Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଭିନ୍ନ ଜଣେ ସାବିତ୍ରୀ
ଭିନ୍ନ ଜଣେ ସାବିତ୍ରୀ
★★★★★

© Lopamudra Mishra

Tragedy

6 Minutes   14.2K    23


Content Ranking

ଲୋପାମୁଦ୍ରା ମିଶ୍ର

ମୁଁ ନୂଆ କରି ବାହା ହୋଇ ସ୍ୱାମୀଙ୍କ ସହ କଳାହାଣ୍ଡିରେ ରହୁଥାଏ l କଳାହାଣ୍ଡି ଜିଲ୍ଲାର ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ହଜବ୍ୟାଣ୍ଡ ମେଡିକାଲ ଅଫିସର ଭାବେ କାର୍ଯ୍ୟରତ ଥାନ୍ତି l ଜଙ୍ଗଲ ପାହାଡ ଘେରା ସେହି ସୁନ୍ଦର ପରିବେଶରେ ମୋ ରହଣିର ଅନୁଭୂତି ଥିଲା ଖୁବ ନିଆରା lହସ୍ପିଟାଲ କଲୋନୀର ସରକାରୀ କ୍ୱାର୍ଟର୍ସରେ ଆମେ ରହୁଥାଉ l ସକାଳୁ ଝରକା ଖୋଲିଲେ ହସ୍ପିଟାଲକୁ ଚତୁର୍ପାଶ୍ୱରୁ ଘେରି ରହିଥିବା ସୁନ୍ଦର ପାହାଡର ଅପୂର୍ବ ଦୃଶ୍ୟ ମତେ ବିମୋହିତ କରେ l କଳାହାଣ୍ଡିରେ ଆମେ ଖୁବ କମ ଦିନ ରହିଥିଲୁ l ସେହି ସଂକ୍ଷିପ୍ତ ରହଣିକାଳ ମଧ୍ୟରେ ଅନେକ ଛୋଟ ବଡ ଘଟଣା ମୋର ଅଭୁଲା ସ୍ମୃତି ହୋଇରହିଯାଇଛି l ତନ୍ମଧ୍ୟରୁ ଗୋଟିଏ ଘଟଣା ଆମର ମୂଖିଗୁଡା ଜଗନ୍ନାଥ ମନ୍ଦିର ଦର୍ଶନର କାହାଣୀ l ସେଦିନ ଥାଏ ସାବିତ୍ରୀ ବ୍ରତ ଓଷା l ଆମ ପଡୋଶୀ ନାୟକ ବାବୁ ଆସି ୟାଙ୍କୁ କହିଲେ, "ସାର, ପୂଜା ପାଇଁ ମୂଖିଗୁଡା ଜଗନ୍ନାଥ ମନ୍ଦିର ଫ୍ୟାମିଲି ସହ ଚାଲନ୍ତୁ l ମୁଁ ଵି ମିସେସ ଙ୍କୁ ନେଇ ସେଠିକୁ ଯାଉଛି "l ଇଏ କହିଲେ," ହଁ ପ୍ରସ୍ତାବଟି ମନ୍ଦ ନୁହେଁ l ଇଏ (ମାନେ ମୁଁ ) ସେଠାକୁ ଗଲେ ଇନ୍ଦ୍ରାବତୀ ଡ୍ୟାମ ବି ଦେଖିପାରିବେ l ମନ୍ଦିର ଦେଖା କଦଳୀ ବିକା ଦୁଇଟି ଯାକ କାମ ହେଇପାରିବ "l ମୂଖିଗୁଡାରେ ଏକ ସୁନ୍ଦର ଜଗନ୍ନାଥ ମନ୍ଦିର ଥିବା ସହ ମନ୍ଦିର ଠୁ ଅଳ୍ପ କିଛି ଦୂରରେ ଅଛି ଇନ୍ଦ୍ରାବତୀ ଡ୍ୟାମ ପ୍ରୋଜେକଟ l ମନ୍ଦିର ପୂଜା ସହ ମୁଁ ଇନ୍ଦ୍ରାବତୀ ହାଇଡ୍ରୋ ପାୱାର ଡ୍ୟାମ ପ୍ରୋଜେକଟ ମଧ୍ୟ ଦେଖିପାରିଵି,ସେଥିପାଇଁ ମୁଁ ଖୁବ ଉତ୍ସlହିତ ଥିଲି l ଆମେ ଠିକ ସକାଳ ୮ ଟା ରେ ମୂଖିଗୁଡା ଅଭିମୁଖେ ବାହାରିଲୁ l ଆମ ସହ ମୋ ହଜବ୍ୟାଣ୍ଡଙ୍କର ସହକର୍ମୀ ନାୟକ ବାବୁ ଓ ଅଗରୱାଲ ବାବୁ ନିଜ ନିଜ ପତ୍ନୀ ମାନଙ୍କ ସହ ବାହାରିଲେ l ଆମେ ସେଠି ତିରିଶ ମିନିଟ ଭିତରେ ପହଂଚିଗଲୁ l

