Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ନାସ୍ତିବାଚକ
ନାସ୍ତିବାଚକ
★★★★★

© Lopamudra Mishra

Others

9 Minutes   643    19


Content Ranking

ଲୋପାମୁଦ୍ରା ମିଶ୍ର

ପ୍ରିୟବ୍ରତଙ୍କ ଛୋଟ ପୁଅ ରିଗୁଲ୍ ବଡ଼ ହେଉଛି । ସବୁକିଛି ଖୁବ୍ ଶୀଘ୍ର ବୁଝିନେବା ଓ ଜାଣିନେବାରେ ଆଗ୍ରହ ତାର ବଢ଼ିବାରେ ଲାଗିଛି । ସେ ସ୍କୁଲ୍ ରେ ଦେଖୁଛି, ପାଖ ପଡୋଶୀ ଙ୍କ ଘରେ ଦେଖୁଛି, ନିଜ ମାମା ଙ୍କୁ ଦେଖୁଛି, ସମସ୍ତେ ମୂର୍ତ୍ତି ରଖି ପୂଜା କରୁଛନ୍ତି ଓ ପ୍ରାର୍ଥନା କରୁଛନ୍ତି କେଵଳ ତା ପାପାଙ୍କୁ ଛାଡ଼ି । ସେ ଜାଣିବାକୁ ଚାହେଁ," ପାପା କାହିଁକି କରନ୍ତିନି ? " । କିନ୍ତୁ ସେ ତ ମାତ୍ର ଏଗାର-ବାର ବର୍ଷ ର କୁନି ପିଲାଟେ, କାରଣଟା ଖୋଜି ପାଇବା ତା ପାଇଁ ଏତେ ସହଜ ନୁହେଁ । ଆଉ ସେ ଯେବେ ସେହି କଥା ତା ପାପା ଙ୍କୁ ପଚାରୁଛି ପାପା ତାର ମୁଣ୍ଡ ଆଉଁଷି ଦେଇ କହୁଛନ୍ତି, "ପାପାଙ୍କର ଆହୁରି ଅଲଗା ବହୁତ କାମ ଅଛି ନା ବେଟା ! ଏସବୁ ମିଛି ମିଛିକା ଖେଳ ଖେଳିବାକୁ ତୋ ପାପାଙ୍କୁ ସମୟ ନାହିଁ ପରା । "

--ପାପା ! ତାହେଲେ ରବିବାର କରୁନ କାହିଁକି ? ସେଦିନ ତ ଛୁଟି ଥାଏ ।

--ନାଇଁ ବାବା ଏ ସବୁ କାମରେ ମୋର ମନଲାଗେ ନାହିଁ । ଏସବୁ ମୋ ପାଇଁ ଅଦରକାରୀ କାମ । ତୁ ଆଉ ଟିକେ ବଡ଼ ହେଇଯା ବୁଝିବୁ ।

ରିଗୁଲ୍ ଏତିକି ବୁଝେ ତା ପାପା କିଛି ଭୁଲ କଥା କହନ୍ତିନି । ଖୁବ୍ ଗେଲ୍ହା କରନ୍ତି ତାକୁ, ସୁନ୍ଦର ଭାବେ ପାଠ ବୁଝେଇ ଦିଅନ୍ତି ଆଉ କେବେବି ରାଗନ୍ତିନି । ପାପା ପୂଜା କରନ୍ତିନି ମାନେ ନିଶ୍ଚୟ ପୂଜା କରିବାଟା ସେମିତି କିଛି ଗୁରୁତ୍ୱ ପୂର୍ଣ୍ଣ କାମ ହେଇନଥିବ ।

