ତ୍ରିଶଙ୍କୁ
ତ୍ରିଶଙ୍କୁ
ସ୍ୱଚ୍ଛାକୃତ ଭାବେ କେହି ନିଏନି ଭୀଷ୍ମ ପ୍ରତିଜ୍ଞା କି ସଜେଇ ହୁଏନି ବୃହନ୍ନଳା ରୂପରେ। ତେବେ ଏସବୁ ଚରିତ୍ର ଚିତ୍ରଣ କାହିଁକି?......
ହୁଏତ ପରିସ୍ଥିତିର ତାଡନାରେ ବା ଅନ୍ୟ କିଛି କାରଣରେ।…
★★★★
"କୋଉ ବ୍ରାଣ୍ଡ ତୁମର ପସନ୍ଦ କୁହ ?".....
ମାହିକା ସେନ୍ , ଅଶୋକ ଦାସର ବସ୍ ପଚାରୁଥିଲା ବାରମ୍ବାର। ନିଶା ଚଢି ଯାଇଛି ମ୍ୟାଡ଼ମ୍ ଙ୍କୁ । ସକ୍ସେସ୍ ପାର୍ଟିର ଚାକଚକ୍ୟ ଭିତରେ ଟଳମଳ ହେଇଯାଇଛି ରାଣୀ!......
ଯେମିତି ବିଗ୍ ବି' ଙ୍କର 'ସରାବି' ଚଳଚ୍ଚିତ୍ରର ଆଦୄତ ସଂଳାପ-
' ମୁଛେ ହୋ ତୋ ନଥୁଲାଲ୍ ଜେସେ ବରନା ନା' ହୋ'...
ଠିକ ସେମିତି ମ୍ୟାଡ଼ମ୍ ଙ୍କ ପ୍ରଶ୍ନ,
"କଉ ବ୍ରାଣ୍ଡ ତୁମର ପସନ୍ଦ?"......
ବିରକ୍ତ ଲାଗିଲାଣି ଅଶୋକ ଦାସକୁ, କିନ୍ତୁ ସେ ନିରୁପାୟ। ପି.ଏ ଶବ୍ଦଟା ଗୋଟେ ଅପଶବ୍ଦ। ନିଜସ୍ୱ ସହକାରୀ , ବ୍ୟକ୍ତିଗତ ସହକାରୀ ଏଇ ପଦଧାରୀ କର୍ମଚାରୀର ପ୍ରକୃତ କାମ କ'ଣ ସ୍ୱୟଂ ଈଶ୍ୱରବି ଜାଣନ୍ତି ନାହିଁ।
ବାହାର ଲୋକଙ୍କ ପାଇଁ ପି.ଏ ଗୋଟେ ବିଶାଳ ସାମର୍ଥ୍ୟବାନ ମଣିଷ। ମ୍ୟାଡ଼ମ୍ ଙ୍କ ଡାହାଣ ହାତ। ପ୍ରଭୁଙ୍କ ଦର୍ଶନ ପୂର୍ବରୁ ବୃଷଭଙ୍କ ପୂଜା ଯେମିତି ଏକାନ୍ତ ଆବଶ୍ୟକ ଠିକ ସେମିତି ମ୍ୟାଡ଼ମ୍ ଙ୍କ ଦର୍ଶନ ପୂର୍ବରୁ ପି.ଏ ମହାଶୟଙ୍କ ଅଭ୍ୟର୍ଥନା ଜରୁରୀ। ଏଇ ନ୍ୟାୟରେ ପି.ଏ ବାବୁଙ୍କ ପକେଟ ସବୁବେଳେ ଗରମ। କିନ୍ତୁ ସେଇ ତଥାକଥିତ ଲୋକ ମାନେ ପି.ଏ ଅଶୋକ ଦାସର ଅସହାୟତା ବୁଝିବାକୁ ଅସମର୍ଥ୍ୟ।
***********
ଆରୁଷି , ତା ' ସ୍ତ୍ରୀ ମନା କରିଥିଲା ତାକୁ ଏଇ ଚାକିରୀ ପାଇଁ। ବୁଝେଇ କହିଥିଲା କୌଣସି ଅଫିସ, ଫାର୍ମ , ଡ଼ିପାର୍ଟମେଣ୍ଟାଲ୍ ଷ୍ଟୋର ବା ମଲ୍ ରେ ଚାକିରୀ କରିବା ଏଇ ପି .ଏ ଚାକିରୀ ଠାରୁ ଢେର ଭଲ। ସେଇ ଚାକିରୀ ଭିତରେ ଗୋଟେ କାର୍ଯ୍ୟଧାରା ରହିଥାଏ। ଯିବା ଆସିବାର ସଠିକତା ଥାଏ। ଆବଶ୍ୟକ ସ୍ଥଳେ ଛୁଟି ନେବାର ଅବକାଶ ମିଳେ । ଆଉ ଯଦି ପି.ଏ ହେବାର ଏତେ ନିଶା ଅଛି ତେବେ ଜଣେ ପୁରୁଷ ଅଧିକାରୀ , ବିଜନେସ୍ ମ୍ୟାନ୍ ବା ରାଜନୈତିକ ନେତାର ହେବା ଉଚିତ , କିନ୍ତୁ କୌଣସି ମହିଳା ଓଃ!.....