ବାସ୍ତବିକ ମନ୍ଦିରଟା ଖୁବ ସୁନ୍ଦର ଥିଲା l ସେହି ଠାରୁ ଡ୍ୟାମର ଦୃଶ୍ୟ ବି ଅଳ୍ପ ଅଳ୍ପ ଦେଖାଯାଉଥିଲା l ମନ୍ଦିର ପରିବେଶ ଥିଲା ଅତୀବ ଶାନ୍ତ ଓ ସୁନ୍ଦର l ନାୟକ ବାବୁଙ୍କ ପତ୍ନୀ ବହୁତ ଧାର୍ମିକା ଓ ଈଶ୍ୱରବିଶ୍ୱାସୀ l ସେ ମନ୍ଦିରର କଳାକୃତି ଏବଂ ମନ୍ଦିର ପରିବେଶର ସୌନ୍ଦର୍ଯ୍ୟ ଦେଖିବାରେ ବେଶୀ ସମୟ ନଷ୍ଟ ନକରି ଶୀଘ୍ର ଦିଅଁ ଦର୍ଶନ କରି ପୂଜାରେ ବସିବାକୁ ଚାହିଁଲେ l ଆମେ ଆଉ ବିଳମ୍ବ ନକରି ପୂଜା ପାଇଁ ଭିତରକୁ ଗଲୁ l ମନ୍ଦିର ଭିତରେ ଖୁବ କମ ଲୋକ ଥାନ୍ତି l ପ୍ରାୟ ଦଶ ବାର ଜଣ ସ୍ତ୍ରୀ ଲୋକ, କିଛି ଛୋଟ ପିଲା ଓ ଅଳ୍ପକେହିଜଣ ପୁରୁଷ ଲୋକ l ସମସ୍ତେ ତଳେ ମନ୍ଦିର ଚଟାଣରେ ବସିଥିଲେ l ମୋ ନଜର ଏକ ବୃଦ୍ଧ ଦମ୍ପତିଙ୍କ ଉପରେ ପଡିଲା l ପତ୍ନୀ ଙ୍କ ବୟସ ସତୁରୀ-ପଞ୍ଚସ୍ତରୀ ହେବ ଆଉ ତାଙ୍କ ବୃଦ୍ଧ ସ୍ୱାମୀଙ୍କ ବୟସ ଅଶୀ ବର୍ଷରୁ କଦାପି କମ ହେବନି l ବୃଦ୍ଧା ଠାକୁରଙ୍କ ଆଡକୁ ହାତ ବଢ଼େଇ ମନେ ମନେ କଣ ଗୁଣୁଗୁଣାଉଥାନ୍ତି ପୁଣି ନିଜ ସ୍ୱାମୀଙ୍କ ମଥାରେ ହାତ ରଖି ଆଉଁସିଦେଉଥାନ୍ତି l ମୁଁ ଏହି ସୁନ୍ଦର ଦୃଶ୍ୟଟି ନାୟକ ମ୍ୟାଡ଼ାମଙ୍କୁ ଦେଖାଇଲି l ସେ ଵି ଆନନ୍ଦପୁର୍ଣ ନୟନରେ ଯୋଡି ଟିକୁ ଟିକେ ଦେଖିଲେ l

