Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଏ ବି ନାରୀର ଏକ ରୂପ
ଏ ବି ନାରୀର ଏକ ରୂପ
★★★★★

© Kanaka barddhan Sahu

Inspirational

6 Minutes   7.5K    24


Content Ranking

 ଦ୍ୱାଦଶ କିରଣର ଅଧୀଶ୍ଵର ଅସ୍ତହେବାରେ ବ୍ୟାକୁଳ। ଗାଁ ମୁଣ୍ଡରେ ଗୋମାତାଙ୍କ ହମ୍ମାରଡ଼ି ଏହାକୁ ଆହୁରି ସ୍ପଷ୍ଟକରେ। ଏତିକିବେଳେ ଗାଁ ମୁଣ୍ଡର ବାଗିଆ ଚା' ଦୋକାନରେ ଜଗଜୀବନ ମିଶ୍ର ଓ ରାମନାଥ ସାହାଣୀ ନାଲିପାଣିକୁ ପାଟିରେ ଦେଉଦେଉ ସାହାଣୀ କହିଲେ- 

      ''ଜାଣିଛ ମିଶ୍ରେ !ଭଗବାନଙ୍କ ସୃଷ୍ଟି ବଡ଼ ବିଚିତ୍ର।ଏଠାରେ ଥିବା ପ୍ରତ୍ୟେକ ଜିନିଷ ଓ ମୁହୂର୍ତ୍ତ ବୈଚିତ୍ର୍ୟକୁ ହିଁ ବହନ କରିଛି।ଏହି ବୈଚିତ୍ର୍ୟକୁ ବୁଝିବା ସହଜ ନୁହେଁ.. କି ,ଏହାକୁ ଛାଡ଼ି ବଞ୍ଚିବା ସମ୍ଭବ ନୁହେଁ।ଏଇ ଦେଖୁନ ବିବାହର କଥା ।ପ୍ରତ୍ୟେକ ଜୀବର ସୃଷ୍ଟି ଅନ୍ୟ ଉପରେ ନିର୍ଭର ନ କରି ନିଜେ ନିଜେ କରିପାରିବା ଭଳି ଶକ୍ତି ଦେଇପାରିଥାନ୍ତେ କିନ୍ତୁ; ଜୀବର ସୃଷ୍ଟି ପାଇଁ ଜଣେ ଅନ୍ୟ ଜଣକ ଉପରେ ନିର୍ଭର କରିବା ତାଙ୍କର ଏକ ବୈଚିତ୍ର୍ୟ ନୁହେଁ କି ?ପୁଣି ତା ଉପରେ ଆମପରି ଦି ଗୋଡ଼ିଆ ମଣିଷମାନଙ୍କ ଭିତରେ ଏ ବିବାହ ରୂପକ ପ୍ରଥା।" "ହଁ' ଯେ, ଆଜି ଏକଥା କେମିତି ମନେପଡ଼ିଲା, ମୁଁ ତ ଜାଣିପାରୁନି ?-କହିଲେ ମିଶ୍ରବାବୁ।"

       ସାହାଣୀ ଆରମ୍ଭ କଲେ- "ଏଇ ଆମ ଦେବୁ ମାଝୀ କଥା ପରା।" "ଦେବୁ ମାଝୀ ! କ'ଣ ହେଲା କି ?ତାର ବିବାହ ଠିକ୍ ହୋଇଥିଲା ନା !ଏବେ ଆଉ କ'ଣ ହେଲା କି ?" ମିଶ୍ରବାବୁଙ୍କ ପ୍ରଶ୍ନ। ତୁମେ ତ ଆଗରୁ ଜାଣ ଦେବୁର ଗୁଣ ଯାକ,ଗୋଟାପଣେ ସୁନାପିଲା। ଜନ୍ମର ତିନି ବର୍ଷରେ ଦଇବ ତା ବାପାଟା କୁ ନେଇ ବାପଛେଉଣ୍ଡ କଲା।ବିଧବା ହୋଇ ମଧ୍ୟ ତା' ମାଆ ବହୁ ଦୁଃଖ କଷ୍ଟ ସହି ଅତି ଯତ୍ନରେ ଦେବୁକୁ ପାଳିଛି ।ବିଧବା ମାଆ ସାଥେ ଆସନ୍ନ ମୃତ୍ୟୁ ନିକଟବର୍ତ୍ତୀ ଜେଜେମା ଙ୍କୁ ନେଇ ଦେବୁର ସଂସାର ।କେବେ ମଧ୍ୟ ବାପାଙ୍କ ସ୍ନେହର ଆବଶ୍ୟକତା ଅନୁଭବ କରିନି ମାଆ ର ସ୍ନେହରେ ।ଭାଗ୍ୟକୁ ଆଦରି କର୍ମକୁ ଗୁରୁ କରି ଆଗକୁ ଚାଲିଲା ।

