Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସେଦିନ ର ଦୀପାବଳୀ ଓ ପୋତା ହାଡ...
ସେଦିନ ର ଦୀପାବଳୀ ଓ ପୋତା ହାଡ...
★★★★★

© Subal Mohapatra

Horror

23 Minutes   374    28


Content Ranking


ଜୀବନ ରେ କେବେ ଦେଖି ନଥିଲେ ବି ଶବ୍ଦ ଟା କାହିଁକି ଅଖାଡୁଆ ଶୁଭେ । ହଁ, ଆଜ୍ଞା ମୁଁ ଭୂତ କଥା କହୁଛି । ଛୋଟ ବେଳେ କେତେ କଣ କାହାଣୀ ଶୁଣିଥିଲା ବଣ୍ଟି । ଲଗାଲଗି ଜେଜେ, ମାମୁଁ, ସାଙ୍ଗ ସାଥି ଆଉ ଗାଁ ଲୋକଙ୍କଠୁ ବହୁତ ପ୍ରକାର ଭୂତ ଗପ ଶୁଣିଛି ସେ । ଭୂତ କୁଆଡେ ରାତି ପହରକରୁ ଡାକି ନିଏ ମାଛ ମାରିବାକୁ କିମ୍ବା ବିଲରେ ପାଣି ମଡ଼େଇବାକୁ । କେତେବେଳେ ଦେଖାଦିଏ କେଉଁ ବ୍ରାହ୍ମଣକୁ ଯିଏ କୌଣସି ଏକ ଦୂର ଗାଁ ରୁ ବାହାଘର କିମ୍ବା ମୃତକ କାମ ସାରି ଫେରୁଥାଏ । କିଏ ଅବା ଦେଖେ କୌଣସି ଏକ ରାସ୍ତା ରେ, ନିଛାଟିଆ, ଶୂନଶାନ ଜଙ୍ଗଲ ମଝିରେ ରାତି ବାରଟାରେ ସୁନ୍ଦରୀ ଝିଅ ଟିଏ ଆଗ ଛକ ଯାଏ ଯିବାପାଇଁ ଲିଫ୍ଟ ମାଗେ । କେତେବେଳେ କୌଣସି ଏକ ଗାଡିର ବ୍ରେକ ଫେଲ କରି ଦିଏ ଓ କିଛି ବାଟ ଗଲା ପରେ ପୁଣି ଆପେ ଆପେ ଗାଡିର ବ୍ରେକ କାମ କରିବାକୁ ଲାଗେ ।


      ତା'ର ବି ଇଲମ ଅଛି ଯେ !!! ଲଙ୍ଗଳା ହୋଇ ଭୂତଙ୍କ ସହ ନାଚିବାକୁ ପଡେ । ଗୋଲେଇ ଆକାର ର ମୁତି, ସେଇ ଭିତରେ ଠିଆ ହେବାକୁ ପଡେ ସକାଳ ଯାଏ । ମୁତ ମିଶା ମାଟି କୁ ତାଙ୍କ ଉପରକୁ ଫିଙ୍ଗି ବାକୁ ପଡେ । ହାତରେ ଲୁହାର କୌଣସି ଏକ ଜିନିଷ ଧରି ଆସ୍ତେ ଆସ୍ତେ ସେମାନେ ନ ଦେଖିପାରିଲା ପରି ସେଠୁ ଖସି ଆସିବାକୁ ହୁଏ ଅବା ଗାଡି ଭିତରେ ପାଖରେ ଥିବା ମଦ ବୋତଲରୁ ଅଳ୍ପ ପିଇ ଆଉ ଅଳ୍ପ ହାତରେ ବୋଳି ହେଲେ ଭୂତ କିଛି କରି ପାରେ ନାହିଁ ।


 ଭୂତ ବି ଆଜ୍ଞା କଣ କମ କି? ଚାହିଁଲେ ମଣିଷ କୁ ମାରି ଦେଇ ପାରେ, ପାଗଳ କରିପାରେ ଅବା ରକ୍ତ ଶୋଷିନିଏ । ସେ ଦର୍ପଣରେ ଦେଖା ଯାଏନି ଆଉ ରାତି ଅଧାରେ ଗାଡ଼ିରେ ଲିଫ୍ଟ ମାଗି ବସି ଯାଏ । ସେ ବସି ସାରିଲା ପରେ ଗାଡିର ଓଜନ ବଢିଯାଏ । ଗାଡି ଓଜନିଆ ଲାଗେ । ୬୦ ସ୍ପିଡ଼ ରେ ଚଳେଇଲେ ୨୦ରେ ଯିବାପରି ଲାଗେ । ଆଉ ସେଇ ଜାଗାଟି ଅତିକ୍ରମ କରି ସାରିଲା ପରେ ଗାଡିର ସ୍ପିଡ଼ ହଠାତ ପୁଣି ୬୦ କୁ ପଳେଇ ଆସେ ଆଉ ପାଖ ସିଟରେ ଝିଅ ଟି ନଥାଏ । ଚାଳକ ନିୟନ୍ତ୍ରଣ ହରାଇ କେଉଁ ଗଛରେ କିମ୍ବା ରାସ୍ତା ପାଖରେ ଥିବା ଭଙ୍ଗା ଘରେ ପିଟି ହୁଏ ଓ ମରିଯାଏ । ନହେଲେ କିଛି ଦୂର ଯିବା ପରେ ହଠାତ ଝିଅଟି ଉଭାନ ହୋଇ ଯାଏ ଓ ପଛରୁ କିଛି ଶବ୍ଦ ଆସି କାନ ରେ ବାଜେ "ଯା ରେ ପୁଅ ଏଥର ଛାଡିଦେଲି" ।


 ଏଗୁଡା ସବୁ ଶୁଣି ଶୁଣି ବଣ୍ଟି ଅଭ୍ୟସ୍ତ ଥିଲା ଭୂତ କେମିତି ଆଉ ହାବୁଡ଼ରେ ପଡିଲେ କେମିତି ବଞ୍ଚିବ । କିନ୍ତୁ କିଛି ପ୍ରଶ୍ନର ଉତ୍ତର ସେ ଆଜି ଯାଏ ବି ପାଇ ନଥିଲା । ଯେମିତି କି ଡ୍ରାଇଭରଟି ମରି ସାରିଲା ପରେ ଲୋକ ମାନେ କେମିତି ଜାଣିଲେ ଏତେ ସବୁ ଘଟଣା ଘଟିଥିଲା ବୋଲି? ଭୂତ ମାନେ ଖାଲି ଖାଲିରେ ନାଚନ୍ତି ନା ତାଙ୍କ ପାଇଁ କିଏ DJ ବଜାଏ? ତାଙ୍କର କଣ ମାଛ ଖାଇବା ପାଇଁ ଲୋଭ ଥାଏ ଯେ ସେମାନେ ମାଛ ମାରିବାକୁ ଡାକି ନିଅନ୍ତି? ସେମାନେ ତ ଯୁଆଡେ ଚାହିଁବେ ଯାଇ ପାରିବେ ତେବେ ଲିଫ୍ଟ କାହିଁକି ମାଗନ୍ତି ? ବ୍ରାହ୍ମଣ ପାଖରେ ତ ପଇତା ଥାଏ, ତାକୁ ଦେଖି କି ଭୂତ ଡରେ ନା ନାହିଁ? ଯଦି ଡରେ ତେବେ ବ୍ରାହ୍ମଣର ତ ଡରିବା ଦରକାର ନାହିଁ । ଆଉ ଯଦି ନ ଡରେ ତେବେ ସେ ବ୍ରାହ୍ମଣ ମୃତକ କାମ କିପରି କରେ? ସେତେବେଳେ ତାକୁ ଡର ଲାଗେ ନା ନାହିଁ? ଭୂତ ଦେହରେ ମୁତ ମାଟି କେମିତି ବାଜେ? ଲୁହା ଓ ମଦକୁ ସେମାନେ ଡରନ୍ତି ନା ଭକ୍ତି କରନ୍ତି ନା ଘୃଣା କରନ୍ତି ? ଏସବୁ କାହାଣୀ ଶୁଣି ଶୁଣି ସେ ବଡ ହୋଇଛି । ଭୂତ ପ୍ରତି କିଛି ଡର ଥିଲେ ବି ସେ ଯେତେ ଯେତେ ବଡ ହୁଏ ଆସ୍ତେ ଆସ୍ତେ ଦୁନିଆଁ କୁ ଚିନ୍ହିଲା ପରେ ତା ମନରୁ ଭୂତ ପ୍ରତି ଥିବା ଡର ଛାଡି ଛାଡି ଯାଏ । ଲୋକ ମାନେ ତ ପୁଣି ନାଇଟ ସିଫ୍ଟ ସାରି ଘରକୁ ଆସୁଛନ୍ତି । ଏବେ ସହରରେ ବଡ ଗଛ କିମ୍ବା ସେମିତି ପୁରୁଣା ଘର କାହିଁ ଯେ ଭୂତ ରହିବ? ସହର ତ କେବେ ଶୁଏନି, ସବୁ ବେଳେ ଲୋକ ଯିବା ଆସିବା ଲାଗିଥାଏ ତେବେ ଭୂତ ନା ଫୁତ... ଭୂତ ଡର ଛାଡ଼ି ଛାଡି ଆସିଲା ବେଳକୁ ତାକୁ ଯିବାକୁ ପଡେ ଘରୁ ପ୍ରାୟ ୭୦ କିଲୋମିଟର ଦୂରରେ ଥିବା ସହରକୁ । ଇଞ୍ଜିନିଅରିଂ ପଢିବା ପାଇଁ । ଜଣେ ମାମୁଁ ତାକୁ ଗୋଟିଏ ଡେଉଁରିଆ ଦେଲେ ପିନ୍ଧିବା ପାଇଁ । ସବୁ ଶୁଭ ହେବ । ହଉ ।


 ଇଞ୍ଜିନିଅରିଂ ର ପ୍ରଥମ ବର୍ଷ ଯାହିତାହିରେ କଟିଗଲା । ଦ୍ଵିତୀୟ ବର୍ଷ ବେଳକୁ ସେମାନେ କିଛି ସାଙ୍ଗ ଠିକ କରନ୍ତି ଗୋଟେ ଘର ଭଡା ନେଇ ମେସ କରି ରହିବେ । ପ୍ରାୟ ଆଠ ଜଣ । ଏତେବଡ ଘର ସହର ଭିତରେ ଅଳ୍ପ ପଇସାରେ ମିଳିବା ମୁସ୍କିଲ । ତେବେ ସହର ଠୁ ଟିକେ ଦୂର ହେଲେ ବି କିଛି ଅସୁବିଧା ନାହିଁ । ପାଖରେ ଦୁଇ ତିନୋଟି ସ୍କୁଟର ଓ ମୋଟରସାଇକେଲ ଅଛି । କଲେଜକୁ ବି ଯିବାପାଇଁ ସଟ କଟ ରାସ୍ତା ଅଛି । ଅଳ୍ପ ସମୟ ଭିତରେ ପହଞ୍ଚି ହେବ । ସପ୍ତାହକୁ ଥରେ ଦୁଇଥର ବଜାରରୁ ପରିବା ନେଲେ ଯଥେଷ୍ଟ । ଚାଉଳ, ମସଲା ପାଇଁ ପାଖରେ ଗୋଟେ ଦୋକାନ ବି ଅଛି । ରୋଷେଇ ପାଇଁ ପାଖ ସାହି ରୁ ପିଲାଟିଏ ବି ମିଳିଗଲା । ସବୁ ଦୃଷ୍ଟି ରୁ ସୁବିଧା । ତେଣୁ ଘରଟି ଭଡା ରେ ନେଇଗଲେ ସେମାନେ । ଆଗରୁ ମାଲିକ ସେ ଘରେ ନିଜେ ରହୁଥିଲା । ଏବେ ସେ ନିଜ ଘର ଛାଡି ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ଅନ୍ୟ ଏକ ଘରକୁ ଭଡାରେ ଚାଲିଗଲା ଓ ବଜାର ଦରଠୁ ବି କମ ପଇସାରେ ଘରଟି ଭଡାରେ ଦେବା ପାଇଁ ରାଜି ହୋଇଗଲା । ବାଃ.. ବିରାଡ଼ି କପାଳକୁ ଶିକା ଛିଣ୍ଡିଲା ପରିକା ଏମାନଙ୍କୁ ଘର ଟି ମିଳିଗଲା ।