ରିଗୁଲ୍ ସେଦିନ ତା ବେଷ୍ଟ୍ ଫ୍ରେଣ୍ଡ୍ ସୋନୁ ଘରକୁ ଯାଇଥିଲା, ସୋନୁର ଜେଜେଙ୍କ ଶ୍ରାଦ୍ଧ ପାଇଁ ଭୋଜି ଖାଇବାକୁ । ସୋନୁର ବାପା ଧୋତି ଜୋଡ ପିନ୍ଧି ପୂଜାରୀ ନନାଙ୍କ ସାମ୍ନାରେ ବସି କଣ ଗୋଟେ ପୂଜା କରୁଥିଲେ । ବିଭିନ୍ନ ପୂଜା ସାମଗ୍ରୀ ସବୁ ସେଇଠି ରଖା ଯାଇଥିଲା । ରିଗୁଲ୍ ଆଗରୁ କେବେ ଏମିତି ଶ୍ରାଦ୍ଧ ଦିଆ ଦେଖିନଥିଲା । ପିଣ୍ଡ ପଡ଼ିସାରିଲା ପରେ ରିଗୁଲ୍ ସୋନୁର ବାପା ପ୍ରଫୁଲ୍ଲ ଙ୍କୁ ପଚାରିଲା, "ଅଙ୍କଲ୍ ଆପଣ ସେଠି କଣ କରୁଥିଲେ ଧୋତି ପିନ୍ଧି ? "

--ମୋ ବାପାଙ୍କୁ ଶ୍ରାଦ୍ଧ ଦେଉଥିଲି । ଆଜି ମୋ ବାପାଙ୍କ ଚଉଦତମ ଶ୍ରାଦ୍ଧ ବାର୍ଷିକୀ । ଆଜିର ଦିନରେ ମୋ ବାପା ଦେହତ୍ୟାଗ କରିଥିଲେ । ଦେହତ୍ୟାଗ ମାନେ ବୁଝୁଛୁ ତ?ମାନେ ତାଙ୍କର ମୃତ୍ୟୁ ହେଇଥିଲା । ବୁଝିଲୁ? ଆଚ୍ଛା ତୁମ ଘରେ କଣ ଏମିତି କିଛି ପିଣ୍ଡ ଶ୍ରାଦ୍ଧ ହୁଏନାହିଁ ?

ଉତ୍ତର ଟା ରିଗୁଲ୍ ନଦେଇ ସୋନୁର ମାମା ଦେଲେ । "ଆରେ ତୁମେ କଣ ଜାଣିନ?ପ୍ରିୟବ୍ରତ ବାବୁ ପରା ନାସ୍ତିକ । ସେ ପୂଜା ପୂଜି କିଛି କରନ୍ତିନି । "

ପ୍ରଫୁଲ୍ଲ ବାବୁ ନାସ୍ତିକ ନାଁ ଟା ଶୁଣି ବିରକ୍ତ ହେଲା ପରି କହିଲେ, "ଏ ନାସ୍ତିକ ଦଳକ ଆମ ସଂସ୍କୃତି ପରମ୍ପରା କୁ ଖାଇଲେ । ଦେଖ ପିଲାଟା କୁ କି ସଂସ୍କାର ଦେଇଛନ୍ତି ! ଶ୍ରାଦ୍ଧ ମାନେ ବୁଝୁନି । ଛି ଛି.. " ।

ରିଗୁଲ୍ ବୁଝିପାରୁନଥିଲା ତା ବାପାଙ୍କ ପରି ନାସ୍ତିକ ମାନେ କେମିତି ଆଉ କଣ ଖାଇଗଲେ ? ସେ ତ ଜାଣିଛି ତା ପାପା ବି ତା ଜେଜେଙ୍କ ମୃତ୍ୟୁ ବାର୍ଷିକୀ ପାଳନ୍ତି । ସେହିଦିନ ସେମାନେ ସମସ୍ତେ ତାଙ୍କ ଗାଁ କୁ ଯାଆନ୍ତି । ପାପା ଜେଜେଙ୍କ ନାଁରେ ଗୋଟେ ସ୍ମୃତି ସଭା ଆୟୋଜନ କରନ୍ତି । ଜେଜେ ଗଣିତ ଶିକ୍ଷକ ଥିଲେ । ନିକଟସ୍ଥ ହାଇସ୍କୁଲ ରୁ ଯେଉଁ ପିଲା ଗଣିତରେ ଚଳିତ ବର୍ଷ ଦଶମ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥାଏ ସେହିଦିନ ତାକୁ ଜେଜେଙ୍କ ନାମରେ ପୁରସ୍କୃତ ବି କରାଯାଏ । ସେହି ସଭାକୁ ଜେଜେଙ୍କର ଅନେକ ସାଙ୍ଗସାଥୀ ଓ ଛାତ୍ର ଛାତ୍ରୀ ଆସି ଜେଜେଙ୍କ ସ୍ମୃତି ଚାରଣ କରନ୍ତି । ସେହିଭଳି ଦିନଟିଏ ରିଗୁଲ୍ ର ପାପା ପାଳନ କରୁଥିବାରୁ ରିଗୁଲ୍ କେବେ ଦେଖିନଥିବା ନିଜ ଜେଜେଙ୍କ ବିଷୟରେ ଅନେକ କିଛି ଜାଣିପାରିଛି । କିନ୍ତୁ ଏ ସୋନୁ ତ ତା ଜେଜେଙ୍କ ନାଁ କଣ ଥିଲା ପଚାରିଲେ ବି କହି ପାରୁନାହିଁ । "ତଥାପି କେମିତି ମୋ ପାପା ଭୁଲ ହେଇଗଲେ ଆଉ ସୋନୁର ବାପା ଠିକ? ", ରିଗୁଲ୍ ର କୁନି ମସ୍ତିସ୍କ କୁ ଏମିତି ପ୍ରଶ୍ନ ଆସୁଥିଲା । କିନ୍ତୁ ସେ ଆଉ କିଛି ପଚାରିଲା ନାହିଁ, ଭୋଜି ଖାଇ ଫେରି ଆସିଲା ।