ଜଣେ ନାରୀ ଅନ୍ୟ ନାରୀ ସଂକ୍ରାନ୍ତରେ ବେଶ ଗଭୀର ଭାବେ ବୁଝିପାରେ। ଆରୁଷିର ସନ୍ଦେହ ଆଉ ସଂଶୟ ଅମୂଳକ ନଥିଲା। ଯାହାର ପ୍ରତ୍ୟକ୍ଷ ଅନୁଭବ ସବୁଦିନ ଅଶୋକ ଦାସ ପାଖରେ, ମ୍ୟାମ୍ ଙ୍କ ହାତରେ ଗୋଟେ ଜୀବନ୍ତ ରୋବଟ୍ ଭାବେ।
ଅଫିସ ବୋଲି କିଛି ନାହିଁ ତା'ର । ଘରେ,ବାହାରେ, ସହରଠୁ ଦୂର , ଦେଶଠୁ ଦୂର ଯୁଆଡେ ମାହିରା ମ୍ୟାମ୍ ସେଇଠି ଅଶୋକ ଦାସ।ବେଳେବେଳେ ତାକୁ ଲାଗେ ତା'ର ନିଜସ୍ୱ ଅସ୍ତିତ୍ବ ହିଁ ନାହିଁ। ସେ କେବଳ ମାହିରା ମ୍ୟାମ୍ ଙ୍କ ଛାଇ । ତା'ର ଯେ ଗୋଟେ ଲାଇଫ ଅଛି ଏତକ ବୁଝା ପଡେନା ମ୍ୟାମ୍ ଙ୍କୁ। ବେଳ ଅବେଳ କିଛି ନଥାଏ । ଅଧରାତିରେ ବି ଫୋନ୍ ଆସେ । " ଦାସ ଇଟ୍ସ୍ ଅର୍ଜେଣ୍ଟ , ୟୁ ହାଭ୍ ଟୁ କମ୍"। ବାସ ଏତିକି ଯଥେଷ୍ଟ , ସତେକି ମୋହନ ବଂଶୀ ବାଜି ଉଠିଲା ଆଉ ଅଶୋକ ଦାସ: ରାଈ କିଶୋରୀ, ବନ୍ଧ ବାଡ଼ ଲଙ୍ଘି , ଅମଡା ବାଟରେ ଧାଇଁ ଆସିବ। ହଁ ଯିବାକୁ ହୁଏ , ଏଇଟା କେବଳ ମ୍ୟାମ୍ ନୁହେଁ ସାର୍ ଙ୍କର ବି ବିଶେଷ ନିର୍ଦ୍ଦେଶ। ଏଇ ସଫଳ ପଦ ପାଇଁ ୨୪ ଘଣ୍ଟା ଚାକିରୀକୁ ଦେବାକୁ ହେବ,ଇଟ୍ସ୍ ଏ ଡିଲ୍।
ଆରୁଷି ଏଇ ଚାକିରୀକୁ ନେଇ ସବୁବେଳେ ଉଦାସ। କେବେ କୋଣସି ସ୍ୱାଧୀନତା ନଥାଏ ଅଶୋକ ପାଖରେ। ଗୋଟେ ପାର୍ଟି , କି ପିକନିକ ବା ଫିଲ୍ମ କୁଆଡେ ବି ଯିବାର ନିଶ୍ଚିତ ସମ୍ଭାବନା କରି ହୁଏନି। ସବୁ ପାର୍ଥିବ ବସ୍ତୁ ହାତ ପାହାନ୍ତାରେ ଥାଏ କିନ୍ତୁ ମୁକ୍ତ ମଣିଷଟେ ନଥାଏ ସେସବୁକୁ ପ୍ରାଣଭରୀ ଭୋଗିବାକୁ।