   ଏବେ କିଛି କିଛି ପଇସା ସଞ୍ଚି ହେବ । ଆଗରୁ ତ ଘର ଭଡା ଓ ହୋଟେଲ ଖାଇବାରେ ସବୁ ପଇସା ସରି ଯାଏ । ଯାହାହଉ ଭଲହେଲା । ନିରୋଳା, ଟିକେ ନିଛାଟିଆ ଜାଗାରେ ଘରଟି ମିଳିଲା । ଟିକେ ନିଛାଟିଆ ଏଥିପାଇଁ ଯେ ଆଖ ପାଖରେ ଘର ଥିଲେ ବି ସାମ୍ନାରେ ଖେଳ ପଡିଆ ଓ ଘର ସାଇଡରେ ରାସ୍ତା ଥିବାରୁ ଗୋଟିଏ ପଟେ ହିଁ ଜଣେ ପଡୋଶୀ । ପଛ ପାଖେ ଏ ଘରର ବାଡ଼ି ଓ ପଛ ଘରର ବାଡ଼ି ମିଶି ପ୍ରାୟ ଲମ୍ବା ଚଉଡାରେ ବହୁତ । ତେଣୁ ତାଙ୍କୁ ପଡୋଶୀ ବୋଲି ବି କହି ହେବନି ।   


   ଇଞ୍ଜିନିଅରିଂ ର ପିଲା ମାନେ ସତରେ ବଡ ଟ୍ୟାଲେଣ୍ଟେଡ । ପରୀକ୍ଷାର ମାସେ ପୂର୍ବରୁ ପଢା ଆରମ୍ଭ ଓ ଛଅ ମାସର କୋର୍ସ ମାସେରେ ଖତମ । ତେଣୁ ବାକି ପାଞ୍ଚ ମାସ ତାଙ୍କ ପାଖରେ ଟାଇମ ହିଁ ଟାଇମ ଥାଏ । ଆଜି ଗଣେଶ ପୂଜା ତ କାଲି ଲକ୍ଷ୍ମୀ ପୂଜା । ସବୁ କେମିତି ନିଆରା ନିଆରା ଲାଗେ । ବଣ୍ଟିର ମେସ ସାଙ୍ଗମାନେ ସେଦିନ ବସି କଥା ହେଲେ । ଏ ଥର ଦୀପାବଳୀ ଟା ବଡ ଧୁମ ଧାମ ରେ ପାଳିବା । ଆଖପାଖର ଲୋକାଲ ସାଙ୍ଗ ମାନେ ବି ହାତ ମିସେଇଲେ । ପାଖାପାଖି ଦଶ ହଜାର ଟଙ୍କା ଉପରେ କଲେକସନ ହେଲା । ଏଥର ଖୁବ ମଜା ହବ । ଦଶହଜାର ଟଙ୍କାର ବାଣ । ଆଖପାଖରୁ ବାଣ କିଣିଲେ ଅଳ୍ପ ଆସିବ । ତେଣୁ ଠିକ କଲେ ଯେ ପ୍ରାୟ ୩୦/୪୦ କିଲୋମିଟର ଦୂରରେ ଥିବା ଏକ ଗାଁ ରୁ ବାଣ ଆସିବ । ସେଠି ବାଣ ତିଆରି ହୁଏ । ସେଠୁ ହିଁ ବାଣ ଆଣି ଛୋଟ ଦୋକାନୀ ମାନେ ଚଢା ଦରରେ ବିକ୍ରି କରନ୍ତି । ଆହୁରି ବି ଲିଚୁ ଲାଇଟ ଆସିବ, ଧପଧପି ଚାଇନା ଲାଇଟ ବି ଆସିବ, ଗୋଟେ ମାଷ୍ଟର ବଲବ ବି ଆସିବ ଯେଉଁଟା କି ସବୁ ଲାଇଟକୁ ଧପ ଧପ କରିବ ।


   ବାସ, ଆରମ୍ଭ ହୋଇଗଲା ପ୍ରିପ୍ୟାରେସନ । ସାତଦିନ ପୂର୍ବରୁ ଲାଇଟ ସବୁ ଆସିଗଲା । ଖାଲି ବାଣ ବାକି ରହିଲା । ଯୋଜନା ଅନୁସାରେ ଦୀପାବଳୀ ପୂର୍ବ ଦିନ ବାଣ ଆସିବ । ହେଲେ ଲାଇଟ ସବୁ ଆସି ଗଲାଣି ଯେତେବେଳେ ଲଗେଇ ଦେଲେ ମେସ ଟା ସୁନ୍ଦର ଦିଶିବ । ତେଣୁ ସମସ୍ତେ ଲାଗିଗଲେ କାମରେ । କେଉଁ ଜାଗାରେ କେଉଁ ଲାଇଟ ଟା ଲଗେଇଲେ ଭଲ ଦେଖା ଯିବ ତା ମଧ୍ୟ ଫାଇନାଲ ହୋଇଗଲା । ମେସ ର କାନ୍ଥକୁ ଲାଗି ଥିବା ଆମ୍ବ ଗଛ ଉପରେ ଲିଚୁ ଲାଇଟ ଲଗାଯିବାର ଯୋଜନା ହେଲା । ଜଣେ ପିଲା ଗଛ ଉପରେ ଚଢି ଗୋଟିଏ ପରେ ଗୋଟିଏ ଡାଳରେ ଲଗେଇ ଚାଲିଲା । ସରିଗଲା ପରେ ତଳକୁ ଓ଼ଲ୍ଳେହିଲା ବେଳେ ତା ଗୋଡ଼ରେ ଗୋଟେ କଣ୍ଟା ବାଜିଲା, ଯାହା କି ଗଛରେ ପିଟା ହୋଇଥିଲା । କିଏ ଗୋଟେ ଦୁଷ୍ଟ ପିଲା ଲଗେଇଥିବା ବୋଲି ଭାବି ସେ କଣ୍ଟାକୁ କାଢି ଫୋପାଡ଼ି ଦେଲା ଓ ତଳକୁ ଆସି ବାକି କାମରେ ମନ ଦେଲା । ଛାତ ଉପରେ ମାଷ୍ଟର ବଲବ ଲଗେଇଲା ପରେ ବି କୌଣସି ବି ଲାଇଟ ଧପ ଧପ ହେଉନି, କିନ୍ତୁ କାହିଁକି? ବହୁତ ସମୟ ପରୀକ୍ଷା ନିରୀକ୍ଷା କଲା ପରେ ବି କାହିଁକି କେଜାଣି ସେଟା କାମ କଲାନି । ହେଃ.. ଛାଡ଼.. କାଲି ଦେଖିବା କହି ସମସ୍ତେ ଘରକୁ ପଳେଇ ଆସି ଅନ୍ୟ କାମରେ ମନ ଦେଲେ ।

ବେଳେ ବେଳେ କିଛି କିଛି ସାଙ୍ଗ ମାନେ ମଧ୍ୟ ଆସନ୍ତି ମେସ କୁ । ହସ, ଖେଳ, ଖଟି ସହ ତାସ ମାଡ ବି ହୁଏ । ଶୀତ ଦିନ, ତେଣୁ ବ୍ୟାଡ଼ମିଣ୍ଟନ ଖେଳ ବି ହୁଏ । ସେଦିନ ବ୍ୟାଡ଼ମିଣ୍ଟନ ଖେଳି ସାରି ଆସି ପୁଣି କିଛି ସମୟ ମାଷ୍ଟର ବଲବ ପଛରେ ଲାଗିଲେ ବି କିଛି ଲାଭ ହେଲାନି । ଛାଡ । ଏବେ କିଛି ସାଙ୍ଗ ମାନେ ଆଣିଥିବା କିଛି ଫୋଟୋ କମ୍ପୁଟରରେ ଦେଖାଗଲା । ସ୍କ୍ରିନସେଭର ପାଇଁ କିଛି ଭଲ ଭଲ ଫୋଟୋ ବାଛି ରଖାଗଲା । (ଏହା ସେତେବେଳେ ର କଥା ଯେତେବେଳେ ଫ୍ଲପି ଡ୍ରାଇଭ ରେ ଫୋଟୋ ନେଣ ଦେଣ ହୁଏ । ଇଣ୍ଟେର୍ନେଟ କହିଲେ ୬୪ KBPS, ସେ ପୁଣି କେବଳ କଲେଜ ରେ ଥିଲା । 20GB ହାର୍ଡ ଡିସ୍କ ମାନେ ବହୁତ । କମ୍ପୁଟର ଗୋଟେ କିଣିବା ପାଇଁ ପାଖାପାଖି ୮୦,୦୦୦ ଟଙ୍କା ଲାଗୁଥିଲା ) 


