Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଭିକାରି
ଭିକାରି
★★★★★

© Subal Mohapatra

14 Minutes   14.0K    11


Content Ranking

ଅହମଦାବାଦ-ପୁରୀ ଏକ୍ସପ୍ରେସ ଅନଗୁଳ ଷ୍ଟେସନ ରେ ପହଁଚିଲା । ରାତି ପ୍ରାୟ ୩.୫୦ । ଶୀତ ରାତି ଯୋଗୁଁ ଷ୍ଟେସନଟା ଘୁମେଇ ପଡି ଥାଏ । ରାହୁଲ ଅହମଦାବାଦରୁ ଗାଁକୁ ଆସୁଥାଏ । ଶୀତ ଦିନ । ଏ.ସି.ରେ ଟିକେଟ ନ ମିଳିବାରୁ ସ୍ଲିପରରେ ସିଟ କରି ଥାଏ । ଶୀତ ଅସମ୍ଭାଳ । ଏତେ ଶୀତରେ ତା ଦେହ ହାତ ଥରି ଯାଉଥାଏ । ଆସ୍ତେ ଆସ୍ତେ ବ୍ୟାଗ ଧରି ସେ ଏକ ନମ୍ବର ପ୍ଲାଟଫର୍ମ ଆଡେ ପାଦ ବଢ଼େଇଲା । ପ୍ଲାଟଫର୍ମକୁ ଆସୁ ଆସୁ ଗୋଟେ ଛୋଟ ଝିଅ ଉପରେ ତା ଆଖି ପଡିଗଲା । ବୟସ ପ୍ରାୟ ୫-୬ ବର୍ଷ ହେବ । କୁଙ୍କୁଣୀ-କାଙ୍କୁଣୀ ହୋଇ କାନ୍ଥକୁ ଲାଗି ଶୋଇ ଥାଏ । ଚିରା ଫ୍ରକ ତାର ପୁରା ଶରୀରକୁ ଘୋଡାଇବାକୁ ସକ୍ଷମ ନଥିଲା । ଉପରେ ଗୋଟେ ଛିଡା କନ୍ଥା । ଏତେ ଜାଗାରୁ ଚିରା ଯେ ଶୀତକୁ ବି ଲାଜ ଲାଗିବ । ପାଖରେ ଗୋଟେ ବୁଜୁଳୀ । ତା ଉପରେ ମୁଣ୍ଡ ଦେଇ ସେ ଶୋଇ ଥାଏ । ଗୋଡ ବାହାରକୁ ବାହାରି ଥାଏ ଆଉ ନିଦରେ ବି ସେ ଗୋଡ ଦୁଇଟିକୁ ଘୋଡ଼େଇବାକୁ ବୃଥା ପ୍ରୟାସ କରୁଥାଏ । ପାଖରେ ଆଉ କେହି ନଥାନ୍ତି । ଶୀତ ବହୁତ ହେଉ ଥାଏ । କିଛି ଲୋକ ଦୂରରେ ନିଆଁ ପୂହିଁ ହେଉଥାନ୍ତି । ରାହୁଲକୁ ଟିକେ ଅଜବ ଲାଗିଲା । ଏକୁଟିଆ ଝିଅଟି ଶୋଇଛି, ପାଖରେ କେହି ବି ନାହାନ୍ତି । ପୁଣି ଏତେ ଶୀତ ଯେ, ଜ୍ୟାକେଟ, ମଫଲାର, ହାତରେ ଗ୍ଳୋବ୍ସ ପିନ୍ଧିକି ବି ସେ ଥରି ଯାଉଛି । କେମିତିଆ ବାପା ମା କେଜାଣି, ଛୋଟ ଝିଅଟିକୁ ଏକୁଟିଆ ଛାଡି ଦେଇଛନ୍ତି । ସେ ତା ପାଖରେ ଥିବା ମିଲିଟାରୀ କମ୍ବଳଟା ଦେଇ ଦବ ବୋଲି ଭାବିଲା । ସେମିତିଵି ୫ ବର୍ଷ ତଳେ ସେ କମ୍ବଳଟା ନେଇ କି ସେ ଅହମଦାବାଦ ଯାଇଥିଲା । ଏବେ ଭଲ ମୁଲାୟମ କମ୍ବଳ ଅଛି ତା ପାଖରେ । ଏଇଟାର କିଛି କାମ ନାହିଁ । ଶୀତ ରାତି, ଟ୍ରେନରେ ସିଟ ଉପରେ ପକେଇଲେ ଉଷୁମ ଲାଗିବ ବୋଲି ଭାବି ସେ ନେଇ କି ଆସିଥିଲା । ଝିଅଟିକୁ ଦେଖି ଦୟା ଲାଗିଲା । ଘରକୁ ନେଲେ ମା’ କାହାକୁ ଗୋଟେ ଦେଇ ଦେବେ ନହେଲେ କନ୍ଥା ରେ ସିଲେଇ କରି ଦେବେ । ତା'ଠୁ ଭଲ ଝିଅଟି ହେଲେ ଶୀତରୁ ରକ୍ଷା ପାଇବ ।

କମ୍ବଳଟି କାଢି ଝିଅ ଉପରେ ପକାଇବା କ୍ଷଣି ଭିକାରିଟେ କେଉଁଠି ଥିଲା "ମୋ ଝିଅ, ମୋ ଝିଅ" କହି ଧାଇଁ ଆସିଲା । ଭିକାରିକୁ ଦେଖି ରାହୁଲ ଟିକେ ଘୁଞ୍ଚି ଗଲା ଆଉ ଭିକାରିଟିକୁ ଦେଖିବାକୁ ଲାଗିଲା । ମନେ ମନେ ଭାବିଲା "ୟେ ପିଲା ଚୋର ନୁହେଁ ତ"? ଏବେ କେତେ ଯେ ପିଲା ଚୋର ବୁଲୁଛନ୍ତି । ନିଶା ଦେଇ ଛୋଟ ଛୁଆଙ୍କୁ ଶୁଆଇ ଦେଉଛନ୍ତି, ତାପରେ ଅଲଗା ଜାଗାକୁ ନେଇ ବିକ୍ରି କରୁଛନ୍ତି । ନିଶ୍ଚୟ ୟେ ପିଲା ଚୋର । ଝିଅଟିକୁ ନିଶା ଦେଇ ଶୁଆଇ ଦେଇଛି ନହେଲେ ଏତେ ଶୀତରେ, ଖଣ୍ଡେ ମାତ୍ର ଛିଡା କନ୍ଥାରେ କଣ କେହି ଏତେ ନିଦରେ ଶୋଇପାରେ?

