Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Parida

Drama Action Inspirational

4  

Lopamudra Parida

Drama Action Inspirational

ଜଶୋଦା

ଜଶୋଦା

6 mins
240


ଦେଖା ସୁନ୍ଦର ସହ କୃଷ୍ଣ କଳା କୁଟିକୁଟି ବିଧାତା ଖଞ୍ଜା କରିଥିଲା ବୋଲି କି କଣ ତା' ଜେଜୀ ତା ନାଁ ଦେଇଥିଲା ମନୋହର ।ଜନ୍ମାଷ୍ଟମୀ ଆଠଦିନେ ଅମେଇସିଆକୁ ଆକାଶ ଫଟା ମେଘ ସହ ସିଏ ମାଟିଛୁଇଁ ଥିଲା ଆଉ ତା 'ମା ଆକାଶରେ ତାରା ହେଇ ଫୁଟିଲା ସେଇଦିନୁ ।ଜେଜୀ କୋଳରେ ବଢିଲା ଯେ ମା ନାହିଁ ବୋଲି କମ ହୀନସ୍ତା ! ସାଥୀପିଲା ଯେତେକ ଅହନ୍ତା କାଢିଲେ, ଛେଉଣ୍ଡ ଡାକିଲେ ।ସିଏ କିନ୍ତୁ ସ୍ନେହରଙ୍କୁଣାଟି ।କିଏ ଟୋପା ଆଉଁସି ଦେଇଥିବ କି ନାଇଁ ସେଇଠି ହାମୁଡିଥିବ ,ସେଲାଗି ଦୟା କରନ୍ତି ଥୋକେ ।ଆହା ଚୁ ଚୁ ଶୁଭେ ମାଇପି ମହଲେ ...... ବିଚରା ସ୍ନେହକାଙ୍ଗାଳଟେ ଲୋ ।ସିଏ ତାର ଏ କାନକଟା କଥା ସବୁ ଏକାନେ ପୁରେଇ ସେ କାନେ କାଢେ, ଜେଜୀ ପଣତେ ଗୁଞି ଗେଞି ଶୋଇପଡେ ।ଜେଜୀର ଶୁଖିଲା ଥନରେ ମା କୁ ଝୁରେ ।ଏଇମିତି ଏଇମିତି କାଳ କଟିଲା, ମନୁଆ ଟା ଗଜାରୁ ଭେଣ୍ଡା ସାଜିଲା ସିନା ହେଲେ ନିର୍ମାୟା ଟିଏ ରହିଲା ଯାହା ।


ଗାଁ କଥା ।ଆମ ଘର କିଏ ,ତମ ଘର କିଏ ? ଗାଁ ଟା ଯାକ ତ କୁଟୁମ୍ବ ।ଯାହାଠି ଟିକେ ଆରେଇଲ ସେଇଟି ଆବୁରେଇ ହେଇଯାଏ ଆପେ ।କିଏ କଣ ଧରେ ସେ କଥା କୁ ? ନା ।ସଭିଏଁ ଆପଣାର ପରା ।


ସେଇ ପିଲାଦିନୁ ପାଖଘର ନହକା ତନୁପାତେଳୀ ଫୁସଲି ଟା ଖେଳ ସାଥୀ ହେଇ ବୋହୁବୋହୁକା ଖେଳୁଖେଳୁ କେବେ ତା ମନରେ ବି ଫୁଲ ହେଇ ଫୁଟିସାରିଥିଲା ।ସେଇଟି ବି ହୀନକପାଳି ବାପକୁ ହରେଇଥିଲା ପିଲାଦିନୁ ।ଚକରପାଣି ଯୋଗାକେ ଦିହେଁ ରାଜିରୁଜାକୁ ଘରେ ବି ହାମି ଭରିଲେ ।କଇଁ _ଚନ୍ଦ୍ରମା ,ପଦୁଅଁ _ ସରସୀ ପରି ହସିଖେଳି ମାସ ଚାରି ନ ପୁରୁଣୁ କି ହଳଦିଆ ବ୍ଯାଧୀ ଗୋଟା ଧଇଲା ଯେ ଫୁସଲି ଟା ପୁରା ଏକୋଇଶି ଦିନିଯାଏ ବେକେରେ ମନ୍ତୁରା କୁଟା ବାନ୍ଧି ଏକାମୁହାଁ କଣଘରଟାରେ ପଇଲା ହେଲେ ଛାତି ଫଟେଇ ଚନ୍ଦ୍ରଉଦିଆ ବୋହୁପିଲା ଟା ସଟ୍ କି କେଡେ ବାଗରେ ଜୀବନ ହାତୁ ଖସିଗଲା କେହି କଳିପାରିଲେନି । ତା ହାତ ବୁଣା ମଫଲର, ଝୋଟି, ମୁରୁଜ, ଚିତା, ପିଠାପିଠି ଶ୍ରୀ ଭରି ଆଣୁଥିବା ଘରଟାରେ କିଏ ଯେମିତି କଳାକନା ବୁଲେଇନେଲା ।

