Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ମାୟାବିନୀ

ମାୟାବିନୀ

9 mins
7.2K


ବନଲତା ସିଂହ

ଖରାଦିନର ଅପରାହ୍ନ । ଅସହ୍ୟ ତାତିରୁ ରକ୍ଷା ପାଇବାକୁ ନଦୀବନ୍ଧ ଲୋକାରଣ୍ୟ । ଅସ୍ତାଚଳ ସୂର୍ଯ୍ୟଙ୍କ ରଶ୍ମିରେ ନଦୀଧାରର ଅଳ୍ପ ପାଣି ନାଲି ରଙ୍ଗରେ ରଞ୍ଜିତ ହୋଇ ବେଶ୍ ମନୋରମ ଦୃଶ୍ୟ ସୃଷ୍ଟି କରୁଛି । ଧୀର ଶୀତଳ ସମୀର ସଭିଙ୍କ ଦେହକୁ ସ୍ପର୍ଶ କରି ରୋମାଂଚ ସୃଷ୍ଟି କରି ଚାଲିଯାଉଛି ।

ନଦୀବନ୍ଧରେ ଥିବା ସିମେଂଟ ବେଂଚ୍ରେ ବସିଛନ୍ତି ଶୀତାଂଶୁ ମହାପାତ୍ର । ବିଶିଷ୍ଠ ସାହିତ୍ୟିକ, ମାଳିକା ଗବେଷକ । ଖୁବ୍ ଅଳ୍ପ ବୟସରେ ଜଣେ ଗବେଷକ ହୋଇ ସେ ସାହିତ୍ୟ ଜଗତରେ ଆଲୋଡନ ସୃଷ୍ଟି କରିଛନ୍ତି । ସବୁଠି ତାଙ୍କ ଚର୍ଚ୍ଚା । ତାଙ୍କ ପାଖରେ ଜଣେ କଲେଜ ପଢ଼ୁଆ ଯୁବକ ବସି ଭ୍ରାମ୍ୟମାଣ ଦୁରସଂଚାର ଯନ୍ତ୍ର (ମୋବାଇଲ୍) ଯୋଗେ ତାଙ୍କ କଲେଜ ସଙ୍ଗିନୀଙ୍କ ସହିତ ଗପ କରୁଥାଆନ୍ତି । କଲେଜ ଛାତ୍ରଟି ତାଙ୍କର ପ୍ରେୟସୀକୁ ଥଟ୍ଟାପୂର୍ଣ୍ଣ ଭାଷାରେ ପ୍ରଶ୍ନ ପଚାରୁଥାଆନ୍ତି.... ତୁମେ ମୋତେ ଏତେ ଭଲପାଅ? ମୋ ବିନା ତୁମେ ବଂଚି ପାରିବନି? ମୋ ସୁଖଦୁଃଖର ସାଥୀ ତୁମେ ହେବ? ସେପଟୁ କଇଁ କଇଁ ହୋଇ ଝିଅଟିର କନ୍ଦଣା ସ୍ୱର ଶୁଭୁଥାଏ । କଲେଜ ପିଲାଟି କହିଲା... ହଉ... ହଉ... ତୁମେ ଆଉ କାନ୍ଦନି । ମୁଁ ମଧ୍ୟ ତୁମକୁ ବହୁତ ଭଲପାଏ । ଆଉ କିଛିଦିନ ଗଲେ ଆମେ ଜୀବନସାଥୀ ହେବା । ତୁମେ ଅପେକ୍ଷା କର । ମୁଁ ଖଣ୍ଡେ ଛୋଟିଆ ମୋଟିଆ ଚାକିରି କରିସାରିଲେ ଆମର ବାହାଘର ହେବ । ହେଲା... ଫୋନ୍ ରଖ ।

ସବୁ ଶୁଣୁଥିଲେ ଶୀତାଂଶୁ । ସେ ଯୁବକଟିକୁ ଚାହିଁ କହିଲେ, ବାବୁ... ତୁମେ କଲେଜରେ ପଢ଼ୁଛ? ତୁମ ନାମ କ’ଣ?

ଯୁବକଟି ବିରକ୍ତ ହୋଇ ଶୀତାଂଶୁ ମୁହଁକୁ ଚାହିଁଲା । ଧଳା ଟ୍ରାଉଜର ସାଙ୍ଗକୁ ଧଳା ପଞ୍ଜାବୀ । ଆଖିରେ କଳା ଚଷମା । ହାତରେ ଖଣ୍ଡେ ବାଡ଼ି, କିନ୍ତୁ ଚେହେରାରୁ ଜଣାପଡ଼ୁଥାଏ, ସେ ପୌଢ଼; କିନ୍ତୁ ବିଦ୍ୱାନର ଆଭାସ ତାଙ୍କ ମୁଖମଣ୍ଡଳକୁ ତେଜୀୟାନ୍ କରୁଥାଏ । ଯୁବକଟି କହିଲା... ଆଜ୍ଞା... ମୁଁ ତୃତୀୟ ବର୍ଷ କଳାର ଛାତ୍ର । ମୋ ନାଁ ବଂଶୀଧର । ମୁଁ ମୋ ବାନ୍ଧବୀଙ୍କ ସହିତ କଥା ହେଉଥିଲି ।