ଫୋଟୋ ସବୁ ଦେଖି ସାରିଲା ପରେ ହଠାତ ଗୋଟେ ଫୋଟୋ ଉପରେ ନଜର ପଡିଲା ଯେଉଁଥିରେ ଗୋଟେ ପିଲା ର ପଛପଟେ ଗୋଟେ ଭୂତ ର ଫୋଟୋ ଥିଲା ଓ ଏ ଫୋଟଟି ବଲାଙ୍ଗୀର ର କେଉଁ ଏକ ଜଙ୍ଗଲ ରେ ଉଠା ଯାଇଥିଲା । ସେମାନେ ଭୋଜି କରିବାକୁ ଯାଇଥିଲେ । ଆସିଲା ପରେ କିଛି ଦିନ ରକ୍ତ ବାନ୍ତି କରି ପିଲାଟି ମରିଗଲା । ରିଲ (ସେତେବେଳେ ରିଲ ଵାଲା କ୍ୟାମେରା ଥିଲା) ଧୋଇ ସାରିଲା ପରେ ଏ ଫୋଟଟି ଲୋକଲୋଚନକୁ ଆସି ଭାଇରଲ ହୋଇଗଲା । ତେବେ ଦେଖୁ ଦେଖୁ କେତେବେଳେ ଯେ କମ୍ପୁଟରରେ ବାଜୁଥିବା ଗୀତ ବନ୍ଦ ହୋଇ ଯାଇଛି କାହାକୁ ଜଣା ନାହିଁ । ସମସ୍ତେ ଫୋଟ ଦେଖିବା ଓ ବାର୍ତାଳାପରେ ମଗ୍ନ । ହଠାତ ଜଣେ ପିଲା ଆବିଷ୍କାର କଲା ଯେ ଗୀତ କାହିଁକି ବାଜୁନି? କିଛି ସମୟ ପୂର୍ବରୁ ତ ବାଜୁଥିଲା । ହଉ, କାଳେ ବନ୍ଦ କରି ପୁଣି ଖୋଲିଲେ ବାଜିବ । କିନ୍ତୁ ନା, ଯେତେ ଚେଷ୍ଟା କଲେ ମଧ୍ୟ ଆଉ ଗୀତ ବାଜିଲାନି । କାଳେ ସାଉଣ୍ଡ କାର୍ଡରେ କିଛି ପ୍ରୋବ୍ଲେମ ଥିବ ବୋଲି ଭାବି ସବୁ ଖୋଲା ଖୋଲି କରି ଆଉ ଥରେ ସଜଡା ହେଲା । ସବୁ ପିଲା କମ୍ପୁଟର ବ୍ରାଞ୍ଚର, ତେଣୁ ଏସବୁ ତାଙ୍କର ନୀତି ଦିନିଆଁ କଥା । ଅଧଘଣ୍ଟେ ଗଲା, ଘଣ୍ଟେ ଗଲା କିଛି ଲାଭ ନାହିଁ । ହଉ, କାଲି ସକାଳୁ ଦୋକାନକୁ ନେଲେ ଦେଖିବା । ଏବେ କମ୍ପୁଟରରେ ଭୂତ ଫୋଟୋ କିଆଁ ରଖିବା ବୋଲି ଭାବି ତାକୁ ଡିଲିଟ କରିଦିଆଗଲା । ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଗୀତ ପୁଣି ଥରେ ଆରମ୍ଭ ହୋଇଗଲା । ଆରେ... ଏ କି କଥା ? ପୁଣି ଫୋଟୋ କପି କର - ଗୀତ ବନ୍ଦ । ଡିଲିଟ କର - ଗୀତ ଚାଲୁ । ସମସ୍ତେ ଆଶ୍ଚର୍ଯ୍ୟ । ଆଛା ତେବେ ଏଥିରେ କିଛି ଭାଇରସ ଥାଇପାରେ । ସମସ୍ତେ ଫ୍ଲପି ଦେଇଥିବା ପିଲା କୁ ଗାଳି କରିବାରେ ଲାଗିଲେ । ସେ ବି ତା ଫ୍ଲପି ଭଲ ଅଛି ବୋଲି ସଫେଇ ଦେବାକୁ ଲାଗିଲା, "ଏ ଫୋଟୋ ତ ଆହୁରି ବହୁତ ପିଲା ଏଇ ଫ୍ଲପି ରୁ କପି କରି ନିଜ ନିଜ କମ୍ପୁଟର ରେ ରଖିଛନ୍ତି । କାହାର କିଛି ଅସୁବିଧା ନାହିଁ । ତମ କମ୍ପୁଟର ରେ କିଛି ଥାଇ ପାରେ" । ଏ ସବୁ ଯୁକ୍ତି ପରେ ଫାଇନାଲ ହେଲା ଯେ ରିସ୍କ ନେବା ଦରକାର ନାହିଁ । ତେଣୁ ଫୋଟଟି ଡିଲିଟ କରାଯାଉ । କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଫୋଟୋ ଟି ଡିଲିଟ ହେଲା ନାହିଁ । ବହୁତ ଥର ଚେଷ୍ଟା କଲା ପରେ ବି ଫୋଟୋ ଟି ପୁଣି ଫେରି ଆସୁଥାଏ ଥରେ ମାତ୍ର ରିଫ୍ରେଶ ରେ । ଅନ୍ୟ ଉପାୟ ନ ପାଇ, କମ୍ପୁଟରକୁ କିଛି ସମୟ ବନ୍ଦ କରାଗଲା ଓ ପୁଣି କିଛି ସମୟ ପରେ ଖୋଲି ଫୋଟୋ ଟିକୁ ଡିଲିଟ କରିବାରୁ ଫୋଟୋ ଟି ଡିଲିଟ ହେଲା।

....  


ଦୀପାବଳୀ ଆହୁରି ଚାରିଦିନ ବାକି । ମଝିରେ ମେସ ପିଲାଙ୍କ ଭିତରୁ ଜଣଙ୍କ ଭାଇ ବୁଲିବାକୁ ଆସିଲେ । ରାତିରେ ଗପ କରି ଶୋଉ ଶୋଉ ରାତି ପ୍ରାୟ ୨.୩୦ ହେବ । ସମସ୍ତେ ଶୋଇ ସାରିଲେଣି । ଝରକା ଖୋଲା । ମୃଦୁ ମୃଦୁ ପବନ ଧୀରେ ଧୀରେ ଝରକା ପଟେ ଆସୁଥାଏ । ଶୀତ ଦିନ ତ ଆରମ୍ଭ ପ୍ରାୟ । ଘୋଡେଇ ହେବା ଦରକାର ପଡୁ ନଥାଏ । ଫ୍ୟାନ ର ସ୍ପିଡ଼ ପ୍ରାୟ ୨ / ୩ ରେ ଚାଲୁଥାଏ । ରହି ରହି ଗୋଟେ ପିଲାର ଘୁଙ୍ଗୁଡ଼ି ଶବ୍ଦ ଶୁଣା ଯାଉଥାଏ । ତିନୋଟି ବଖରାରେ ପ୍ରାୟ ନଅ ଜଣ ଶୋଇଥାନ୍ତି । ଘରଟିକୁ ଦୁଇ ଭାଗରେ ବିଭକ୍ତ କଲେ ଗୋଟେ ପଟେ ଦୁଇଟି ରୁମ । ବାହାରକୁ ଯିବାକୁ ବାଟ ସେଇପଟେ । ରୁମ ର ବାହାରେ ଆମ୍ବ ଗଛ । ଏପଟ ରୁମ ପାଖରେ ରୋଷେଇ ଘର । ଆର ଭାଗରେ ଆଗ ଗୋଟେ ଷ୍ଟୋର ରୁମ । ସେଥିରେ ଘର ମାଲିକର ଜିନିଷ ପତ୍ର ସବୁ ଥାଏ । ତାକୁ ଲାଗି ଆଉ ଗୋଟିଏ ରୁମ । ତା ପରେ ଦୁଇଟି ଗାଧୁଆଘର ଲାଗି ଲାଗି । ମଝିଟା ଡାଇନିଂ । ବାହାର ପଟେ ଗୋଟେ ଖୋଲା ଘର ଓ ସିଡ଼ି ଘର । ଚାରି ପଟେ ମାଙ୍କଡ଼ା ପଥରର ପାଚେରୀ । ସବୁ ରୁମ ର ଝରକା ଗୁଡା ପାଚେରୀକୁ ଲାଗିଛି । ହଠାତ କେମିତି ଗୋଟେ ରୁଣୁଝୁଣୁ ଶବ୍ଦ ଶୁଭିଲା...


 ଛମ ଛମ ଶବ୍ଦ...


କିଏ ଯେମିତି ଚାଲି ଚାଲି ଯାଉଛି....


ବୋଧ ହୁଏ କେହି ନବବଧୂ.....


କିନ୍ତୁ ଏତେ ରାତିରେ?


ହଁ, ହେଇଥିବ । ପଡୋଶୀଙ୍କ ବୋହୁ ଉଠିଥିବ ରାତିରେ, ପାଣି ପିଇବାକୁ ଅବା ପରିସ୍ରା ଯିବାକୁ । ଆସ୍ତେ ଆସ୍ତେ ରୁଣୁଝୁଣୁ ଶବ୍ଦ ଝରକା ପାଖକୁ ପାଖକୁ ଆସିବାର ଶୁଣା ଗଲା .....


 ଭାଇ ଜଣଙ୍କୁ ଟିକେ ଟିକେ ଡର ଲାଗିଲେ ବି ସେ ପତଳା ଚାଦରଟି ମୁହଁ ଉପରେ ଦେଇ ଶୋଇବାକୁ ଚେଷ୍ଟା କଲେ । ଆସ୍ତେ ଆସ୍ତେ ପାଉଁଜିର ରୁଣୁଝୁଣୁ ଶବ୍ଦ ପାଖେଇ ପାଖେଇ ଆସି ପୁଣି ଦୁରେଇ ଯିବାପରି ଲାଗିଲା । ଭାଇ ଜଣଙ୍କ ଏଥର ଉଠି ଝରକା ପଟେ ଡୁଙ୍ଗିଲେ....


କିନ୍ତୁ ପାଦ ପାଖ ଧଳା ଶାଢ଼ିଟିଏ ପରି ଦିଶିବା ବ୍ୟତୀତ ଆଉ କିଛି ଦୃଶ୍ୟ ହେଲାନାହିଁ । ତେବେ କେହିଜଣେ ଧଳା ଶାଢ଼ିଟିଏ ପିନ୍ଧି ପାଚେରୀ ଉପରେ ଚାଲି ଚାଲି ଯିବାର ଅନୁଭବ କଲେ । କିନ୍ତୁ ପରଦିନ ସକାଳୁ କାହାକୁ କିଛି ନ କହି ତାଙ୍କ କାମରେ ଚାଲିଗଲେ । 


ସେଦିନ ସେଇ ଘରେ ମେସ ପିଲାଙ୍କ ଭିତରୁ ଜଣେ ଶୋଇଥାଏ । ରାତି ପ୍ରାୟ ୧୨ ଟା ହେବ । ଅନ୍ୟ ମାନେ ଅନ୍ୟ ଘରେ ତାସ ଖେଳୁଥାନ୍ତି ଓ ଅନ୍ୟ ତିନିଜଣ କମ୍ପୁଟରରେ ଗେମ । ହଠାତ ଗୋଟେ କୁଁ କୁଁ ଶବ୍ଦ ଶୁଣାଗଲା । ତା ପରେ ଓଃ.. ଏ..ଏ..ଏ.. ପରି ଛୋଟ ଚିତ୍କାର....


 ସମସ୍ତେ ଉଠି ପିଲାଟି ଶୋଇଥିବା ରୁମକୁ ଧାଇଁଲେ । ପିଲାଟି ଶୋଇ ଛଟପଟ ହେଉଥାଏ । ସ୍ବପ୍ନ ଦେଖୁଛି ବୋଧେ । ସମସ୍ତେ ତାକୁ ଉଠେଇବାକୁ ଚେଷ୍ଟା କଲେ । କିଛି ସମୟ ପରେ ଉଠିଲା । ଉଠୁ ଉଠୁ ଆଗ ବୋତଲରୁ ଅଧା ବୋତଲ ପାଣି ପିଇ ପକେଇଲା । ସମସ୍ତେ ତାକୁ ଗାଳି କରିବାକୁ ଲାଗିଲେ, "ଶଳା, ସ୍ବପ୍ନ ଦେଖି ବିଳିବିଳେଇ ହଉଛୁ । ଆମ ଖେଳର ମୁଡ଼ ଭାଙ୍ଗିଦେଲା, ଛେ.. " । 


ପିଲାଟି ଟିକେ ସାଷ୍ଟାମ ହେଲା ପରେ କହିଲା, "ମୋତେ କିଏ ଜଣେ ମାଡି ବସିଥିଲା... 


