Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଶୀତର ସେଇ ଶେଷ ରାତି
ଶୀତର ସେଇ ଶେଷ ରାତି
★★★★★

© srutakirti Tripathy

Tragedy

3 Minutes   5.3K    10


Content Ranking

ସେଇ ଯେ ଶେଷ ଥର କାଳିନ୍ଦୀ ତା ' ଆଈ ଘରକୁ ଯାଇଥିଲା । ତାହା ଗୋଟିଏ ଶୀତ ଋତୁ ଥିଲା । ଚାରିଆଡେ ହେମାଳ ପବନର ଛୁଆଁ । ରାତିରେ ଘାସ ଉପରେ କାକର ବୁନ୍ଦା, ପାଦ ଦୁଇଟିକୁ ଓଦା କରିଦେଉଥିଲା । ନଇ କୂଳିଆ ଗାଁ ହୋଇଥିବାରୁ ଥଣ୍ଡା ପବନରେ ଦେହ ଶୀତେଇ ଉଠେ । ସନ୍ଧ୍ୟା ହେଲା ମାନେ ଗୋଟିଏ ସ୍ଥାନରେ ନିଆଁ ଜଳ। ହେଉଥିଲା ଏବଂ ନିଆଁକୁ ଘେରି କିଏ ମଶିଣାରେ ତ କିଏ ଦଉଡ଼ିଆ ଖଟରେ ବସି ନିଜକୁ ଉଷୁମ ରଖିବାକୁ ଚେଷ୍ଟା କରୁଥିଲେ । ଗରମ ମୁଢି ଓ ବାଦାମ ଭଜାର ଆସର ଜମୁଥିଲା । ମଝିରେ ମଝିରେ ମାଇଁ ନ ହେଲେ ଆଈ ଷ୍ଟିଲ ଗ୍ଲାସରେ ଗରମ ଗରମ ଚା’ ପରିବେଷଣ କରୁଥିଲେ । ଥଣ୍ଡା ଯୋଗୁଁ ତର ତର ହୋଇ ଗ୍ଲାସ ଟି କୁ ଚଟ କିନା ପାଟିରେ ଲଗାଉ ଲଗାଉ ଜିଭ ଅଗଟା କେତେ କେତେ ଥର ଜଳିଯାଇ ଦୁଇ ଦିନ ଯାଏଁ ଜିଭର ସ୍ୱାଦ ଚାଲିଯାଉଥିଲା ।

କାଳିନ୍ଦୀ ଆଈ ଘର ପାଖରେ ରହୁଥିଲା କେଉଁଟୁଣୀ ବୁଢ଼ୀ । ପୁରୁଣା କସ୍ତା ଶାଢ଼ୀକୁ ଗୁଡେଇ କି ପିନ୍ଧିଥିବ । କଳା ମଚ ମଚ ଶରୀରରେ ଧଳା ଚୁଟି । ସୋରିଷ ତେଲର ବାସ୍ନା ପାଖରେ ବସିଲେ ବାରି ହୋଇ ପଡେ । ବୁଢ଼ୀ ପାଖରେ ଯେମିତି ଗପର ପସରା । ରଜାରାଣୀ, ଅସୁରୁଣୀ, ଡାହାଣୀ, ଭୂତ, ପ୍ରେତ ଠାରୁ ଆରମ୍ଭ କରି ରାମାୟଣ, ମହାଭାରତ ସମ୍ବନ୍ଧୀୟ ସବୁ କାହାଣୀର ପେଡି ଯେମିତି ସେ ତାର କଙ୍କାଳ ସାର ଦେହରେ ଲୁଚେଇ ରଖିଥାଏ । କାଳିନ୍ଦୀ ଶାଲ ଭିତରେ ଜାକି ଜୁକି ହୋଇ ବସି ଗପ ଶୁଣିବାରେ ଏମିତି ହଜି ଯାଏ ଯେ କେତେବେଳେ ଖାଇବା ସମୟ ହୋଇଯାଏ ତାକୁ ଜଣା ପଡ଼େନି । ଆଈଙ୍କର ବାରମ୍ବାର ତାଗିଦ ସତ୍ୱେ ଖାଇବାକୁ ଯିବା ପାଇଁ ତାର ଇଚ୍ଛା ହୁଏନି । କେଉଟୁଣୀ ବୁଢ଼ୀ ଜାଣି ଜାଣି କହେ,"ଆରେ ପିଲେ ଭୋକରେ ମୋର ପେଟ ପସିଲାଣି, ଦୁଇ ଗୁଣ୍ଡା ଖାଇକି ଗପଟି ସାରିବି ।" ସଭା ଭଙ୍ଗ ହୁଏ । ଦଉଡି ଯାଆନ୍ତି ଯେ ଯାହା ଘରକୁ । ଶୀଘ୍ର ଖାଇବା ଶେଷ କରି ବସିଯାନ୍ତି ପୁଣି ଯେ ଯାହା ଜାଗାରେ । ବୁଢ଼ୀ ପୁଣି ଗପିଯାଏ ତାର ଅବଶିଷ୍ଟ କାହାଣୀ । ଗପ ସରୁ ସରୁ କେତେ ରାତି ହୁଏ, ଘଣ୍ଟା ଦେଖିବାକୁ କାହାରି ସ୍ପୃହା ନ ଥାଏ । ବୁଢ଼ୀ କିନ୍ତୁ ତା ' ଘର ଚୁଲି ମୁଣ୍ଡରେ ସପ ପାରି ଶୋଇ ପଡେ ଆଉ ଗୋଟିଏ ରାତି ଅପେକ୍ଷାରେ ।

