ବୋଲବମ
ବୋଲବମ
ଶ୍ରାବଣର ପାଣି ଭାର ନେଇ ଯାଉଥିଲା କାଉଡିଆ ସାଜି ଜଳାଭିଷେକ କରିବ ଶେଷ ସୋମବାର ନଟିଆ । ସାଙ୍ଗରେ ଥିଲେ ଗାଁ ଟା ଯାକର ସବୁ ମଦନ ଜଗୁଆ ମାଧବ ସୋମୁ ଏମିତି କୋଡ଼ିଏ ସରିକି ସାଙ୍ଗ । ସାହାଯ୍ୟ କରିବା ପାଇଁ ପାଲ ଟଣା ମିନିଟ୍ରକରେ ଯାଇଛନ୍ତି ସାମନା ବୁଲୁ ଆଉ କାହାଳୀ. ଏମାନେ ଆଗେ ଆଗେ ଯାଇ ରୋଷେଇ କରିବେ ଛକ ଜାଗା ଦେଖି ,କା ଦେହ ପା ଖରାପ ହେଲେ କି କିଏ ଚାଲି ନପାରିଲେ ସାହାଯ୍ଯ କରିବେ,ସାହାଯ୍ଯ କରିବେ କା ବାଉଙ୍ଗୀ ଛିଡିଲେ।
ରାତି ହେଲା, ରାସ୍ତା ଆଉ ଇଶାଣେଶ୍ୱର ମନ୍ଦିରକୁ ଆହୁରି ଦାଶ ବାର ମାଇଲି ପାଖ ପାଖି । ରହିଲେ ରାସ୍ତା କଡରେ ଏକ ବିଦ୍ୟାଳୟ ବାରଣ୍ଡାରେ । ସେଠି ଆଗରୁ ଆହୁରି ଦି ଦଳ କାଉଡିଆ ଭକ୍ତ ଥିଲେ ସମସ୍ତଙ୍କର ତିନିଟା ଗାଡିରେ ବନ୍ଧା ହୋଇଥିବା ମାଇକରେ ଶିବଙ୍କର ଭଜନ ଜଣାଣ ଚାଲିଛି. ବିଶ୍ରାମ ସ୍ଥଳରେ ରୋଷେଇ ବାସ ହେଲା ,ଥକି ଯାଇଥିଲା ନଟିଆ ଶୋଇପଡ଼ିଲା । ସାମନା ଖାଇବାକୁ ଡାକିବାରୁ ଉଠି ସ୍ନାନ ସୌଚ ହେଇ ଖାଇବସିଲା । ଗଞ୍ଜେଇ ଧୂଆଁ ତା ନାକରେ ବାଜିଲା ବ୍ୟତିବ୍ୟସ୍ତ ହେଇଗଲା ସେ । ପ୍ରଥମକରି ଆସିଛି ସତର ବର୍ଷର ନଟିଆ ।ଜାଣିନି ଗଞ୍ଜେଇ ମହାଦେବଙ୍କ ମହାପ୍ରସାଦ ବୋଲି । ଧୂଆଁରେ ଭଲ କି ଗଣ୍ଡା ଖାଇପାରୁନି ସେ । ବିଦ୍ୟାଳୟ ପଡ଼ିଆକୁ ଦେଖିଲା ଆହୁରି ପନ୍ଦର କୋଡ଼ିଏ ଦଳ ପହଂଚି ସାରିଛନ୍ତି, ଭଜନ କୀର୍ତ୍ତନରେ ଫାଟି ପଡୁଚି ପରିବେଶ ।