍ଦ ଶୁଣି ହାଉଳି ଖାଏ । କେବେକେବେ ନିଜ ଛାଇ ଦେଖି ଚମକି ଯାଏ । କାରଣ ତା' ମିଷ୍ଟର୍ ଟୁର୍ ରେ ରହୁନ୍ତି ଅନେକ ସମୟରେ ଆଉ ସେ ରୁହେ ଏକା । ସେ ବିରାଟ ଘରେ ଏକା ବିଲକୁଲ , ଯେମିତି ଆଜି ଅଛି । ଅବଶ୍ୟ ଏବେ ଡରୁନି ଆଉ କିନ୍ତୁ ତଥାପି ଟିକେ ଭୟର ଛିଟା ବାକି ଅଛି ।

**************

ଘର ଭିତରେ ଦେବୀ ଆଉ ବାହାରେ ନିଶାନ୍ତ ଦାସ , ଏଇ ନିର୍ଦ୍ଦିଷ୍ଟ ଘଟଣାଟା ବହୁତ ସମୟ ଧରି ଘଟୁଛି ଯାହା ନିଶ୍ଚିତ ବିରକ୍ତିକର ଲାଗିଲାଣି । ଏବେ କିଛି ପରିବର୍ତ୍ତନ ଲୋଡ଼ା ଯେମିତି ଦେବୀ ଏବେ କବାଟ ଖୋଲୁ ଆଉ ନିଶାନ୍ତ ଦାସ ସହ ମୁହାଁମୁହିଁ ହେଉ । ଏହିପରି ଘଟଣା ଗତିଶୀଳତା ଭିତରେ ନୂଆ ମୋଡ଼ ନେବା ଜରୁରୀ ଖୁବ୍ ।

ନିଶାନ୍ତ ଝଡ଼ ଭଳି ଘର ଭିତରକୁ ପଶି ଆସିଲା । ସେଣ୍ଟର ଟେବଲ ଉପରେ ଥିବା ଲିଟରିକିଆ ପାଣି ବୋତଲରୁ ସବୁ ପାଣି ଢକଢକ ହେଇ ପିଇଲା । ବାପରେ ଏକାଥରକେ ଗୋଟେ ଲିଟର ଶେଷ କରିଦେଲା । ଆଉ ଦୁମ୍ କି ବସିଗଲା ଡନଲପ୍ ଗଦି ଚେୟାର ଉପରେ ।

ଦେବୀ ତାକୁ ଟେରା ହେଇକି ଅନେଇ ଭାବିଲା , ବାହାରେ କ'ଣ ଡହ ଡହ ଖରା ହେଉଛି ? ଏଇଟା କ'ଣ ମଇ ମାସ ?

ସେ ନିରିଖେଇ ଦେଖିଲା , ନା' ଏବେ ରାତି , ପ୍ରବଳ ଡିସେମ୍ବରର ଶୀତ । ତେବେ ନିଶାନ୍ତ ଦାସ ଏମିତି ଶୋଷିଲା କେମିତି ହେଲା ? ...........

ଦେବୀ ମନେ ପକେଇଲା ପ୍ରବଳ ଶୀତ ରାତିରେ କେବେ ଶୋଷ ହୁଏ । ଯେବେ ଭୟଙ୍କର ଭୟ ଗ୍ରାସେ ମଣିଷକୁ । ହଁ ଭୟାର୍ତ୍ତ

ସ୍ଥିତି ସୃଷ୍ଟି କରେ ତୃଷ୍ଣା । ଯେମିତି ୨୦୧୫ ଡିସେମ୍ବର ୨୫ ରାତିରେ ସେ ଶୋଷିଲା ହେଇଯାଇଥିଲା । ହଁ ନିଝୁମ ରାତିରେ ଯେବେ ଶ୍ରୀଜିତ ସହ ଫେରୁ ଥିଲା ଗୋଟେ ବଡ଼ଦିନ ପାର୍ଟି ସାରି । ରାସ୍ତାରେ ଦେଖିଲା ଦୁର୍ଘଟଣା , ଓଃ ! ମରିଗଲା ୨୨ କି ୨୩