ମୁଁ ଉଠିବାକୁ ଚେଷ୍ଟା କରୁଛି କିନ୍ତୁ କିଏ ଜଣେ ମାଡି ବସିଛି.... 


ବସିବାକୁ ଚେଷ୍ଟା କରୁଛି କିନ୍ତୁ ଉଠି ପାରୁନି... 


ପାଟିକରିବାକୁ ଚେଷ୍ଟା କରୁଛି କିନ୍ତୁ ଡାକ ଶୁଣା ଯାଉନି... 


କଥା ବାହାରୁନି ପାଟିରୁ ..." 


   ସମସ୍ତେ ତା କଥାକୁ ହସ ରେ ଉଡେଇ ଦେଲେ । "ଆମକୁ ତ କାହିଁ କେହି ମାଡି ବସୁ ନାହାନ୍ତି । ତୁ ଶଳା ସ୍ବପ୍ନରେ ବିଳିବିଳେଇ ହଉଛୁ । କିଏ କିରେ? ସୁନ୍ଦରୀ ଝିଅ ଥିଲା ନା ବୁଢ଼ୀ ମାଇକିନା?" ହୋ ହୋ ହସ ଆଉ କଟାକ୍ଷରେ ପିଲାଟି ବିଚରା ଚୁପ ରହିଲା । କିନ୍ତୁ ତା ପରଠୁ ସବୁଦିନ ଶୋଇବାକୁ ଯିବା ପୂର୍ବରୁ ବାଇବେଲ (ପିଲାଟି ଖ୍ରୀଷ୍ଟିଆନ) ରୁ ଦି ତିନିଟି ପାରା ପଢି, ମୁଣ୍ଡିଆ ମାରି, ବାଇବେଲ କୁ ତକିଆ ତଳେ ରଖି ଶୋଇବାକୁ ଯାଏ । 


ଦୀପାବଳୀ ପୂର୍ବଦିନ, ସବୁ ଜିନିଷ ଯୋଗାଡ଼ ହୋଇଗଲା । ଚାରିଜଣ ପିଲା ଯାଇ ବାଣ ନେଇ ଆସିଲେ । ଲାଇଟ ସବୁ ସେମିତି ବିନା ଧପ ଧପ ରେ ଚାଲି ଥାଏ । ବାଣ ଗୁଡିକୁ ଛାତ ଉପରେ ଖରାରେ ରଖାଗଲା । କାଲି ଦୀପାବଳୀ । ଆଉ ଗୋଟେ ଦିନ ଖରା ଦେଲେ ଭଲ ଫୁଟିବ । ଦେଖୁ ଦେଖୁ ଦୀପାବଳୀ ବି ଆସିଗଲା । ସମସ୍ତେ ଉତ୍କଣ୍ଠାର ସହ ସନ୍ଧ୍ୟାକୁ ଅପେକ୍ଷା କରିଥାନ୍ତି । କେତେବେଳେ ସନ୍ଧ୍ୟା ହେବ । ଚାହୁଁ ଚାହୁଁ ଦିନ ସରି ସନ୍ଧ୍ୟା ହେଲା । ଘରର ଦୁଆର ପାଖରେ ଦୁଇଟି ଦୀପ ଥୋଇ ବାଣ ଫୁଟା ଆରମ୍ଭ ହେଲା । ସେପଟେ ରୋଷେଇୟା ପିଲାକୁ କୁହା ଯାଇଥାଏ ପୁରି ଓ ଆଳୁଦମ କରିବା ପାଇଁ । ରୋଷେଇୟା ପିଲାଟି ପୁରି ଆଳୁଦମ କରି ସାରି ଘୋଡେଇ ଗ୍ୟାସ ଉପରେ ଜାଗା ସବୁ ରଖି ନିଜ ଘରକୁ ପଳେଇଲା । ଏପଟେ ବଣ୍ଟି ଓ ତା ସାଙ୍ଗ ମାନଙ୍କର ବାଣ ଫୁଟା ଚାଲୁ ରହିଲା । ଦେଖୁ ଦେଖୁ ରାତି ଦଶଟା ବାଜିଲା । ବାଣ ସବୁ ସରି ସରି ଆସୁଥାଏ । ଶେଷରେ ଫୁଟା ହେବାପାଇଁ ଗୋଟେ ବଡ କୁଂପି ବାଣ ରଖା ଯାଇଥାଏ । ବାଣ ଟି ପ୍ରାୟ ସୁରେଇ ଆକାରର ବଡ । ତେଣୁ ଶେଷ ରେ ରାତି ପ୍ରାୟ ୧୧.୩୦ -- ୧୨ ଟା ବେଳକୁ ସେଟା ଫୁଟା ଯିବ । ଆଉ କେବଳ ବରଡା ବାଣ ତକ ଥାଏ । ସେଗୁଡା ଫୁଟେଇବାକୁ ଟିକେ ଅଧିକ ଟାଇମ ଲାଗେ । ମଝିରେ ସମସ୍ତଙ୍କୁ ଭୋକ ଲାଗିଲା । ଜଣେ ପରେ ଜଣେ ଆସିଲେ ଖାଇବା ପାଇଁ । ଗୋଟେ ପିଲା ରୋଷେଇ ଘରକୁ ଆସିଲା ବେଳକୁ ପୁରି ଡେ଼କଚି ଟି ତଳେ ଓଲଟା ହୋଇ ପଡିଥାଏ । ଢାଙ୍କୁଣୀ କିନ୍ତୁ ବନ୍ଦ ଥାଏ । ପାଖରେ ତିନୋଟି ପୁରି, ଡେ଼କଚିରୁ ବାହାରି ବାହାରେ ପଡିଥାଏ ଓ କିଏ ଜଣେ ସେଥିରୁ ଗୋଟେ ଥର ଖଣ୍ଡିଆ କରି ଖାଇବା ପରି ଲାଗୁଥାଏ । ପିଲାଟି ନିଜ ପାଇଁ ପୁରି ବାହାର କଲା । ଖଣ୍ଡିଆ ପୁରି ଗୁଡିକୁ ଡଷ୍ଟ ବିନ ରେ ପକେଇ ଦେଲା । ପୁରି ଡେ଼କଚିକୁ ପୁଣି ଥରେ ଗ୍ୟାସ ଉପରେ ରଖି କିଛି ଆଳୁଦମ ନେଇ ଆର ଘରକୁ ଗଲା ଖାଇବା ପାଇଁ । ଆଉ ଜଣେ ଆସିଲା କିଛି ସମୟ ପରେ । ପ୍ରାୟ ୧୫ ମିନିଟ ପରେ । ଏଥର ବି ପୁରି ଡେ଼କଚି ଓଲଟା ହୋଇ ପଡିଥାଏ । ଖଣ୍ଡିଆ ପୁରି ବାହାରି ତଳେ କିନ୍ତୁ ଡେ଼କଚିର ଢାଙ୍କୁଣୀ ବନ୍ଦ । ସେ ଭାବିଲା ବିଲେଇ ବୋଧେ ପକେଇ ଦେଇଛି । ସେ ବି ଖଣ୍ଡିଆ ପୁରି ଗୁଡିକ ଡଷ୍ଟବିନରେ ପକେଇ ନିଜ ପାଇଁ ଖାଇବା ଧରି , ଡେ଼କଚିକୁ ପୁଣି ଗ୍ୟାସ ଉପରେ ରଖି ଆର ଘରକୁ ଗଲା ଖାଇବା ପାଇଁ । ଏଥର କିଛି ସମୟ ପରେ ପ୍ରଥମ ପିଲା ଆସିଲା ଆଉ କିଛି ପୁରି ନେବା ପାଇଁ । ପ୍ରଥମ ଥର ପରି ଏଥର ବି ଡେ଼କଚି ଓଲଟି କରି ପଡିଥାଏ । ତା ରାଗ ପଞ୍ଚମକୁ ଉଠିଗଲା । ଚିଲ୍ଲେଇ କରି ସମସ୍ତଙ୍କୁ ଡାକ ପକେଇଲା ଓ କିଏ ଏମିତି କରିଛି କହି ଗାଳି ଦେବାକୁ ଲାଗିଲା । ବିଶେଷ କରି ଦ୍ଵିତୀୟରେ ଖାଇବା ନେଇଥିବା ପିଲାଟିକୁ । ଦ୍ଵିତୀୟ ପିଲାଟି ନିଜକୁ ନିର୍ଦୋଷ ବୋଲି ସଫେଇ ଦେଉଥାଏ ଓ ସେ ଏହିପରି ପଡିଥିବାର ଦେଖି ତିନୋଟି ପୁରି ଡଷ୍ଟବିନରେ ପକେଇଛି ବୋଲି କହି ପ୍ରମାଣ ସ୍ୱରୂପ ଡଷ୍ଟ ବିନ ଆଡକୁ ଗଲା । ପ୍ରଥମ ପିଲାଟି ରାଗ ତମ ତମ ହୋଇ, "ତୁ ନୁହଁ ମୁଁ ପକେଇଛି" ।


 ଡଷ୍ଟବିନରେ ଦେଖିଲା ବେଳକୁ ଗୋଟେ ବି ପୁରି ନଥିଲା ଡଷ୍ଟବିନ ରେ ....


