Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସ୍ୱୟଂସିଦ୍ଧା
ସ୍ୱୟଂସିଦ୍ଧା
★★★★★

© sushama Parija

Tragedy

13 Minutes   419    38


Content Ranking

ଫଗୁଣର ଗୋଟାଏ ରବିବାରିଆ ଅଳସ ଅପରାହ୍ନ । ପିଲାମାନେ ବୁଲି ଯାଇଥାନ୍ତି ବାଲେଶ୍ବର, ମୋ ସାନ ଭଉଣୀ ଘରକୁ, ଘରଟା ଖାଲି ଖାଲି ଲାଗୁଥାଏ । ବସି ବସି ଗପ ବହି ଟିଏ ପଢୁଛି ଆମ ଘରର ଗେଟ୍ ଖୋଲି ଭିତରକୁ ପଶିଲା ବିନତି । ବିନତି ସଂପର୍କରେ ମୋର ସାନ ଯାଆଟିଏ, ଆମ କୁଟୁମ୍ବର । ମୋ ପାଖରେ ଆସି ବସି ପଡିଲା , କହିଲା “ ଏବେ ତ ତମେ ଏଠି ରହୁନ ଅପା ! କେତେବେଳେ ଆସୁଛ ଯାଉଛ ଯେ ଜଣା ପଡୁନି, ଆଜି ତମକୁ ଦୁଆର ପାଖରେ ବସିଥିବା ଦେଖି ଆସିଲି ତମ ପାଖକୁ ଦି’ପଦ କଥା ହେବି ବୋଲି । ମନଟା ଖରାପ ହୋଇଗଲା ମୋର, ଭାବିଲି ସତରେ ତ, ବର୍ଷଟାଏ ହେଲା ମୁଁ ଆମ କଟକଘର ଛାଡି ପୁଅ ପାଖରେ ଭୁବନେଶ୍ଵର ରେ ରହିବା ଦିନୁ ଆଉ କାହାରି ସହିତ ଦେଖା ସାକ୍ଷାତ କରି ପାରୁନି । ଅବଶ୍ୟ ସବୁ ଶନିବାର ରାତି ରେ କଟକ ଆସି ରବିବାର ରାତି ରେ ପୁଣି ଫେରି ଯାଉଛି ଭୂବନେଶ୍ବର, ସେଇ ସ୍ୱଳ୍ପ ସମୟର ରହଣୀ ଭିତରେ ଆଉ କାହା ସହିତ ଦେଖା ସାକ୍ଷାତ ହୋଇ ପାରୁନି, ସେଇଥିପାଇଁ ବିନତି ର ଏ ଅଭିମାନ । ଆମର ବଡ କୁଟୁମ୍ବ, ପଚି ଭାଇଆ ପ୍ରାୟ ଦୁଇ ଶହ ଜଣିଆ ପରିବାର,ପୈତୃକ ସମ୍ପତ୍ତି ହୋଇ ଥିବାରୁ ଆମେ ସମସ୍ତେ ସେଇ ଗୋଟିଏ ଜାଗାରେ ଥାଉ । ଭଲ ମନ୍ଦ ସୁଖ ଦୁଃଖରେ ଏକାଠି ହେଉ । ଖଞ୍ଜା ଘର ହେତୁ ସମସ୍ତଙ୍କର ଘର କାନ୍ଥ ଲଗାଲଗି । ବିନତି ର ଶଶୁର ଆଉ ମୋ’ ଶଶୁର ଙ୍କର ଘର ମଝିରେ ସେମିତି ଗୋଟିଏ କାନ୍ଥ, ସେଥିପାଇଁ ଅନ୍ୟ ପଚିଶି ଭାଇଙ୍କ ଅପେକ୍ଷା ସେମାନଙ୍କ ସଂପର୍କ ଆଉ ଟିକିଏ ଅଧିକ ନିବିଡ଼ । ଟିକିଏ ଟିକିଏ କଥାରେ କାନ୍ଥ ଏପଟରୁ ସେପଟକୁ ଡାକରା ପଡେ, ଭଜା ତରକାରୀ ଗିନା ମାନେ ଏପଟ ସେପଟ ହୁଅନ୍ତି, ମାଇପି ମହଲର ଖରାବେଳିଆ ଖାଇବା ଟା ମଧ୍ୟ ଏକାଠି ହୁଏ । ବିନତି ର ଶାଶୁ ନଥାନ୍ତି କି ମୋର ଶ୍ୱଶୁର ନଥାନ୍ତି, ମୋ ଶାଶୁଙ୍କୁ ବିନତି ନିଜର ଶାଶୁ ଭଳି ମାନେ, ଆମେ ବୋହୁ ମାନେ ମଧ୍ୟ ତା’ର ଶଶୁର ଙ୍କୁ ଖୁବ୍ ଭକ୍ତି କରୁ । ବିନତି ର ସ୍ୱାମୀ ବିମ୍ବାଧର ମଧ୍ୟ ଟିକିଏ ଟିକିଏ କଥାରେ ଖୁଡୀ ଖୁଡୀ ବୋଲି ଆମ ଶାଶୁଙ୍କୁ ଡକା ପକାନ୍ତି । ଏମିତି ଆମ ଦୁଇ ପରିବାର ମଧ୍ୟରେ ଅଭେଦ୍ୟ ସଂପର୍କ। ସେଇ ଦୃଷ୍ଟି ରୁ ବିନତି ର ଅଭିମାନ ଟା ଯଥାର୍ଥ ବୋଲି ମୋର ମନେହେଲା । ତା’କୁ ପାଖକୁ ଟାଣି ଆଣି କୁଣ୍ଢେଇ ପକେଇଲି ମୁଁ,କାନ୍ଦ କାନ୍ଦ ହୋଇ କହିଲି “ ହଁ ଲୋ ଭଉଣୀ, ମୁଁ ସିନା କର୍ତ୍ତବ୍ୟ ର ତାଡନା ରେ ଯାଇଛି ଭୁବନେଶ୍ଵର, ହେଲେ ମୋର ମନଟା ସବୁବେଳେ ଏଇଠି, ତମରି ମାନଙ୍କ ପାଖରେ । ମୁଁ ବି ସେଠି ଝୁରି ହେଉଛି ଲୋ ତୁମ ମାନଙ୍କୁ” । ମୋ କଥା ଶୁଣି ସେ ଖୁସି ହେଲା । ଆମେ ସାଙ୍ଗ ହୋଇ ଚାହା ପିଉ ପିଉ ସେ କହିଲା “ ଜାଣିଲ ଅପା ! ଏଇ ଆମ ଲିଟୁ ମ, ତା’ର ବାହାଘର କରୁଛି ଆସନ୍ତା ଶନିବାର ଦିନ ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିର ରେ , ତମେ ଆସିବଟି ?” । ମୁଁ କାହା ହେଲି କାରଣ ମୁଁ ଭଲ ଭାବରେ ଜାଣିଥିଲି ଯେ ଲିଟୁ ର ବାହାଘର ହୋଇଥିଲା ପାଞ୍ଚ ବର୍ଷ ତଳେ ଏବଂ କନ୍ୟା ଟି ବାହାଘର ର ଅଳ୍ପ ଦିନ ପରେ ତା’ ବାପଘରକୁ ଯାଇ ଆଉ ଫେରି ନଥିଲା , ଦୁନିଆଁ ପ୍ରକାର ବାହାନା ଦେଖେଇ ତା’ର ପରିବାର ଲୋକେ ହଇରାଣ ହରକତ କରିଥିଲେ , ଥାନା ପୋଲିସ ଯାଏଁ ବି କଥା ଯାଇଥିଲା, ଶେଷରେ ମାମଲା ର ଆପୋଷ ସମାଧାନ ହୋଇ ତା’ର ସବୁ ଜିନିଷ ପତ୍ର ଫେରାଇବା ସହିତ ଦୁଇ ଲକ୍ଷ ଟଙ୍କା ଦେବାକୁ ପଡିଥିଲା ବିନତି କୁ, ଯାହା ବହୁତ କଷ୍ଟଦାୟକ ଥିଲା ସେମାନଙ୍କ ପାଇଁ । ପୁଣି ଏତେଦିନ ପରେ ଆଉଥରେ କାହିଁକି ସେ ଅଡୁଆ ରେ ପଶୁଛି ବୋଲି ମୁଁ ପ୍ରଶ୍ନ କଲି ତା’କୁ । ଆଖିରୁ ଲୁହ ପୋଛି ବିନତି ଉତ୍ତର ଦେଲା “ କ’ଣ ଆଉ କରିବି ଅପା ? ତିନି ଭାଇ ତ ଯିଏ ଯାହା ସଂସାର ଧରି ରହିଲେ, ଏଇଟା କଥା କିଏ ବୁଝିବ? ମୁଁ ବଞ୍ଚିଛି ବୋଲି ମୁଠାଏ ଭାତ ବାଢି ଦେଉଛି, ଦିହ ମୁଣ୍ଡ ଦେଖୁଛି, ହେଲେ ମୋ ଅନ୍ତେ? ମୋ ଅନ୍ତେ କ’ଣ ହେବ ତା’ର ?? କେମିତି ରହିବ ସେ?? କାହା ଭରଷା ରେ ଛାଡି ଯିବି ତା’କୁ?? ବିନତି ର ଆଖିଲୁହ ସଞ୍ଚରି ଆସିଲା ମୋ ଆଖିକୁ । ଭାବିଲି, ଅସହାୟ ମାଆଟି ର ଆତ୍ମା ଭିତରୁ ଆସୁଥିବା କରୁଣ ଚିତ୍କାର ଇଏ । ଯେମିତି ମାଆ ମାଙ୍କଡ ଟିଏ ତା’ର ମଲା ଛୁଆଟିକୁ ମଧ୍ୟ ସହଜରେ ନିଜ କୋଳରୁ ଅଲଗା କରି ନଥାଏ, ତା’କୁ ବଞ୍ଚାଇବାକୁ ଆପ୍ରାଣ ଚେଷ୍ଟା ଚଳେଇଥାଏ, ଥକି ହାରି ନିରସ୍ତ୍ର ହେଲା ଯାଏଁ, ନିରବଚ୍ଛିନ୍ନ ଭାବରେ ଉଦ୍ୟମ କରୁଥାଏ ଛୁଆଟିକୁ ଜୀବନ ଦେବା ଲାଗି,ଠିକ୍ ସେମିତି ବିନତି ଚେଷ୍ଟା କରି ଚାଲିଛି,ହାର୍ ମାନି ନାହିଁ ଏବେ ବି । ମୁଁ ଫେରିଗଲି ଚାଳିଶି ବର୍ଷ ତଳକୁ.........।