ଶୀତାଂଶୁ ଯୁବକଙ୍କ ପିଠିରେ ହାତ ଥାପୁଡ଼ାଇ କହିଲେ... ଅତି ଉତ୍ତମ । ଆଚ୍ଛା ବଂଶୀଧର, ତୁମେ ଗୁରୁଜନଙ୍କୁ ସମ୍ମାନ ଦିଅ? ମାନେ ତାଙ୍କ କଥା ମନଦେଇ ଶୁଣ?

ଯୁବକଟି କହିଲା... ହଁ... ଆଜ୍ଞା, ମୁଁ ବଡ଼ମାନଙ୍କୁ ସମ୍ମାନ ଦିଏ ।

ଶୀତାଂଶୁ କହିଲେ.... ତେବେ ଚାଲ । ଏହି ପାଖରେ ମୋର ଘର । ସେଠାରେ ବସି ଆମେ ଟିକେ ଆଲୋଚନା କରିବା । ମାନେ ନିଜ ନିଜ ଭିତରେ, କଥାରେ... କଥାରେ ସମ୍ପର୍କ ସୃଷ୍ଟି କରିବା । କ’ଣ ତୁମେ ରାଜି?

ଯୁବକଟି ଆଗ୍ରହରେ କହିଲା... ଆଜ୍ଞା ଚାଲନ୍ତୁ । ମୋ ହାତ ଧରନ୍ତୁ । ମୁଁ ଆପଣଙ୍କୁ ଘରେ ପହଂଚାଇ ଦେବି ।

... ନାହିଁ...ନାହିଁ, ମୋର ସାହାଯ୍ୟ ଦରକାର ନାହିଁ । ମୋର ଏ ବାଡ଼ିଟି ମୋତେ ବହୁତ ସାହାଯ୍ୟ କରେ । ମୁଁ ଆଗେ ଆଗେ ଯାଉଛି... ତୁମେ ମୋ ପଛରେ ଆସ- କହି ଆଗରେ ଚାଲିଲେ ଶୀତାଂଶୁ ମହାପାତ୍ର, ଆଉ ପଛରେ ବଂଶୀଧର । ଦରଜା ଖଟ୍ ଖଟ୍ କରିବାରୁ ଜଣେ ମଧ୍ୟବୟସ୍କ ଲୋକ ଆସି ଦରଜା ଖୋଲିଲା । ଆଗରେ ଶୀତାଂଶୁ ଯାଇ ବୈଠକ ଘରେ ବସି ଯୁବକକୁ ସୋଫାରେ ବସିବାକୁ କହି, ଭାଗବତକୁ (ଚାକର) ଡାକି ଦୁଇ କପ୍ ଚା’ ଆଣିବାକୁ କହିଲେ । ଏ ଗରମରେ ବଂଶୀଧରର ଚା’ ପିଇବାକୁ ଇଚ୍ଛା ନଥିଲେ ବି ସେ ମହାଶୟଙ୍କୁ ସମ୍ମାନ କରି ଚା’କୁ ଅପେକ୍ଷା କଲେ ।

ଭାଗବତ ଯଥା ସମୟରେ ଚା’ ଦୁଇ କପ୍ ଆଣି ମେଜ ଉପରେ ଥୋଇଦେଇ ଚାଲିଗଲା । ବଂଶୀଧରକୁ ଚା’ ପିଇବାକୁ କହି ନିଜେ କପ୍ ଟିକୁ ମୁହଁ ପାଖକୁ ନେଲେ ଶୀତାଂଶୁ । ଚା’ ପିଆ ପର୍ବ ସରିଲା । ଆରମ୍ଭ କଲେ... ଶିତୁବାବୁ ଓରଫ୍ ଶୀତାଂଶୁ ମହାପାତ୍ର ନିଜର ଅତୀତର କାହାଣୀ....

