Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

T.Durga Prasad Rao

Others Thriller

5.0  

T.Durga Prasad Rao

Others Thriller

ଭୁତ ସଙ୍ଗରେ ରାତିଟିଏ

ଭୁତ ସଙ୍ଗରେ ରାତିଟିଏ

5 mins
485


ଭୂତ ସଙ୍ଗରେ ରାତିଟିଏ


ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ମୋର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ। ପ୍ରଥମ ବର୍ଷର ପରୀକ୍ଷା ଫଳାଫଳ ମୋର ପୁରା ଖରାପ। ଓଡ଼ିଆ ମାଧ୍ୟମରୁ ହଠାତ୍ ଇଂରାଜୀ ମାଧ୍ୟମକୁ ଆସିଲା ପରେ ବିଷୟବସ୍ତୁ ବୁଝିବାକୁ ମୋତେ କଷ୍ଟ ହୋଇଥିଲା। ପୁଣି ଗାଁରୁ ଯିବା ଆସିବା କରି ପଢ଼ୁଥିବାରୁ ଦିନର ଅର୍ଦ୍ଧାଧିକ ସମୟ ଯିବା ଆସିବାରେ ହିଁ ନଷ୍ଟ ହେଉଥିଲା। ପରୀକ୍ଷା ଫଳ ଖରାପ ହେଲା ପରେ ବାପାଙ୍କ ମୁଣ୍ଡରେ ଚେତା ପଶିଲା। ମୋତେ ଗାଁରୁ ଛତ୍ରପୁର ଆଣି ଭଡ଼ା ଘରେ ରଖାଇ କୋଚିଂ କରାଇବା କଥା ଚିନ୍ତା କଲେ। ଗାଁ ପିଲା, ମୋ କ୍ଳାସ୍ ମେଟ୍ ସୁଧୀରର ନିଜର ଏକ ଅତିରିକ୍ତ ଘର ଥାଏ ଛତ୍ରପୁରରେ। ସେ ବି ପଢ଼ୁଥାଏ ଛତ୍ରପୁରରେ। ମୁଁ ବିଜ୍ଞାନରେ ଓ ସେ କଳାରେ। ମୁଁ ଛତ୍ରପୁରରେ ରହି ପଢ଼ିବା କଥା ଜାଣିଲା ପରେ ସେ କହିଲା ଆମେ ଦୁହେଁ ଏକାଠି ଆମ ଘରେ ରହିପାରିବା। ସେ ତା ବାପାଙ୍କ ସହ କଥା ହେଲା। ଆମେ ଦୁହେଁ ବ୍ୟାଗ୍ ବ୍ୟାଗେଜ୍ ନେଇ ରହିଲୁ ତାଙ୍କର ରେଳଡବା ସଦୃଶ ଗଞ୍ଜାମ ପ୍ୟାଟେନ୍ ର ଘରେ। ନୂଆ ତିଆରି ପକ୍କା ଛାତ ଘର ଯଦିଓ, ସେ ପର୍ଯ୍ୟନ୍ତ ଘରର ମଝି କବାଟ ଲାଗିନଥାଏ। ସାମ୍ନାରେ ଗ୍ରିଲ୍ ପୁଣି କାଠର ଦୁଇ ଫାଳିଆ କବାଟ। ସବା ଶେଷରେ ପୁଣି ଏକ କାଠର କବାଟ। ପ୍ରଥମ ଦିନ ମହମବତୀରେ କାମ ଚଳିଲା। କାରଣ ସେ ଘରେ ଯେହେତୁ କେହି ରହୁ ନ ଥିଲେ ସେ ପର୍ଯ୍ୟନ୍ତ ତାକୁ ବିଦ୍ୟୁତ୍ କରଣ କରିବାର ଆବଶ୍ୟକତା କେହି ଅନୁଭବ କରିନଥିଲେ। ତା ପରଦିନ ବାପା ନିଜେ ସେଠାକାର ପଡ଼ୋଶୀଙ୍କ ସହ କଥାବାର୍ତ୍ତା କରି ବିଦ୍ୟୁତ୍ ର ବ୍ୟବସ୍ଥା କରିଦେଲେ। ଗୋଟିଏ ଫ୍ୟାନ୍ ଓ ଗୋଟିଏ ଲାଇଟ୍ ଜଳାଇବା ସକାଶେ ଅନୁମତି ଦେଲେ ପଡ଼ୋଶୀ।