ସେତେବେଳକୁ ମୋର ନୂଆ ନୂଆ ବାହାଘର ହୋଇଥାଏ । ବହୁକୁଟୁମ୍ବୀ ପରିବାରରେ ଲୋକଙ୍କ ଗହଳି ସବୁବେଳେ ଲାଗି ରହିଥାଏ । ସମସ୍ତେ ଆସୁଥାନ୍ତି ନୂଆ ବୋହୁ କୁ ଦେଖିବା ପାଇଁ । ଭଲ ଭାବରେ କାହାକୁ ଚିହ୍ନି ନଥାଏ ମୁଁ । ସେଇ ସମୟରେ ଥରେ ବିମ୍ବାଧର ନୂଆଉ , ନୂଆଉ ଡାକି ଆମ ରୋଷେଇ ଘର ଆଡକୁ ପଶି ଆସିଲେ । ମୋ ବଡ ଯାଆ ଆଉ ମୁଁ ରୋଷେଇ କରୁଥାଉ , ସେ ପଶି ଆସିଲା ବେଳକୁ ମୋ ବଡଯାଆ ଅଟକାଇ ଦେଲେ ତାଙ୍କୁ ବାଟରେ । କହିଲେ “ ଆରେ ବିମ୍ବାଧର ! ରୁହ ସେଇଠି, ତୁମ ଭାଇବୋହୁ ଅଛି ଭିତରେ” , ସେ ଅଟକି ଠିଆହେଲେ , କହିଲେ “ ହେଃ , ସିଏ କାଇଁ ମୋର ଭାଇବୋହୁ ହେବେ ମ , ଅସୀତ୍ ଭାଇ ପରା ମୋ’ଠୁ ଚାରି ପାଞ୍ଚ ମାସ ବଡ ହେବେ ବୋଲି ଖୁଡୀ କହୁଥିଲେ, ତମେ ମୋତେ ଦେଢଶୁର କରି ଥୋଇଲଣି । ସେଇ ସମୟରେ ସେଠାରେ ପହଞ୍ଚିଥିଲେ ମୋ ଶାଶୁ, ସିଏ ବିମ୍ବାଧରଙ୍କ କଥା କୁ ସମର୍ଥନ କଲାରୁ ପ୍ରଥମେ ବିମ୍ବାଧର ଆସି ନମସ୍କାର କଲେ ମତେ । ସ୍ୱଭାବରେ ଖୁବ୍ ଲାଜକୁଳା ଥିଲେ ବିମ୍ବାଧର । ତାଙ୍କର ବାହାଘର ଅନେକ ଦିନ ଆଗରୁ ସରିଥିଲା, ମୋ ବାହାଘର ବେଳକୁ ତାଙ୍କର ଗୋଟିଏ ଝିଅ ଆଉ ତିନୋଟି ପୁଅ, ଏମିତି ଚାରୋଟି ସନ୍ତାନ ହୋଇ ସାରିଥିଲେ । ତାଙ୍କ ବାପା କଲିକତାରେ ଚକ୍ରଧରପୁର ରେ ରେଳବାଇ ଚାକିରୀ କରୁଥିଲେ, ବୟସ ବଢିଲାରୁ ତାଙ୍କର ବଡ ପୁଅ କୁ ଚାକିରୀ ଦେଇ ସ୍ୱେଚ୍ଛାକୃତ ଅବସର ନେଇ ଫେରି ଆସିଥିଲେ କଟକ ରେ ଥିବା ନିଜର ଘରକୁ । ଜମିବାଡି ପ୍ରଚୁର ଥିଲା, ସାନପୁଅ ବିମ୍ବାଧର ସେମିତି ଭଲ ପାଠ ପଢୁନଥିଲା, ତେଣୁ ବାପ ପୁଅ ଦୁହେଁ ମିଶି ଘର ପାଖରେ ଇଟାଭାଟି କରି ବ୍ୟବସାୟ ଆରମ୍ଭ କରିଥିଲେ । ବିମ୍ବାଧର ସିନା ଭଲ ପାଠ ପଢୁନଥିଲା ହେଲେ କଠିନ ପରିଶ୍ରମୀ ଥିଲା, ତା’ର ପରିଶ୍ରମ ଆଉ ବାପାଙ୍କ ବୁଦ୍ଧି ରେ ବ୍ୟବସାୟ ହୁ, ହୁ ହୋଇ ବଢିଲା। ଦୁର୍ଭାଗ୍ୟ କୁ ଆସିବାର ଅଳ୍ପ ଦିନ ଭିତରେ ବିମ୍ବାଧରଙ୍କର ମାତୃବିୟୋଗ ଘଟିଲା । ବାପ ପୁଅ ଦୁହେଁ ଖଟି ଖଟି ଆସି ଦୁଇବେଳା ମୁଠାଏ ଭାତ ଖାଇବା ଲାଗି ହଇରାଣ ହରକତ ହେଲେ, ସମସ୍ତେ କହିଲେ ବିମ୍ବାଧର କୁ ବାହାଘର କରି ବୋହୁଟିଏ ଆଣ, ସେ ଘର ସହିତ ତମ ବାପପୁଅଙ୍କୁ ସମ୍ଭାଳିବ। ଧନ ଦଉଲତ ର ଅଭାବ ନଥିଲା, ଖାଲି ଘରୁଆ ଘରର ଭଲ ଝିଅଟିଏ ଦେଖି ଆଣିବାର ଥିଲା, ଯିଏ ସୁଖ ଦୁଃଖ ସହି ଘର ସମ୍ଭାଳିବ । ବିମ୍ବାଧର ର କୁନି ବୋଲି ସାନ ଭଉଣୀ ଟିଏ ଥିଲା । ସେଇଟା କିନ୍ତୁ ପକ୍କା ଆଲୁରି ଥିଲା, ତା’କୁ ମଧ୍ୟ ସମ୍ଭାଳିବାକୁ ଲୋକଟିଏ ଦରକାର ଥିଲା । ସବୁ ଆଡକୁ ଚିନ୍ତା କରି ବାପା ବିମ୍ବାଧର ପାଇଁ ଗରିବ ଘରୁ ଝିଅ ଟିଏ ବୋହୁ କରି ଆଣିଲେ । ଝିଅଟି ତା’ର ଜନ୍ମକଲା ମାଆକୁ ହରାଇଥିଲା ପିଲାଟି ବେଳୁ । ଜନ୍ମ ଦେଲା ବାପା ଝିଅ କୁ ତା’ର ମାମୁଁଘରେ ଛାଡି ଦ୍ୱିତୀୟ ବିବାହ କରି ନିଜେ ସୁଖର ସଂସାର କରିଥିଲେ । ନିରିମାଖୀ ଝିଅ ଟି ମାମୁଁ ଘରେ ମାଇଁ ପାଖରେ ବଡ ହେଲା, ମାମୁଁ ମାଇଁ ଙ୍କୁ ବାପା, ବୋଉ ବୋଲି ଡାକିଲା, ମାମୁଁ ମାଇଁ ଙ୍କ ସନ୍ତାନ ମାନଙ୍କୁ କୋଳେଇ କାଖେଇ ମଣିଷ କଲା । ପନ୍ଦର ବର୍ଷ ବେଳକୁ ମାମୁଁ ବରଘର ଖୋଜିଲେ । ପର ଦାୟିତ୍ଵ, କେମିତି ହାତକୁ ଦି’ ହାତ କରିଦେଲେ ଯାଏ, କିଏ ଯାନିଯଉତୁକ ଯୋଗାଡ କରିବ । ଝିଅଟିର ସୌଭାଗ୍ୟ କୁ ହେଉ ବା ଦୁର୍ଭାଗ୍ୟ କୁ, ବିମ୍ବାଧର ର ବାପାଙ୍କ କାନରେ ପଡିଲା ପ୍ରସ୍ତାବ ଟି । ବୁଢା ନିଜେ ଗଲେ ପୁଅ ପାଇଁ କନ୍ୟା ଦେଖି। ସିଏ ସେଦିନର ପନ୍ଦର ବର୍ଷ ର ବିନତି ଭିତରେ କ’ଣ ଦେଖିଲେ କେଜାଣି, ତା’କୁ ହିଁ ବୋହୁ କରି ଆଣିଲେ ଘରକୁ । ପିଲାଟି ଦିନରୁ କାହାରି ସ୍ନେହ ଆଦର ପାଇ ନଥିବା ବିନତି ଶ୍ୱଶୁର ଙ୍କର ଅମାପ ସ୍ନେହ, ସ୍ୱାମୀର ଅନାବିଳ ପ୍ରେମ, ଆଉ ସାନ ନଣନ୍ଦ ର ଅକୁଣ୍ଠ ଶ୍ରଦ୍ଧା ରେ ଏମିତି ବାନ୍ଧି ହୋଇ ପଡିଲା ଯେ ସେ ସବୁ ଦୁଃଖ ସବୁ ଅବଶୋଷ ଭୁଲି ସେଇମାନଙ୍କ ସେବାରେ ନିଜକୁ ସମର୍ପିତ କରି ଦେଲା। ସମୟ କ୍ରମେ ବିନତି ପାଲଟି ଗଲା ସେ ଘରର ପ୍ରାଣ କେନ୍ଦ୍ର । ଶ୍ୱଶୁର ଅତ୍ୟନ୍ତ ଖୁସି ହୋଇ, ଟଙ୍କା ପଇସା ସବୁ ଦେଲେ ତା’ ହାତରେ, ଯାବତୀୟ ଆୟ ଅଳଙ୍କାର, ସୁନା ରୂପା ରେ ଛାଉଣି କରି ଘରର ସବୁ ଦାୟିତ୍ଵ ଦେଲେ ବିନତି କୁ । ଖୁସି ରେ ଦିନ ଗଡି ଚାଲିଲା । ଏ ଭିତରେ ବିନତି ର ଚତୁର୍ଥ ପୁତ୍ର ସନ୍ତାନ ଟି ଜନ୍ମ ନେଇଥିଲା ।