ରିଗୁଲ୍ ର ମନକୁ ଏବେ ଅନେକ ସମୟରେ ଗୋଟିଏ କଥା ବାରମ୍ବାର ଆସି ତାକୁ ଅନ୍ୟମନସ୍କ କରିଦେଉଥିଲା । " ମୋ ପାପା ନାସ୍ତିକ । ମୋ ପାପା ନାସ୍ତିକ..କାହିଁକି ହେଲେ ନାସ୍ତିକ ? ଏ ନାସ୍ତିକର ମାନେ କଣ? ପାପା ଯଦି ପୂଜା ନକରି ନାସ୍ତିକ ତେବେ ଯେଉଁମାନେ ପୂଜା କରନ୍ତି ସେମାନେ କଣ?"

ରିଗୁଲ୍ ତା ଆଖପାଖ ରେ ନିଜ ପାପାଙ୍କ ପରି ନାସ୍ତିକଲୋକ କୋଉଠି ଦେଖିବାକୁ ପାଉନଥିଲା । ସେଥିପାଇଁ ସେ ଧରି ନେଇଥିଲା ତା ପାପା ଏ ଦୁନିଆଁର ଏକ ମାତ୍ର ନାସ୍ତିକ ।

ସେଦିନ ରିଗୁଲ୍ ର ସ୍କୁଲରେ ଓଡ଼ିଆ ବ୍ୟାକରଣ ପଢ଼ାହେଉଥିଲା । ନାସ୍ତିବାଚକ ଓ ଆସ୍ତିବାଚକ ବାକ୍ୟ ସମ୍ବନ୍ଧରେ ଗୁରୁଜୀ ସୁନ୍ଦର ଭାବେ ବୁଝେଇ କହୁଥିଲେ । ଯେଉଁ ବାକ୍ୟରେ ବା ଶବ୍ଦରେ 'ନା' ବା 'ନାହିଁ ' ବ୍ୟବହାର କରାଯାଏ ସେସବୁ ନାସ୍ତିବାଚକ । ନାସ୍ତିବାଚକ ର ଉଦାହରଣ ଦେବାକୁ ଯାଇ ଅନେକ ଗୁଡ଼ିଏ ଆସ୍ତିବାଚକ ବାକ୍ୟ କୁ ନାସ୍ତିବାଚକରେ ପରିଣତ କରି ପିଲାଙ୍କୁ ବୁଝାଉଥିଲେ । ରିଗୁଲ୍ ସେବେ ଯାଇ ବୁଝିଲା ତା ପାପା ନାସ୍ତିକ ହେବାଟା ଗୋଟେ ନାସ୍ତିବାଚକ କଥା ଓ ତାର ଓଲଟା ଯେଉଁମାନେ ସେମାନେ ସମସ୍ତେ ଆସ୍ତିବାଚକ । ରିଗୁଲ୍ ର ପାପାଙ୍କ ବିପରୀତ ଲୋକଙ୍କୁ ଆସ୍ତିକ କୁହାଯିବ ବୋଲି ରିଗୁଲ୍ ବୁଝିନେଲା ।

