ସପନୀର ଜଗନ୍ନାଥ
ସପନୀର ଜଗନ୍ନାଥ
ଦଶବର୍ଷ ହେଲା ପୁରୀ ଯିବ ଯିବ ହେଇ ସପନି ଯାଇପାରୁନି । କାଳିଆର ଡୋର ଲାଗିନି ଭାବି ସପନି ମନ ମାରି ରହିଯାଏ । ହେଲେ ଏଇ କେତେଦିନ ହେଲା ଗେରସ୍ତ ଗଦେଇ କୁ ଉଠେଇ ବସେଇ ଦେଉନି । ସେ ଯେମିତି ହେଲେ ଏସନ ପୁରୀ ଯିବ ହିଁ ଯିବ । ଗଦେଇ ମଧ୍ୟ ଭରସା ଦେଇଛି ,ତାକୁ ପୁରୀ ନେଇ କାଳିଆ ଦର୍ଶନ କରେଇଦବ ।
ସେଦିନ ଦି ଜଣ ଯାକ ସକାଳୁ ସକାଳୁ ବାହାରି ପଡିଲେ । ଅନୁଗୁଳ ପୁରୀ ପାସେଞ୍ଜର ଧରିବାକୁ ହବ ପରା । ଟ୍ରେନ ରେ ବସିବା ସପନି ପାଇଁ ଥିଲା ପ୍ରଥମ । ତା ଖୁସି କହିଲେ ନସରେ ।ଗଦେଇ ଆଗରେ କେତେ କଣ ଗପି ଯାଉଥାଏ ।
ପୁରୀ ରେଳ ଷ୍ଟେସନରେ ପହଞ୍ଚି ସେଠାରୁ ଟାଉନ ବସ ଯୋଗେଁ ଦିନ ୧୧ ଟା ସୁଦ୍ଧା ଶ୍ରୀ ମନ୍ଦିର ପାଖେ ପହଞ୍ଚି ଗଲେ ।
ଅରୁଣସ୍ତମ୍ଭ ଦେଖି ସପନି ଘଡିଏ କାଳ ଅନେଇ ରହିଲା । ଜୁହାର ହେଇ ଆଖିରୁ ପାଣି ପୋଛି ପକେଇଲା ।
ସପନିଟା ଭାରି ସାଦାସିଧା ।ଏତେ ଛନ୍ଦ କପଟ ଭିତରେକୁ ସେ ପଶି ପାରେନା । ଯିଏ ଯାହା କହେ ବିଶ୍ୱାସ କରିଯାଏ ।ଭାରି ନିର୍ମାୟାଟି ।
ବାଇଶି ପାହାଚରେ ମୁଣ୍ଡିଆ ମାରି ମାରି ସପନି ଆଗକୁ ଆଗକୁ ଯାଉଥାଏ । ତାପରେ କଳ୍ପବଟ ମୂଳେ ରହିଯାଇ କଣ ଗୁଡିଏ ଗୁଣୁଗୁଣୁ ହେଇ କହିଗଲା ।ତାପରେ ଆଗକୁ ଦଶ ପନ୍ଦର ପାହୁଣ୍ଡ ଯାଇ କାଳିଆ ଦର୍ଶନ ପାଇଁ ତାକୁ ଧାଡିରେ ଠିଆ ହେବାକୁ ପଡିଲା ।
ଭିଡ ଯେ ଭିଡ କାହିଁ ରେ କଣ ।ହୋହୋ ଘୋଘୋ ଖାଲି ପାଟି ଶୁଭୁଚି । କାହା କଥା କାହାକୁ ଶୁଭୁନି ।ତା ବହୁ ଦିନର ଈପସିତ୍ କାଳିଆ ପାଇଁ ଆଣିଥିବା ଭୋଗ କୁଡୁଆଟିକୁ ଭାରି ଯତ୍ନରେ କାନି ଘୋଡେ଼ଇ ଧରିଛି ସପନି ।
ହଠାତ କଣ ହେଲା କେଜାଣି ସପନିକୁ ଆଗକୁ ଯିବାପାଇଁ ପଣ୍ଡା ମାନେ ସଫା ସଫା ମନା କରିଦେଲେ । କଥା କଣ ବୁଝୁବୁଝୁ କିଏ ଜଣେ ବଡବଡିଆ ଆସୁଛନ୍ତି , ତେଣୁ ସାଧାରଣ ଭକ୍ତଙ୍କ ଭିତରକୁ ଯିବା ମନା ।
ସପନି ଯେତେ କାକୁତିମିନତି କି ନେହୁରା ହେଲେ ମଧ୍ୟ ତା କଥାର କୋୖଣସି ମୂଲ୍ୟ ନଥିଲା ।।ତା ହାତକୁ ଧରି ପଣ୍ଡା ମହାଶୟ ଠେଲି ଠେଲି ପଛକୁ ନେଇଗଲେ ।।
ସପନି କହିଲା , ଗୋସେଇଁ ,ତେମେ ଆପଣ ମୋ କଥା ନ ଶୁଣିଲେ କିଏ ଶୁଣିବ ।ଉତ୍ତର ମିଳିଲା , ଯାଃ ଯାଃ, ଯାହା ପାଖକୁ ଆସିଛୁ ସେଇ ଶୁଣିବ ।