ରାହୁଲ ଭିକାରିଟିକୁ ଅବିଶ୍ୱାସ ଭରା ଚାହାଣିରେ ଦେଖିଲା । ଭିକାରି ପରିକା ତ ଲାଗୁଛି । କିନ୍ତୁ ଏ ଝିଅ ଆସିଲା କେଉଁଠୁ? ସେ ଭିକାରିକୁ ପଚାରିଲା "ଆଛା, ଏ ଝିଅ କଣ ତୋ ନିଜ ଝିଅ? ତା’ ମା’ କୁଆଡେ ଗଲା? ସେ ଏତେ ଶୀତରେ ଏଠି ଶୋଇଛି କେମିତି? କେଉଁଠୁ ଆସିଲୁ ଆଉ କେଉଁଠିକୁ ଯିବୁ?" ସତ ସତ କହ ନହେଲେ ଏବେ ପୋଲିସ ଡାକିବି । ସତ କହ କେଉଁଠୁ ଚୋରି କରିଛୁ ଏ ପିଲାକୁ ? କହୁଚୁ ନା ଦେଖିବୁ ଏଇଲେ । ଧମକେଇ ପଚାରିଲା ରାହୁଲ । ରାହୁଲର ପାଟି ଶୁଣି ଝିଅଟି ଉଠି ପଡିଲା ଆଉ “ବାଆ” ବୋଲି କହି ଭିକାରିକୁ କୁଣ୍ଢେଇ ପକେଇଲା । ପାଟି ଶୁଣି ଝିଅଟି ଡରି ଯାଇଥିଲା । ଭିକାରି କିଛି ନକହିଲେ ବି ରାହୁଲ ବୁଝିଯାଇଥିଲା, ଏ ଝିଅ ଭିକାରିର ନିଜ ଝିଅ । କିନ୍ତୁ କିଛି ଲୋକ ଏପରି ବି ଅଛନ୍ତି, ଛୋଟ ପିଲାଙ୍କୁ ଚୋରି କରି ନିଜର ପରିଚୟ ଦିଅନ୍ତି ଆଉ ବଡ ହେଲା ପରେ ତାକୁ ନେଇ ଦଲାଲକୁ ବିକ୍ରି କରନ୍ତି । ପୋଲିସ୍ ଆସିଲେ ବି ଝିଅଟି ଯେହେତୁ ବାପା ଡାକୁଛି, ପୋଲିସ୍ ବି କିଛି କରି ପାରିବନି । ତେଣୁ ସେ ଆଉ କିଛି ପ୍ଲାନ କଲେ ସତଟା ଜାଣି ହେବ ।

ଭିକାରି, ଝିଅଟିକୁ କୋଳରେ ପୁରେଇ କହିଲା, "ନାଇଁ ଆଜ୍ଞା, ୟେ ମୋ ଝିଅ । ମୁଁ କେଉଁଠୁ ଚୋରି କରିନି ।

ଭିକାରି ଆଉ ତା ଝିଅ ଆଖିରେ ଲୁହ ଦେଖି ରାହୁଲ ଟିକେ ତରଳି ଗଲା ।

ରାହୁଲ -- ତା' ମା କୁଆଡେ ଗଲା?

ଭିକାରି -- ମରି ଯାଇଛି ।

ରାହୁଲ -- କେମିତି?

ଭିକାରି -- ଘର ପୋଡିରେ ତା ମା’ ମରିଗଲା ।

ରାହୁଲ -- କେବେ ହେଲା ଘର ପୋଡି?

ଭିକାରି -- ମାସେ ହେଲାଣି ।

ରାହୁଲ – ସେବେଠୁ, ଏ ଷ୍ଟେସନରେ ରହୁଛୁ?

ଭିକାରି – ହଁ !

ରାହୁଲ -- ଘର କେମିତି ପୋଡ଼ିଲା?

ଭିକାରି -- କେହି ଜଣେ ଆସି ନିଆଁ ଲଗେଇ ଦେଲା । ଆମେ ସବୁ ଶୋଇଥିଲୁ । ଝିଅକୁ ବାହାରକୁ ଫିଙ୍ଗି ଦେଲି, ସେ ବଞ୍ଚିଗଲା । ମୋର ହାତ ଆଉ ଗୋଡ ଖଣ୍ଡେ ଖଣ୍ଡେ ଜାଗାରୁ ପୋଡି ଯାଇଛି । ସେ ଘୋଡ଼ି ହୋଇଥିବା କୋଚଟା ଗାମୁଛା କାଢି ହାତ ଆଉ ଗୋଡ ଦେଖେଇଲା । (ଗୋଡ ଆଉ ହାତରେ ପୋଡା ଦାଗ, ଏବେ ବି ଶୁଖି ନଥିଲା) ସ୍ତ୍ରୀ ଭିତରେ ପୋଡି ହେଇ ଗଲା । ଡାକ୍ତର ଖାନାରେ ଦି’ ଦିନ ପଡିଲା, ତାପରେ ମରିଗଲା ।

ସେ ଏମିତି କହିଲା ଯେମିତି କି ତା'ର କିଛି ଅନୁଶୋଚନା ନାହିଁ କିମ୍ବା କାନ୍ଦି କାନ୍ଦି ଆଖିର ଲୁହ ସବୁ ଶୁଖି ଗଲେଣି , ଆଉ ଲୁହ ନାହିଁ ବାହାରିବାକୁ । ଏବେ କେବଳ ଗୋଟିଏ ଚିନ୍ତା, ଝିଅକୁ କେମିତି ପୋଷିବ ।

ରାହୁଲ -- ଦେଖିବାକୁ ତ ଠିକ ଠାକ ଅଛୁ, ଭିକ ମାଗିବାକୁ ଲାଜ ଲାଗେନି?

ଭିକାରି -- ଲାଜ କାହିଁକି ଲାଗିବ? ସମସ୍ତେ ତ ଭିକାରି । ମନ୍ଦିରରେ ତିନି ଜଣ ଭିକାରି ଭିକ ମାଗନ୍ତି । ଆମେ ଭିକାରି ଦଳ ବାହାରେ ଭିକ ମାଗୁ, ଧନୀ ଲୋକ ମାନେ ମନ୍ଦିର ଭିତରେ ଭଗବାନଙ୍କଠୁ ଭିକ ମାଗନ୍ତି ଆଉ ପଣ୍ଡା ମାନେ ଲୋକଙ୍କଠୁ ଭିକ ମାଗନ୍ତି ।

ରାହୁଲ -- ଏବେ ତ ସରକାର କେତେ ଯୋଜନା କଲେଣି, ଟଙ୍କାକିଆ ଚାଉଳ, ଆହାର କେନ୍ଦ୍ର ଆହୁରି କେତେ କ’ଣ । ଭିକ ନମାଗି କିଛି କାମଦାମ କଲେ ଚଳନ୍ତାନି?

ଭିକାରି -- ଆମର ଆଜ୍ଞା କଣ କାର୍ଡ ଅଛି ଯେ ମିଳିବ ଟଙ୍କାକିଆ ଚାଉଳ? କିଏ ଦବ ଆମକୁ କାର୍ଡ ? ନାଁ ଘର ଅଛି ନାଁ ଗାଁ ।

(ରାହୁଲ ଟିକେ ଭାବନାରେ ପଡିଗଲା । ସେମିତି ବି ଟଙ୍କାକିଆ ଚାଉଳ ନେଇ ଲୋକ ମାନେ କରୁଛନ୍ତି କ'ଣ ? ୩୦ ଟଙ୍କାରେ ୩୦ କିଲୋ ଚାଉଳ କିଣିଲେ । ଘର ପାଇଁ ୧୫ କିଲୋ ରଖି ୧୫ କିଲୋ, କିଲୋ ପ୍ରତି ୩୦ ଟଙ୍କା ଦରରେ ବିକ୍ରି କଲେ । ବାସ, ମାସ ଯାକର ତେଲ ଲୁଣ ପଇସା ହେଇ ଗଲା । ବାଡିରୁ ପତ୍ର ଫୁଲ ପରି କିଛି ମିଳିଗଲା ତରକାରୀ ଆଉ ଭଜା ପାଇଁ । ଦିନେ ଖଟିଲେ ମାସ ଯାକର ମଦ ଖର୍ଚ୍ଚ ଚଳିଲା । ପୁଣି ଆର ମାସ ପାଇଁ ୩୦ ଦିନରେ ପିଇଥିବା ୩୦ଟା ବୋତଲ ବିକ୍ରି କଲେ, ୩୦ ଟଙ୍କା ମିଳିଯିବ । ପୁଣି ଚାଉଳ ୩୦ କିଲୋ ଆସିଯିବ । ସେଥି ପାଇଁ ତ ଆଜି କାଲି କାମ କରିବା ପାଇଁ ମୁଲିଆ ମିଳୁ ନାହାନ୍ତି । ଘର କାମ ପାଇଁ ମୁଲିଆ ନାହାନ୍ତି । ଚାଷବାସ ପାଇଁ ମୁଲିଆ ନାହାନ୍ତି । ସେଥିରେ ପୁଣି ସରକାର ସେମାନଙ୍କର ଦିନିକିଆ ଭଡା ବଢ଼େଇ ୩୦୦ କଲେଣି । ଏଠି ପିଲା ଇଞ୍ଜିନିଅରିଂ କରିସାରି ଦରମା ପାଉଛନ୍ତି ଟଙ୍କା ୩୦୦୦ ମାସକୁ । କିନ୍ତୁ ମୁଲିଆ ପାଉଛି ୯୦୦୦ )

ରାହୁଲର ଭାବନାରେ ପୂର୍ଣ୍ଣଛେଦ ପକାଇ ଭିକାରି କହିଲା ଆହାର କେନ୍ଦର (କେନ୍ଦ୍ର) କଥା କୁହନ୍ତୁନି ଆଜ୍ଞା ! ସବୁ ପ୍ରହସନ । ସେଠି ଗରିବ କମ ବାବୁ ବେଶି ଆସୁଛନ୍ତି ଖାଇବାକୁ । ନୁକ (ଲୋକ) ତ, ପାଖ ହୋଟେଲରୁ ଅଣ୍ଡା କିମ୍ବା ମାଛ ଧରି ଆସି ଆହାର କେନ୍ଦ୍ରରୁ ଭାତ ଡାଲି ଆଣି ଖାଉଛନ୍ତି । କେହି କେହି ତ କାରରେ ଆସୁଛନ୍ତି, କାରକୁ କିଛି ଦୂରରେ ରଖି ଦେଇ, କେନ୍ଦର (କେନ୍ଦ୍ର)ରେ ଖାଇ କି ପୁଣି କାରରେ ବସିକି ପଳାଉଛନ୍ତି । ସେଠି ଆମକୁ ପଚାରେ କିଏ ? ଗଲେ ଦୂର ଦୂର, ମାର ମାର କରୁଛନ୍ତି ।

ରାହୁଲ ଭାବିଲା ସେମିତି ବି ଏବେ ରାତି ଅଛି । ଘରେ ସମସ୍ତେ ଶୋଇଥିବେ । ପାହାନ୍ତିଆରୁ କାହିଁକି ଘର ଲୋକଙ୍କୁ ହଇରାଣ କରିବ, ସକାଳ ହେଉ, ଯିବ ଘରକୁ । ସେତିକି ସମୟ ୟା ସହ କଥା ହେଇ କାଟି ହେବ । ଏହା ଭାବି ରାହୁଲ ତାକୁ ପଚାରିଲା

ରାହୁଲ – ଆଛା, ତୋ ଘର କେଉଁଠି ଆଉ ତୁ ଏଠିକୁ ଆସିଲୁ କେମିତି?

ଭିକାରି -- ସେ ବହୁତ କଥା ଆଜ୍ଞା !

ରାହୁଲ -- ତୁ କଣ ଭିକାରି ହେଇ ଜନ୍ମ ହେଇ ଥିଲୁ ନାଁ କିଏ ତୋତେ ଭିକାରି କଲା?

