Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Others Tragedy

3  

Satyabati Swain

Others Tragedy

କୈବଲ୍ୟ

କୈବଲ୍ୟ

5 mins
7.3K


ଟାୱାର୍ ଫେଲ୍ ଥିଲା ଆସିଗଲା ବୋଧେ । ପୁଣି ଫୋନ୍ ରିଙ୍ଗ ହେଲା । ସେଇ ଏକା ଅନ ନୋନ୍ ନମ୍ବର ।ବିରକ୍ତିରେ ଚଢା ଗଳାରେ ରାଗିଣୀ କହିଲା ---କିଏ ?କାହିଁକି ବାରମ୍ବାର କଲ୍ କରୁଛନ୍ତି ?କୁହନ୍ତୁ କଣ କାମ ଥିଲା ?

ନୀରବରେ କଟି ଗଲା କିଛି ସମୟ । ରାଗିଣୀ ଅଗତ୍ୟା ସୁଇଚ୍ ଅପ୍ କରି ବାକୁ ଗଲା ବେଳକୁ ଭାସି ଆସିଲା****"ଆ ଲେକେ ତୁଝେ ମେ ଚଳତା ହୁଁ ଏସି ଗଗନ୍ କି ତଲେ,ଯାହାଁ ତୁମ୍ ଭି ନେହି ଯାହାଁ ହମ୍ ଭି ନେହିଁ ବାସ୍ ପ୍ୟାର ହି ପ୍ୟାର ପଲେ"

ଚମକି ପଡିଲା ରାଗିଣୀ ! ଫୋନ୍ ସେପଟେ କିଏ ? କିଏ କୋରୁଛି ତାର ଶୁଖିଲା କ୍ଷତ ! ଏ ଗୀତଟି ତା ମଲା ଅତୀତର ଛିଣ୍ଡା କିନ୍ତୁ ଅତି ଲୋଭନୀୟ ପୃଷ୍ଠାଟିଏ । ତା ପ୍ରିୟ ଗୀତ ଜଣଙ୍କ କଣ୍ଠରୁ ଝରୁଥିଲା ତା ପାଇଁ । ବେଳେ ବେଳେ ଅତୀତଟା ଏମିତି ଛିଡା ହୁଏ ଆଗରେ ପଥ ଓଗାଳି । ଆଗକୁ ବଢ଼ିବାରେ ପାହାଡ଼ ପରି ବାଧା ଦିଏ । ବର୍ତ୍ତମାନ ଆଖିରୁ ଲୁହ ନୁହେଁ ଲହୁ ନିଗା ଡେ । କୁହନ୍ତି ଅତୀତ ଦୁଃଖ, ଲୁହ ଦିଏ । ତାକୁ ଭୁଲିବା ଉଚିତ ।ସତରେ କଣ କେହି ତା ସୁଖ ହେଉ ବା ଦୁଃଖ ଅତୀତକୁ ଭୁଲି ପାରିଛି ? ହଁ ଭୁଲିବାର ଛଳନା,ଅଭିନୟ କାରାଯାଇପାରେ.......କେବଳ ।

ତା ଭାବନାରେ ପୂର୍ଣ୍ଣ ଛେଦ ଟାଣି ଭାରି ଓଦା କଣ୍ଠରେ ସେପଟୁ ଶୁଭିଲା----ମୁଁ......ମୁଁ.. ରାଗିଣୀ ।

ମୁଁ....? କେଉଁ ମୁଁ....?