କଥା ରେ ଅଛି ସବୁ ସୁଖକୁ ଦଇବ ସହେନା । ସେମିତି ଗୋଟିଏ ଘୋର ଦୁର୍ଦ୍ଦିନ ଆସିଲା ବିନତି ଜୀବନରେ । ତା’ର ଶଶୁରଙ୍କ ଦେହ ହଠାତ୍ ଦିନେ ଖରାପ ହେଲା । ସବୁଦିନେ ପାନଖିଆ ପାଟିରେ ଚିହ୍ନଟ ହେଲା ଦୁରାରୋଗ୍ୟ କର୍କଟ ବ୍ୟାଧି। ସମସ୍ତ ଚିକିତ୍ସା ସତ୍ତ୍ଵେ ମଧ୍ୟ ଧୀରେ ଧୀରେ ରୋଗ କମିବା ପରିବର୍ତ୍ତେ ବଢିବାକୁ ଲାଗିଲା, ଶ୍ୱଶୁର ଶଯ୍ୟାଶାୟୀ ହେଲେ ।

ବିମ୍ବାଧର ଉପରେ ବ୍ୟବସାୟ ର ଦାୟିତ୍ବ ପଡିଲା ବେଶୀ। ଆଗରୁ ବାପା ଥିଲେ, ସବୁ ଭଲମନ୍ଦ ସେ ହିଁ ବୁଝାବୁଝି କରୁଥିଲେ, ହାଲୁକା କାମ ଦେଉଥିଲେ ବିମ୍ବାଧର ଙ୍କୁ, ଏବେ ଏକୁଟିଆ ସବୁ ଦାୟିତ୍ଵ ପଡିଲାରୁ ଭାରାକ୍ରାନ୍ତ ହୋଇ ପଡିଥିଲେ ବିମ୍ବାଧର। ଟିକିଏ ଟିକିଏ କଥାରେ ଚିଡିଚିଡା ହୋଇ ଯାଉଥିଲେ, ଘରେ ଅଶାନ୍ତି ଲାଗି ରହୁଥିଲା । ରୋଗାକ୍ରାନ୍ତ ଶ୍ୱଶୁର ଙ୍କର ଖିଆପିଆ, ମଳ ,ମୂତ୍ର ସଫା କରିବା ଠାରୁ ସମୟରେ ଔଷଧ ଦେବା , ଘରର, ପିଲାମାନଙ୍କର ଯାବତୀୟ କାମ କରି କରି ଥକି ପଡୁଥିଲା ବିନତି, ତଥାପି ବିନା ପ୍ରତିବାଦ ରେ କରି ଯାଉଥିଲା ସବୁ । ଅଳ୍ପ ଦିନ ବେମାର ପଡି ପଡି ଶ୍ୱଶୁର ଚାଲିଗଲେ । ସିଏ ଥିଲେ ବିନତି ର ବଳ। ବୋହୁ କରି ଆଣିଲା ଦିନୁ ଛାଇ ପରି ଗୋଡେ ଗୋଡେ ଜଗି ରହିଥିଲେ ତା’କୁ । କି ଖରା, କି ବର୍ଷା ,କି ଶୀତ କାକର ସିଏ ଥିଲେ ତା’ର ଆଢୁଆଳ ହୋଇ। ତାଙ୍କର ଅବର୍ତ୍ତମାନ ରେ ଆଉଥରେ ନିରାଶ୍ରୟ ହୋଇ ପଡିଥିଲା ବିନତି । ବିମ୍ବାଧର ଥିଲେ କ୍ଷଣକୋପୀ, ଟିକିଏ କଥାରେ ନାକ ଅଗରେ ରାଗ। ସବୁ କଥାକୁ ସମ୍ଭାଳି ନେଉଥିଲେ ଶ୍ୱଶୁର । ଏବେ ଧୀରେ ଧୀରେ ବିନତି ସବୁକଥା ବୁଝିବା ଆରମ୍ଭ କରିଥିଲା ବିମ୍ବାଧର ସହିତ । ସମୟ ଚାଲିଥିଲା ଆପଣା ଗତିରେ ।

ସେଦିନ ଥିଲା ଗୋଟାଏ ଅଶୁଭ ସକାଳ । ପ୍ରତିଦିନ ଭଳି ସକାଳୁ ଇଟାଭାଟି କୁ ବାହାରି ଗଲେ ବିମ୍ବାଧର । ଇଟାଭାଟି ଟି ଆମ ଘର ପାଖରୁ ଦେଢ କି ଦୁଇ କିଲୋମିଟର ଦୂର ହେବ ନଦୀ କୂଳିଆ ଯାଗାଟିରେ । ବାପା ଥିଲାବେଳେ , ବିମ୍ବାଧର ସବୁଦିନ ସେ ସକାଳୁ ଉଠି ଚାଲି ଯାଆନ୍ତି ଇଟାଭାଟି କୁ ,ଦିନ ଦଶଟା ବେଳକୁ ସିଆଡୁ ଗାଧୋଇ ପାଧୋଇ ଆସି ପଖାଳ ଖାଆନ୍ତି ଘରେ। ଖରାବେଳ ସମୟଟା ବାପା ରୁହନ୍ତି ଭାଟିରେ, ବିମ୍ବାଧର ଉପରବେଳା ଦିନ ଚାରିଟା ବେଳକୁ ପୁଣି ଯାଆନ୍ତି ଭାଟିକୁ । ବାପ ପୁଅ ରାତି ଆଠଟା ନଅଟା ବେଳେ ଫେରନ୍ତି ଘରକୁ । ଏବେ ବାପାଙ୍କ ଅନ୍ତେ ଦିନସାରା ଭାଟିରେ କଟେଇବାକୁ ପଡେ ବିମ୍ବାଧର ଙ୍କୁ। ସକାଳୁ ଉଠି ଚାଲି ଯାଆନ୍ତି ଭାଟିକୁ, ସେଇଠି ନିତ୍ୟକର୍ମ ସାରି ଘରକୁ ଆସି ପଖାଳ ଗଣ୍ଡାଏ ଖାଇ ଦେଇ ପୁଣି ବାହାରି ଯାଆନ୍ତି ଭାଟିକୁ । ସେଦିନ ଥାଏ ବୁଧବାର, ଭାଟିରୁ ଫେରିଲାବେଳେ ଚୁନାମାଛ ଆଣିବି, ତୁ ବାଇଗଣ ଟାଏ ପୋଡି ରଖିଥା, ଆସିଲେ ପଖାଳ ଖାଇବା ବୋଲି ବିନତି କୁ କହିଦେଇ ତରତରରେ ବାହାରି ଗଲେ ବିମ୍ବାଧର । ବିନତି ପାଞ୍ଚଟି ପିଲାଙ୍କ ଜଞାଳ କରୁ କରୁ ଦିନ ଦଶଟା ବାଜିଲା । ଚୁଲିରେ ବାଇଗଣ ଟାଏ ପକେଇଦେଇ ଲୁଗାପଟା ସଫା କରିବା ଲାଗି ଯାଇ ବସିଲା କୂଅ ମୂଳରେ । କିଛି ସମୟ ଯାଇଛି, କ’ଣ ଗୋଟାଏ ଘୋ ଘୋ ଶବ୍ଦ ଶୁଣାଗଲା ଖଞ୍ଜା ଭିତରେ । ଦେଢ ବର୍ଷ ର ସାନ ପୁଅ ଟୁଟୁ