ସେଦିନ ମୁଁ କଲେଜ ଯାଉଥାଏ । ଏହି ସମୟରେ ହଠାତ୍ କଳାହାଣ୍ଡିଆ ବାଦଲ ଘୋଟିଆସି ବର୍ଷିଗଲା । ପ୍ରବଳ ବର୍ଷା ଆଖପାଖରେ କେଉଁଠି ଗୋଟିଏ ଦୋକାନ ଦେଖାଯାଉ ନଥାଏ । ମୁଁ ମୋ ସାଇକେଲ୍ ଟି ଧରି ଚାରିଆଡ଼କୁ ଚାହିଁ ଦେଖିଲି ଏକ ବିରାଟ ବରଗଛ ଶାଖା ପ୍ରଶାଖା ମେଲାଇ ଠିଆହୋଇଛି, ମୁଁ କାଳ ବିଳମ୍ବ ନ କରି ଛତା ଖୋଲି ସାଇକେଲ ନେଇ ଗଛମୂଳରେ ଠିଆହୋଇଗଲି । ମୋ ପରି ମଧ୍ୟ ଅନେକ ପଥିକ ଠିଆ ହୋଇଥାନ୍ତି । ଗୋଟିଏ ସତର ଅଠର ବର୍ଷର ଝିଅଟିଏ ଦଉଡ଼ି ଆସି ସେହିଠାରେ ଠିଆହେଲା । ସେ ବର୍ଷାରେ ସମ୍ପୂର୍ଣ୍ଣ ଭିଜି ଯାଇଥାଏ । ତା’ର ବହି ବ୍ୟାଗ୍ଟିକୁ ନିଜର ଓଢ଼ଣି ତଳେ ଘୋଡ଼ାଇବାକୁ ଚେଷ୍ଟା କରୁଥାଏ । ମୁଁ ଏ ଦୃଶ୍ୟ ଦେଖି ତାକୁ ମୋ ଛତା ତଳକୁ ଡାକିଲି । ସେ ପ୍ରଥମେ ସଙ୍କୋଚ କରୁଥିଲା । ମୁଁ ବାଧ୍ୟ କରିବାରୁ ସେ ଆସି ଛତାତଳେ ଠିଆ ହେଲା । ତା’ର ବର୍ଷା ଭିଜା ପଞ୍ଜାବୀ ତଳୁ ତା’ର ଉଦ୍ଦାମ ଯୌବନ ପରିସ୍ଫୁଟିତ ହେଉଥାଏ । ସମସ୍ତଙ୍କ ଆଖି ସେଇଠି ଅଟକି ଯାଉଥାଏ । ମୁଁ ମଧ୍ୟ ସେଥିରୁ ବାଦ ଯାଇନି । ଏହି ସମୟରେ ପ୍ରଚଣ୍ଡ ନାଦରେ ଘଡ଼ଘଡ଼ି ମାରି ସେ ସ୍ଥାନଟିକୁ ଦୋହଲାଇ ଦେଲା । ସେ ଝିଅଟି ଭୟରେ ମୋତେ କୁଣ୍ଢାଇ ପକାଇଲା । ମୁଁ ଅପ୍ରତ୍ୟାଶିତ ଭାବେ ଚମକି ପଡ଼ିଲି । ସେ ପରେ ଲାଜରେ ମୋତେ କ୍ଷମା ମାଗିଲା । ମୁଁ ତାଙ୍କୁ ଇଙ୍ଗିତରେ ସାନ୍ତ୍ୱନା ଦେଲି । ସେ ଆଶ୍ୱସ୍ତ ହେଲା ।

ବର୍ଷା ଛାଡ଼ିଗଲା । ଯେଝା ବାଟରେ ଯେଝା ଚାଲିଗଲେ । ମୁଁ କିଛି କହିବା ପୂର୍ବରୁ ସେ ମୋତେ ନତମସ୍ତକରେ ଧନ୍ୟବାଦ ଜଣାଇ ଯିବାକୁ ଉଦ୍ୟତ ହେଲା । ମୁଁ ତାକୁ ପଚାରିଲି... ତୁମ ନାଁ କ’ଣ? ତୁମେ ତ ପୁରା ତିନ୍ତି ଯାଇଛ । ବର୍ତ୍ତମାନ କୁଆଡ଼େ ଯିବ?

ସେ କହିଲା... ଆଜ୍ଞା... ମୁଁ ବସାକୁ ଫେରିଯାଉଛି । ଆଉ ଆଜି କଲେଜ ଯିବିନି । ମୋ ନାଁ ନିରୁପମା ମଲ୍ଲ । ଆମ ଘର କଟକ ଜିଲ୍ଲା ଆଠଗଡ଼ରେ । ମୁଁ ବାପାମା’ଙ୍କର ଗୋଟିଏ ଝିଅ । ମୁଁ ପ୍ରଥମ ବର୍ଷ କଳା ଛାତ୍ରୀ । ଏକ ନିଃଶ୍ୱାସରେ ସେ ଏତକ କହି ସାଇକେଲ୍ ଚଳାଇବାକୁ ଯାଆନ୍ତେ... ମୁଁ କହିଲି ମୋର ପରିଚୟ... ମୁଁ ଶୀତାଂଶୁ ମହାପାତ୍ର । ମୋତେ ଶିତୁବାବୁ ଡାକନ୍ତି । ମୁଁ ଶେଷବର୍ଷ କଳା ଛାତ୍ର । ମୋର ଘର ଏହି ଟାଉନ୍ ରେ ମହାନ୍ତି ଛକରେ ।