କେଇ ଦଳ ଖାଇଲେଣି କାହାର ଚୁଲି ଜଳୁଚି । ପ୍ରକୃତିସ୍ଥ ହେଲା । ଏବେ ଗଞ୍ଜେଇ ଧୂଆଁ ତାକୁ ଏତେ ଖରାପ ଲାଗୁନି । ବାଉଙ୍ଗୀ ଝୁଲୁଛି କନିଅର ଗଛରେ । ଶୋଇବାକୁ ଚେଷ୍ଟା କଲା ଡାକିଲା ମଦନକୁ,ଶୋଇଲେ ଗୋଡା ପକାପାକି ହେଇ । ଦଳେ ମଦ ପିଉଛନ୍ତି ପାଖରେ । ପାଗ ଭଲ ଦେଇଛି ବର୍ଷା ନାହିଁ । ମଦନ ଚାହୁଁ ଥିଲା ମଦ ବୋତଲକୁ,ଲୋଭ ହଉଚିକି ପଚାରିଲା ନଟିଆ ? ହସିଦେଲା ମଦନ,ହସିଲା ନଟିଆ । ଶୋଇଲେ ଦୁହେଁ କାଲି ପୁଣି ଚାଲିବାକୁ ଅଛି । ନାକରେ ବାଜୁଥିଲା ଧୂଆଁ ଆଉ ମଦର ଗନ୍ଧ କାନ ଫାଟୁଥିଲା ମାଇକର ଉଚ୍ଚାଙ୍ଗ ସ୍ଵରରେ,ନିଦ ମାଉସୀ ଜଡ଼େଇ ନେଲା ନଟିଆ ଆଉ ମଦନକୁ,ଶୋଇଛନ୍ତି ଲଗାଲଗି ହୋଇ ।
ବାଳ ସୂର୍ଯ୍ୟର କିରଣ ବିଚ୍ଛୁରିତ ଚତୁର୍ଦିଗ । ଖଣ୍ଡେ ଖଣ୍ଡେ ବଉଦ ଭାସି ଲୁଚେଇବାକୁ ଚେଷ୍ଟା କରୁଛି ସକାଳର ମୁରୁଜ । ପକ୍ଷୀମାନେ ଉଡିଗଲେ ଖାଦ୍ୟ ଖୋଜା ଆସେ । ଚାଷୀ ଆଣ୍ଠେଇଲେଣି କାଦୁଆ ବିଲରେ । ଦେବଦୁର୍ଲଭ ସକାଳ ନଟିଆ ଆଉ ମଦନର,ଥକା ପଣ ମେଣ୍ଟାଇଛି ରାତି, ଭାରି ଖୁସି ଅଛନ୍ତି ଦୁହେଁ । ଚାଲୁଛନ୍ତି ବାଟ ସତେକି ନନ୍ଦୀ ଭୃଙ୍ଗୀ କାଳିଆ କସରା ସତର ବର୍ଷର ଦାନ୍ତେଇ ନଥିବା ଛଡା ପିନ୍ଧିଛନ୍ତି ଗେରୁଆ ପେଣ୍ଟ୍ ଗଞ୍ଜି ତା ସାଙ୍ଗକୁ ଗେରୁଆ ଗାମୁଛା କାନ୍ଧରେ ଶିବ ବାଉଁଙ୍ଗୀ ଝୁଲୁଛି କଳସ ନଡ଼ିଆ ଫୁଲ ବେଲପତ୍ର । ମୁହଁର ରୂପକାନ୍ତି କେତେ ଶାନ୍ତ କେତେ ସୁଧାର ଅନନ୍ୟ କିଶୋର ରୂପ ମୁନି ମନ ଲୋଭା । ଉନ୍ମାଦିତ ପ୍ରାଣ ଦ୍ୱୟ, ନିଶ ଉଠି ନଥିବା କିଶୋର ବାଳକ ସତେକି ପାଇଛନ୍ତି ନୂଆ ରାହା ନୂଆ ଠିକଣା । ପହଁଞ୍ଚିଲେ ଶିବାଳୟ । ଦିନ ରତରତ,ବାଟେ ହେଇନି ଅସୁବିଧା କିଛି । ମଧ୍ୟାହ୍ନ ଦେଇଛି ସାମନା,ଦେଇଛି ଶୋଷ କଲେ ପାଣି ମଝିରେ ମଝିରେ । ଆଜି କାହିଁ ଦିନମାନ ଚାଲି ଥକୁ ନାହିଁ ଦେହ ,ଖୋଜୁଛନ୍ତି