Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rakesh Mishra

Drama

2  

Rakesh Mishra

Drama

ମୃତ୍ୟୁ ଚକ୍ର

ମୃତ୍ୟୁ ଚକ୍ର

16 mins
7.3K


ମୂଳ ରଚନା - ମାର୍କ ଟ୍ୱାଇନ୍

ଅନୁବାଦ - ରାକେଶ ମିଶ୍ର

[ଏକ]

ଅଲିଭର କ୍ରମୱେଲଙ୍କ ସମୟର କାହାଣୀ । କମନୱେଲଥ୍ ସେନାବାହିନୀରେ ତାଙ୍କର ସମସାମୟିକ ପଦସ୍ଥ ଅଫିସର ମାନଙ୍କ ମଧ୍ୟରୁ, ତିରିଶ ବର୍ଷ ବୟସ୍କ କର୍ଣ୍ଣେଲ ମେ'ଫେୟାର ଥିଲେ ସର୍ବକନିଷ୍ଠ । ସତର ବର୍ଷ ବୟସରେ ନିଜ ସାମରିକ ଜୀବନର ଆରମ୍ଭ କରି ଯୁଦ୍ଧକ୍ଷେତ୍ରରେ, ପିଙ୍ଗଳ ଦୀର୍ଘକାୟ ଶରୀରଧାରୀ କର୍ଣ୍ଣେଲ ମେଫେୟାର, ଏଇ ଅଳ୍ପ ବୟସରେ ମଧ୍ୟ ଏକ ନିପୁଣ ସୈନିକ ଭାବେ ନିଜକୁ ପ୍ରମାଣିତ କରିଛନ୍ତି । ବହୁ ରଣକ୍ଷେତ୍ରରେ ସେ ଯୁଦ୍ଧ କରିଛନ୍ତି ଏବଂ ନିଜର ଶୌର୍ଯ୍ୟ ପ୍ରଦର୍ଶନ କରି ସମୟକ୍ରମେ ସେନାବାହିନୀର ଉଚ୍ଚପଦ ଓ ତଥା ଭୁୟସୀ ପ୍ରଶଂସା ଅର୍ଜନ କରିଛନ୍ତି । କିନ୍ତୁ ଏଇ ମୁହୂର୍ତ୍ତରେ ଗଭୀର ଅସ୍ଥିରତାରେ ନିମଗ୍ନ, କାରଣ ତାଙ୍କ ଭାଗ୍ୟ ଉପରେ ସତେ ଯେମିତି ଏକ କଳାଛାୟା ଘୋଟି ଆସିଛି ।

ଏକ ଶୀତୁଆ ସନ୍ଧ୍ୟାରେ ଯେତେବେଳେ ଘର ବାହାରେ ଝଡ଼ର ମାତଲାମୀ ଏବଂ ଘନ ଅନ୍ଧକାରର ରାଜତ୍ବ ଠିକ୍ ସେତେବେଳେ ଘର ଭିତରେ ବିଷର୍ଣ୍ଣ ନିର୍ଜନତା । କାରଣ କର୍ଣ୍ଣେଲ ଏବଂ ତାଙ୍କ ତରୁଣୀ ସ୍ତ୍ରୀ କଥାର ଉତ୍ତାପରେ ନିଜର ବେଦନାକୁ ଦୁର କରିବାକୁ ଚେଷ୍ଟା କରି ଏବେ ନିଶ୍ଚୁପ୍ । ଅପରାହ୍ନର ପ୍ରାର୍ଥନା ଉପରାନ୍ତେ, ନିଶ୍ଚୁପ୍ ହୋଇ ଫାୟାର ପ୍ଲେସ୍ ଆଡ଼େ ଚାହିଁ ରହି, ଚିନ୍ତାର ଆଳସ୍ୟରେ ନିଜକୁ ସମର୍ପିତ କରି, ଦୀର୍ଘ ସମୟକୁ ଅତିବାହିତ କରିବା ଛଡ଼ା ଆଉ ଅନ୍ୟ ଉପାୟ ନଥିଲା । ସେମାନେ ଜାଣିଥିଲେ, ସେମାନଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବ, ସେକଥା ଚିନ୍ତା କରି ହଠାତ୍ କର୍ଣ୍ଣେଲଙ୍କ ସ୍ତ୍ରୀ ଥରଥର ହୋଇ କମ୍ପି ଉଠିଲେ ।

ସାତ ବର୍ଷ ବୟସର କନ୍ୟା ଆବି ଥିଲା ସେମାନଙ୍କ ପ୍ରାଣର ପିତୁଳା, ଏକମାତ୍ର ସନ୍ତାନ । ହୁଏତ୍ ସେ ଏବେ ଆସି ପହଞ୍ଚିବ, ଶୁଭରାତ୍ରିର ବିଦାୟୀ ଚୁମ୍ବନ ନେବାକୁ ।

- ଅନ୍ତତଃ ପକ୍ଷେ ଆବିର ଖୁସି ପାଇଁ ନିଜ ଅଶ୍ରୁଧାରା ପୋଛିଦିଅ ପ୍ରିୟେ । ଚାଲନା, ତା ପାଇଁ ଟିକେ ଖୁସି ଦିଶିବା । କିଛି ସମୟ ପାଇଁ ହେଲେ ହେଉ, ଭବିତବ୍ୟକୁ ଭୁଲି ଆମ ଦୁହିଁଙ୍କୁ ଖୁସି ରହିବାକୁ ହେବ ।

- ଠିକ୍ ଅଛି, ତାହା ହିଁ ହେବ । ଦୁଃଖ କଷ୍ଟ କୋହରେ ଭାଙ୍ଗି ପଡ଼ିଲେ ବି ନିରବ ରହିବି । ନିସଙ୍ଗ ହୋଇ ଅନ୍ଧକାରରେ ବୁଡ଼ି ରହିବି ।

- ହଁ, ଆମ ନିୟତିକୁ ଆମକୁ ଗ୍ରହଣ କରିବାକୁ ହେବ, ଅବିଚଳିତ ଧୈର୍ଯ୍ୟର ସହ ବହନ କରିବାକୁ ପଡ଼ିବ । ବୁଝିନେବାକୁ ହେବ, ସେହି ଦୟାମୟ ଯାହା ବି କରନ୍ତୁ ତାହା ହିଁ ପ୍ରକୃତ ନ୍ୟାୟ ଏବଂ ତାହାହିଁ ପ୍ରକୃତ ଦୟା ।

- ତାଙ୍କର ଇଚ୍ଛା ପୂର୍ଣ୍ଣ ହେଉ । ସେଥିପାଇଁ ମୋର ମନପ୍ରାଣ ଦେଇ ମୁଁ ଏହା ହିଁ କାମନା କରୁଛି, ମୋର ହୃଦୟର ଅନ୍ତରତମ ପ୍ରଦେଶରୁ ମୁଁ କାମନା କରୁଛି - ଏଇ ପ୍ରିୟ ହସ୍ତ ଯାହାକୁ ମୁଁ ଶେଷଥର ପାଇଁ ସ୍ପର୍ଶ କରୁଛି.....

- ମୋ ସୁନାଟା, ଶାନ୍ତ ହୁଅ । ବୋଧହୁଏ ସେ ଆସୁଛି ।

ରାତ୍ରିବାସ ପରିହିତ କୁଞ୍ଚିତକେଶି କୁନି ଝିଅଟିଏ ଦରଜା ଖୋଲି ପ୍ରବେଶ କଲା ଭିତରକୁ । ଧାଇଁଗଲା ପିତାଙ୍କ କୋଳକୁ । ଆଉ ନିଜ କୁନି ଝିଅକୁ ଜାବୁଡ଼ି ଧରି ବାରମ୍ବାର ଚୁମ୍ବନ ଦେଉଥିଲେ କର୍ଣ୍ଣେଲ ମେ'ଫେୟାର ।

- ପାପା, ମୋତେ ଏମିତି ଭାବେ ପପ୍ପି ଦିଅନି, ମୋ ଚୁଟି ନଷ୍ଟ ହୋଇଯିବ ।

- ଆଚ୍ଛା ମା, ମୋର ଭୁଲ ହୋଇଗଲା । ଆଉ କେବେ ଏମିତି କରିବିନି । ମୋତେ କ୍ଷମା କରିଦେ ମା' ।

- ପାପା ମୁଁ ତୁମକୁ କଷ୍ଟ ଦେଲି କି? ସତ କୁହ ପାପା ତୁମର କଷ୍ଟ ହେଲା କି ?