ବର୍ଷର ସେଇ ପିଲାଟା । ଟ୍ରକ ଚାପି ଦେଇ ଚାଲିଗଲା । ଛଟପଟ ହେଉଥିବା ରକ୍ତାକ୍ତ ପିଲାଟାକୁ ଦେଖି ଭୟଙ୍କର ଭାବେ ଶେତା ପଡିଯାଇଥିଲା ଦେବୀର ଚେହେରା । ଲାଗିଲା ଯେମିତି ତାଙ୍କ ଉପରେ ଚଢିଯାଇଛି ଟ୍ରକ । ସେଇ ରାତିରେ ଘରକୁ ଫେରି ସେ ବି ପିଇଥିଲା ପାଣି ଢକ ଢକ । ଆଉ ବସିଥିଲା ଠିକ ସେଇ ଗଦି ଉପରେ ନିଶାନ୍ତ ଦାସ

ପରି । ଉଫ୍ ! ନିଶାନ୍ତ ବି ସେମିତି ଭୟରେ ଅଛିକି ?.......

ଦେବୀ ଆଉ ଚୁପ ହେଇ ରହିପରିଲା ନାହିଁ

ପଚାରି ଦେଲା ,'' ନିଶାନ୍ତ କ'ଣ ହେଲା ଏତେ ବ୍ୟସ୍ତ ଲାଗୁଛ ଯେ ? "

ହଠାତ୍ ନିଶାନ୍ତ ଦାସ ଚମକି ପଡିଲା , ଯେମିତି ସିଏ ଗୋଟେ ବିଚିତ୍ର ସ୍ୱର ଶୁଣିନେଇଛି । ଯେମିତି ସିଏ ଆଉ କୋଉ ପୃଥୀବିରେ ଥିଲା ଏବେ ସମ୍ବିତ ଫେରିପାଇଲା । ଲୋକଟା ଭୟଙ୍କର ଭାବେ ଅନ୍ୟମନସ୍କ ! ଏବେ ସେ ଧଡ଼କିନା ବସିବା ଜାଗାରୁ ଉଠିପଡିଲା ଆଉ କହିଲା ,

'' ଦେବୀ ଭାଉଜ ନମସ୍କାର ।''

ଇସ୍ ଏତେ ଶୀଘ୍ର ମନେ ପଡ଼ିଲା ନମସ୍କାର କରିବାକୁ । ବାଃ ! ଭଲ ଭଲ ଡେରିରେ ହେଉ ପଛେ ସଂସ୍କାର ଦେଖେଇଛନ୍ତି । କିନ୍ତୁ ଏମିତି ବ୍ୟତିବ୍ୟସ୍ତ ହେବାର କାରଣ ଏବେବି ଉହ୍ୟ ରହିଛି , ଯାହା ବୁଝିବାକୁ ପ୍ରବଳ ଇଚ୍ଛା ଦେବୀର ।

ଜଣେ ଲୋକ , ଏତେ ରାତିରେ ଆସିଛି , ଶୀତରେ ଥରୁନି ଆହୁରି ଥଣ୍ଡା ପାଣି ପିଉଛି , ଅନ୍ୟମନସ୍କ ଦିଶୁଛି : ଏତକ ଘଟଣା ଲୋକଟାର ଆସିବାର ଅଭିପ୍ରାୟ ବିଷୟରେ ଉତ୍ସୁକତା ବଢ଼େଇବା ପାଇଁ ପର୍ଯ୍ୟାପ୍ତ । ଦେବୀ ଏତେ ବୁଦ୍ଧିମତୀ ନୁହେଁ ଯେ ବୁଝିଯିବ ଲୋକଟାର ଅଭିସନ୍ଧି ତା' ହାଵଭାବରୁ । ତେଣୁ ନିଶାନ୍ତ ଦାସ ନିଜେ କହିବା ଦରକାର ସେ କାହିଁକି ଆସିଛି ।

ଦେବୀ ପୁଣି ପଚାରିଲା , " ନିଶାନ୍ତ କିଛି କାମ ଥିଲା କି ?''

