Quotes New

Audio

Forum

Read

Contests


Write

Sign in
Wohoo!,
Dear user,
"ବର୍ଷା" ଏକ ଆଶିର୍ବାଦ ନା ଅଭିଶାପ
"ବର୍ଷା" ଏକ ଆଶିର୍ବାଦ ନା ଅଭିଶାପ
★★★★★

© Bijayini Panda

Inspirational Tragedy

6 Minutes   7.5K    21


Content Ranking

ବର୍ଷାର ଗତି ଯେତେ ଯେତେ ବଢୁଥାଏ ରୋଜିର ହୃତସ୍ପନ୍ଦନ ସେତେ ସେତେ କ୍ଷୀପ୍ରତର ହେଉଥାଏ। କେଜାଣି କାହିଁକି ଏ ବର୍ଷା ତାକୁ ଖୁବ ଅସହ୍ୟ ହୋଇପଡେ। ଛାତି ଭିତରଟା ଓଲଟ ପାଲଟ ହୋଇଯାଏ । ଭାବନା ରାଜ୍ୟରେ ଅନେକ ସପନ ବଣିକ ପସରା ମେଲିଦିଅନ୍ତି ,ହେଲେ ମନ ଖୋଜେ ସେହି ସୌଦାଗରକୁ ।

ସେହି ସପନ ବଣିକକୁ, ଯାହା କି ଏ ଜନ୍ମରେ ଆଉ ପ୍ରାପ୍ତି କରି ହେବନାହିଁ ।

ବାଲକୋନି ରେ ବହୁତ ବେଲୁ ଛିଡା ହୋଇଛି ରୋଜି । ବର୍ଷା ର ଛିଟା ଟିକେ ଟିକେ ବାଜି ଉତ୍ତପ୍ତ ଦେହ ଟା କାଳେ ଶୀତଳ ହୋଇଯିବ ସେ ପ୍ରତିକ୍ଷାରେ । କିନ୍ତୁ ଏ କଣ ? ଦେହ ଶୀତଳ ହେବା ପରିବର୍ତ୍ତେ ଶିରା ପ୍ରଶିରା ସବୁ ଉତ୍ତେଜିତ ହୋଇପଡୁଛନ୍ତି । ମନ ବି ଅଣାୟତ୍ତ ପରିସ୍ଥିତିରେ ।

କଣ କରିବ ? କୁଆଡେ ଯିବ ?ବର୍ଷା ର ଗତି ଆସ୍ତେ ଆସ୍ତେ ବଢି ଚାଲିଛି, ବିଜୁଳି ଆଲୁଅ ଆଖିରେ ପଡି ଆଖିଟା ପୁରା ବନ୍ଦ ହେଇ ଯାଉଛି । ଘଡଘଡି ଶବ୍ଦ ରେ ଚତୁର୍ଦିଗ ପ୍ରକମ୍ପିତ ହୋଇ ପଡ଼ିଲା ବେଳେ ରୋଜି ର ହୃତସ୍ପନ୍ଦନ ଟା ଅଟକି ଯାଉଛି ଆଲୋକ ର ପ୍ରଶସ୍ତ ଛାତିରେ । ଭାବନା ରେ ମସଗୁଲ ରୋଜି ।

ଏଇ ଯେମିତି ସବୁକଥା କାଲି ଘଟିଲା ପରି ଲାଗୁଛି । ରୋଜି ଯେତେବେଳେ କଲେଜରେ ପଢୁଥିଲା ସେ ସମୟରେ ଛାତ୍ର ସଂସଦର ସଭାପତି ଥିଲା ଆଲୋକ ତ୍ରିପାଠୀ । ଖୁବ ସୁନ୍ଦର ବଳିଷ୍ଠ ଚେହେରା । ଶ୍ୟାମଳ ହେଲେ ବି ତା'ର ବର୍ଣ୍ଣ ଟା ତା'ର ଶରୀର ଆଉ ଚେହେରାକୁ ବେଶ ଦୀପ୍ତିମନ୍ତ କରେ । କଲେଜ ଯାକର ଝିଅ ଆଲୋକର ପଛପଟେ ହେଲେ ଆଲୋକ ଯେ ରୋଜି ପାଇଁ ପାଗଳ ।