ବାସ୍, ତା’ର ମୋର ସେଦିନ ଶେଷ ଦେଖା । ଆଉ ମୁଁ ତା’ର ଖୋଜ ଖବର ରଖିନି । ମୁଁ ମୋର ପାଠପଢ଼ାରେ ବ୍ୟସ୍ତ ରହିଲି । ପରୀକ୍ଷା ସରିଲା । ଫଳ ମଧ୍ୟ ବାହାରି ସାରିଲା । ମୁଁ ପ୍ରଥମ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖି ପାସ୍ କରିଛି ବୋଲି ଆମ ଘରେ ସମସ୍ତେ ଖୁସି । ସେଦିନ ଖରାବେଳେ ହଠାତ୍ କଲିଂବେଲ ବାଜି ଉଠିଲା । ଆମ ଘରର କେହି ଜଣେ ସଦସ୍ୟ କବାଟ ଖୋଲିଲେ । ଅପ୍ରତ୍ୟାଶିତ ଭାବେ ସେ ମୋ କୋଠରିକୁ ପଶିଆସି ମୋତେ ନମସ୍କାର କରି କହିଲା... ମୁଁ ନିରୁପମା । ଆପଣ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ବି.ଏ. ପାସ୍ କରିଛନ୍ତି ଶୁଣି ପଚାରି ପଚାରି ଆପଣଙ୍କୁ ଅଭିନନ୍ଦନ ଦେବାକୁ ଚାଲିଆସିଲି ।

ମୁଁ କହିଲି... ଯାହା ହେଉ, ବହୁତ ଭଲ କଲ । କିଛି ସମୟ କଥାବାର୍ତ୍ତା ମଧ୍ୟରେ ଭାଗବତ ଚା’ ଜଳଖିଆ ଆଣି କରି ଦେଲା । ସେ ଲାଜ କରୁଥିଲେ ମଧ୍ୟ କିଛି ଟା ଖାଇଲା । ମୁଁ ହୃଦୟ ମଧ୍ୟରେ ତା’ ଉପସ୍ଥିତିକୁ ଗ୍ରହଣ କରିପାରୁ ନଥିଲି । କାରଣ ମୁଁ ଜଣେ ଗବେଷକ । ଗବେଷଣା ହେଲା ମୋର ପ୍ରଧାନ କାମ । ଏଣୁ ମୋ କୋଠରିଟି ଭିତରପଟୁ ପ୍ରାୟ ବନ୍ଦ ରହେ । ମୁଁ ବେଶି ଗପ କରିବାକୁ ଭଲ ପାଏନି କି ଫୋନ୍ ରେ କାହା ସହିତ ଗପି ସମୟ ନଷ୍ଟ କରିବାକୁ ଭଲପାଏନି । ଏକଥା ଆମ ଘରେ ସମସ୍ତେ ଜାଣିଛନ୍ତି । ମୋର ସମ୍ପର୍କ ସାହିତ୍ୟିକ, ସାହିତ୍ୟ ଓ ବୁଦ୍ଧିଜୀବୀଙ୍କ ପାଖରେ । ମୋର କୋଠରିଟି ବହି ପତ୍ରରେ ଭରପୁର । ତାହା ମଧ୍ୟ ଇତସ୍ତତଃ ହୋଇ ପଡ଼ିଥାଏ । ସେଦିନ ନିରୁପମା ବଡ଼ ବିଚକ୍ଷଣ ବୁଦ୍ଧି ପ୍ରଯୋଗ କରି ମୋ ମୋବାଇଲ୍ ନମ୍ବରଟି ନେଇଗଲା । କାରଣ ସେ ଅନ୍ୟଠାରୁ ବୁଝି ନେଇଛି ଯେ, ମୁଁ ବେଶି ଗପ କରେନି କି ଫୋନ୍ ନମ୍ବର କାହାକୁ ଦିଏନି । ହଉ... ଏଥର ଆସୁଛି କହି ସେ ଉଠିଲା ଯିବାପାଇଁ । ମୁଁ ତାକୁ ସମ୍ମାନ ଜଣାଇ ତାକୁ ଟିକେ ବାଟେଇ ଦେବାକୁ ଆସିଲି ।