ଏବେ ନିଶାନ୍ତ ଦାସର ପାଳି । ତାକୁ ଉତ୍ତର ଦେବାକୁ ଅଛି । ହଁ , ଏଠି ଆଉ ସାରା ରାତି ବସିବାର ଅଛିକି ? ନୋ ' ଦେବୀ ଭାଉଜ ଏକା , ଶ୍ରୀଜିତ ନାହିଁ । ତାକୁ କହିବାକୁ ହେବ ସେ କାହିଁକି ଆସିଛି ଆଉ ପରେ ଯିବାକୁ ପଡ଼ିବ। କିନ୍ତୁ ନିଶାନ୍ତ କ'ଣ କହିବ । ନା' କିଛି କହିବ ନାହିଁ , ଫେରି ଯିବ । ହେଲେ ଫେରିଯାଅ କ'ଣ ଶାନ୍ତିରେ ରହି ପାରିବ । ବଡ଼ ସହରରେ ନିଜ ଏକାନ୍ତ ଅସହାୟ ମୁହୂର୍ତ୍ତରେ ଦୁଃଖ ବାଣ୍ଟିବାକୁ କେହି ନଥାନ୍ତି । ଖୁବ୍ କଷ୍ଟ ହେଲେ ମଣିଷ କାନ୍ଦିବା ପାଇଁ କାନ୍ଧ ଖୋଜେ । କିନ୍ତୁ ନିର୍ଜୀବ ସହର ସେତକବି ଦିଏନି । କିନ୍ତୁ ଆଜି ନିଶାନ୍ତର ବହୁତ ଜରୁରୀ ଜଣେ ସହୃଦ । ସେ ଚୁପ ରହିଲେ ପାଗଳ ହେଇଯିବ । କାହାକୁ ଗୋଟେ ନିଜ ମନର ବ୍ୟଥା କହିବାକୁ

ହେବ । କହି ଦେଲେ ବାଣ୍ଟି ହେଇଯାଏ

ଦୁଃଖ । ଅଶ୍ୱସ୍ତ ହେଇଯାଏ ମଣିଷର ବିକଳ ମନ । ମିଳିପାରେ କିଛି ସମାଧାନର ରାସ୍ତା ।

ଏତକ ନହେଲେ ଯନ୍ତ୍ରଣାରେ ମରିଯିବ ଆଜି ରାତିରେ ସେ । ମନର ବୋଝ ହାଲ୍କା ହେଇଯିବା ଜରୁରୀ ନ ନହେଲେ ପାଗଳ ହେଇଯିବ ସେ । ବହୁତ ଭାବି ଲାଭ ନାହିଁ ବରଂ ସବୁ କହିଯିବା ଭଲ । କିଛି କାର୍ଯ୍ୟ ଠିକ ଭୁଲ ହିସାବ ବାହାରେ ।

ନିଶାନ୍ତ ଦାସ ହଠାତ୍ କାନ୍ଦିଲା , ଖୁବ୍ ଜୋରରେ କାନ୍ଦିଲା । ଦେବୀର ହାତ ଧରି ଛୋଟ ପିଲା ପରି କାନ୍ଦିଲା । ଦେବୀ ସ୍ଥାଣୁ ହେଇଗଲା , କ'ଣ କରିବ କିଛି ବୁଝି ପାରିଲା ନାହିଁ । ଏମିତି କୌଣସି ପୁରୁଷକୁ କାନ୍ଦିବାର ଦେଖିନି ସେ । ନିଶାନ୍ତ ଦାସ ରାତିରେ ଆସି ଏମିତି କାନ୍ଦିବା ଖୁବ୍ ବିଚିତ୍ର , କହି ମଧ୍ୟ ହେବ କି ସମ୍ପୂର୍ଣ୍ଣ ଅସମ୍ଭବ । କିନ୍ତୁ ଏଇ ବର୍ତ୍ତମାନ ଘଟଣାଟି ଘଟୁଛି , ନିଶାନ୍ତ ଦାସ କାନ୍ଦୁଛି । ରାତିର ଗତି ଦ୍ରୁତ ହେଇ ଏଗାରଟା ଆଡ଼କୁ ଯାଉଛି । ଶ୍ରୀଜିତ ନାହାନ୍ତି , ଦେବୀ ଡ଼ରୁଛି । ଆଉ ନିଶାନ୍ତ ଦାସ ଦେବୀର ହାତ ଧରି କାନ୍ଦୁଛି । ଓଃ ! ଦେବୀ ନିଶାନ୍ତକୁ କେମିତି ବୁଝେଇବ ଜାଣିପାରୁ ନଥିଲା । ସେ କେବଳ ନିଶାନ୍ତ ଦାସକୁ ଅନେଇ ଥିଲା ବୋକି ବୋକି ଆଖିରେ ।