- "ତୁ କଣ ବୁଝି ପାରୁନୁ ମା'!" କହି କର୍ଣ୍ଣେଲ ନିଜ ଦୁଇ ହାତ ପାପୁଲିରେ ନିଜ ମୁହଁ ଢାଙ୍କି, କାନ୍ଦି ଉଠିଲେ ।

ନିଜ ପିତାଙ୍କ ଏତାଦୃଶ କରୁଣ ଅବସ୍ଥା ଦେଖି, ହଠାତ୍ କୁନି ଝିଅ ଆବି କାନ୍ଦି ଉଠିଲା । ନିଜ କୁନି ହାତରେ ନିଜର ସମସ୍ତ ସାମର୍ଥ୍ୟ ଦେଇ, ନିଜ ପିତାଙ୍କ ମୁହଁରୁ ତାଙ୍କ ହାତ କାଢ଼ିବାକୁ ଚେଷ୍ଟା କଲା ।

- ପାପା ତୁମେ କାନ୍ଦନି, ମୁଁ ତୁମକୁ ଦୁଃଖ ଦେବାକୁ ଚାହିଁ ନଥିଲି । ପାପା ତୁମେ କାନ୍ଦନି ।

ନିଜ ପିତାଙ୍କ ହାତ ଦୁଇଟି କିୟଦଂଶ ଅପସାରିତ କରି ନିଜ ପିତାଙ୍କ ଦୁଇ ଚକ୍ଷୁ ଦେଖି ପାରିଥିଲା ଆବି । ଆଉ ଦେଖିବା ସଙ୍ଗେ ସଙ୍ଗେ ଚିତ୍କାର କରି କହିଲା -

- ପାପା ତୁମେ ବହୁତ୍ ଦୁଷ୍ଟ । ତୁମେ ଆଦୌ କାନ୍ଦୁନ । ଟିକିଏ ବି ନୁହଁ । ତୁମର ମୋଟେ ବି କଷ୍ଟ ହୋଇନି । କେବଳ ମୋତେ ବୋକା ବନଉଛ । ମୁଁ ଆଉ ତୁମ ପାଖରେ ରହିବିନି । ମୁଁ ମମ୍ମି ପାଖକୁ ଯାଉଛି ।

କହି କୁନି ଆବି ସତରେ ନିଜ ବାପାଙ୍କ କୋଳରୁ ଉଠି ଆସିବାକୁ ଉଦ୍ୟତ ହେଲା । ଏହା ଦେଖି କର୍ଣ୍ଣେଲ ତାକୁ ଦୁଇ ହାତରେ ଯାବୁଡ଼ି ଧରିଲେ ।

- ନା ମା, ତୁ ମୋତେ ଛାତି଼ ଯାଆନି । ଆଚ୍ଛା, ମୁଁ ମାନୁଛି ମୁଁ ଦୁଷ୍ଟାମି କରୁଥିଲି । କିନ୍ତୁ ମୁଁ ଆଉ ଦୁଷ୍ଟାମି କରିବିନି ମା । ଆଉ ତୁ ମୋତେ ଯାହା ଶାସ୍ତି ଦେବୁ ଦେ.. କହ ମା' କହ ।

କୁନି ଆବି ଏହା ଶୁଣି ସାମାନ୍ୟ ଶାନ୍ତ ହେଲା । ତାର ଶୁଶ୍ରୀ ମୁଖମଣ୍ଡଳରେ ଫେରି ଆସିଲା ପୂର୍ବର ସେଇ ପ୍ରଫୁଲ୍ଲତା । ନିଜ ପିତାଙ୍କ ଗାଲରେ ହାତ ବୁଲାଇ ଧିରେ ଧିରେ ଗେଲ କରିବାକୁ ଲାଗିଲା ।

- ତେବେ ପାପା ଗୋଟେ ଗପ ଶୁଣାଅ । ଗୋଟେ ଭଲ ଗପ ।

ଅକସ୍ମାତ୍ ବାହାରେ କିଛି ଗୋଟେ ପ୍ରଚଣ୍ଡ ଶବ୍ଦ ହେଲା । ସମସ୍ତଙ୍କ ନିଶ୍ୱାସ ପ୍ରଶ୍ଵାସ ପ୍ରାୟ ବନ୍ଦ ହୋଇ ଆସିଲା ପରି ଲାଗିଲା । ଉତ୍କର୍ଣ୍ଣ ହୋଇରହିଲେ ସଭିଏଁ । ଝଡ଼ର ଉଦ୍ଦାମତା ମଧ୍ୟରେ ସହସା କ୍ଷୀଣ ପାଦ ଶବ୍ଦ ଶୁଭିଲା । କ୍ରମଶଃ ସେଇ ଶବ୍ଦ ନିକଟରୁ ନିକଟତର ହେଲା ଏବଂ ତା'ପରେ ପୁଣି ଧିରେ ଧିରେ ମିଳେଇ ଗଲା । ସ୍ଵସ୍ତିର ନିଶ୍ୱାସ ନେଲେ ସଭିଏଁ । କର୍ଣ୍ଣେଲ ନିଜ କୁନି ଝିଅକୁ କୋଳକୁ ଟାଣି ନେଲେ ।

- ଆଚ୍ଛା ମା, ଗପ ଶୁଣିବୁ କହୁଥିଲୁ ନା !! କେମିତିକା ଗପ, ଖୁସିର?

- ନା ପାପା, ଖୁସିର ଗପ ନୁହେଁ,ଗୋଟେ ଖୁବ୍ ଭୟାନକ ଗପ ।

ବାପା ଗୋଟିଏ ଖୁସିର ଗପ କହିବାକୁ ଚାହିଁଲେ, କିନ୍ତୁ କୁନି ଝିଅ ନଛୋଡବନ୍ଧା । ସେ ଗୋଟେ ଭୟାନକ ଗପ ହିଁ ଶୁଣିବ । ବାପା ସର୍ତ୍ତ ରଖିଥିଲେ, ସେ ଯାହା ଚାହିଁବ ତାହା ହିଁ ହେବ । ତାର ପିତା ଜଣେ ଖ୍ୟାତନାମା ସୈନିକ । ତେଣୁ ସେ ଯେତେବେଳେ କଥା ଦେଇଥିଲେ ରଖିବାକୁ ପଡ଼ିବ । କୁନି ଝିଅ ଏଥର କହିଲା,

- ନା ପାପା, ଆମେ ସବୁବେଳେ ଖୁସିର ଗପ ଶୁଣିବା ଉଚିତ୍ ନୁହେଁ । ଧାଇମା' କହୁଥିଲା, ମଣିଷର ଖୁସିର ସମୟ ସବୁବେଳେ ରହେନି । ଏକଥା କଣ ସତ କି ପାପା ! ଧାଇମା ତ ସେଇକଥା କୁହେ, ତୁମେ କଣ କହୁଛ! ତୁମେ କୁହ ତ ପାପା, ଏକଥା କଣ ସତ କି !

କର୍ଣ୍ଣେଲଙ୍କ ପତ୍ନୀ ଦୀର୍ଘଶ୍ବାସ ପକେଇଲେ । ତାଙ୍କର ସମସ୍ତ ଚିନ୍ତା ତାହାଙ୍କର ପୂର୍ବର ଅସ୍ଥିରତାରେ ନିମଗ୍ନ ରହିଲା । ଶାନ୍ତ ସ୍ୱରରେ କହିଲେ - ହଁ ମା, ଏହା ହିଁ ସତ । ସମସ୍ତଙ୍କର ସୁଖ ପରେ ଦୁଃଖ ଆସେ,କରୁଣ ହେଲେ ମଧ୍ୟ ଏହା ହିଁ ସତ ।

- ତାହେଲେ ସେମିତି ହିଁ ଗୋଟେ ଗପ କୁହ ପାପା । ଯେମିତି ଲାଗିବ ଆମେ ହିଁ ସେ ଗପର ଲୋକ । ଭୟରେ ଥରିବା ପରି ଗପ । ମା ତୁମେ ପାଖକୁ ଆସ, ଏଇଠି ବସି ମୋର ଗୋଟେ ହାତ ଧର, ଯେମିତି ଆମକୁ ଡର ନ'ଲାଗେ । ପାପା ଆରମ୍ଭ କର ।

- କର୍ଣ୍ଣେଲ ଇଚ୍ଛା କରି ସାମାନ୍ୟ ଝାଡ଼ି ଝୁଡ଼ି ହୋଇ ବସି ଆରମ୍ଭ କଲେ । ଏକଦା ତିନିଜଣ କର୍ଣ୍ଣେଲ ଥିଲେ ।

- ମୁଁ କର୍ଣ୍ଣେଲ ମାନଙ୍କୁ ଜାଣେ, ତୁମେ ହିଁ ତ ଜଣେ କର୍ଣ୍ଣେଲ । ଆଚ୍ଛା କୁହ ।

- ଏକଦା ଗୋଟିଏ ଯୁଦ୍ଧରେ ସେମାନେ ଆଇନ୍ ଭଙ୍ଗ କଲେ ।

ବାପାଙ୍କ କଥା ଶୁଣି କୁନି ଆବି ଉଛ୍ୱସିତ ହୋଇ ଉଠିଲା । ନିଜ ବାପାଙ୍କ ମୁହଁକୁ ଚାହିଁ ପଚାରିଲା

- କଣ ଭାଙ୍ଗିଲେ? କିଛି ଖେଳଣା ?