ଜେଜୀଟା ହାଁ କରି ଚାରିଦିନ ପଡିଲା, ଛୋବ ଖାଇଗଲା ପରି ଘଡିକି ଘଡିକି ହେଇ ପୂରୁବ ପୁରୁଷ ମାଟି ମଟାଳ ସମସ୍ତଙ୍କୁ ସମ୍ପିଲା ଯେ ସମ୍ପିଲା ଶେଷକୁ ଫୁସଲି ର ଦଶକର୍ମ କୁ ରୋକେଇ ନିଜେ କୋକେଇରେ ନିଜ କର୍ମ _କର୍ମାଣୀ ବୁହେଇ ଗାଁ ମୁଣ୍ଡ ବିଲୁଆପଦାରେ ଫିସ୍ କି ଜଳିଗଲା ।ମନୁଆ ଟା ତ ମୁକ ପାଲଟିଥିଲା। ସିଏ ତା ବାପା ଯାହାର କ୍ଷେମକୋଷ ଟା ପଥରଗଢା କି କଣ ଧୈର୍ଯ୍ଯ ମାଟିକୁ କାମୁଡି ତାକୁ ଝାଡିଝୁଡି ଉଠେଇ ପେଜ ମୁନ୍ଦେ ପେଇ ସାଷ୍ଠାମ କରେଇଲା ଜାଣି ..... ନହେଲେ ସିଏ ସେ ଝାମ୍ପୁରୀ ବରଗଛ ମୁଳୁ ଆସୁଥିଲାକି ଆଗ ।ନା ।ସେଇଠି ପରା ଅହର୍ନିଶି ମୋ ଜେଜୀ ଲୋ ,ମୋ ଫୁସା ଲୋ .... ରଡି ରଡି ତଣ୍ଟି ପାଟି ଅଠା ପକେଇଥିଲା ।


ହାଣ୍ଡି ମାଙ୍କଡଚିତ୍ ମାରିବା କୋଉ ନୂଆ କଥା ଯେ ମାଇପିଲା ନଥିବା ଘରେ ! ଏଥିରେ କି ଅଚରଜ ଭଲା! କେତେ ଆଉ ଗାଁ ଏଘର ସେଘର କରି ତିନିଓଳି ଚଳେଇବେ କହୁନ ବାପ ପୁଅଙ୍କୁ ? ଶୁଭାକାଂକ୍ଷୀ ସବୁ ବତେଇଲେ, ଦେ ପୁଅକୁ ଆଉ ଥରେ ଦିହାତ କରା ରେ ବିଶନ ।ଆଉ କେତେ ଦିନ ଏମିତି ହୀନିମାନିଆ ଜୀଇଁବ ଭଲା?


ମନୁଆ ଟା ତ ଜୀଗର କରି ବସିଥିଲା, ଆଉ ନୁହେଁ ।ଜମା ନୁହେଁ ।ମୋ ଫୁସଲି ପବନରେ ଅଛି, ପାଣିରେ ଅଛି, କୁଆଡେ ଯାଇନି ସିଏ..... କୁଆଡେ ଯାଇନି ।କେତେ କିଏ ବୁଝେଇଲେ, ହେଲାନି ।ବାପ ଖାଇବା ତ୍ଯାଗୀଲାରୁ ଆଉ ଉପାୟ ଜୁଟିଲାନି, ବୁଦ୍ଧି ବାଟ ଦୁଶିଲାନି ।କାନ୍ଦୁଣୁମାନ୍ଦୁଣୁ ହେଇ 'ହଁ 'କଲା ।