ବାଟରେ ମୋତେ କହିଲା... ଆପଣ ମୋତେ ବହୁତ ଭଲ ଲାଗନ୍ତି- କହି ସାଇକେଲ୍ ଧରି ଚାଲିଗଲା । ସମୟେ ସମୟେ ସେ ମୋ ପାଖକୁ ଫୋନ୍ କରେ । କିନ୍ତୁ ମୁଁ ଫୋନ୍ ଉଠାଏନି । ମାମୁଙ୍କ ଝିଅ ବାହାଘରକୁ ଘରେ ସମସ୍ତେ ଯାଇଥିଲେ । ମୁଁ ଘରେ ଏକା ଥାଏ । ଦିନ ତିନିଟା ସମୟ ହେବ । ସେ ହଠାତ୍ ପଶି ଆସିଲା । ମୁଁ ଗୋଟିଏ ବହିରୁ ଜରୁରୀ ଲେଖା ସଂଗ୍ରହ କରୁଥାଏ । ମୁଁ ବ୍ୟସ୍ତ ଭିତରେ ତାକୁ ଖାଲି ବସ ବୋଲି କହି ପୁଣି ମୋ କାମରେ ଲାଗିଗଲି । ମୁଁ କିଛି ସାହାଯ୍ୟ କରିବି କି? କହି ମୋର ଅତି ପାଖକୁ ପଳାଇ ଆସିଲା । ମୁଁ ତାକୁ ଟିକେ ମୁହଁ ଟେକି ଚାହିଁଲାରୁ ସେ ନିର୍ଲଜ ଭାବରେ ମୋ ଗାଲରେ ଗୋଟେ ଚୁମା ଦେଇଦେଲା । ମୁଁ ଆଶ୍ଚର୍ଯ୍ୟ ହୋଇ ତା’ ମୁହଁକୁ ଅନାଇଲି । ମୋ ରାଗ ପଂଚମକୁ ଉଠିଗଲା । ମୁଁ ବିରକ୍ତ ହୋଇ କହି ଉଠିଲି... ଏ କି ଫାଜିଲାମି? ତା’ପରେ ମୁଁ ଉଠି ଚାଲିଯିବାକୁ ବସିଲି; କିନ୍ତୁ ସେତେବେଳକୁ ମୁଁ ତା’ର ବାହୁବନ୍ଧନରେ ରହିସାରିଥିଲି । ସେ ମୋତେ କୁଣ୍ଢାଇ ଧରି ପ୍ରେମ ନିବେଦନ କରୁଥିଲା । ମୁଁ ବହୁତ ଚେଷ୍ଟା କଲି ତାକୁ ଠେଲିଦେଇ ଚାଲିଆସିବାକୁ; କିନ୍ତୁ ମୁଁ ପୁରା ଦୁର୍ବଳ ହୋଇସାରିଥିଲି । ମୁଁ ମୋ ସତ୍ତା ହରାଇ କାମ ନିଆଁରେ ଦଗ୍ଧ ହୋଇ ତା’ର ସଦୁପଯୋଗ କରିବାକୁ ବାଧ୍ୟ ହୋଇସାରିଥିଲି । କିଛି ସମୟ ପରେ ମୁଁ ଆଖି ଖୋଲି ଦେଖିଲି ସେ ସଂଯତ ହେଉଛି । ତା’ପରେ କ୍ଷମା କରିବେ କହି ପବନ ବେଗରେ ବାହାରି ଚାଲିଗଲା ।

ମୋତେ କିଛି ଭଲ ଲାଗିଲାନି । କେଉଁ କାମରେ ବି ମନ ଲାଗିଲାନି । ଏଣୁ ସବୁ ରଖିଦେଇ ଆସି ଶୋଇଲି । ନିଦ ମଧ୍ୟ ହେଲାନି; କିନ୍ତୁ ଆଖି ବୁଜି ତା’ରି କଥା ଭାବିଲି । ‘ନିରୁପମା’ କିଏ, ସେ ? ଏହି ରହସ୍ୟମୟୀ ଝିଅ? ଅଦିନିଆ ମେଘ ପରି ଉଉଁଛି ତ ବର୍ଷୁଛି । ସେ ମୋର କ୍ଷତି କରିବାକୁ ଚାହୁଁନି ତ? ପ୍ରଳୟଙ୍କାରୀ ହୋଇ ମୋତେ ନେଇ ସମୁଦ୍ରରେ ବୁଡ଼େଇ ଦେବନି ତ? ମୁଁ ଜାଣେ ନାରୀ, ମାଆ, ଭଗିନୀ, ସଙ୍ଗିନୀ ପୁଣି ସହଧର୍ମିଣୀ । ତା’ପରେ ତା’ର ଆଉ ଗୋଟେ ରୂପ, ସେ ମାୟାବିନୀ । ଏ ଝିଅଟା ସେଇଆ ନୁହେଁ ତ? ମୋତେ ଭାରି ଭୟ ଲାଗୁଥାଏ । କିନ୍ତୁ ମୁଁ ତା’ର ମାୟାଜାଲରେ ପଡ଼ିଗଲି ।