ଏତେ ଯନ୍ତ୍ରଣା ସତ୍ତ୍ୱେ ମା ବାପା ଦୁହେଁ ସାମାନ୍ୟ ହସି ଉଠିଲେ

- ନାଁ ରେ ମା', ସେଇ କର୍ଣ୍ଣେଲ ମାନେ ଯାହା କରିବା ଅନୁଚିତ ତାହା କରିଥିଲେ ।

- କଣ କରିଥିଲେ?

- ଯୁଦ୍ଧରେ ପରାସ୍ତ ହେବା ସମୟରେ ସେମାନଙ୍କୁ କୁହାଯାଇଥିଲା ଶତ୍ରୁ ସୈନ୍ଯଙ୍କ ଉପରେ କୃତ୍ରିମ ଆକ୍ରମଣ କରିବାକୁ । ସେ ଆକ୍ରମଣ ସତସତିକା ଆକ୍ରମଣ ନୁହେଁ, କିନ୍ତୁ ଶତ୍ରୁମାନଙ୍କୁ ତାହା ଏକ ଆକ୍ରମଣ ପରି ଲାଗିବ । ଯାହା ଦ୍ବାରା କମନୱେଲଥ୍ ସେନାବାହିନୀର ସୈନ୍ଯ ମାନଙ୍କ ପଳାୟନର ରାସ୍ତା ପରିଷ୍କାର ହୋଇଯିବ । କିନ୍ତୁ ଅତି ଉତ୍ସାହୀ ସେହି ତିନି କର୍ଣ୍ଣେଲ, ଶତ୍ରୁପକ୍ଷ ଉପରେ ସତରେ ଆକ୍ରମଣ କରିବସିଲେ । ଝଡ଼ପରି ସେ ଆକ୍ରମଣରେ ଶତ୍ରୁମାନେ ଛତ୍ରଭଙ୍ଗ ଦେଇ ପରାଜିତ ହେଲେ । ଲର୍ଡ଼ ଜେନେରାଲ ସେମାନଙ୍କ ଅପୂର୍ବ ସାହସର ପ୍ରଶଂସା କଲେ ମଧ୍ୟ, ଆଇନ୍ ଭଙ୍ଗ କରିଥିବା ଅପରାଧରେ ସେମାନଙ୍କ ଉପରେ ଖୁବ୍ କ୍ଷୁବ୍ଧ ହେଲେ । ତେଣୁ ସେ ତିନିଜଣ କର୍ଣ୍ଣେଲଙ୍କୁ, ସେମାନଙ୍କ ଅପରାଧର ବିଚାର ପାଇଁ ଲଣ୍ଡନ ପଠାଇଛନ୍ତି ।

- ତୁମେ କଣ ମହାନ କ୍ରମୱେଲଙ୍କ କଥା କହୁଛ ପାପା ।

- ହଁ ମା..

- ମୁଁ ତାଙ୍କୁ ଦେଖିଛି ପାପା । ସେ ଯେତେବେଳେ ସୈନ୍ୟମାନଙ୍କ ସହ ତାଙ୍କ ବିଶାଳକାୟ ଅଶ୍ୱ ଆରୋହଣ କରି ଆମ ଘର ପାଖ ଦେଇ ଯାଆନ୍ତି, ସେତେବେଳେ ତାଙ୍କୁ ଦେଖିବାକୁ ବହୁତ୍ ଭଲ ଲାଗେ । ତାଙ୍କୁ ସମସ୍ତେ ଖୁବ୍ ଡରନ୍ତି, ମୋତେ କିନ୍ତୁ ଡର ମାଡ଼େନା । ଟିକେ ବି ନୁହେଁ । ଆଚ୍ଛା, ତାପରେ...

- ତାପରେ ସେଇ ତିନି କର୍ଣ୍ଣେଲଙ୍କୁ ବନ୍ଦୀକରି ଲଣ୍ଡନ ଅଣାଗଲା । ଶେଷଥର ପାଇଁ ସେମାନଙ୍କ ପ୍ରିୟ ପରିବାର ତଥା ପ୍ରିୟଜନଙ୍କୁ ଦେଖା କରିବାକୁ ଅନୁମତି ଦିଆଗଲା ।

ହଠାତ୍ ପୁଣି ସେଇ ପାଦଶବ୍ଦ ଶୁଣାଗଲା । ସମସ୍ତେ ଉତ୍କର୍ଣ୍ଣ ହୋଇଉଠିଲେ । କ୍ରମଶଃ ସେ ପାଦ ଶବ୍ଦ ମିଳେଇ ଗଲା ଝଡ଼ର ଶବ୍ଦସହ । କର୍ଣ୍ଣେଲଙ୍କ ସ୍ତ୍ରୀ ନିଜ ସ୍ବାମୀଙ୍କ କାନ୍ଧରେ ମଥା ରଖି ନିଜ ମୁଖମଣ୍ଡଳର ବିବର୍ଣ୍ଣତାକୁ ଢାଙ୍କିବାକୁ ପ୍ରୟାସ କଲେ ।

- ଆଚ୍ଛା ପାପା, ଏଇଟା କଣ ସତ ଗପ?

- ହଁ ମା

- ଆଃ, କେତେ ସୁନ୍ଦର ଗପ, ବହୁତ୍ ସୁନ୍ଦର୍ । ତା ପରେ କଣ ହେଲା ପାପା । ପାପା, କୁହ ପାପା । ଏ କଣ ! ମା ତୁମେ କାନ୍ଦୁଛ କଣ ପାଇଁ !!

- ନା ମା, ସେ କିଛି ନୁହେଁ । ମୁଁ ସେଇ ହତଭାଗ୍ୟ ପରିବାର ଗୁଡ଼ିକ କଥା ଭାବୁଥିଲି ।

- ତୁମେ କାନ୍ଦନି ମା' । ଦେଖିବ ସବୁ ଠିକ୍ ହୋଇଯିବ । ସବୁ ଗପର ପ୍ରଥମେ ସେମିତି ହିଁ ହୋଇଥାଏ । ପରେ ସବୁ ଠିକ୍ ହୋଇଯାଏ, ସମସ୍ତେ ଖୁସିରେ ରୁହନ୍ତି । ହଁ ପାପା କୁହ ।

- ଘରକୁ ଯିବା ପୂର୍ବରୁ ସେମାନଙ୍କୁ ଦୁର୍ଗକୁ ନିଆଗଲା । ସେଇ ଦୁର୍ଗର ସାମରିକ ଅଦାଲତରେ ସେମାନଙ୍କ ବିଚାର ହେଲା । ବିଚାରରେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଗୁଳିକରି ହତ୍ୟା କରିବାକୁ ଆଦେଶ ଦିଆଗଲା ।

- ପାପା, ହତ୍ୟା ??

- "ହଁ ମା, ହତ୍ୟା" କର୍ଣ୍ଣେଲଙ୍କ ସ୍ୱର ସାମାନ୍ୟ ଗମ୍ଭୀର ଶୁଭିଲା।

- କି ଭୟଙ୍କର । ଏ କଣ ମା', ତୁମେ ପୁଣି କାନ୍ଦୁଛ !! ତୁମେ କାନ୍ଦନି ମା' । ଦେଖିବ, ଏଥର କାହାଣୀର ଭଲଅଂଶ ଆରମ୍ଭ ହେବ । ପାପା, ତୁମେ ଶିଘ୍ର ଶେଷ କର, ଦେଖି ପାରୁନ ମା କେମିତି ଧୈର୍ଯ୍ୟହରା ହେଉଛନ୍ତି । ଆଚ୍ଛା ପାପା, ତୁମେ କଣ ସେମାନଙ୍କୁ ଚିହ୍ନ?

- ହଁ, ମା

- ଆଃ, ମୁଁ ଯଦି ସେମାନଙ୍କୁ ଚିହ୍ନିଥାଆନ୍ତି !! ମୋତେ କର୍ଣ୍ଣେଲ ମାନେ ବହୁତ୍ ଭଲ ଲାଗନ୍ତି । ଆଚ୍ଛା ପାପା, ସେମାନେ କଣ ମୋତେ ସେମାନଙ୍କୁ ଗେଲ କରିବାକୁ ଦେବେ!