କାନକୁ କାନ କଥା ଗୋଟେ ନୁହେଁ ତ,ସତେ କି ଗୁମର ଗୋଟେ ପାଖୁଡା ମେଲୁଥିଲା ଯେ ମନୁଆ ଟା ଅମେଇସିଆ ପିଲା ।ଅନ୍ତଫାଡି ମାଟିରେ ପାଦ ଦେଇ ମା କୁ ଖାଇଲା, ହେଇ ପୁଆଣି ଯାଇନି ଭୁଆସୁଣୀ ଫୁଲମିତି କନିଆ ଟି ଝରିଗଲା ।କିଏସେ ଝିଅ ଦବ ଲୋ ୟାକୁ ।ଗୁମର ସିନା, ହେଲେ ମନରେ ତ ଲୁଚିକିରି ଡରଗଣ୍ଠି ଟେ ପଡିଲା ନା ।


କେତେ ଖୋଜାଖୋଜିରେ ଦୋଭେଇ ରେ କନିଆ ଦବାକୁ ବାଳୁତ କାଳୁ ଅଦେଖା ବର ନାଗି ପାଣିକାଚ ଭାଙ୍ଗିଥିବା ଝୁଅର ବାପଟିଏ ରାଜି ହେଲା ।ହଉ କୂଳରେ ନାଗିଯାଉ, ପାହାଡମିତି ଜୀବନ.... ସଜକଇଁ ପରି ଦେହ ..... ଡାହାଳିଆ ଆଖି ମାଡି ମାଡି ଚାରିକଡେ ..... କେତେ ବଞ୍ଚେଇବ ଆଉ କେମିତି ?ହଉ ପଛେ ଦିତିଅପକ୍ଷ, ସୁରକ୍ଷା ରେ ରହୁ ,କାଚ ବଜର ହଉ ଝରଣାର।


ବାଆ ବଢିଲେ, ନାଆ ଦୋହଲେ ।

ମାଝିରେ ..... ଏ ଏ ଏ ..... ବାଆ ଦୋହଲାଏ ଦିଆ ।


ମଲାମାଛ ପରି ଘରବାଡି ମଲାଜହ୍ନ ପରି କନିଆ ର ହାତ ପରଶରେ ନେଳୀ ବୁଲିଆସିଆକୁ ବେଶୀ ସମୟ ନେଲାନି ।ଝୁଅପିଲା ପରା,ଶ୍ରୀମନ୍ତ ।ଯେଣେ ଗଲେ ସେଣେ ସଜାଡି ନେବେ ।ୟା ନା ତ ପୁଣି ଝରଣା ।ଝରକା ଦେଇ ଖାଲି ଝର, ଝରି ଲୋ ବୋଲି ଖଞ୍ଜା କମ୍ପିଲା ।


ଚାହୁଁ ଚାହୁଁ ବରଷ ଦୁଇ ଗଡି ତିନି କୁ ବାଟେଇଲାଣି, ହେଲେ କୁଆଁ ନା ମୁଆଁ ! ଆଣ୍ଠକୁଡି ଟା କିଲୋ? ତାର ଯୋଗ ଥାନ୍ତା ଯଦି ବାଳୁତ କାଳୁ କିଆଁ ପୋଛାସୁନ୍ଦର ହେଇ ବୁଲନ୍ତା ।


ଏ ଆଖି ଲୁହ ସେ ଆଖି ପିଏ ।ସକଳ ନିନ୍ଦା କୁ ଅଣ୍ଟିରେ ଜାକି ମଙ୍ଗଳା ଶରଣେ ଗଲାରୁ ଫି ବରଷ ଲାଗି ଲାଗି ତିନୋଟି କନ୍ଯାକୁସୁମ ଫୁଟିଲେ ।


ଦୁନିଆ ନିକିତି ରେ.... ଜୀବନ ଦରିଆ ।


ସେଇ ଲୋକେ ଆହା ଆହା କହୁଥିବେ, ତମେ ଟିକେ ଚେରେଇଲେ ହା ହୁତାଶେ ପାଉଁଶ ।


ମଣିଷ ହାଇ,ଗଛର ଛାଇ 

କେହି ନ ଉଧାଇ ।।


ସୁଖେ ଦୁଃଖେ ଚଳନ୍ତେ, ପୁଣି ଗାଁ ପୁନିଅପରବ,ପୂଜାଧ୍ବଜା କୁ ବାଟ ରୋକ ହେଲା ।କଥା କଣ ? ନା ହାଁ ପିଲା ବକଟେ ନାଇଁ, ଶଙ୍ଖୁଳିଗଲେ କି ଶୁଭେ ଗଣା? ଆ ଲୋ ଏ ଝି 'ମାନେ କଣ ପିଲାରେ ଗଣା ନୁହେଁ? 