ସେଦିନ ଅପରାହ୍ନରେ ବାପା ଓ ମୁଁ ଗଲୁ କୋଚିଂ କ୍ଳାସ୍ ଅଭିମୁଖେ। କୋଚିଂ କ୍ଳାସ୍ ର ପରିଚାଳକ ଥିଲେ ଆମରି ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନର ଡେମୋନ୍ ଷ୍ଟ୍ରେଟର୍ ବିଷୋୟୀ ସାର୍। ବାପାଙ୍କ ଅନୁରୋଧ ଶୁଣିଲା ପରେ ସେ ମୋ ଆଡ଼କୁ ଚାହିଁଲେ। ମୋର ପ୍ରଥମ ବର୍ଷର ପରୀକ୍ଷା ଫଳାଫଳ ଖରାପ ହୋଇଛି, ସେ ବୋଧହୁଏ ଜାଣିଥିଲେ। ଅବଶ୍ୟ ପ୍ରାଣୀବିଜ୍ଞାନ ମୋର ଫୋର୍ଥ୍ ଅପ୍ସନାଲ୍ ଥିଲା। ତାଙ୍କ ସହ ପରିଚୟ ମୋର ଏତେ ନିବିଡ଼ ନ ଥିଲା। କହିଲେ, ଦୁଇବର୍ଷର କୋର୍ସ୍ ଗୋଟିଏ ବର୍ଷରେ ସାରିବା ଖୁବ୍ କଷ୍ଟକର ବ୍ୟାପାର। ତାଛଡ଼ା ଆମେ ତ କେବଳ ଦ୍ବିତୀୟ ବର୍ଷର କୋର୍ସ୍ ହିଁ ପଢ଼ାଇବୁ। ପ୍ରଥମ ବର୍ଷର କୋର୍ସ୍ ନିଜେ ପଢ଼ିବାକୁ ପଡ଼ିବ। ପଢ଼ାରେ ଟିକିଏ ମଧ୍ୟ ଢ଼ିଲା ହେଲେ ଆମ କୋଚିଂ କ୍ଳାସ୍ ବଦନାମ୍ ହେବ। ଆପଣ ପ୍ରଥମ ବର୍ଷରୁ ହିଁ ପୁଅକୁ ଆଣିବାର ଥିଲା। ତଥାପି ଦେଖିବା, ଚେଷ୍ଟା କରିବା। ତାଙ୍କର ଚେଷ୍ଟା କରିବା ବାକ୍ୟଟି ଭାରି ନିରସିଆ ଲାଗୁଥିଲା। ଆମେ ଫେରିଲୁ। ବାପା ମୋ ଆଡ଼େ ଚାହିଁଲେ। ତାଙ୍କର ମୋ ଉପରେ ଅନେକ ଭରସା। ମୁଁ କହିଲି, ତାଙ୍କ କୋଚିଂ କ୍ଳାସ୍ କୁ ଆମେ ବଦନାମ୍ କରିବା ନାହିଁ। ପୁଣି କଲେଜ୍ ଓ କୋଚିଂ କରି ମୁଁ ସମୟ ପାଇବି ନାହିଁ ଦୁଇ ବର୍ଷର କୋର୍ସ୍ ଏକତ୍ର ସାରିବା ପାଇଁ। ମୁଁ କୋଚିଂ କ୍ଳାସ୍ ନ ଯାଇ ନିଜେ ପଢ଼ିବି। ପରିଶ୍ରମ କରିବି। ଆପଣ ନିରାଶ ହୁଅନ୍ତୁ ନାହିଁ। ବାପାଙ୍କ ମୁହଁ ଉଜ୍ଜଳ ଦିଶିଲା। କାରଣ ସେ ଜାଣନ୍ତି ମୁଁ ଥରେ ଯେଉଁ ପ୍ରତିଶୃତି ଦିଏ ନିଶ୍ଚୟ କରି ଦେଖାଏ, ଯେତେ କଷ୍ଟ ହେଉପଛେ। ବହିପତ୍ର, ଗାଇଡ୍ ଯାହା ସବୁ ଆବଶ୍ୟକ, ମୋତେ ଯୋଗାଇ ଦେଇ ସେ ଚାଲିଗଲେ। ରହିଗଲୁ ସୁଧୀର ଓ ମୁଁ।