ଏଥର ଉତ୍ତର ଦେବା ସମୟରେ କମ୍ପିଉଠିଲା କର୍ଣ୍ଣେଲଙ୍କ କଣ୍ଠସ୍ବର । କମ୍ପିତକଣ୍ଠରେ କହିଲେ,

- ସେମାନଙ୍କ ମଧ୍ୟରୁ ଜଣେ ନିଶ୍ଚିତ ଦେବ । ସେମାନଙ୍କ କଥା ମନେକରି ତୁ ମୋ ହାତକୁ ଚୁମିପାରୁ ।

- ଏଇ ଚୁମା ସେମାନଙ୍କ ତିନିଜଣଙ୍କ ପାଇଁ ଦେଲି ପାପା । ସେମାନେ ନିଶ୍ଚିତ ଭାବେ ମୋତେ ତାଙ୍କ ହାତ ଚୁମିବାକୁ ଦେଇ ଥାଆନ୍ତେ, ନୁହଁ ପାପା? ତୁମେ କଣ କହୁଛ?

- ହଁ ମା', ସେମାନେ ନିଶ୍ଚିତ ଭାବେ ଦେଇଥାନ୍ତେ ।

- ଆଃ ମା', ତୁମେ ସେମିତି ଆଉ କାନ୍ଦନି । ଏଇତ କାହାଣୀର ଭଲ ଅଂଶ ଏଥର ଆସିବ । କୁହ ପାପା..

- ସାମରିକ ଅଦାଲତର ସମସ୍ତେ ସେମାନଙ୍କ ନିମନ୍ତେ ଦୁଃଖ ପ୍ରକାଶ କଲେ । ତା ପରେ ସେମାନେ ସମସ୍ତେ ମିଶି ସେହି ମହାନ ଜେନେରାଲଙ୍କ ନିକଟକୁ ଗଲେ ତଥା କହିଲେ ଯେ ସେମାନେ ସେମାନଙ୍କ କର୍ତ୍ତବ୍ୟ ପାଳନ କରିଛନ୍ତି । ତୁ ବୁଝି ପାରିବୁନି ହୁଏତ ମା, ଏଇଟି ସେମାନଙ୍କ କର୍ତ୍ତବ୍ୟ ଥିଲା । ସେମାନେ ପ୍ରାର୍ଥନା କଲେ ଏମାନଙ୍କ ମଧ୍ୟରୁ କୌଣସି ଦୁଇ ଜଣଙ୍କୁ ମୃତ୍ୟୁଦଣ୍ଡରୁ କ୍ଷମା କରାଯାଉ । କାରଣ ସୈନ୍ୟବିଭାଗରେ ଦୃଷ୍ଟାନ୍ତ ସ୍ଥାପନ ନିମନ୍ତେ ଜଣକର ମୃତ୍ୟୁ ଯଥେଷ୍ଟ, କିନ୍ତୁ ଜେନେରାଲ ଥିଲେ ଅତ୍ୟନ୍ତ କଠୋର ହୃଦୟର । ସେ ସାମରିକ ଅଦାଲତର ସଦସ୍ୟ ମାନଙ୍କର ପ୍ରାର୍ଥନାକୁ ତିରସ୍କାର କଲେ । କାରଣ ସେମାନେ ସେମାନଙ୍କ କର୍ତ୍ତବ୍ୟ ଶେଷ କରିବା ପରେ ଏବଂ ନିଜର ବିଚାର ବୁଦ୍ଧିମତେ ସିଦ୍ଧାନ୍ତରେ ଉପନୀତ ହେବା ପରେ ତାଙ୍କର କର୍ତବ୍ୟ ସୀମିତ କରିବା ପାଇଁ ତାଙ୍କୁ ପ୍ରଭାବିତ କରିବାକୁ ଚାହୁଁଛନ୍ତି ଯାହା ସେମାନଙ୍କର ସୈନିକ-ସୁଲଭ ମର୍ଯ୍ୟାଦା ଉପରେ କଳଙ୍କ ଲେପନ କରିବ । କିନ୍ତୁ ସେମାନେ ଜେନେରାଲଙ୍କୁ ଜଣାଇଲେ ଯେ, ସେମାନେ ତାଙ୍କ ନିକଟରୁ ଏମିତି ବିଶେଷ କିଛି ଆଶା କରୁ ନାହାନ୍ତି । କାରଣ ସେମାନେ ଯଦି ତାଙ୍କ ସ୍ଥାନରେ ଥାନ୍ତେ ଏବଂ ଏହି ଅସୀମ କ୍ଷମତା ଓ କ୍ଷମା କରିବାର ଅଧିକାରୀ ହୋଇ ଥାନ୍ତେ, ତେବେ ସେମାନେ ତାହାହିଁ କରି ଥାନ୍ତେ । ସବୁ ଶୁଣି ସାରିବା ପରେ ଜେନେରାଲ କିଛି ସମୟ ଚିନ୍ତା କଲେ ଏବଂ ସ୍ଥିର ଭାବେ ଛିଡା ହୋଇ ରହିଲେ । ତାଙ୍କ ମୁଖମଣ୍ଡଳରେ କାଠିନ୍ୟ କ୍ରମଶଃ କମି ଆସିଲା । ସେମାନଙ୍କୁ ଅପେକ୍ଷା କରିବାକୁ କହି ଜେନେରାଲ ନିଜ ଗୋପନ କକ୍ଷକୁ ଚାଲିଗଲେ ପ୍ରାର୍ଥନା କରିବା ଉଦ୍ଧେଶ୍ୟରେ । ତାପରେ ଫେରି ଆସି କହିଲେ, ସେମାନଙ୍କ ଭାଗ୍ୟ ସେମାନଙ୍କୁ ନିଜକୁ ହିଁ ଠିକ କରିନେବାକୁ ପଡ଼ିବ । ଏଇ ଭାଗ୍ୟ ଏକ ପରୀକ୍ଷା ମାଧ୍ୟମରେ ସ୍ଥିର ହେବ ଏବଂ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ କ୍ଷମା କରାଯିବ ।

- ସେମାନେ କଣ ଠିକ କରିଛନ୍ତି ପାପା ? କିଏ ! କିଏ ମରିବ ସେମାନଙ୍କ ମଧ୍ୟରୁ ?

- ନା, ମା' ସେମାନେ ଅସ୍ୱୀକାର କରିଛନ୍ତି ।

- କିନ୍ତୁ କଣ ପାଇଁ ପାପା ?

- କାରଣ ସେମାନଙ୍କ ମଧ୍ୟରୁ ଯିଏ ମାରିବା ତାହା ଆତ୍ମହତ୍ୟା ସହ ସମାନ ହେବ ମା । ପ୍ରକୃତ ଖ୍ରୀଷ୍ଟିଆନ ପାଇଁ ଆତ୍ମହତ୍ୟା ନିଷିଦ୍ଧ ଏବଂ ମହାପାପ । ତେଣୁ ସେମାନେ ଏଭଳି ନିଷ୍ପତିରୁ ଓହରି ଆସିଛନ୍ତି । ସାମରିକ ଅଦାଲତର ଆଦେଶ ହିଁ ପାଳିତ ହେଉ । ସେମାନେ ସମସ୍ତେ ମୃତ୍ୟୁ ପାଇଁ ପ୍ରସ୍ତୁତ ।

- ତା' ମାନେ ?

- "ମାନେ, ସେମାନଙ୍କୁ ସମସ୍ତଙ୍କୁ ଗୁଳିବିଦ୍ଧ କରି ହତ୍ୟା କରାଯିବ ମା' ।" କହୁ କହୁ କର୍ଣ୍ଣେଲଙ୍କ କଣ୍ଠସ୍ୱର ଗମ୍ଭୀର ହୋଇ ଉଠିଲା ।

ଅକସ୍ମାତ ପୁଣି ସେଇ ଶବ୍ଦ । ସେଇ ପାଦଶବ୍ଦ.. ସୈନିକ ମାନଙ୍କ ଭାରି ପାଦଶବ୍ଦ । ସେ ଶବ୍ଦ କ୍ରମଶଃ ନିକଟତର ହେଉଥିଲା । ତାପରେ ଦରଜାରେ ଗମ୍ଭୀର କଣ୍ଠସ୍ୱର ଶୁଭିଲା ।

- ଦରଜା ଖୋଲନ୍ତୁ ।

- ଦେଖ, ପାପା ସୈନ୍ୟ ମାନେ ଆସିଛନ୍ତି । ମୁଁ ସୈନ୍ୟ ମାନଙ୍କୁ ଖୁବ ଭଲପାଏ, ପାପା, ମୁଁ ସେମାନଙ୍କୁ ଭିତରକୁ ନେଇଆସେ !