ମୁଁ ଧୀରେ ଧୀରେ ତାକୁ ଏତେ ଭଲ ପାଇ ବସିଲି ଯେ, ତା’ ଓଠର ଚେନାଏ ହସ ମୋ ହୃଦୟରେ ହସର ବନ୍ୟା ଆଣିଦିଏ । ତା’ ଆଖିର ଟୋପାଏ ଲୁହ ମୋ ଦଶ ଇନ୍ଦ୍ରିୟକୁ ଅଚଳ କରିଦିଏ । ଆଉ ତା’ ଦେହରୁ ବିନ୍ଦୁଏ ଝାଳ ବାହାରିଲେ ମୋ ଅଙ୍ଗରୁ ଝର ଝର ହୋଇ ରୁଧିର ବହିଯାଏ । ସେ ବାରମ୍ବାର ମୋ ପାଖକୁ ଫୋନ୍ କରେ । ମଝିରେ ମଝିରେ ମୋର ବାରଣ ସତ୍ତ୍ୱେ ଆମ ଘରକୁ ଆସେ । ଧୀରେ ଧୀରେ ଆମ ଘରେ ସମସ୍ତେ ଜାଣିଲେ, ତା’ର ଘରର ସନ୍ଧାନ ନେଇ । ସେ ଆମ ଜାତି ନୁହେଁ କହି ସମ୍ପର୍କକୁ ଏଇଠି ଶେଷ କର ବୋଲି ମୋର ପରିବାର ମୋତେ ଚେତାବନୀ ଦେଲେ । ମୁଁ କିନ୍ତୁ ଗୋଡ଼ ଖସାଇ ତା’ର ପ୍ରେମରୂପୀ ଅଥଳ ନଈରେ ବୁଡ଼ି ସାରିଥିଲି । ଏଣୁ ମୋ ବାପା, ମାଆ, ଭଉଣୀକୁ ଛାଡ଼ି ଘରର ସବୁ ସମ୍ପର୍କକୁ ଛିଣ୍ଡାଇ ବାହାରି ଆସିଲି । ଆଉ ବିଭାଘର ପୂର୍ବରୁ ଚାକିରିଟିଏ ଖୋଜି ବସିଲି । ଯାହା ହେଉ, ମୋର ଯୋଗ୍ୟତା ଅନୁସାରେ ମୋତେ ସେଲ୍ ଟ୍ୟାକ୍ସ ବିଭାଗରେ ଭଲ ଚାକିରିଟିଏ ମିଳିଗଲା ।

ତାକୁ କିଛିଦିନ ଅପେକ୍ଷା କରିବାକୁ କହି ମୁଁ ଲାଗିପଡ଼ିଲି ଘରକରଣା ଜିନିଷ କିଣି ଘର ସଜାଡ଼ିବାରେ । ଦିନେ ରାତିରେ ତା’ ସହିତ ଫୋନ୍ ରେ ଗପିଲାବେଳେ ମୁଁ ତାକୁ ପଚାରିଲି, ଆଚ୍ଛା ନିରୁ... ତୁମେ ଏତେ ବାଟ ଆଗେଇଲଣି ଯେତେବେଳେ ଆମର ତ ନିଶ୍ଚୟ ବାହାଘର ହେବ । ମୁଁ ବ୍ରାହ୍ମଣ ପରିବାରର ହେଲେ ମଧ୍ୟ ଜାତି , ଗୋତ୍ର, ପରିବାର ଛାଡ଼ି ତୁମକୁ ବାହାହେବି ବୋଲି ଚାଲିଆସିଲି; କିନ୍ତୁ ତୁମକୁ ମୋର ଗୋଟିଏ ପ୍ରଶ୍ନ । ଯଦି ବାହାଘର ପରେ ମୋର ଗୋଡ଼ ହାତ ଦୁର୍ଘଟଣାରେ କଟିଯାଏ, ତେବେ ତୁମେ କ’ଣ କରିବ? ସେ ବିରାଙ୍ଗନା ପରି କହିଲା... ମୋ ହାତ ଗୋଡ଼ରେ ମୁଁ ତୁମକୁ ସବୁ କାମ କରିବାକୁ ଦେବି । ମୁଁ କହିଲି... ଆଉ ଯଦି ମୋ ଆଖି ନଷ୍ଟ ହୋଇଯାଏ? ସେ କହିଲା... ତୁମେ ମୋ ଆଖିରେ ଦେଖିବ । ମୁଁ ତୁମକୁ ଏତେ ଖୁସି ଦେବି ଯେ, ତୁମେ ସବୁବେଳେ ସ୍ୱର୍ଗରେ ଥିଲା ଭଳି ଭାବିବ ।

