Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Minakshi Samal

Fantasy Others

3  

Minakshi Samal

Fantasy Others

ସ୍ମୃତିରୁ ଚେନାଏ

ସ୍ମୃତିରୁ ଚେନାଏ

3 mins
1.5K


ସେଦିନ ଥିଲା ବୁଧବାର । ପାଗଟା ଟିକେ ମେଘୁଆ ଥାଏ । ଜଣେ ସହକର୍ମୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ପରେ ଘରକୁ ଫେରିବାକୁ ଟିକେ ଡେରି ହୋଇ ଯାଇଥିଲା । ଘରେ ପହଞ୍ଚି ଭାବିଲି କଫିକପ୍ ସାଙ୍ଗରେ ନିଉଜ ପେପର ପଢିବାଟା ଜମିବ । କଫି କପ୍ ରେ ଗୋଟିଏ ଚୁମୁକ ଦେଇଛିକି ନାହିଁ କଲ୍ ବେଲ ବାଜିଲା । ଦରଜା ଖୋଲି ଦେଖିଲି ଆମ ପଡୋଶୀ ସିଂହ ବାବୁ ହାତରେ ଗୋଟିଏ କାର୍ଡ ଧରି ଠିଆ ହୋଇଛନ୍ତି । ନିଜ ନାତିର ଅନ୍ନପ୍ରାଶନରେ ସପରିବାରେ ଯୋଗଦାନ କରିବାକୁ ଅନୁରୋଧ କରି ସେ ଚାଲିଗଲେ । ମୁଁ କାର୍ଡଟି ଖୋଲି ପଢିବା ସହିତ ପଚିଶ ବର୍ଷ ତଳର ଗୋଟିଏ ଘଟଣାକୁ ରୋମନ୍ଥନ କରିବାକୁ ଲାଗିଲି ।

ମୋ ବାପା ପୁରୀରେ କୃଷି ବିଭାଗରେ କାର୍ଯ୍ୟରତ ଥା'ନ୍ତି । ପ୍ରତିବର୍ଷ ରଜ ଓ କୁମାର ପୂର୍ଣ୍ଣିମାରେ ଆମେ ଗାଁକୁ ଯାଉ । ଆମ ଗାଁ ମତେ ବହୁତ ଭଲ ଲାଗେ । ସବୁଠାରୁ ଭଲ ଲାଗେ ଲୀନା ଦେଇଙ୍କ ସାଙ୍ଗରେ ସମୟ ବିତାଇବା । ଲୀନା ଦେଇ ଗାଁ ରେ ଆମ ପଡୋଶୀ ଶୁକଦେବ ବଡବାପାଙ୍କ ସାନ ଝିଅ ।  ମୁଁ ଆମ ଭାଇଭଉଣୀଙ୍କ ଭିତରେ ବଡ  । ଗାଁ ରେ ମୁଁ ଲୀନା ଦେଇଙ୍କ ସାନ ଭଉଣୀ ହେଇଯାଏ । ସାଙ୍ଗ ହେଇ ଗାଧୋଇ ଯିବାଠୁ ଆରମ୍ଭ ହୋଇଯାଏ ଆମର ଦିନଚର୍ଯ୍ୟା । ଗାଁ ପଖାଳର ଗୋଟିଏ ଅପୂର୍ବ ସ୍ଵାଦ ଥାଏ । ତା ଛଡା ସେତେବେଳେ କଂସା ନହେଲେ ପିତଳ ବାସନରେ ଗାଁରେ ଖାଦ୍ୟ ପରଷା ଯାଏ । ପଖାଳ,ଆଳୁ ଭରତା,ବଡିଚୁରା,ବାଡି ବାଇଗଣ ଭଜା,କଷି କାକୁଡି,ଲୁଣ ଏବଂ ଧାନୁଆ ଲଙ୍କା ଇତ୍ୟାଦି ସଜାଇବା ପରେ ଲୀନା ଦେଇ ମତେ ଖାଇବାକୁ ଡାକନ୍ତି ଆଉ ଆମେ ଦୁଇଜଣ ମିଶିକି ଗୋଟିଏ କଂସାରେ ପଖାଳ ଖାଉ । ପ୍ରତ୍ୟେକ ସୋମବାର ଦିନ ଗାଧୁଆ ସରିବା ପରେ ଆମେ ଦୁଇ ଜଣ ଗାଁ ମୁଣ୍ଡରେ ଥିବା ମହାଦେବଙ୍କ ମନ୍ଦିରକୁ ଦର୍ଶନ କରିବାକୁ ଯାଉ । ତାପରେ ରାଗ ମଟର ଭଜା କିଣି ଖାଉ ।