ପୂଜା ସରିଲା l ଆମେ (ମୁଁ ଓ ମିସେସ ନାୟକ ) ମନ୍ଦିର ପାହାଚରେ ଆସି ବସିଥାଉ, ସେହି ବୃଦ୍ଧ ଦମ୍ପତିଙ୍କୁ ତଳକୁ ଓଲ୍ହାଉଥିବାର ଦେଖିଲୁ l ବୃଦ୍ଧା ମହିଳା ଜଣଙ୍କ ନିଜ ପତିଙ୍କ ହାତ ଧରି ତଳକୁ ଆଣୁଥିଲେ l ମିସେସ ନାୟକ ଉଠିଯାଇ ସେମାନଙ୍କୁ ସାହାଯ୍ୟ କଲେ l ମନ୍ଦିରରେ ଭକ୍ତଙ୍କ ପାଇଁ ପ୍ରତ୍ୟକ ଦିନ ସ୍ୱାଦିଷ୍ଟ ଅରୁଆ ଅନ୍ନ ପ୍ରସାଦର ବ୍ୟବସ୍ଥା ହେଇଥାଏ l ସେହି ନିଆରା ସୁସ୍ୱାଦୁ ଅରୁଆ ପ୍ରସାଦ ବି ସେଠା ର ଆଉ ଏକ ବିଶେଷତ୍ୱ l ବୃଦ୍ଧା ନିଜ ସ୍ୱାମୀଙ୍କୁ ଯେଉଁଠି ପ୍ରସାଦ ସେବନ ହେଉଥିଲା ସେଠି ଛାଡି ଆସି ଆମ ପାଖେ ବସିଲେ l ମିସେସ ନାୟକ ଉପବାସ ରଖିଥିବାରୁ ପ୍ରସାଦ ସେବନ ପାଇଁ ଯାଇନଥିଲେ l ଅଗରୱାଲ ମ୍ୟାଡ଼ାମ ଅଣଓଡ଼ିଆ, ସେ ଏ ବ୍ରତ ରଖିନଥିଲେ ତେଣୁ ଅନ୍ୟସମସ୍ତଙ୍କ ସହ ସେ ବି ପ୍ରସାଦ ପାଇବାକୁ ଯାଇଥିଲେ l ମୁଁ ଏ ବ୍ରତ ଉପବାସରେ ବିଶ୍ୱାସ ରଖୁନଥିଲେ ମଧ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ମନ୍ଦିରର ଅରୁଆ ଅନ୍ନ ନଖାଇ ଘରେ ଆସି ଖାଇବାକୁ ସ୍ଥିର କରିଥିଲି l ଆମେ ତିନିଜଣ ସେଠି ଅନ୍ୟମାନଙ୍କର ଭୋଜନ ଶେଷ ହେବାକୁ ଅପେକ୍ଷା କରି ବସିଥାଉ, ମୁଁ ମୋ ମନର ଉତ୍କଣ୍ଠାକୁ ଅଟକାଇ ନପାରି ବୃଦ୍ଧା ମହିଳାଙ୍କୁ ପଚାରିଲି, " ମାଉସୀ ଆପଣ ଏ ବୟସରେ ଵି ବ୍ରତ ରଖିଛନ୍ତି? ଭଗବାନ ନିଶ୍ଚୟ ମଉସାଙ୍କୁ ଦୀର୍ଘଜୀବୀ କରିବେ" l ମୋ କଥାରେ ସେ ବିଶେଷ ଉତ୍ସlହିତ ହେଲା ପରି ଲାଗିଲେନାହିଁ ବରଂ ଟିକେ ଗମ୍ଭୀର ଦିଶିଲେ l ସେ ତାଙ୍କ ନରମ ଓ ଥରିଲା ଗଳାରେ କହିଲେ, "ଦୀର୍ଘଜୀବୀ??ଆହୁରି ବେଶୀ ଦୀର୍ଘ ଜୀବନ ପାଇ ସେ କଣ କରିବେ ଲୋ ମାଆ? ମୁଁ ତ ଠାକୁରଙ୍କୁ ଏଇଆ କହିଲି ତାଙ୍କୁ କେମିତି ମୋ ଆଗରୁ ନେଇଯା'ନ୍ତୁ "l ମାଉସୀଙ୍କ କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହେଲି l ମିସେସ ନାୟକ ରାଗିଲା ପରି କହିଲେ,"ମାଉସୀ !ଆଜି ପରି ଦିନରେ ଏମିତି କଥା ପାଟିରେ ଧରିପାରୁଛନ୍ତି କେମିତି? ସଧବା ନାରୀ ଆପଣ l ଅହିସୁଲକ୍ଷଣିର ଆଶୀର୍ବାଦ ମାଗିବା ବଦଳେ ଏପରି ଅଶୁଭ କଥା କହୁଛନ୍ତି l" ମିସେସ ନାୟକଙ୍କୁ ଦୁଃଖଭରା ଆଖିରେ ଅନେଇ ବୃଦ୍ଧା ଜଣଙ୍କ କହିଲେ," ଅହିସୁଲକ୍ଷଣୀ?? ମୁଁ ଏତେଟା ସ୍ୱାର୍ଥପର ନୁହେଁ ଲୋ ମାଆ ଯେ ଭଗବାନଙ୍କୁ ଅହିସୁଲକ୍ଷଣୀ ହେବାପାଇଁ ପ୍ରାର୍ଥନା କରିବି l" ମୁଁ ବିସ୍ମିତ ହୋଇ ତାଙ୍କର ଏହି ଵିପରିତମୁଖୀ ପ୍ରାର୍ଥନାର କାରଣ ପୁଛନ୍ତେ, ସେ କହିଲେ " ବୁଝିଲ ଝିଅ, ଆମେ ବୁଢା ବୁଢୀ ଦୁଇଜଣ ଏଇ ମନ୍ଦିର ସେପଟେ ରହୁ l ଗୋଟିଏ ବୋଲି ପୁଅ ଆମର