କୁ ବିନତି ଶୋଇ ଦେଇ ଆସିଥିଲା ଘର ଭିତରେ, ସିଏ କାଳେ ଉଠି ପଡିବ ବୋଲି ଲୁଗାପଟା କାଚିବା ଛାଡି ଦେଇ ସେ ଉଠିଗଲା ଘର ଭିତରକୁ ପୁଅ ପାଖକୁ, ପିଲାମାନେ ଯିଏ ଯୁଆଡେ ଖେଳୁଛନ୍ତି । ବିନତି ଡାକ ପକେଇଲା ନଣନ୍ଦ କୁ “ କୁନି! ଏ କୁନି! ଗଲ ଦେଖି ଆସିବ ଛୁଆ ସବୁ କୁଆଡେ ଗଲେ , ଖଞ୍ଜା ଆଡେ କ’ଣ ପାଟିତୁଣ୍ଡ ଶୁଭୁଛି ,କିଏ ବୋଧହୁଏ ଝଗଡା ଝାଟି କରୁଛନ୍ତି,

ପିଲା ମାନଙ୍କୁ ନେଇ ଆସିବ ଘରକୁ” । କୁନି ଚାଲିଗଲା ବାହାରକୁ ପିଲା ମାନଙ୍କୁ ଦେଖିବା ପାଇଁ ।

ଆମରି ଘର ସାମନାରେ ଠିକ୍ ଦାସଘରର ବିରାଟ ଅଗଣା। ଦଳେ ଲୋକ ଆସି ସେଠି ହାଉ ହାଉ ହେଉଥାନ୍ତି, ଆମେ ବୋହୁମାନେ ସବୁ ଘର ଭିତରେ ଉତ୍ସୁକ ହୋଇ ଉଠୁଥାଉ ଘଟଣା କ’ଣ ଜାଣିବା ପାଇଁ । ଦାସଘରର ସବୁ ବଡ ବଡ ପୁରୁଷ ଲୋକ ମାନେ ଜମା ହୋଇଥାନ୍ତି, ଯୁବକ ମାନେ ଧାଇଁ ଯାଇଥାନ୍ତି ବାହାର ଆଡକୁ , ହୋ ହାଲ୍ଲା ରେ କିଛି ଶୁଭୁ ନଥାଏ । ଆମ ଶାଶୁ ଆଉ ଜେଠେଇ ଶାଶୁ ଦୁଇଜଣ ବି ଥାଆନ୍ତି ସେଇଠି । କିଛି ସମୟ ପରେ କାନ୍ଦଣା ରେ ଫାଟି ପଡିଲା ଦାସ ଘର ଅଗଣା, “ ବିମ୍ବାଧର ନଦୀରେ ବୁଡି ଗଲା “ । ଆମେ ସବୁ ଅସମ୍ଭାଳ ହୋଇ ଧାଇଁଲୁ ଦାଣ୍ଡ କୁ। ବୁଝିଲା ବେଳକୁ ଘଟଣାଟି ଏଇମିତି .....

ସବୁଦିନ ଭଳି ବିମ୍ବାଧର ଭାଟିରେ ମୂଲିଆ ମିସ୍ତ୍ରୀ ମାନଙ୍କୁ କାମ କରିବାକୁ ଆଦେଶ ଦେଇସାରିବା ପରେ ଗୁଡାଖୁ ଘଷି ଘଷି ନଦୀ ଆଡକୁ ଗଲା, ସେଠାରେ ନିତ୍ୟକର୍ମ ସାରି ପାଣି ଭିତରକୁ ପଶିଲା ବୋଲି ନଦୀ ବନ୍ଧ ଉପରେ ଥିବା ଲୋକେ ଦେଖିଥିଲେ, ହେଲେ ଅନେକ ସମୟ ଧରି ସେ ପାଣିରୁ ଉପରକୁ ନଆସିବାରୁ ସେମାନଙ୍କର ସନ୍ଦେହ ହୋଇଥିଲା, ସେମାନେ ଦୁଇତିନି ଡାକ

ମାରିଲେ ବିମ୍ବାଧର, ବିମ୍ବାଧର ବୋଲି, କୌଣସି ଉତ୍ତର ନପାଇ ସେମାନଙ୍କ ମଧ୍ୟରୁ କେତଜଣ ନଦୀ କୂଳ ଯାଏ ଯାଇ ଆହୁରି ଜୋରରେ ଡାକ ମାରିଲେ, ସେତିକି ବେଳେ ବନ୍ଧ ଉପରେ ଥିବା ଜଣେ ଲୋକ ଅନେକ ଦୂରରେ ହାତ ଦୁଇଟି ପାଣି ଭିତରକୁ ଟାଣି ହୋଇ ବୁଡି ଯିବାର ଦେଖି ଚିତ୍କାର କରି ଉଠିଲା “ ବିମ୍ବାଧର ବାବୁ ବୁଡିଗଲେ “ କାରଣ ବିମ୍ବାଧରଙ୍କ ଡାହାଣହାତରେ ପିନ୍ଧିଥିବା ବଡ ନାଲି ପଥରବସା ସୁନାମୁଦି ଟି କୁ ସେ ଚିହ୍ନି ପାରିଥିଲା । ଖିଦ୍ ଖାଦ୍ ହୋଇ ଆଉ ଛଅ ସାତ ଜଣ ପହଁରା ଜାଣି