ଏବେ ପୁରି ଗଣନା ଆରମ୍ଭ ହେଲା । ଆଠ ଜଣ ପିଲାଙ୍କ ପାଇଁ ଅଶିଟି ପୁରି କରା ଯାଇଥିଲା । ଦି ଜଣ ଛଅ ଛଅଟି କରି ଖାଇ ସାରିଲା ପରେ ଓ ତିନୋଟି ପୁରି ବାହାରେ ପଡିଲା ପରେ ବି ଡେ଼କଚିରେ ଏବେ ଅଶୀଟି ପୁରି ଥିଲା । ରୋଷେଇୟା ବୋଧେ ଭୁଲରେ ଅଧିକ କରି ଦେଇଛି । "ଛାଡ !!! ଖାଇଲେ ଗଲା, କିଏ ଦେଖୁଛି" ବୋଲି କହି ଅନ୍ୟ ମାନେ ଏବେ ସମସ୍ତେ ଖାଇ ବସିଲେ ଓ ଖାଇ ସାରି ପୁଣି ବାଣ ଫୁଟା ରେ ମନ ଦେଲେ । ଏବେ ଆସିଲା କୁଂପି ବାଣ ଟି ଫୁଟେଇବାର ସମୟ । ପଡିଆ ମଝିରେ ଯାଇ ଫୁଟେଇବା ପାଇଁ ସଜ ହେଲେ । ପଡିଆ ମଝିକୁ ଯାଇ ବାଣ ଟି ଅଧା ମାଟିରେ ପୋତି ସେଥିରେ ନିଆଁ ଲଗା ଗଲା । ପ୍ରାୟ ଅଧା ଘଣ୍ଟା ବାଣ ଟି ଫୁଟି ସାରିଲା ପରେ ହଠାତ ଢ଼ୋ କରି ଫୁଟିଲା ଓ ନିଆଁ ସବୁ ସବୁଆଡେ ବିଛାଡ଼ି ହୋଇ ପଡିଲେ । ଆହୁରି ଫୁଟିଥାନ୍ତା । ସାଇଡ ରୁ ଟିକେ ଫାଟି ଯାଇଥିଲା ବୋଧେ । ହେଃ.. ବେକାର ହେଇଗଲା । ଆହୁରି ଅଧଘଣ୍ଟେ ଉପରେ ଫୁଟିଥାନ୍ତା ପରି ମନ୍ତବ୍ୟ ଦେଇ ସମସ୍ତେ ମନ ଦୁଃଖ କଲେ । ଏବେ ଘରକୁ ଫେରିବାର ବେଳ । ଘର ମୁହାଁ ହୋଇ ଦେଖିଲା ବେଳକୁ ଘର ଚାରିପାଖରେ ଧୂଆଁ ଭର୍ତି । ଘରଟି ଯେମିତି ଭୂତ କୋଠି ପରି ଲାଗୁଥାଏ । ଅନ୍ୟ ସବୁ ଆଡେ ଅଳ୍ପ ଧୂଆଁ ମିଶା କୁହୁଡି ଥିବା ବେଳେ, ଘର ର ଚାରି ପାଖରେ ଧୂଆଁରେ ଭର୍ତି । ଏପରିକି ମାତ୍ର ପଚାଶ ମିଟର ଦୂରରୁ ବି ଲିଚୁ ଲାଇଟ ଗୁଡିକ ଦେଖା ଯାଉ ନଥାଏ । ସମସ୍ତେ ଉପରକୁ ଟାଣ ଦେଖେଇଲେ ବି ପଛ ପିଳେହି ପାଣି ହୋଇ ସାରିଥିଲା । ଆହୁରି ପାଖ କୁ ପାଖାପାଖି ଦଶ ମିଟର ପାଖକୁ ଆସିବାରୁ ଆସ୍ତେ ଆସ୍ତେ ଲିଚୁ ଲାଇଟ ଗୁଡିକ ଦେଖା ଗଲେ ହେଲେ ଏ କଣ? ସବୁ ଗୁଡିକ ଧପ ଧପ ହେଉଥିଲେ । ଦୀର୍ଘ ସାତ ଦିନ ହେଲା ଯେଉଁ ଲିଚୁ ଗୁଡିକ ମୂଳରୁ ଥରେ ବି ଧପ ଧପ ହେଇ ନଥଲା ଏବେ ସେଗୁଡିକ ଆଖି ମିଟିକା ମାରି ଖତେଇ ହେଲା ପରି ଲାଗୁଥିଲେ । ଆଉ କାହାର ସାହସ ନଥିଲା ଛାତ ଉପରକୁ ଯାଇ ଲାଇଟ ଗୁଡିକୁ ବନ୍ଦ କରିବା ପାଇଁ .......


   ଆସ୍ତେ ଆସ୍ତେ ଏହିପରି ଆହୁରି କାର୍ଯ୍ୟ କଳାପ ସବୁ ନଜର ଆସିବାକୁ ଲାଗିଲେ । ଯେମିତି ରାତି ବାରଟା ରେ ସମସ୍ତେ ଗୋଟେ ଘରେ ବସି ଗପ ସପ କରୁଥାନ୍ତି । କିଏ ଜଣେ ଧଳା ଚାଦର ଘୋଡେଇ ହୋଇ ଝରକା ପଟେ ଚାଲି ଚାଲି ଗଲା... 


ବଡ ଝରକାଟିର ଚାରୋଟି କବାଟ । ଦୁଇଟି କବାଟ ଅତିକ୍ରମ କଲା କିନ୍ତୁ ଆଉ ଦୁଇଟି ଅତିକ୍ରମ କଲା ନାହିଁ । ସମସ୍ତେ ବାହାରକୁ ଯାଇ ଦେଖିଲା ବେଳକୁ ସେଠାରେ କେହି ନଥିଲେ ...


ରାତି ଅଧାରେ ଝରକା ଖୋଲା ଥାଏ, ଚାରିଆଡେ ନିସ୍ତବ୍ଦ । ହଠାତ ବାଲି ଗୋଡି ଆସି ଝରକା ପାଖରେ ଶୋଇ ଥିବା ପିଲା ଉପରେ ପଡେ.... କିଏ ଜଣେ ବାହାରୁ ଫିଙ୍ଗୁଛି ବୋଲି ଭାବି ସାହସ କରି ବାହାରକୁ ଗଲା ବେଳକୁ କେହି ନଥାନ୍ତି ....  


  ସେଦିନ ରାତି ପ୍ରାୟ ୨.୪୫ । ଜଣେ ପିଲା ପରିସ୍ରା ଉଠିଲା । ପ୍ରଥମ ଟଏଲେଟ କୁ ଗଲା ବେଳକୁ ଭିତର ପଟୁ କବାଟ ବନ୍ଦ ଅଛି । ସେ ଆର ଟଏଲେଟକୁ ଗଲା ବେଳକୁ ତା ଉପରେ ଉପରୁ କିଛି ପାଣି ପଡିଲା । ସମସ୍ତେ ଶୋଇଥାନ୍ତି । ଝିଟିପିଟି ମୁତିଲା କି ଆଉ? ଲାଇଟ ଜଳେଇ ଉପରକୁ ଦେଖିଲା ବେଳକୁ କିଛି ଦିନ ପୂର୍ବରୁ ପେଟ୍ରୋଲ ଆଣିଥିବା ଖାଲି ବୋତଲ, ଯେଉଁଟା କି ସିଡ଼ି ଘରର ଗୋଟେ କୋଣରେ ପଡିଥଲା ସେଟା ଥାକ ଉପରେ ଗଡୁଛି ଓ ସେଥିରୁ କିଛି ପାଣି ବାହାରି ୟା ମୁଣ୍ଡରେ ପଡିଛି । ହାଉଳି ଖାଇ ବୋପାଲୋ ମା ଲୋ ଡାକି ଶୋଇବା ଘରକୁ ଦୌଡ଼ି ଆସିଲା ବେଳକୁ ପ୍ରଥମ ଟଏଲେଟ ଟି ଖୋଲା ଅଛି ଓ ପବନରେ ତା କବାଟ ଦୋହଲୁଛି ....


 ସେ ଆହୁରି ଡରିଗଲା । ଘରେ ପଶୁ ପଶୁ ବଣ୍ଟି ଉପରେ ହାମୁଡେଇ ହୋଇ ପଡିଲା ।

ବଣ୍ଟି ନିଦରୁ ଉଠି ତାକୁ କଣ ହେଲା ବୋଲି ପଚାରିଲା । ତା ତଣ୍ଟି ଶୁଖି ଯାଉଥାଏ । ଆସ୍ତେ ଆସ୍ତେ ଖଣ୍ଡି ଖଣ୍ଡି ସ୍ୱର ରେ କହିଲା, "ଭୂ... ତ... " । 

: ଚାଲିଲୁ ବାହାରକୁ । 

: ନା । 

: ଆବେ କିଛି ନାହିଁ, ମୁଁ ଅଛି । ଆସେ ।

: ନା ।

ବଣ୍ଟି ବାହାରକୁ ଆସି ଦେଖିଲା ବେଳକୁ କେହି କୁଆଡେ ନାହାନ୍ତି । ନିରୀକ୍ଷଣ କରି ଦେଖିଲା ସତରେ ପେଟ୍ରୋଲ ର ଖାଲି ବୋତଲ ଟା । ସେ ତ ନିଜେ ଆଜି ଏଇଟା ସିଡ଼ି ଘରେ ପକେଇ ଥିଲା । ଏଠିକୁ କେମିତି ଆସିଲା । ପୁଣି ସେଥିରେ ପାଣି ? ସବୁ ପିଲା ତ ଏଇଥିରେ ପେଟ୍ରୋଲ ଆଣନ୍ତି, ପାଣି ତ କେହି ପୂରେଇବେନି । ଭୂତକୁ ବିଶ୍ୱାସ କରୁ ନଥିବା ବଣ୍ଟି ଟିକେ ଚିନ୍ତାରେ ପଡିଗଲା । ହେଃ.. ଛାଡ଼... କହି ବୋତଲକୁ କବାଟ ଖୋଲି ବାହାରକୁ ଫିଙ୍ଗି ଦେଲା । ଆଉ ପୁଣି ଥରେ ଆସି ତା ଜାଗାରେ ଶୋଇ ପଡିଲା । ପିଲାଟି ସେତେବେଳେକୁ ଡରରେ ଥରୁ ଥାଏ । ତା ହାତ ଉପରେ ହାତ ରଖି, "ମୁ ଅଛି ବେ, ଡରନି... ଶୋ" ବୋଲି କହି ଶୋଇ ପଡିଲା । ପରଦିନ ସକାଳୁ ମେସ ର ସମସ୍ତେ ଜାଣିଲା ପରେ, କିଛି କିଛି ମାତ୍ର ରେ ଅଶ୍ଵସ୍ତି ଅନୁଭବ କଲେ । କେମିତି ଗୋଟେ ମାଡି ମାଡି ପଡିଲା । ଭୂତ ? କିଛି କିଛି ଡର ମଧ୍ୟ ବସା ବାନ୍ଧିବାକୁ ଲାଗିଲା । ବଣ୍ଟି କୁ ସମସ୍ତେ ବାଃ ବାଃ କଲେ । 

: ତୋତେ ଡର ଲାଗିଲାନି ?

: ମୁଁ ଡରେ ନି । 

: ସତରେ ?

: ହଁ ।


 ଧୀରେ ଧୀରେ କଥା ଟା ଏକାନ ସେକାନ ହୋଇ ଆଖ ପାଖ ସାଇ ପଡିଶା ସମସ୍ତେ ଜାଣିଲେ । ପଡୋଶୀ ଜଣଙ୍କ ଏ କଥା ଶୁଣିଲା ପରେ ଦିନେ ମେସର ଦୁଇ ଜଣଙ୍କୁ ଡାକି ସତ କଥା କହିଲେ । କିଛି ଦିନ ହେଲା ଆମେ ନିଶ୍ଚିନ୍ତ ରେ ଥିଲୁ । କାରଣ ଏ ଭୂତ ଟିକୁ ଆମ୍ବ ଗଛରେ କଣ୍ଟା ବାଡେଇ କିଳା ଯାଇଥିଲା । ୟା ପୂର୍ବରୁ ସେ ତମ ଘର ମାଲିକ ଝିଅ ଦେହରେ ଆସୁଥିଲା ଓ ହଇରାଣ କରୁଥିଲା । ସେଥିପାଇଁ ଘର ମାଲିକ ଘର ଛାଡି ଏଠୁ ମାତ୍ର ଦୁଇ କିମି ଦୂରରେ ଘର ଭଡା ଦେଇ ରହୁଛି । ଆମେ ବି ସନ୍ଧ୍ୟା ହେଲେ ଏପଟର କବାଟର ବନ୍ଦ କରି ଭିତରେ ରହୁ । ଏବେ ପୁଣି କେମିତି ସେ ଫିଟି ଯାଇଛି । ଆମେ ବି କିଛି ଦିନ ହେଲା ଅନୁଭବ କରୁଛୁ କିନ୍ତୁ ତମେ ମାନେ ଡରିବ ବୋଲି କିଛି କହୁ ନଥିଲୁ ।


ପିଲା ଦିଜଣ ପୁରା ଘଟଣା କ'ଣ ଜାଣିବାକୁ ଚାହିଁଲେ..


ପୁରା ଘଟଣା ଟି ଏହିପରି ...