ରୋଜି ପଚାରିଲେ ସେ କୁହେ ଦୁନିଆଁରେ କୋଟି କୋଟି ଲୋକ ଅଛନ୍ତି, ହେଲେ ସେ କୋଟିଏ ଭିତରୁ ଗୋଟିଏ କାହିଁକି ଯେ ଏତେ ଆପଣାର ଲାଗେ ଓ ନିଜର ଦୃଷ୍ଟି ଆକର୍ଷଣ କରେ ସେ ନିଜେ ବି ଜାଣେନା । ମନ ବନ୍ଧା ପଡ଼ିଯାଏ ।

Extra class ସରୁ ସରୁ ଦିନେ 5 ଟା ବାଜିଗଲା କଲେଜରେ।class ରୁ ଯେତେବେଳେ ବାହାରିଲା ରୋଜି, ଦେଖିଲା ଚାରିଆଡେ କଳାବାଦଲରେ ଆକାଶ ଟା ମେଘାଛନ୍ନ, ଏଇ ଯେମିତି ସଂଗେ ସଂଗେ ବର୍ଷା ପଡିଯିବ । ଆଦ୍ୟ ଆଷାଢ଼ ର ପ୍ରଥମ ମୌସୁମୀ ବର୍ଷା କୁ ସମସ୍ତଙ୍କର ଅପେକ୍ଷା ମାତ୍ର ରୋଜି ର ମନ ଚଳଚଂଚଳ !!! ଏବେ କେମିତି ପହଞ୍ଚିବ ସେ ଘରେ !!!!

ହଠାତ ଦଲକାଏ ପବନ ତା ଦେହରେ ପିଟିହେଲା । କିଛି ଚିହ୍ନା ଚିହ୍ନା ପରଫିଉମ ର ବାସ୍ନା । ପରିସ୍ଥିତି କୁ ଜାଣିଲା ପରି ଆଲୋକ ପହଂଚିଯାଇଥିଲା ରୋଜି ପାଖରେ । ଇସାରା ଦେଲା ବାଇକର ପଛପଟେ ବସିବା ପାଇଁ । ରୋଜି ବି ଆଉ କୌଣସି ବାହାନା ନ କରି ବସିପଡ଼ିଲା ବାଇକ ପଛପଟେ । କିଏ କଣ କହିବ, କିଏ ଦେଖିବର ଆଉ ପ୍ରଶ୍ନ ଉଠୁ ନ ଥିଲା ।

ଅଳ୍ପ ଦୂର ଗଲା ପରେ ଆରମ୍ଭ ହୋଇଗଲା ଟୁପ ଟାପ କେତୋଟି ବୁନ୍ଦା । ତା'ପରେ ଦେଖୁ ଦେଖୁ ହଠାତ ବରକୋଳି ପରି କେତୋଟି ବଡ଼ ବଡ଼ ଟୋପା ଆକାଶରୁ ଖସିବାକୁ ଲାଗିଲା । ତା ପରେ ଏତେ ଜୋରରେ ବର୍ଷା ପଡ଼ିବାକୁ ଲାଗିଲା ଯେ ବାଧ୍ୟ ହୋଇ ଦୁହେଁ ଯାକ ଅଟକିଲେ ଗୋଟିଏ ଗଛମୂଳେ । ବର୍ଷାର ବେଗ ବଢିବାକୁ ଲାଗିଲା । ଆସ୍ତେ ଆସ୍ତେ ପାଣି ଛିଞ୍ଚାରୁ ବଂଚିବା ପାଇଁ ଦୁହେଁ ଦୁହିଁଙ୍କର ନିକଟବର୍ତୀ ହୋଇ ଯାଇଥିଲେ । ହଠାତ ଏକ ବିଜୁଳି ଘଡଘଡିରେ ରୋଜି ଜୋରରେ ପାଟି କରି ଆକାଶର ପ୍ରଶସ୍ତ ଛାତିରେ ମୁହଁଟାକୁ ଲୁଚେଇ ନେଇଥିଲା ଆଉ ଆଲୋକ ବୋଧହୁଏ ପ୍ରତୀକ୍ଷା କରିଥିଲା ଏଭଳି ଏକ ପରିସ୍ଥିତିକୁ । ଆଲୋକର ବାହୁ ବନ୍ଧନରେ ନିଜକୁ ନିଜେ ଖୁବ ସୁରକ୍ଷିତ ମଣୁଥିଲା ରୋଜି ।

