Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sudhir Kumar Dhangadamajhi

Inspirational

3  

Sudhir Kumar Dhangadamajhi

Inspirational

ନାକଚ ନେତା

ନାକଚ ନେତା

3 mins
7.6K


ନାକଚ ନେତା

 -ସୁଧୀର କୁମାର ଧଙ୍ଗଡ଼ାମାଝୀ

ମଝିମଝିରେ ଯେବେ ମୁଁ କାମରୁ ଫୁର୍ସତ୍ ହେଲେ ଗାଁକୁ ଯାଏ, ସୁଯୋଗ ଦେଖି ଆମ ଘରେ ଡେରା ପକାଏ ଗନ୍ଧିଆ ଓରଫ୍ ଗନ୍ଧର୍ବ । ସେ ଟିକେ ଓଲୁ ବୋଲି ଲୋକେ କହନ୍ତି, ହେଲେ ମୋତେ ତ କାଇଁ ସେମିତି ଲାଗେନି । ବିଚରା ଅଳ୍ପ ପାଠ ପଢ଼ିଥିଲେ ବି, ଅଳ୍ପ ଅଳ୍ପ ବୁଝୁଥିଲେ ବି ଗୋଟେ ଆଗ୍ରହ ରଖିଚି ବିଭିନ୍ନ କଥା ଜାଣିବାର ।

ଏଥର ବି ମୁଁ ବହୁତ ଦିନ ପରେ ଘରକୁ ଆସିଥିବାର ଖବର ପାଇ ଗନ୍ଧିଆ ଆସି ବାରଣ୍ଡାରେ ହାଜର୍ । ଅଂଟାରେ ଭିଡ଼ିଥିବା ଗାମୁଛାକୁ କାନ୍ଧରେ ପକେଇ ମୋ’ ପାଖରେ ବସିପଡ଼ିଲା । କହିଲା- ଦେଶର ହାଲ୍ଚାଲ୍ ଟିକେ କହରେ ବାବୁ ।

ମୁଁ କହିଲି- ଦେଶର ନୂଆ ରାଷ୍ଟ୍ରପତି ଭାବେ ରାମନାଥ କୋବିନ୍ଦ ଓ ନୂଆ ଉପରାଷ୍ଟ୍ରପତି ଭାବେ ଏମ୍ ଭେଙ୍କିଆ ନାଇଡ଼ୁ ନିର୍ବାଚିତ ହୋଇଛନ୍ତି ।

ଗନ୍ଧିଆ ଚକିତ ହୋଇ ପଚାରିଲା- ଭୋଟ୍ କେବେ ହେଲା ବୋ? ମୁଁ ତ ଦେଇଯାଇନି!

ମୁଁ ହସିଲି, କହିଲି- ସେଥିରେ ଆମ ଭଳିଆ ସାଧାରଣ ଲୋକ ଭୋଟ୍ ଦିଅନ୍ତିନି ବୋ, ଆମ ପକ୍ଷରୁ ଭୋଟ୍ ଦିଅନ୍ତି ରାଷ୍ଟ୍ରପତି ନିର୍ବାଚନରେ ଆମ ସାଂସଦ ଓ ବିଧାୟକମାନେ ଆଉ ଉପରାଷ୍ଟ୍ରପତି ନିର୍ବାଚନରେ ସାଂସଦମାନେ ।

- କୋଉମାନେ?

- ଏମ୍ପି, ଏମ୍ଏଲ୍ଏମାନେ ବୋ... ଜାଣିଚୁ, ସେମାନଙ୍କ ଗୋଟିଏ ଗୋଟିଏ ଭୋଟର ମୂଲ୍ୟ ଶହଶହ ।

- ଓହୋ... ଏମ୍ପି ଏମେଲେ କି, ତୁଇ ତ ସଂସ୍କୃତରେ କହୁଚୁ ବାବୁ! ସେମାନଙ୍କର କେନ୍ତା ଏତେ ପାବାର୍?