ମୁ.ଉଁ ଉଁ....ପ୍ରସାଦ । ତୋ ପ୍ରସାଦ ମିଶ୍ର।ଫିଜିକ୍ସ ଅନର୍ସ,ରେଭେନ୍ସା କଲେଜ....ବୁର୍ଲା ମେଡିକାଲ୍ କଲେଜ..... ହ୍ଵାଟ୍ ରାବିସ୍ ! ମୋ ପ୍ରସାଦ ! ମୁଁ କେଉଁ ପ୍ରାସାଦକୁ ଜାଣିନି । ମୋ ପ୍ରସାଦ ତ କେବେଠୁ କୈବଲ୍ୟ ପାଲଟି ଗଲାଣି । ଏବେତ ମୋ ପେଟ ପୁରେ କୈବଲ୍ୟ କଣିକାରେ । ପ୍ରସାଦ ଖାଇବାକୁ ଅପେକ୍ଷା ବା ମୋ ଯୋଗ୍ୟତା କାଇଁ? --କହିଲା ରାଗିଣୀ ।

ଠିକ୍ ରାଗିଣୀ । ତୋ ଅଭିମାନ ତୋ ସ୍ଥାନରେ ଠିକ୍ । ତେବେ ମନ ବହୁତ ଚାହୁଁ ଥିଲା ତୋତେ ଦେଖିବାକୁ,

କଥା ହେବାକୁ ।କାଲି ଦୈବାତ ଝିଅକୁ ରେଭେନ୍ସା ରେ ଆଡ଼ମିସନ୍ କରି ଫେରିଲା ବେଳେ ତୋ ସହ ଦେଖା ହୋଇଗଲା । ଦୋ ଦୋ ଚିହ୍ନା ହେଲି ।ଅଫିସ ଯାଇ ତୋ ବିଷୟରେ ଡିଟେଲସ୍ ଜାଣିଲି ।ତୁ ଏଇ ଶହୀଦ ନଗର,ଭୁବନେଶ୍ୱର ମୋର ଏତେ ପାଖରେ ଅଛୁ?ଅଥଚ ଅନେକ ବର୍ଷ ଧରି ଆମର ଦେଖା ହେଇ ପାରୁନି ।ମୁଁ ଭୁବନେଶ୍ୱର ଏ ମ ସ୍ ରେ ଅଛି।

ତୋତେ ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି !ରାଗିଣୀ !କେତେ ସୁନ୍ଦର,ସ୍ମାର୍ଟ,ରିଜର୍ଭ ହେଇ ଯାଇଛୁ ତୁ ୟା ଭିତରେ ! !ବୟସ ହାର ମାନିଛି ତୋ ପାଖରେ।ଲାଗୁନି ହେଇଥିବ ତୋତେ ତେୟାଳିଶ ବର୍ଷ !!

ହେ...ହେ... ରାଗିଣୀ ଫୋନ୍ ରଖିବୁନି ।ମୁଁ ଜାଣେ ତୁ ଭାରି ରାଗି । ପ୍ଲିଜ୍....ଅନେକ କଥା ତୋତେ କହିବାର ଅଛି ।

ବ୍ୟସ୍ତ ଓ ବିବ୍ରତ ହୋଇ ରାଗିଣୀ କହିଲା--କଣ ଇଆଡୁ ସିଆଡୁ ଗପୁଛନ୍ତି ପାଗଳ ପରି ।କିଏ ପ୍ରସାଦ କହିଲି ତ ମୁଁ ଜାନିଣି । ଏମିତି ନାମ ମୋ ଜୀବନରେ ଆସିନି କେବେ । ଦୟାକରି ଫୋନ ରଖନ୍ତୁ ...

ରା... ଗି... ଣୀ... ! !ପ୍ଲିଜ୍...ପ୍ଲିଜ୍...ପ୍ଲିଜ୍ । ତୁ ମୋତେ ରାଗିବା ସ୍ୱାଭାବିକ,ନ ଚିହ୍ନିବା ବି ଭୁଲ ନୁହେଁ । ମୋ ପରି ସ୍ୱାର୍ଥ ସର୍ବସ୍ୱ ମଣିଷ କୁ କିଏ ବା ବନ୍ଧୁ କହିବ,ଚିହ୍ନିବ !!