ତା'ପରେ କୁନି ଝିଅ ଆବି, ଡେଇଁପଡ଼ି ଦରଜା ନିକଟକୁ ଯାଇ ଦରଜା ଖୋଲି ଦେଲା । ଆଉ ଆନନ୍ଦରେ ଚିତ୍କାର କରି ସମସ୍ତଙ୍କୁ ଭିତରକୁ ଆସିବାକୁ କହିଲା । ଦଳ ଦଳ ସୈନ୍ୟ ଭିତରକୁ ପ୍ରବେଶ କଲେ । ସାମରିକ ଅଫିସର ଜଣକ କର୍ଣ୍ଣେଲଙ୍କ କୁର୍ନିଶ ଜଣାଇଲେ, ଏବଂ ହତଭାଗ୍ୟ କର୍ଣ୍ଣେଲ ସିଧାଛିଡା ହୋଇ ସେ ଅଭିବାଦନ ଗ୍ରହଣ କଲେ । ବେଦନାହତ କର୍ଣ୍ଣେଲଙ୍କ ବିଷଣ୍ଣ ପତ୍ନୀ ମଧ୍ୟ ଆସି ଛିଡା ହେଲେ କର୍ଣ୍ଣେଲଙ୍କ ନିକଟରେ । ଆଶଙ୍କା ଓ ଭୟରେ ତାଙ୍କ ମୁଖମଣ୍ଡଳ ଶେତା ପଡ଼ିଯାଇଥାଏ । କେବଳ କୁନି ଆବି ଆନନ୍ଦିତ ତଥା ଚଞ୍ଚଳ ଦୃଷ୍ଟିରେ ସବୁକିଛି ଦେଖୁଥିଲା । ମା, ଝିଅ ଏବଂ ପିତାଙ୍କର ଦୀର୍ଘ ଆଲିଙ୍ଗନ ପରେ ଭାରି ତଥା ଗମ୍ଭୀର କଣ୍ଠ ପୁଣି ଧ୍ୱନିତ ହେଲା - "ଦୁର୍ଗ ଆଡ଼େ.." । ଅନ୍ୟ ସୈନ୍ୟମାନଙ୍କ ସହ ତାଳଦେଇ କର୍ଣ୍ଣେଲ ମେ'ଫେୟାର ଅଗ୍ରସର ହେଲେ ଦୁର୍ଗ ଆଡକୁ । ଯେଉଁ ଦୁର୍ଗର ଚୁଡା ଦେଖାଯାଏ ଏଇ ଘରୁ ।

- ମା, କେତେ ଭଲ ହେଲା କୁହ । ମୁଁ ପ୍ରଥମରୁ କହିଥିଲି ନା ! ହେଇ ଦେଖା ସେମାନେ ଦୁର୍ଗ ଆଡକୁ ଯାଉଛନ୍ତି । ପାପା ସେଇ କର୍ଣ୍ଣେଲ ମାନଙ୍କୁ ଦେଖାକରିବେ ।

- "ଆରେ ମା, ମୋ ପାଖକୁ ଆ ।" କହି ଦୁଇ ହାତ ପ୍ରସାରଣ କରି କୁନି ଝିଅକୁ କୁଣ୍ଢେଇ ଧରି ହଠାତ କାନ୍ଦି ଉଠିଲେ କର୍ଣ୍ଣେଲଙ୍କ ସ୍ତ୍ରୀ ।

[ ଦୁଇ ]

ପରଦିନ ଆର୍ତ କର୍ଣ୍ଣେଲଙ୍କ ସ୍ତ୍ରୀ ବିଛଣା ଛାଡ଼ି ଉଠି ପାରିଲେନି । ଡାକ୍ତର ଏବଂ ନର୍ସମାନେ ତାଙ୍କ ବିଛଣା ପାଖରେ ବସି ତାଙ୍କ ଅସୁସ୍ଥତା ସମ୍ପର୍କରେ ନିଜମଧ୍ୟରେ ଟୁପଟାପ ଆଲୋଚନା କରୁଥିଲେ । ଆବିକୁ କିନ୍ତୁ ସେହି କୋଠରୀ ମଧ୍ୟକୁ ଆସିବାକୁ ଦିଅ ଯାଉ ନଥିଲା । ତାକୁ ଜଣାଇ ଦିଆ ଯାଇଥିଲା ଯେ ମାଆଙ୍କର ଖୁବ ଶରୀର ଅସୁସ୍ଥ । ତେଣୁ ସେ ଯେମିତି ବାହାରେ ହିଁ ଖେଳାଖେଳି କରେ । କୁନି ଝିଅଟି ସେଇ ଶୀତରେ ଦେହରେ ଏକ ରାପର ଘୋଡେଇ ହୋଇ ବାହାରେ ରାସ୍ତାରେ କିଛି ସମୟ ଖେଳାଖେଳି କଲା । କିଛି ସମୟ ପରେ ଅତି ଅଦ୍ଭୁତ ଭାବେ ଆବିର ମନେ ହେଲା, ଯେ ମାଆଙ୍କର ଏମିତି ଦୁଃସହ ଅସୁସ୍ଥତା ସମୟରେ ପାପା କିଛି ନ ଜାଣି ଦୁର୍ଗରେ ପଡ଼ି ରହିଛନ୍ତି । ଏଟା ଠିକ ନୁହେଁ । ଏମିତି ହେବାକୁ ଦେବା ମଧ୍ୟ ଠିକ ନୁହେଁ । ଯେମିତ ହେଉ ପାପାଙ୍କୁ ଖବର ଦେବାକୁ ହେବ । ଏବଂ ଏ କାମ ସେ ନିଜେ ହିଁ କରିବ ।

ପ୍ରାୟ ଘଣ୍ଟାଏ ପରେ ଜେନେରାଲ ମହୋଦୟ ସାମରିକ ଅଦାଲତରେ ସପରିଷଦ ପ୍ରବେଶ କରିଲେ । ଟେବୁଲ ଉପରେ ତାଙ୍କର ମୁଷ୍ଟିବଦ୍ଧ ଆଙ୍ଗୁଳିଗୁଡିକ ଥୋଇ ସମସ୍ତ ଚେହେରାରେ ଭୟାନକ ଗମ୍ଭୀରତା ଆଣି ଛିଡାହୋଇ ରହିଲେ ଏବଂ ଜଣାଇଲେ ଏଥର ସେ ବିଷୟଟି ଶୁଣିବାକୁ ରାଜି ଅଛନ୍ତି । ମୁଖପାତ୍ର ଜଣାଇଲେ ଆମେ ସେମାନଙ୍କୁ ଅନେକ ଭାବେ ବୁଝେଇଛୁ, ଆମ ସିଦ୍ଧାନ୍ତ ପୁନର୍ବିବେଚନା କରିବା ପାଇଁ, ଅନେକ ଆବେଦନ ନିବେଦନ କରିଛୁ ସେମାନଙ୍କ ନିକଟରେ । କିନ୍ତୁ କୌଣସି ଲାଭ ହୋଇନି । ଅତ୍ମପ୍ରବଂଚନାର ପକ୍ଷପାତୀ ନୁହନ୍ତି ସେମାନେ । ସେମାନେ ମରିବେ, କିନ୍ତୁ ଧର୍ମକୁ କଳୁଷିତ କରିବେ ନାହିଁ ।

ତ୍ରାଣକର୍ତ୍ତାଙ୍କ ମୁଖମଣ୍ଡଳ ଅକସ୍ମାତ ମେଘାଚ୍ଛନ୍ନ ହୋଇଗଲା । କିନ୍ତୁ ତଥାପି କିଛିହିଁ ଉଚ୍ଚାରିତ ହେଲାନାହିଁ ତାଙ୍କ କଣ୍ଠରୁ । କିଛି ସମୟ ଚିନ୍ତାମଗ୍ନ ରହିଲେ ସେ । ତାପରେ କହିଲେ "ନା, ସେମାନଙ୍କୁ ସମସ୍ତଙ୍କୁ ମରିବାକୁ ହେବନି । ସେମାନଙ୍କ ଭାଗ୍ୟ ପରୀକ୍ଷା ନିଆଯିବ ।" ସମସ୍ତ ଅଦାଲତ ମଧ୍ୟରେ ଏକ କୃତଜ୍ଞତାର ଆଭା ଉଜ୍ଜଳ ହୋଇ ଉଠିଲା । ଜେନେରାଲ ପୁଣି କହିଲେ, "ସେମାନଙ୍କୁ ଡାକ । କାନ୍ଥ ଆଡକୁ ମୁହଁ କରି ସେମାନଙ୍କୁ ପାଖାପାଖି ଛିଡା ହେବାକୁ ଆଦେଶ ଦିଅ । ଆଉ ସେମାନଙ୍କ ହାତ ଗୁଡିକୁ ପିଠିପଟେ ଛନ୍ଦି ବାନ୍ଧି ରଖ । ପରିଶେଷରେ ମୋତେ ଖବର ଦିଅ ଯଦ୍ୱାରା ମୁଁ ସେମାନଙ୍କୁ ସେହି ଅବସ୍ଥାରେ ଦେଖିବାକୁ ପାଏ । "