ଥିବା ଲୋକ କୁଦିଆରୀ ପଡିଲେ ପାଣିକୁ । ଖେଦି ପକାଇଲେ ନଦୀ ଯାକ । ହେଲେ ପାଇଲେ ନାହିଁ ବିମ୍ବାଧର ଙ୍କୁ। ସେଥିଭିତରେ କିଏ ଜଣେ ଖବର ପଠାଇ ଦେଇଥିଲେ ଦାସ ଘରକୁ । ସେଠିକାର ଜମିଦାର ଘର ଭାବରେ ଦାସ ଘର ବେଶ୍ ପ୍ରସିଦ୍ଧ, ତେଣୁ ବିଜୁଳି ବେଗରେ ଖବର ଟା ବ୍ୟାପି ଯାଇଥିଲା ଖଣ୍ଡମଣ୍ଡଳରେ । ଯୋବ୍ରା ଘାଟରୁ ଡଙ୍ଗାବାଲା ସବୁ ତୁରନ୍ତ ଡକାଇ ଅଣାହେଲେ, ଦମକଳ ଅଫିସ୍ ରେ ଖବର ଦିଆଗଲା, ଚାଲିଲା ବିମ୍ବାଧର ର ଶରୀରର ଅନୁସନ୍ଧାନ । କୁନି ପାଖରୁ ଖବର ପାଇ ବିନତି ସେଇଠି ମୂର୍ଚ୍ଛା ହୋଇ ପଡିଥିଲା, ପିଲାମାନେ କାନ୍ଦି କାନ୍ଦି ଅସ୍ଥିର ହେଉଥିଲେ , ଖଞ୍ଜା ରେ ଜଣେ ହେଲେ ବି ପୁରୁଷ ଲୋକ ନଥିଲେ, ସମସ୍ତେ ଯାଇ ନଦୀ କୂଳରେ, ଆମେ ସ୍ତ୍ରୀ ଲୋକମାନେ ଯେମିତି ଜଡ ହୋଇ ଯାଇଥାଉ । ଟିକିଏ ବୁଝିବା ପିଲାମାନେ ସେଇ ଅଗଣାରେ ବସି କାନ୍ଦୁଥାନ୍ତି, ଛୋଟ ପିଲାମାନେ କିଛି ନ ବୁଝି ପାରି ମାଆ ମାନଙ୍କୁ ଦେଖି ଦୁଃଖୀ ହେଉଥାଆନ୍ତି । ସବୁ ଯେମିତି ସ୍ଥିର ହୋଇ ଯାଇଥାଏ ଦାସ ଘର ଖଞ୍ଜା ରେ। ଅଧା ରନ୍ଧାବଢା ହୋଇ ଖାଦ୍ୟ ସବୁ ପଡିଥାଏ ସେମିତି। କାହାରି ହାତ ଗୋଡ ଚଳୁଥିଲା ନଥାଏ । ଆମେ ସବୁ ଯାଇ ବିନତି ପାଖରେ ବସି ତା’କୁ ଧୈର୍ଯ୍ୟ ଧରିବାକୁ ସାନ୍ତ୍ବନା ଦେଉଥାଉ ଯଦିଓ ଆମ ଭିତରର ଧୈର୍ଯ୍ୟ ଜବାବ ଦେଇ ସାରିଥାଏ ସେତେବେଳକୁ । ଏମିତି ଅନିଶ୍ଚିତତା ଭିତରେ ରାତି ପାହିଲା । ସମସ୍ତେ ଖାଡାପାଡା ଉପାସ । ରନ୍ଧାବଢା ହୋଇ ଥିବା ଖାଦ୍ୟ ସବୁ ଫିଙ୍ଗିଦିଆଗଲା ବାହାରେ । ପିଲାମାନେ କ୍ଷୀର, ଚୂଡା ବିସ୍କୁଟ ଖାଇଲେ ।ବିମ୍ବାଧର ର ଶରୀର କୁ ଖୋଜାଖୋଜି ତଥାପି ଚାଲିଥିଲା ଆହୁରି ବଡ ବଡ ଡଙ୍ଗା ସବୁ ଅଣା ହୋଇ ବିଭିନ୍ନ ଗାଆଁ ଗଣ୍ଡା ମାନଙ୍କରୁ। ଦ୍ୱିତୀୟ ଦିନ ବି ବିତି ଗଲା ସେମିତି । ନିରାଶ ହୋଇ ଫେରିଲେ ବୁଡାଳୀ ମାନେ । ମହାନଦୀ ର ତଳମୁଣ୍ଡ ରୁ ଉପରମୁଣ୍ଡ ଯାଏଁ ଉଝାଳି ପକେଇଲେ ନାଉରିଆ ମାନେ ବଡ ବଡ ବାଉଁଶ ଧରି । ଗୋଳେଇଘାଣ୍ଟି ପକେଇଲେ ଯେତଦୂର ସମ୍ଭବ ସେତେ ଦୂର ଯାଏଁ ହେଲେ କେଉଁଠି ବି ମିଳିଲାନି ବିମ୍ବାଧର ର ଚିହ୍ନ ବର୍ଣ୍ଣ । କିଏ କହିଲା କୁମ୍ଭୀର ଗିଳିଦେଲା, କିଏ କହିଲା ବାଲି ଭଉଁରୀ ରେ ପୋତି ହୋଇଗଲା, କିଏ କେତେ ପ୍ରକାରରେ କହିଲେ ।

ସତେ ଯେମିତି ବିମ୍ବାଧର ଲୀନ ହୋଇ ଯାଇଥିଲା ଜଳ ଭଉଁରୀରେ, ନିଃଶେଷ ହୋଇଯାଇଥିଲା ତା'ର ସମଗ୍ର ସତ୍ତା, ତା'ର ଅସ୍ତିତ୍ବ ।