ଭିକାରି କହିବାକୁ ଆରମ୍ଭ କଲା," ନାଁ ନାଁ, ମୋ ଘର ଗାଁରେ । ଭାଇ ଭଉଣୀ ଆମେ ପାଞ୍ଚ ଜଣ । ଦୁଇ ଭାଇ ଆଉ ତିନି ଭଉଣୀ । ବାପା ଚାଷ କରନ୍ତି । ଭଲରେ ଭଲରେ ଚାଲୁଥିଲା ଆମ ସଂସାର । ମୁଁ ସପ୍ତମ ଯାଏ ପାଠ ପଢିଛି । ସପ୍ତମରେ ପଢିଲା ବେଳେ ସ୍କୁଲକୁ ଛଉ ଡାକ୍ତର ଆସି ପରୀକ୍ଷା କରି କହିଲେ, ମୁଁ କୁଆଡେ କୁଷ୍ଠ ରୋଗୀ । ମୋ ହାତରେ ସେତେବେଳେ ଗୋଟେ ଧଳା ଛଉ ହୋଇଥାଏ । ଗାଁର ପୁରୁଖା ଲୋକେ କହୁଥିଲେ ସେଟା କୁଆଡେ ବୟସ ଛଉ । ଆପେ ଚାଲିଯିବ । ମୋ ମା’ କେତେ ଜାଗାରୁ କେତେ ଔଷଧ ଆଣି ଦେଲା ଖାଇବାକୁ, ଲଗେଇବାକୁ । ଶିବଙ୍କ ଛଡା ଫୁଲ, ପାଦୁକ, କେତେ କଣ ଲଗେଇଲା, କିନ୍ତୁ ଫଳ କିଛି ହେଲା ନାହିଁ । ଡାକ୍ତରଙ୍କ କହିବା ପରେ ସମସ୍ତେ ବିଶ୍ୱାସ କଲେ ମୁଁ କୁଷ୍ଠ ରୋଗୀ । ଗାଁରେ ନିଶାପ ହେଲା । ମୋତେ ଗାଁ ଛାଡି ଚାଲି ଯିବାକୁ କୁହାଗଲା । ନହେଲେ ଆମ ପରିବାରକୁ ବାଛନ୍ଦ କରାଯିବ । ମା' ତ କାନ୍ଦିକାଟି ଗଡୁଥାଏ । ବାପା, ଆଉ ଚାରି ଜଣ ପିଲାଙ୍କ ମୁହଁକୁ ଚାହିଁ ମୋତେ ଘର ଛାଡି ଚାଲି ଯିବାକୁ କହିଲେ । ନହେଲେ କୁଆଡେ ମୋ ଭଉଣୀ ମାନେ ବାହା ହେଇ ପାରିବେନି । ବାରବର୍ଷ ବୟସର ପିଲାଟା କୁଆଡେ ଯିବ ଆଜ୍ଞା । (ତା ଆଖିରେ ଲୁହ ଟଳ ଟଳ କରୁଥାଏ) କିନ୍ତୁ ବାପା ମା’, ଭାଇ ଭଉଣୀଙ୍କ ମୁହଁକୁ ଚାହିଁ ମୁଁ ଘର ଛାଡ଼ିଲି ।

ଚାଲି ଚାଲି, ଦି’ ଦିନ କାଳ ନଖାଇ ନ ପିଇ, କାନ୍ଦି କାନ୍ଦି ମୋ ମୁହଁ ହାତ ଫୁଲି ଯାଇ ଥାଏ । ମୁଁ ଆସି ପହଞ୍ଚିଲି ଏଇ ଅନୁଗୁଳର ଜଗନ୍ନାଥ ମନ୍ଦିରରେ । ଭୋକରେ ପେଟ ଜଳୁ ଥାଏ । ଦିନ ପ୍ରାୟ ତିନିଟା ହେବ । ଜଗନ୍ନାଥଙ୍କ ଅବଢ଼ା ଆଉ ମା’ ବୁଢ଼ୀ ଠାକୁରାଣୀଙ୍କ ପାଖରେ ହେଉଥିବା ଭୋଗ ବଳିଗଲେ, ସେମାନେ ଭିକାରି ମାନଙ୍କୁ ଦେଇ ଦିଅନ୍ତି । କିଛି ଭିକାରି ଖାଇ ବସିଥାନ୍ତି । ଭୋକରେ ମୋତେ କିଛି ଦେଖା ଯାଉ ନଥାଏ । ସମସ୍ତେ ନିଜ ନିଜ ଠୁ ଛଡେଇ ଖାଉଥାନ୍ତି । ଭୋକ ହେଉ ଥିଲେ ବି ଭିକାରି ମାନଙ୍କ ସହ ବସି ଖାଇବାକୁ ମୋତେ ଲାଜ ଲାଗିଲା । ମୁଁ କିଛି ଦୂରରେ ଠିଆ ହୋଇ ତାଙ୍କ ଖାଦ୍ୟ ଆଡେ ଚାହିଁ ଥାଏ । କିଛି ଦୂରରେ ଗୋଟେ ପାଗେଳୀ ଆଉ ତା କୁନି ଝିଅ ବସି ଖାଉ ଥାନ୍ତି । ପାଗେଳୀ କଣ ଭାବିଲା କେଜାଣି ତା ଖାଇବା ଗିନା ଧରି ମୋ ପାଖକୁ ଆସିଲା ଆଉ ତା ହାତରେ କିଛି ଖାଦ୍ୟ ଧରି ମୋତେ ଖୁଆଇଦେଲା । ମୁଁ ଏତେ ଭୋକରେ ଥିଲି ଯେ କେତେବେଳେ ତା ହାତରୁ ମୁଁ ଖାଦ୍ୟ ଖାଇ ସାରିଥିଲି ମୁଁ ବି ଜାଣିନି । ସେଇ ଦିନଠୁ ମୁଁ ବି ଭିକାରି ଦଳରେ ସାମିଲ ହୋଇ ଗଲି ।

(ଭିକାରିର ଝିଅଟି ଭିକାରି କୋଳରେ ଢୁଳାଉ ଥିଲା । ତେଣୁ ଭିକାରିଟି ଝିଅକୁ ଶୁଏଇ ଦେଲା । ଆଉ ରାହୁଲ ଦେଇ ଥିବା କମ୍ବଳଟି ତା ଉପରେ ଘୋଡେଇ ଦେଲା । ରାହୁଲ ବି ପାହାଚରେ ବସି ପଡିଲା ଆଉ ଭିକାରିଠୁ ଅଧିକ କିଛି ଜାଣିବାକୁ ଚାହିଁଲା ।)

ରାହୁଲ -- କିନ୍ତୁ ତୋ ଠି ତ କୁଷ୍ଠ ରୋଗୀର କୌଣସି ଲକ୍ଷଣ ଦେଖା ଯାଉନି?