ସେତେବେଳର ରଜମଉଜ ଆଜିଠାରୁ ସମ୍ପୂର୍ଣ୍ଣ ରୂପେ ଭିନ୍ନ ଥିଲା । ଝିଅ ମାନେ ସଜବାଜ ହୋଇ ଘର ଘର ବୁଲୁଥିଲେ ।  ପୋଡପିଠା,ମଣ୍ଡା ପିଠା ,ଆରିଷା,କାକରା,ବିରିଗୋଜ,ଛେନା ମଣ୍ଡା ଆଦି ଭଳିକି ଭଳି ବ୍ୟଞ୍ଜନ ଥାଳିରେ ପରଷିବା ପରେ ଲାବଣ୍ୟ ଖୁଡୀ,ମାନୀ ବଡବୋଉ,ସିଲୁ ଦେଇ,ତିଆଡି ଘର ଜେଜେମା କେତେ କଥା ପଚାରନ୍ତି । ତାପରେ ମିଳେ ରଜପାନ । ଆଃ କି ମଜା! ପଟା ଦୋଳିରେ ପାହି ମାରି ମାରି ଉପରକୁ ଆଉରି ଉପରକୁ ଯିବାକୁ ବାଜି ରଖା ଯାଉଥିଲା । ପୁଅ ମାନେ ବାଗୁଡି ଖେଳୁଥିଲେ  । ଖୁବ୍ ଆନନ୍ଦର ଦିନ ଥିଲା ସେସବୁ  ।

ସେ ବର୍ଷ ରଜରେ ଲୀନା ଦେଇଙ୍କ ସାଙ୍ଗେ ଦେଖା ହେଇ ପାରିଲାନି । କାରଣ ମାସେ ପୂର୍ବରୁ ତାଙ୍କର ବିବାହ ସାମନ୍ତରାୟ ପରିବାରର ଏକମାତ୍ର ପୁଅ ମନୋଜ ସାମନ୍ତରାୟଙ୍କ ସହିତ ସମ୍ପନ୍ନ ହୋଇଥିଲା ମୋର ବି ଏ ପରୀକ୍ଷା ଥିବାରୁ କେବଳ ବାପା ତାଙ୍କ ବାହାଘରରେ ଯୋଗ ଦେଇ ପାରିଥିଲେ । ସାମନ୍ତରାୟ ପରିବାର ଖୁବ୍ ଖାନ୍ ଦାନୀ ଥିଲେ ।  ବାପାଙ୍କ ଠାରୁ ସବୁକଥା ଶୁଣି ମନ ବହୁତ ଖୁସି ଲାଗିଲା । ଭଗବାନଙ୍କୁ ପ୍ରାର୍ଥନା କଲି ଯେ ମୋ ଲୀନା ଦେଇଙ୍କୁ ସବୁବେଳେ ଭଲରେ ରଖ,ତାଙ୍କ ଦାମ୍ପତ୍ୟ ଜୀବନ ସୁଖମୟ କର ଇତ୍ୟାଦି ଇତ୍ୟାଦି ।

ଏ ଭିତରେ ଚାରିଟି ବର୍ଷ ବିତିଗଲାଣି । ମୋର ଆଉ ଲୀନା ଦେଇଙ୍କର ଦେଖା ସାକ୍ଷାତ ମଧ୍ୟ ହୋଇପାରେନି । କାରଣ ଆମେ ଗାଁ କୁ ଯିବା ସମୟରେ ଲୀନାଦେଇ ଆସିପାରନ୍ତିନି । ହୁଏତ ଶାଶୁଘରେ ମୁହଁ ଖୋଲି କହି ପାରନ୍ତି ନାହିଁ ।  ହଠାତ୍ ସେଦିନ ଦ୍ଵିପ୍ରହରେ ବଡବୋଉଙ୍କର କାନ୍ଦଣା ଶୁଣି ଆମେ ସମସ୍ତେ ତାଙ୍କ ଘରକୁ ଦୌଡ଼ି ଯାଇଥିଲୁ । ମୁଁ ନିଜକୁ ବିଶ୍ଵାସ କରି ପାରୁନଥିଲି ଲୀନା ଦେଇଙ୍କୁ ଦେଖି । ଖୁସିରେ ତାଙ୍କୁ କୁଣ୍ଢେଇ ପକାଇ ଥିଲି । ହଠାତ୍ ଦେଖିଲି ମୋ ପ୍ରିୟ ଲୀନା ଦେଇ ଗୁମୁରି ଗୁମୁରି କାନ୍ଦୁଛନ୍ତି । ଯେତେ ପଚାରିଲି କିଛି କହିଲେନି । ପରେ ମୋ ବୋଉଙ୍କ ଠାରୁ ଜାଣିଲି ଯେ ଲୀନା ଦେଇଙ୍କ ଶାଶୁ ଶ୍ଵଶୁର ତାଙ୍କ ଉପରେ ବନ୍ଧ୍ୟା ଦୋଷର ଆରୋପ ଲଗାଇ ସବୁଦିନ ପାଇଁ ତାଙ୍କୁ ବାପଘରେ ଛାଡି ଯାଇଛନ୍ତି । ମୋ ଜୀବନରେ ହୁଏତ ସବୁଠାରୁ ବଡ଼ କଷ୍ଟ ଥିଲା ଏଇଟା ।