ହ ,ଯେତେ ହେଲେ ପରଘରୀ ।ଝୁଅ ପିଲା କଣ ବଂଶ ବୋହିବେ ନା ନିଆଁଲୁଣ୍ଡା ମୁହଁରେ ଦେବେ ? ଅଯୋଗା ନାଉ ସେ ସବୁକୁ ।ଚାଳତଳେ ଯାହା କାରବାର ନା ,ଦାଣ୍ଡ କୁ ପାରିବାର କିଏ ?


ବଉଁଶ ବୁଡିବା କଥା ।ଟାହିଟାପରା, କୁ ଲୁଣିଆ ସମ୍ବେଦନ ଭାରି ମନପୋଡା ।


ଦୁଃଖ ଶୁଣିବାକୁ ସମସ୍ତଙ୍କ ସୋର ଉଠେ, ସୁଖ ତ ତାରି ଛାତି ତଳୁ ତରଳି ଉକୁଟି ଫୁଟେ ।ପରିପୂରକ ମୁହଁ ।କଥାରେ କୁହନ୍ତିନି, ସୁଖ ବାଣ୍ଟିଲେ ବଢେ ଆରଟା କାଳେ କମେ.....ଧେତ୍ ! ସୁଖ ବାଣ୍ଟିଲେ ଇର୍ଷା ବଢେ, ଦୁଃଖ ବାଣ୍ଟିଲେ.......... କହିବା ଲୋଡା ନାହିଁ ।


ଏମିତି ହେଲା ଯେ, ଝରଣା ନିଜ ରାଣନିୟମ ପକେଇ ଆଉ ଗୋଟାର ହାତ ଧରିବାକୁ ଅଡି ବସିଲା ।ଇଏ କି କଥା ।ମନୁଆ ଟା କଣ ଏଡେ ନିକମା ହେଇଛି? ତା' ଝୁଅ ସବୁ ତା 'ସଂସାର ।ସିଏ ତ ପାଳୁଛି, ସିଏ ତ ଖୋଉଛି ।ତା' ଫୁସଲି,ତା' ମା ତା' କୋଳକୁ ଫେରିଲା ପରି ଲାଗୁଛି ।କାହାର କଣ କହିବାର ଅଛି? ଯିଏ ଯଦି କହୁଛି କହୁ, ସିଏ କାଇଁ ଶୁଣିବ, ଖାତିରି ପକେଇବ? ଦାଣ୍ଡ ବାଡି କିଳି କେତେ ଦିନ ରହିବ ବି? ଦାଣ୍ଡ କୁ ଗୋଡ କାଢିଲେ, ପିଣ୍ଢା ରେ ବାପା ଗୋଦରା ବୁଣୁ ବୁଣୁ ସକେଇବ ଆଉ ଘରେ ପାଦ ଦେଲେ ଝରଣା ର ଲୁହ ଝରଝର ଝରିବ ।ଏଇ କି ମଝିବାଡିଆ ଦ୍ବନ୍ଦ? ମଣିଷ ର କଣ କିଛି ଇଛ୍ଛା ନାହିଁ ନା ମନ ନାହିଁ? ଏ ସମାଜ ସମାଜ ହେଇ ହେଇ ଯିବ? ନିରୁତା ଫେର ।


ହେଲେ ପୁରୁଷ ପିଲାର ସବୁ ତୋଡ ଚୁଲିମୁଣ୍ଡର ଓଢଣାଦିଆ ରାଢଲୁହରେ ଭାସିଯାଏ ।ନୋଇଁବନି ଯିବ କୁଆଡେ?ଯେତେ ଆଢି ପାତିଲେ ବି ସୀମା ଶେଷ ।


ଏଥର ଜାତକ ମେଳକ କରି ନୂଆଉ ଆସିଲା ।ତା 'ଜାତକରେ ପୁତ୍ର ଯୋଗ ନାହାକ ନାଲି ଗାର ଟାଣି ଦେଖେଇଲେ ।ସେଇଠୁ ମହୁରୀ ବାଜିଲା ।ଅଳତା ପାଦରେ ସୁରୁଚି ଏରୁଣ୍ଡି ଡେଇଁ ପାଦଥାପିଲା ।


ହେଲେ ମନୁଆର ତ ଅପୁତ୍ରିକ କୋଷ୍ଠି ମୂଳରୁ ଜଣା ।ପୁରୁଷପିଲାର ଖୁଣ ଗୋଟା କି ଖୁଣରେ ଗଣା ।ମାଟିହାଣ୍ଡିର ସବୁ ଦୋଷକି!