ଏଭଳି ବର୍ଷାରେ ଭିଜୁଥିବା ଅବସ୍ଥାରେ ବି ଆଲୋକ ର ଶରୀର ର ଉତ୍ତାପରେ ରୋଜି ଦେହରୁ ଗମ ଗମ ଝାଳ ବାହାରୁଥିଲା । ଯୌବନର ଉତ୍ତଳତରଙ୍ଗ ଯେମିତି ତା'ର କାବୁରେ ନ ଥିଲା । ଆସ୍ତେ ଆସ୍ତେ ବର୍ଷା କମି ଆସିଲା । ପ୍ରକୃତିସ୍ଥ ହେଲା ରୋଜି !!! ଆଲୋକ ବି ରୋଜିକୁ ଆଶ୍ଲେସି ନେବାର ଯେଉଁ ଅନୁଭବଟା ଆପଣେଇ ନେଇଥିଲା, ତାହା ବୋଧହୁଏ ପ୍ରେମୀ ଯୁଗଳଙ୍କ ଚିର ସନ୍ତକ ।

କିଛିଦିନ ପରେ ଆଲୋକର ଜିଦରେ ବାପା ପ୍ରସ୍ତାବ ନେଇ ଆସିଲେ ରୋଜି ଘରକୁ । ଆଲୋକ ଏକମାତ୍ର ପୁଅ ଆଉ ଅଚଳାଚଳ ସମ୍ପତ୍ତିର ଅଧିକାରୀ ଥିବାରୁ ରୋଜି ର ବାପା ଯିଏ କି ଏକ ମାମୁଲି ପିଅନ, ଏ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ନ ଥିଲେ । କାରଣ ବିନା ଯୌତୁକରେ ଆଜିକାଲି ଝିଅ ବାହା ଦେବାଟା କିଛି କମ କଥା ନୁହଁ, ସେଇଟା ପୁଣି ତିନି ତିନିଟା ଝିଅର ବାପ !

ଏମିତି ଏକ ସୁନ୍ଦର ସୁନେଲି ସଂସାର ଭିତରେ ଦୁଇବର୍ଷ ଦେଖୁ ଦେଖୁ କଟିଗଲା । ଆଲୋକ ବାପାଙ୍କର ବିଜିନେସ ସମ୍ଭାଳି ବର୍ତମାନ ଏକ ବଡ଼ ବିଜିନେସ ମେନ ହୋଇ ଯାଇଛନ୍ତି । ଶାଶୁ ଶ୍ୱଶୁରଙ୍କ ସ୍ନେହ ପ୍ରେମରେ ଦେଖିଲା ଵାଲା ମନ୍ତବ୍ୟ ଦେଉଥିଲେ ସତରେ, ରୋଜିଟା ଖୁବ ଭାଗ୍ୟବତୀ ।