ଭିକାରି -- ହଁ ଆଜ୍ଞା, ମୁଁ ବି ଆଶ୍ଚର୍ଯ୍ୟ ହେଲି ଯେତେ ବେଳେ ମୋ ଠି କିଛି ବି ଲକ୍ଷଣ ଦେଖା ଗଲା ନାହିଁ । ଏଠି ମନ୍ଦିର ଆଗରେ କେତେ କୁଷ୍ଠ ରୋଗୀ ଅଛନ୍ତି । ସେମାନଙ୍କ ହାତ ଗୋଡର ଆଙ୍ଗୁଠି ଛିଡି ଛିଡି ଯାଏ ଆଉ ସେମାନେ ରକ୍ତ ପୂଜକୁ ପୋଛି ଆଙ୍ଗୁଠିରେ କନା ବାନ୍ଧି ରୁହନ୍ତି । ମୋ ଠି କୌଣସି ଲକ୍ଷଣ ଦେଖା ନଯିବାରୁ ଥରେ ସାହସ କରି ଜଣେ ଡାକ୍ତରଙ୍କୁ ଦେଖେଇଲି, ସେ କହିଲେ ମୁଁ କୁଷ୍ଠ ରୋଗୀ ନୁହେଁ । ଏଇଟା ଗୋଟେ ବୟସ ଛଉ । ତା'ପରେ ଖୁସି ହୋଇ ଗାଁକୁ ଗଲି । କିନ୍ତୁ ଗାଁରେ ମୋତେ ପୂରେଇଲେନି, କାରଣ ମୁଁ ଭିକାରି ହୋଇସାରିଥିଲି । ବାପା, ବାଡ଼ି ଧରି ମାରିବାକୁ ଗୋଡ଼େଇଲେ । ମା' ଗୋଟେ ଚେପା ଟୁଲା କଂସାରେ ଭାତ ଗଣ୍ଡେ ବାଢ଼ିଦେଲା ଆଉ କଂସାକୁ ଭିକାରୀଙ୍କୁ ଖାଇବାକୁ ଦେଲା ପରି ଆଡେଇଦେଲା । ନଖାଇ ଫେରି ଆସିଲି, ସେଇଦିନୁ ଆଉ ଗାଁକୁ ଯାଇନି । ଜଣେ ଡାକ୍ତରଙ୍କ ଗୋଟିଏ ଭୁଲ କଥା ମୋ ଜୀବନକୁ ବରବାଦ କରି ଦେଲା ଆଜ୍ଞା !"

ରାହୁଲ – ଆଛା, ତୁ ଭିକାରି ଦଳରେ ସାମିଲ ହେଲୁ, ତା'ପରେ? ରାହୁଲ ଆଶ୍ଚର୍ଯ୍ୟ ହୋଇ ପଚାରିଲା ।

ଭିକାରି -- ପାଗେଳୀ ବୁଢ଼ୀ, ତା ଝିଅକୁ ଆଉ ମୋତେ ନିଜ ଛୁଆ ପରି ପାଳିବାକୁ ଲାଗିଲା । ମୁଁ ବି ଜଗନ୍ନାଥ ମନ୍ଦିର ଆଗରେ ବସି ଭିକ ମାଗିବାକୁ ଲାଗିଲି । ଆସ୍ତେ ଆସ୍ତେ ମୁଁ ପାଗେଳୀକୁ ମୋ ମା’ ପରି ଦେଖିବାକୁ ଲାଗିଲି । ଆମେ ସେଇ ମନ୍ଦିରରେ ବସି ଭିକ ମାଗୁ, ମନ୍ଦିରରେ ଖାଉ ଆଉ ସେଇଠି ଶୋଇ ପଡୁ । ନା ଘର ଥାଏ ନା ଜାଗା । ଯିଏ ଆଗ ଗାମୁଛା ପକେଇଲା ସେ ଜାଗା ତା'ର, ଗୋଟେ ରାତି ପାଇଁ । ଏମିତି ଚାଲିଥାଏ ଜୀବନ । ସମୟ କ୍ରମ ରେ ଜାଣିବାକୁ ପାଇଲି ଯେ, ଏ ଝିଅ ବି ପାଗେଳୀର ନୁହଁ । ଅବାଂଛିତ ପିଲା ଟିକୁ କେହି ଜଣେ ରାସ୍ତା କଡରେ ଫିଙ୍ଗି ଦେଇ ଯାଇଥିଲା । ବୁଢ଼ୀ ତାକୁ ପାଳିଛି ୭ ବର୍ଷ ହେଲା । କିଛି ବର୍ଷ ପରେ ବୁଢ଼ୀ ମରିଗଲା । ବୁଢ଼ୀର ଝିଅ ଆଉ ମୁଁ ରହିଲୁ । ଆମେ ଦି ଜଣ ଭଲ ସାଙ୍ଗ ହେଇ ଗଲୁ । ଅନ୍ୟ ଭିକାରି ମାନେ ଆମକୁ ଅଲଗା କରିଦେଲେ । ଆମେ ଏକାଠି ଭିକମାଗୁ, ଏକାଠି ଖାଉ, ଏକାଠି ଶୋଉ । ସେତେବେଳେ ଦୁଇ ଜଣ ଯାକ ଯୌବନରେ ପହଞ୍ଚି ଥାଉ । ସେ ମୋ ପାଇଁ ବଞ୍ଚେ ଆଉ ମୁଁ ତା ପାଇଁ । ମନ୍ଦିରରୁ ଡାଲି ତରକାରୀ ମିଳିଲେ ସେ ମୋ ପାଇଁ ଆଣେ ମୁଁ ତା ପାଇଁ । ଆଉ କେହି ତ କଥା ବି ହୁଅନ୍ତିନି । ଆମେ ଦି ଜଣ ଆମ ଦୁନିଆଁରେ ଥାଉ । ଆସ୍ତେ ଆସ୍ତେ ଆଜ୍ଞା ତାକୁ ଭଲ ପାଇ ବସିଲି । ସେ ବି ମୋତେ ।