ହେଲେ କହରେ ! ତୁ ଖୁସିରେ,ଭଲରେ ଅଛୁ ତ ! ତୋତେ ଦେଖିଲା ପରେ ମୋତେ କେମିତି ଲାଗୁଛି ତା ପାଇଁ ଭାଷା ଖୋଜି ପାଇବା ମୁସ୍କିଲ । ଫୋନ୍ କାଟି ଦେଲେ ମୁଁ ଦି ଗଡ଼ ହୋଇଯିବି ।

ତୁ ତ ଏବେ ନାମୀ ଦାମୀ କଲେଜର ଉପାଧ୍ୟକ୍ଷା । ମୋ ଝିଅ ତୋରି କଲେଜରେ+2 ଆଡମିସନ୍ ନେଇଛି । ତୋ ବିଷୟରେ କିଛି କହ । ନଲେ ଏମିତି କର ବହେ ଗାଲିଦେ,କିନ୍ତୁ କିଛି କହ.....

ଧପ୍ କରି ଜଳିବା ଶିଖାଟା ଲିଭଗଲା ଯେପରି ରାଗିଣୀର ।

ଏତେ ଆର୍ଦ,ଏମିତି ଭାରି କଣ୍ଠ କାହିଁକି ପ୍ରାସାଦର ? କଣ କହିବି ସେ ତାକୁ !! ଗୋଟେ ଭୀରୁ ପଳାୟନ ପନ୍ଥୀକୁ !! କେଜାଣି ଅସୁସ୍ଥ ଅସୁସ୍ଥ ହୋଇ ପଡ଼ିଲା ରାଗିଣୀ ।

ଏଇ ତା ପରୁଷ ବନ୍ଧୁ ଯାହା ସହ ଅନେକ ଆଗକୁ ଚାଲି ଯାଇଥିଲା କେବେ । ଚାହିଁଲା ଦେହକୁ କେଉଁଠି ଛୁଇଁ ନ ଥିଲା ପ୍ରସାଦ ! ଏଇ ହାତ ପାପୁଲି....କେତେ ଚୁମା ଖାଇଛି ପ୍ରସାଦ ଠାରୁ।ଏ ଗାଲ....କେତେ ଛୁଇଁବାର ବାହାନାରେ ଟିପିଛି ପ୍ରାସାଦ ! ଏ ଚୁଟି ! ବେଶୀ ଲାଗେ ଏଥିରେ ପ୍ରାସାଦ ।କୁହେ "ତୁମ ଚୁଟିର ବାସ୍ନା"ମୋତେ ରଖେଇ ଦେଉନି ।

ଏବଂ ଆଖି !!ସବୁଠାରୁ ଫାଜିଲି ତୁମ ଆଖି ରାଗିଣୀ !ବହି ଖୋଲିଲେ ଆଖି !ଶୋଇଲେ ଆଖି !ଖାଲି ଆଖି...ଆଖି।ଇସ !ମାଟିଆ ଆଖି ଦିଟା ସମ୍ପୂର୍ଣ୍ଣ ନିଆରା ତୁମର । ତୁମର ଏ ଆଖି କେଉଁ ଦିନ ମୋତେ ଡୁବେଇ ମାରିବ, ରାଗିଣୀ---କହୁଥିଲା ପ୍ରସାଦ ।

"+3 ଦ୍ଵିତୀୟ ବର୍ଷ ମେଡିକାଲ ପାଇଗଲା ପ୍ରସାଦ ।ରାସ୍ତା ଭିନ୍ନ ହୋଇଗଲା ।ରାଗିଣୀ ରେଭେନ୍ସାରେ ପ୍ରାସାଦ ବୁର୍ଲା ମେଡିକାଲ କଲେଜରେ ।

ପାଖରେ ଥିଲା ବେଳେ ପ୍ରସାଦ ଏତେ ପାଖରେ ପହଞ୍ଚି ପାରି ନଥିଲା ରାଗିଣୀର । କିନ୍ତୁ ଦୁରେଇ ଗଲା ପରେ ବହୁତ ପାଖକୁ ଚାଲି ଆସିଲା ପ୍ରସାଦ ।