ସୁଧୀର ଭାରି ମଜାଳିଆ ସାଙ୍ଗ। ତା ସହିତ ସମୟ କେମିତି ବିତିଯାଏ ଜଣା ପଡ଼େ ନାହିଁ। ସକାଳୁ ଆମେ ଯେ ଯାହାର କ୍ଳାସ୍ ଆଟେଣ୍ଡ୍ କରୁ। ପ୍ରାୟ ଚାରିଟା ପାଞ୍ଚଟା ପରେ ହିଁ ଆମ ଦୁହିଁଙ୍କ ଦେଖା ସାକ୍ଷାତ୍ ହୁଏ। ଦୁଇଜଣଙ୍କ ପାଖରେ ଦୁଇଟି ଅଲଗା ଅଲଗା ଚାବିଥାଏ ଘରର। ଯିଏ ଯେତେବେଳେ ଆସିଲେ ବି କୌଣସି ଅସୁବିଧା ହୁଏ ନାହିଁ। ସେଦିନ ସୁଧୀର ଟିକିଏ ଜଲ୍.ଦି ଘରେ ଆସି ପହଞ୍ଚିଲା। ନିଜର ବ୍ୟାଗ୍ ପତ୍ର ସଜାଡ଼ିଲା। ମୁଁ ପଚାରିଲି ବ୍ୟାଗ୍ ସଜାଡୁଛୁ, ଘରକୁ ଯିବୁ ନା କଣ? ସେ କହିଲା ଆସନ୍ତା କାଲି ମୋର କ୍ଳାସ୍ ଛୁଟି। ତେଣୁ ଭାବୁଛି ଘରକୁ ଯାଇ ବୁଲି ଆସିବି। କେବଳ ଗୋଟିଏ ଦିନ। ତୁ ବ୍ୟସ୍ତ ହେବା ଅନାବଶ୍ୟକ। ମୁଁ ଗଲି ଆଉ ଆସିଲି। ପୁଣି ପଚାରିଲା ତୋର ଭୁତ, ପ୍ରେତ ପ୍ରତି ଭୟ ନାହିଁ ତ? ପ୍ରଶ୍ନଟା ଶୁଣି ଦେଇ ମୁଁ ମନ ଭିତରେ ଟିକିଏ ଥରି ଉଠିଲି। ବିଜ୍ଞାନର ଛାତ୍ର ହିସାବରେ ମୋର ଭୁତ ପ୍ରେତରେ ବିଶ୍ୱାସ ନ ଥିଲା। ମୁଁ ବାପାଙ୍କର ଗୋଟିଏ କଥା ମନରେ ଗଣ୍ଠି ବାନ୍ଧି ଚାଲୁଥିଲି, ଯାହା ନ ଦେଖିବ ବେନି ନୟନେ, ପରତେ ନ ଯିବ ଗୁରୁ ବଚନେ। ହେଲେ ତା ପୂର୍ବରୁ ଶୈଶବରେ ଅନେକ ଭୁତ, ପ୍ରେତ ଓ ଚିରଗୁଣୀର କାହାଣୀ ମୁଁ ଶୁଣି ସାରିଥିଲି ମୋ ଜେଜେମାଙ୍କ ଠାରୁ। ଭୟ ଲାଗୁଥିଲେ ମଧ୍ୟ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ମୁଁ ତାଙ୍କଠାରୁ ଭୁତ ଗପ ଶୁଣିବାକୁ ଜିଦ୍ ଧରି ବସୁଥିଲି। ଆଉ ଶୁଣି ସାରିବା ପରେ ତାଙ୍କୁ କୋଳେଇ ଧରି ଶୋଇ ଯାଉଥିଲି। ବିଶ୍ୱାସ ଲାଗୁନଥିଲେ ବି ଛାତି ଭିତରେ କେଉଁଠି ଛୋଟ ଭୟଟିଏ ବସା ବାନ୍ଧି