ଏଇ ଚାକିରୀ ଦେଇଛି ସୁନ୍ଦର ଘର, ବ୍ୟାଙ୍କ ବଲାନ୍ସ, ସୁନା ରୁପା ସବୁ ଅଛି। ବାହ୍ୟ ପୃଥିବୀ ପାଇଁ ସଫଳ ମଣିଷର ସହଧର୍ମିଣୀର ପରିଚୟ। ଖୁସି ବାସିଆ ଘର ଆରୁଷିର । ଇଚ୍ଛା କରୁଥିବା ସବୁ ବସ୍ତୁ ମିଳିଯାଏ ତାକୁ। କିନ୍ତୁ କେହି ଜାଣି ନାହାନ୍ତି ସେ କେତେ ଅସହାୟ। ଉନ୍ମୁକ୍ତ ଚେତନାର ଗଳାରୁଦ୍ଧ କରି ସେ ମିଛ ଅହମିକାର ଅଭିନୟରେ। କେଵଳ ସେହିଁ ବୁଝେ ପରାଧୀନତା କେତେ ବଡ଼ ଅଭିଶାପ!.......
**********
ପାର୍ଟିରେ ବହୁତ ଡ୍ରିଙ୍କ କରିବା ହେତୁ ମ୍ୟାମ୍ ଙ୍କୁ ସୁରକ୍ଷିତ ଭାବେ ଘରେ ପହଞ୍ଚେଇବା ଅଶୋକ ଦାସର କାମ। ବହୁତ ପ୍ରଚେଷ୍ଟା ପରେ ମ୍ୟାମ୍ ଘରକୁ ଯିବାକୁ ରାଜି ହେଲେ। କିନ୍ତୁ ସେଇ ପ୍ରଶ୍ନ ଏବେବି ଥିଲା ଓଠରେ, " କୋଉ ବ୍ରାଣ୍ଡ ......
ଢଳିଢଳି ଏକରକମ ଅଶୋକ ଦାସ ଉପରେ ଶୋଇ ଶୋଇ ଆସିଲେ ମ୍ୟାମ୍। କାର ନିଜେ ଚଳେଇ ଯିବେ ବୋଲି ଭୟଙ୍କର ଜିଦ କଲେ।
" ଡୁ ୟୁ ଥିଙ୍କ ଆଇ ଆମ୍ ଆଉଟ୍ ଅଫ୍ କଣ୍ଟ୍ରୋଲ? ହାଓ ଡେୟାର ୟୁ , ଇଡିଅଟ୍!.. ଆଇ ଲଭ୍ ଟୁ ଡ୍ରାଇଭ୍ ଆଣ୍ଡ ଆଇ ଆମ୍ ଗୋଇଂ ଟୁ ଡ୍ରାଇଭ୍ ନାଓ ,ଓକେ ।" ଏତିକି କହି ଗାଡିର ଡ୍ରାଇଭର୍ ସିଟ୍ ରେ ବସି ବେହୋସ ହେଇଗଲେ ମ୍ୟାମ୍।
ବିଚିତ୍ର ,ଏବେ ରୀତିମତ କସରତ କରି ମ୍ୟାମ୍ ଙ୍କୁ ବାହାର କରିବାକୁ ହେବ। ଆଉ ଟେକିଟେକି ନେଇ ପଛ ସିଟ ରେ ବସେଇ ବାକୁ ପଡିବ। କିନ୍ତୁ ଅନ୍ୟ କିଛି ଉପାୟ ଅଛି କି? ଆଉ ଏଇ କାର୍ଯ୍ୟକ୍ରମ କରୁଥିବା ଅବସ୍ଥାରେ ଯଦି ଦୁର୍ଭାଗ୍ୟ ବଶତଃ ଆରୁଷି ବା ସାର୍ ତାକୁ ଦେଖନ୍ତି ତେବେ। ତା' ଉପରେ ଅଗଣିତ ଘୃଣ୍ୟ ପ୍ରଶ୍ନବାଚୀ ଲାଗିଯିବ। ତା'କୁ ଗୋଟେ କଦର୍ଯ୍ୟ ମଣିଷର ଆସନରେ ବସେଇ ଦିଆଯିବ। ଆଉ ସେ ନିର୍ବିକାର ଭାବେ ସବୁ ଅପବାଦ ସହିବ , ମ୍ୟାମ୍ ପ୍ରକୃତିସ୍ଥ ହେବା ପର୍ଯ୍ୟନ୍ତ। କେବଳ ମ୍ୟାମ୍ କହିପାରିବେ, "ଇଟ୍ସ ଜଷ୍ଟ ଏ ଟାସ୍କ , ନଥିଙ୍ଗ ଟୁ ଓରି।" ବାସ୍ , ସେତିକି ତା'ର ଚରିତ୍ର ପ୍ରମାଣ ପତ୍ର।
ଡ୍ରାଇଭ କଲାବେଳେ ନିଜକୁ ଗାଡି ମିରର୍ ରେ ଦେଖିଲା ସେ ଆଉ ଖୋଜିଲା 'ଅଶୋକ ସମ୍ରାଟ' କୁ ନିଜ ଚେହେରା ଭିତରେ । କାହିଁକି ବାପା ଏମିତି ନାଁଟେ ଦେଇ ସେ ମହାନ ଚରିତ୍ରଙ୍କ ନାଁରେ କଳଙ୍କ ଲଗେଇ ଦେଲେ ? ଗୋଟେ ଐତିହାସିକ ଚରିତ୍ର ଯେ ଥିଲେ ଅଦମ୍ୟ ପରାକ୍ରମ, ଅପରିସୀମ ସାହସ ଓ ଅପ୍ରତିହତ ଔଧଦ୍ଧତ୍ୟର ମୂର୍ତ୍ତିମନ୍ତ ପ୍ରତୀକ। ତାଙ୍କ ନାଁ ଧାରୀ ଅଶୋକ ଦାସ ଛି!!!!!
ତା' ନୁହେଁ ତ' ଆଉ କ'ଣ ?
ଗୋଟେ ସ୍ଥିତି ଶୁନ୍ୟ, ଅମେରୁଦଣ୍ଡୀ, ଅପାଙ୍କ୍ତେୟ ଅଶୋକ ସମ୍ରାଟ ସତରେ ଭାରି ଅସହାୟ! ନିଜର ଚରିତ୍ରର ସୁରକ୍ଷା ବି କରିଵାର ସମର୍ଥ୍ୟ ନାହିଁ ତା'ର ଅନ୍ୟ କାହାକୁ କି ସାହସ ଦେବ ସେ!!
************
ଆରୁଷି ବହୁତ ବ୍ୟସ୍ତ ହେଇ ଫୋନ୍ କରିଥିଲା ସେଦିନ।
" ତୁରନ୍ତ ଆସ ମୋତେ ହସ୍ପିଟାଲ ଯିବାକୁ ହେବ ମୁଁ ଆଉ ଅପେକ୍ଷା କରିପାରିବି ନାହିଁ। ପ୍ରବଳ ଭାବେ ଯନ୍ତ୍ରଣା ହେଉଥିଲା ତାକୁ । ହୁଏତ ପ୍ରଚୁର ରକ୍ତବି ଝରି ସାରି ଥିଲା। ପ୍ରଥମ ଇସ୍ୟୁ ତେଣୁ ସେ ସାବଧାନ ହେଇପାରି ନଥିଲା , ବା ଏମିତି ହିଁ ହୁଏ ଡେଲିଭେରୀ ପୂର୍ବରୁ ଯନ୍ତ୍ରଣା ଜଣା ନଥିଲା ତାକୁ। ପରାମର୍ଶ ଦେବାକୁ , ସମ୍ଭାଳି ନେବାକୁ ନଥିଲେ କେହି
ଅଭିଜ୍ଞ ।.......