ତଥାପି ରିଗୁଲ୍ ର ମନରେ ଅନେକ ଦ୍ୱନ୍ଦ୍ୱ ଦେଖାଗଲା ତା ପାପାଙ୍କର ସେହି ନାସ୍ତିକ ପରିଚୟ ଟା କୁ ନେଇ । ସେ ଭାବୁଥିଲା , "ଟିଚର୍ କହିଲେ 'ନାହିଁ' ବା 'ନା' ଲାଗିଲେ ନାସ୍ତିବାଚକ । ମୋ ପାପାଙ୍କ ପାଖରେ କଣ ନାହିଁ ଯେଉଁଥିପାଇଁ ସେ ଜଣେ ନାସ୍ତିକ ଓ ଅନ୍ୟସମସ୍ତେ ଆସ୍ତିକ ? ମୋ ପାପା ତ ଖୁବ୍ ଭଲ । ମୋ ସୁପର୍ ହିରୋ । କାହିଁକି ତାଙ୍କ ପାଖରେ ସେଇଟା ରହିଲାନି ଯେ, ଯୋଉଥିପାଇଁ ଅନ୍ୟମାନେ ତାଙ୍କୁ ନାସ୍ତିକ କହି ଘୃଣା କରନ୍ତି ? ଖାଲି ଯେ ପୂଜା ନକରେ ସେ ନାସ୍ତିକ ନା ଆଉ କିଛି ଗୋଟେ ଯାହାର ନାହିଁ ସେ ନାସ୍ତିକ ? ସେ ନଥିବା ଜିନିଷଟି ତେବେ କଣ? "

ରିଗୁଲ୍ ଘରକୁ ଆସି ମାମାଙ୍କୁ ପଚାରିଲା, "ମାମା ! ପାପାଙ୍କ ପାଖରେ କଣ ନାହିଁ ? "

ପ୍ରତିମା କାମରେ ବ୍ୟସ୍ତ ଥିଲେ । ଅନ୍ୟମନସ୍କ ହେଇ କହିଦେଲେ, "ସବୁ ଅଛି ତ ! ନାହିଁ ପୁଣି କଣ? "

--ହଁ କଣ ଗୋଟେ ନାହିଁ । ସେଥିପାଇଁ ସେ ନାସ୍ତିକ । କୁହନା ମାମା କଣ ନାହିଁ ?

--ମୁଁ ଜାଣିନି କଣ ନାହିଁ । ତୁ ଯାଆ ଖେଳିବୁ ।

--ନାଇଁ ତୁମେ ଆଗ କୁହ ।

ଆଗକୁ ରାମନଵମୀ ଥିଲା । ପ୍ରତିମା ଠାକୁର ଜିନିଷ ସବୁ ସଫା କରି ସଜା ସଜି କରି ରଖୁଥିଲେ । ରିଗୁଲ୍ ଏମିତିରେ ବି ଫାଲତୁ କୋସ୍ଚେନ୍ ପଚାରି ପ୍ରତିମାଙ୍କୁ ବିରକ୍ତ କରୁଥିଲା, ଆହୁରି ତାଙ୍କ ଠାରୁ ସଠିକ ଉତ୍ତର ନପାଇ ବେଶି ଟିକେ ପାଖେଇ ଆସିଲା ଓ ଠାକୁରଙ୍କ ବାସନ,ଠାକୁର ଲୁଗାକୁ ଛୁଇଁଦେଲା । ପ୍ରତିମା ଖୁବ୍ ରାଗିଗଲେ । ରାଗିକରି ପିଲାଟାକୁ ବହୁତ ଗାଳି କଲେ । ରିଗୁଲ୍ ବି କାନ୍ଦ କାନ୍ଦ ହେଇ ମାମାଙ୍କ ପାଖରୁ ପଳେଇଗଲା । ଯାଉ ଯାଉ କହିଲା, "ତୁମେ ମୋତେ ଭଲ ପାଉନ । ରାଗୁଛ ଖାଲି । ପାପା କେବେ ରାଗନ୍ତିନି । ସେ ବହୁତ ଭଲ ।"