ମନଟା ସେମିତି ପାଖରେ ଥିଲେ ଏତେଟା ଗୁରୁତ୍ୱ ଦିଏନି । ଦୁରେଇ ଗଲେ ପାଗେଳି ହେଇଯାଏ । ଆଖି,ମନ ଛଟ ପଟ ହୁଅନ୍ତି ଦେଖିବାକୁ ।ନିମିଷେ ସମୟ ଯୁଗେ ଲାଗେ ।ଓହୋ... କି କଷ୍ଟ !କି ହଲ ଚଳ ହୁଏ ଛାତି ଭିତର !!ସେମିତି ହେଲା ରାଗିଣୀର ।

।ପନ୍ଦର ଦିନରେ ପ୍ରସାଦ ଆସିବା ନିଶ୍ଚିନ୍ତ ରାଗିଣୀ ପାଖକୁ ।ରେଭେନ୍ସା ଲେଡିଜ ହଷ୍ଟେଲ ଆଗ ଦେବଦାରୁ ଗଛ ତଳେ ଦେଖା,ବସା, ଗପା ଗପି,ହସାହସି,ଆଉରି କେତେ କଣ.....ସକାଳୁ ସଂଜ ହୋଇଯାଏ ମାଲବାର କେଫ୍ ରେ ।ଉଭୟ ସେ ଦିନଟିକୁ ମନ ଭରି ମଜାରେ କଟାନ୍ତି ।ନିୟମ ଅନୁଯାୟୀ ସନ୍ଧ୍ୟା ପୂର୍ବରୁ ରାଗିଣୀ ଫେରେ ହଷ୍ଟେଲ,ପ୍ରସାଦ ଟ୍ରେନ ଧରେ ବୁର୍ଲା ।

ଏବେ ସେଇ ରେଭେନ୍ସା ଅଛି।ନାହିଁ ଦେବ ଦାରୁ ଗଛ ।ବାତ୍ୟାରେ ଉପୁଡି ପଡିଛି ।ହେଲେ ସେ ଜାଗାଟି ସେମିତି ଅଛି ।ସେ ପଟେ ଗଲା ବେଳେ ଦେଖା ଯାଏ ଦୁଇଟି ମୁହଁ ।ରାଗିଣୀ-ପ୍ରସାଦର ।

ଦୁଇ ବର୍ଷ ପରେ ରାଗିଣୀ ଜେ ଏନ ୟୁ ରେ ପିଜି କରେ । ଦୁହିଁଙ୍କ ଭିତରେ ଦୂରତା ବନ୍ଧୁତା ସୃଷ୍ଟି କରେ କି" ସମୟ "ବୁଝି ପାରେନି ରାଗିଣୀ ! ପ୍ରସାଦ ଯେ ତା ଠାରୁ ଦୂରେଇ ଯାଉଛି ଏଇଟା ସେ ଅନୁଭବ କରେ,ବୁଝି ପାରେ ।ଅପେକ୍ଷା ରଖେ..ଅବସ୍ଥାକୁ ବୁଝିବାକୁ ଚେଷ୍ଟା କରେ ସେ ।

କିନ୍ତୁ ମନ !ସେ ବୁଝେନି,ଝୁରେ ।ଅପେକ୍ଷା ରଖେନି ଧୈର୍ଯ୍ୟ ଚ୍ୟୁତି ଘଟେ ତାର ।ଆପଣାର ଲୋକର ଅଣ ଦେଖା ଭାରି ବାଧେ ମନକୁ । ଝରି ପଡେ ଲୁଣି ଖାଇବା କାନ୍ଥ ପରି ।କାରଣ ଖୋଜେ.....