- ସେମାନେ ଗୁଣୀ ଜ୍ଞାନୀ ଲୋକ ପରା... ସେମାନଙ୍କୁ ଆମେ ହଜାର ହଜାର ଲକ୍ଷ ଲକ୍ଷ ଭୋଟ୍ ଦେଇ ପଠେଇଚୁ କି ନାଇଁ!

- ହଁ...ସତକଥା । ଏବେ କହ ବାବୁ, କିଏ କିଏ ଉଠିଥିଲେ, ଭୋଟ୍ କେନ୍ତା ହେଲା?

- ରାଷ୍ଟ୍ରପତି ନିର୍ବାଚନ ତ ବହୁତ ଦିନୁ ସରିଲାଣି, ଉପରାଷ୍ଟ୍ରପତି ନିର୍ବାଚନ ଏବେଏବେ ସରିଚି । ତଥାପି ସବୁ କହୁଚି ଶୁଣ୍ । ରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ଲଢ଼ିଥିଲେ ମୀରା କୁମାର ଓ ରାମନାଥ କୋବିନ୍ଦ । ମୋଟ ୪୮୫୧ ଜଣ ସାଂସଦ, ବିଧାୟକ ଭୋଟ୍ ଦେଇଥିଲେ । ମୀରାଙ୍କୁ ୧୮୪୪ ଜଣ ଓ ରାମନାଥଙ୍କୁ ୨୯୩୦ ଜଣ ଭୋଟ୍ ଦେଇଥିଲେ । ଉପରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ଲଢ଼ିଥିଲେ ଗୋପାଳକୃଷ୍ଣ ଗାନ୍ଧୀ ଓ ଏମ୍ ଭେଙ୍କିଆ ନାଇଡ଼ୁ । ମୋଟ ୭୭୧ ଜଣ ସାଂସଦ ଭୋଟ୍ ଦେଇଥିଲେ, ଗୋପାଳକୃଷ୍ଣଙ୍କୁ ୨୪୪ ଜଣ ଓ ଭେଙ୍କିଆଙ୍କୁ ୫୧୬ ଜଣ ଭୋଟ୍ ଦେଲେ ।

ଗନ୍ଧିଆ ମୁଣ୍ଡକୁ କୁଣ୍ଡେଇ ହେଇ କୁନ୍ଥୁକୁନ୍ଥୁ ହେଲା । କାଗଜ କଲମ ମାଗିଲା । ପୁଣିଥରେ ସଂଖ୍ୟା ପଚାରି ଲେଖିଲା । ହିସାବକିତାବ କରୁକରୁ ତା’ ମୁହଁ ଉଜ୍ଜଳି ଉଠିଲା । ଖିଲଖିଲେଇ ହସିଉଠିଲା, କହିଲା- ମୁଇଁ ଠିକ୍ ତ ଧର୍ଲି ଆଉ... ରାଷ୍ଟ୍ରପତି ଭୋଟରେ ୭୭ ଜଣଙ୍କ ଆଉ ଉପରାଷ୍ଟ୍ରପତି ଭୋଟ୍ରେ ୧୧ ଜଣଙ୍କ ଭୋଟ୍ କେନେ ଗଲା?