ଦାସଘରର ମୁଖିଆ ସବୁଠାରୁ ବଡ ଜେଠାଶୁର ଆମର ମତ ରଖିଲେ “ ଆମ କୁଳ ପୁରୋହିତ ଙ୍କୁ ପଚାରିବା, ସେ ଯାହା ଯେମିତି କହିବେ କରିବା, ବିମ୍ବାଧର ଆଉ ଜୀବିତ ନାହିଁ, ଏକଥା ସତ, କ୍ରିୟା କର୍ମ କ’ଣ କେମିତି ହେବ, ସେଇଆ ପଚାରିବା କଥା “। ତିନିଦିନ ତିନିରାତି ଧରି ଅଖିଆ ଅପିଆ ବସି ରହିଥିଲା ବିନତି କାଠଗଣ୍ଡି ଟିଏ ପରି । ପୁରୋହିତ ଙ୍କ ପରାମର୍ଶ ଅନୁଯାୟୀ ତା’କୁ ଧରି ଧରି ବାରିକାଣୀ ନେଇଥିଲା ନଦୀ କୂଳକୁ, ଯେଉଁଠି ତା’କୁ ଶେଷଥର ପାଇଁ ଦେଖିଥିଲେ ଲୋକମାନେ । ଘରର ପୁରୁଷ ଲୋକ ମାନେ ଜମା ହୋଇ ଚାଲି ଥାଆନ୍ତି ତା’ ପଛରେ, ସାଂଙ୍ଗରେ ଥାଏ ବାର ବର୍ଷ ର ବଡପୁଅ ମିଟୁ । ବଡବାପା ଙ୍କ ସାଥିରେ ନଦୀ ଭିତରକୁ ପଶି ମୁଣ୍ଡକୁ ବୁଡେଇ ବାଲି ମୁଠାଏ ମୁଠାଇ ଧରି କୂଳକୁ ଆସିଲା ମିଟୁ । ସେଇ ବାଲି ମୁଠାକୁ ବିମ୍ବାଧର ର ଶରୀର ମନେକରି ବିନତି ହାତରୁ ଶଙ୍ଖା, ମୁଣ୍ଡ ରୁ ସିନ୍ଦୁର ଉତ୍ତାରି ଦିଆଗଲା । ସେଇ ବାଲି ମୁଠାକୁ ବିମ୍ବାଧର ସଜେଇ ବିସର୍ଜନ କରି ଦିଆଗଲା ନଦୀରେ। ଆମେ ସବୁ ପଛରେ ଯାଇ ଆମ ତୁଠରେ ସ୍ନାନଶୌଚ ସାରିଘରକୁ ଫେରିଲୁ । ବିମ୍ବାଧର ର ମୃତ୍ୟୁ କ୍ରିୟା କର୍ମ କରାହେଲା ଯଥାରୀତି । ସଭାବସିଲା ଦାସ ଘରର । ବିନତି ଚଳିବ କେମିତି? କିଏ ନେବ ତା’ ପିଲା ମାନଙ୍କର ଆଉ ତା’ର ଦାୟିତ୍ବ ? ପାଞ୍ଚ ପାଞ୍ଚ ଟା ପିଲା ଧରି ବତିଶି ବର୍ଷ ର ସ୍ତ୍ରୀ ଲୋକଟି ଯିବ କୁଆଡେ? ସମସ୍ତେ ନିଜ ନିଜର ଅସାମର୍ଥ୍ୟ ପ୍ରକାଶ କଲେ । ବିନତି ସେମିତି ବସି କାନ୍ଦୁଥାଏ ସେଇଠି । ଶେଷରେ ସ୍ଥିର ହେଲା ବିନତି ର ଜନ୍ମକଲା ବାପା ଆଉ ପାଳିତ ବାପା(ତା’ର ମାମୁଁ) , ଦୁହେଁ ଯାକ ବିନତିର ଗୋଟିଏ ଗୋଟିଏ ପୁଅଙ୍କୁ ନେଇ ନିଜ ପାଖରେ ରଖି ସେମାନଙ୍କର ପାଳନପୋଷଣ

କରିବେ, ଏବଂ ନଣନ୍ଦ ସହିତ ଝିଅ ଆଉ ସାନ ସାନ ପୁଅ ଦୁଇଟି ଙ୍କୁ ଧରି ବିନତି ରହିବ ତା’ର ନିଜର ଘରେ । ବ୍ୟାଙ୍କ ରେ ଜମା ଥିବା ଟଙ୍କାକୁ ସ୍ଥାୟୀ ଜମା କରିଦେଇ ସେଥିରୁ ଯାହା ସୁଧ ମିଳିବ , ସେଇଥିରେ ଚଳିବ ବିନତି । ତେଣିକି ପିଲାମାନେ ବଡ ହେଲେ ଯାହା କରିବେ । ବିନତି ର ଜନ୍ମକଲା ବାପାଙ୍କର ପୁଅ ନଥିଲେ, ତେଣୁ ସେ ସବା ସାନ ପୁଅ ଗୁଟୁ କୁ ନେଇକି ପାଳିବେ ବୋଲି କହିଲେ । ବିନତି ର ପାଳିତବାପା (ମାମୁଁ) ଙ୍କର ଥିଲେ ଦୁଇଟି ପୁଅ । ସେ କହିଲେ ମୋର ଝିଅ ଟି ଏକୁଟିଆ କେମିତି ଏତେ ବଡ ଘରଟାରେ ପିଲା ମାନଙ୍କୁ ଧରି ରହିବ , ବରଂ ମୋର ସାନ ପୁଅ ଟି ଆସି ତା’ ପାଖରେ ରହୁ ତା’କୁ ଭଲ ମନ୍ଦ ରେ ସାହାଯ୍ୟ କରିବା ପାଇଁ, ମୁଁ ତା’ ର ବଡ ପୁଅ ମିଟୁ କୁ ନେଇ ଯାଉଛି, ସେ ମୋ ପାଖରେ ରହି ପଢାପଢି କରିବ । ସେଇଆ ହେଲା, ବିନତି ଛାତି କୁ ପଥର କରି ସମସ୍ତଙ୍କ କଥା ମାନି ରହିଲା ଘରେ। ଧୈର୍ଯ୍ୟଚ୍ୟୁତ ନହୋଇ ଆଖିର ଲୁହ କୁ ଓଠରେ ପିଇ ଧୀରେ ଧୀରେ ଜିଇଁ ବାର କଳା ଶିଖିଗଲା। ବନ୍ଧୁ ବାନ୍ଧବ, କୁଟୁମ୍ବ ମାନଙ୍କ ସାହାଯ୍ୟ ନେଇ ତା’ର ଦ୍ୱିତୀୟ ପୁଅ ଲିଟୁ, ତୃତୀୟ ପୁଅ ମଣ୍ଟୁ ଏବଂ ବଡ ଝିଅ ଆଲିସା କୁ ପାଳିଲା, ନଣନ୍ଦ ର ବାହାଘର କଲା । ଲିଟୁ ଟି ପାଠ ପଢାରେ ଦୁର୍ବଳ ଥିଲା, ତେଣୁ ଅଧାରୁ ପାଠଶାଠ ଛାଡି କାମଧନ୍ଦା କରିବାକୁ ଲାଗିଲା । ମଣ୍ଟୁ ଟି ଥିଲା ବୁଦ୍ଧିମାନ୍। ଭଲ ପାଠ ପଢୁଥିଲା ଏଭଲି ମଣିଷ ଟିଏ ହେବାର ଆଗ୍ରହ ଥିଲା ତା’ର । ମାଆ ର ଦୁଃଖ କୁ ତିଳେତିଳେ ଅନୁଭବ କରିଥିଲା ସିଏ । ତେଣୁ ସବୁବେଳେ ଭାବୁଥିଲା କେମିତି ହେଲେ ବି ସେ ପାଠଶାଠ ପଢି ବଡ ମଣିଷ ହେବ, ମାଆ କୁ ଦୁନିଆଁ ର ସବୁ ସୁଖ ଦେଇ ସୁଖୀ କରିବ। ପ୍ରାଇମେରୀ ସ୍କୁଲ୍ ପର୍ଯ୍ୟନ୍ତ ପାଠ ମାଗଣା । ଖୁବ୍ ମନଲଗାଇ ପଢିଲା ମଣ୍ଟୁ । ସିଏ ପ୍ରାଇମେରୀ ସ୍କୁଲ୍ ପଢା ସାରିଲା ବେଳକୁ ମୋ ସ୍ବାମୀ ଥାଆନ୍ତି ନୂଆବଜାର ହାଇସ୍କୁଲର ସେକ୍ରେଟେରୀ ।ଦିନେ ଆସି କହିଲା “ ବଡ ବାପା ! ମୁଁ ହାଇସ୍କୁଲରେ ପଢିବି , ଘରେ ତ ବୋଉ ଯାଇ ପାରିବନି, ତମେ ମୋ ନାଆଁ ଲେଖେଇଦେବ ଚାଲ । ଇଏ ସାଙ୍ଗରେ ନେଇ ଗଲେ ତା’କୁ ସ୍କୁଲ୍ କୁ ।

