Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arabinda Rath

Inspirational

3  

Arabinda Rath

Inspirational

ଟିପୁ

ଟିପୁ

19 mins
15.9K


ସକାଳୁ ସକାଳୁ ରାମ ଘର ଆଗରେ ଜନ ସମୁଦ୍ର। ପୋଲିସ ଗାଡି ଠିଆ ହୋଇଛି। ଆମ୍ବୁଲାନସ୍ ପାଖରେ କିଛି ଲୋକ ଠିଆ ହୋଇଛନ୍ତି। ଧଳା ଚାଦର ଘୋଡାଯାଇ ତିନିଟି ରକ୍ତାକ୍ତ ମୃତ ଶରୀର ସେଇ ଆମ୍ବୁଲାନସ୍ ପାଖରେ ରଖାଯାଇଛି। ଲୋକଙ୍କ ଭିତରେ ଅସମ୍ଭବ ଉତ୍କଣ୍ଠା। ଘଟଣା କଣ ଜାଣିବାକୁ ସବୁ ସମସ୍ତେ ବ୍ଯଗ୍ର। ଭିତରୁ ଶୁଭୁ ଥାଏ ଏକ ନାରୀ କଣ୍ଠର ବୁକୁଫଟା ଚିତ୍କାର। ମୋତେ ଛାଡି ଯାଆନିରେ ଧନ, ମୋ ଜୀବନ ତୁ.....ଯଦି ତୁ ଚାଲିଯିବୁ, ମୁଁ ଏ ଜୀବନ ଆଉ ଧାରିବି ନାହିଁ। ଏଇ ଶୁଣୁଛ, କିଛି କର। ମୋ ଧନକୁ ବଞ୍ଚେଇ ଦିଅ।

ଆରେ ଏ ତ କମଳାର ସ୍ବର ପରି ଶୁଭୁଛି। ତେବେ କଣ ରାମର ପୁଅ..........

ସେଦିନ ରାତିରେ ଭୟଙ୍କର ବର୍ଷା। ଆକାଶରେ ବିଜୁଳିର ଚମକ ରାତ୍ରିର ଅନ୍ଧକାର ଦୂର କରେଇବା ପାଇଁ ଯଥେଷ୍ଟ ଥିଲା। ବର୍ଷାର ଟୋପା ଗୁଡିକ ତୀର ପରି ଦେହରେ ଭେଦ କରୁଥାଏ । ପାଖ ଗାଁଆକୁ ଯାତ୍ରା ଦେଖିବାକୁ ଯାଇଥିଲେ ବାପ ପୁଅ। ଯିବା ବେଳକୁ ଆକାଶ ଥିଲା ସମ୍ପୂର୍ଣ୍ଣ ପରିଷ୍କାର। କିନ୍ତୁ କିଛି ସମୟ ଭିତରେ ସବୁ କିଛି ଓଲଟପାଲଟ ହୋଇଗଲା। ଖରା ଦିନଟାରେ ଏମିତି ବାଦଲଫଟା ବର୍ଷା ହେବ କିଏ ବା ଜାଣି ଥିଲା। ପେଣ୍ଡାଲ ଉପରେ ଯାତ୍ରା ଆରମ୍ଭ ହୋଇଛି କି ନାହିଁ, ଏମିତି କାଚି ଦେଲା ବର୍ଷା ଯେ କଳାକାର ମାନଙ୍କର ପାଉଡର ବୋଳା ମୁହଁରୁ ସବୁ ରଙ୍ଗ ଉତୁରି ଗଲା। ଯାତ୍ରା ହିରୋଇନ୍ ମାନଙ୍କର ମୁହଁରେ ଲାଗିଥିବା କଜ୍ଜଳ, ପାଉଡର, ଲିପଷ୍ଟିକ୍ ଓ ଆହୁରି କେତେ ସାମଗ୍ରୀ ବର୍ଷା ପାଣିରେ ବତୁରି ବୋହିବାକୁ ଲାଗିଲା। ଉର୍ବଶୀ ପରି ଦିଶୁଥିବା ନାରୀ ମୂର୍ତ୍ତି ମାନେ କିଛି ସମୟ ଭିତରେ ହିଡିମ୍ବା, ସୂପର୍ଣ୍ଣଖା ରୂପ ଧାରଣ କଲେ। ଠିକ ସେଇ ସମୟରେ ଜେନେରେଟର ବି ଖରାପ ହୋଇଗଲା। ଅଗତ୍ଯା ଲୋକେ ଛିନଛତ୍ର ହୋଇ ଯିଏ ଯୁଆଡେ ପାରିଲେ ଦଉଡିଲେ ବର୍ଷାରୁ ବଞ୍ଚିବା ପାଇଁ।

ରାମ କେତେ ସରାଗରେ ପୁଅକୁ ନେଇ ଯାଇଥିଲା ଯାତ୍ରା ଦେଖିବାକୁ। ସବୁ ଆଶା , ବର୍ଷା ପାଣିରେ ଧୋଇଗଲା। ରାଜୁ , ବୟସ ଜମା ୧୦ । ଭାରି ଗୁଲୁଗୁଲିଆ ପିଲାଟା। ତାକୁ ଦେଖିଲେ ମନ ପୁରିଯିବ। ରାମର ଏକୋଇର ବଳା ବିଶିକେସନ ସେ। ବାପା, ମାଆ ଓ ପିଲା କୁ ନେଇ ହସଖୁସିର ସଂସାର। ସ୍ତ୍ରୀ କମଳାଟିକେ ମୁଖରା ହେଲେ ବି ତା ଅନ୍ତରରେ ସ୍ନେହର ଝରଣା ସଦା ବେଳେ ବୋହୁଥାଏ। ମନେମନେ ହସୁଥିଲା ରାମ। କମଳା ସହ କଳି ଲାଗି ପୁଅକୁ ନେଇ ଆସିଥିଲା ଯାତ୍ରା ଦେଖିବାକୁ। କିନ୍ତୁ ଇନ୍ଦ୍ରଦେବତା ଦାଉ ସାଧିଲେ।

ରାସ୍ତା ଉପରେ ବର୍ଷା ପାଣିର ଫୁଆରା। ରାଜୁ ପାଣି ରେ ଛପଛପ କରି ଡିଆଁ ମାରି ଏକ ପ୍ରକାର ଦଉଡୁଥାଏ। ହଠାତ୍ ବୁଦା ଭିତରୁ କିଛି ଗୋଟେ ଶବ୍ଦ ଶୁଣି ଠିଆ ହୋଇଗଲା । ଭଲ କି କାନେଇ ଶୁଣିଲା । ଗୋଟେ କୁକୁରର କୁଁ କୁଁ ଶବ୍ଦ।

--- ବାପା, ଆସ ଦେଖିବ , ଏ ବୁଦା ଭିତରୁ କୁକୁରଟେ କୁଁ କୁଁ କରୁଛି।

ରାମ କଥାଟାକୁ ଆଡେଇ ଦେଇ କହିଲା--

– ଆରେ ବର୍ଷାରେ ଭିଜି ଯାଇଥିବ। ସେ ମନକୁ ମନ ଯିବ, ତାକୁ ଦେଖିକି ଲାଭ। ଚଞ୍ଚଳ ଚଲେ ଯିବା। ତେଣେ ବୋଉ ଘରେ ବ୍ଯସ୍ତ ହେଇଥିବ।

ରାମ କଥାନ ଶୁଣି ରାଜୁ ବୁଦା ଭିତରୁ କୋଳେଇ ଆଣିଲା ସେ କୁକୁର ଛୁଆଟିକୁ। ଅଣ୍ଟିରେ ଜାକି କହିଲା

– ଚାଲ ବାପା ଜଲଦି ଘରକୁ ଯିବା।

ରାମ ମନରେ ସେ କୁକୁରକୁ ଦେଖିବାକୁ କିଛି ବି ଆଗ୍ରହ ନ ଥିଲା। ଭାବିଲା ରାଜୁ ସେ କୁକୁରକୁ ଘରେ ପହଞ୍ଚିବା ପରେ ବଳେ ଛାଡିଦେବ। ମଣିଷ ସ୍ପର୍ଶ ପାଇ କୁକୁରଟି ବି ଚୁପ୍ ହୋଇଗଲା। ବାପ,ପୁଅ ଓ କୁକୁର ଛୁଆ ଓଦା ସରସର ହୋଇ ଘରେ ପହଞ୍ଚିଲେ। ଘରେ ପାଦ ନଦେଉଣୁ କମଳା ଗରଗର ହୋଇ ବହେ ଶୋଧାବକା କରିଗଲା। ପୁଣି ସେ କୁକୁର ଛୁଆକୁ ଦେଖି ତା ରାଗ ଆହୁରି ବଢିଗଲା।

ସେ ରାଜୁକୁ କହିଲା କୁକୁର ଛୁଆଟାକୁ ନେଇ ବାହାରେ ଛାଡି ଦେବା ପାଇଁ। କିନ୍ତୁ ରାଜୁର ଏକା ଜିଦି।

-- ସେ ଆମ ଘରେ ରହିବ। ମୋ ସାଙ୍ଗ ମାନେ ସବୁ କୁକୁର ପାଳିଛନ୍ତି। ମୁଁ ବି ୟାକୁ ପାଳିବି। କହି କୁକୁରଟିକୁ ଆଉଁସି ଦେଉଥାଏ।