(ରାହୁଲ ମନେମନେ ଭାବିଲା, ଭିକାରି ହେଇ ପ୍ରେମ !! ବାଃ... )

ଭିକାରି କହି ଚାଲିଥାଏ, ଦୁନିଆଁରେ ଆମ ଦି ଜଣଙ୍କୁ ଛାଡି ଦେଲେ ଆଉ କେହି ନଥିଲେ ଆମ ପାଇଁ । କାହାକୁ କହିବୁ କାହାକୁ ପଚାରିବୁ? ସପ୍ତମ ଶ୍ରେଣୀ ରେ ସାର କହିଥିଲେ, ଗୋଟେ ଭଲ ସାଙ୍ଗ ଗୋଟେ ପାଠାଗାର ସହ ସମାନ । ସେଥିପାଇଁ ମୋର ସବୁଠୁ ଭଲ ସାଙ୍ଗ ଆଉ ଗୋଟିଏ ବୋଲି ସାଙ୍ଗକୁ ବାହା ହେଇ ପଡିଲି ।

ରାହୁଲ -- ତମେ ତେବେ ବାହା ହେଇଛ? କେଉଁଠି? ସେଇ ମନ୍ଦିରରେ?

ଭିକାରି -- ଭିକାରିର ବାହାଘର କ'ଣ ଆଜ୍ଞା ! ଆମକୁ ମନ୍ଦିରରେ କିଏ ପୁରେଇବ? ଦି ଜଣ ଏକାଠି ରହିଲୁ । ଯୌବନ ଆଜ୍ଞା, କିଛି ଦେଖେନି । ସେ ମୋତେ ଆଉ ମୁଁ ତାକୁ ଭରସା କଲି ବାସ, ଆଉ କଣ ଦରକାର? ମୋତେ ଆଉ ମନ୍ଦିର ବେଢାରେ ରହିବାକୁ ଭଲ ଲାଗିଲା ନାହିଁ । ମୁଁ କାଠ, ବାଉଁଶ, ଭଙ୍ଗା ଟିଣ, ପଲିଥିନ ସବୁ ସଂଗ୍ରହ କରି ମନ୍ଦିର ବାହାରେ ନାରଣସାଗର ପାଖରେ ଥିବା ଗୋଟେ ସରକାରୀ ଜାଗାରେ ମୁଣ୍ଡ ଗୁଞ୍ଜି ରହିବା ପାଇଁ ବଖୁରିଆ ନୁଆଁଣିଆ ଚାଳିଆ ଖଣ୍ଡେ କଲି । ସେଠାରେ ରହିଲୁ ଆମେ । କିଛିଦିନ ପରେ ସେ ମା’ ହେଲା । ସେଇ ଚାଳିଆରେ ସେ ଏଇ ଝିଅଟିକୁ ଜନ୍ମ ଦେଲା । ବାପା ମା’ ଛୁଆ ତିନି ଜଣ ରହିଲୁ ସେଠି । ମନ୍ଦିର ଆଗରୁ ଭିକ ମଗା ପଇସା ନ ଅଣ୍ଟିବାରୁ ମୁଁ ବାହାର ଗାଁକୁ ଭିକ ମାଗି ଯାଏ ଆଉ ମୋ ସ୍ତ୍ରୀ ଆଉ ଝିଅ ମନ୍ଦିର ଆଗରେ ଭିକ ମାଗନ୍ତି ।"

ଭିକାରି ପାଖରେ ଥିବା ମଳିଛିଆ ବୋତଲରୁ ପାଣି ମୁନ୍ଦେ ପିଇଲା ଆଉ ପୁଣି ଥରେ କହି ଚାଲିଲା," ଭଲରେ ଭଲରେ ଚାଲିଥିଲା ଆଜ୍ଞା, ଆସ୍ତେ ଆସ୍ତେ ମୁଁ ପୁରୁଣା ସାଇକଲ ଖଣ୍ଡେ ଟଙ୍କା ଦୁଇଶହ ଦେଇ କିଣିଲି ଆଉ ଦୂର ଗାଁକୁ ଭିକ ମାଗିବାକୁ ଗଲି । ଝିଅ ଆଜ୍ଞା ବଡ ହେଉଥାଏ । ବଡ ଆଶା ଥାଏ, ତାକୁ ପାଠ ପଢ଼େଇବି । ସେଠି ପାଇଁ ବେଶି ବେଶି ପରିଶ୍ରମ କଲି । ସାଇକଲରେ ଗୋଟେ ଗୋଟେ ଦିନରେ ଦୁଇ-ତିନିଟା ଗାଁରେ ବୁଲି ଭିକ ମାଗେ । ଝିଅକୁ ଚାରି ବର୍ଷ ହେଲା ପରେ ଗୋଟେ ସ୍କୁଲରେ ତା ନାଁ ଲେଖେଇଦେଲି । ଝିଅ ପ୍ରଥମରେ ପଢୁଛି ଆଜ୍ଞା ।

ରାହୁଲ -- ହେଲେ ତମ ଘର କେମିତି ପୋଡ଼ିଲା ?

ଭିକାରି -- ସେଦିନ ରାତିରେ କିଛି ଲୋକ ପୋଖରୀରୁ ମାଛ ଚୋରି କରିବାକୁ ଆସିଲେ । ୟା ମା, ବାହାରକୁ ପରିସ୍ରା ଆସିଥାଏ । ସେ ଲୋକ ମାନଙ୍କୁ ଦେଖି ଦେଲା । ସେ ଲୋକ ମାନେ ବି ତାକୁ ଦେଖିଲେ । କାଳେ ସକାଳୁ କାହାକୁ କହିଦେବ, ସେଥି ପାଇଁ ରାତିରେ ହିଁ ମୋ ଘରେ ନିଆଁ ଲଗେଇ ଦେଲେ । ମୋ ସ୍ତ୍ରୀ ପୋଡି ହେଇଗଲା ବେଳେ ସେଇ ଲୋକ ମାନଙ୍କୁ ହିଁ ସମ୍ପୁ (ଗାଳି କରିବା) ଥିଲା । ପରେ ଡାକ୍ତର ଖାନାରେ ବି ସେକଥା କହିଲା । ଦି’ ଦିନ ପରେ ବୁଢ଼ୀ ମରିଗଲା ଆଜ୍ଞା । ସେଇ ଦିନୁ ଆମେ ଦି ଜଣ ଏଠିକି ପଳେଇ ଆସିଲୁ । କହିସାରି ଭିକାରିଟି ଲୁହ ପୋଛିଲା ।