ରହି ଯାଇଥିଲା। ହେଲେ ଚେତନ ମନ ତାକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନ ଥିଲା। ମୁଁ ବେପରାୟ ହୋଇ ପଚାରିଲି, କାହିଁକି ପଚାରିଲୁ? ସେ ହସି ଦେଇ କହିଲା, ସେ କିଛି ନୁହେଁ। ମୁଁ ତାକୁ ଇନ୍.ସିଷ୍ଟ୍ କଲି ଖୋଲି କହିବା ପାଇଁ। ସେ କହିଲା, ଏ ଘରେ ମୋ ଜେଜେମା ତାଙ୍କ ଶେଷ ସମୟରେ ଏକା ରହୁଥିଲେ। ଯେତେ ବାଧ୍ୟ କଲେ ମଧ୍ୟ ଗାଁକୁ ଆମ ପାଖକୁ ଯାଉନଥିଲେ। ତାଙ୍କ ମଲା ପରେ ମଧ୍ୟ ଏ ଘରର ମୋହ ବୋଧେ ସେ ଛାଡ଼ି ପାରିନାହାନ୍ତି। ମରିବାର କିଛି ଦିନ ପର୍ଯ୍ୟନ୍ତ ସାଇ ପଡ଼ୋଶୀ ଏ ଘରୁ ବିଭିନ୍ନ ପ୍ରକାର ଶବ୍ଦ ଶୁଣିବାକୁ ପାଉଥିଲେ। ଯେମିତିକି ରାତି ଅଧରେ କବାଟ ଖଡ଼ ଖଡ଼ ହେବା। କାଠ ପେଟିର ଭିତର ପଟୁ କିଏ ଆବାଜ ଦେଲା ପରି ଠକ୍ ଠକ୍ ହେବା। ସେ କିଛି ଦିନ ଏ ଘରେ କେହି ଶୋଇଲେ ବି ଅନୁଭବ କରୁଥିଲା ଏସବୁ ଶବ୍ଦ। ଛାତ ଉପରେ ଚାଲିବାର ଶବ୍ଦ। ରୋଷେଇଶାଳରେ ବାସନକୁସନର ଟୁଣ୍ ଟାଣ୍ ଶବ୍ଦ। ଏବେ ଆଉ ସେସବୁ ନାହିଁ। ତୁ ଦେଖିଲୁ ନା ଆମେ ଏତେ ଦିନ ଏକାଠି ରହିବା ଭିତରେ କେବେ ମଧ୍ୟ ତାଙ୍କ ଉପସ୍ଥିତି ଅନୁଭବ କରିନାହୁଁ। ମୁଁ ଦୀର୍ଘଶ୍ୱାସଟିଏ ଟାଣି କହିଲି, ଓ... ଏଇ କଥା। ସତେ ଯେମିତି ମୁଁ ମୋଟେ ବିବ୍ରତ ନୁହେଁ, ସେହିପରି ମୁଖଭଙ୍ଗୀ କଲି। ସୁଧୀର ନିଶ୍ଚିନ୍ତ ହୋଇଗଲା। ସେ କିନ୍ତୁ ସତ କହୁଥିଲା କି ମୋତେ ପରୀକ୍ଷା କରୁଥିଲା, ମୁଁ ଜାଣି ପାରିଲି ନାହିଁ। ଅବଶ୍ୟ ସେ ମୋତେ ଭାରି ସମ୍ମାନ କରେ। ତେଣୁ ସେ ଖୁବ୍ ସହଜରେ ମୋ ଆଗରେ ମିଛ କହେ ନାହିଁ। ସୁଧୀର ଚାଲିଗଲା। ମୁଁ କ୍ଷଣିକ ପାଇଁ ଭୁଲିଗଲି ସୁଧୀରର କଥା।