ସମସ୍ତେ ଚାଲିଯିବା ପରେ ଜେନେରାଲ ବସି ପଡ଼ିଲେ । ସଙ୍ଗେ ସଙ୍ଗେ ଜଣେ ପ୍ରହରୀକୁ ଡାକି ଆଦେଶ ଦେଲେ "ଯାଅ, ପଥମଧ୍ୟରେ ପ୍ରଥମ ଯେଉଁ ଶିଶୁକୁ ଦେଖିବ, ତାକୁ ମୋ ନିକଟକୁ ନେଇ ଆସ" ।

ପ୍ରହରୀକୁ କିନ୍ତୁ ବେଶୀ ଦୂରକୁ ଯିବାକୁ ପଡ଼ିଲାନି । ଚୁନାଚୁନା ବରଫ କଣାରେ ଆଚ୍ଛନ୍ନ ପୋଷାକରେ ଆବୃତ ଛୋଟ ଆବିକୁ ଗୋଟିଏ ହାତରେ ଧରି ସଙ୍ଗେ ସଙ୍ଗେ ଫେରି ଆସିଲା । ଆବି ସିଧା ଚାଲି ଗଲା ସେଇ ରାଷ୍ଟ୍ରପତିଙ୍କ ନିକଟକୁ, ଯାହାର ନାଁ ଶୁଣିବା ମାତ୍ରକେ ସାରା ପୃଥିବୀର ପ୍ରତିପତ୍ତିଶାଳୀ ଏବଂ କ୍ଷମତାବାନ ଵ୍ୟକ୍ତି ମାନେ ଭୟରେ ଥରିଉଠନ୍ତି । ଆବି ସିଧା ତାଙ୍କ କୋଳରେ ଯାଇ ବସିପଡ଼ି କହିଲା -

- ମୁଁ ଆପଣଙ୍କୁ ଜଣେ । ଆପଣ ରାଷ୍ଟ୍ରପତି, ଜେନେରାଲ । ଆମ ଘର ପାଖ ଦେଇ ଯିବାବେଳେ ମୁଁ ଆପଣଙ୍କୁ ଅନେକଥର ଦେଖିଛି। ସମସ୍ତେ କିନ୍ତୁ ଆପଣଙ୍କୁ ଦେଖି ଖୁବ ଡରନ୍ତି । ମୋତେ କିନ୍ତୁ ଟିକେ ବି ଡର ମାଡ଼େନା । କାରଣ ଆପଣ କେବେ ମୋ ଆଡ଼କୁ ମୁହାଁମୁହିଁ ଦେଖିନାହାନ୍ତି । ମୋର ସେ ଲାଲ୍ ଫ୍ରକ୍ ଟା ମନେ ଅଛି ଆପଣଙ୍କର? ଫ୍ରକ୍ ଟାର ତଳ ଭାଗଟା ନୀଳ, ମନେ ପଡ଼ୁନି? ହଠାତ୍ ଜେନେରାଲଙ୍କ ମୁହଁରେ ସ୍ମିତ ହସ ଉକୁଟି ଉଠିଲା, ଯାହା ତାଙ୍କ ମୁଖମଣ୍ଡଳର ରୁକ୍ଷତା କିଛି ପରିମାଣରେ କମ୍ କଲା । ତଥାପି ସେ ବିଜ୍ଞ ରାଜନୈତିକ ଭଳି ଉତ୍ତର ଦେବାକୁ ଚେଷ୍ଟା କରୁଥିଲେ..

- କିନ୍ତୁ ମୁଁ ତ...

- ଆମ ଘର ସାମ୍ନାରେ ମୁଁ ଛିଡ଼ା ହୋଇଥିଲି । ଆମ ଘର ବି ମନେ ପଡ଼ୁନି?

- ମୋର ଲଜ୍ଜା ଅନୁଭବ କରିବା ଉଚିତ୍ । କିନ୍ତୁ କଥା କଣ କି ମା'....

କୁନି ଝିଅ ଆବି ଏଥର ତିରସ୍କାର କରି ଜେନେରାଲଙ୍କୁ କହିବାରେ ବାଧା ଦେଲା ।

- ଆଚ୍ଛା, ଆପଣଙ୍କର ତେବେ କିଛି ହିଁ ମନେ ନାହିଁ!! ମୋର କିନ୍ତୁ ସବୁ ମନେ ଅଛି ।

- ମୁଁ ସତରେ ଖୁବ୍ ଲଜ୍ଜିତ, ମୁଁ ସତ କହୁଛି ମା' । ମୁଁ ଜାଣେ ଏଥର ତୁମେ ମୋତେ ନିଶ୍ଚିତ ଭାବେ କ୍ଷମା କରିବ । ମୋତେ ତୁମ ବନ୍ଧୁ ହିସାବରେ ଗ୍ରହଣ କରିବ ଚିରଦିନ ପାଇଁ ।

- ନିଶ୍ଚୟ, ମୁଁ କ୍ଷମା କରିବି । କିନ୍ତୁ ମୁଁ ବୁଝିପାରୁନି କେମିତି ଆପଣ ସବୁକିଛି ଭୁଲିଗଲେ । ମୋତେ ଲାଗୁଛି, ଆପଣ କିଛି ମନେ ରଖି ପାରନ୍ତି ନାହିଁ । ମୁଁ ବି ବେଳେବେଳେ କିଛି କିଛି ଭୁଲିଯାଏ । ମୁଁ ଆପଣଙ୍କୁ କ୍ଷମା କରିବି କାରଣ ଆପଣ ବହୁତ୍ ଭଲ ଏବଂ ଦୟାଳୁ । ଆଚ୍ଛା ଆପଣ ମୋତେ ଭଲ ଭାବେ କୋଳ କରୁ ନାହାନ୍ତି କଣ ପାଇଁ, ଠିକ୍ ଯେମିତି ମୋ ପାପା ଟାଣିନିଅନ୍ତି । ଉଃ, ବାହାରେ କି ଭିଷଣ ଥଣ୍ଡା ।

- "ମୋ ଗେହ୍ଲା ଝିଅ । ମୁଁ ତୋତେ ନିଶ୍ଚୟ ମୋ ଛାତିରେ ଜାବୁଡ଼ି ଧରିବି । କିନ୍ତୁ ତୁ ମୋ କୁନି ସାଙ୍ଗ ହେବୁ ତ!" ଆର୍ଦ୍ରକଣ୍ଠରେ ଏତକ କହି ଆବିକୁ ନିଜ କୋଳକୁ ଟାଣିନେଲେ ଜେନେରାଲଙ୍କ । କଣ୍ଠରୋଧ ହୋଇ ଆସୁଥିଲା ଜେନେରାଲଙ୍କର । କହିଲେ -

- ଜାଣିଛୁ ମା ଠିକ୍ ତୋରି ପରି ଛୋଟ ଝିଅଟିଏ ମୋର ଥିଲା । ଅବଶ୍ୟ ଏତେ ବେଳକୁ ସେ ଆଉ ଅନେକ ବଡ଼ ହୋଇଯାଇଥାନ୍ତା । କିନ୍ତୁ ସେ ଠିକ୍ ତୋରି ପରି ମିଠା ଆଉ ମୋର ଗେହ୍ଲା ଥିଲା । ସେ ଠିକ୍ ତୋରି ପରି ସୁନ୍ଦର ଥିଲା, ଛୋଟ ପରୀଟିଏ ପରି । ଶତ୍ରୁ ମିତ୍ର ସମସ୍ତଙ୍କ ଉପରେ ଅଦ୍ଭୁତ ବିଶ୍ୱବିଜୟୀ ଆକର୍ଷଣ ଥିଲା ତାର । ମୋ ଦୁଇ ବାହୁର ବେଷ୍ଟନୀରେ ଶୋଇ ରହୁଥିଲା, ଠିକ୍ ଯେମିତି ତୁ ଅଛୁ ଏବେ ।ସେ ମୋ ହୃଦୟକୁ ଆନନ୍ଦରେ ଆପ୍ଳୁତ କରି ରଖୁଥିଲା ଠିକ୍ ଯେମିତି ତୁ ଏବେ ମୋ ହୃଦୟକୁ ଆନନ୍ଦରେ ଭରି ଦେଇଛୁ । ଆମେ ସାଙ୍ଗ ଥିଲୁ, ମୁଁ ତାର ଖେଳ ସାଥୀ ଥିଲି । ସେ ମୋତେ ହୁକୁମ୍ କରୁଥିଲା, ଆଉ ମୁଁ ତା ଆଦେଶ ପାଳନ କରୁଥିଲି । ଏ ସବୁ ଅନେକ ଆଗର କଥା । ଅନେକ ପୁରୁଣା କଥା । କେଜାଣେ କେଉଁଠି, କେଉଁ ସ୍ଵର୍ଗରେ ସବୁ କିଛି ହଜିଗଲା । କିନ୍ତୁ ଏତେ ଦିନ ପରେ ତୁ ପୁଣି ସବୁ ଫେରେଇ ଆଣିଲୁ ।