ଖାସ୍ ପ୍ରସାଦ ସଙ୍ଗେ କଥା ହେବା ପାଇଁ ଟିଫିନ ନ ଖାଇ ସଞ୍ଚୟ କଲା ରାଗିଣୀ ପଇସା ଫୋନ ଟିଏ କିଣିବ ।ତେବେ ବି ନିଅଣ୍ଟ । ବାପା ଅଯଥା ଖର୍ଚ୍ଚ ପାଇଁ ଦେବେନି ।ସେମିତି ଆର୍ଥିକ ସ୍ଵଛଳ ନୁହନ୍ତି ସେମାନେ ।ବହୁ କଷ୍ଟରେ ଧାର କରଜ କରି ପଢ଼ାଉଛନ୍ତି ଏତେ ଦୂର ପୁଣି ଏଡ଼େ ବଡ଼ କଲେଜରେ ।ଏଣୁ ଉପାୟ ପାଞ୍ଚିଲା ଫୋନ ଟିଏ ନିତାନ୍ତ ଦରକାର ।ଦେଖା ନ ହେଉ ପଛେ କଥା ହୋଇ ଖୁସି ହେବ ତ?ନଚେତ ପଢି ପାରୁନି ଯେ......ପ୍ରସାଦ ଚିନ୍ତାରେ ।ଆବୁରି ବସିଛି ମନ,ଆତ୍ମା ଓ ମସ୍ତିଷ୍କ ।

ଦୁଇ ତିନି ମାସ ଅନ୍ତରରେ ଅଢେଇଶ ଲେଖାଏଁ ବ୍ଲଡ଼ ବିକି ଫୋନ ଟିଏ କିଣିଲା ।

ଆଃ ...ଯେଉଁ ଦିନ ଫୋନ କିଣିଲା ସେ ଦିନ ରାଗିଣୀ ଆକାଶରେ ଉଡୁଥିଲା କି? ଅନେକ ଗପିବ ପ୍ରସାଦ ସଙ୍ଗେ ।କେତେ କଥା ମନ ଚାହିଁଛି କହିବାକୁ। କିନ୍ତୁ ଲଜ୍ଜା ବଶତଃ କହି ପାରିନି ।ଫୋନରେ ସବୁ କହି ଦେବ ।

ତୁରନ୍ତ ପ୍ରସାଦ ଦେଇଥିବା ଫୋନ ନମ୍ବର ଟ୍ରାଏ କଲା ।ସବୁବେଳେ ବିଜ଼ି ଦେଖାଇଲା ।ଅପେକ୍ଷା କରି ପାରୁ ନଥିଲା ରାଗିଣୀ ।କଣ କାହା ସଙ୍ଗେ ଏତେ ଗପୁଛନ୍ତି ପ୍ରସାଦ ! !

ରାତି ଦଶଟା ପରେ ଫୋନ ଲାଗିଲା ।ଜଣେ ନାରୀ ଫୋନ ରିସିଭ କରି କହିଲେ ହାଲୋ.... ।ଶୁଭୁଥିଲା ପ୍ରସାଦଙ୍କ ପାଟି"କିଏ ଫୋନ୍ କରିଛି,ଡାର୍ଲିଂ"

ଅନନୋନ୍ ନମ୍ବର....କହିଲେ ନାରୀ ଜଣଙ୍କ ।

କାଟିଦିଅ...ଆସନା ମୁଁ ଅପେକ୍ଷା କରିଛି?

ଏକା ଥରେ ଶହେ ଏକ ମିସ୍ କଲ ।କେହି ଜଣେ ନିହାତି ଜରୁରୀ କଥା ହେବା ପାଇଁ ଚାହୁଁଛି,ନିଅ ଡାର୍ଲିଂ ଅନ୍ତତଃ ଜାଣ ସେ କିଏ?କହିଲେ ନାରୀ କଣ୍ଠ ।

ଆଃ.....କି ଫୋନ୍ ହେଲା !!ପ୍ରାଇଭେସି କିଛି ନାହିଁ ।ମୁଡ଼ ଥିଲା ଉ ଫ..... ହେଉ ଦିଅ କହିଲେ ପ୍ରସାଦ ।