l ଭାରି ଭଲ ପାଠପଢ଼ିଲା l ଖୁବ ପଢିଲା l ପାଠପଢି ବଡ ଇଞ୍ଜିନିଅର ହେଇଛି l ବୋହୂ ବି ଇଞ୍ଜିନିଅର ଚାକିରୀ କରିଛି l ଆମର ଗୋଟେ ଗୁଲୁଗୁଲିଆ ନାତି ବି ଅଛି l ସେମାନେ ସମସ୍ତେ ଏବେ ଆମେରିକାରେ l ତେର ବର୍ଷ ହେଲା ଆମେ ବୁଢ଼ାବୁଢ଼ୀ ଆମ ପୁଅ,ବୋହୂ, ନାତିଙ୍କୁ ଦେଖିନୁ l ସେମାନଙ୍କୁ ଛାଡ଼ି ଏ ସଂସାରରେ ଆମର ନିଜର ବୋଲି କେହିନାହିଁ l ଆଗରୁ ପୁଅ କେତେବେଳେ କେମିତି ଫୋନ କରୁଥିଲା l ଏବେ ସେ ତା କାମରେ ଏତେ ବ୍ୟସ୍ତ ରହୁଛି ଯେ ଆମେ କେମିତି ଅଛୁ ଫୋନ କରି ପଚାରିବୁଝିବାକୁ ତାକୁ ବେଳ ମିଳୁନି l ମୋ ବୁଢାଙ୍କୁ ତ ଦେଖୁଛ l ଠିକ ରେ ଚଲାବୁଲା କରିପାରୁନାହାନ୍ତି l ଆଖିକୁ ବି ଆଉ ଭଲ ଦିଶୁନି l ସବୁବେଳେ ରୋଗ ଲାଗିରହିଛି l ଏଇ ବୁଢୀ ବୟସରେ ମୁଁ ହିଁ ତାଙ୍କ ସାହାରା l ମୋ ବିନା ସେ ଗୋଟେ ମିନିଟ ବି ଚଳିପାରିବେନି l ତୁମେ କୁହ ଝିଅ, ମୁଁ ଯଦି ଅହିସୁଲକ୍ଷଣୀ ହେବା ଲୋଭରେ ଠାକୁରଙ୍କୁ କହିବି ମତେ ଆଗ ନେଇଯିବା ପାଇଁ, ତାଙ୍କ କଥା କିଏ ବୁଝିବ? ସେ ବେସାହାରା ହେଇଯିବେନି? ହଁ ପୁଅ ଖବରପାଇ ଆସିବ l ମୁଁ ଶୁଣିଛି ଏମିତି ପରିସ୍ଥିତି ଉପୁଜିଲେ, ସେ ତା ବାପାଙ୍କ ଦାଇତ୍ୱ ଵୃଦ୍ଧାଶ୍ରମକୁ ଦେଇଦେବ l ଇଏ କଣ ମୋ ବିନା ସେ ବୃଦ୍ଧାଶ୍ରମରେ ଶାନ୍ତିରେ ରହିପାରିବେ l ଶେଷ ବେଳକୁ ନିଜର ହେଇ କିଏ ଥିବ ତାଙ୍କ ପାଖେ? ମୁଁ ସେଥିପାଇଁ ଈଶ୍ୱରଙ୍କ ପାଖେ ଵିନତୀ କରୁଛି କେମିତି ମୋରି କୋଳରେ ମଥା ରଖି ସେ ଆଖିବୁଜି ଦିଅନ୍ତୁ l ମୁଁ ବରଂ ମୋ ବାକି ଜୀବନ ଏକା ଏକା କୋଉଠି ବି କାଟିଦେବି, ତାଙ୍କୁ ଏ ସଂସାରରେ ଏକା କରି ଛାଡ଼ିଯାଇପାରିବିନି l ମୁଁ ଚାଲିଗଲେ କିଏ ତାଙ୍କ ଖାଇବା ପିଇବା କଥା ବୁଝିବ? ପଂଚାବନ ବର୍ଷ ହେଲା ମୋରି ହାତରନ୍ଧା ସେ ଖାଉଛନ୍ତି l ମୁଁ ବାଢ଼ିନଦେଲେ ସେ ଶାନ୍ତିରେ ଗଣ୍ଡେ ଖାଇବି ପାରନ୍ତିନି l ଏବେ ତ ସେ ଦିନ ରାତି ବି ଜାଣିପାରୁନାହାନ୍ତି l କିଏ କହିବ ତାଙ୍କୁ କେତେବେଳେ ସକାଳ ହେଲା ଆଉ କେତେବେଳେ ସଞ୍ଜ? କିଏ ତାଙ୍କ ଦିହପା କଥା ବୁଝିବ? ମୋ ପରି କିଏ ତାଙ୍କ ଖିଆଲ ରଖିବ? କାହା ଭରସାରେ ମୁଁ ତାଙ୍କୁ ଏକା ଛାଡ଼ି ଅହିସୁଲକ୍ଷଣୀ ହେଇ ଚାଲିଯିଵି ? ଦରକାର ନାହିଁ ମୋର ସେ ଅହିୟ ଡେଙ୍ଗୁରା l" ଶେଷ ଆଡକୁ ମାଉସୀଙ୍କ ସ୍ୱର କରୁଣ ଶୁଭୁଥିଲା l କଣ୍ଠ ହେଇଯାଉଥିଲା ବାଷ୍ପରୁଦ୍ଧ l ତାଙ୍କ ଆଖିରୁ ଅଜାଣତରେ ଅଶ୍ରୁ ଝରିଆସୁଥିଲା l ସେ ଅଶ୍ରୁ ଆମ ଦୁହିଁଙ୍କ ହୃଦୟ ଭେଦି ଆମ ଆଖିକୁ ମଧ୍ୟ ଓଦା କରିଦେଲା l ମିସେସ ନାୟକ ଜଣେ ସମ୍ବେଦନଶୀଳ ମହିଳା l ସେ ଖୁବ ଜୋରରେ କାନ୍ଦିଉଠିଲେ l