ମାତ୍ର ରୋଜି ର ମନ ସର୍ବଦା ଦୁଃଖ କାରଣ ଏପର୍ଯ୍ୟନ୍ତ ସେ ଶାଶୁ ଶ୍ୱଶୁର ଙ୍କୁ ନାତି ଟିଏ କି ନାତୁଣୀ ଟିଏ ଦେଇ ପାରିନାହିଁ । ଆକାଶ ଯେତେବେଳେ ଘରକୁ ଫେରନ୍ତି, ପଡୋଶୀ ଘର ର କୁନି ପୁଅ "ବିଟୁ" କେତେ ଖେଳଣା, ଚକଲେଟ ନେଇକି ଆସନ୍ତି । ସତେ ଯେମିତି ତାଙ୍କ ମନ ଖୋଜୁଥାଏ, ଏମିତି ଏକ ଅଝଟିଆ କୁନି ପୁଅ ନିଜ ଘର ଅଗଣାରେ । କିନ୍ତୁ ଆଲୋକ କିଛି ବି କହନ୍ତି ନି ରୋଜି କୁ ।

ଦିନେ ଆଲୋକ ଅଫିସରୁ ଆସିବା ପରେ ହଠାତ ଜିଦ କଲେ ରୋଜି କୁ ଲଙ୍ଗ ଡ୍ରାଇଭ ରେ ଯିବା ପାଇଁ । ଆକାଶ ରେ ମେଘ ଟିକେ ଟିକେ ଘନେଇ ଆସୁଥିଲା ଆଉ ସେ ମେଘ କୁ ଦେଖି ଆଲୋକ ର ଜିଦ, ସେ ପୂର୍ବ ଅନୁଭବ କୁ ଫେରିଯିବା ପାଇଁ । ଶ୍ରାବଣ ମାସ ହେଲେ ବି ଏ ବର୍ଷ ଖୁବ କମ ବର୍ଷା ।

ରୋଜି ଅଳ୍ପ ସମୟ ଭିତରେ ରେଡି ହୋଇଗଲା । ଦୁହେଁ ବାହାରିଲେ । ଆଲୋକ କାର ଡ୍ରାଇଭ କଲାବେଳେ ରୋଜି କାରର ୱିଣ୍ଡୋ ଖୋଲି ବାହାର ର ଦୃଶ୍ୟକୁ ବେଶ ଅନୁଭବ କରୁଥିଲା । ବର୍ଷା ର ଆଗମନୀ ହେତୁ ଚଢ଼େଇ ମାନେ ନିଜ ନିଜ ବସାକୁ ଚୁଁ ଚାଁ କରି ଫେରୁ ଥିଲେ । ଗୋରୁ ଗାଈଙ୍କର ଗତି ମଧ୍ୟ ବଢ଼ୁଥିଲା ଘର ବାହୁଡାକୁ । ଘନ ବାଦଲ ତଳେ ଲୁଚକାଳି ଖେଳ ଖେଳି ସୂର୍ଯ୍ୟ ବି ନଇଁ ଆସୁଥିଲେ ।

ବର୍ଷାର ଟୁପଟାପ ଗୋଟେ ଗୋଟେ ବୁନ୍ଦା ପଡି ମାଟିର ବାସ୍ନା ରେ ବିଭୋର ହୋଇ ଉଠୁଥିଲା ରୋଜି । ଆଉ ରୋଜି ମୁହଁର ଏହି ପ୍ରସନ୍ନତାକୁ ଆଲୋକ ର ଭାରି ଲୋଭ ।

ଠିକ ଏ ସମୟରେ ରୋଜି ଆଲୋକ କୁ କହିଲା ଗାଡି ଟି ଅଟକାଇବା ପାଇଁ । କିଛି ଗୋଟେ ଶବ୍ଦ ତା କାନରେ ବାଜୁଥିଲା । ଦୁହେଁ ବାହାରିଲେ, ଆଉ ଦେଖିଲେ ଗଛ ତଳେ ଗୋଟେ ନବଜାତ ଶିଶୁକନ୍ୟା କପଡା ରେ ଗୁଡା ହୋଇ ପଡିଛି । ଶିଶୁଟି କୁଆଁ କୁଆଁ ରଡି ଛାଡ଼ୁଛି । ରୋଜି ଆଉ ଆଲୋକକୁ ବୁଝିବାକୁ ବିଳମ୍ବ ହେଲାନାହିଁ ଯେ ସେ କେଉଁ ଏକ କୁଆଁରୀ ମାଁ ର ଅବାଂଛିତ ଶିଶୁ କନ୍ୟା ।