ଏତେ ବେଳକୁ ଏସବୁ ଶୁଣି ରାଗିଣୀ ଅନ୍ତରରୁ କେବଳ କରୁଣ ଧୁନ୍ ବାହାରୁଥିଲା ।

ତଥାପି କୋହକୁ ଚାପି ପ୍ରକୃତ ଘଟଣା ଜାଣିବା ପାଇଁ ରାଗିଣୀ କହିଲା---ହାଲୋ ମୁଁ ରାଗିଣୀ କହୁଛି ପ୍ରସାଦ... ରାଗିଣୀ ।କେମିତି ଅଛ?କେଉଁଠି ଅଛ?ମୁଁ ମନେ ପଡୁନି !

ହଡ଼ ବଡେଇ ଗଲେ ପ୍ରସାଦ।ସତେ କି ଚୋରି ତାଙ୍କର ଧରା ପଡି ଗଲା ।ଥଙ୍ଗ ମଙ୍ଗ ହେଇ ଗଲେ ।

ରା..ଗି..ଣୀ ! ତ ...ତ...ତମେ !ମାନେ ....ମୁଁ କଣ କହୁଥିଲି କି ମୁଁ ଏବେ ଦିଲ୍ଲୀ ଏ ମ ସ୍ ରେ । ପନ୍ଦରଦିନ ହେଵ ପିଜି ରେ ଆଡ଼ମିସନ କରିଛି ।ମୋ ସାଙ୍ଗରେ ପଢ଼ୁଥିବା" ନିମି" ଅଛି ।ଆମେ ସାଙ୍ଗ ହୋଇ ରହୁଛୁ, ଲିଭ ଇନ ରିଲେସନ ରେ ।

ଏଇ ଦିଲ୍ଲୀ ରେ....ଅଥଚ ମୋତେ ଟିକେ ଦେଖା କରିନ !ରାଗିଣୀର ଅଭିମାନ ।

ଫୁରୁସତ ମିଳିଲେତ....ଆମେ କଣ ତୁମ ପରି ଆର୍ଟସ ଷ୍ଟୁଡେଣ୍ଟ ହୋଇଛୁ ।ପିଜି କରୁଛି ନା ।ବହୁତ ଚାପ ।

ଆଛା !!ଏମିତି କଥା କି?ମୁଁ ଜାଣି ନଥିଲି।ଦୁଃଖିତ,ଆଉ କେବେ ଏ ଭୁଲ ହେବନି ।ତୁମ ବାନ୍ଧବୀର ଆଖି କଣ ମାଟିଆ !! ଉତ୍ତର ମିଳିବା ପୂର୍ବରୁ

ନାରୀ କଣ୍ଠରୁ ଶୁଭୁ ଥିଲା---କଣ ଏତେ ଗପୁଛ?ମୋ ପରି ଆଉ କେଉଁ ଗାର୍ଲ ଫ୍ରେଣ୍ଡ କି?

ଆରେ ନାଇଁମ ତୁମ ଆଗେ ସବୁ ଗାର୍ଲଫ୍ରେଣ୍ଡ ଫିକା...ଆରେ ରୁହ ନା କଣ ଏ ମି ତି ବ୍ୟସ୍ତ ହେଉଛ...କହୁଥିଲେ ନାରୀ ଟିକୁ ପ୍ରସାଦ ।

ଫୋନରେ ଶୁଭୁ ଥିଲା ଖିଲି ଖିଲି ଦୁଇ ଜଣଙ୍କ ହସର ସ୍ୱର ।

ହାର୍ଟ ଆଟାକ ହେଇ ଯିବକି ରାଗିଣୀର....

