Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Children Stories Comedy

3.1  

Writer Roja Panda

Children Stories Comedy

ଗଧ ନିଦ୍ରା

ଗଧ ନିଦ୍ରା

3 mins
362


ମୁଁ ଖୁବ ଅଲିଅଳି ଥିଲି ମୋ ବାପା ମାଆଙ୍କର । ସେଇଥି ପାଇଁ ଅଚିନ୍ତାରେ ଶୋଇପଡୁଥିଲି ଘରେ ଯେତେବେଳେ ନିଦ ଲାଗୁଥିଲା । ମୋତେ ଯେତେବେଳେ ନିଦ ଲାଗେ ମୋ ପାଇଁ ସେତେବେଳେ ଅର୍ଦ୍ଧରାତ୍ରି ।

ପିଲାଦିନେ ମୁଁ ସନ୍ଧ୍ୟା ବେଳେ ପାଠ ପଢା ସମୟରେ ଚାତକ ପରି ଚାହିଁଥାଏ କେମିତି ଟିକେ ସୁଯୋଗ ମିଳିବ ଆଉ ମୁଁ ଟିକେ ସୋଇପଡିବି । ହେଲେ ଟିକିଏ ଆଖି ପତା ପଡିଲେ ପଛରୁ କାହାର କର୍କଶ କଣ୍ଠ ସ୍ୱର ଶୁଭେ - "ଏଇ ପାଠ ପଢା ହେଉଛି ନା ! ମୁହଁ ଧୋଇ ପାଠ ପଢ଼ "। ମୁଁ ସଙ୍ଗେ ସଙ୍ଗେ ଚମକି ପଡେ ଆଉ ବାପାଙ୍କ ପାଟି ଶୁଣି ଦୌଡ଼ି ଯାଇ ଆଖିରେ ଟିକିଏ ପାଣି ମାରି ପୁଣି ପଢ଼ିବସେ । କିନ୍ତୁ ନିଦ୍ରା ଦେବୀଙ୍କୁ ନିଜ ଅଧିନସ୍ଥ କରିପାରେନି । ସେ ପୁଣି ଆସିଯାଆନ୍ତି ମାତ୍ର କେଇ କ୍ଷଣ ମଧ୍ୟରେ । ଓଃ ଏ ନିଦ ମତେ ଗାଳି ଶୁଣାଇବ ନିଶ୍ଚିତ ।

ବେଳେବେଳେ ମୁଣ୍ଡ ବିନ୍ଧୁଛି ବୋଲି କହି ସନ୍ଧ୍ୟାରୁ ଶୋଇଯାଏ । ମାସରେ ଦୁଇଥର କି ତିନିଥର ମୁଁ ସନ୍ଧ୍ୟାବେଳର ପାଠ ସବୁ ଦିନବେଳା ସାରିଦିଏ ସନ୍ଧ୍ୟାରେ ନିଦ ଆସିଯିବାର ଭୟରେ । ସବୁଠୁ ବଡ କଥା ହେଲା ମୁଁ ଯେଉଁ ଦିନ ସନ୍ଧ୍ୟାରୁ ଟିକେ ଶୀଘ୍ର ଶୋଇଯାଇଥାଏ ସେଦିନ ମାଆ ମୋର ରାତ୍ରି ଭୋଜନ ପ୍ରସ୍ତୁତ କରିସାରି ମତେ ଖାଇବାକୁ ଡାକନ୍ତି । ମତେ ନିଦରୁ ଉଠାଇବାକୁ ଚେଷ୍ଟା କରନ୍ତି । ମୁଁ ଖୁବ ଗାଢା ନିଦ୍ରାରେ ଥାଏ । ମାଆଙ୍କୁ ଭୋକ ଲାଗୁନି ,ଖାଇବିନି ବୋଲି କହିଦିଏ । ମାଆ କିନ୍ତୁ ମତେ ଉଠାଇବାକୁ ବହୁତ ଚେଷ୍ଟା କରନ୍ତି । ଶେଷରେ ମାଆ ନିଜ ଚେଷ୍ଟାରେ ବିଫଳ ହେଇ ରାତ୍ରି ଖାଇବା ବାଢି ମୋ ପାଖୁ ନେଇଆସନ୍ତି ଓ ମୁଁ ନିଦରେ ଶୋଇଥିବା ଅବସ୍ଥାରେ ମତେ ଖାସ୍ତା ପରଟା ଆଉ ଉଷୁମ ଉଷୁମ ଭଜା ଖୁଆଇ ଦେବାକୁ ପ୍ରୟାସ କରନ୍ତି । ମୁଁ ମଧ୍ୟ ସେଇ ବିଛଣାରେ ନିଦ୍ରାବସ୍ତାରେ ରହି ମୁଦ୍ରିତ ଆଖିରେ ଥରକୁ ଥର ପାଟି ଖୋଲି ମାଆଙ୍କ ହାତରୁ ସବୁତକ ଖାଦ୍ୟ ଖାଇ ସଫା କରିଦିଏ । କେତେ ଥର ମଧ୍ୟ ନିଦ ବାଉଳାରେ ମାଆଙ୍କ ଆଙ୍ଗୁଠିକୁ କାମୁଡି ପକାଏ । ମାଆ ତଥାପି ପ୍ରୟାସ ଜାରି ରଖି ମତେ ସବୁତକ ଖାଦ୍ୟ ଖୁଆଇବାରେ ସକ୍ଷମ ହୁଅନ୍ତି । ମାଆ ଏଥର ଆଶ୍ଵସ୍ତି ଲାଭ କରନ୍ତି । ମୋ ବେକକୁ ନୁଆଇଁ ମତେ ପାଣି ପିଆଇ ଦିଅନ୍ତି, ମୋ ଅଇଁଠା ମୁହଁକୁ ଧୋଇ ନିଜ ଲୁଗା କାନିରେ ମୋର ଓଦା ମୁହଁକୁ ପୋଛି ଦିଅନ୍ତି । ଶେଷରେ ମତେ ଆଉଥରେ ଶୁଆଇ ଦେଇଯାନ୍ତି । ରାତି ପାହି ସକାଳ ହୁଏ । ମୁଁ ଗତରାତିରେ ଉପାସ ଶୋଇଛି ବୋଲି ଅଳି କରେ । ମୋ ଉପରେ ପୁରା ପରିବାର ହସନ୍ତି । ମୁଁ ରାତିର ଖାଇବା କଥା ସେତେବେଳେ ସମ୍ପୁର୍ଣ୍ଣ ଭୁଲିଯାଇଥାଏ । ମତେ ମୋ ଭାଇ ଆଉ ଭଉଣୀ ରାତିର ଘଟଣା ସବୁ ମନେପକାଇ ଦିଅନ୍ତି । ମୁଁ କିନ୍ତୁ ଚୋର ମୁହଁ ଟାଣ ପରି ବ୍ୟବହାର କରୁଥାଏ । ମୁଁ ଗତରାତିରେ କିଛି ଖାଇନି ବୋଲି କହିଚାଲେ । ପ୍ରତ୍ୟେକ ମାସରେ ଦୁଇ କି ତିନି ଥର ଏମିତି ଚାଲେ । ମୁଁ ଗଧ ନିଦ୍ରାରେ ରହି ଖାଦ୍ୟ ଖାଏ ଆଉ ସକାଳକୁ ଭୁଲିଯାଇଥାଏ । 