ଆଗକୁ ପଛକୁ ନ ବିଚାରି ନେଇ ଆସିଲେ ଶିଶୁ କନ୍ୟାକୁ । ସେଇ ଦିନୁ ସେ ହେଲା ସେ ଗେଲହି "ରିମଝିମ" । ଆଉ ଦାଦା ଆଈ ଙ୍କ "ଶ୍ରାବଣୀ" । ଇତି ମଧ୍ୟରେ ପୁଣି ଦୁଇ ବର୍ଷ କଟିଗଲା । ଚନ୍ଦ୍ର ଉଦିଆଁ ପରି ରିମଝିମ ବଢିବାକୁ ଲାଗିଲା । ଦିନେ ରିମଝିମ ବହୁତ ଜିଦ କଲା ଆଲୋକ କୁ ଅଫିସ ନ ଯିବା ପାଇଁ । ହେଲେ ଅଫିସ ରେ କିଛିଟା ଗୁରୁ ଦାୟିତ୍ୱ ନେଇ ଥିବାରୁ ତାଙ୍କୁ ଯିବାକୁ ପଡିଲା । ଗଲା ବେଳେ ରିମଝିମ ବାପାଙ୍କୁ ଦରୋଟି ଭାଷାରେ ବହୁତ କିଛି ବରାଦ କରିଥିଲା । ଜଲଦି ଆସିବାର ପ୍ରତିଶ୍ରୁତି ଦେଇ ଆଲୋକ ଚାଲିଗଲା ।

ସନ୍ଧ୍ୟା ନଇଁ ଗଲା । ଜହ୍ନ ଆଲୁଅରେ ଚାରିଆଡେ ବେଶ ଫର୍ଚ୍ଛା ଦେଖାଯାଉଥିଲା । ଆଲୋକ ଏ ପର୍ଯ୍ୟନ୍ତ ଫେରି ନାହାନ୍ତି ।

ରିମଝିମ ବି ଅପେକ୍ଷା କରି କରି ଶୋଇ ପଡ଼ିଲାଣି ଆଈ ଙ୍କ ପାଖେ । ରୋଜି ର ମନ କାହିଁକି ଆଜି ଭାରି ବ୍ୟସ୍ତ । କିଛି ସମୟ ପୂର୍ବ ରୁ ଫୋନ କରିଥିଲା ଆଲୋକ ଙ୍କୁ । ସେ କାମ ସାରି ଫେରୁଛନ୍ତି କହିଲେ। ରୋଜି ବାଟ ଚାହିଁ ବସିଛି ।

ହଠାତ ବିନା ବାଦଲ ରେ ମେଘ ଟିଏ ପ୍ରଲୟଙ୍କାରୀ ରୂପ ନେଇ ଦ୍ରୁତ ଗତି ରେ ଧାଇଁ ଆସିଲା । ଘଡଘଡି ବିଜୁଳି ପ୍ରକମ୍ପିତ ହେଲା ଚାରିଆଡେ । ତା ପରେ ଆରମ୍ଭ ହେଲା ବର୍ଷା ।

