ଅସହାୟ
ଅସହାୟ
ବୁଢାଟିଏ,ବୁଢୀଟିଏ।ବୁଢାକୁ ଲାଗପାଟ ସତୁରୀ, ବୁଢୀକି ପଞ୍ଚଷଠି। ରାଜଧାନୀରେ ନିଜ ଘରେ ଜଗୁଆଳୀ ସେମାନେ ।ଜଗୁଆଳୀ ନୁହେଁ ତ ଆଉ କଣ?ପିଲାମାନେ ବାହାରେ।ବର୍ଷରେ ଥରେ ବି ଆସି ପାରନ୍ତିନି।ମାଟିକାମୁଡା ପ୍ରାଣୀ ଏ ସିନିଅର ସିଟିଜେନ୍ ଦୁଇଟି।ମାଟିକି ଛାଡି କୁଆଡେ ଯିବେନାହିଁ। ତିନିମହଲା କୋଠାରେ ମାମୁଁ-ମାଇଁ ଦି'ପ୍ରାଣୀ ଆତଯାତ।ତଳ ଘରଟି ଭଡା ଦିଆଯାଇଛି,କୋଉ ଗୋଟାଏ ଅଫିସକୁ।ସାଇ-ପଡିଶାଙ୍କ ସହ ଭଲ ସମ୍ପର୍କ, କିନ୍ତୁ ଭୁବନେଶ୍ବରିଆ ସାଇଭାଇ ତ ଦିନ ବେଳିଆ ବିଲୁଆ।ନିଜ ଗାତରୁ ସହଜେ ବାହାରନ୍ତିନି।
ସକାଳୁ କାମବାଲୀ ଘରକାମ ଶେଷ କରି ଗଲାପରେ ଗ୍ରୀଲ୍ ବନ୍ଦକରି,ବୁଢା-ବୁଢୀ ହଜି ଯାଆନ୍ତି ନିଜ ଦୁନିଆଁରେ,ମାନେ ହ୍ୱାଟସ୍ ଆପ୍/ ଫେସ୍ ବୁକ୍, ଯାହାକୁ ଆମେମାନେ 'ମୁଖ ପୁସ୍ତକ'ବୋଲି ଆଜିକାଲି କହୁଚେ।ମୁଖ-ପୁସ୍ତକରେ ହଜିଯିବାରେ ଅନେକ ଭଲକଥା ଅଛି,ଅନେକ ଭେଲ ମଧ୍ୟ ଅଛି।ଭଲକଥାଟି ହେଲା ସମୟ କେତେବେଳେ ପାଣିପରି ବହିଯାଏ ଜଣାପଡେନି।ଦୁଶ୍ଚିନ୍ତାରୁ ମନ ଦୂରେଇ ରହେ।ଅନେକ ବଂଧୁଙ୍କ ସହିତ ଭାବ ଆଦାନ-ପ୍ରଦାନ ହୁଏ,ମନ ପ୍ରଫୁଲ୍ଲିତ ରହେ।ସାହିତ୍ୟ ପଠନ,ପାଠନ ,ଆଲୋଚନା ମଧ୍ୟ ହୁଏ।
ଭେଲ କଥାଟି ହେଲା, ଫେସ୍ ବୁକ୍ ଲହସରେ ଚୁଲିରେ ବସିଥିବା ଖିର ଉତୁରିପଡେ,ଅନେକ ସମୟରେ ପୋଡିଯାଏ;ଛାତ ଟାଙ୍କି ପୂର୍ଣ୍ଣ ହୋଇ ଘଣ୍ଟା-ଘଣ୍ଟା ଧରି ପାଣି ଚାଲିଥାଏ,ବେଳେ ବେଳେ ଭାତ,ଡାଲି ଲାଗିଯାଏ,ଗାଧୁଆ ଓ ଦିଅଁପୂଜା ଡେରି ହେଇଯାଏ,ରକ୍ତଚାପ ଓ ଡାଇବେଟିକ୍ ଔଷଧ ଖାଇବା ବେଳ ଗଡିଯାଏ ଇତ୍ୟାଦି ଇତ୍ୟାଦି;ହଁ କୋଷ୍ଠକାଠିଣ୍ୟର ସମ୍ଭାବନା ମଧ୍ୟ ଥାଏ।ଏହାଛଡା ଆଖିଖରାପହେବା ତ ନିଶ୍ଚିତ ।