- ଆଃ, ତୁମେ କେତେ ସୁନ୍ଦର! ତୁମେ ମୋତେ ଗୋଟେ ଚୁମା ଦେବ ।

- ନିଶ୍ଚିତ ମା' ଏଇଟା ତୋ ପାଇଁ ଆଉ ଏଇଟା ତା ପାଇଁ । କିନ୍ତୁ ମା ତୁ ମୋତେ ଅନୁରୋଧ କାହିଁକି କରୁଛୁ ମା' ! ମୋତେ ହୁକୁମ୍ ଦେ ଠିକ୍ ସେ ଯେମିତି ଦେଉଥିଲା । ତୁ ଯଦି ମୋତେ ଆଦେଶ ଦେଇଥାନ୍ତୁ ମୁଁ ନିଶ୍ଚୟ ରୂପେ ତାହା ପାଳନ କରିଥାନ୍ତି ।

ଏକଥା ଶୁଣି କୁନି ଝିଅ ଆବି ଖୁସିରେ ହାତତାଳି ଦେଇ ଉଟିଲା । ଟିକେ ପରେ ଶୁଣାଗଲା ସୈନିକ ମାନଙ୍କର ସମବେତ ପାଦଶବ୍ଦ ।

- ସୈନିକ, ସୈନିକ । ମୁଁ ସୈନିକ ଦେଖିବି ।

- ନିଶ୍ଚୟ ଦେଖିବୁ ମା' । କିନ୍ତୁ ଟିକେ ଅପେକ୍ଷା କର । ମୁଁ ତୋ ପାଇଁ ଗୋଟେ ଜିନିଷ ଆଣିଛି । ଏଇଟା ତୁ ନେ ।

ସହସା ଜଣେ ଅଫିସର ପ୍ରବେଶ କଲେ । ଇଷତ୍ ମଥାନତ କରି କହିଲେ "ଧର୍ମାବତାର, ସେମାନେ ଆସିଛନ୍ତି" । ପୁଣି ମଥାନତ କରି ପ୍ରସ୍ଥାନ କଲେ ।

ରାଷ୍ଟ୍ରପତି ଆବିକୁ ତିନୋଟି ନିବୁଜ ବାକ୍ସ ଦେଲେ । ସେଥିରୁ ଦୁଇଟି ଧଳା ଏବଂ ଗୋଟିଏ ଲାଲ୍ । ଲାଲ୍ ବାକ୍ସ ଯେଉଁ କର୍ଣ୍ଣେଲ ପାଇବେ ତାଙ୍କୁ ମୃତ୍ଯୁବରଣ କରିବାକୁ ହେବ ।

- କି ସୁନ୍ଦର ଲାଲ୍ ବାକ୍ସ । ଏସବୁ କଣ ମୋ ପାଇଁ?

- ନା ମା' ଏସବୁ ଅନ୍ୟ ମାନଙ୍କ ପାଇଁ । ସେଇ ପରଦା ଆଡ଼େଇ ଭିତରକୁ ଯା । ପରଦା ସେପଟେ ଗୋଟେ ଛୋଟ ଦୁଆର ଅଛି । ସେଇ ଦୁଆର ଖୋଲି ଭିତରକୁ ଯିବୁ । ସେଠି ତିନି ଜଣ କାନ୍ଥ ଆଡକୁ ମୁହଁ କରି ଛିଡ଼ା ହୋଇଥିବେ । ସେମାନଙ୍କ ହାତ ପଛପଟେ ବନ୍ଧା ହୋଇଥିବ । କିନ୍ତୁ ସେମାନଙ୍କ ପାପୁଲି ଖୋଲା ଥିବ ଠିକ୍ ପିଆଲା ପରି । ଏଥିରୁ ଗୋଟିଏ ଲେଖାଏଁ ସେମାନଙ୍କ ହାତରେ ଦେଇ ମୋ ପାଖକୁ ଫେରି ଆସିବୁ ।

ରାଷ୍ଟ୍ରପତିଙ୍କୁ ଏକା ଛାଡ଼ି ମୁହୁର୍ତ୍ତକରେ ଛୋଟ ଆବି ପରଦା ପଛପଟେ ଅଦୃଶ୍ୟ ହୋଇଗଲା । ଆବି ଛୋଟ ପରୀଟିଏ ପରି ପରଦା ଆଡ଼େଇ ଭିତରକୁ ପ୍ରବେଶ କରି ମୁହୂର୍ତ୍ତେ ପାଇଁ ଛିଡ଼ା ହୋଇ ରହିଲା । ଖୁବ୍ ସନ୍ତର୍ପଣରେ ଅଦମ୍ୟ କୌତୁହଳର ସହ ସେ ଛିଡ଼ା ହୋଇଥିବା ସ୍ଥାଣୁ ଶରୀର ଗୁଡ଼ିକୁ ନିରିକ୍ଷଣ କରିବାକୁ ଲାଗିଲା । ସହସା ତାର ମୁଖମଣ୍ଡଳ ଏକ ଅପୂର୍ବ ଆଭାରେ ଉଜ୍ଜଳ ଦିଶିଲା । ଅସୀମ ଆନନ୍ଦରେ ଅଧୀର ହୋଇ ସେ ମନକୁ ମନ କହିବାକୁ ଲାଗିଲା, କି ଆଶ୍ଚର୍ଯ୍ୟ! ଏମାନଙ୍କ ମଧ୍ୟରେ ପାପା ବି ଅଛନ୍ତି । ହେଇ ତ' ତାଙ୍କ ପିଠି, ସବୁଠାରୁ ସୁନ୍ଦର ପିଠି । ଅଧୀର ଆନନ୍ଦରେ ସେ ଆଗେଇ ଗଲା ନିଜ ପିତାଙ୍କ ନିକଟକୁ । ନିବୁଜ ବାକ୍ସ ଗୁଡ଼ିକୁ ଖୋଲା ହାତରେ ଗୁଡ଼ିକରେ ଦେଇ ନିଜ ପିତାଙ୍କ ମୁହଁକୁ ଚାହିଁଲା ଏବଂ ଆନନ୍ଦର ସହିତ ଚିତ୍କାର କରି କହିଲା -

- ପାପା, ପାପା... ଦେଖ ମୁଁ କଣ ଦେଇଛି । ଏଇଟା ମୁଁ ତୁମ ପାଇଁ ଆଣିଛି ।

କର୍ଣ୍ଣେଲ ଏଥର ନିଜ ହାତରେ ଥିବା ସେଇ ଭୟାବହ ଛୋଟ ବାକ୍ସଟି ଆଡ଼େ ଦେଖିଲେ । ତାପରେ ନିଜ ଛୋଟ ନିଷ୍ପାପ ହତ୍ୟାକାରୀକୁ କୋଳକୁ ଟାଣିନେଇ ନିଜ ଛାତିରେ ଜାବୁଡ଼ି ଧରିଲେ । ଆଦର, ଆଶଙ୍କା ଏବଂ ସହାନୁଭୂତିରେ ତାଙ୍କର ସର୍ବାଙ୍ଗ କମ୍ପି ଉଠିଲା । ସମସ୍ତ ସୈନିକ, ସାମରିକ ଅଫିସର, ମୁକ୍ତ କଏଦୀ ନିର୍ବାକ୍ ହୋଇ ଛିଡ଼ା ହୋଇ ରହିଲେ ଏହି କରୁଣ ମର୍ମାନ୍ତିକ ଦୃଶ୍ଯର ପରିବ୍ୟାପ୍ତି ଦେଖି । ସେମାନେ ହୃଦୟ ଏଭଳି କରୁଣ ପରିସ୍ଥିତିରେ ସହାନୁଭୂତିରେ ଭରି ଉଠିଲା । ଅଶ୍ରୁଧାରା ବହିବାକୁ ଲାଗିଲା ସେମାନଙ୍କ ଆଖିରୁ । କିଛି ମୁହୂର୍ତ୍ତ ନିମନ୍ତେ ଏକ ଗଭୀର ଅବିସ୍ମରଣୀୟ ଭକ୍ତିପ୍ଳୁତ ସ୍ତବ୍ଧତା ଆଛନ୍ନ କରି ରଖିଥିଲା ସେମାନଙ୍କୁ । ତାପରେ ପ୍ରହରାରତ ସାମରିକ ଅଫିସର ଜଣକ ନିଜ ଅନିଚ୍ଛା ସତ୍ତ୍ବେ ଆଗେଇ ଗଲେ କର୍ଣ୍ଣେଲଙ୍କ ନିକଟକୁ । ତାଙ୍କ କାନ୍ଧରେ ହାତ ରଖି କହିଲେ -

- ଦୁଃଖ ମୋତେ ମଧ୍ଯ ଆଛନ୍ନ କରି ରଖିଛି ଠିକ୍ କିନ୍ତୁ ମୋତେ ମୋର କର୍ତ୍ତବ୍ୟ ପାଳନ କରିବା ପାଇଁ ପଡ଼ିବ । ମୋତେ ଯେ ଆଦେଶ....