ଘରେ ଜଳୁଥିବା ଡିବିରି ଆଲୁଅରେ ରାମ ଦେଖିଲା ସେ କୁକୁର ଛୁଆଟିକୁ। ରଙ୍ଗ ତାର ପୁରା ଧଳା। ଡଉଲଡାଉଲ ମୁହଁଟିରେ କଳା ଆଖି ଖୁବ ମାନୁଥିଲା। ଦେହରେ ନରମ ଗଦି ପରି ଲୋମ। ତା ସାଙ୍ଗକୁ ବେକରେ ଲାଗିଛି ଏକ ନାଲି ରଙ୍ଗର ବେଲ୍ଟ। ଭଲ କି ନିରେଖି ଦେଖିଲା ସେଇ ବେଲ୍ଟରେ ଝୁଲିଥିବା ହାତଘଣ୍ଟା ପରି ଜିନିଷଟିକୁ। ସେଥିରେ ଲେଖାଥିଲା “ଟିପୁ”। ନିହାତି କାହାର ପୋଷା କୁକୁର ହୋଇଥିବ। ଦେଖିଲେ ଲାଗୁଛି ପୁରା ଜାତିଆ କୁକୁରଟା। ନିଜ ଅଜାଣତରେ ସେ ରାଜୁର ପକ୍ଷ ନେବା ଆରମ୍ଭ କରିଦେଲା। କମଳା କୁ କହିଲା--

– ଓହୋ, ଯଦି ପିଲାଟିର ମନ ଅଛି ତାକୁ ଆମେ ପାଳିବା। ଅସୁବିଧା କଣ? ଆଜି କାଲି ଦୁନିଆରେ କୁକୁରଟେ ସବୁ ଘରେ ଥିବା ନିହାତି ଦରକାର। କିଛି ନହେଲେ ଚୋର ଦାଉରୁ ତ ରକ୍ଷା ମିଳିବ।

କିଛି ନ କହି ମୁହଁ ମୋଡି ଚାଲିଗଲା କମଳା। ବାପା ମାଆ କଣ କଥା ହେଉଛନ୍ତି, ସେ ବିଷୟରେ ନିଘା ନାହିଁ ରାଜୁର। ସେ କୁକୁର ସହ ଖେଳିବାରେ ବ୍ଯସ୍ତ। ରାମ ତା ଆଡକୁ ହାତ ବଢେଇଲା , କୁକୁରଟି ସାଙ୍ଗେସାଙ୍ଗେ ହ୍ଯାଣ୍ଡସେକ କରିବାକୁ ବଢାଇ ଦେଲା ଗୋଟିଏ ଗୋଡ। ବାସ ସେତିକି ରେ ରାମ ପୁରା କୃତ୍ଯକୃ ତ୍ଯ ହୋଇଗଲା। କହିଲା ଆଜିଠୁ ତୁ ମୋ ଘରେ ରହିବୁରେ ଟିପୁ। ତୁ ମୋ ଘରର ଗୋଟେ ସଦସ୍ଯ। କଣ ବୁଝୁଥିଲା ଟିପୁ କେଜାଣି ଲାଙ୍ଗୁଡ ହଲେଇ ରାମ ଆଡକୁ ବଡ ଆଗ୍ରହ ସହକାରେ ଚାହିଁ ରହିଥିଲା।

ଆରେ ଟିପୁ ତ କିଛି ଖାଇ ନ ଥିବ। ଏତେ ସମୟ ବର୍ଷାରେ ଭିଜି ଯାଇଛି ପରା। ତାକୁ ଟିକେ ପୋଛାପୋଛି କରି ଉଷୁମ କ୍ଷୀର ପିଇବାକୁ ଦେଲେ ସୁସ୍ଥ ଅନୁଭବ କରିବ। ସେପଟେ କମଳାକୁ କଣ ଶୁଭିଲା କେଜାଣି ଗୋଟେ ଗିନାରେ ଟିକେ କ୍ଷୀର ଆଣି ଟିପୁ ଆଗରେ ଥୋଇଦେଇ କହିଲା--

– ତୁମ ବାପ ପୁଅଙ୍କ କର୍ମର ଦଣ୍ଡ ଏ ବିଚରା କାହିଁକି ସହିବ। ସେ ଖାଇ ପିଇ ଥାଉ ଘରେ, ମୋର କଣ ଯାଉଛି।

ରାମ କଣେଇ ଚାହିଁଲା କମଳା ମୁହଁକୁ। ତା ମୁହଁରୁ ଝରି ପଡୁଥିଲା ଗୋଟେ ମାଆର ସ୍ନେହ। ଅଜାଣତରେ କମଳା ଉଠାଇ ନେଲା ଟିପୁ କୁ ନିଜ କୋଳକୁ। ରାମ ଆଡେ ଚାହିଁ କହିଲା-

– ମୁଁ ଯେତେ ବେଳେ ପିଲା ଥିଲି ଏମିତି ଗୋଟେ କୁକୁର ପାଳିଥିଲି। କିନ୍ତୁ ଏ ଟିପୁ ତା ଅପେକ୍ଷା ବି ସୁନ୍ଦର।

କମଳା ହୃ ଦୟରୁ ଝରି ଆସୁଥିଲା ମମତାର ଝର। ଯାହା ହେଲେ ବି ଟିପୁ ଗୋଟେ ଛୁଆ। ବିପଦରେ ପଡିଥିବା ଶିଶୁ ପାଇଁ ତ ମାଆ ର ପଣତ କାନି ସଦାବେଳେ ଖୋଲା। ସେତେ ବେଳେ ମଣିଷ ଓ ପଶୁର ବାଛ ବିଚାର ନ ଥାଏ। ନିଜେ କମଳା ଯୋଗାଡ କରି ଦେଲା ଟିପୁ ପାଇଁ ଏକ ଶେଯ। ଘରେ ପଡିଥିବା ପୁରୁଣା ଚଦର ଘୋଡେଇ ତା ପିଠି ଥାପୁଡେଇବାରେ ଲାଗିଲା। ଖୁବ୍ କମ ସମୟ ଭିତରେ ଟିପୁ ଶୋଇଗଲା ନିଘୋଡ ନିଦରେ।

---- କିଓ ଶୁଣୁଛ, ରାଜୁ କୁଆଡେଗଲୁ ଜଲଦି ଆସେ। ଡାକ ଛାଡିଲା କମଳା।

ବାପ ପୁଅ ଦୁଇ ଜଣ ଦଉଡି ଆସିଲେ କଣ ହୋଇଛି ଜାଣିବା ପାଇଁ। ଦେଖିଲା ବେଳକୁ ଟିପୁ ଦେହରେ ଭୀଷଣ ତାତି। ଆଖି ଖୋଲୁନି। ନାଁ ଧରି ଡାକିଲେ ଟିକିଏ ଲାଞ୍ଜ ହଲେଇ ପୁଣି ଶୋଇରହୁଛି। ରାଜୁ କାନ୍ଦିବା ଆରମ୍ଭ କରିଦେଲା। ରାମ କହିଲା –

– ବ୍ଯସ୍ତ ହୁଅନି। ମୁଁ ଟିପୁକୁ ନେଇ ପଶୁ ଡାକ୍ତରଖାନାକୁ ଯାଉଛି। ଡାକ୍ତର ଦେଖିଲେ କହିବେ କଣ ହୋଇଛି ବୋଲି।

କିଛି ସମୟ ଭିତରେ ରାମ ଆସିଲା ଟିପୁକୁ କୋଳରେ କାଖେଇ।

– ଡାକ୍ତର କହିଲେ ବର୍ଷାରେ ଭିଜିଛି ବୋଲି ଜ୍ବର ହୋଇଯାଇଛି। ଓୌଷଧ ଦେଇଛନ୍ତି। ଆରେ ହଁ, ଡାକ୍ତର ବାକୁ ଟିପୁକୁ ଦେଖି କହିଲେ ଯେ ସେ କୁଆଡେ ଭାରି ଦାମିକା କୁକୁର ବୋଲି। କଣ ଗୋଟେ ଲାବ୍ରାଡର ନାଁ କଣ ଗୋଟେ ନାଁଆ କହିଲେ ମୋର ମନେ ପଡୁନି। ଏଇ ଯାତିର କୁକୁର ମାନଙ୍କୁ ପୋଲିସ କୁକୁର କୁହନ୍ତି। ସେମାନଙ୍କର ଶୁଙ୍ଘିବା ଶକ୍ତି ବହୁତ୍ ଅଧିକା। ଆଜି ଯାହା ଶୁଙ୍ଘିବେ ସାରା ଜୀବନ ମନେ ରଖିବେ। ମୋତେ ସେ ପଚାରିଲେ କୋଉଠୁ ଆଣିଲି ବୋଲି। ମୁଁ ମିଛରେ କହିଦେଲି ଯେ ସହର ରେ ରହୁଥିବା ମୋ ସାଙ୍ଗ ରାଜୁକୁ ଉପହାର ଦେଇଛି।

ଟିପୁର ଗୁଣ ଗାରିମା ଶୁଣି ବାପ,ମାଆ, ପିଲା ଖୁସିରେ ଗଦଗଦ ହୋଇଯାଉଥିଲେ । ସେଦିନର ବର୍ଷା ରାତି ଯେଉଁ ଅମୂଲ୍ଯ ଉପହାରଟି ଦେଲା ତାକୁ କେମିତି ସାଇତି ରଖିବେ ସେଇଟା ହେଲା ବଡ କାମ।

ରାଜୁ ସେଦିନ ସ୍କୁଲ ଗଲାନି। କମଳା ବି ଟିପୁର ପାଖ ଛାଡି ଯାଉ ନ ଥାଏ। ଦୁଇ ଦିନ ଭିତରେ ଟିପୁର ଜ୍ବର ଛାଡିଗଲା। ସେଦିନ ସକାଳୁ ନିଜେ ଯାଇ କମଳା ପାଖରେ ହାଜର। ଗୋଡ ପାଖରେ ଘଷି ହେବାରୁ କମଳା ପଚାରିଲା –

--କିରେ ଟିପୁ କଣ ଭୋକ ଲାଗିଲା ନା କଣ?