ଯାହା ହେଉ କିଛି ମାସ ପରେ ମୁଁ ତାକୁ ବାହାହୋଇ ମୋ ଘରକୁ ପ୍ରେମନଗରୀରେ ପରିଣତ କରିଦେଲି । ଯୁଆଡ଼େ ଚାହିଁଲି, ତା’ ମୁହଁ ମୋତେ ଦିଶିଲା । ଅତୀତର ସବୁ ସମ୍ପର୍କକୁ ଜଳାଞ୍ଜଳି ଦେଇ ଏ ସମ୍ପର୍କକୁ ଜୀବନର ସର୍ବସ୍ୱ ଭାବି ମୋର ଘରଦ୍ୱାର, ବ୍ୟାଙ୍କ୍ ବାଲାନ୍ସ, ଗାଡ଼ି ସବୁ ତା’ରି ନାଁରେ କରିଦେଲି । ଦିନେ ସରକାରୀ କାମରେ ବାହାରକୁ ଯାଉଥିଲା ବେଳେ ମୋର ବଡ଼ ଧରଣର ଦୁର୍ଘଟଣା ହେଲା । ମୋର ଚେତା ଫେରିଲାବେଳକୁ ମୁଁ ଏକ ଘରୋଇ ନର୍ସିଂହୋମ୍ ରେ ଥିଲି । ସେ ମଧ୍ୟ ଅକ୍ଳାନ୍ତ ପରିଶ୍ରମ କରି ମୋର ଦିନରାତି ସେବା କରୁଥାଏ । କିଛିଦିନ ପରେ ମୁଁ ଆରୋଗ୍ୟ ଲାଭ କଲି; କିନ୍ତୁ ଦୁର୍ଭାଗ୍ୟ, ମୋର ଆଖି ବାହାର ଜଗତକୁ ଦେଖିବାରେ ବଂଚିତ ହେଲା । ଭଗବାନ୍ ବୋଧେ ତା’ର ପରୀକ୍ଷା ନେବାକୁ ମୋତେ ଏପରି ଦଣ୍ଡ ଦେଲେ । ନର୍ସିଂହୋମ୍ ରୁ ବିଦାୟ ନେଇ କଳା ଚଷମା ପିନ୍ଧି ଘରକୁ ଆସିଲି ଅନ୍ଧର ଆଖ୍ୟା ନେଇ ।

କିଛିଦିନ ଚାଲିଗଲା । କିନ୍ତୁ ତା’ର ବ୍ୟବହାରରେ ତ୍ରୁଟିପୂର୍ଣ୍ଣ ଆଭାସ ପାଇଲି । କଥାଗୁଡ଼ାକ ଫୁଲରୁ କଂଟା ପରି ଲାଗିଲା । କ’ଣ ବା ଆଉ କରିପାରିବି? ସବୁଗୁଡ଼ାକ ହସି ହସି ସହିଯିବାକୁ ବାଧ୍ୟ ହେଲି । କିଛିଦିନ ପରେ ଦିନେ ମୁଁ ରାତିରେ ଶୋଇଛି, ହଠାତ୍ ନିଦ ଭାଙ୍ଗିଗଲା । କିଛି ଦୂରରେ କାହାର ହସଖୁସିପୂର୍ଣ୍ଣ କଥା ହେବାର ଶୁଣିଲି । କିନ୍ତୁ କଥା ଏତେ ଅସ୍ପଷ୍ଟ ଥିଲା ଯେ, ମୁଁ ଭଲ କରି ଶୁଣିପାରିଲିନି । ସେ ଆସି ମୋ ପାଖରେ ଶୋଇଲା । କିନ୍ତୁ ତା’ର ନିଃଶ୍ୱାସ ପ୍ରଶ୍ୱାସରେ କ୍ଳାନ୍ତି ଅନୁଭବ କଲି । କିଛି ନ କହି ପୁଣି ଶୋଇବାର ଅଭିନୟ କଲି । ତା’ ପରଠାରୁ ଖାଲି ଯନ୍ତ୍ରଣାର ଔଷଧ ଖାଇଲି ।

ସରକାରଙ୍କର ସୁପାରିସ୍ ରେ ମୁଁ ଚାକିରି ଅର୍ଦ୍ଧବେତନରେ କରୁଥାଏ । ଦିନେ ଅଫିସରୁ ଫେରିଲାବେଳକୁ ଘରେ ତିନି ଚାରି ଜଣଙ୍କ ସହିତ ତା’ର ମଧ୍ୟ କଥା ଶୁଣିବାକୁ ପାଇଲି । ମୁଁ କିଏ ସେ ବୋଲି ପଚାରିଲାରୁ, ସେ ସେଇଠି ବସ ବୋଲି କହିଲା ଏବଂ ଗୋଟିଏ କାଗଜରେ ଦସ୍ତଖତ କରିବାକୁ କହିଲା । ମୁଁ କି କାଗଜ ବୋଲି ପଚାରିଲାରୁ ସେ ଛାଡ଼ପତ୍ର କାଗଜ ବୋଲି କହିଲା । ଆଉ କହିଲା, କୋର୍ଟରୁ ଓକିଲ ନୋଟିସ୍ ନେଇ ଆସିଛନ୍ତି । ତୁମେ ଶୀଘ୍ର ଘର ଖାଲି କର । ମୁଁ ତାହା ସହିତ ଯୁକ୍ତି ତର୍କ କଲି ନାହିଁ କି ଆଶ୍ଚର୍ଯ୍ୟ ହେଲି ନାହିଁ । କାରଣ ମୁଁ ବହୁତ ଦିନରୁ ତା’ ବ୍ୟବହାରକୁ ଅନୁଶୀଳନ କରି ବୁଝି ସାରିଥିଲି ଯେ, ଏଇଆ ଦିନେ ହେବ । କଥାଟିଏ ଅଛି... ପିନ୍ଧାବସ୍ତ୍ର ଅନ୍ୟକୁ ଦେଇ, ଶିବ ପଳାଇଲେ ଲଙ୍ଗଳା ହୋଇ । ମୁଁ ଏଥି ମଧ୍ୟରେ ମୋର ସାଙ୍ଗସାଥୀଙ୍କୁ ଧରି ଏହି ଘରଟିକୁ କିସ୍ତି ରେ କିଣି ସାରିଥିଲି, କିନ୍ତୁ ତା’ର ଅଜାଣତରେ ।