ତା 'ପର ଦିନ କାଳିନ୍ଦୀର ନିଦ ଭାଙ୍ଗିଲା ହୋ ହାଲ୍ଲା ଶବ୍ଦ ଶୁଣି । ବାହାରକୁ ଯାଇ ଯାହା ଦେଖିଲି ଆଖିକୁ ବିଶ୍ୱାସ ହେଲା ନାହିଁ । ବୁଢ଼ୀଟି ଗତ ରାତିରେ ସେମିତି ଚୂଲି ମୁଣ୍ଡରେ ଶୋଇଥିବା ଅବସ୍ଥାରେ ଜୀବନ ହାରି ଦେଇଥିଲା ।

କାଳିନ୍ଦୀର ଆଈ ସବୁଦିନ ପରି କେଉଟୁଣୀ ବୁଢ଼ୀ ଘରକୁ ଚୂଲି ଲଗେଇବା ପାଇଁ ଲୁହା ଚଟୁ ଧରି ନିଆଁ ଆଣିବାକୁ ଯାଆନ୍ତି । ସେଦିନ ଭୋରରୁ ଯାଇ ଡାକିବାରୁ ବୁଢ଼ୀ କିଛି ଶବ୍ଦ ଦେଲାନି । ପାଖକୁ ଯାଇ ହଲେଇ ଦେଲା ବେଳକୁ ବୁଢ଼ୀର ପ୍ରାଣବାୟୁ ଉଡିସାରିଛି । କେବଳ ପଡିରହିଥିଲା ତାର ନିଶ୍ଚଳ, କଙ୍କାଳସାର ଶରୀର । ଏସବୁ ଦୃଶ୍ୟ ଦେଖି ଏକ ହିମ ଶୀତଳ ଶିହରଣ କାଳିନ୍ଦୀର ତାଳୁରୁ ତଳିପା ଯାଏଁ ସଂଚରିତ ହୋଇଗଲା ଏବଂ ଆଖି ଦୁଇଟି ଲୁହରେ ଜଳକା ହେଇଗଲା । ବାହାରେ ପ୍ରବଳ ଥଣ୍ଡା ଥିଲେ ମଧ୍ୟ ଉତ୍ତପ୍ତ ହୋଇଯାଇଥାଏ ତାର ଅନ୍ତର ଏବଂ ଅସ୍ତ ବ୍ୟସ୍ତ ହୋଇଯାଉଥାଏ ସେ ଟିକିଏ ଥଣ୍ଡା ପବନ ପାଇଁ ।

ତା ପରେ ଶୀତ ଦିନ ଆସିଲେ କାଳିନ୍ଦୀର ବହୁତ ମନେ ପଡ଼େ ଆଈ ଘର କଥା । କେଉଟୁଣୀ ବୁଢ଼ୀ କଥା, ତାର ଗପ କୁହା ଢଙ୍ଗ କଥା, ହେଲେ ଆଜିଯାଏ କାହାକୁ କହି ନି ସେ, ବୁଢ଼ୀ ତାକୁ ମରିବା ପୂର୍ବ ଦିନ କହିଥିବା ଗୋଟିଏ କଥା ।

ଗପ ଶୁଣିସାରି ଉଠି କି ଗଲା ବେଳେ ବୁଢ଼ୀ କାଳିନ୍ଦୀକୁ ମାଗିଥିଲା ଘୋଡିହେବା ପାଇଁ ସେ ପିନ୍ଧିଥିବା ଶାଲ । ଯାହା କି ସେ,'କାଲି ଦେବି 'ବୋଲି କହି ମିଛ ପ୍ରତିଶ୍ରୁତି ଦେଇ ଚାଲି ଆସିଥିଲା । ସେଥିପାଇଁ ପରଦିନ ସକାଳର ହୃଦୟ ବିଦାରକ ଘଟଣାଟି ପାଇଁ ନିଜକୁ ସମ୍ପୂର୍ଣ୍ଣ ରୂପେ ଦାୟୀ କରିଥିଲା କାଳିନ୍ଦୀ ।

ତାକୁ ମନେହେଲା ବିଚରା ବୁଢ଼ୀଟି ବୋଧେ ଶୀତ ସହି ନ ପାରି ଅକାଳରେ ମୃତ୍ୟୁ ବରଣ କଲା । ଜୀବନ ଥିବା ଯାଏଁ ସେ ଘଟଣାଟି ପାଇଁ କାଳିନ୍ଦୀ ନିଜକୁ କ୍ଷମା ଦେଇ ପାରିନି । ଆତ୍ମଗ୍ଲାନିରେ ଆଈ ଘରକୁ ଯିବା ମଧ୍ୟ ତା ପକ୍ଷେ ଆଉ ସମ୍ଭବ ହୋଇ ପାରିନି ।

ସୃତକିର୍ତ୍ତୀ ତ୍ରିପାଠୀ

ଶୀତ ପବନ ବାଦାମ

Rate the content


Originality
Flow
Language
Cover design

Comments

Post

Some text some message..