ଲାଙ୍ଗୁଡ ହଲେଇଦେଲା ଟିପୁ ଓ ରୋଷେଇ ଘର ଆଡେ ଦଉଡି ଗଲା। କମଳାର ମନ କୁଣ୍ଢେମୋଟ ହୋଇଗଲା। ରାଜୁ ସ୍କୁଲରୁ ଆସି ଖେଳରେ ମାତି ରୁହେ ଟିପୁ ସହ। କମଳା ଥରକୁ ଥର ଖାଇବାକୁ ଦିଏ। କେତେ ବେଳେ ସର ତ କେତେ ବେଳେ କ୍ଷିର। ଖୁବ୍ କମ ଦିନ ଭିତରେ ଟିପୁ ର ଚେହେରା ବାଗେଇ ଗଲା। ଗୋରା ଦେହଟା ତାର ଖାଲି ଚକଚକ କରିବାରେ ଲାଗିଲା। ଦେଖିବା ଲୋକ ଦଣ୍ଡେ ଠିଆ ହୋଇଯିବ। ଟିପୁ ବୋଲି ଡାକ ଛାଡିଲେ ସାଙ୍ଗେସାଙ୍ଗେ ଆସି ପାଖରେ ହାଜର ହେବ ସେ। ତା ଲାଙ୍ଗୁଡଟା ଅନବରତ ହଲୁଥିବ। କମଳା ବେଳେବେଳେ କହେ –

--ଆରେ ଟିପୁ ସଦା ବେଳେ ତ ଖାଲି ହସିଲୁ, ତୋତେ କଣ ଏ ଜାଗା ଭଲ ଲାଗୁଛି କିରେ?

ଲାଙ୍ଗୁଡ ହଲେଇ ପାଖକୁ ଲାଗିଆସେ ଟିପୁ। କମଳା ଗୋଡ ପାଖରେ ମୁଣ୍ଡ ଘଷି ପକାଏ। ଘର ର ସାନ ପୁଅ ସେ ଏବେ। ଭୋକ ଲାଗିଲେ ସିଧା ଯାଇ କମଳା ପାଖରେ ହାଜର ହୋଇଯାଏ। ସଦା ବେଳେ ଛାଇ ପରି ପଛରେ ଚାଲୁଥାଏ। ରାମ ଯଦି ବଗିଚାରେ କିଛ କାମ କରେ ଟିପୁ ସେ ଜାଗାରେ ପହଞ୍ଚିଯାଏ। କେତେ ବେଳେ ରାଜୁ ସହ ବଲ୍ ଖେଳେ ତ କେତେ ବେଳେ ଘାସ ଉପରେ ଶୋଇ ରହି ରାମ କୁ ଦେଖୁଥାଏ।

ରାସ୍ତାରେ ଚାଲିଲା ବେଳେ ଟିପୁର ଠାଣି ଦେଖି ରାଜା ମହାରାଜା ବି ଲାଜେଇଯିବେ। ତା ଚାଲିରେ ରାଜକୀୟତା ଫୁଟି ଉଠେ। ତା ଆଡକୁ ଚାହିଁ ଭୁକୁଥିବା କୁକୁର ମାନଙ୍କୁ କେବଳ ଗୋଟେ ଚାହାଁଣି ରେ ଚୁପ୍ କରେଇଦିଏ। ଆଉ ଯଦି ଭୁକିବା ଆରମ୍ଭ କରେ ତେବେ କଥା ସରିଲା। ପୁରୁଣା ମଡେଲ ବୁଲେଟ୍ ମୋଟରସାଇକେଲ୍ ର ଧୁନଧୁନ ଆଓ୍ବାଜ୍ ଯାହା ଟିପୁର ଭୁକା ସେଇଆ। ଛାତି ଭିତରଟା କମ୍ପିଯାଏ ସେ ଶବ୍ଦ ଶୁଣିଲେ।

ଆଜି ଟିପୁକୁ ତିନି ମାସ ପୁରିଲା। ତିନି ମାସରେ ସେ ଯାହା ରୂପ ଧାରଣ କଲାଣି ଯିଏ ବି ଦେଖିବ ଲୋଭେଇଯିବ। ପିଠି ଉପରର ଲୋମ ଗୁଡାକ ଦେଖିଲେ ଲାଗିବ ଯେମିତି କାଶ୍ମୀରି ଗାଲିଚା ବିଛା ଯାଇଛି। ପିଠି ର ଚମଡା ତଳେ କମଳାର ସ୍ନେହର ପରଶ, ପରସ୍ତ ପରସ୍ତ ହୋଇ ବସି ଯାଇଛି। କହିବାର ଅର୍ଥ ହେଲା, ଟିପୁ କୁ ଦେଇଥିବା କ୍ଷୀର,ସର,ଲହୁଣି ଚର୍ବି ଆକାରରେ ଟିପୁର ପିଠିର ଶୋଭାବର୍ଦ୍ଧନ କରୁଛନ୍ତି। ପାଦର ପଞ୍ଝା ଗୁଡିକ ପୁରା ସିଂହ ପଞ୍ଝା ପରି ଦିଶୁଛି। ତା ସାଙ୍ଗକୁ ଅଧା ଲଇଁ ଯାଇଥିବା ମୋଟା ଲାଞ୍ଜଟି ଦେଖିଲେ ଲାଗିବ ସତେ କି ଅଜଗର ସାପର ପିଲା ଟେ ଝୁଲୁଛି। ବେକରେ ପଡିଥିବା ସେ ବେଲ୍ଟଟା ଏବେ ଆଉ ବେକରେ ଗଳୁନି। ତା ପାଇଁ ରାମ ବଜାର ରୁ ସୁନ୍ଦର ନାଲିଆ ରଙ୍ଗର ପଟି ଟେ କିଣି ଆଣିଛି। କିନ୍ତୁ ଟିପୁ ଲେଖାଥିବା ସେ ହାତଘଣ୍ଟା ପରି ଜିନିଷଟା ସେଇ ନୂଆ ପଟିରେ ବି ଶୋଭା ପାଉଛି। ଏବେ ଟିପୁ କେବଳ ରାମ ର ନୁହଁ ବରଂ ସେ ସାହି ର ସମସ୍ତଙ୍କର ପ୍ରିୟ ପାତ୍ର। ଯିଏ ବି ତାକୁ ଦେଖିଲା ଗେଲ କରେ। ଡାକିଲେ ଘରକୁ ବି ଯାଏ। କିଏ ବିସ୍କୁଟ୍ ଦିଏ ତ କିଏ ମିଠା। କାହା ଘରେ ଆଇଁଷ ପାଣି ହେଲେ ସେମାନେ ଡାକି ନିଅନ୍ତି ଟିପୁକୁ। ଖାଇବାକୁ ଦେଲା ବେଳେ ଯଦି ଟିପୁ ନ ଖାଏ କାନ୍ଦି ପକାଏ କମଳା। ସକେଇ ସକେଇ କୁହେ, ମୋ ପୁଅ ହୋଇ ତୁ ୟା ତା ଘରେ ଖାଇବୁ, ମୁଁ ତୋତେ ଚାହିଁ ଚାହିଁ ମରିବି। କଣ ବୁଝେ ଟିପୁ କେଜାଣି, କମଳାର ପାଖକୁ ଲାଗି ଆସେ। ପାଦକୁ ତାର ଚାଟି ଦିଏ। ସତେ ଯେମିତି କିଛି ଭୁଲ କରି ଦେଇଛି। କାନ ଦୁଇଟା ପଛକୁ କରି କମଳାର ପଛରେ ଲସରପସର ହୁଏ। କାହା ଘରକୁ ଟିପୁ ଯାଉ ସେ କଥା କମଳାର ଜମା ପସନ୍ଦ ହୁଏନି। ରାମ କୁ ଅଭିଯୋଗ କରି କୁହେ-

--- ଏ ଟିପୁକୁ ତୁମେ ସମ୍ଭାଳ ଏବେ। ଯେତିକି ବଡ ହେଉଛି ସେତିକି ଦୁଷ୍ଟାମୀ ବଢି ଚାଲିଛି। ତାର କଣ ଦରକାର ଥିଲା ସେ ହାଡୁ ଘରେ ଯାଇ ଶୁଖୁଆ ଖାଇବା। ଲୋମ ଝଡିଗଲେ ସେ କଣ ଆସି ବୁଝିବ ନାଁ କଣ। ପଚାର ତାକୁ, କଣ ମୋ ଘରେ ଖାଇବାକୁ ନାହିଁ ଯେ ୟା ତା ଘରେ ପଶି ଖାଇବ। ଏମିତି କଲେ ତା ପାଇଁ ଗୋଟେ ଗୋରୁ ବନ୍ଧା ଚେନ ଟେ ଆଣି ଦିଅ। ସକାଳୁ ସଞ୍ଜ ଯାଏ ବାନ୍ଧି ରଖିବି, ରାତି ହେଲେ ଖୋଲିବି। ସବୁ ଫାଜଲାମି ଛାଡି ଯିବ।

ରାମ କିଛି ଉତ୍ତର ନ ଦେଇ ଖାଲି ମୁଣ୍ଡ ଟୁଙ୍ଗାରୁଥାଏ। ରାଜୁ , ଟିପୁ ପାଖରେ ବସି ଶୁଣୁଥାଏ ସବୁ। ଆଉ ଟିପୁ....ସେ ତ ଚୋରଙ୍କ ପରି କାନ ପଛକୁ କରି ରାଜୁ ପଛରେ ଲୁଚି ଥାଏ। କମଳା ଯଦି କେତେ ବେଳେ ରାଗି ଯାଏ, ଟିପୁର ଆଶ୍ରୟଦାତା ହେଲା ରାଜୁ। ରାମ ଜାଣିଛି, ଟିପୁକୁ ବାନ୍ଧିବା କଥାଟା କେବଳ ପାଣିର ଗାର। କାରଣ ଟିପୁର ସ୍ବାଧିନତାରେ ଟିକେ ବି ଆଞ୍ଚ ଆସିଲେ ସବୁଠୁ ବେଶି ବାଧିବ କମଳାକୁ। ତା ପାଇଁ ରାଜୁ ଓ ଟିପୁ ଭିତରେ କିଛି ଅନ୍ତର ନାହିଁ। ସେ କେବେ ଚିନ୍ତା ବି କରିନି ଯେ ଟିପୁ ଗୋଟେ କୁକୁର ବୋଲି।