 ଏ ଘରଟି ପ୍ରତିଷ୍ଠା କରି ଘର ମାଲିକ ଓ ପରିବାର ଏ ଘରେ ରହିବା ପାଇଁ ଆସିଲେ । କିଛି ଦିନ ପରେ ତାଙ୍କ ଝିଅର ଦେହ ଖରାପ ହେଲା । ତା ବୟସ ପ୍ରାୟ ୭-୮ ବର୍ଷ ହେବ । ନୂଆ ଜାଗା ଯୋଗୁଁ ବୋଧହୁଏ ହେଉଛି ବୋଲି ଭାବି ସେମାନେ କିଛି କିଛି ଔଷଧ, ଦୋକାନରୁ କିଣି ଝିଅକୁ ଖାଇବାକୁ ଦେଲେ । ହେଲେ ଦେହ ଭଲ ହେଲାନି । ସେମାନେ ଡାକ୍ତରକୁ ଦେଖେଇଲେ । ଡାକ୍ତରଠୁ ଔଷଧ ଖାଇଲା ପରେ ବି ଦେହ ଭଲ ହେଲାନାହିଁ । ଔଷଧ ପ୍ରଭାବରୁ ଦେହ ଟିକେ ଭଲ ହେଲେ ବି ପୁଣି କିଛି ଦିନ ପରେ ସେ ଜରରେ ପଡେ ଆଉ ଅସ୍ପଷ୍ଟ ସ୍ୱରରେ କିଛି କିଛି ବିଳିବିଳେଇ ହୁଏ । ଏମିତି ପ୍ରାୟ ଦେଢ଼ ମାସ ପରେ ହଠାତ ଦିନେ ରାତି ଅଧାରେ ଝିଅଟି ଉଠି ପାଗଳଙ୍କ ପରି ପ୍ରଳାପ କରିବାକୁ ଲାଗିଲା । ବାଳକୁ ମୁକୁଳା କରି ଅସ୍ପଷ୍ଟ ଭାଷାରେ କିଛି କିଛି କହିବାକୁ ଲାଗିଲା ଓ ହାତରେ ଯାହା ପଡିଲା କବାଟ ବାହାରକୁ ଫିଙ୍ଗିବାକୁ ଲାଗିଲା । ଘର ମାଲିକ ଓ ତାଙ୍କ ସ୍ତ୍ରୀ ଡରି ଯାଇ , ରାତିଟି ଯାହିତାହି କରି କାନ୍ଦି କୁନ୍ଥେଇ ବିତେଇଲା ପରେ ସକାଳୁ ସକାଳୁ ଏଠୁ ପ୍ରାୟ ୨୫ କିମି ଦୂରରେ ଥିବା ଜଣେ ବାବାଙ୍କ ପାଖକୁ ନେଇ କି ଗଲେ । ଏମାନଙ୍କୁ ଦେଖୁ ଦେଖୁ ସେ ମୁହଁ ବୁଲେଇ ନେଲେ, ଝିଅକୁ ଦେଖି, ନ ଦେଖିଲା ପରି କହିଲେ, "ଯା, ମୁଁ କାଲି ଆସିବି ତୋ ଘରକୁ । କିଛି ସିନ୍ଦୁର ଦେଇ କହିଲେ ୟା କୁ ତକିଆ ତଳେ ଦେଇ ଝିଅକୁ ଶୋଇ ଦେବୁ । ମୁଁ କାଲି ଆସିବି " ।  

ପରଦିନ ବାବା ଆସି ପହଁଚିଲେ । ଝିଅ କୁ ଦେଖି ଓ ଘର ର ଆଖ ପାଖ ସବୁ ଦେଖି କିଛି ସନ୍ଦେହ କଲେ । ପଚାରୁ ପଚାରୁ ଜଣାଗଲା ଯେ, ଘରର ନିଅଁ ଖୋଲିଲା ବେଳକୁ ମାଟି ତଳୁ କିଛି ହାଡ ଓ ଚପଲ ପରି ଜିନିଷ ସବୁ ବାହାରିଥିଲା । ମାଲିକ ଓ ମୁଲିଆ ମାନେ କାଳେ ପୋଲିସ କେଶ କିଛି ହେବ ବୋଲି ତାକୁ ଆହୁରି ଖୋଳି ପୋତି ଦେଲେ ଓ ତା ଉପରେ ଘର ତିଆରି କରିଦେଲେ । 

ଏବେ ଝିଅକୁ ଆଣିଲେ । ଝିଅଟି କେମିତି ଗୋଟେ ଅଲଗା ଦିଶୁଥାଏ । କିଛି ମନ୍ତୁରା ପାଣି ତା ଉପରେ ପକେଇବାରୁ ସେ ରାଗିଗଲା ଓ ବାବାକୁ ମାରିବାକୁ ହାଇଁ ପାଇଁ ହେଲା । ବାବା, କିଛି ସିନ୍ଦୁର ହାତରେ ଧରି ତାକୁ ପଚାରିଲେ ତୁ କିଏ? ଏଠି କାହିଁକି ଅଛୁ? ସେ ଯାହା କହିଲା ସେଥିରେ ସମସ୍ତଙ୍କ ହୋସ ଉଡ଼ିଗଲା । 


ଏହା ପ୍ରାୟ ୧୯୭୦-୭୫ ମସିହା ର କଥା । ସେତେବେଳେ ଏ ଆଖପାଖରେ କୌଣସି ଘରଦ୍ୱାର ନଥିଲା । କେବଳ ପଡିଆ ଆରପଟେ ପୋଲିସ ବ୍ୟାରେକ । ସେଠି ରିଜର୍ଭ ପୋଲିସ ମାନେ ସବୁ ଆସି ରୁହନ୍ତି । ପ୍ରାୟ ସମୟ ସେ ଘର ସବୁ ଖାଲି ଥାଏ । କେବଳ କିଛି କିଛି ବିଶେଷ ପୂଜା ପାର୍ବଣ ସମୟରେ ବହୁତ ପୋଲିସ ଆସନ୍ତି ତା ପରେ ସବୁ ଖାଲି, କେବଳ ଦୁଇ ତିନିଜଣ ଗାର୍ଡଙ୍କୁ ଛାଡି ପୁରା ହଷ୍ଟେଲ ଫାଙ୍କା । ସେଥର ବି ପୂଜା ବେଳକୁ କିଛି ରିଜର୍ଭ ପୋଲିସ ଆସିଥିଲେ । ପୂଜା ସରିଗଲା ପରେ ବି ଦୁଇ ଜଣ ଥିଲେ ହଷ୍ଟେଲ ରେ । ଦୁଇ ଦିନ ପରେ ସେମାନଙ୍କୁ ଘରକୁ ଯିବାର ଥିଲା । ଏ ଜାଗା ସବୁ ସେତେବେଳେ ଜଙ୍ଗଲ ଥାଏ । ମୋ ବୟସ ୧୬-୧୭ ହେବ । ଏଠୁ ପ୍ରାୟ ଦୁଇ କିମି ଦୂରରେ ଆମ ଘର । ସେଦିନ ମା ଉପରେ ରାଗି ମୁଁ ଏପଟକୁ ଚାଲି ଆସିଲି । ବୁଦୁବୁଦୁକିଆ ଜଙ୍ଗଲ ସହ କିଛି କିଛି ବଡ ଗଛ ଥାଏ ଏ ଜାଗାରେ । ଏଠିକୁ ଆସି ମୁଁ ଏକା ଏକା ବୁଲୁଥାଏ । ସେ ହଷ୍ଟେଲ ପାଖରେ ପୋଲିସ ଦୁଇ ଜଣ ବସିଥାନ୍ତି । ମୋତେ ଦେଖି ମୋ ପାଖକୁ ଆସିଲେ ଓ ମୁଁ କିଏ ଓ ଏଠିକୁ କାହିଁକି ଆସିଛି ବୋଲି ପଚାରିଲେ । ମୁଁ କହିଲି ମା ଉପରେ ରାଗି ମୁଁ ଏପଟକୁ ଆସିଛି । ଆରପଟେ ଆମ ଘର । କିଛି ନକହି ସେମାନେ ମୋ ମୁହଁ ବନ୍ଦ କରି ଗୋଟେ ଗଛ ପଛ ପଟକୁ ଟେକି ନେଲେ ଓ ବଳାତ୍କାର କଲେ । ମୁଁ ଯେତେ କାନ୍ଦି ବୋବେଇ ନେହୁରା ହେଲେ ବି ମୋତେ ଛାଡିଲେନି । ତାଙ୍କ ମନ ସନ୍ତୁଷ୍ଟ ହୋଇ ଯିବାପରେ ତାଙ୍କର ବୁଦ୍ଧି ପଶିଲା । ଡର ଲାଗିଲା । ଏବେ କଣ କରିବେ ବୋଲି ଭାବି ହେଲେ । ଏଣେ ମୁଁ କାନ୍ଦୁଥାଏ ଓ ସମସ୍ତଙ୍କୁ କହି ଦେବି ବୋଲି ତାଙ୍କୁ ଧମକ ଦେଉଥାଏ । ସେମାନେ କଣ କରିବେ ବୋଲି ଭାବି ମୋ ଓଢଣୀ ରେ ମୋ ତଣ୍ଟି ଚିପି ମାରି ଦେଲେ ଆଉ ସେଇ ଗଛ ମୂଳରେ ମାଟି ଖୋଳି ପୋତି ଦେଲେ । କିଛି ଦିନ ଖୋଜା ଖୋଜି ପରେ ମୋ ମା ବାପା ବି ଚୁପ ରହିଗଲେ । ମୁଁ ବି ଆଉ କିଛି କରି ପାରିବିନି ବୋଲି ଭାବି ଏ ମାଟି ତଳେ ପଡି ରହିଥିଲି । କିନ୍ତୁ ୟେ, ଘର ର ନିଅଁ ଖୋଲିଲା ବେଳେ ମୋତେ ଉଠେଇଲା ଓ ପୁଣି ଆହୁରି ମାଟି ଖୋଳି ମୋତେ ପୋତିଦେଲା । ମୁଁ ସେ ରାକ୍ଷସ ଗୁଡ଼ାକର ତ କିଛି କ୍ଷତି କରି ପାରିଲି ନାହିଁ, ହେଲେ ୟେ? ମୋ ହାଡ ଦେଖି ପୋଲିସ ଓ ଲୋକ ମାନଙ୍କୁ କହିବା ବଦଳରେ ମୋତେ ପୁଣି ପୋତି ଦେଲା । ତେଣୁ ୟେ ବି ସମ ପରିମାଣରେ ଦୋଷୀ । ତେଣୁ ମୁଁ ୟା ଝିଅ କୁ ମାରି ଦେବି । ଏତିକି କହି ସେ ପୁଣି ବାଳ ମୁକୁଳା କରି, ନିଜ ବାଳ ନିଜେ ଛିଣ୍ଡେଇ ମୁଣ୍ଡ କୁ ରକ୍ତାକ୍ତ କରି ପକେଇଲା । ବାବା ଜଣଙ୍କ କିଛି ସିନ୍ଦୁର ତା ଉପରେ ପକେଇବାରୁ ସେ ସେ ଶାନ୍ତ ହେଲା ଓ ଠିଆ ଠିଆ ତଳେ ଖସି ପଡିଲା । ଝିଅ କୁ ଖଟ ରେ ଶୁଏଇ ଦେଇ ଘର ମାଲିକ ଓ ତାଙ୍କ ସ୍ତ୍ରୀ ସେଦିନ ବାବା ର ଗୋଡ ଧରି ପକେଇଲେ ଓ ଏଥିରୁ ମୁକ୍ତି ଦେବାକୁ ଅନୁରୋଧ କଲେ । ବାବା ପରଦିନ ଆସିବେ ଓ କିଛି ଏକ ପୂଜା ର ଆୟୋଜନ କରିବା ପାଇଁ ଉପଦେଶ ଦେଇ ଚାଲିଗଲେ । ପରଦିନ ବିଶେଷ ପୂଜା କରି, ଏ ଭୂତ କୁ ଘର ଆଗରେ ଥିବା ଆମ୍ବ ଗଛରେ କଣ୍ଟା ପୋତି କିଳି ଦିଆ ଗଲା ଓ ଘର ମାଲିକ ଓ ତାଙ୍କ ପରିବାର କୁ ଏ ଘରୁ ଦୁରେଇ ରହିବା ପାଇଁ କୁହା ଗଲା । ସେଥିପାଇଁ ସେ ଏ ଜାଗା ଛାଡି, ନିଜ ଘର ଛାଡି ଭଡାରେ ରହିବା ପାଇଁ ଦୁରକୁ ଚାଲିଗଲେ । ଆମେ ସେତେବେଳେ ଭୂତକୁ କିଛି ମାତ୍ରରେ ଅନୁଭବ କରୁଥିଲୁ । କେବେ କେମିତି ଖଡ଼ ଖଡ଼ ଶବ୍ଦ, ପାଉଁଜି ଶବ୍ଦ, ଆହୁରି ବି କିଛି ଅସ୍ଵାଭାଭିକ ଶବ୍ଦ ସବୁ ଶୁଣିବାକୁ ମିଳେ । ସେଥିପାଇଁ ଆମେ ସନ୍ଧ୍ୟା ହେଲେ ଘରୁ ପଦା କୁ ବାହାରୁ ନାହିଁ । ଭୂତ କିଳା (ବନ୍ଦୀ) ହେବା ପରଠୁ ଟିକେ ଶାନ୍ତି ରେ ଥିଲୁ । ଏବେ କିନ୍ତୁ ପୁଣି ସେମିତି କିଛି ଶବ୍ଦ ଆମେ ଶୁଣୁଛୁ । ରାତିରେ ପାଉଁଜି ଓ ବେଳେ ବେଳେ ଗୀତ ବି ଶୁଭେ ।