- କର୍ତ୍ତବ୍ୟ! କି କର୍ତ୍ତବ୍ଯ? କହିଲା ଛୋଟ ଆବି ।

- ତାଙ୍କୁ ନେଇ ଯିବାକୁ ପଡ଼ିବ । ମୁଁ ଦୁଃଖିତ ।

- ନେଇ ଯିବାକୁ ପଡ଼ିବ? କୁଆଡ଼େ?

- ହେ ପ୍ରଭୁ! ନେଇ ଯିବାକୁ ପଡ଼ିବ ଦୁର୍ଗର ସେପଟେ ।

- "ନା ନା । ତୁମେ ତାଙ୍କୁ ନେଇ ପାରିବ ନାହିଁ " ଚିତ୍କାର କରି କହିଲା ଆବି । ମୋ ମାଆଙ୍କ ଦେହ ଖୁବ୍ ଅସୁସ୍ଥ, ମୁଁ ତାଙ୍କୁ ଏଠାରୁ ନେବାକୁ ଆସିଛି ।

ଆବି ସହସା ଧାଇଁ ଯାଇ ନିଜ ପିତାଙ୍କ ପିଠି ଉପରକୁ ଉଠି ଗଳାକୁ ଜାବୁଡ଼ି ଧରି କହିଲା -ପାପା ମୁଁ ପ୍ରସ୍ତୁତ, ଚାଲ ଆମେ ଯିବା ।

- ନାଁ ରେ ମା' ମୋତେ ଯିବାକୁ ଦେବେନି । ମୋତେ ସେମାନଙ୍କ ସହ ଯିବାକୁ ହେବ ।

ଛୋଟ ଆବି ନିଜ ପିତାଙ୍କ ପିଠି ରୁ ଓହ୍ଲେଇ ଆସିଲା । ନିଜ ଚାରିପଟେ ଥରେ ନଜର ବୁଲାଇ ଆଣିଲା । ତା ପରେ ସେଇ ଅଫିସରଙ୍କ ସାମ୍ନାକୁ ଯାଇ କ୍ରୋଧ ଓ ଉତ୍ତେଜନାରେ ନିଜ ଦୁଇ କୁନି ପାଦ କଚାଡ଼ି କହିଲା,

- ତୁମକୁ ମୁଁ କହି ସାରିଛି, ମୋ ମାଆ ଖୁବ୍ ଅସୁସ୍ଥ । ତୁମର ସେଇଟା ବୁଜିବା ଉଚିତ୍ । ପାପାଙ୍କୁ ଯିବାକୁ ଦିଅ ।

- ଆହା ରେ କ୍ଷୁଦ୍ର ଶିଶୁ! ହେ ପ୍ରଭୁ! ଯଦି ମୁଁ ସେତକ କରି ପାରି ଥାଆନ୍ତି!

ତାପରେ ଅଫିସର ଜଣକ ପ୍ରହରୀ ସୈନିକ ମାନଙ୍କ ଉଦ୍ଦେଶ୍ୟରେ ଆଦେଶ ଭଙ୍ଗୀରେ କହିଲେ "ଆଟେନସନ୍" । ହଠାତ ଆବି ସେଠାରୁ ବିଜୁଳି ବେଗରେ ବାହାରି ଗଲା ଏବଂ କେଇ ମୁହୂର୍ତ୍ତ ମଧ୍ୟରେ ଫେରି ଆସିଲା । ନିଜର ଛୋଟ ହାତରେ ଧରି ରାଷ୍ଟ୍ରପତି ଜେନେରାଲଙ୍କୁ ଟାଣି ଟାଣି ନେଇ ଆସିଲା ସେଠାକୁ । ଏହି ଅବିଶ୍ୱାସ୍ଯ ଦୃଶ୍ଯ ଦେଖି ସମସ୍ତେ ସ୍ତମ୍ଭୀଭୂତ ହୋଇ ଛିଡ଼ା ହୋଇ ରହିଲେ । ସାମରିକ ଅଫିସର ମାନେ ଜେନେରାଲଙ୍କୁ ଅଭିବାଦନ ଜଣାଇଲେ । ଆବି ଏଥର ଜେନେରାଲଙ୍କୁ ଚାହିଁ କହିଲା,

- ତୁମେ ଏମାନଙ୍କୁ ଅଟକାଅ । ମୋ ମାଆ ଭୀଷଣ ଅସୁସ୍ଥ । ସେକଥା ମୁଁ ସେମାନଙ୍କୁ ଅନେକ ଥର କହିଛି କିନ୍ତୁ ସେମାନେ ମୋ କଥା ଶୁଣୁ ନାହାଁନ୍ତି । ସେମାନେ ପାପାଙ୍କୁ ନେଇଯିବାକୁ ଚାହୁଁଛନ୍ତି ।

ଜେନେରାଲ ହତବାକ୍ ହୋଇ ଛିଡ଼ା ହୋଇ ରହିଲେ । ତା ପରେ କହିଲେ,

- ତୁମ ପାପା? ସେ କଣ ତୁମ ପାପା?

- ହଁ ନିଶ୍ଚୟ । ଦେଖି ପାରୁନ ସେଇଥି ପାଇଁ ତ ମୁଁ ସବୁଠାରୁ ସୁନ୍ଦର ଲାଲ୍ ବାକ୍ସଟି ମୁଁ ତାଙ୍କୁ ହିଁ ଦେଇଛି ।

ଏକ ବେଦନାର୍ତ୍ତ ଅନୁଭୂତି ଜେନେରାଲଙ୍କ ମୁଖମଣ୍ଡଳରେ ଉକୁଟି ଉଠିଲା ।

- ହେ ଇଶ୍ୱର! ମୁଁ ୟେ କଣ କରିଛି! ମୁଁ ଯେଉଁ ନିଷ୍ଠୁରତମ କାର୍ଯ୍ୟ କରିଛି ତାହା କେବେ ଜଣେ ମଣିଷ କରିପାରେନା । ନିଶ୍ଚିତ ମୋ ବୁଦ୍ଧି ଶୈତାନ ଦ୍ବାରା ପରିଚାଳିତ ହେଉଛି ।

ଆବି ଏଥର ଅଧୈର୍ଯ୍ଯ ହୋଇ ଆର୍ତ୍ତସ୍ୱରରେ କହି ଉଠିଲା,

- ତେବେ କୁହନା ସେମାନଙ୍କୁ ମୋ ପାପାଙ୍କୁ ଛାଡ଼ି ଦେବାକୁ ।

କହି କଇଁ କଇଁ ହୋଇ କାନ୍ଦି ଉଠିଲା ଆବି ।

- ମୋ ପାପାଙ୍କୁ ଛାଡ଼ି ଦେବାକୁ କୁହ । ତୁମେ ହିଁ ତ ଟିକେ ଆଗରୁ କହିଥିଲ ତୁମକୁ ହୁକୁମ୍ କରିବାକୁ । ତାହେଲେ ଏବେ ମୁଁ ଯାହା କହୁଛି ତାହା କରୁନ କଣ ପାଇଁ?

ଏକ ନରମ ପ୍ରିତୀର ଆଲୋକରେ ସେଇ ବୃଦ୍ଧ ବିକ୍ଷତ ଚେହେରା ପ୍ରଥମ ଊଷାର ସ୍ୱର୍ଣ୍ଣିମ ଉଜ୍ଜ୍ବଳ ଆଭା ପରି ଉଛ୍ୱସିତ ହୋଇ ଉଠିଲା । ତା'ପରେ ସେ ଅଫିସର ମାନଙ୍କ ଉଦ୍ଦେଶ୍ୟରେ କହିଲେ,

- ତୁମେ ମାନେ ଏହାଙ୍କ ଆଦେଶ ପାଳନ କର । ବନ୍ଦୀର ଅପରାଧ କ୍ଷମା କରାଗଲା । ତାଙ୍କୁ ମୁକ୍ତ କରାଯାଉ ।

© ରାକେଶ ମିଶ୍ର


Rate this content
Log in

Similar oriya story from Drama