ଯଦି କେତେ ବେଳେ କେହି ଭୁଲ୍ ରେ ବି ଟିପୁକୁ କୁକୁର କହିଦେଲେ କଥା ସରିଗଲା ବୋଲି ଜାଣ। ସେଦିନ ସାହିର ମହାନ୍ତିଆଣି କମଳାକୁ ଘରକୁ ଆସି କହିଲେ--

– ଆଲୋ କମଳା, ଆମ ଘରେ କାଲି ମାଂସ ହେଇଥିଲା। ସବୁ ଖାଇଲା ପରେ ବି ବଳିଗଲା। ମୋର ମନେ ନାହିଁ ଏତକ ଫ୍ରିଜ୍ ରେ ରଖିବାକୁ। ସବୁ ନଷ୍ଟ ହୋଇଗଲା। ମୁଁ ଭାବିଲି ଫିଙ୍ଗିବି କଣ ପାଇଁ, ତୁମ କୁକୁରକୁ ଦେଇ ଦେଲେ କେତେ ଖୁସିରେ ଖାଇଦେବ। ପୁରା ଖାସି ମାଂସ। ଖାଲି ଯାହା ଟିକେ ଆମ୍ବିଳା ବାସ୍ନା ବାହାରୁଛି। ତୋ କୁକୁର ଭାଗ୍ଯ ଟାଣ୍ । ଆଜି ଖାସି ମାଂସ ତା ଭାଗ୍ଯରେ ଲେଖା।

କମଳା ମୁହଁରି ବଚନ ବାହାରୁନି। ସେ କଣ କହିବ ଭାବିପାରୁନ ଥାଏ। ମାତ୍ର ତା ଭିତରଟା ମନ୍ଥି ହୋଇଯାଉଥିଲା। କଣ ଭାବି ସେମାନେ ଟିପୁ କୁ ଏମିତି କହିଲେ ଓ ତା ପାଇଁ ବାସି ପଚା ଜିନିଷ ଆଣି ଦେବାକୁ ବାହାରିଲେ ସେଇ କଥା ମନରେ ଆଣି କାନ୍ଦି ପକେଇଲା ସେ। ସକେଇ କହିଲା ସେ କୁକୁର ନୁ ହ; ମୋ ପୁଅ.......

ସେ ଏ ବାସି ଜିନିଷ ଖାଇବନି।

ମହାନ୍ତିଆଣି କି ଛାଡିବା ଲୋକ। ତାଚ୍ଛଲ୍ଯ କରି କହିଲା “ ଆରେ ହେଃ, ନ ଦେଖିବା ଲୋକ ଦେଖ, କଇଁଛ କାଢିଛି ବେକ” ଦେଖ ହୋ ପୁଅ ସୁଆଗ। ମୁହଁ କୁ ଲାଜ ନାହିଁ ଯାହା।

ସେ ଆଃ ଚୁଃ ଚୁଃ କରି ଟିପୁକୁ ଡାକିଲା ଓ କିଛି ଦୂରରେ ସେ ବାସି ମାଂସ ତକ ଢାଳିଦେଲା। ଉଦ୍ଦେଶ୍ଯ ଥିଲା କମଳା ସାମନାରେ ଟିପୁ ସେ ଜିନିଷ ଖାଉ। ଯଦି ସେତକ ସେ ଖାଇଦେବ, କମଳାକୁ ଭଲ କରି ଦି ପଦ ଶୁଣେଇ ହେବ।

କୋହ ଭରା ଥରଥର କଣ୍ଠରେ କହିଲା କମଳା--

--- ଦେଖ୍ ଟିପୁ ଯଦି ତୁ ମୋ ପୁଅ ହୋଇଥିବୁ, ଏ ଜାଗାରୁ ଇଞ୍ଚେ ବି ଘୁଞ୍ଚିବୁନି। ତୋତେ ମୋ ରାଣ।

ଟିପୁ ଲାଗି ଆସିଲା କମଳା ପାଖକୁ। ଗୋଡ ପାଖରେ ଗେଞ୍ଜି ହୋଇ ଶୋଇପଡିଲା। ପାଖ ପଡିଶା କିଛି ଗୋଟେ ରୋଚକ ଦୃଶ୍ଯର ଆଶାରେ ଗହଳି କରିବା ଆରମ୍ଭ କରି ସାରିଥିଲେ। ମହାନ୍ତିଆଣି ଅନବରତ ଆହାଃ ଚୁଃ ଚୁଃ କରି ଡାକିବାରେ ବ୍ଯସ୍ତ। ଅଚଳ ମହାମେରୁ ପରି ସ୍ଥିର ଟିପୁ। ମୁହଁରେ ତାର ଗମ୍ଭୀରତା ସ୍ପଷ୍ଟ ବାରି ହୋଇପଡୁଛି। ଶେଷରେ ସେ ନଛୋଡବନ୍ଧା ସ୍ତ୍ରୀ ଲୋକଟି ତଳେ ପଡିଥିବା ମାଂସରୁ ଖଣ୍ଡେ ଉଠେଇ ଟିପୁ ଆଡକୁ ପକେଇ କହିଲା--

--- ଏ କୁକୁର ବୋଧେ କେବେ ମାଂସ ଖାଇନି, ନହେଲେ ଏମିତି ବୋକାଙ୍କ ପରି ଚାହାଁନ୍ତା କଣ ପାଇଁ।

ସେ ନିଶ୍ଚିତ ଥିଲା ଟିପୁ ଆଗ୍ରହ ସହକାରେ ମାଂସଟିକୁ ଖାଇଦେବ। କିନ୍ତୁ ସବୁ ଭାବନାକୁ ଧ୍ବସ୍ତବିଧ୍ବସ୍ତ କରି ଅତି ଉଚ୍ଚସ୍ବରରେ ଭୁକିବାକୁ ଲାଗିଲା ଟିପୁ। ସେ ଭୁକିବରେ ଥିଲା କ୍ରୋଧ, ଘୃ୍ଣା ଓ ବିରକ୍ତିର ଭାବ। ଘରକୁ ଆସିବା ଦିନରୁ କେବେ ଏମିତି ଭୁକିବାର ଦେଖି ନଥିଲା କମଳା। ବେଳକୁ ବେଳ ଭୁକିବାର ମାତ୍ରା ବଢିବାରେ ଲାଗିଲା। କାଳେ କାମୁଡି ଦେବ ସେ ଭୟରେ ମହାନ୍ତିଆଣି ଯାଗା ଛାଡି ପଳାଇଲା। କମଳାର ମୁହଁକୁ ଥରେ ଦେଖିଲା ଟିପୁ, ଧିର ପଦକ୍ଷେପରେ ଅଗ୍ରସର ହେଲା ସେ ମାଂସ ପଡିଥିବା ଯାଗାକୁ। ଜମି ଥିବା ଲୋକଙ୍କର ଉତ୍କଣ୍ଠା ଚରମସୀମାରେ। କଣ କରିବ ଟିପୁ? କଣ ସେ ଭୂଇଁରେ ପଡିଥିବା ବାସି ଜିନିଷ ଗୁଡାକୁ ଖାଇବ, କଣ ସେ କମଳାର ତା ପ୍ରତି ଥିବା ଭଲ ପାଇବାକୁ ମାଟିରେ ମିଶେଇଦେବ।

କମଳା ଧିର ସ୍ବରରେ କହିଲା ଟିପୁ........ଏତିକି କହି ଲଥ୍ ହୋଇ ଭୁଇଁରେ ବସି ପଡିଲା।

ଟିପୁ କମଳା ଆଡକୁ ଥରେ ଦେଖିଲା। ସିଧା ଗଲା ସେ ଖାଇବା ପଡିଥିବା ଜାଗାକୁ। ନଖରେ ବାଲି ରାମ୍ପି ଘୋଡେଇ ପକେଇଲା ଭୂଇଁରେ ପଡିଥିବା ସେ ଜିନିଷ ଗୁଡାକ। ପାଖରେ ଜମିଥିବା ଲୋକେ ନିଜ ଆଖି ବୁ ବିଶ୍ବାସ କରି ପାରୁ ନଥିଲେ। ସାହି ପିଲାଏ ସିଟି ହୁଇସିଲ୍ ମାରି ଜାଗା ଟାକୁ କମ୍ପେଇ ଦେଲେ। ସିନେମାର ଅତି ସୁନ୍ଦର ଦୃଶ୍ଯଟିଏ ଦେଖିଲେ ଯେମିତି ମନ କୁ ମନ ତାଳି ମାରି ହୋଇଯାଏ, ସେମିତି କିଛି ଲୋକ ତାଳି ମାରିଦେଲେ। ଟିପୁ ଲାଗି ଆସିଲା କମଳା ପାଖକୁ। ଏକବାରେ ତାକୁ କୁଣ୍ଢେଇ ପକେଇ କମଳା ଭୋ ଭୋ କାନ୍ଦି ଉଠିଲା। ସେ କାନ୍ଦ ଥିଲା ମାତୃତ୍ବର, ଅନାବିଳ ସ୍ନହ ଓ ଭଲ ପାଇବାର। ସେତିକି ବେଳେ ରାମ ଓ ରାଜୁ ବଜାରରୁ ଆସି ପହଞ୍ଚିଲେ। କମଳାର କାନ୍ଦୁରା ମୁହଁ ଦେଖି ରାମ କଣ ହୋଇଛି ବୋଲି ପଚାରିଲା। ଅଣ୍ଟିରୁ କିଛି ପଇସା କାଢି କମଳା କହିଲା ---ଏବେ ବଜାରକୁ ଯାଇ ମୋ ପୁଅ ପାଇଁ ଖାସି ମାଂସ ଆଣ। ରାଜୁ ବଲବଲ କରି ଚାହିଁ ଥାଏ। କାନ୍ଦୁରା ମୁହଁରେ ହସ ଫୁଟେଇ କମଳା କହିଲା ମୋ ଦୁଇ ପୁଅଙ୍କ ପାଇଁ ଆଣିବ।