      ଦେବୁର ଶିକ୍ଷାଗତ ଯୋଗ୍ୟତା ଏଇ ଦଶମ ।ତା' ମାଆର କେତେ ବା ଆୟ ଯେ ତାକୁ ଉଚ୍ଚଶିକ୍ଷା ଦେଇଥାନ୍ତା ।ଗାଁ ସ୍କୁଲରେ ଦଶମ ଶ୍ରେଣୀ ଯାଏ ପଢ଼ିଥିଲା ।ଆଗକୁ ବଢ଼ିବାର ସ୍ବପ୍ନ ଦେଖିବା ବେଳେ ତାଙ୍କର ଆଶ୍ରା ଥିବାର ଦାଦା ଉପରେ ଅକାଳ ଚଡକ ।ଦାଦାଙ୍କ ସହଧର୍ମିଣୀ ଉଷାଦେବୀ କଳିକରି ଘର ଛାଡ଼ିଲା ପରେ ସେ ପ୍ରାୟ ଅର୍ଦ୍ଧ ପାଗଳ,ପୁଣି ତା' ସାଥିରେ ଉଷା କରିଥିବା କେସର ପିଟିସନ ।ଏଇ ପରିବେଶରେ ଦେବୁ ଆଗକୁ ପାଠ ନ ପଢ଼ି ପାରିବାରିକ ବୋଝକୁ ମୁଣ୍ଡେଇ ନେଲା ।କାରଣ,ଯେ ଦୁଃଖ ଭୋଗିଛି ସେ ହିଁ ଜାଣେ ।ଯେଉଁ ବୟସରେ ଖୁସିମଜାରେ ସାଙ୍ଗସାଥି ସହ ରହନ୍ତି, ସେହି ବୟସରେ ଦେଶବିଦେଶ ଗଲା ।ମୁଣ୍ଡଝାଳକୁ ତୁଣ୍ଡେମାରି ବିକାଶ ପଥରେ ପାଦ ବଢ଼େଇଲା ।ମନରେ ନୂଆ ନୂଆ ଆଶା ।ଅନେକ ରଙ୍ଗୀନ ସ୍ବପ୍ନର ବନ୍ୟା ଆସି ବେଦନାବିଦ୍ଧ ମନକୁ ଉତ୍ସାହିତ କରୁଥାଏ ।ଗାଁକୁ ଫେରି ଚାଳଛପର ଘରକୁ ଇଟା ପଥର ଦେଇ ସୁନ୍ଦର ଘରଟିଏ ତିଆରି ଦେଇଛି ଯେ ମନକିଣି ନିଏ ।ଗାଁରେ ପାଣିର ଅଭାବ ହେତୁ ନଈରୁ ଦିଆଯାଉଥିବା ସରକାରୀ ପାଇପରୁ ଗୋଟିଏ ଘରକୁ ନେଇଛି ଯେ ,ପାଣିର ଅସୁବିଧା ନାହିଁ ।