ନିଶାନ୍ତ ଦାସବି କିଛି କହିବାର ଖିଅ ପାଉ ନଥିଲା କେବଳ କାନ୍ଦିବା ଛଡା । ଆଉ ସବୁଠୁ ବିଚିତ୍ର କଥା ହେଲା କାନ୍ଦି କାନ୍ଦି ସେ ଆନନ୍ଦ ପାଉଥିଲା । ଛାତି ଭିତରେ ଜମାଟ ବନ୍ଧା ଦୁଃଖ ଗାଲକୁ ଛୁଇଁ ଓଦା ହେଇଯାଇଥିଲା ସାରା ପୃଥିବୀ । ଦେବୀ ଭାଉଜ ଭିତରେ ନିଜର ଆତ୍ମୀୟ ଜଣେ ମିଳି ସାରିଥିଲେ ଏଇ ନିର୍ଜୀବ ସହରରେ ।

ହଁ ସହରରଟା ମରିସାରିଥିଲା ବେଶ କାଳୁ ଯେବେଠୁ ନିଶାନ୍ତ ଦାସ ସେଇ ଖବର ପାଇଲା । ତା' ନିଜ ପ୍ରେମିକାର ବାହାଘରର

ଖବର । ଲୋରୀ ଏମିତି ବିନା ପ୍ରତିବାଦରେ କେମିତି ଅନ୍ୟର ହେଇଯିବ ? ବୁଝି ପାରୁନଥିଲା ନିଶାନ୍ତ ଦାସ । ଭାରି କଷ୍ଟ ହେଉଥିଲା , ଆଉ ବହୁତ ଇଛା ହେଲା ଜଣେ ପରିଚିତ ମଣିଷ ପାଖରେ ଦୁଃଖ ବାଣ୍ଟିବାକୁ । ଏଇ ଅଚିହ୍ନା ସହରରେ କିଛି ଅଫିସମେଟ୍ ବ୍ୟତୀତ କିଏ ଆଉ ଥିଲେ ନିଜର । ଏଇ ଦେବୀ ଭାଉଜ ଏକମାତ୍ର ମଣିଷ ଯେ ଥିଲେ ଟିକିଏ ସମ୍ବେଦନଶୀଳ ।ଗୋଟେ ପରିଚିତ ସୌହାର୍ଦ୍ଦ୍ୟ ତାଙ୍କ

ପାଖରେ । ତେଣୁ ଏଇଠିକି ଆସିଛି ନିଶାନ୍ତ ଦାସ । ନିଜ ସଙ୍ଗୋପନ କାହାଣୀ ଗପିବାକୁ ଆଉ ଦେବୀ ଭଉଜଙ୍କ ପାଖରେ !...........

ଦେବୀକୁ ଧୀରେ ଧୀରେ ନିଶାନ୍ତ ନିଜ ସାନ ଭାଇ ଭଳି ଦିଶିଲା । ଯେ ଛୁଆ ବେଳେ ଏମିତି ପେନ୍ସିଲ କି ଚକଲେଟ୍ ପାଇଁ କାନ୍ଦୁଥିଲା , ଆଉ ଦେବୀ ତା' ପିଠି ଥାପୁଡ଼େଇ '' ଆରେ କାନ୍ଦନା ସବୁ ଠିକ ହେଇଯିବ " କହି ବୋଧ କରୁଥିଲା ।

ଆଉ ସତକୁ ସତକୁ ସେ ବୁଝି ଯାଉଥିଲା । ଦେବୀ ଠିକ ସେମିତି ନିଶାନ୍ତର ପିଠି ଥାପୁଡ଼େଇ କହିଲା , "ବ୍ୟସ୍ତ ହୁଅନି ସବୁ ଠିକ ହେଇଯିବ ।"........

ସୌମ୍ୟା ଶୁଭଦର୍ଶିନୀ

ଆତ୍ମୀୟ ଅପରିଚିତ ସହୃଦ

Rate the content


Originality
Flow
Language
Cover design

Comments

Post

Some text some message..