କଦବା କ୍ଵଚିତ ଅଶୋକ ଦାସ ନିଜ ପିତାର ଦାୟିତ୍ୱ ତୁଲେଇ ପାରିଥିଲା। ଆରୁଷିକୁ ହସ୍ପିଟାଲ ନେଇ ଯିବାର ଉପକ୍ରମ କେବେବି ସ୍ୱଚ୍ଛାକୃତ ଭାବେ କରୁନଥିଲା। ଆରୁଷି ନିଜ ଘରକୁ ଯିବାକୁ କହିଥିଲା ଅଶୋକ ଦାସ ଅନେକ ଥର କିନ୍ତୁ ଆରୁଷି ଯାଇ ନଥିଲା କାରଣ ଭୁବନେଶ୍ୱରର ଅଭିଜ୍ଞ ଡାକ୍ତରଙ୍କ ତତ୍ୱାବଧାନରେ ନିଜ ପିଲାକୁ ଅଧିକ ସୁରକ୍ଷା ଦେବାକୁ ଚାହୁଁ ଥିଲା ସେ। ହେଲେ କ୍ଳୀବ ଅଶୋକ ଦାସ ଉପଯୁକ୍ତ ସମୟ ଦେଇପାରିଲା ନାହିଁ କି ନିଜ କର୍ତ୍ତବ୍ୟ କରିପାରିଲା ନାହିଁ। ଏଇ ପରିସ୍ଥିତିର ତାଡନାରେ ନିଜକୁ ସ୍ୱାବଲମ୍ବୀ କରି ଗଢି ଆରୁଷି ନିଜେ କାର୍ ଡ୍ରାଇଭ କରି ଯାଉଥିଲା ଚେକ୍ ଅପ୍ ପାଇଁ।
ଅଶୋକ ଦାସ କ'ଣ ବୁଝିପାରୁନଥିଲା ଆରୁଷିର ଅଭିମାନ ? ନା' ସବୁବେଳେ ନିଜକୁ ଗୋଟେ ଶକ୍ତ ସ୍ତ୍ରୀ ଭାବେ ପ୍ରତିପାଦନ କରୁଥିବା ଆରୁଷି ଯେ ଏସବୁ କେବଳ ଗୋଟେ ଅସହାୟତାରେ କରୁଛି ବୁଝି ବି ଅବୁଝା ହେବାର ଅଭିନୟ କରୁଥିଲା ସେ!!....
ଅଶୋକ ଦାସର ବୋଉ ନଥିଲା , ଚାଲି ଯାଇଥିଲା ଛୁଆ ବେଳୁ । ତେଣୁ ବୋଉର ଗୋଟେ ପ୍ରଛନ୍ନ ଅଭାବବୋଧ ଥିଲା ତା'ର ଚିର ସହଯାତ୍ରୀ। ବୋଉ ଥିଲେ ହୁଏତ ଆସି ନିଜ ବୋହୁ ସହ ଏଇ ମୁହୂର୍ତ୍ତରେ ଟିକିଏ ଏକାତ୍ମ ହେଇଥାନ୍ତା। ନାରୀର ସବୁଠାରୁ ସମ୍ବେଦନଶୀଳ ସ୍ଥିତି ,ମାତୃତ୍ୱ ଯାହା ଖୋଜେ ସବୁବେଳେ ଗୋଟେ ନିଶ୍ଚିତ ସୁରକ୍ଷା । ତାହା ଅନୁଭୁତି ସମ୍ପନ୍ନ ବୋଉ ନିଶ୍ଚିନ୍ତ ଭାବେ ଦେଇ ପାରିଥାନ୍ତା । ତା'ର ଆଶୀର୍ବାଦର ହାତ ଆଉ ଭଲ ମନ୍ଦ ପଚାରି ବୁଝିବାର ଯତ୍ନ ଆରୁଷିକୁ ଅଭୟ ଦେଇଥାନ୍ତା। କିନ୍ତୁ ଏଇ ସୁଯୋଗ ମଧ୍ୟ ନଥିଲା ଅଶୋକ ଦାସ ଲାଗି।