ଏହି ବୃଦ୍ଧା ନାରୀଙ୍କର ତାଙ୍କ ସ୍ୱାମୀ ପ୍ରତି ଥିବା ଅନାବିଳ, ନିସ୍ଵାର୍ଥପର ଭଲପାଇବା ହିଁ ତ ପ୍ରକୃତ ପ୍ରେମ l ମୁଁ ପରିସ୍ଥିତିକୁ ଟିକେ ସହଜ କରିବା ପାଇଁ ସେ ମାଉସୀଙ୍କୁ ତାଙ୍କ ନାତି କଥା ପଚାରିଲି l ମନ୍ଦିର ପ୍ରାଙ୍ଗଣରେ ଖେଳୁଥିବା ଗୋଟେ ତିନି ଚାରି ବର୍ଷର ପିଲାକୁ ଦେଖେଇ ମାଉସୀ କହିଲେ, "ସେତିକି ବଡ ହେଇଥିଲା ମୋ ପୁପୁଲୁ ଯେବେ ମୁଁ ତାକୁ ଦେଖିଥିଲି l ଦେଖିବାକୁ ପୁରା ତା ବାପା ପରି ଖାଲି ରଙ୍ଗଟା ଯାହା ମାଆର ଆଣିଛି l ଭାରି ଚଗଲା l ଜେଜେମା ଜେଜେମା କହି ମୋ ପିଛା ଛାଡେନି l ଏବେ ତ କେତେବଡ଼ ହେଇଯିବଣି ମୋ ଧନମଣୀ l"ମାଉସୀ ତାଙ୍କ ନାତି କଥା କହୁଥିଲା ବେଳେ ଚକ୍ଷୁ ତାଙ୍କର ଉଜ୍ଜ୍ୱଳ ହୋଇଉଠିଲା l ଆମ କଥାବାର୍ତା ଭିତରେ ଅନ୍ୟମାନେ ଆସି ପହଞ୍ଚି ସାରିଥାନ୍ତି l ଆମେ ମାଉସୀଙ୍କ ଠାରୁ ବିଦାୟ ନେଇ ଫେରିଲୁ l