ପ୍ରଧାନ ଶିକ୍ଷକ ପଚାରିଲେ ତା’କୁ “ ତୁମ ବାପାଙ୍କ ନାଁ କ’ଣ ? “ ମଣ୍ଟୁ ୟାଙ୍କୁ ଦେଖାଇ ଦେଲା, କହିଲା ମୋ ବାପା ଙ୍କ ନାଁ

“ ବିଜୟ କୁମାର ଦାସ୍ “ । ଇଏ ହସିଲେ, ସ୍କୁଲ୍ ଖାତାରେ ବାପା ନାଁ ଯାଗାରେ ୟାଙ୍କରି ନାଁ ଲେଖା ହେଲା । ମଣ୍ଟୁ ପାଠ ପଢିଲା । ସ୍କୁଲ୍ ଫିସ୍ ପଡିଲାନି , ସାର୍ ମାନେ ସମୟରେ ସମୟରେ ପାଠ ବୁଝାଇ ଦେଉଥିଲେ, ମୋ ଝିଅ ଥିଲା ମଣ୍ଟୁ ର ଉପର କ୍ଲାସ୍ ରେ, ସେଇ ପଢେଇଲା ତା’କୁ , ପ୍ରତିବର୍ଷ ତା’ର ପୁରୁଣା ବହିପତ୍ର, ନୋଟ୍ ଖାତା ସବୁ ଦେଇ। ମାଟ୍ରିକ ପରୀକ୍ଷାରେ ଫର୍ମ ପୂରଣ ହେଲା ବେଳକୁ ୟାଙ୍କ ନାଆଁ ହଟାଇ ବିମ୍ବାଧର ଙ୍କ ନାମ ବସିଲା ମଣ୍ଟୁ ର ବାପା ଭାବରେ। ମଣ୍ଟୁ ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି ପାଶ୍ କରିଥିଲା । ଇଏ ତା’କୁ କଟକ କଲେଜ୍ ରେ ପଢିବା ପାଇଁ କହିଲେ, ସେ କିନ୍ତୁ କହିଲା , “ ନାଇଁ ବଡବାପା, ଏବେ ମୁଁ ନିଜେ କିଛି କାମ କରିବି ଆଉ ସେଇ ପଇସା ରେ ପଢିବି “ । ମାଆର ସଂସ୍କାର ନେଇ ସିଏ ଏତେ ସୁନ୍ଦର କଥା କହୁଥିବାରୁ ସମସ୍ତଙ୍କୁ ଖୁସି ଲାଗୁଥିଲା । ମଣ୍ଟୁ ନିଜେ ରୋଜଗାର କରି ନିଜେ ପାଠ ପଢିଲା, କୌଣସି କାମକୁ ଛୋଟ ବୋଲି ଭାବିଲାନି, ଆଜି ସିଏ ଗୋଟିଏ ବଡ କମ୍ପାନୀ ର ଅଫିସର୍ ପଦରେ ଅଧିଷ୍ଠିତ । ଘରଦ୍ବାର କୋଠାବାଡି ସବୁ କରିଛି, ମାଆକୁ ସଂସାର ର ସବୁ ସୁଖ ଦେବାକୁ ଚେଷ୍ଟା ଅବ୍ୟାହତ ରଖିଛି ଏବେ ବି। ଅନ୍ୟ ଭାଇମାନେ ମଧ୍ୟ ନିଜ ନିଜ ଜୀବନ ଜିବୀକା ନେଇ ସନ୍ତୁଷ୍ଟ । ସମସ୍ତଙ୍କୁ ବାହାସାହା କରି ଦେଇ ନିଜ ସଂସାର ନେଇ ଚଳିବାକୁ ସ୍ୱାଧୀନତା ଦେଇଥିଲେ ମଧ୍ୟ ବିନତି ନିଜେ ଦାୟିତ୍ଵ ମୁକ୍ତ ହୋଇ ପାରିନି ଆଜି ଯାଏଁ । ମାଆ ମନ ତା’ର ତା’କୁ ଦାୟିତ୍ଵ ମୁକ୍ତ ହେବାକୁ ଦେଉନି । ପନ୍ଦର ବର୍ଷର ସେ ବୋକି ଝିଅ ସଂସାରର ଝଡଝଞା କୁ ସାମନା କରିକରି ଆଜି ବାଆଷଠି ବର୍ଷ ରେ ପାଦ ଦେଲାଣି,

ଶରୀର ଜବାବ ଦେଲାଣି, କିନ୍ତୁ ମନ ହାରିବାକୁ ଚାହୁଁନି । ମାଆ କୁକୁଡା ଭଳି ଡେଣା ତଳେ ଢାଙ୍କି ଖରାବର୍ଷା ଦାଉରୁ ରକ୍ଷା କରିବା ଲାଗି ସେ ଏବେ ବି ସତତ ଚେଷ୍ଟିତ । ତା’ର ଜିଜ୍ଞାସା ଦେଖି ମୁଗ୍ଧ ହେଲି ମୁଁ ।

ସାନ ଯାଆ ସାନ ଭଉଣୀ ସମାନ ହେଲେ ବି ମୋ ମଥା ନଇଁ ଯାଉଥିଲା ସେଇ ସ୍ୱୟଂସିଦ୍ଧା ବିନତି ପାଖରେ।

ବିନତି ବିମ୍ବାଧର ସ୍ୱୟଂସିଦ୍ଧା

Rate the content


Originality
Flow
Language
Cover design

Comments

Post

Some text some message..