ରାତି ନଟିଆ ମଦନ । ଭୁଲିଗଲେ ସବୁ, କଣ ଦେଖୁଛି ନେତ୍ର କି ଉଦଣ୍ଡ ପରିବେଶ, କି ତାଣ୍ଡବର ଡମ୍ବରୁ ବାଜୁଛି । ହାଜର ହଜାର ଗେରୁଆଧାରିଙ୍କ ସମାଗମ ବାଉଁଙ୍ଗୀ କାନ୍ଧରେ , ନାହିଁ ବୟସର ତାରତମ୍ୟ ନାହିଁ ଜାତି ଅଜାତି ବାଦୀପାଲା ନାହିଁ ଦେଇଗଲା ନେଇଗଲାର ଭାବ । ସମସ୍ତେ ଯେପରି ମନ୍ତ୍ରମୁଗ୍ଧ । ମନ୍ଦିର ବେଢା ପାଖ ପଡ଼ିଆକୁ ପସୁଛନ୍ତି ସହସହ ଭକ୍ତ ବନ୍ଯାର ନଇ ସୁଅ ପରି । ମାନୁନି ବନ୍ଧବାଡ଼ ଭକ୍ତ ବନ୍ୟା ଉଜାଣି ବହୁଛି........ ।
ଲୋକାରଣ୍ୟ, ଇଶାଣେଶ୍ୱର ପଡିଆ ନୀଳ ବର୍ଣ୍ଣ ପାଲଟିଛି ଗେରୁଆ ଗେରୁଆ, ଘାସୁଆ ବାସନା ବଦଳିଛି ଗଞ୍ଜୁଆ ଗଞ୍ଜୁଆ । ଧୂଆଁ କାଟୁଛି କୁଣ୍ଡଳୀ ଗଗନକୁ.. ଉପରକୁ ଉପରକୁ । ସଞ୍ଜ ନଇଁ ରାତି ହଉଛି ଘନ ଅନ୍ଧାରୁଆ । ଅନ୍ଧାରୁଆକୁ ଚିରୁଛି ଅନ୍ଧାର ଠାଏ ଠାଏ ମାଇ ଆଲୁଅରେ...... ଆଲୁଅ
ଭେଦୁଛି ଅନ୍ଧାର କୋଣରୁ କୋଣକୁ । ଖଂଜଣୀର ଝଣଝଣ ବଇଁଶୀର ସରୁ ତାନ ଗିନି ମୃଦଙ୍ଗର ମତାଲୁଆ ତାଳ ଉଠାପକା କରେ ଶିବ ଜଣାଣରେ । ବୋଲବମ୍ ହରହର ବମ୍ ଉଛୁଳେ ଗଗନ ପବନ । ସାତ୍ୱିକ ଭୋଜନ ଅପେକ୍ଷା କରେ ହରିବାକୁ ଦେହର ଦରଜ । କିଏ ପୁଣି ଢୋଳେଇ ପଡି ଚିହିଙ୍କି ଯାଇ ଉଣ୍ଡାଳେ ବାଉଁଙ୍ଗୀ । କୋଉଠି ନାଚୁଛନ୍ତି ପଲ୍ଲେ ଶିବଙ୍କ ବାୟାରେ ମାୟାରେ ଏକଦମ୍ ମସଗୁଲ୍ ।
ଭେଟିବାକୁ ପାଗଳ ସମସ୍ତେ ଆସନ୍ତା କାଲିର ପ୍ରତ୍ୟୁଷ। ଯହିଁହେବ ସୋମବାର, କରିବେ ଜଳାଭିଷେକ ଦେବ ଦେବ ମହାଦେବ।