କିନ୍ତୁ ଏସବୁ ସତ୍ୱେ ଫେସ୍ ବୁକ୍ ବୁଢା-ବୁଢୀଙ୍କର ଅତି ପ୍ରିୟ ସମୟ ବିନୋଦକ,ଇଁରାଜୀରେ ଭାଷିଲେ 'favourite passtime'।ସବୁଠୁଁ ଭଲ କଥା ହେଲା,ଫେସ୍ ବୁକ୍ ର ସାନ୍ନିଧ୍ୟରେ ହଜିଯିବା ପରଠାରୁ ,ବାହାରୁ/ ବଜାରରୁ କିଣାଯାଉଥିବା ଅଦରକାରୀ ଜିନିଷର ପରମାଣ କମିଯାଇଛି; ଅଯଥା ଯୁକ୍ତି-ତର୍କ ଜନିତ ମୁହଁ ଫୁଲାଫୁଲି ମଧ୍ୟ କମିଛି। ଏହାଭିତରେ ଆଉସବୁ ଦୈନଦିନ କାମ ଯଥା ରନ୍ଧାବଢା,ଖିଆପିଆ,ଗୁଲିଗପ,ଅଯାଗା'ଘା'ଆଲୋଚନା,ଯୌଥ ପରିବାର ରାଜନୀତି ଇତ୍ୟାଦି ଚାଲିଥାଏ, ନିଜର ସାରଲ୍ୟ ସାବଲୀଳତା ରକ୍ଷାକରି।ଯେଉଁ ଦିନ ରୋଷେଇ ପାଇଁ ଇଚ୍ଛାନଥାଏ ହୋଟେଲରୁ ରୁଟି-ତରକାରୀ ଆସେ,ଚଳିଯାଏ ବିନ୍ଦାସ୍।
ବୁଢାକୁ ଦିନେ ସାହିତ୍ୟ ମଡେଇଲା।କୋଉ ଗୋଟେ ଦୂର ଯାଗାରେ ଆସରଟିଏ ଆୟୋଜିତ ହୋଇଥିଲା।ରାଜଧାନୀରେ ଆୟୋଜିତ ଆସର ଅପେକ୍ଷା ମଫସଲୀ ଆସରର ଗୁଣାତ୍ମକ ମୂଲ୍ୟ ଅଧିକ ।ସେଠାରେ ଅର୍ଥ ବିନିମୟରେ ମାନପତ୍ର ପ୍ରଦାନ କରାଯାଏ ନାହିଁ ।ସେଠାରେ ଆୟୋଜକ/ବହି ପ୍ରକାଶକ ଲେଖକକୁ ଲଣ୍ଡାକରି ,ପଚିଶ-ପଚାଶ ହଜାର ନେଇ ମାତ୍ର ଶହେଟି ବହିର ଲଲିପପ୍ ଦେଇ ଲେଖକକୁ ଭକୁଆ ବନାନ୍ତିନି।
ସେଠାରେ ସାହିତ୍ୟ ଆଲୋଚନା ହୁଏ,ପ୍ରଶସ୍ତିଗାନ ନୁହେଁ ଏବଂ ସେଠାରେ ଭାଗନେଉଥିବା ସାହିତ୍ୟିକର ପଇସାରେ ଆୟୋଜକ ମାଲାମାଲ୍ ହୁଏନାହିଁ ।ସେଠାରେ ଆୟୋଜକର ହାତରୁ ବେଶ୍ ବାଜେ।ସେପରି ବାଜିବାଟା ଆୟୋଜକକୁ ଆନନ୍ଦ ଦିଏ,ମରୁଭୂମିର ଓଟ ଯେପରି କଣ୍ଟା ଚୋବାଇ ଆନନ୍ଦ ପାଏ।
ସେଠାରେ 'କିଙ୍ଗ୍ ମେକର୍'ର ସ୍ଥାନ ନାହିଁ, ସେଠାରେ ସମସ୍ତେ କିଙ୍ଗ୍।କଥାଟା କୁଆଡୁ କୁଆଡେ ଗଲାଣି ଦେଖ !