--- ଆରେ ଏଇ କଥା। ଏଇ ସାଙ୍ଗେସାଙ୍ଗେ ଯାଉଛି। ଚାଲ୍ ରେ ରାଜୁ ଯିବା। ତା ମାନେ ଆଜି ଆମ ଘରେ ଭଲ ଖାଇବାଟେ ହେବ।

ଟିପୁ ପାଇଁ କମଳାର ଭଲ ପାଇବା ଦିନ କୁ ଦିନ ବଢି ଚାଲିଥିଲା। ସେ କେବେ ବି ରାଜୁ ଓ ଟିପୁ ଭିତରେ କିଛି ଫରକ ଦେଖୁ ନଥିଲା। ରାଜୁକୁ ଗାଧେଇ ପାଧେଇ ଖାଇବାକୁ ଦେଇ ସ୍କୁଲ ଛାଡିବା ପରେ ପଡେ ଟିପୁର ପାଳି। ସବୁ ଦିନ ପରିଷ୍କାର କରି ଗାଧେଇ ପୋଛାପୋଛି କରିଦିଏ କମଳା। ତାପରେ ଗରମ କ୍ଷୀର ସହ ଦଶ ପଟ ରୁଟି ବାଢି ଦିଏ ଅତି ଆଦରରେ। ଖାଇବା ନ ସରିବା ଯାଏ ଯାଗା ଛାଡି ଯାଏନି କେବେ ବି। ଯଦି କେବେ ଟିପୁ ରୁଟି ଖାଇବାକୁ ଅମଙ୍ଗ ହୁଏ , କମଳା ର ଚିନ୍ତା ବଢିଯାଏ। କାଳେ ପେଟରେ କୃମି ହୋଇଥିବ, କାଳେ ଦେହ ଖରାପ ହୋଇଥିବ ଏମିତି କେତେ କଣ ଭାବି ମୁହଁ ଶୁଖେଇ ବସେ। ରାମକୁ ବାଧ୍ଯ କରେ ପଶୁ ଡାକ୍ତରଖାନା କୁ ଯାଇ ବୁଝି ଆସିବା ପାଇଁ। ପ୍ରଥମେ କେତେ ଥର ରାମ ଗଲା ଡାକ୍ତରଖାନା। କିନ୍ତୁ ଡାକ୍ତର ହସି କହିଲେ

– ଆରେ ରାମ ବାବୁ, କଣ ନିୟମ ଅଛି ଯେ ଟିପୁ ସବୁ ଖାଇବା ସବୁ ଦିନ ଶେଷ କରିବ। ତାର ବି ମନ ଅଛି। କେବେ ଇଛା ନହେଲେ ଖାଉ ନଥିବ। ସେଥିପାଇଁ ବିବ୍ରତ ହେବାର କିଛି ନାହିଁ। ତୁମେ ଟିପୁକୁ ଯେମିତି ପାଳିଛ , କେଉଁ ବାପା ମାଆ ନିଜ ଜନ୍ମ କଲା ପିଲାକୁ ଏମିତି ପାଳୁ ନଥିବେ। ନିଶ୍ଚିନ୍ତ ରୁହ, ସେ ପୁରା ଠିକ୍ ଅଛି।

ଏତିକି ଶୁଣି ଗର୍ବରେ ଫାଟିଯାଏ ରାମ ର ଛାତି। ଯାହା ହେଉ ଟିପୁ ପାଇଁ ପ୍ରଶଂସା ଟିକେ ତ ପାଉଛି।

ରାତିରେ ଶୋଇଲା ବେଳେ ଟିପୁ ଖଟ ତଳେ ଶୁଏ। ବଡ ଲୋକଙ୍କ ପରି ଘୁଙ୍ଗୁଡି ବି ମାରେ। ତା ଘୁଙ୍ଗୁଡି ଶୁଣି ହସି ପକାଏ କମଳା। – ଦେଖ ମ , ପିଲା ଟା କେତେ ନିଶ୍ଚିନ୍ତରେ ଶୋଇଛି। ଟିପୁ ଶୋଇଲା ବେଳେ ଗୋଡ ହଲେଇ ଦଉଡିବା ପରି ହୁଏ ଅନେକ ସମୟରେ। ରାଜୁ କୁହେ – ଦେଖ ବାପା ଟିପୁ ସ୍ବପ୍ନ ଦେଖୁଛି କେମିତି। ସେ ନହାତି ସ୍ବପ୍ନରେ ମୋ ସହ ଦଉଡା ଦଉଡି ଖେଳୁଥିବ ନା। ମୁଣ୍ଡ ଟୁଙ୍ଗାରେ ରାମ।

ମନରେ ଭାବେ ଟିପୁ ଆସିବା ଦିନ ଠୁ ତା ଘର ଟା ହସ ଖୁସିରେ ଭରି ଉଠିଛି। ମୁହଁରୁ ପଦେ କଥା ନ କହିଲେ ବି ଆଖିରେ ସବୁ କଥା କେତେ ସ୍ପଷ୍ଟ ଭାବରେ କହି ଦେଉଛି ସେ। ହସ, କାନ୍ଦ, ରାଗ, ରୂଷା ସବୁ ତ କରୁଛି ସେ। ସତରେ ଟିପୁ କୁ ଛାଡି ଦଣ୍ଡେ ବ ରହିବା ମୁସ୍କିଲ ତା ଘରର ପ୍ରତ୍ଯକ ସଦସ୍ଯ ପାଇଁ। ଅଜାଣତରେ ତା ହାତ ଉଠିଯାଏ ଜଗନ୍ନାଥଙ୍କ ଉଦ୍ଦେଶ୍ଯରେ। ----- ହେ କାଳିଆ ମୋ ଟିପୁ କୁ ଲମ୍ବା ଆୟୁଷ ଦେବୁ। ମୋ ଜୀବ ଥିବା ଯାଏ ସେ ମୋ ଆଗରେ ଏମିତି ଖେଳୁଥାଉ ବୁଲୁଥାଉ। ମୋ ଦ୍ବିତୀୟ ପୁଅ ସେ। ତାକୁ ଘଣ୍ଟ ଘୋଡେଇ ରଖିଥିବୁ ସଦାବେଳେ।

ସେଦିନ ରାମ ବଡ ଖୁସିରେ ଘରକୁ ଆସିଲା। ହାତରେ କମଳା ପାଇଁ ଶାଢୀ, ରାଜୁ ପାଇଁ ଡ୍ରେସ୍ ଓ ଟିପୁ ପାଇଁ ଗୋଟେ ନୂଆ ଚେନ୍ ଯାହାକୁ ସେ ବେକରେ ଲଗେଇବ। ତା ସହ ମିଠା ପ୍ଯାକେଟ୍ ବି ଆଣିଥିଲା। ଟିପୁ ମୁଣ୍ଡ ଠୁ ଗୋଡ ଯାଏ ଶୁଙ୍ଘି ଦେଇଗଲା । ରାମ ର ହାତ ଚାଟି ପକେଇ ତାକୁ ଘରକୁ ସ୍ବାଗତ କଲା। ଟିପୁ ବେକରେ ଝୁଲେଇଦେଲା ସେ ସୁନ୍ଦର ଚେନଟିକୁ ରାମ ଅତି ଯତ୍ନରେ।

– ଆରେ ବାଃ। ପୁରା ରାଜା ପରି ଦିଶୁଛି ଆମ ଟିପୁ ଏ ଚେନ ପିନ୍ଧିଲା ପରେ। କହି ପିିଠିକୁ ଥାପୁଡେଇ ଦେଲା। ଟିପୁ ଦଉଡି ଗଲା ରୋଷେଇଘରକୁ କମଳା କୁ ତା ନୂଆ ଚେନ୍ ଦେଖେେଇବା ପାଇଁ।

--- ଆରେ କମଳା ଆଜି ଧାନ ବିକ୍ରି ବାବଦ କୁ ଥିବା ସବୁ ବକେୟା ଟଙ୍କା ମିଳିଗଲା। ପୁରା ଲକ୍ଷେ ଟଙ୍କା । ଏଇ ନିଅ ଯତ୍ନ ସହକାରେ ଆଲମାରୀରେ ଚାବି ପକେଇ ରଖିଦେବ। କାଲି ମୁଁ ବ୍ଯଙ୍କରେ ନେଇ ଡିପୋଜିଟ୍ କରିଦେବି।

– କିନ୍ତୁ ଏତେ ଗୁଡେ ଟଙ୍କା ଘରେ ରହିବ , କିଛି ଅସୁବିଧା ନାହିଁ ତ? ଏ ଚୋର ଗୁଡାକ ଯେମିତି ଉତ୍ପାତ ହେଉଛନ୍ତି ମନରେ ଡର ପଶି ଯାଉଛି। ସେଦିନ ଆମ ଗାଁଆ ମୁଣ୍ଡରେ ରହୁଥିବା ସ୍କୁଲ ହେଡ୍ ମାଷ୍ଟ୍ର ଘରେ ପଶି ଚୋର ମାନେ କଳାକନା ବୁଲେଇ ଦେଲେ। ବ୍ଯସ୍ତ ହୋଇ କହିଲା କମଳା।