ହଠାତ ରାହୁଲର ମୋବାଇଲ ରିଙ୍ଗ ହେଲା । ସକାଳ ହୋଇ ସାରିଥିଲା । ରାହୁଲର ମା’ ଫୋନ କରିଥିଲେ । ରାହୁଲ ଫୋନ ଉଠେଇ କହିଲା, “ହଁ, ମୁଁ ଷ୍ଟେସନରେ ଅଛି । ବାହାରୁଛି ଏବେ । ଅଧ ଘଣ୍ଟେରେ ପହଞ୍ଚିବି ଘରେ ।”

ଫୋନଟା ପକେଟରେ ରଖିଲା ବେଳେ ହାତ ସିଗାରେଟ ପ୍ୟାକେଟରେ ବାଜିଲା ।

ରାହୁଲ, କହୁ କହୁ କହିଦେଲା - ତୁ ସିଗାରେଟ ଟାଣୁ? ଚାଲ ଯିବା ବାହାରକୁ ।

ଭିକାରି -- ସିଗାରେଟ ଟାଣିବାକୁ ପଇସା କୁଆଡୁ ପାଇବି ବାବୁ । ବେଳେବେଳେ ବିଡି ଖଣ୍ଡେ ଖଣ୍ଡେ ଟାଣେ ।

ରାହୁଲ -- ହଉ ଚାଲ, ଯିବା ବାହାରକୁ ।

ରାହୁଲ ବସିବା ଜାଗାରୁ ଉଠିଲା ଆଉ ତା ବ୍ୟାଗ ଧରି ଆଗେଇଲା । ପଛେ ପଛେ ଭିକାରି ବି ବାହାରକୁ ଆସିଲା ।

ବାହାରକୁ ଆସି ରାହୁଲ ଖଣ୍ଡେ ସିଗାରେଟରେ ନିଆଁ ଲଗେଇଲା ଆଉ ଭିକାରିକୁ ବି ଗୋଟେ ସିଗାରେଟ ଦେଲା ।

ସିଗାରେଟ ଟାଣିଲା ଭିତରେ ରାହୁଲ ଚିନ୍ତା କରୁଥାଏ, ୟା’କୁ କିଛି ଟଙ୍କା ସାହାର୍ଯ୍ୟ କଲେ ଭଲ ହେବ । ବିଚରା କେତେ କଷ୍ଟ ରେ ଅଛି । ଝିଅ ପାଇଁ ଫ୍ରକ ଗୋଟେ ବି କିଣି ପାରୁନି । ଖାଇବାକୁ ବି ପଇସା ନାହିଁ ।

ରାହୁଲ ପାଖ ଦୋକାନରୁ କିଛି ପାଉଁରୁଟି ଆଉ ଘୁଗୁନି କିଣି ଝିଅ ଖାଇବା ପାଇଁ ଦେଲା । ନିଜ ପର୍ସ ବାହାର କରି ଦୁଇ ହଜାର ଟଙ୍କା ତା ହାତରେ ଦେଲା । ଆଉ କହିଲା ଆଜି ବଜାରକୁ ଯାଇ, ଝିଅ ପାଇଁ ଭଲ ଡ୍ରେସ ଗୋଟେ ଦୁଇଟା କିଣି କି ଆଣିବୁ । ଆଉ ତା ପାଇଁ ସାବୁନ ଖଣ୍ଡେ ଆଉ ତେଲ ବି ଆଣିବୁ । ହେଲା !!

ପଇସା ପାଇ ଭିକାରିଟି କାନ୍ଦ କାନ୍ଦ ହୋଇଗଲା । ରାହୁଲ ତା ଆଖିରେ କୃତଜ୍ଞତାର ଅଶ୍ରୁ ଦେଖି ପାରିଲା । ଭିକାରି ହାତ ଯୋଡି ରାହୁଲକୁ ମୁଣ୍ଡିଆ ମାରିଲା । ରାହୁଲ ତା କାନ୍ଧରେ ହାତ ରଖି କହିଲା," ଥାଉ, ଯା’, ଝିଅ ସିଆଡେ ଏକା ଅଛି ।" ଆଉ ଅଟୋ ଧରି ଘରକୁ ବାହାରିଲା ।

ପରଦିନ...

ରାହୁଲକୁ ଇଚ୍ଛା ହେଲା ଥରେ ଯାଇ ସେ କୁନି ଝିଅ ଟିକେ ଦେଖି ଆସିବ । ନୂଆ ଡ୍ରେସରେ ଝିଅଟି ବହୁତ ସୁନ୍ଦର ଦେଖା ଯାଉଥିବ । ରଜରେ ଝିଅ ମାନେ ନୂଆ ଡ୍ରେସ ପିନ୍ଧି ଖୁସିରେ କୁରୁଳିଲା ପରି ସେ ବି ଖୁସିରେ ନାଚି ଯାଉଥିବ ।

ସକାଳୁ ସକାଳୁ ସେ ଗାଧୋଇ ପାଧୋଇ, ଡ୍ରେସ ପିନ୍ଧି ବାହାରି ପଡିଲା । ମା’ କହିଲେ, ଚା’ ଟିକେ ପିଇ ଦେଇ ଯାଆ । ମା'ଙ୍କ ହାତରୁ ଚା’ କପ ନେଇ ସେ ଚୌକିରେ ବସି ପଡିଲା । ଟି-ପଏ ଉପରେ ପଡିଥିବା ଦୈନିକ ଖବରକାଗଜ ଉପରେ ଟିକେ ଆଖି ବୁଲେଇ ଆଣିବାର ଲୋଭ ସମ୍ବରଣ କରି ନପାରି ଖବରକାଗଜଟିକୁ ଉଠେଇ ଆଣିଲା । ଦ୍ଵିତୀୟ ପୃଷ୍ଠାଟିକୁ ଆଡଉ ଆଡଉ, ତା ଆଖି ଗୋଟେ ଜାଗାରେ ଅଟକି ଗଲା । ଖବରଟିକୁ ସେ ଗୋଟେ ନିଶ୍ୱାସରେ ପଢି ଗଲା । ସେଥିରେ ଲେଖା ଥିଲା -