      ସମୟ ଓ ଜୁଆର ଯେ କାହାରିକୁ ଅପେକ୍ଷା କରେ ନାହିଁ ଏକଥା ସତ ।ଦିନକୁଦିନ ଜେଜେମାଙ୍କ ଅବସ୍ଥା ସାଙ୍ଘାତିକ ହେବା ସହ ଶେଷକୁ ମାଆ ମଧ୍ୟ ବୟସର ଅପରାହ୍ନରେ ଉପନୀତ ହେଲେ ।ଘରେ ନିଜକୁ ନେଇ ଚାରିଜଣ ସଦସ୍ୟ ।ଘରର ଆୟ କେବଳ ଦେବୁର ।ସେଥିରେ ବେଶୀ ଅସୁବିଧା ନାହିଁ ।ହେଲେ କାମକୁ ଗଲେ ଘର କଥା ବୁଝିବ କିଏ ?ତଥାପି ଯଥା ସମ୍ଭବ ଘରକାମ ସାରି କାମକୁ ଯାଏ ।ବୟସ ଆସି ହେଲାଣି ତେଇଶ ବର୍ଷ ।ଉଦ୍ଦାମଯୌବନର ଆବିର୍ଭାବ ହେତୁ ତା'ର ଶରୀର କାମଦେବଙ୍କୁ ଈର୍ଷାନ୍ୱିତ କରିବାରେ ବେଶ୍ ଦକ୍ଷ ।ସୁକୋମଳ ଶରୀର ଭିତରେ ଅଛି ସୁଖଦୁଃଖ ବୁଝିଥିବା ଏକ ଶାନ୍ତ ମନ ।ପରିବାରର ସ୍ଥିତିକୁ ନେଇ ବିଚାରକଲା ଦେବୁ ଯେ,ସେ ଦି'ହାତ ହେବାର ବେଳ ବୋଧେ ନିକଟବର୍ତ୍ତୀ ।ଏ ଦୁନିଆରେ କେବଳ ଲୋକେ ଅନ୍ୟର ଦୁଃଖ ଦେଖିବାକୁ ଭଲପାଆନ୍ତି, ସାହାଯ୍ୟ କରିବାକୁ ନୁହେଁ ।କିନ୍ତୁ ତା' ଭିତରେ କେହିଜଣେ ନିଶ୍ଚେ ଥାଆନ୍ତି ଅନ୍ୟର ଦୁଃଖକୁ ଦୂରେଇବାକୁ ଚେଷ୍ଟା କରନ୍ତି ।ଶୁଭଙ୍କର ମହାନ୍ତି ସେହିପରି ଜଣେ ମଣିଷ ଦେବୁର ଜୀବନରେ ।ଦେବୁର ଭଲ ସାଙ୍ଗ,ବୟସ ପଚିଶି ।ସେ ଦେବୁ ବାହାଘରର ସବୁ କାମରେ ଅଣ୍ଟା ଭିଡ଼ିଛି ।ହେଲେ ବିବାହ ପାଇଁ ଆବଶ୍ୟକ କନ୍ୟାଟିଏ ।