– ଆରେ ଡରୁଛ କଣ ମ। ଟିପୁ ଅଛି ପରା। ତାକୁ କଉ ଚୋର ବଳେଇ ଯିବ ନା କଣ? ଆରେ ଟିପୁ ଭଲରେ ଦେଖିଥା, ତୋ ମାଆର ଟଙ୍କା ଏଇ ଆଲମାରୀରେ ଅଛି, ତାକୁ ଭଲରେ ଜଗିଥିବୁ। କହି ହସି ପକେଇଲା ରାମ। ଟିପୁ କଣ ବୁଝିଲା କେଜାଣି ଆଲମାରୀ ପାଖକୁ ଯାଇ ଆଲମାରୀକୁ ଶୁଙ୍ଘି ପୁଣି ରାମ ପାଖରେ ଆସି ଘଷି ହେଲା। ତାକୁ ଆଉଁସିଲା ବେଳେ ରାମ କହିଲା ମୋ ପୁଅ ସବୁ ବୁଝୁଛି।

ନୂଆ ଡ୍ରେସ୍ କୁ ପିନ୍ଧି ରାଜୁ ଆସି ଟିପୁ କୁ କହିଲା ଦେଖି କହିଲୁ କେମିତି ଲାଗୁଛି। ତୋ ଚେନ ଟା ବେଶି ଭଲ ନା ମୋ ଡ୍ରେସ୍ ଟା ଭଲ କହ। କମଳା ଓ ରାମ ହସି ପକେଇଲେ। ଖିଆପିଆ ସରିଲା ପରେ ରାମ ଘରର ଦରଜା କୁ ଆଉଥରେ ପରଖି ଦେଖିଲା। ଟିପୁ ଆସି କମଳା ପାଖରେ ଘଷି ହେବାରେ ଲାଗିଲା। ବାରମ୍ବାର ତା ଚେନଟା ଦେଖେଇ ଲାଞ୍ଜ ହଲେଇଲା। ରାମ କଣ କିରେ ଟିପୁ ତୋ ଚେନଟା ତୋତେ ବେଶି ଭଲ ଲାଗୁଛି ନା? କେତେ ଆଉ ଫୁଲେଇ ହେବୁ ଯେ। ରାଜୁ କହିଲା “ ବାପା କାଲି ମୁଁ ଟିପୁ କୁ ଧରି ସ୍କୁଲକୁ ଯିବି। ମୋ ସାଙ୍ଗ ମାନଙ୍କୁ ତା ନୂଆ ଚେନ ଦେଖେଇବି। ସେମାନେ ଦେଖିଲେ କେତେ ଖୁସି ହେବେ । ଏକା ବେଳକେ ହସି ଉଠିଲେ ରାମ ଓ କମଳା। ଟିପୁ ସେମାନଙ୍କ କଥା ଶୁଣି ଲାଞ୍ଜ ହଲେଇବାରେ ବ୍ଯସ୍ତ। କମଳା ଟାଣି ଆଣିଲା ଟିପୁକୁ

“ ମୋ ସୁନା ଗୁଲୁଗୁଲିଆ ପୁଅଟା , କାହା ନଜର ନଲାଗୁ । ଆରେ ହେଃ ତୁମେ ମିଠା ଆଣିଥିଲା ପରା। ମୁଁ କାହାକୁ ବି ଦେଇନି, ପୁରା ଭୂଲି ଯାଇଛି। ମୁଁ ଆଣୁଛି ସମସ୍ତେ ଖାଇ କି ଶୋଇବା।

--- ମିଠା ବଢିଆ ହୋଇଛିି ବାପା, ଟିପୁ କୁ ଆଉ କେତେ ଟା ଦଉନ।

– ନା ରେ ପୁଅ , ଟିପୁ ବେଶି ମିଠା ଖାଇଲେ ତାର କୃମି ହେବ । ଝଡି ଯିବ ବିଚରାଟା। ଆଜି ଏତିକି ଖାଉ, କାଲି ପୁଣି ରୁଟି ଖାଇଲା ବେଳେ ଖାଇବ।

ମହାତୃପ୍ତିରେ ମିଠା ତକ ଖାଇ ଟିପୁ ଖଟ ତଳକୁ ପଶିଗଲା। ତା ଶୋଇବା ସମୟ ହୋଇଯାଇଥିଲା।

ରାମର ଆଖି କେତେ ବେଳେ ଲାଗି ଯାଇଛି ସେ ଆଡକୁ ନିଘା ନାହିଁ। ବାହାରେ କିଛି ଗୋଟେ ଖସଖସ ଶୁଭିଲା। ଟିପୁ ଭୁକିବା ଆରମ୍ଭ କରିଦେଲା। ରାମ ଧଡପଡ ହୋଇ ଉଠି ପଡିଲା। ଦେଖିଲା ଟିପୁ ଘର କବାଟ ପାଖରେ ଠିଆ ହୋଇ ଜୋର ଜୋର ରେ ଭୁକୁଛି। ସେ ଆଉଁସି ଦେଲା ଟିପୁ କୁ। କହିଲା ଚାଲ ଶୋଇବା , ବୋଧେ ବିଲେଇ କି ଆଉ କଣ ହୋଇଥିବ। କିନ୍ତୁ ଟିପୁ ସେମିତି ଭୁକି ଚାଲିଥାଏ। ରାମ ଟିକେ ଚିଡିଲା ପରି କହିଲା- – ଆରେ ଏମିତି ଭୁକିବୁ ତ ତୋ ବୋଉ ଆଉ ରାଜୁ ଉଠିପଡିବେ। କିଛି ନାହିଁ କହିଲି ପରା। ଚାଲ ଶୋଇବା। ଏଥରକ ଟିପୁ ଚୁପ୍ ହୋଇଗଲା। ମାତ୍ର ସେ ଭୀଷଣ ବ୍ଯସ୍ତ ହେଲା ପରି ଲାଗୁଥାଏ। ସେଆଡକୁ ରାମ ଗୁରୁତ୍ବ ନ ଦେଇ କହିଲା-- ଶୁଣ୍ ପୁଅ ମୋତେ ଜୋରରେ ନିଦ ଲାଗିଲାଣି। ମୁଁ ଟିକେ ଶୋଉଛି। ଘର ତୋତେ ଲାଗିଲା ।। ଟିକେ ସଜାଗ ଥିବୁ। ଲାଞ୍ଜ ହଲେଇଲା ଟିପୁ।

କିଛି ସମୟ ଭିତରେ ଜୋରରେ ଶୋଇ ପଡିଲା ରାମ। କମଳା ଓ ରାଜୁ ବି ନିଘୋଡ ନିଦରେ। ଟିପୁ ଆଖିରେ କିନ୍ତୁ ନିଦ ନାହିଁ। ସେ ସେମିତି ଚାହିଁ ବସିଛି କବାଟ ଆଡକୁ। ସତେ ଯେମିତି ବାହାରେ କିଏ ଅଛି। କବାଟ ଖଟଖଟ୍ ହେଲା। ଟିପୁ ଭୁକିବା ପୁଣି ଆରମ୍ଭ କଲା। ଧିରେ ଧିରେ ଜୋରରେ କବାଟ ଟି ଧଡ୍ ଧଡ୍ ହେଲା। ଟିପୁ ଦଉଡି ଯାଇ ରାମର ଗୋଡ କୁ ଚାଟିଲା। ମାତ୍ର ନିଦରୁ ଉଠିବାକୁ ରାମ ନାରାଜ୍। କମଳା ପାଖକୁ ଯାଇ ତା ଶାଢୀ ଟାଣିଲା। ମାତ୍ର ସେ ବି ଅଚେତନ ପ୍ରାୟ। ଦିନ ସାରା ଖଟି କ୍ଳାନ୍ତ ହୋଇ ଶୋଇଛି। ଉପରେ ପଥର ପଡିଲେ ବି ଉଠିବାର ଶକ୍ତି ନାହିଁ। ପୁଣି ଦଉଡି ଗଲା ଟିପୁ କବାଟ ପାଖକୁ। ଦେଖିଲା କବାଟ ଠିଆ ମେଲା ହୋଇ ପଡିଛି। ତିନି ଜଣ ଲୋକ ମୁହଁରେ କଳା କନା ବାନ୍ଧି ଠିଆ ହୋଇଛନ୍ତି। ହାତରେ ଅଛି ଭୁଜାଲି। ଟିପୁ ପାଇଁ ପରୀକ୍ଷାର ବେଳ। ସବୁ ଭଲ ପାଇବାର ମୂଲ ତାକୁ ଆଜି ଶୁଝିବାକୁ ହେବ।

ସେମାନେ କିଛି ବୁଝିବା ଆଗରୁ ଟିପୁ ସେମାନଙ୍କୁ ଆକ୍ରମଣ କଲା। ଗୋଟେ ଚୋରର ଗୋଡକୁ କାମୁଡି ଧରିଲା ସେ। ଯେତେ ଚେଷ୍ଟାକଲେ ବି ଗୋଡ ଖସେଇ ପାରିଲାନି ସେ। ଗୋଟେ କୁକୁର ର ଏତେ ବଳ ଥିବ ସେ ଜାଣି ନ ଥିଲା । ତା ପାଖରେ ଆଉ କିଛି ଉପାୟ ନ ଥିଲା। ଭୁଜାଲିରେ ମାରିଲା ଗୋଟେ ଚୋଟ । ଠିପୁର ପିଠିରେ ହୋଇଗଲା ଗଭୀର କ୍ଷତ। ସେ ଆହୁରି ରାଗିଗଲା ଓ ଚୋରର ଗୋଡକୁ ଅତି ଭୟଙ୍କର ଭାବରେ ଝୁଣିବାରେ ଲାଗିଲା। ଅଳ୍ପ ସମୟ ଭିତରେ ଚୋରଟା ତଳେ ପଡିଗଲା। ବାକି ଦୁଇଜଣ କ୍ଷେପି ଆସିଲେ ଟିପୁ ଆଡେ। ହାତରେ ଭୁଜାଲି ଧରି ଟିପୁକୁ ଜୀବନ ରେ ଶେଷ କରିଦେବାକୁ ସେମାନେ ମନସ୍ଥ କରି ସାରିଥିଲେ। ଜଣେ ପୁରୁଖା ଯୋଦ୍ଧାପରି ଟିପୁ ନିଜ କ୍ଷତକୁ ପରବାୟ ନ କରି ସମ୍ମୁଖ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲା।