ବାସ କ୍ଲୋଜ ହେଇଗଲା ପ୍ରସାଦ ଅଧ୍ୟାୟ ସେବେ ଠାରୁ ।ଏଇ ଭାବିବା ଭିତରେ ରାଗିଣୀର ଭଲ ପାଇବା ଓଦା କରି ଦେଇ ଥିଲେ ତା ମନ ହୃଦୟ ।

କଥା ହେବୁନି ବୋଲି ପଣ କରିଛୁ ନା କଣ ?ଭାବନାରେ ବାଧା ଦେଇ ପଚାରିଲା ପ୍ରସାଦ ।

ନିଜର ଦୁର୍ବଳତା ଲୁଚାଇ ରାଗିଣୀ ସହଜ ହୋଇ କହିଲା --ନା ସେମିତି କିଛି ନୁହେଁ।କୁହ କଣ କହିବ?

ଆଜି ବି ତୁ ମୋ ଭିତରେ ଅଛୁ,ରାଗିଣୀ।ନିମି ଭିତରେ ତତେ ଖୋଜେ ।ତୋ ସହ ନିମିକୁ ତୁଳନା କରେ ।ମୋତେ କ୍ଷମା କରିଦେବୁ ତୋତେ ଠକି ଥିବାରୁ । ରାଗିଣୀ ଭାବିଲା---କେତେ ବିଚିତ୍ର ଏ ପୁରୁଷ ଜାତିଟି !! ପରିଣତ ବୟସରେ ବି ପ୍ରେମିକାକୁ ଦେଖିଲେ ଉଛୁଳି ପଡେ ପ୍ରେମ !! ବହି ଯାଆନ୍ତି ବେହିଆମିରେ !! ଏମାନଙ୍କ ପ୍ରେମର ଫୁଲ୍ ଷ୍ଟପ୍ ନଥାଏ ନା କଣ? ପ୍ରେମର ସଂଜ୍ଞା କଣ ଏପରି ପୁରୁଷ ପାଖରେ ? ଶରୀର ନା ସୌନ୍ଦର୍ଯ୍ୟ !!

ରାଗିଣୀ କହିଲା---ଷ୍ଟପ୍ ଇଟ !ଦିସ୍ ଇଜ ନଟ୍ ଫେୟାର । ପରିଣତ ବୟସରେ ଏତେଟା ପ୍ରଗଳ୍ଭତା ଶୋଭା ପାଏନି, ସମାଜ ସ୍ୱୀକୃତି ନାହିଁ,ଆତ୍ମାର ନିବେଦନ ମଧ୍ୟ ।

ମୋତେ ଦେଖ ! ତୁମେ ବସି ଥିବା ଜାଗାଟିକୁ କେମିତି କାଟି ଫିଙ୍ଗି ଦେଇଛି ।ନଚେତ କ୍ୟାନ୍ସର ହୋଇ ଯାଇଥାନ୍ତା ।

ସେଠି ମୋ ସ୍ୱାମୀକୈବଲ୍ୟ ବସିଛନ୍ତି । କୈବଲ୍ୟ ଦେବ ତୁଲ୍ୟ ମଣିଷ ।ମୋ ହୃଦୟ କେବଳ କୈବଲ୍ୟ ବାସ୍ନାରେ ମହ ମହ ।କୈବଲ୍ୟ ମୟ । କୈବଲ୍ୟ ଛାଡି ପ୍ରସାଦ ମୋହ ମୋ ନାରୀ ଧର୍ମର ଅବମାନନା ।ମୋର କୈବଲ୍ୟ ପ୍ରାପ୍ତିରେ ମୁକ୍ତି । ଅନେକ ରାତି ହେଲାଣି ,ରଖୁଛି,ଵାଏ ବାଏ ।

ରାଗିଣୀ ଆଖିର ଲୁହ କିନ୍ତୁ ଛୁଇଁ ଥିଲା ପାଦ ବାଏ ଵାଏ କହିଲା ବେଳକୁ ....

ସତ୍ୟବତୀସ୍ୱାଇଁ,

ମୀନୁ ବାଲିକୁଦା,

ଜଗତସିଂହପୁର


Rate this content
Log in