ଆରଦିନ ରାମନବମୀ ପାଇଁ ରିଗୁଲ୍ ର ସ୍କୁଲ ଛୁଟି ଥିଲା । ତା ପାପାଙ୍କର ବି ଅଫିସ୍ ବନ୍ଦ । ପ୍ରତିମାଙ୍କର ମନ୍ଦିର ଯିବାରେ ଥିଲା । ସେ ପ୍ରିୟବ୍ରତ ଙ୍କୁ କହିଲେ ତାଙ୍କୁ ଟିକେ ମନ୍ଦିରଆଡ଼େ ନେଇଯିବା ପାଇଁ । ସକାଳୁ ବହୁତ ଖରା ହେଉଥିବାରୁ ସେ ଏକା ଏକା ଚାଲିକରି ଯିବାକୁ ଚାହୁଁନଥିଲେ । ଇଚ୍ଛା ନଥିଲେ ବି ପତ୍ନୀଙ୍କ ଅନୁରୋଧ କୁ ଏଡ଼ାଇ ନପାରି ଓ ସକାଳୁ ସକାଳୁ ଅଯଥା ଯୁକ୍ତି ତର୍କଠୁ ନିଜକୁ ଦୁରେଇ ରଖିବାକୁ ଯାଇ ପ୍ରିୟବ୍ରତ ମନ୍ଦିର ଯିବାକୁ ରାଜି ହେଇଗଲେ । ରିଗୁଲ ପାପାଙ୍କ ବାଇକ ମଝି ସିଟ୍ ରେ ଆସି ବସିଲା । ତା ପଛକୁ ପ୍ରତିମା । ସପରିବାରେ ନିକଟସ୍ଥ ରାମମନ୍ଦିର କୁ ବାହାରିଲେ ।

ମନ୍ଦିର ଆଗରେ ବହୁତ ଭିଡ଼ ଥିଲା । ଭିକାରୀ ମାନେ 'ଦେ ମାଆ','ଦିଅ ବାବୁ' କହି ପାଟି କରି ଡାକୁଥିଲେ । ଲୋକମାନେ ଟଙ୍କା ଟେ ଦୁଇଟଙ୍କା ପକେଇ ଦେଇ ମନ୍ଦିର ଫାଟକ ଆଡ଼କୁ ଅଗ୍ରସର ହେଉଥିଲେ । ସେଠି ଗୋଟେ ଲମ୍ବା ଧାଡ଼ି ଲାଗିଥିଲା । ଆଗେ ଯାଇ ଦର୍ଶନ କରିବାପାଇଁ ଲୋକେ ଠେଲା ପେଲା ହେଉଥିଲେ । ରିଗୁଲ୍ ଦେଖିଲା ତାରି ପରି ଛୋଟ ପିଲାଟିଏ ତଳେ ପଡିଯାଇ କାନ୍ଦୁଛି ଆଉ ଲୋକମାନେ ତାକୁ ଡେଇଁ ଡାଇଁ ଭିଡ଼ ଠେଲି ଆଗକୁ ପଳାଉଛନ୍ତି । ପ୍ରିୟବ୍ରତ ଦର୍ଶନ ପାଇଁ ଧାଡ଼ି ରେ ଠିଆ ନହୋଇ ଅଲଗା ଗୋଟେ ଜାଗାରେ ରିଗୁଲର ହାତ ଧରି ପ୍ରତିମାଙ୍କୁ ଅପେକ୍ଷା କରିଥିଲେ । ଛୋଟ ପିଲାଟା ତଳେ ପଡ଼ିଯାଇଥିବା ଦେଖି ସେ ଆଡ଼କୁ ଦୌଡି ଯାଇ ତାକୁ ତଳୁ ଉଠେଇ ଆଣିଲେ । ତା ଦେହ ରୁ ଧୂଳି ଝାଡ଼ି କୋଉଠି କିଛି ହେଇଛି କି ନାହିଁ ପଚାରି ବୁଝିଲେ ଓ ତା ବାପା ମାଆ ଙ୍କୁ ଖୋଜି ଖୋଜି ଯାଇ ପିଲାକୁ ସେମାନଙ୍କ ଜିମା ଦେଲେ ।