– ଆରେ ତା ବେକ କୁ ପକା ଚୋଟ। ସିଧା ଖଲାସ କରିଦେ।

ଏଥର ଟିପୁ ବେଶି ସାବଧାନ ହୋଇଯାଇଥିଲା । ବାକି ଦୁଇଜଣ ଆକ୍ରମଣ କଲା ବେଳେ ସେ ଘର ଭିତରେ ଦଉଡିବାରେ ଲାଗିଲା। ଏମିତି ବି ଘରଟା ଅନ୍ଧାର ଥିଲା । ଟର୍ଚ୍ଚ ଆଲୁଅ ମାରି ଚୋର ତାକୁ ଖୋଜି ବାକୁ ଲାଗିଲେ। ହଠାତ୍ ଟିପୁ ସେମାନଙ୍କ ପଛ ପଟୁ ଆକ୍ରମଣ କଲା। ଗୋଟେ ଚୋରର ସିଧା ବେକ ପଛକୁ କାମୁଡି ଧରିଲା। ଚୋର ଟା ତଳେ ପଡି ବିକଳରେ ପାଟି କାରିବାକୁ ଲାଗିଲା। ଏତେ ଜୋରରେ ଟିପୁ ତା ବେକ କୁ କାମୁଡି ଧରିଥାଏ ଯେ ସେ ଚୋର ଟା ଖୁବ କମ ସମୟ ଭିତରେ ନିଥର ହୋଇ ପଡି ରହିଲା। କିନ୍ତୁ ସେଇ ସମୟ ଭିତରେ ଆର ଚୋରଟା ଭୁଜାଲି ରେ ଟିପୁ କୁ ଅନବରତ ହାଣିବାରେ ଲାଗିଲା।

ଓଃ କି ହୃଦୟ ବିଦାରକ ଦୃଶ୍ଯ ଥିଲା ସେ। ଯେଉଁ ଟିପୁ ଦେହରେ କେବେ କଣ୍ଟାଟେ ବି ଫୁଟି ନ ଥିଲା ତା ଦେହରେ ଭୁଜାଲିରେ ଅନବରତ ମାଡ ଚାଲିଛି। ମାନିବାକୁ ପଡିବ ତା ସହନଶୀଳତା। ତଥାପି ସେ ଯୁଦ୍ଧ ଭୂମିରେ ଠିଆ ହୋଇଛି ଦମ୍ଭ ଧରି। ପିଠି, ମୁହଁ , ଗୋଡ ସବୁ ଯାଗାରେ କେବଳ ରକ୍ତ। ହାଣ ଖାଇବା ସମୟରେ ବି ସେ ଛାଡି ନ ଥିଲା ତା ଆକ୍ରମଣକାରୀକୁ। ତା ହାତ ଗୋଡ ଚାରି ଆଡକୁ କାମୁଡି ଚାଲିଥିଲା । କିନ୍ତୁ କେତେ ସମୟ ବା ସହିବ ଏମିତି ନିର୍ମମ ପ୍ରହାର। ଦେହରୁ ଅତ୍ଯଧିକ ରକ୍ତ ବୋହିଯିବା କାରଣରୁ ଶକ୍ତିହୀନ ହୋଇଗଲା ସେ। ଅଚାନକ ତଳେ ପଡିଗଲା।

ଚୋରଟା ଦୀର୍ଘ ନିଶ୍ବାସ ନେଲା। ଏତେ ଦିନର ଚୋରିକାମ ଭିତରେ ଏମିତି ଦଶା କେବେ ଭୋଗି ନଥିଲା। ତାର ଦୁଇ ସାଥି କୁକୁର କାମୁଡାରେ ପ୍ରାଣ ହରେଇ ସାରିଲେଣି। ଥରେ ଦେଖିନେଲା ସେମାନଙ୍କୁ। ନା, କାହା ପିଣ୍ଡରରେ ବି ପ୍ରାଣ ନାହିଁ। ଦୁଇ ଜଣଯାକର ତଣ୍ଟି ମେଲା ହୋଇଯାଇଛି। ଚଟାଣ ସାରା ରକ୍ତ ବୋହି ଜମାଟ ବସି ଗଲାଣି। ତାକୁ କାମ ଶୀଘ୍ର ସାରିବାକୁ ହେବ। ସକାଳ ହେବାକୁ ବସିଲାଣି। ଆଉଟିକେ ପରେ ଲୋକ ଜମିଯିବେ। ତେଣୁ ସେ ଟିପୁକୁ ଗୋଇଠା ମାରି ଧସେଇ ପଶିଲା ଶୋଇବା ଘରକୁ। । ଟିପୁର ଗଁ ଗଁ ଶବ୍ଦ ଶୁଭୂଛି। । ରାମର ବେକ ପାଖରେ କିଛି ଗୋଟେ ଜିନିଷ ଚାପିହେଲା ପରି ଲାଗିଲା। ଆଖି ଖୋଲି ଦେଖିଲା ବେଳକୁ ବେକ ପାଖରେ ଭୁଜାଲି ଲଗେଇ ଜଣେ କିଏ ଠିଆ ହୋଇଛି।

– ଚୁପ୍ ଚାପ୍ ଆଲମାରୀର ଚାବି ଦେଇ ଦେ, ନେହେଲେ ବେକ କାଟି ଦେବି। ତୋ ସ୍ତ୍ରୀ ଓ ପିଲା ବି ମରିବେ। ଚଞ୍ଚଳ ଦେ। କିଛି ନକହି ତକିଆ ତଳୁ ଚାବି କାଢିଲା ରାମ।

ସେପଟେ ଟିପୁର ବିକଳ ଚିତ୍କାର ଶୁଭିଲା। ଅସମ୍ଭାଳ ହେଇଛି ବେଳକୁ ବେଳ ତାର ଅବସ୍ଥା। ଚୋରଟା ସେସବୁକୁ ଖାତିର କରି ତରତର ହୋଇ ଆଲମାରୀଟା ଖୋଲିବାରେ ଲାଗିଲା। ଟିପୁର କୁଁ କୁଁ ଶବ୍ଦ ବି ଶୁଭୁଛି। ମନରେ ତାର ପାପ ଛୁଇଁଲା। କଣ ସେ କରିବ କିଛି ଜାଣି ପାରୁ ନଥିଲା। ଭୟରେ ତା ହାତ ଗୋଡ ସବୁ ଜଡ ପାଲଟି ଯାଇଥିଲା।

ହଠାତ୍ ଶୁଭିଲା ଟିପୁର ବିକଳ ଚିତ୍କାର।

କମଳା ଚମକି ଉଠିଲା।

– ଟିପୁ.....କଣ ହେଲା ତୋର। କହି ଉଠି ବସିଲା ସେ।

ଆଖି ଆଗରେ ଯାହା ଦେଖିଲା ବିଶ୍ବାସ ହେଲାନି। ଚୋରଟା ଆଲମାରୀ ଖୋଲି ଟଙ୍କା ତକ ଏକ ଜରି ବ୍ଯାଗରେ ପୁରେଇବାରେ ବ୍ଯସ୍ତ। ପାଖରେ ଥିବା ପାଣି ଢାଳରେ ଚୋର ର ମୁଣ୍ଡକୁ ଦେଲା ଏକ ମସ୍ତବଡ ପ୍ରହାର। ଚୋର ଟା ତଳେ ବସି ପଡିଲା ଏମିତି ଅତର୍କିତ ଆକ୍ରମଣରେ। ରାମ ପାଖରେ ରଖିଥିବା ଲାଠିରେ ପିଟି ଚାଲିଲା ସେ ଚୋରକୁ। କମଳା ଦଉଡି ଗଲା ବାହାରକୁ ଟିପୁର କଣ ହୋଇଛି ଦେଖିବା ପାଇଁ। ଦେଖିଲା ବେଳକୁ ଟିପୁ ଦେହ ସାରା ରକ୍ତ। ଭୁଜାଲି ରେ ଦେହ ଟାକୁ କାଟି ପକେଇଛନ୍ତି ଚୋର ମାନେ। ଟିପୁ ର ଆଖି ଦିଶୁଥିଲା ଜ୍ଜଳନ୍ତ ଅଗ୍ନିପିଣ୍ଡୁଳା ପରି। ଟିପୁ କୁ ଏମିତି ଭାବରେ କେବେ ବି ଦେଖିନି କମଳା। ସେଇ ପାଖରେ ଦୁଇଟି ଲୋକ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡିଛନ୍ତି ଓ ଟିପୁ ସେମାନଙ୍କ ପାଖରେ ଚାରିକାତ ମେଲେଇ ପଡିଛି। ଏତିକି ବେଳେ ଶୁଭିଲା ରାମ ର ବିକଳ ଡାକରା।