ଅନେକ ଦିନ ପରେ କାଲି ରାତିରେ ମଧ୍ୟ ଏମିତି କିଛି ଘଟିଲା । ମୁଁ ରାତ୍ରି ଭୋଜନର ଟିକେ ପୂର୍ବରୁ ସୋଇପଡିଥିଲି । ଦିନ ଗୋଟାକର ଅକ୍ଲାନ୍ତ ପରିଶ୍ରମର ଭାରା ସମ୍ଭାଳି ନପାରି ମୋ ଆଖି ଦୁଇଟି ନିବୁଜ ଆଉ ନିସ୍ତେଜ ହୋଇ ଢାଙ୍କି ହେଇଯାଇଥିଲା । ନିଦ୍ରାର ପ୍ରକୋପରେ ପେଟର ଭୋକକୁ ମୁଁ ଅନୁଭବ କରିପାରୁନଥିଲି । ଖୁବ ଗାଢା ନିଦରେ ସୋଇପଡିଥିଲି । 

ଅନ୍ଧାର ଅପସରି ସୂର୍ଯ୍ୟାଲୋକ ଆସିଲା ପରି ମୋ ଆଖିରୁ ନିଦ୍ରା ଅପସରି ଗଲାପରେ ମୁଁ ଆଖି ମଳି ବିଛଣାରୁ ଉଠି ନିଜର ନିତ୍ୟକର୍ମ ସାରି ରୋଷେଇ ଘରେ ଯାଇ ଦେଖିଲି ରାତିର ତିଆରି ଖାଦ୍ୟ ଯେମିତି କୁ ସେମିତି ରଖାଯାଇଛି । କେହି ରାତ୍ରି ଭୋଜନ କରିନାହାନ୍ତି । କ'ଣ ଘଟିଲା କି ? ମୋ ମନରେ ପ୍ରଶ୍ନ ଉଙ୍କି ମାରିଲା । ଭୋକରେ ପେଟ ବି କାଟୁଥାଏ । କିଛି ଭୁଲ କରିଲି କି ? କେହି ନଖାଇବାର କାରଣ କଣ ହେଇଥାଇପରେ ? କିଛି ରାଗିବା, ରୁଷିବା ଭଳି ପରିସ୍ଥିତି ତ ଘଟିନି କାଲି ରାତିରେ ! ତେବେ ହେଲା କଣ ? ଚାରିଆଡେ ଏତେ ଉଦାସ କାହିଁକି ? ଆଗରୁ ତ ମୁଁ ବହୁତ ଥର ଖାଇବା ପୂର୍ବରୁ ସୋଇପଡ଼ିଥାଏ ହେଲେ କେବେ ତ ଏମିତି ପରିସ୍ଥିତି ସୃଷ୍ଟି ହେଇନଥିଲା ? ମତେ ବି କେହି ନିଦରୁ ଉଠାଇ ଖୁଆଇ ନାହାନ୍ତି ମାଆ ପରି । ଏମିତି ଗୁଡ଼ାଏ ପ୍ରଶ୍ନର ଉତ୍ତର ଖୋଜି ମୁଁ ରୋଷେଇ ଘରର ଅସଜଡ଼ା ଜିନିଷ ସବୁ ସଜାଡୁଥାଏ । ହଠାତ ଅନୁଭବ କଲି ଯେ "ଏଇଟା ମୋ ମାଆ ଘର ନୁହେଁ ଏଇଟା ପରା ମୋ ଶାଶୁଘର" ।


Rate this content
Log in