ଅନେକ ସମୟ ପରେ ଭିଡ଼ ଟିକେ କମିଲା । ପ୍ରିୟବ୍ରତ ସେଇଠି ସେମିତି ରିଗୁଲ କୁ ଧରି ମନ୍ଦିର ବେଢା ବୁଲି ଦେଖୁଥିଲେ । ପ୍ରତିମା ପୂଜା ସାରି ଆସିଲେ । ସେ ରିଗୁଲ କୁ ଦିଅଁ ଙ୍କ ପାଖକୁ ନେଇ ଜୁହାର କରେଇ ଠାକୁର ଓ ବ୍ରାହ୍ମଣ ନନାଙ୍କ ଆଶୀର୍ବାଦ ଆଣିବାକୁ ଚାହୁଁଥିଲେ । ପ୍ରିୟବ୍ରତ କହିଲେ, "ନାଇଁ କିଛି ଦରକାର ନାହିଁ । ତୁମର ପୂଜା ସରିଲା ? ଚାଲ ଏବେ ।"

--ନାଇଁ ସରିନି । ମୁଁ ନନାଙ୍କ ଦକ୍ଷିଣା ଦେଇନି । ଦିଅ ଦୁଇଶହ ଟଙ୍କା । ମୁଁ ଦେଇଆସେ, ତାପରେ ଯିବା ।

--ପାଗଳ ନାଁ କଣ ? ଦୁଇଶହ ଟଙ୍କା ତାଙ୍କୁ କାହିଁକି ଦେବ ? ଚାଲ ଚାଲ ।

ରିଗୁଲ ପାପାଙ୍କୁ ଯେତେବେଳେ ପଚାରିଲା ସେ କାହିଁକି ମାମାଙ୍କୁ ଟଙ୍କା ଦେଉନାହାଁନ୍ତି, ପାପା ନରାଗି ବୁଝେଇ କହିଲେ, "ଠାକୁର ଯଦି ସମସ୍ତଙ୍କୁ ସବୁ କିଛି ଦେଉଥାନ୍ତି ତାହେଲେ ସେ ବା ତାଙ୍କ ସେବକ ଭକ୍ତଙ୍କ ଠାରୁ କାହିଁକି ଅଳ୍ପ କେତେଟା ଟଙ୍କା ନେବାକୁ ଚାହିଁବେ ? "

ପ୍ରତିମା ଟିକେ ବଦରାଗି । ସେ ବେଶି ରାଗିବା ଆଗରୁ ପ୍ରିୟବ୍ରତ ତାଙ୍କ ହାତରେ ନିଜର ପର୍ସଟି ଧରେଇଦେଲେ ଓ କହିଲେ, "ମୁଁ ବାହାରେ ଅପେକ୍ଷା କରିଛି ଜଲଦି ଆସ ।"

ବାହାରକୁ ବାହାରୁଛନ୍ତି ଜଣେ ପୂଜକ ନନା ଆସି ପ୍ରିୟବ୍ରତ ଙ୍କୁ କହିଲେ, "ଆଜ୍ଞା ! ହନୁମାନଙ୍କ ପାଖରେ ଆଜି ପୁଜାଟିଏ କରନ୍ତୁ । ଧନବର୍ଷା ହେବ । ଆସନ୍ତୁ ଆଜ୍ଞା । ସର୍ବମଙ୍ଗଳ ପୁଜାଟିଏ ବି କରେଇଦିଅନ୍ତୁ । "

--ନାଇଁ ନାଇଁ । ବିନା କିଛି ପରିଶ୍ରମ କରି କୌଣସି ପ୍ରକାର ଧନ ମୁଁ ଚାହେଁନାହିଁ । ଆପଣ ଆସନ୍ତୁ । ମୋର କିଛି ପୂଜା କରେଇବାରେ ନାହିଁ ।

ରିଗୁଲ୍ ଓ ତା ପାପା ଟିକେ ଆଗକୁ ଯାଇଛନ୍ତି ରିଗୁଲ ପଛକୁ ବୁଲି ଦେଖିଲେ ସେହି ନନାଙ୍କ ସାଙ୍ଗରେ ସୋନୁର ପାପା ଓ ମାମା କଥା ହେଉଛନ୍ତି ଓ କଥା ହେଉ ହେଉ ପୂଜକ ଜଣଙ୍କୁ ଅନୁସରଣ କରି ତାଙ୍କ ପଛେ ପଛେ ଯାଉଛନ୍ତି ।