--ପୁଅ ଟିପୁ ବଞ୍ଚା ମୋତେ। ମୋତେ ମାରି ଦେବ ରେ ସେ। ଦଉଡି ଆସେ।

ଉଠିବାର ଶକ୍ତି ନଥିଲା ଟିପୁର। ନିଜର ବାକି ରହିଥିବା ସବୁ ଶକ୍ତି କୁ ଜୁଟାଇ ଝଡ ପରି ଧାଇଁ ଗଲା ଟିପୁ। ଚୋରଟା ହାତରେ ଭୁଜାଲି ଧରି ରାମ କୁ ମାରି ବାକୁ ବସିଛି। ଟିପୁ ସିଧା ଲମ୍ଫ ଦେଲା ଚୋର ଉପରକୁ । ବେକ ଟାକୁ କାମୁଡି ଧରି ଝୁଲି ପଡିଲା। ରାମ ହାଁ ହାଁ କରୁକରୁ ଚୋର ଭୁଜାଲିଟା ଟିପୁର ବେକରେ ଭୁଷିଦେଲା କିନ୍ତୁ ସେତିକି ସମୟ ଭିତରେ ଚୋର ବେକ ପାଖରୁ ମାଂସର ଏକ ଖଣ୍ଡ ଖସି ପଡିଲା। ସେ ତଳେ ପଡି ଗଁ ଗଁ ହେଲା। ବେକ ପାଖରୁ ରକ୍ତର ନଦୀ ବୋହିି ଯାଉଥିଲା। କିଛି ସମୟ ଭିତରେ ନିସ୍ତେଜ ହୋଇଗଲା ସେ।

ଆଉ ଟିପୁ........... ତଳେ ପଡି ରାମ ଆଡେ ଲୁହ ଛଳଛଳ ଆଖିରେ ଦେଖୁଥିଲା। । ତା ଗୋରା ତକ ତକ ଦେହ ଟା ରକ୍ତରେ ଲାଲ ହୋଇଯାଇଥିଲା। ଦେହର କୌଣସି ଯାଗା ବାକି ନାହିଁ। ଚୋର ଗୁଡା ଅତି ନିର୍ମମ ଭାବରେ ହାଣି ଦେଇଥିଲେ ଟିପୁ କୁ। ତାା ପାଖରେ ଲଥ୍ କରି ବସି ପଡିଲା ରାମ। ନିଜ ଆଖି ସାମନାରେ ସ୍ନେହ, ଭଲପାଇବା ଓ ଆତ୍ମୀୟତାରେ ତିଆରି କରିଥିବା ଦୁର୍ଗଟା ଭୁଷୁଡି ପଡୁଥିଲା।

--- ମୋ ପୁଅକୁ ମାରି ଦେଲେରେ। କଣ କରିଦେଲେ ମୋ ପୁଅକୁ। କହି ବାହୁନି କାନ୍ଦିବା ଆରମ୍ଭ କଲା କମଳା। ଟିପୁର ସାରା ଦେହରେ ହାତ ବୁଲେଇ ବଡ ବିକଳ ହୋଇ ଉଠିଲା। ପିନ୍ଧା ଶାଢୀର ପଣତକାନିରୁ ଖଣ୍ଡେ ଚିରି ଟିପୁ ଦେହରୁ ରକ୍ତ ପୋଛିବାରେ ଲାଗିଲା। ତା ଦେହ ଶିତେଇ ଗଲା। କ୍ଷତ ସବୁ ଚିରି ଆଁ ହୋଇଯାଇଛି। ଟିପୁର ଦେହ ଧିରେ ଧିରେ ନିସ୍ତେଜ ହୋଇ ଆସୁଛି। ନିଜ କୋଳକୁ ଟାଣି ନେଲା କମଳା। ତା ଦେହ ସାରା ପୋତି ଦେଇଗଲା ଅଜସ୍ର ଚୁମ୍ବନ। ସଦା ବେଳେ ହସହସ ମୁହଁ ଥିଲା ଟିପୁର। କିନ୍ତୁ ଆଜି ତାର ମୁହଁ ଗମ୍ଭୀର। ଆଉ କଷ୍ଟ ସମ୍ଭାଳି ପାରୁନି ସେ। ରାମ ଟିପୁର ମୁଣ୍ଡ ଆଉଁସି ବାରେ ଲାଗିଥାଏ। କମଳାର ଖାଲି ଗୋଟିଏ ପ୍ରଶ୍ନ “ମୋ ପୁଅ କଣ ମୋତେ ଛାଡି ଯିବ, କଣ ଏଇଥି ପାଇଁ ତାକୁ ଘରକୁ ଆଣିଥିଲ? ”

ରାମ ନିରୁତ୍ତର। ଯେଉଁ ନିଷ୍ଠୁର ସତ୍ଯକୁ ସାମନା କରିବାକୁ ଯାଉଥିଲା ସେଥିପାଇଁ ସାହାସ କୁଳାଉଥିଲା ବୋଧେ। ଟିପୁର ଜୀବନ ଆଉ କେତେଟି ନିଶ୍ବାସର। ତା ପରେ ସବୁ ସରିଯିବ। ଖାଲି ହୋଇଯିବ ତା ଘର। କିଏ ତା ପଛେପଛେ ବିଲକୁ ଯିବ, କିଏ ରାଜୁ ସହ ଖେଳିବ, କିଏ କମଳାର ପଣତ କାନି ପଛରେ ସଦା ବେଳେ ଲୁଚିବ, କିଏ ମଣିଷଙ୍କ ପରି ସବୁ କଥାରେ ମୁହଁର ଭାବ ଦେଖେଇବ.... ଏମିତି କେତେ ପ୍ରଶ୍ନର ଉତ୍ତର ଖୋଜିବାରେ ସେ ଅକ୍ଷମ ଥିଲା। କମଳାକୁ ସମ୍ଭାଳି ବାକୁ ହେବ। ସେ ବୋଧେ ପାଗିଳୀ ହୋଇଯିବ। କମଳାର କୋଳରେ ଟିପୁ ଅତି ଧିର ସ୍ବରରେ କୁଁ କୁଁ କଲା। ବୋଧହୁଏ ତା ମାଆକୁ ଶେଷ ଥର ପାଇଁ ଡାକିଲା। ହଠାତ୍ ତା ବେକଟା ଢଳି ପଡିଲା ଗୋଟେ ପାଖକୁ। ଆଖି ଦୁଇଟି ସ୍ଥିର କମଳାର ମୁହଁ ଉପରେ। ରାମ ନିଜ ହାତରେ ଟିପୁର ନିର୍ଜୀବ ଆଖି ଦୁଇଟି ମୁଦି ଦେଲା।

ଚାହୁଁ ଚାହୁଁ କଥାଟା ନିଆଁ ପରି ବ୍ଯାପି ଗଲା। ଗାଁଆଟା ଯାକ ଲୋକ ଆସି ପହଞ୍ଚିଗଲେ। ପୋଲିସ୍ ବି ଆସି ପହଞ୍ଚିଗଲା କିଛି ସମୟ ଭିତରେ। ଲୋକେ କୁହାକୁହି ହେଉଥିଲେ

– ଏ ଚୋର ମାନେ ଆଜି ରାତିରେ ତିନିଟା ଜାଗାରେ ଚୋରି କରି ଏ ଜାଗାକୁ ଆସିଥିଲେ। ସବୁ ଯାଗାରେ ଘର ମାଲିକକୁ ଭୁଜାଲି ମାଡ କରି ସବୁ ଜିନିଷ ଲୁଟି ନେଲେ। କିନ୍ତୁ ଏ ଯାଗାରେ ଟିପୁ ତାଙ୍କ ବେକକୁ କାମୁଡି ଜୀବନ ନେଲା। ବିଚରାଟା ନିଜ ଜୀବନକୁ ଖାତିର ନକରି ଖାଉନ୍ଦର ଜୀବନ ବଞ୍ଚେଇଦେଲା।

ବାହାରେ ଲୋକ ଗହଳି। ସମସ୍ତଙ୍କ ମୁହଁରେ ଗୋଟିଏ କଥା। କୁକୁରଟା ରାମ ପରିବାରକୁ ନୂଆ ଜୀବନ ଦେଲା।

କିନ୍ତୁ ଘର ଭିତରେ......

କମଳା ଟିପୁର ମୃତ ଶରୀର ଟାକୁ କୋଳରେ ଧରି ବାହୁନି ବାହୁନି କାନ୍ଦି ଚାଲିଥାଏ। ରାମ ଟିପୁର ମୁଣ୍ଡ କୁ ଆଉଁସି ଧିର ସ୍ବରରେ କହୁଥାଏ “ ଏମିତି ଆମକୁ ଛାଡି ଯାଆନିରେ ପୁଅ, ଥରେ ଆଖି ଖୋଲି ଦେଖ୍ ତୋ ବାପା ମାଆ ପରା ତୋତେ ଡାକୁଛନ୍ତି। ଥରେ ଶୁଣରେ ପୁଅ। କିନ୍ତୁ ଟିପୁ ଆଉ ନାହିଁ। ସେ ସମସ୍ତଙ୍କୁ ଛାଡି ଚାଲିଯାଇଛି।

ରାଜୁ କେବଳ କାନ୍ଦୁଥାଏ। ରାମକୁ ବୋକାଙ୍କ ପରି ପଚାରୁଥାଏ – କଣ ହୋଇଛି ଟିପୁର। ସେ ଶୁଣୁନି କଣ ପାଇଁ, ଉଠୁନି କଣ ପାଇଁ?

ରାମ ଟିପୁର ବେକରେ ଝୁଲୁଥିବା ସେ ହାତ ଘଣ୍ଟା ପରି ଜିନିଷଟାରୁ ରକ୍ତର ଛିଟା ଲିଭାଇ ଆଉଥରେ ମନ ଭରି "ଟିପୁ" ନାଁଆଟା ଦେଖିନେଲା।

ମୋ ଟିପୁରେ....... ବୋଲି ବିକଳ ଚିତ୍କାର କରି ଚେତା ବୁଡିଗଲା।


Rate this content
Log in

Similar oriya story from Inspirational