      କାହାପାଇଁ କୋଟିଏ ଟଙ୍କାର ମୂଲ୍ୟ ନଥିଲା ପରି ମନେହେଲା ବେଳେ କାହାପାଇଁ ଗୋଟିଏ ଟଙ୍କାର ମୂଲ୍ୟ କୋଟିଏ ହୋଇଯାଏ ।ଆଜି ଦେବୁର ଜୀବନେ ମଧ୍ୟ ଠିକ ଏକ ଟଙ୍କାର ମୂଲ୍ୟ କୋଟିଏ ଟଙ୍କା ଠାରୁ ଅଧିକା ।ସେ ତା'ର ଆପଣାର ଆୟରୁ ପରିବାରକୁ ପାଳନ କରି ବାହାଘର ପାଇଁ କିଛି ଟଙ୍କା ରଖିଥିଲା ।ହେଲେ ଆଜିର ଦିନରେ ସେତକ ହେବ କି ବୋଲି ମନଊଣା କରିବାରୁ ବାକିତକ ମୁଁ ବୁଝିବି ବୋଲି ଶୁଭଙ୍କରର ମୁଖନିସୃତ ବାଣୀ ଟିକକ ଶତ ସିଂହର ବଳ ଦେଇଛି ଦେବୁକୁ ।ଆରମ୍ଭ ହେଲା କନ୍ୟା ଖୋଜା ।ଦେବୁର ପାରିବାରିକ ଅସୁବିଧା ସହ ଗରିବତା ଟିକେ ବାଧା ଦେଇଛି ଏହି କାର୍ଯ୍ୟରେ ।ଏତିକି ଭିତରେ ପାଖ ଗାଁର କିଶୋର ମାଝୀଙ୍କ ଝିଅ ଗଙ୍ଗା ସହିତ ବିବାହର ପ୍ରସ୍ତାବ ପଡ଼ିଲା ।ଗଙ୍ଗାର ବୟସ ମାତ୍ର ଊଣେଇଶ ।କୁହାଯାଏ ନାଆଟିରୁ ଲୋକର ପରିଚୟ ମିଳେ;ଏକଥା କିନ୍ତୁ ଗଙ୍ଗାଠାରେ କାର୍ଯ୍ୟକାରୀ ହୋଇନାହିଁ ।ତା'ର ଏକ ବିଶିଷ୍ଟ କର୍ମ ପାଇଁ ଘରର ଅନ୍ୟ ସଦସ୍ୟ ଭଲପାଆନ୍ତି ନାହିଁ କି ଗାଁ ଲୋକେ ମଧ୍ୟ ପସନ୍ଦ କରନ୍ତି ନାହିଁ ।ଅତ୍ୟାଧୁନିକ ଯୁଗରେ ସାଧାରଣ ଘଟଣା ରୂପେ ଗ୍ରହଣ କରି ନେଇଥିବା ଚୋରା ପୀରତିରେ ସେ ବେଶ ଧୁରିଣା ହୋଇଥିବା କଥା ଆଖପାଖ ଗାଁରେ ଅତ୍ୟନ୍ତ ପ୍ରସିଦ୍ଧ ।ସେ ପୁଣି ଦେବୁ ଗାଁର ଶେଷମୁଣ୍ଡରେ ଥିବା ବିଶୋଇ ଘର ପୁଅ ସହିତ ।ହେଲେ ଆଜି ସେ ସମସ୍ତଙ୍କ ଠାରୁ ପରିତ୍ୟକ୍ତ କହିଲେ ଚଳିବ ।ଏପରି ଏକ ଚରିତ୍ରକୁ ନିଜର କରି ଘରକୁ ନେବାକୁ ବାଧ୍ୟହୋଇଛି ଦେବୁ ।ତା'ର ଏକ ମାତ୍ର କାରଣ ବୃଦ୍ଧା ମା,ଶଯ୍ୟାଶାୟୀ ଜେଜେମା ଆଉ ଅର୍ଦ୍ଧପାଗଳ ଦାଦା ।

