ବାଲିରାଜା
ବାଲିରାଜା
ଡହଡହ ତତଲା ବାଲିର ସୁଦୂର ପ୍ରସାରୀ ବିଚିତ୍ର ଇଲାକା ମଝିରେ ସୁନ୍ଦର ରାଜମହଲ । ମୁଁ ରାଜା ଆଉ ରାଣୀଟିଏ ଠିକ ମୋ’ର ସ୍ଵପ୍ନର ରାଜକୁମାରୀ ପରି । ଆଖ ପାଖରେ କେହି ନାହାନ୍ତି ଖାଲି ରାଜକୁମାରୀଙ୍କୁ ଛାଡି । ମୋ’ ସାରା ଶରୀରରେ ବିଚିତ୍ର ଶିହରଣ ବୋଧେ ମୁଁ ତାଙ୍କୁ ବହୁତ କିଛି କହିବାକୁ ଚାହୁଁଛି ହେଲେ କିଛି ବି କହି ପାରୁନି । ବଢି ଚାଲୁଛି ମୋ’ର ତୃଷ୍ଣା ବହଳିଆ ଛେପକୁ ଢୋକିବାକୁ ବି ମୋ’ର ବି ବଳ ନାହିଁ ତଥାପି ବି ମୁଁ ପାଖାପାଖି ହେବାକୁ ଚେଷ୍ଟା କରୁଛି ରାଜକୁମାରୀଙ୍କର । ମୋ’ର ଏମିତିକା କାର୍ଯ୍ୟ ଯୋଗୁଁ ରାଜକୁମାରୀ ବି ବାହାରି ପଡିଛନ୍ତି ରାଜମହଲ ବାହାରକୁ ମୁଁ ପିଛା କରୁଛି ତତଲା ବାଲି ଉପରେ ବଡ କଷ୍ଟରେ ଆଉ ସେ ଆଗକୁ ଆଗକୁ ଚାଲିଚାଲି ଯାଉଛନ୍ତି ହୃଦୟହୀନାଙ୍କ ଭଳି । ମୋ’ ତାଳୁରୁ ତଳିପା ଗମଗମ ଝାଳ ରାଜକୁମାରୀଙ୍କ ହସ ଲାଗୁଛି ଅନେକ ରହସ୍ୟମୟ । ବହୁତ ଆଗରେ ପୁଷ୍କରିଣୀର ଭ୍ରମ ସୃଷ୍ଟି କରୁଛି ସ୍ଵର୍ଣସମ ବାଲି ଭେଡା ଭିତରେ କାଚ କେନ୍ଦୁ ପାଣି ଭଳି ଦେଖା ଯାଉଥିବା ଧଳାବାଲି । ଆଉ ଚାଲି ପାରୁନି ରାଜକୁମାରୀ ଝାପସା ଦେଖା ଯାଉଛନ୍ତି ଚେତାଶୂନ୍ୟ ହୋଇପଡୁଥିବା ମୋ’ର ଆଖି ଦୁଇଟିକୁ ।
ହଠାତ ନିଦ ଭାଙ୍ଗିଗଲା ବୋତଲେ ପାଣି ଏକା ବେଳେ ପିଇଗଲି । ଝରକା ଖୋଲିଲି ବର୍ଷା ଆଗମନରେ ଥଣ୍ଡାଥଣ୍ଡା ପବନ ପୁଲକିତ କରୁଥିଲା ମୋ’ର ତନୁ ମନକୁ । ମନେ ପଡିଲା ଆଜି ଖରାବେଳର କଥା ସେମିତି ଗୋଟେ ସୁନ୍ଦରୀ ଝିଅଟିକୁ ମୁଁ ଲୁଚିଲୁଚି ଦୁଇଘଣ୍ଟା ପିଛା କରିଥିଲି ଚନ୍ଦ୍ରଭାଗା ବେଳାଭୂମିରେ ଯିଏ ଟିକେ ବି ଦୟାପୂର୍ଣ ନଜର ଦେଇନଥିଲା ମୋ’ ଆଡେ । ବୁଝିଲି ସ୍ଵପ୍ନରେ ରାଜା ହୋଇ ବାଲିର ପ୍ରଦେଶରେ ରାଣୀ ଖୋଜିବା ଅପେକ୍ଷା ବାସ୍ତବତାର ଦୁନିଆଁରେ ମୁଠାଏ ଭାତ ଆଉ ମୁନ୍ଦାଏ ପାଣି ପାଇଁ ଚେଇଁ ଚେଇଁ ସ୍ଵପ୍ନ ଦେଖିବା ଚିର ଶ୍ରେୟସ୍କର ।