************

ଏତିକି ଯଥେଷ୍ଟ ଥିଲା ମେସ ପିଲାଙ୍କ ମନ ଭିତରେ ଭୟ ସଂଚାର କରିବା ପାଇଁ । ସେଦିନୁ ମେସ ର ସବୁ ପିଲା ସନ୍ଧ୍ୟା ପୂର୍ବରୁ ଘରକୁ ଫେରି ଆସନ୍ତି ଓ ସମସ୍ତେ ଏକାଠି ରହିବା ପାଇଁ ଚେଷ୍ଟା କରନ୍ତି । ଏପରିକି ଟଏଲେଟ ଗଲେ ବି ଦି, ତିନି ଜଣ ପାଖରେ ଠିଆ ହୋଇ ରହନ୍ତି । 


ସେଦିନ ଗୋଟେ ପିଲା ଏକା ଟଏଲେଟ ଯାଇଥିଲା । ହଠାତ ତା ମୁଣ୍ଡ ଉପରେ ଏକା ବାଇଗଣ ଆସି ପଡିଲା .... 


କବାଟ ବନ୍ଦ, skylight କଣା ଏତେ ଛୋଟ ଯେ ସେପଟେ ବାଇଗଣ ଗୋଟେ ଆସି ପାରିବ ନାହିଁ । ତେବେ ବାଇଗଣ ଆସିଲା କେଉଁଠୁ? ସେ ହାଉଳି ଖାଇ ବାହାରକୁ ଦୌଡ଼ି ଆସି ସମସ୍ତଙ୍କୁ ଏକଥା ଜଣେଇଲା । ସମସ୍ତେ ଯାଇ ରୋଷେଇ ଘରେ ଦେଖିଲେ, ରୋଷେଇ ଘରେ ପରିବା ହିଁ କିଛି ନଥିଲା । ଦୁଇ ଦିନ ପୂର୍ବରୁ କିଛି ମାର୍କେଟିଙ୍ଗ ହୋଇ ନଥିଲା ଓ ଖାଲି ଆଳୁ ରେ ଯାହା ତରକାରୀ ହୋଇ ପାରିବ ସେ ଗୁଡିକ ରନ୍ଧା ଯାଉଥିଲା । ଯେମିତିକି ଆଳୁ ସୋୟାବିନ, ଆଳୁ ମଟର, ଆଳୁ ଭର୍ତ୍ତା । ତେବେ ବାଇଗଣ?? ପରଦିନ ସକାଳୁ ଏ ଖବର ଟି ପଡୋଶୀଙ୍କ କାନରେ ପଡିଲା ପରେ ଜଣା ପଡିଲା ଯେ ତାଙ୍କର କାଲି ୫୦୦ ଗ୍ରାମ ବାଇଗଣ ଆଣିଥିଲେ ମାତ୍ର ୫ ଟି ।


ହେଲେ ସକାଳକୁ ଚାରୋଟି ବାଇଗଣ ଡାଲା ରେ ଥିଲା .....


   ଭୂତ ର ପ୍ରକାପ ଓ ଡର ଆସ୍ତେ ଆସ୍ତେ ବଢିବାକୁ ଲାଗିଲା । କିଛି ମେସ ପିଲା ରାଗରେ ମାଲିକ ଘରେ ପହଞ୍ଚି ପ୍ରଥମରୁ ଏ ସବୁ ନ ଜଣେଇଥିବାରୁ ତାକୁ ଗାଳି କରି ଆସିଲେ । ମାଲିକ ବି ଯୋଡ଼ ହସ୍ତ ରେ,"ତମେ ମାନେ କିଛି ବ୍ୟବସ୍ଥା କର, ମୁଁ ସବୁ ପଇସା ଦେବାକୁ ରାଜି ଅଛି" କହି ମାହୋଲ କୁ ଟିକେ ହାଲୁକା କରିବାକୁ ଚେଷ୍ଟା କଲେ । ପିଲା ମାନେ ମାଲିକ ଠୁ ସେ ବାବାଙ୍କ ଠିକଣା ଆଣି ସେଠାକୁ ଗଲେ । କିନ୍ତୁ ବାବା ସେଠି ନଥିଲେ । ସେ ତୀର୍ଥ କରିବାକୁ ଅନ୍ୟ ଜାଗାକୁ ଚାଲିଯାଇଥିଲେ । ଏବେ ଅନ୍ୟ ମାନଙ୍କ କୁହା ବୋଲା ରେ ଆଉ ଜଣେ ଜାଣିବା ଶୁଣିବା ଲୋକ ପାଖକୁ ଯାଇ,ଏ ସମସ୍ୟା ରୁ ମୁକ୍ତି ଦେବାପାଇଁ ଅନୁରୋଧ କଲେ । 


    ଏ ଭିତରେ ବଣ୍ଟି କିନ୍ତୁ ଭୂତ କୁ ଡରୁ ନଥିଲା । ପିଲା ଦିନରୁ ଏ ସବୁ ଶୁଣି ଶୁଣି ତା ଦେହ ସୁହା ହୋଇ ଯାଇଥିଲା । ଆହୁରି ବି ତା ପାଖରେ ମାମୁଁ ଦେଇ ଥିବା ଡେଉଁରିଆ ବି ଥିଲା । ପିଲା ମାନେ ଡରରେ ସନ୍ଧ୍ୟା ପରେ ବାହାରକୁ ବାହାରୁ ନଥିବା ବେଳେ ସେ, ଅନ୍ୟ ମେସ ଓ ସାଙ୍ଗ ମାନଙ୍କ ସହ ଖଟି କରି ମେସ କୁ ଫେରୁଥିଲା ରାତି ଦଶଟା ପରେ । ପଚାରିଲେ କହୁଥିଲା, "ମୁଁ ତ କାଇଁ ଦେଖିନି, ଭୂତ ମୋତେ ଆଗ ଦେଖା ଦେଉ" । ଆହୁରି ବି ମାଆ ଙ୍କ ଠୁ ସେ ଶୁଣିଥିଲା ଯେ ତା ଜାତକ ରେ ଭୂତ ଦେଖିବା ନାହିଁ । ଭୂତ ମାନେ କେବେ ବି ତାକୁ ଦେଖା ଦେବେ ନି । ତେଣୁ ସେ ନିଶ୍ଚିନ୍ତ ରେ ବୁଲୁଥିଲା ଆଉ ଅନ୍ଧାର ରାତିରେ ନିଛାଟିଆ, ଶୂନଶାନ, ବର ଓ ଆମ୍ବ ଡାଳ କଟ କଟ ହେଉଥିବା ରାସ୍ତା ରେ ରାତିରେ ଏକା ଆସିଲା ବେଳେ ଭୂତ କୁ ଡାକି ଡାକି ଆସେ, "ଆ, ଆ, ଭୂତ ଆ, ମୋତେ ଟିକେ ଦେଖା ଦେ.. ପୁଳେ ଟଙ୍କା ଦେ.." ଗୀତ ଟିକୁ ଅପଭ୍ରଂଶ କରି ଗାଇ ଗାଇ, ମଜା ନେଇ ନେଇ ରୁମ କୁ ଆସେ ।