ନିଦ ହଉନି ନଟିଆକୁ ବୁଲୁଛି ରାତି ସାରା ମଦନ ସହିତ ଏ ଦଳ ପାଖରୁ ସେ ଦଳ, ଦେଖୁଛନ୍ତି ଭଜନ କୀର୍ତନ ଗଞ୍ଜେଇ ଟଣା ଆଉ ମଦପିଆ, କିଏ ଯାଚିଲେ ପ୍ରସାଦ ହଉଛନ୍ତି ହସାହସି କାହିଁକି ଯାଉଛନ୍ତି ଅନ୍ଧାରକୁ ଦୁହେଁ । ତାଙ୍କ ପାଦ ଯାଏ ଅନ୍ଧାରକୁ ଆପେ ଆପେ । ଯାଣନ୍ତି ନାହିଁ ସେ ଦୁହେଁ କି ପରିବର୍ତ୍ତନ ହେଉଛି ତାଙ୍କ ଦେହର ମାନର...।
ଗାଧେଇ ଭୋଓରୁ ପାଖ ପୋଖରୀରେ ପିତ୍ତଳ ନୋଧାରେ ଢାଳିଲେ ଜଳ, ଗାଧୋଇଲେ ଶିବ ଗାଁ ଶିବ ମନ୍ଦିର ବେଢା ନଇଘାଟରୁ ଆଣିଥିବା ପାଣିରେ । ପୂର୍ଣ୍ଣ ହେଲା ଶ୍ରାବଣର ଜଳ ଅଭିଷେକ, କି ଖୁସି କି ଅପାର ଆନନ୍ଦ ନଟିଆ ମଦନର । ଫେରିଲେ ବସିକି ନେଇଥିବା ପାଲ ଟଣା ମିନି ଟ୍ରକରେ, ଯୋଉଠି ବାଜୁଛି ବାଟସାରା
କୈଳାସ ପତି ଗତି ମୁକତୀ......
କାଉଡିଆ ରାଜା.......
ଏମିତି ଏମିତି ଅନେକ ଶିବଙ୍କୁ ସୁହାଇଲା ଭଳି ଉଦଣ୍ଡ ଔଧତ୍ଯ । ଗାଡିରେ ପାଖାପାଖି ବସିଛନ୍ତି ନଟିଆ ମଦନ ବାଜୁଛି ଜଂଘ ଗୋଡହାତ ମୁଣ୍ଡ କାନ୍ଧ ଦୁହେଁ ଦୁହିଁଙ୍କର । କାହିଁକି ହସନ୍ତି ମୁରୁକି ଜଣା ତାଙ୍କୁ ଏକା ।
ସେଇଦିନୁ କେହି ଦେଖି ନାହିଁ ଏକା ନା ନଟିଆ ନା ମଦନ ଯୁଆଡେ ଯାଆନ୍ତୁ ଦୁଇ ଜଣ ସିଏ ।
ଗାଁ ଚଉତରାରେ ତାସ ଖେଳବେଳେ ଯାନ୍ତି ଦୁହେଁ ଶିବମନ୍ଦିର ନଇପଠା ସାଙ୍ଗହେଇ ସାମନା କହିଲା ବୋଲବମ୍ ରୁ ଆସିଲା ଦିନରୁ ମଦନ ନଟିଆର ସାଙ୍ଗ ବହୁତ୍ ବଢିଛି, ଜଗୁଆ କହିଲା ମୁଁ କାଲି ଦେଖିଥିଲି ବଜାରର ଗଞ୍ଜେଇ ଗଳିରେ ସେହି ବାଟ ଦେଇ ଆସୁଥିଲେ ପରା କାହାଳି କହିଲା ମୁଁ ବି ଦେଖିଛି ଦୁହେଁ ବାରମ୍ବାର ଆସୁଛନ୍ତି ଖୋଲା ମଦ ଦୋକାନ ସେପଟୁ ବସୁଛନ୍ତି ନଇ ଅତଡାରେ ସମସ୍ତଙ୍କୁ ଲୁଚେଇ ଲୁଚେଇ ଖରାବେଳ ପୁଣି ମୁହଁ ସଞ୍ଜବେଳେ.....।
(ଗଳ୍ପ - ଯୁବସମାଜ ଉପରେ ବୋଲବମ୍ ପ୍ରଭାବ)
ପ୍ରତାପ ନାୟକ,,,,
7008054282