ଆରୁଷିର ବୋଉ ବ୍ୟସ୍ତ ମଣିଷ ନିଜ ସଂସାର ଛାଡି ଆସିବାକୁ ଡେରି କଲେ। ଡାକ୍ତରଙ୍କ ନିର୍ଦ୍ଦେଶିତ ସମ୍ଭାବ୍ୟ ସମୟ ପୂର୍ବରୁ ଏପରି ଘଟିଥିଲା। ଆହୁରି ଗୋଟିଏ ମାସ ଥିଲା ଆସିବାକୁ ଅନଗତର। ବିଚାରୀ ଆରୁଷି ଥିଲା ବିଲକୁଲ ଏକାକୀ। ଭୟଙ୍କର ଯନ୍ତ୍ରଣା ଓ ଭୟ ସହ ଲଢିଲା ଖୁବ୍। ଆଉ ପରାଧୀନ ଅଶୋକ ଦାସ ଆସିଲା ଗୋଟେ ଘଣ୍ଟା ପରେ। ଆରୁଷି ସେତେବେଳେକୁ ଏକରକମ ବେହୋସ ଅବସ୍ଥାରେ ପହଞ୍ଚି ଯାଇଥିଲା। ସେ ନେଇଗଲା ତାକୁ ହସ୍ପିଟାଲ। ଡାକ୍ତର ପ୍ରବଳ ଶୋଧି ଥିଲେ ସେଦିନ।ଗୋଟେ ନିହାତି
ଅପରିଣାମଦର୍ଶୀ ମଣିଷ ଭାବେ କଦର୍ଯ୍ୟ ଗାଳି ଖାଇ ଅଶୋକ ଦାସ ସ୍ଥାଣୁ ଭାବେ ବସି ରହିଲା ସାରା ରାତି।
ଆରୁଷିକୁ ତମାମ ଜୀବନ ନିଜର ଏଇ ଭୁଲ ପାଇଁ କ୍ଷମା ମାଗିଲେ ବି କମ ପଡିଯିବ ଜାଣେ ସେ !
କେହି ବୁଝି ପାରି ନଥିଲେ ସେ କାହିଁକି ଡେରି କଲା। ସେ ବୁଝେଇ ମଧ୍ୟ ପାରିବ ନାହିଁ ଗୋଟେ ପରାଧୀନ ମଣିଷ କାହିଁକି ଏମିତି ତ୍ରିଶଙ୍କୁ ହେଇଯାଏ। ହଁ , କାରଣ ବହୁତ କିଛି ହେଇପାରେ ବା କୌଣସି ସ୍ପଷ୍ଟ କାରଣ ଦର୍ଶାଯାଇ ନପାରେ ।
************
ଗାଡି ଚାଲୁ ଥିଲା , ମ୍ୟାମ୍ ଅର୍ଦ୍ଧ ଚେତନ ଭାବେ ମଝିରେ ମଝିରେ ବ୍ରାଣ୍ଡ ଖୋଜୁଥିଲେ। ସେଇ ଚିରାଚରିତ ଜୀବନ ଚର୍ଯ୍ୟାରେ କିଛି ପରିବର୍ତ୍ତନ କରିବାର ଜୁ' ନଥିଲା ଅଶୋକ ଦାସର । କିଛି ପରିସ୍ଥିତି ମଣିଷର କାର୍ତ୍ତୃତ୍ୱ ବାହାରେ ରୁହେ ସବୁବେଳେ। ଏଇ ପି.ଏ ର ଖୋଳପା ଭିତରୁ ନିଜକୁ ମୁକ୍ତ କରିବାର ସୁଯୋଗ କି ସମର୍ଥ୍ୟ ନାହିଁ ଅଶୋକ ଦାସର । ତା'କୁ ସାରା ଜୀବନ ଏଇ ତ୍ରିଶଙ୍କୁ ଭାବରେ ଅତିବାହିତ କରିବାର ଅଛି। ସ୍ୱର୍ଗ ଆଉ ନର୍କ ମଝିରେ , ପ୍ରାପ୍ତି ଅପ୍ରାପ୍ତି ଭିତରେ ! ........
ସୌମ୍ୟା