ଛ' ମାସ ବିତିଗଲାଣି । ମୋ ବାପାଙ୍କୁ ଚିଠି ଲେଖି ବଡବାପା ଗାଁ କୁ ଯିବାକୁ ଅନୁରୋଧ କରିଥିଲେ ।  କାରଣ ଭଲମନ୍ଦରେ ଦୁଇଜଣ ଦୁଇଜଣଙ୍କ ପରାମର୍ଶ ନିଅନ୍ତି । ବାପା ଛୁଟି ନେଇ ଦୁଇ ଦିନ ପାଇଁ ଗାଁ କୁ ଗଲେ । ସେଠାରୁ ଅବଶ୍ୟ ଏକ ଖୁସିର ଖବର ଆଣିଥିଲେ । ବଡବାପାଙ୍କ ସାଙ୍ଗ ସନାତନ ପରିଡା ଲୀନା ଦେଇଙ୍କ ବିଷୟରେ ସବୁ ଜାଣିଥିଲେ ମଧ୍ୟ ନିଜର ସାନ ପୁଅ ସମ୍ବିତର ଜିଦ୍ ଯୋଗୁଁ ଲୀନା ଦେଇଙ୍କ ପାଇଁ ନିଜ ପୁଅର ବିବାହ ସମ୍ବନ୍ଧ ନେଇ ଆସିଥିଲେ । ବଡ ବାପା,ବାପା ଏବଂ ଗାଁ ର କିଛି ଗଣ୍ୟମାଣ୍ୟ ବ୍ୟକ୍ତି ଏ ପ୍ରସ୍ତାବରେ ସମ୍ମତି ଦେଇଥିଲେ ।

ବିଧି ବିଧାନ ଅନୁଯାୟୀ ଦ୍ଵିତୀୟ ଥର ପାଇଁ ମୋ ଲୀନା ଦେଇଙ୍କ ବିବାହ ଇନ୍ଦୁପୁରର ସୁନାମ ଧନ୍ୟ ଯୁବ ଉଦ୍ୟୋଗପତି ସମ୍ବିତ ପରିଡାଙ୍କ ସଙ୍ଗେ ସୁଚାରୁରୂପେ ସମ୍ପନ୍ନ ହେଲା ।  ବିବାହର ବର୍ଷକ ପରେ ପରିଡା ପରିବାରରେ ଖୁସିର ଲହରୀ ଖେଳାଇ ଲୀନା ଦେଇଙ୍କୁ ବନ୍ଧ୍ୟା ଦୋଷର କଳଙ୍କରୁ ମୁକ୍ତି ଦେଇ ତାଙ୍କ କୋଳ ପୂର୍ଣ୍ଣ କରି ଗୋଟିଏ ବାଳ ଗୋପାଳ ଜନ୍ମ ନେଲେ । ସଂଯୋଗକୁ ସେଦିନ ଖବର ମିଳିଲା ଯେ ମନୋଜ ସାମନ୍ତରାୟଙ୍କ ତୃତୀୟ ପତ୍ନୀଙ୍କ ଅଭିଯୋଗ କ୍ରମେ ପୋଲିସ୍ ମନୋଜ ସାମନ୍ତରାୟ ଏବଂ ତାଙ୍କର ପିତା ମାତାଙ୍କୁ ହାଜତକୁ ଚାଲାଣ କରିଛି  । ଏ ଖବର ମୋ ଜୀବନର ସବୁଠାରୁ ଖୁସିର ଖବର ଥିଲା କାରଣ ଅନ୍ୟାୟର ଜବନିକା ପଡିଥିଲା ଏବଂ ସତ୍ୟର ସନ୍ଦେଶ ସମସ୍ତଙ୍କ ପାଖରେ ପହଞ୍ଚି ଯାଇଥିଲା  ।

ଭାବନା ରାଜ୍ୟରୁ ଫେରି ଆସିବା ବେଳକୁ କପ୍ ରେ କଫି ସମ୍ପୂର୍ଣ୍ଣ ରୂପେ ଥଣ୍ଡା ହୋଇଯାଇଥିଲା ।

ମିନାକ୍ଷୀ ସାମଲ


Rate this content
Log in

Similar oriya story from Fantasy