ଦୁଇ ଦିନ ପରେ ସେ ଲୋକ ଜଣଙ୍କ (ଯିଏକି ଜଣେ ଜ୍ୟୋତିଷ ଓ ଭୂତପ୍ରେତ କୁ ଘଉଡେଇବା କାମ କରନ୍ତି), ସେ ଦିନ ବେଳେ ଆସି ମେସ ରେ ପହଁଚିଲେ । ମେସ ର ପୁରା ଘର ଟି ବୁଲି ସାରିବା ପରେ ଆଖି ବନ୍ଦ କରି କହିଲେ, ପ୍ରଥମେ ଏଠାରେ ଥିବା ଗଣେଶ ମୂର୍ତି କୁ ବିସର୍ଜନ କର । ଏବେ ହିଁ । କହିବା ବାହୁଲ୍ୟ ଗଣେଶ ପୂଜା ସରିବା ପରେ ଗଣେଶ ମୂର୍ତି ଟି ଏବେ ଯାଏ ବି ବିସର୍ଜନ ହୋଇ ନଥିଲା । ଦୁଇ ଜଣ ପିଲା ଗଣେଶ ମୂର୍ତି ଟିକୁ ଉଠେଇବାକୁ ଚେଷ୍ଟା କଲେ କିନ୍ତୁ ବିଫଳ ହେଲେ । ମୂର୍ତି ଟି ଆଣିଲା ବେଳେ ଦୁଇ ଜଣ ଆଣିଥିଲେ କିନ୍ତୁ ବିସର୍ଜନ ପାଇଁ ନେଲା ବେଳେ ଚାରି ଜଣଙ୍କୁ ମଧ୍ୟ କଷ୍ଟ ହେଲା ଓ ସେମାନେ ଜଲଦି ଜଲଦି ରେ ମୂର୍ତି ଟି ବିସର୍ଜନ କରି ଫେରି ଆସିଲେ । ଏବେ ଜ୍ୟୋତିଷ ଜଣଙ୍କ ସେ ଭୂତ ର ଗତିବିଧି ବର୍ଣନା କଲେ, "ଭୂତ ଏବେ ବି ଆମ୍ବ ଗଛରେ ରହୁଛି । ସେ ଜଣେ ଝିଅ ର ଶରୀର ଖୋଜୁଛି । ସବୁଦିନ ରାତି ଗୋଟାଏ ପରେ ଗଛ ରୁ ଓ଼ଲ୍ଳେହି ପ୍ରଥମ ରୁମ ରେ ପଶୁଛି, ଝରକା ପଟେ ପୁଣି ବାହାରକୁ ଯାଇ ଆରଘରକୁ ଯିବାକୁ ଚେଷ୍ଟା କରୁଛି, କିନ୍ତୁ କୌଣସି ଏକ ଜିନିଷ ର ପ୍ରଭାବରେ ସେ ରୁମ କୁ ପଶି ପାରୁ ନାହିଁ । ପୁଣି ପ୍ରଥମ ରୁମ କୁ ଝରକା ପଟେ ଆସି ଡାଇନିଂ ଦେଇ ଆର ରୁମ କୁ ଯାଉଛି ଓ ପୁରା ଘର ଚାରିପଟେ ବୁଲି ସାରି କୌଣସି ଝିଅ କୁ ନ ପାଇ ପୁଣି ଆର ଦିନ କୁ ଅପେକ୍ଷା କରୁଛି" । ଏତିକି ବେଳେ ବଣ୍ଟି ବାହାରୁ ଘରକୁ ପ୍ରବେଶ କଲା । ତାକୁ ଦେଖି ଜ୍ୟୋତିଷ ଜଣଙ୍କ କହିଲେ, ସାର୍ଟ ଭିତରେ ତମେ କ'ଣ ପିନ୍ଧିଛ ?


: କିଛି ନାହିଁ । 

: ତମ ପାଖରେ ଗୋଟେ ଡେଉଁରିଆ ଅଛି?     

: ହଁ, କିନ୍ତୁ... 

: (ତାକୁ କହିବାକୁ ନ ଦେଇ) ଏଇଟା ଜଣେ କାଳୀ (ମା କାଳୀ ଙ୍କ) ସାଧକ ତୁମକୁ ଦେଇଛନ୍ତି ?

: ହଁ, 

: (ବଣ୍ଟି ରହୁଥିବା ରୁମ ଆଡକୁ ଆଙ୍ଗୁଳି ନିର୍ଦେଶ କରି) ତମେ ଏଇ ରୁମ ରେ ରୁହ ? 

: ହଁ, କିଛି ହେଇଛି କି? 

: ଓଃ.. ତେବେ ଏଇଥି ପାଇଁ ସେ ଏପଟେ ଆସି ପାରୁନି ...


   ତେବେ ତୁମ ସମସ୍ତଙ୍କୁ ସତର୍କ ରହିବାକୁ ପଡିବ । ଆଗାମୀ ଦୁଇ ଦିନ ପରେ ଗାଁ ପୂଜା । ମା କାଳୀ ଙ୍କ ଯାତ୍ରା ଏଇଠି ପାଖରେ ହେବ । ତୁମ ମାନଙ୍କ ଭିତରୁ କେହି ଜଣେ, ସେ ଗାଁ ଭ୍ରମଣ କଲା ବେଳକୁ ତାଙ୍କୁ ବାଟ ଜଗି ବସିବ । ସେ ପଚାରିଲା ପରେ ସବୁ କହିବ । ତା ପରେ ସେ (ଯାହାଙ୍କ ଦେହରେ ଠାକୁରାଣୀ ଆସନ୍ତି) ଯାହା ଦେବେ ତାକୁ ଏକ ହଳଦିଆ ଓ ନାଲି କନା ରେ ଗୁଡେଇ ଘର ର ଦୁଆର ବନ୍ଧ ଓ ପଛ କବାଟ ପାଖରେ ବାନ୍ଧିବ । ତା ପରଦିନ ପୂଜା ପାଇଁ ଏହି ସବୁ ଜିନିଷ ଯୋଗାଡ କରି ଆଣ କହି ସେ ଏକ ଲିଷ୍ଟ ବଢ଼େଇ ଦେଲେ । ପୂଜା ହେଲା ପରେ ସବୁ ଠିକ ହେଇ ଯିବ । ମୁଁ ଏବେ ଘର ଚାରିପଟେ ଧଳା ସୋରିଷ ଓ ମନ୍ତୁରା ଜଳ ଛିଞ୍ଚି ଦେଇ ଯାଉଛି । ଏବେ ଦି ଦିନ ସେ କିଛି କରିବ ନାହିଁ । ଏତିକି କହି ସେ ବ୍ୟାଗ ରେ ଆଣିଥିବା ସୋରିଷ ସହ ମନ୍ତୁରା ପାଣି କୁ ମିଶେଇ ଘର ଚାରି ପାଖରେ ଛିଞ୍ଚିବାକୁ ଲାଗିଲେ । ପରଦିନ ଜ୍ୟୋତିଷଙ୍କ କହିବା ଅନୁସାରେ ଗାଁ ଦେବତୀ ଗଲାବେଳେ ତାଙ୍କଠୁ କିଛି ବିଭୁତି ପାଇ ପିଲାମାନେ ଜ୍ୟୋତିଷ କହିବା ଅନୁସାରେ ନାଲି ଓ ହଳଦିଆ କନା ରେ ତାକୁ ଗୁଡେଇ ଘରର ମୁଖ୍ୟ ଦରଜା ଓ ପଛ ଦରଜା ପାଖରେ ସେସବୁ ବାନ୍ଧିଲେ ଓ ପରଦିନ ପୂଜା ପାଇଁ ସବୁ ସରଞ୍ଜାମ ଯୋଗାଡ କଲେ ।


   ସେଦିନ ପୂଜା ବହୁତ ସମୟ ଧରି କରିବା ପରେ ମେସ ର ସବୁ ପିଲାଙ୍କ ହାତରେ ରକ୍ଷାସୂତ୍ର ବନ୍ଧା ଗଲା । ଜ୍ୟୋତିଷ ଜଣଙ୍କ ସବୁ ପିଲାଙ୍କୁ ଡାକି କହିଲେ, "ଆଜି ଏ ଭୂତର ଏ ଘରେ ଶେଷଦିନ । ସେ ଆଜି ଏ ଘର ଛାଡି ଚାଲିଯିବ । ତେଣୁ ସେ କିଛି ବି ହରକତ କରିପାରେ । ସମସ୍ତେ ସାବଧାନ ଥିବ । କୌଣସି ଘରେ କେହି ଏକା ରହିବ ନାହିଁ । ସେ ତୁମମାନଙ୍କୁ ଡରେଇବା ପାଇଁ ଚେଷ୍ଟା କରିବ । ସନ୍ଧ୍ୟା ସାତଟା ପରେ କବାଟ ଝରକା ସବୁ ବନ୍ଦ କରି ସମସ୍ତେ ଘରଭିତରେ ହିଁ ରହିବ । ଆଉ ଦି ତିନିଜଣ ରାତି ସାରା ଅନିଦ୍ରା ରହିବ । କେତେବେଳେ ବି କିଛି ବି ଅଘଟଣ ଘଟିପାରେ । ଆଜି ରାତି ଟା ବିତିଗଲେ କାଲିଠୁ ସେ ଆଉ ଏ ଘରକୁ ଆସିବନି କିମ୍ବା ତୁମ ମାନଙ୍କୁ ଆଉ ଦେଖା ଦେବନାହିଁ “ କହିସାରି ସେ ନିଜ ଜିନିଷ ପତ୍ର ସହ ଦକ୍ଷିଣା ଧରି ଘରୁ ବାହାରି ଗଲେ ।


    ଯାହା ହଉ ଆଉ ଗୋଟେ ଦିନ । ସମସ୍ତେ ଟିକେ ଶାନ୍ତି ରେ ନିଶ୍ୱାସ ମାରିଲେ । ଯେମିତି ସେମିତି କରି ଆଜି ରାତି ଟା କାଟି ଦେଲେ ଗଲା । ସନ୍ଧ୍ୟା ସାତଟା ରୁ ମେସ ର ମୁଖ୍ୟ କବାଟ, ଝରକା ସବୁ ବନ୍ଦ କରି ଦିଆ ଗଲା । ହେଲେ ବଣ୍ଟି କାଇଁ ? ଆଠଟା ପରେ ବଣ୍ଟି ଫେରିଲା ଅନ୍ୟ ଏକ ମେସ ରୁ । ସେ ଯାହା ହଉ ଭଲରେ ଭଲରେ ରାତି ଟି କଟିଗଲା । ଓହୋ....ଶାନ୍ତି ... ଏବେ ଆଉ ଡର ନାହିଁ ।


ପରଦିନ ସନ୍ଧ୍ୟା ଆଠଟା ପରେ ସମସ୍ତେ ଗୋଟିଏ ଘରେ ବସି ଏ ବିଷୟରେ ଆଲୋଚନା କରୁଥିବା ବେଳେ ହଠାତ ଗୋଟେ ଖାଲି ଟମାଟୋ ସସ ବୋତଲ ଯେଉଁଟା କବାଡି ବାଲାକୁ ବିକ୍ରି କରିବାକୁ ଘରର ପଛପଟେ ଥିବା ଏକ ଖାଲି ଜାଗାରେ ରଖା ଯାଇଥିଲା, ଉପରୁ ପଡି ତିନି ଚାରି ଥର ଡ୍ରପ ଖାଇ ଗଡି ଗଡି ସେ ଘର ଭିତରେ ପ୍ରବେଶ କଲା.....


ଆଗରୁ କେବେ ଅନୁଭବ କରି ନଥିବା ବଣ୍ଟି ଏ ଘଟଣା ଟି ନିଜ ଆଖିରେ ଦେଖିବା ପରେ ତାକୁ କେମିତି କେମିତି ଲାଗୁଥିଲା । ଆଇମା'ଙ୍କର ଗୋଟିଏ କଥା ତା’ର ଏବେ ମନେ ପଡୁଥିଲା । ଭୂତ ଅଛି, ଠିକ ଯେମିତି ଭଗବାନ ଅଛନ୍ତି । ଆମେ ଭଗବାନଙ୍କୁ ଦେଖି ପାରୁ କି ? ସେମିତି ଭୂତ ମାନଙ୍କୁ ବି ଆମେ ଦେଖି ପାରୁନି ।       


କିଛି ସମୟ ଚୁପ ରହି, ସମସ୍ତେ ସମସ୍ତଙ୍କ ମୁହଁକୁ ଦି ଚାରିଥର ଚାହିଁଲା ପରେ ଶୀଘ୍ର ଏ ଘର ଛାଡିବାର ଯୋଜନାରେ ଏକମତ ହୋଇ ସାରିଥିଲେ .....


ସମାପ୍ତ 

ଭୂତ ବଣ୍ଟି ଦୀପାବଳି

Rate the content


Originality
Flow
Language
Cover design

Comments

Post

Some text some message..