      ବିବାହ ତିଥି ଠିକ୍ ହେଲା ଆସନ୍ତା ମାଘମାସ ଶୁକ୍ଲପକ୍ଷ ଷଷ୍ଠୀରେ ।ଧୀରେ ଧୀରେ ଗୋଟି ଗୋଟି କରି ସବୁକାମ କରିବାରେ ବ୍ୟସ୍ତ ଦେବୁ ।କାରଣ ସବୁ ବୋଝ ତ ତା' ଉପରେ ।ବାହାଘରକୁ ସତର କି ଅଠର ଦିନ ରହିଲା ।ଭଲ ବାଦ୍ୟ ସହିତ ମାଟି ସମଗ୍ରୀ ପାଇଁ କୁମ୍ଭାରକୁ ମଧ୍ୟ ଟଙ୍କା ଦିଆ ସରିଛି ।ବରବେଶ ପାଇଁ ଶୁଭଙ୍କର ବାରିକ ସହିତ ସବୁ ବ୍ୟବସ୍ଥା କରିସାରିଛି ।ହସ୍ତଗଣ୍ଠି କେମିତି ନିର୍ଦ୍ଦିଷ୍ଟ ଲଗ୍ନରେ ସଠିକ ଭାବରେ ପଡ଼ିବ ସେଥି ପାଇଁ ନାମୀ ଗୋସେଇଁ ଚନ୍ଦ୍ରମଣି ନାହାକଙ୍କୁ ନିମନ୍ତ୍ରଣ କରାଯାଇଛି ।ପ୍ରଚଳିତ ଲୋକାଚାର ପାଖରେ ହାରମାନି ଏଗାର ଖଣ୍ଡ ଶାଢ଼ୀ ପ୍ରତ୍ୟେକେ ପନ୍ଦର ଶହ ଉପରେ, ସତର ଭାର ମିଠା ସହିତ କନ୍ୟାର ଆବଶ୍ୟକୀୟ ସାମଗ୍ରୀ ପୁଣି ଦି ମାଢ଼ ଓଜନ କୁ ଦି ଅଣା କମ ସୁବର୍ଣ୍ଣହାର ।ଘରେ ପାଞ୍ଚ ବନ୍ଧୁ ଅତିଥିଙ୍କ ପାଦରଜ ପଡ଼ିଲେ ଘର ସ୍ଵର୍ଗ ହୁଏ ବୋଲି ତାଙ୍କ ପାଇଁ ଭଲ ଭୋଜିଟିଏ ର ବ୍ୟବସ୍ଥା କରିଛି ।ସେଥି ଲାଗି ଭଲ ଖାସି ସହ ଶାକାହାରି ପାଇଁ ଦେଶୀ ଗାଈ ଦୁଧର ପନିର ମଧ୍ୟ ବ୍ୟବସ୍ଥା ହୋଇଛି ।ବିବାହର ପ୍ରଥମ କାର୍ଡ଼ଟି ଗାଁର ଶ୍ରୀ ଶ୍ରୀ ଦୁଃଖନାସନ ମହାଦେବଙ୍କ ପାଖରେ ଦେବା ପରେ ଅନ୍ୟମାନଙ୍କୁ ଦେଇ ନିମନ୍ତ୍ରଣ କରାଗଲା ।

       ଅନେକ ପ୍ରତୀକ୍ଷାର ବୁକୁ ଚିରି ଉପସ୍ଥିତ ହେଲା ବିବାହ ଦିନ ।ସୂର୍ଯ୍ୟଙ୍କର ନୂଆ କିରଣ ସହ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ଅଛନ୍ତି ।ଯାହାକୁ ଯେଉଁ ଦାୟିତ୍ୱ ଦିଆଯାଇଛି ସେ ସେହି କାମରେ ମାତାଲ ।ଗୋଟିଏ ପରେ ଗୋଟିଏ ବିଧି ବଢ଼ିବାରୁ ସମୟ ଜଣା ପଡୁନି ।ଶେଷରେ ବରକୁ ଧରି ବାହାରିଲେ ଗୋଧୂଳି ଲଗ୍ନରେ କନ୍ୟାଘର ଅଭିମୁଖେ ।ପାଖଗାଁ ପହଞ୍ଚିବାରେ ସମୟ ଲାଗିଲାନି ।ବେଣ୍ଡବାଜାର ତାଳେ ତାଳେ ଆମର କଲେଜ ପଢ଼ୁଆ ଉଦ୍ଧତ ଯୁବକ ଗୋଷ୍ଠୀ ଦିନିକିଆ ରଙ୍ଗପାଣି ଯୋଗୁଁ ନୃତ୍ୟରେ ମସଗୁଲ ।ଘର ପାଖେଇ ଆସିଲା ।ବର ସ୍ୱାଗତ କରାଗଲା ସସମ୍ମାନେ ।ବରକୁ ନେଇ ବିବାହବେଦୀରେ ସ୍ଥାନ ଦିଆଗଲା ।କିଛି ସମୟପରେ ଗୋସେଇଁ ନାହାକ କହଲେ- "ବରପକ୍ଷର ସାମଗ୍ରୀ ନେଇ କନ୍ୟାକୁ ସଜ କରି ଆଣ ।" ସବୁ ଜିନିଷରେ ସଜ ହେଲା ପରେ କନ୍ୟାର ରୂପ ଝଲସି ଉଠିଲା ।ଭିତର ଗୁଣ ଓ ଚରିତ୍ର ଯେତେ ଖରାପ ହେଲେ ମଧ୍ୟ ରୂପଟା ଅତୁଳନୀୟ, ମାଟି ପିତୁଳାକୁ ସଜ କରିଲେ ସେ ପୁଣି ଅପସରା ପରି ଦିଶେ ଏତ ଜୀଅନ୍ତା ମଣିଷଟେ ।ପୁଣି କଥାରେ ଅଛି -"ଯୌବନେ ମର୍କଟ ରମ୍ଭା" ।ମାଙ୍କଡ଼ ଟିଏ ମଧ୍ୟ ଯୌବନ ସମୟରେ ସ୍ୱର୍ଗର ଅପସରା ରମ୍ଭା ଭଳିଆ ଦେଖାଯାଏ ।