- ଠିକ୍ ଧରିଚୁ ବୋ... ସେମାନଙ୍କର ଭୋଟ୍ ନାକଚ ହେଲା ପରା ।

- ନାକଚ!!
ତାଜୁବ୍ ହେଇଗଲା ଗନ୍ଧିଆ । ଖୋଲିଦେଲା ତା ଜୀବନର ଗୋଟେ ଅଭୁଲା ଅଧ୍ୟାୟ ।

ଗନ୍ଧର୍ବର ଜୁଆନ୍ ବେଳର କଥା । ନୂଆକରି ଭୋଟର୍ ଲିଷ୍ଟରେ ତା’ ନାଁ ଚଢ଼ିଥାଏ । ନିର୍ବାଚନ ଯେତେଯେତେ ପାଖେଇ ଆସୁଥାଏ, ଗନ୍ଧର୍ବର ମନ ସେତେସେତେ ଉଚ୍ଛନ୍ନ ହେଉଥାଏ । ନିର୍ବାଚନ ଦିନ ସେ ଧାଡ଼ିରେ ଠିଆ ହୋଇ ଭୋଟ୍ ଦେଲା ଆଉ ମନଖୁସିରେ ଘରକୁ ଫେରିଲା । ଭୋଟ୍ ଗଣତି ପରେ ସଞ୍ଜବେଳକୁ ଫଳାଫଳ ଜଣାପଡ଼ିଲା: ଅମୁକ ସରପଂଚରେ ଜିତିଲା, ସମୁକ ସମିତିସଭ୍ୟରେ ଜିତିଲା । ତେବେ ୱାର୍ଡମେମ୍ବର ପଦ ପାଇଁ ଧର୍ମଗୁଳା ହେବ । ଗନ୍ଧର୍ବ ଘଟଣା ସମ୍ପର୍କରେ ବୁଝିନପାରି ଛକକୁ ଯାଇ ଲୋକଙ୍କୁ ପଚାରିଲା ।

ୱାର୍ଡମେମ୍ବର ପଦବୀ ପାଇଁ ତାଙ୍କ ପଡ଼ାର ରାମ ଓ ତଳପଡ଼ାର ଶ୍ୟାମ ଉଠିଥିଲେ । ଦୁଇପଡ଼ାର ଲୋକେ ନିଜନିଜ ପଡ଼ାର ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ନିଷ୍ପତି ନେଇଥିଲେ । ସେଇ ହିସାବରେ ରାମ ଜିତିବା କଥା, କାହିଁକିନା ତାଙ୍କ ପଡ଼ାରେ ତଳପଡ଼ାଠାରୁ ଗୋଟେ ଭୋଟ୍ ଅଧିକ ଥିଲା । ତେବେ ଗୋଟେ ଭୋଟ୍ ନାକଚ ହେବାରୁ ଦୁଇଜଣଙ୍କ ଭୋଟ୍ ସମାନ ହୋଇଛି, ଯେଉଁଥିପାଇଁ ହେବ ଧର୍ମଗୁଳା ।

ଭୋଟ୍ କେମିତି ନାକଚ ହୁଏ, ଲୋକଙ୍କୁ ପଚାରି ବୁଝିବା ପରେ ଗନ୍ଧର୍ବର ଆଉ ସନ୍ଦେହ ନଥିଲା ଯେ ତା’ର ହିଁ ଭୋଟ୍ ନାକଚ ହୋଇଛି, କାରଣ ସେ ଦୁଇଜଣଙ୍କୁ ଭୋଟ୍ ଦେଇଥିଲା । ସେବେଠୁ ଭୋଟ୍ ଦେଲାବେଳେ ସତର୍କ ଥାଏ ଗନ୍ଧର୍ବ । ଆଉ କେବେ ତା ଭୋଟ୍ ନାକଚ ହେଇନି ।

ଟିକେ ନିରବ ରହି ହୋ...ହୋ ହେଇ ହସିଉଠିଲା ଗନ୍ଧିଆ, କହିଲା- ମତେ ଲୋକ ବୁଦ୍ଦୁ ବୋଲି କହନ୍ତି ବାବୁ... ତର୍ ନାକଚ ନେତାମାନେ କି ଜ୍ଞାନୀ ଗୁଣୀ ବୋ!

ଥୁ...ଥୁ...

ବାହାରେ ଛେପ ଲଣ୍ଡାଏ ପକେଇ ଆସି ପୁଣି କହିଲା- ସେମାନଙ୍କୁ କହ ବୋ, ମୋ ପାଖକୁ ଟେର୍ଲିଂ ନେଇଆସିବେ ।

ମୁହଁରେ ମୋର ଆଲିଗଡ଼ ତାଲା ଠୁଙ୍କା ହେଇଗଲା ଯେମିତି! ଆମ ନିର୍ଲ୍ଲଜ ନେତାମାନଙ୍କ କଥା ତାକୁ ଆଉ କ’ଣ କହିବି, ବୁଝିପାରୁନଥାଏ ।

 

ମୋ: ୯୭୭୭୯୪୯୮୦୦
writersudhir@gmail.com


Rate this content
Log in

More oriya story from Sudhir Kumar Dhangadamajhi

Similar oriya story from Inspirational