ବୁଢାର ଗ୍ୟାରେଜରେ ସୁଦୃଶ୍ୟ ଗାଡିଟିଏ ଥିଲେ ମଧ୍ୟ, ଦୂରବାଟକୁ ଗାଡି ନିଜେ ଚଳାଇ ଯିବାପାଇଁ ଡର।ରାତି ହେଇଗଲେ ଗାଡି ଚଲାଇବା ତ ଏକରକମ ଅସମ୍ଭବ ବୁଢାପାଇଁ।ସିନିଅର ସିଟିଜେନଟିର ଏହା ଏକ ବିରାଟ ଅସହାୟତା,ଦିନବେଳେ ପାଞ୍ଚଶହ କିଲୋମିଟର ଗାଡି ଚଲାଇବାରେ ଅସୁବିଧା ନାହିଁ, କିନ୍ତୁ ରାତିରେ ପାଞ୍ଚଶହ ମିଟର୍ ବି ନୁହେଁ । ଶେଷରେ ବୁଢା ଅଟୋରିକ୍ସାରେ ସାହିତ୍ୟ ସଭାକୁ ବାହାରିଗଲା।ଅଟୋଟି ଚିହ୍ନାବାଲା,ଡର ନାହିଁ ।
ସଂଜ ହେଲା,ବୁଢା ଫେରିବାର ନାହିଁ ।ବୁଢୀ ମନ ଖୁଜୁରୁ ବୁଜୁରୁ।କୁଆଡେ ଗଲା ବୁଢା।ମନକୁ ପାପ ଛୁଇଁଲା,ଗତ ସପ୍ତାହରେ ମହାନ୍ତି ବୁଢାବୁଢୀଙ୍କୁ ପ୍ରାତ-ଭ୍ରମଣ ସମୟରେ ପଛପଟୁ କାର୍ ଟିଏ କୁଟିଦେଇଛି।କୁହୁଡି ଏତେ ଥିଲା ଯେ ମୁହଁକୁ ମୁହଁ ଦେଖା ଯାଉନଥିଲା।ସମୟ ଖରାପ୍। ।ମିଷ୍ଟର୍ ଏବଂ ମିସେସ୍ ମହାନ୍ତିଙ୍କର ଦେହସାରା ଫ୍ରାକଚର୍।ଆପୋଲୋଲେ ପଢିଛନ୍ତି ।
ବୁଢୀ ଫୋନ୍ କଲା।ବୁଢାର ଫୋନ୍ ସୁଇଚ୍ ଅଫ୍।ଚାର୍ଜ ସରିଯାଇଛି ବୋଧେ।ଅଟୋବାଲାର ନମ୍ବରକୁ ଫୋନ୍ ଲଗେଇଲା,ସେଇଟା ମଧ୍ୟ ବନ୍ଦ୍।
ବୟାଳିଶ ବର୍ଷ ତଳର କଥା ବୁଢୀର ମନେ ପଡିଲା।ସହିଦ ନଗରରେ ଥାଆନ୍ତି ସେତେବେଳେ।ନୂଆ ଚାକିରୀ,ନୂଆ ସଂସାର।ଛୋଟିଆ କାନି।ବଖରିକିଆ ଘରଟିଏ ନେଇ ରହିଥାଆନ୍ତି ।ପାଖ ପଡୋଶୀ ମଧ୍ୟ ଛୋଟିଆ କାନି ବାଲା।