      ଏତିକି ବେଳେ ଭିଡ଼ ଭିତରୁ ହଠାତ କାନ୍ଦିବାର ଧ୍ଵନି ଶୁଣାଗଲା ।ଏ ଧ୍ଵନି ଶୁଣି ସମସ୍ତେ ଆଶ୍ଚର୍ଯ୍ୟ !ହେଲେ ଏଠାରେ ଆଶ୍ଚର୍ଯ୍ୟ ହେବାର କିଛିନାହିଁ ବୋଲି ଆପଣମାନେ ଭାବୁଥିବେ ।କାରଣ ବାହାଘର ବେଳେ ଏସବୁ ଅତି ସାଧାରଣ କଥା ।କିନ୍ତୁ ସେ କାନ୍ଦ ବାହାଘର ବେଳେ କାନ୍ଦିବାର କାନ୍ଦ ନଥିଲା କି କନ୍ୟାର କାନ୍ଦ ନଥିଲା ।ଏ କାନ୍ଦ ଥିଲା ବରପକ୍ଷର ଶୁଭଙ୍କର ମହାନ୍ତିର ।ଯେତେ ପଚାରିଲେ ବି କିଛି କହୁନି,କେବଳ କାନ୍ଦିବାରେ ଲାଗିଛି ।ଦେହକୁ ଆଘାତଦେଇ ମୁଣ୍ଡ ବାଡେଇ ବାଡେଇ କାନ୍ଦୁଛି ।ଦେବୁ ବ୍ୟସ୍ତ ହୋଇଯାଇଛି ।ଯାହା ହେଲେବି ଫୁଟିଲା ଫୁଲ ତ ବାସିବ ।ଜଣା ପଡ଼ିଲା ଗଙ୍ଗା ତା'ର ପୁରୁଣା ପ୍ରେମିକକୁ ଛାଡ଼ି ଆଉ ଏକ ନୂଆ ପ୍ରେମିକ ସହିତ ସୁନାଗହଣା ନେଇ ପଲେଇ ଯାଇଛି ।ସେହି ନୂଆ ପ୍ରେମିକ ଜଣକ ଆଉ କେହି ନୁହନ୍ତି; ଆମ ଶୁଭଙ୍କର ମହାନ୍ତିର ସାନ ଭାଈ ଅଭୟ ମହାନ୍ତି ।ବାହାଘରର ଆୟୁଷ ସେତିକିରେ ସରିଛି ।ସମସ୍ତେ ଯେ ଯାହାର ଘରକୁ ଫେରିଲେ ।ବର ବି ଶୂନ୍ୟ ହୋଇ ଫେରିଲା ।ଫେରୁ ଫେରୁ ମଧ୍ୟରାତ୍ରି ।ସମସ୍ତେ ଶୋଇପଡିଲେ ।ଦେବୁକୁ ନିଦ ହେଲାନି ।ପରିବାରର ଅବସ୍ଥା ସହ ସକାଳ ହେଲେ ଲୋକଲଜ୍ୟାର ଭୟକୁ ଭାବି ଶୋଇପାରିଲାନି ଦେବୁ ।ମନରେ ଅନେକ ପ୍ରଶ୍ନ ।