ପଣ୍ଡା କଥା ଶୁଣି ପୂରାପୂରି ଶାନ୍ତ ପଡିଗଲା ସପନି , କହିଲା , ହଉ ଗୋସେଇଁ , ତମରି ତୁଣ୍ଡ ସୁତୁଣ୍ଡ ହେଉ ।
କିଏ ବଡବଡିଆ ବାବୁ ଆସିଲେ କି ଗଲେ ସପନିର ସେ ଆଡକୁ ନିଘା ନାହିଁ । କଳ୍ପବଟ ପାଖରେ ବସି ଅପଲକ ଆଖିରେ ନିଳଚକ୍ର ଆଡ଼କୁ ଚାହିଁ ରହିଛି । ଆଖିରୁ ଧାର ଧାର ଲୁହ ବୋହି ଯାଉଛି ।
ଗଦେଇ କହିଲା , ସପନି ଲୋ ,ଚାଲେ ଆମେ ଘରକୁ ଯିବା । କାଳିଆକୁ ଦେଖିବା ଆମ ଭାଗ୍ୟରେ ନାହିଁ । ମାତ୍ର ସପନି ଯେମିତି ପଥର ପାଲଟିଯାଇଛି । ଉଁ କି ଚୁଁ କିଛି କହିଲାନି ଗଦେଇକୁ ।
ଆଖି ବନ୍ଦ କରି ସପନି ଯୋଡ ହସ୍ତ ହେଇ ସେମିତି ବସିଛି । ହଠାତ କିଏ ତାକୁ ମାଆ ମାଆ ଡାକୁଥିବାର ଶୁଭିଲା । ଚମକି ପଡି ଦେଖିଲା ଗୋଟିଏ ଜୀର୍ଣ୍ଣ ଶୀର୍ଣ ବାଳକ ।ଶ୍ଯାମଳ ରଙ୍ଗ । ଜ୍ୟୋତିହୀନ ନେତ୍ର । ଶୁଖିଲା ମୁହଁ ଉପରେ ଶୁଖି ଯାଇଥିବା ଲୁହ ଦି ଧାର । ଦୁଇ ହାତକୁ ଆଞ୍ଜୁଳା କରି ତା ଆଗରେ ଠିଆ ହେଇଛି ।
ତା ମୂର୍ଖ ବୁଦ୍ଧିରେ ସପନି ସବୁ ବୁଝିଗଲା । ତା ହାତଟି ଧରି ପାଖକୁ ଆଣି ପଚାରିଲା , ପୁଅ ,ତୋ ନାଁ କଣ ? ' ମୋ ନାଁ କାଳିଆ " ।
କାଳିଆ.........କାଳିଆ.......ସପନି ଥରକୁଥର ସେ ନାମକୁ ଉଚ୍ଚାରଣ କଲା ।ତା ଛାତି ଭିତରଟା ଦାଉଁ ଦାଉଁ ହେଲା ।। ସାରା ଜଗତଟା ତାକୁ କାଳିଆମୟ ଦେଖାଗଲା ।
କାଳିଆ କୁ ପାଖକୁ ଆଣି ସପନି ତା ମୁହଁ ପୋଛି ଦେଇ ପଚାରିଲା , ଖାଇବୁ ? କାଳିଆ ମୁଣ୍ଡ ଟୁଙ୍ଗାରି ହଁ କରିବାରୁ ,,ସବୁଯାକ ଭୋଗ ତାକୁ ଖୁଆଇ ଦେଲା ସେ ।
ଗଦେଇ ହାଁ ହାଁ କହି ବାରଣ କଲାବେଳକୁ ସବୁ ଶେଷ । କହିଲା, ତୁ ଏ କଣ କଲୁ ସପନି ? ଠାକୁରଙ୍କ ଭୋଗ ଏ ପିଲାକୁ ଦେଇଦେଲୁ । ଏଇଟା ଭାରି ଅଶୁଭ କଥା ।
ସପନି ହସି ଦେଇ କହିଲା ,ଶୁଭ -ଅଶୁଭ କଥା ମତେ ଜଣାନାହିଁ ।ସେଇ ପରା ଆମ କାଳିଆ ,ଜଗନ୍ନାଥ ,ଜଗା ସବୁ ।
ତାପରେ ଝାଡିଝୁଡି ହେଇ ଉଠି ନିଳଚକ୍ର ଆଡ଼େ ଚାହିଁ କହିଲା , ତମେ ସେଇ ଗମ୍ଭିରା ଭିତରେ କାଠ ପଥର ହେଇ ଥାଅ ଠାକୁରେ । ଜୀଅନ୍ତା ହେଇକି କାଳିଆ ରୂପରେ ମୋ ପାଖରେ ତ ପହଞ୍ଚି ଗଲ । ଏ କାଳିଆ ମୁହଁରେ ଦାନାଟିଏ ଦେଲେ ତମେ କଣ ପାଇବନି ?
****************************************