ଆଜି କାଇଁ ଏ ବର୍ଷା ରୋଜିକୁ ଆଉ ଜମାରୁ ଆନନ୍ଦ ଦେଉନି । ଅଜଣା ଭୟରେ ଛାତି ଭିତରଟା ଫାଟି ପଡୁଛି । ଆଲୋକ ଙ୍କ ଫୋନ ବି ସୁଇଚ ଅଫ।ଯେତେବେଳେ ରାତ୍ରୀର ନିସ୍ତବ୍ଧ ପ୍ରହର ବଢି ଚାଲିଛି ସେତେବେଳେ ରୋଜିର ମନକୁ ପାପ ଛୁଉଁଛି । ଭଗବାନଙ୍କୁ ଡାକି ଡାକି ଶେଷରେ ବର୍ଷା କମିଲା ।

ହଠାତ କଲିଂବେଲର ଆଘାତ ରେ ଚମକି ଉଠିଲା ରୋଜି । କବାଟ ଖୋଲି ଦେଖେ ତ ପୋଲିସ । ନିର୍ବାକ ହୋଇ ଯାଇଥିଲା ରୋଜି । କିଛି ନ କହିବା ପୂର୍ବରୁ ବାହାରି ପଡିଥିଲା ଶଶୁରଙ୍କ ସାଙ୍ଗେ । ଘରେ ରିମଝିମ ଶାଶୁ ମାଁ ଙ୍କ ପାଖରେ ।

ହସ୍ପିଟାଲ ପହଂଚି ଯାହା ସେ ଦେଖିଲା ପାଦ ତଳୁ ମାଟି ଖସି ଯାଉଥିଲା । ଆଲୋକଙ୍କ ରକ୍ତାକ୍ତ ଶରୀର ଧଳା ଚାଦର ରେ ଆଚ୍ଛାଦିତ ହୋଇ ନିସ୍ତେଜ ଭାବେ ପଡିରହିଥିଲା ହସ୍ପିଟାଲ ବେଡ଼ରେ ।

***********************

ହଠାତ ରିମଝିମର ସ୍ପର୍ଶରେ ଚମକି ଉଠିଲା ରୋଜି।କୁନି କୁନି ହାତ ପାପୁଲିରେ ରୋଜି ଗାଲରେ ବୋହି ଯାଉଥିବା ଲୁହ ସବୁ କୁ ଖୁବ ଯତ୍ନ ରେ ସାଉଁଟି ଆଣୁଥିଲା ରିମଝିମ ।

ବାହାରେ ହେଉଥିବା ବର୍ଷା ଆଉ ରୋଜିର ମନ ଭିତରେ ଉଠୁଥିବା ଜୁଆରକୁ ବେଶ ଅନୁଭବ କରି ପାରୁଥିଲା ସତେଯେପରି ।

ରୋଜି ବି ନିଜକୁ ନିଜେ ପର୍ଯ୍ୟାଲୋଚନା କରୁଥିଲା - - - -

ଏଇ ବର୍ଷା ଦିନେ କେତେ ଯେ ଭଲ ଲାଗୁଥିଲା ତାକୁ !!!! ହେଲେ ଆଜି ଦେହ ଆଉ ମନ ରେ ଅଶାନ୍ତ ଜୁଆରଟେ ସୃଷ୍ଟି କରିବା ଛଡା ଆଉ କଣ ଦେଇଛି ତାକୁ !!!!!

ତଥାପି ଅନ୍ତରାତ୍ମା କହୁଥିଲା ବହୁତ କିଛି ହଜାଇବା ଭିତରେ ବହୁତ କିଛି ପାଇଯାଇଛୁ ରୋଜି !!!!!

ଭିତରୁ ରିମଝିମର ଖିଲି ଖିଲି ହସ ଅସ୍ପଷ୍ଟ ଭାବେ ଶୁଭୁଥିଲା ।

ବିଜୟିନୀ ପଣ୍ଡା

ଶିକ୍ଷୟିତ୍ରୀ,

ଝାଡୁଆପଡା, ସମ୍ବଲପୁର

9439893290

ଆଶିର୍ବାଦ ନା' ଅଭିଶାପ ଝିଅ ଶାଶୁ

Rate the content


Originality
Flow
Language
Cover design

Comments

Post

Some text some message..