ତେଣୁ କିଛି ସମୟ ନିରବ ରହି ତାକୁ ପଦେ ପଚାରିଲି, ତୁମ ମନରେ ଏଇଆ ଥିଲା? ସେ କହିଲା... ହଁ ତୁମ ପରି ଅନ୍ଧ ସ୍ୱାମୀ ପାଖେ ରହି କ’ଣ ଅନ୍ଧ ଛୁଆ ଜନ୍ମ କରିବି? ମୁଁ ଅନ୍ୟତ୍ର ବିବାହ କରି ସୁଖ ସ୍ୱାଚ୍ଛନ୍ଦ୍ୟରେ ରହିବାକୁ ଚାହୁଁଛି । ତା’ପରେ ମୁଁ ଗୋଟିଏ ମିନି ଟ୍ରକ୍ ଟିଏ ଯୋଗାଡ଼ କରି, ଯେଉଁ ସାରସ୍ୱତ ସମ୍ପତ୍ତି ମୋ ପାଖରେ ଥିଲା, ଆଉ ନିଜର ବ୍ୟାବହାରିକ ଜିନିଷକୁ ଧରି... ହେ... ମାୟାବିନୀ ନମସ୍ତେ କହି ଚାଲିଆସିଲି ଏହି ଘରକୁ । ଘରର ପୁରୁଣା ଚାକର ଏହି ଭାଗବତ ଖବର ପାଇ ମୋ ନିକଟକୁ ଚାଲିଆସିଲା ।

ବଂଶୀଧର ପଥର ମୂର୍ତ୍ତିଟି ପରି ସବୁ ଶୁଣୁଥିଲା । ଏଥର ପାଟି ଖୋଲି ପଚାରିଲା... ଆଜ୍ଞା ଆଜିର ଉନ୍ନତ ବିଜ୍ଞାନ ଯୁଗରେ ଆଖି କ’ଣ ଠିକ୍ ହୋଇପାରିଲାନି? ଶୀତୁବାବୁ କହିଲେ, ଭଲ ପ୍ରଶ୍ନଟିଏ ପଚାରିଲ । ବୋଧ ହୁଏ ମୋର ଭଲ ସମୟ ଆସିଥିଲା । ଥରେ ବିଦେଶରୁ ଆଖି ଡାକ୍ତର ଆସିଥିଲେ । ମୋ ସାଙ୍ଗମାନେ ମୋତେ ଜୋର୍ କରି ନେଇ ଦେଖାଇବାରୁ, ସେମାନେ ଆଖି ନିଶ୍ଚୟ ଭଲ ହୋଇଯିବ କହିଲେ ଏବଂ ଚିକିତ୍ସା କରି ପୁଣି ମୋ ଆଖି ଫେରି ପାଇଲି; କିନ୍ତୁ ଏ ମାୟାବିନୀମାନଙ୍କୁ ଦେଖିବାକୁ ନୁହେଁ । ମୁଁ ଏ ସୁନ୍ଦର ପୃଥିବୀର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମୋ ମନ ଇଚ୍ଛାରେ ଦେଖେ । ଅନ୍ୟ ସମୟରେ କଳା ଚଷମା ପିନ୍ଧି ଅନ୍ଧର ଅଭିନୟ କରେ । ଯଦି ପ୍ରେମରେ ଅନ୍ଧ ହୋଇ କିଏ ବାଟବଣା ହେଉଥାଏ, ତା’ହେଲେ ମୁଁ ତାକୁ ଠିକ୍ ବାଟ ଦେଖାଇବାକୁ ଚେଷ୍ଟା କରେ । ତେବେ ବଂଶୀଧର, ମୁଁ ବର୍ତ୍ତମାନ ବହୁତ ଖୁସିରେ ଅଛି । ଏଣୁ, ହେ... ଯୁବକ... ପ୍ରେମ କରିବା ପାପ ନୁହେଁ କି ରୂପ ମଧ୍ୟରେ ଗୁଣ ଆଖିକୁ ଆସେନା । ମୋର ଅଙ୍ଗେ ଲିଭେଇବା କଥାରୁ ଯାହା ଶିଖିଲି... ତାହା ହିଁ ମୋର ଉପଦେଶ ।

ଯୁବକଟି ଦୀର୍ଘ ନିଃଶ୍ୱାସ ପକାଇ ବଡ଼ଭାଇ ପ୍ରଣାମ କହି ମୋର ପାଦ ଛୁଇଁକରି ଚାଲିଗଲା ।


Rate this content
Log in

Similar oriya story from Classics