 ଝରଣା ସବୁ ହାଣ୍ଡିକୁଣ୍ଡି, ଗାଇଗୁହାଳ,ବାରିପୋଖରୀ ,ସବୁ ନିଜେ ସମ୍ଭାଳି ସୁରୁଚି କୁ ଖାଲି ଷୋଡଶୀ ସଜପଟା କରି ମନୁଆ ସାଙ୍ଗେ ପେଲିଦେଇ ବାହାରୁ ଦୁଆର କିଳିଲା ।


ସାତ ଯତନ କଲେ 

ଆକାଶ କଇଁଆ ,ଚିଲାକା ମାଛ ନାଉ ।


ଯେତେ ଜାଚଙ୍ଗା, ନିର୍ଜଳା ସବୁ ପାଳିଦେଲା ।କରି କରି ଧୂଳି ଚାଟିଗଲା ।କୁଆଡୁ କିଛି ହେଲାନି ।ଆଉ କେତେ ଜଗନ୍ତା, ଦେ ଜଗନ୍ନାଥେ କହି ଛାଡିଦେଲା ।ମନୁଆ ଟା ବି ଆଉ ଘର ଧରିଲାନି ।ହାଟରେ, ବିଲରେ, ନାଆରେ, ବେଉସାରେ ମନ ଯୋଖିଲା ।ପାଖ ମାଡୁ ନଥିଲା ଆଉ ଭାରିଜାଙ୍କର ।ମଞ୍ଚା ବାନ୍ଧି ବିଲେରେ ଶୋଇଲା ।ରାତି ରାତି ବାହାରେ ରହିଲା ।ବାପ କୁ ଦେଖିଯାଏ, ପଇସା ଗୁଞି ଯାଏ ଘର ଚଳେଇବାକୁ ।

ସେଇଦିନ ଝରଣା ଆଉ ସୁରୁଚି ପାଇଁ ମଲ୍ଲୀ ଗଜରାରୁ ହାତେ ହାଟୁ ଆଣିଥାଏ , ଦିହେଁ ବାଣ୍ଟିକୁଣ୍ଟି ପିନ୍ଧି ହସାହସି ହନ୍ତି ।ଯେଝାବାଟେ ରହନ୍ତି ,ସାନ ବଡ ଭଉଣୀମିତି ।


କଣ ହେଲା, କୋଉ ଦେବତା ବିହିଲା ।ଓଦାମାଟି ଚେରେଇଲା ।ମଞ୍ଜି ଗଜାଧରି କୁଆଁ ରାବ ଶୁଭିବ ବୋଲି ଚାଳରେ ଲଟା ମଡେଇଲା, ଫୁଲ କଷି ଧରିଲା ।ପୁଅଟିଏ ହଉ ବୋଲି ତେତିଶ ଶହଦେବତା ମନାସିଲା ଝରଣା ।


ଖବର ପାଇ ସୁଖି ହେଲା ମନୁଆ, ପୁଣି ଘରମୁହାଁ ଫେରିଲା ।


ଆଶା ପରା ଜୀଆଁଇଦିଏ ।


ସଯତ୍ନେ ରଖିଥିଲା ଝରଣା ସୁରୁଚି କୁ ,ଝୁଅ ପରି ।ତା ତିନି ଝିଅ ବି ସାନ ମା ର ପାଖ ଛାଡନ୍ତିନି ।ହାତକୁ ପାଣିଢାଳ ଖଞ୍ଜନ୍ତି ।