ସନ୍ଧ୍ୟା ଯାଇ ରାତି ହେଲା। ମୁଁ ଖିଆପିଆ ସାରି କବାଟ ଦେଇ ଶୋଇବାର ପ୍ରସ୍ତୁତି କଲି। ସେ ବୟସରେ ମୁଁ ସାଧାରଣତଃ ରାତି ଦଶଟା ଭିତରେ ଶୋଇ ଯାଉଥିଲି। ସେଦିନ କିନ୍ତୁ ଆଉ ନିଦ ହେଲା ନାହିଁ। ମୁଁ ଶୋଇ ରହି ଚାରିଆଡ଼କୁ କନ କନ ହୋଇ ଚାହିଁଲି। ଘରଟା ପୁରା ଫାଙ୍କା। ଲାଇଟ୍ ଜଳି ରହିଛି। ଉଠି ଯାଇ ଝରକା କବାଟ ବନ୍ଦ କରିଦେଲି। ପୁଣି ଥରେ ଗଡ଼ି ପଡ଼ିଲି ବିଛଣା ଉପରେ। ହେଲେ ନିଦ କାହିଁ? କାନ ଦୁଇଟା ସତେ କି ସଜାଗ ହୋଇ ରହିଛନ୍ତି କିଛି ଶୁଣିବା ପାଇଁ। ଆଉ ହୃତ୍ ପିଣ୍ଡଟା ଅନେଇ ବସିଛି କେତେବେଳେ କାନରୁ କିଛି ସନ୍ଦେଶ ପାଇ ଜୋର୍ ରେ ଧଡ଼ପଡ଼ ହେବ। ମୁଁ ଧୀରେ ଧୀରେ ନିଶ୍ୱାସ ପ୍ରଶ୍ୱାସ ନେଉଥିଲି। ଏମିତି କେବେ କୌଣସି ରାତି କେଉଁଠି ଏକା ଶୋଇନାହିଁ। ପ୍ରଥମ ଏକା ଶୋଇବାର ଅନୁଭୁତି ସାଙ୍ଗକୁ ସୁଧୀରର ଜେଜେମା କଥା ରହି ରହି ମନକୁ ଶଙ୍କାକୁଳ କରୁଥାଏ। ମୋର ମନ ହେଉଥାଏ, ଏଇ ଯେମିତି ଛାତ ଉପରେ କେହି ଚାଲିବା ଆରମ୍ଭ କରିବ। ରୋଷେଇଶାଳରୁ ଟୁଣ୍ ଟାଣ୍ ଆବାଜ ଆସି କାନରେ ବାଜିବ। ମୁଁ ଭାବିଲି ଯଦି ବୁଢ଼ୀ ସତରେ ମୋହ ଛାଡ଼ିନଥିବ, ମଝି କବାଟ ନ ଥିବା କାରଣରୁ ରାତି ଅଧରେ ସେ ପଛପଟୁ କି ରୋଷେଇଶାଳରୁ ନିଶ୍ଚୟ ଆସିବ। ସାମ୍ନା କବାଟ ଯେହେତୁ ବନ୍ଦ ଅଛି, ସେ ବାହାରକୁ ଯାଇ ନ ପାରି ଘର ଭିତରେ ଘୁରି ବୁଲିବ ଏବଂ ମୋତେ ପାଇ ମାଡ଼ି ବସିବ। କଣ କରିବି ଭାବୁ ଭାବୁ ମନକୁ ଏକ ଉପାୟ ଆସିଲା। ଏହାକୁ ମୋର ପିଲାଳିଆମି କୁହା ଯାଇପାରେ। ଭାବିଲି, କାଠ କବାଟ ବନ୍ଦ ଥିଲେ ସିନା ସେ ମୋତେ ମାଡ଼ି ବସିବ, ଯଦି ଖୋଲି ଦିଆଯାଏ, ତାହେଲେ ବିନା ବାଧାରେ ସେ ତାର ବାୟବୀୟ ଚେହେରା ନେଇ ଗ୍ରୀଲ୍ କବାଟ ଦେଇ ବାହାରକୁ ଚାଲି ଯାଇପାରିବ। ମୁଁ ଉଠି ତତ୍.କ୍ଷଣାତ୍ ଘରର ସାମ୍ନା କାଠ କବାଟଟି ଖୋଲି ଦେଲି। ବର୍ତ୍ତମାନ ମୁଁ ସୁଧୀରର ଜେଜେମାର ଚଳପ୍ରଚଳରେ ବାଧକ ନୁହଁ। ତେଣୁ ସେ ମୋର ଅନିଷ୍ଟ ପହଞ୍ଚାଇବା କଥା ଆଦୌ ଚାହିଁବ ନାହିଁ। ଆଉ ଆଶ୍ଚର୍ଯ୍ୟର କଥା ତାପରେ ମୋ ମନର ସବୁ ଭୟ ଦୂର ହୋଇଗଲା। ମୁଁ ଅତି ନିଶ୍ଚିନ୍ତରେ ଶୋଇଗଲି ବିଛଣା ଉପରେ ସକାଳ ପର୍ଯ୍ୟନ୍ତ।