       ପୁଣି ନୂଆ ସକାଳକୁ ନେଇ ଦିନମଣୀ ଉଦୟ ହେଲେ।ସକାଳୁ ମାଆ ପୁଅର ମନ ମଧ୍ୟରେ ଥିବା ବେଦନାକୁ ଜାଣି ପୁଅ କଥା ଜାଣିବାକୁ ତରତର ହୋଇ ଦେବୁକୁ ଡାକିବାକୁ ଲାଗିଲେ ।ଯେତେ ଡାକିଲେ ବି ଦେବୁ ଉଠିଲାନି ।ସମୟ ସକାଳ ସାତଟା,ଶୁଭଙ୍କର ଦେବୁ ଘରେ ହାଜର । ଦେବୁ ଶୋଇଥିବା କବାଟରେ ଠକ୍ ଠକ୍ ଶବ୍ଦ କରି ଡାକିଛି- "ଦେବୁ....ଦେବୁ ....।"କିଛି ଉତ୍ତର ନ ଆସିବାରୁ ପୁଣି କହିଲା- "ଏ ଦେବୁ ଉଠୁ .....ସକାଳ ହେଲାଣି ।" ହେଲେ କୌଣସି ଉତ୍ତର ଆସିବାର ପ୍ରତୀୟମାନ ହେଲାନାହିଁ ।ଶୁଭଙ୍କରର ଦେହ କମ୍ପିବାରେ ଲାଗିଲା ଓ ସେ ଜୋରରେ କବାଟକୁ ଧକ୍କା ଦେଲା ।ପାଖ ପଡିଶା ଧାଇଁଆସିଲେ ।କବାଟ ଭାଙ୍ଗିଲା ପରେ ଦେଖିଲେ ଚେୟାରଟିଏ ତଳେ ପଡିଛି ଏବଂ ଉପରେ ଏକ ଝୁଲନ୍ତା ରସିରେ ଗୋଟେ ମଣିଷ ଶରୀର ।ଶୁଭଙ୍କର ଏସବୁ ଦେଖିଲା ପରେ ତା ଆଖିରୁ ଗଙ୍ଗାଯମୁନାର ଦୁଇ ଧାର ପ୍ରବଳ ବେଗରେ ବହିଚାଲିଛି ।ଏହା ଦେଖିଲା ପରେ ତା'ମାଆ ଆଖିରୁ ଲୁହ ବାହାରୁ ନାହିଁ;ସବୁଦିନ ପାଇଁ ଏ ବୃଦ୍ଧା ଶରୀରରୁ ବାହାରି ଯାଇଛି ପବନ ଦେବତା । କାକା ତା'ର ଏବେ ପୁରା ପାଗଳ । ସେ କହୁଛି ମୋ ଦେବୁ ଝୁଲଣାରେ ଝୁଲୁଛି ।ମୁଁ ତାକୁ ଆହୁରି ଝୁଲେଇବି ।ତୁ ଝୁଲୁ ଥା'ରେ ଦେବୁ ତୁ ଝୁଲୁ ଥା' । ଏସବୁ ଦେଖି ସମସ୍ତେ ହତବାକ ।

      ଏତା ଦୃଶ୍ୟକୁ ଦେଖି ଲୋକମାନଙ୍କ ମୁହଁରୁ ବାହାରୁ ଥିଲା-"ହଁ ,ଏ ବି ନାରୀର ଏକ ରୂପ .......।"

ଦେବୁ ଶୁଭଙ୍କର ଗଙ୍ଗା

Rate the content


Originality
Flow
Language
Cover design

Comments

Post

Some text some message..