ଅନୁଗୁଳ ଷ୍ଟେସନରୁ ଲୁଟେରା ଗିରଫ

ଅନୁଗୁଳ,୨୯/୧୨, କାଲି ସକାଳୁ ଅନୁଗୁଳ ଷ୍ଟେସନରୁ ଏକ ଲୁଟେରାକୁ ଗିରଫ କରା ଯାଇଛି । ଲୁଟେରା ସହ ଗୋଟେ ୫-୬ ବର୍ଷର ଝିଅକୁ ବି ଉଦ୍ଧ।ର କରା ଯାଇଛି । ଲୁଟେରାର ପ୍ରକୃତ ନାମ ଆଉ ସେ କେଉଁଠିକାର ବାସିନ୍ଦା, ଜାଣିବା ପାଇଁ ପୁଲିସ ଅଧିକ ତଦନ୍ତ ଚଳାଇଛି । ଛୋଟ ଝିଅଟିକୁ ସେ କେଉଁଠୁ ଚୋରି କରି ଆଣିଥିବା ସନ୍ଦେହ କରା ଯାଉଛି । ଝିଅଟିର ନା ରିନୁ ଆଉ ବାପା ନା ମଣ୍ଟୁ ପାଇକରାୟ ବୋଲି ଜଣା ପଢିଛି, କିନ୍ତୁ ତା ଗାଁ ବିଷୟରେ ସେ କିଛି କହି ପାରୁନି ।

ସୂଚନା ଯୋଗ୍ୟ ଯେ, ୨୮ ତାରିଖ ସକାଳୁ ଅନୁଗୁଳ ଷ୍ଟେସନରେ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ, ଗୋଟେ ଛୋଟ ଝିଅ ମିଲିଟାରୀ କମ୍ବଳ ଘୋଡ଼ି ହୋଇ ଏକା ଶୋଇ ଥିବାର ଦେଖି ପୋଲିସକୁ ସନ୍ଦେହ ହେଲା । ଏ ସମୟରେ ଝିଅଟିର ମୁଣ୍ଡ ତଳେ ଥିବା ଗୋଟେ ବୁଜୁଳିରୁ ମୋବାଇଲ ରିଂ ହେବାର ସାଉଣ୍ଡ ଆସିଲା । ଝିଅଟିକୁ ଉଠେଇଲା ପରେ, ସେ ଏକ ଭିକାରିର ଝିଅ ପରି ଦେଖା ଯାଉଥିଲା । ଚିରା ଡ୍ରେସ ପିନ୍ଧି ଥିଲା । ପୋଲିସକୁ ଦେଖି ହଡ଼ବଡେ଼ଇ ଯାଇ ସେ କହିଲା ଯେ ସେ ଚୋର ନୁହଁ । ଗୋଟେ ଲୋକ ତାକୁ ଚୋରି କରି ଆଣି ଭିକ ମାଗିବାକୁ ବାଧ୍ୟ କରୁଛି ଆଉ ତାକୁ ବାପା ନଡାକିଲେ ମାରି ଦବ ବୋଲି କହିଛି । ପୋଲିସ ହୁସିଆରରେ ଝିଅକୁ ଛାଡି ସେ ଲୋକକୁ ଅପେକ୍ଷା କରି ପାଖା ପାଖି ଜାଗାରେ ଲୁଚି ବସିରହିଥିଲେ । ଲୋକଟି ଆସିବା କ୍ଷଣି ତାକୁ କାବୁ କରି ନେଲେ । ଲୁଟେରା କିଛି ଦିନ ହେଲା ଅନୁଗୁଳ ଷ୍ଟେସନକୁ ଆସିଥିଲା । ସେ ରାତିରେ ଯିବା ଆସିବା ଯାତ୍ରୀ ଆଉ ଟ୍ରେନରୁ ଚୋରି କରୁଥିଲା । ଦିନରେ, ପୋଡା ଦାଗ ଥିବା ଷ୍ଟିକର ହାତ ଗୋଡ଼ରେ ଲଗାଇ ଝିଅ ସହ ଭିକ ମାଗୁଥିଲା । ରାତିରେ ଟ୍ରେନ ରହିବା କ୍ଷଣି ସେ ବଗି ଭିତରେ ପଶି ଶୋଇଥିବା ଯାତ୍ରୀ ମାନଙ୍କ ଠାରୁ ପର୍ସ, ମୋବାଇଲ, ସୁନା ଚେନ ଚୋରି କରୁଥିଲା ଆଉ ଟ୍ରେନ ଛାଡିବା ପୂର୍ବରୁ ଓ଼ଲ୍ଳେହି ଯାଉଥିଲା । ତା ପାଖରୁ ୧୫ଟି ମୋବାଇଲ, ନଗଦ ୧୭୦୦୦ ଟଙ୍କା, ଦୁଇଟି ସୁନା ଚେନ ଉଦ୍ଧାର କରା ଯାଇଛି । ଲୁଟେରାକୁ ଜେଲ ହାଜତକୁ ପଠାଇ ଦିଆ ଯାଇଛି ଆଉ ଝିଅଟିକୁ, ତା ବାପା ମାଙ୍କ ପରିଚୟ ମିଳିବା ଯାଏ ମାଳତୀ ଚୌଧୁରୀ ଆଶ୍ରମରେ ରଖିବାର ବ୍ୟବସ୍ତା କରା ଯାଇଛି ।

ଖବରକାଗଜରେ ଦିଆ ଯାଇଥିବା ଫୋଟୋରେ ରାହୁଲର ମିଲିଟାରୀ କମ୍ବଳ ଆଉ ଚାରିଟି ପାଞ୍ଚଶହ ଟଙ୍କିଆ ନୋଟ ରାହୁଲକୁ ମୁଲୁମୁଲୁ କରି ଚାହିଁ ରହିଥିଲେ…….

ସେପଟେ ଟି-ପଏ ଉପରେ ରଖା ଯାଇଥିବା ଚା ଥଣ୍ଡା ହେବାରେ ଲାଗିଥିଲା .....।

ସୁବଳ ମହାପାତ୍ର

ଖଲାରୀ, ଅନୁଗୁଳ, ଓଡିଶା

ରାହୁଲ ଭିକାରି ବାପା

Rate the content


Originality
Flow
Language
Cover design

Comments

Post

Some text some message..