ସେମାନେ ବାହାରକୁ ଆସି ଦେଖିଲେ ଯିବା ବେଳକୁ ଯେମିତି ଦିଅଁଙ୍କ ଆଗରେ ଭିଡ଼ ଥିଲା ସେମିତି ଫେରନ୍ତା ଲୋକଙ୍କର ଜୋତା ଷ୍ଟାଣ୍ଡ ଆଗରେ ଭିଡ଼ । "ଲୋକମାନେ କାହିଁକି ଏତେ ଭିଡ଼ କରନ୍ତି ପାପା? ",ରିଗୁଲ ପଚାରିଲା ।

--ଧର୍ଯ୍ୟର ଅଭାବ ବେଟା ।

ପ୍ରିୟବ୍ରତ ଅନେକ ସମୟ ଯାଏଁ ଭିଡ଼ଠାରୁ ଟିକେ ଦୂରରେ ଠିଆ ହେଇ ଭିଡ଼ କମିବାକୁ ଅପେକ୍ଷା କରି ରହିଲେ । ଏହି ସମୟରେ ପ୍ରତିମା ଆସି ପହଞ୍ଚିଗଲେ । ପର୍ସ ଟା ପ୍ରିୟବ୍ରତ ଙ୍କ ହାତକୁ ବଢ଼େଇଦେଲେ ଓ ବିରକ୍ତ ହୋଇ କହିଲେ, "ଏତେବେଳ ହେଲାଣି ଏଠି ଠିଆ ହେଇଛ? କଣ ପନ୍ଦର ଟଙ୍କା ନଥିଲା ଚପଲ ତିନହଳ ଷ୍ଟାଣ୍ଡ ରୁ ଆଣି ଆସିବାପାଇଁ? "

ପ୍ରିୟବ୍ରତ ପ୍ରତିମାଙ୍କୁ କିଛି ନକହି ଅନ୍ୟଆଡ଼େ ଦୃଷ୍ଟି ରଖିଥିଲେ । ରୋଗୀଣା ମହିଳା ଜଣେ ନିଜ ଦୁର୍ବଳିଆ ଛୋଟ ଛୁଆଟାକୁ କାଖେଇ ମନ୍ଦିର ଭିତରକୁ ଯିବା ଓ ଫେରିବା ଲୋକଙ୍କୁ କଣ ଗୋଟେ କହି ଓ ଦେଖେଇ କିଛି ଗୋଟେ ମାଗୁଛି । ଲୋକେ ତା ଆଡ଼କୁ ନଦେଖି ଆଗ ମନ୍ଦିର ଭିତରକୁ ଯିବାପାଇଁ ଓ କେହି କେହି ଆଗ ନିଜ ନିଜ ଚପଲ ନେବାପାଇଁ ଠେଲା ପେଲା ହେଉଛନ୍ତି ।

ପ୍ରିୟବ୍ରତ ସ୍ତ୍ରୀଲୋକଟିର ପାଖକୁ ଗଲେ । ପଚାରି ବୁଝିଲେ ଯେ ତା ଛୁଆର ପେଟଭିତରେ ଗୋଟେ ଘା' ହେଇଛି । ଡାକ୍ତରଖାନା ର ସରକାରୀ ଔଷଧରେ କମୁନି । ଡାକ୍ତର ଯେଉଁ ସବୁ ଅଲଗା ଔଷଧ ଲେଖିଛନ୍ତି ତାର ଦାମ୍ ବହୁତ ବେଶି । ତା ପାଖରେ ସେତିକି ଟଙ୍କା ନାହିଁ । ସ୍ତ୍ରୀଲୋକଟିର ସ୍ୱାମୀ ମଧ୍ୟ ତାକୁ ଛାଡ଼ି ଚାଲିଯାଇଛି । ବିଚାରୀ ଆଉ କିଛି ଉପାୟ ନପାଇ ଛୁଆ କୁ ଭଲ କରିବା ପାଇଁ ମନ୍ଦିର ଆଗରେ ଆସି ହାତ ପତାଉଛି, କିନ୍ତୁ ଭକ୍ତମାନେ ତା ହାତକୁ ଟଙ୍କାଏ ଦୁଇଟଙ୍କା ପକେଇ ମୁହଁ ବୁଲେଇ ପଳାଉଛନ୍ତି । କେହି ଟିକେ ତାର କଣ ଅସୁବିଧା ହେଇଛି ଜାଣିବାକୁ କି ବୁଝିବାକୁ ଇଚ୍ଛା ବି କରୁନାହାଁନ୍ତି ।