ଫେରନ୍ତା ରାସ୍ତାରେ ମିସେସ ନାୟକ ଭୀଷଣ ଅନ୍ୟମନସ୍କ ଜଣାପଡୁଥାନ୍ତି l ପଚାରିଲି, "କଣ ଭାବୁଛନ୍ତି? " l କହିଲେ,"କିଛି ଭାବୁନି l ମନେ ମନେ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି, ସେ ମାଉସୀଙ୍କ ମନସ୍କାମନା ନିଶ୍ଚୟ ପୂରଣ କରନ୍ତୁ "l ଗୋଟେ ଭାରି ଭାରି ମନ ନେଇ ଘରକୁ ଫେରିଲୁ l ସେ ଘଟଣାକୁ ପାଞ୍ଚ ବର୍ଷ ପୂରି ଗଲାଣି l ଜାଣିନି ଭଗବାନ ସେ ପରମପତିପ୍ରାଣା ମହିଳାଙ୍କ ଵିନତୀ ଶୁଣିଲେ କି ନାହିଁ....

କଳାହାଣ୍ଡି ବୃଦ୍ଧ ଦମ୍ପତି ସାବିତ୍ରୀ ବ୍ରତ

Rate the content


Originality
Flow
Language
Cover design

Comments

Post

Some text some message..