ଆଠ ମାସ ପୁରନ୍ତା ପୁରନ୍ତା ହେଇ ନ କୁ ରାସ୍ତା କଢଉଛି, ସକାଳ ବେଳା ବାରି ଟୁବି ଗାଡିଆ ଠି ଗୋଡ ଖସେଇ ଠୋ କିନା ପେଟ ବାଡେଇ ହେଇଗଲାକି ସୁରୁଚିର ।ବାପକିଲୋ ମା କିଲୋ କହି ଗଡି ଆସିଲା ମାଟିଝାଟିରେ ।ଗାଁ ଧାଇବୁଢୀ ଧାଇଁ ଆସି ସେଇଠି ଲୁଗା ବେଢେଇ ପେଟ ଚିପା ଚିପି କଲେ ।କହିଲେ ପାରିବୁନୁ, ମେଡିକାଲ ନେଇଯ ।ପେଟକଟା ହବ କି କଣ ଲାଗୁଛି ।


କିଏ ଗୋଟେ ଧାଇଁ ଯାଇ ମନୁଆକୁ ଛକଠି ଖବର ଦେଇ ଆସିଲା ।ପାଦେ ପାଦେ ଧାଇଁ ଆସି କୋଳରେ ଯେମିତି ସୁରୁଚି ର ମଥାଟି ଥୋଇଛି 'ସୁରୁ 'ବୋଲି ସେ ଡାକିଲା ।ଦି ଚାରି ହାତ ମିଶି ମେଡିକାଲ ନେଇଗଲେ । ମନୁଆ ଆଖି କୁ ଚାହିଁ କଣ ଗୋଟେ କହିବ କହିବ ହଉଥାଏ ସୁରୁ ଗଲାଯାଏ ପ୍ରସବ ଘରୁକୁ ।ତା'ହାତକୁ ଧରି ମନୁଆ କହିଲା, 'ଯା ଆଗେ ପାରି ହେଇ ଆ ତେଣିକି କହିବୁ ... ମୁଁ ଏଇଠି ଅଛି ।'


ଭରସା ରୁ ପଦେ ।


ପୁଅଟିଏ ଜନ୍ମ ଦେଇ ସେଇ ଭରସା କୁ ମୁଠେଇ ଧରି ଚାଲିଗଲା ସୁରୁ ଆରପାରିକୁ ପାରି ହେଇ ।ବନ୍ଦଦରଜା ଏପାଖେ ତ ମନୁଆ ଜଗି ଠିଆ ହେଇଥିଲା, ତେବେ ଗଲା କୋଉବାଟେ?


ସୁରୁଚି କୋଳୁକୁ ସିନା ବିଧାତା ପୁଅଟେ ଦେଲା, ଝରଣା ମା' ବୋଲେଇଲା ସେଇ ମୂହୁର୍ତ୍ତ ରୁ ଯେତେବେଳେ ନର୍ସ ଟି ପିଲାକୁ ତା କୋଳକୁ ବଢେଇ ଦେଇ କହିଲା, 'ତମ ପୁଅ ମା 'ଥଣ୍ଡା ପଡିଗଲା ।ଆଉ ନାହିଁ ।' ଏତେ ସ୍ବଭାବିକ ଭଙ୍ଗୀ ରେ ଯେମିତି ଏମିତି ହି ହବାକଥା ।କିଛି ବିଶେଷ ହେଇନି ।


ମନୋହର କିନ୍ତୁ ସହିପାରିଲାନି ପୁଣି ଗୋଟେ ଶକ୍ତଧକ୍କା ସମୟ ର ।ତାକୁ ସମ୍ଭାଳି ନେଇ ଝରଣା କୋଳେଇ ନେଲା ପୁଅକୁ ଆଉ ଧନ୍ୟବାଦ ଦେଉଥିଲା ବାରିପଟେ ଦିଶୁଥିବା ମାଛିଅନ୍ଧାରିଆ ହସୁଥିବା ଦୁଇ ଛାଇଙ୍କୁ, ଝରି ପଡି ମହକେଇଥିବା ଝରା ମଲ୍ଲୀ କୁ ..... ଯିଏ ତା କାନେ ଚୁପ୍ କି କହିଦେଇଥିଲା ସବୁ ଅକୁହା କଥା ।ସେ ଚିହ୍ନିଥିଲା ସେ ଦୁହିଁଙ୍କ ବାସ୍ନା କୁ ଦୂରରୁ ।


ସେ ପାଲଟି ଯାଉଥିଲା ଯଶୋଦା ତା ଅବଚେତନରେ ।



Rate this content
Log in

Similar oriya story from Drama