ସକାଳେ କଲେଜ୍ ଯାଇ ଦେଖେ କଲେଜ୍ ଛୁଟି। ମୁଁ ମୋର କେରାଏ ଚୁଟିକୁ ଟାଣି ପକାଇଲି ମୋ ନିଜର ମୁର୍ଖାମୀରେ। ଯଦି ସୁଧୀରର କ୍ଳାସ୍ ଛୁଟି ମୋର ବି ତ ଛୁଟି ହେବ। କାରଣ କଲେଜ୍ ତ ଗୋଟିଏ। ମୁଁ ବି ତା ସାଙ୍ଗରେ ଯାଇ ପାରିଥାନ୍ତି ଗାଁକୁ। ଅଯଥା ଭୟାକୁଳ ମନ ନେଇ ମୋତେ ଶୋଇବାକୁ ପଡ଼ିନଥାନ୍ତା ଏକା ଏକା। ରାତିର କଥା ମନକୁ ଆସିଲା ପରେ ମୁଁ ଘରେ ପହଞ୍ଚି ବ୍ୟାଗ୍ ସଜାଡ଼ି ସାଙ୍ଗେ ସାଙ୍ଗେ ବାହାରି ପଡ଼ିଲି ଗାଁ ଅଭିମୁଖେ। ଘରେ ପହଞ୍ଚି ଯେମିତି ମୋ ଅନୁଭୁତି କଥା ସମସ୍ତଙ୍କୁ କହିଲି, ସମସ୍ତେ ପ୍ରଥମେ ଆଶ୍ଚର୍ଯ୍ୟ ହେଲେ, ତାପରେ ବହେ ହସିଲେ। ମାଆ କହିଲେ, ତୋର ଆଉ ଛତ୍ରପୁର ସେ ଘରେ ରହିବା ଦରକାର ନାହିଁ। ଏଇଠୁ ଯିବା ଆସିବା କରି ପାଠପଢ଼।

ଟି.ଦୁର୍ଗା ପ୍ରସାଦ ରାଓ


Rate this content
Log in