ସଂଜବେଳେ ସବୁଦିନ ପାଖ-ପଡୋଶୀ ଝିଅବୋହୂ ଏକାଠିହୋଇ ଗପସପ କରନ୍ତି।ଦିନେ ବୁଢା(ସେ'ବେଳର ଟୋକା)ଅଫିସ୍ ରୁ ଫେରିବାରେ ଡେରି ହେଲା।ସଂଜଗଡି ରାତି ହେଲା।ସାଇକେଲ ପେଲି ପେଲି ଯାଇଚି ବୁଢା(ସେବର ଟୋକା)।ଜଣେ ପଡୋଶୀ ମହିଳା କହିଲେ 'କଣ ଭରସା ଅଛି ଆଜିକାଲି,ଘରକୁ ଫେରିବାଯାଏ ଭରସା ନାହିଁ ।ହେଇ ଦେଖୁନ କାଲି କେମିତି ରୂପାଲୀ ଛକରେ ସାଇକଲବାଲା ଉପରେ ଟାଉନ୍ ବସ୍ ଚଢିଗଲା,ମୁଣ୍ଡଟି ବସ୍ ତଳେ ଛତୁ ହେଇଗଲା-ଇସ୍ ମାଁ କି ରକ୍ତ !ଲୋକଟାର ମୁଣ୍ଡରଦହି ଆଉ ରକ୍ତରେ ରାସ୍ତାଟା ପୁରା ଲାଲ୍।ଇସ୍ କି ଦୃଶ୍ୟ ଲୋ ମା !"
ଏଇ କେଇପଦ କଥା ତା ମନକୁ ଚହଲେଇ ଦେଲା।କେତେ ଦୁଶ୍ଚିନ୍ତା ମାଡିବସିଲା।ଦୁଶ୍ଚିନ୍ତା ରାଜ୍ୟରେ ବୁଲୁବୁଲୁ ନିଜ ସ୍ୱାମୀକୁ ସେହି ବର୍ଣ୍ଣିତ ମୃତବ୍ୟକ୍ତି ଭିତରେ ମନ ତାର ଠାବକଲା।କ'ଣ କରିବ?ଉପାୟନାହିଁ।ଆଜିକାଲିଭଳି ସେ ସମୟରେ ମୋବାଇଲ୍ ନଥିଲା।ନିଜ ସ୍ୱାମୀର ଦୟନୀୟ ଅବସ୍ଥା ଚିନ୍ତାକରି ଆଖିରୁ ଲୁହ ବାହାରି ଆସିଲା।ଏହି ସମୟରେ ଅନେକ ପ୍ରତୀକ୍ଷାର ଅବସାନ ଘଟାଇ ସାଇକେଲ ଆରୋହୀ ସ୍ୱାମୀ ଘରେ ପହଞ୍ଚିଲା।ମଲାମଣିଷଟି ଫେରିଆସିଲାପରି ଲାଗିଥିଲା ସେ'ଦିନ।
ଆଜି ବାର୍ଦ୍ଧକ୍ୟର ଅସହାୟତା ସେପରି କିଛି ଏକ ଭାବନାକୁ ଜନ୍ମ ଦେଇଛି ମହିଳା-ସିନିଅର ସିଟିଜେନଟିର।କଣ କରାଯିବ,ଉପାୟ ନାହିଁ । ଆଃ ! ଶେଷରେ ବୁଢା ରାତି ଆଠଟାକୁ ପହଞ୍ଚିଲା।ବୁଢୀର ଦେହରେ ଜୀବନ ପଶିଲା।ସେତେବେଳକୁ କିନ୍ତୁ ହିନ୍ଦୀ ସିରିଆଲ୍ ର ଗୋଟିଏ ଏପିସୋଡ୍ ମାଡ ଖାଇ ଯାଇଥିଲା।