ପ୍ରିୟବ୍ରତ କାଗଜ ଟି ଦେଖିଲେ । ମହିଳା ଜଣଙ୍କୁ ଅପେକ୍ଷା କରିବାକୁ କହି ଜୋତା ଷ୍ଟାଣ୍ଡ ରୁ ୩ଜଣଙ୍କ ଚପଲ ଆଣିଆସିଲେ । ସେହି ରୋଗୀଣା ଛୁଆ ଓ ତାର ମାଆ କୁ ସାଙ୍ଗରେ ନେଇ ମନ୍ଦିର ପାଖ ଔଷଧ ଦୋକାନକୁ ଗଲେ । କାଗଜ ଦେଖେଇ ଔଷଧ କିଣିଦେଲେ । ଆହୁରି ହଜାରେ ଟଙ୍କା ଓ ନିଜ ଫୋନ୍ ନମ୍ବର ସେ ସ୍ତ୍ରୀଲୋକ କୁ ଦେଇ ନିଜ ବାଇକ ପାଖକୁ ଆସି ରିଗୁଲ ଓ ପ୍ରତିମାଙ୍କୁ ବସିବା ପାଇଁ କହିଲେ । ରିଗୁଲ ପୁଣି ପଛକୁ ବୁଲି ଦେଖୁଥିଲା ସେହି ମହିଳା ଜଣଙ୍କ ଛୁଆକୁ ତାର ଛାତିରେ ଯାକି ହାତ ଯୋଡ଼ି ତାଙ୍କରି ଆଡ଼କୁ ଅନେଇ ରହିଛି ।

ଘରେ ପହଞ୍ଚି ପ୍ରତିମା ପ୍ରିୟବ୍ରତ ଙ୍କ ଉପରେ ଗର ଗର ହେଉଥିଲେ, "କିଛି ନବୁଝି ଯାହାକୁ ନାହିଁ ତାହାକୁ ଟଙ୍କା ଦେଇଦେବେ । ଆରେ ଏଇମିତି କେତେ ଠକ ବୁଲୁଛନ୍ତି । ମୁଁ ଜାଣେ ତା ଛୁଆର କିଛି ହେଇନଥିବ । ହଜାରେ ପାଇଲା । ବାକି ଔଷଧ କୁ ବି ନେଇ ବିକିଦେବ ନହେଲେ ଫିଙ୍ଗିଦେବ । ମନ୍ଦିର ରେ ଦାନ ଧର୍ମ କରିବା ପାଇଁ ଦୁଇଶହ ଟଙ୍କା ବାହାରୁନଥିଲା ଆଉ ବୋକା ଭଳିଆ ୟାକୁ ତାକୁ ଦେବା ବେଳକୁ ଆଗଭର । " ପ୍ରତିମା ଏମିତି କହୁଥିଲେ ଓ ଠାକୁର ଘରେ କଣ ଗୋଟେ ଖଡ଼ ଖାଡ଼ କରି ରଖୁଥିଲେ ।

ରିଗୁଲ୍ ଆସ୍ତେ କରି ଆସି ତା ପାପାଙ୍କ ପାଖରେ ବସିଲା ଓ ପାପାଙ୍କ କୋଳରେ ମୁଣ୍ଡ ରଖି କହିଲା, "ପାପା ମୁଁ ବୁଝିଗଲି ତୁମ ପାଖରେ କଣ ନାହିଁ ବୋଲି ତୁମେ ନାସ୍ତିକ ।"

--ଆଚ୍ଛା ! କଣ ବୁଝିଲୁ ତାହେଲେ?

--ତୁମ ପାଖରେ ରାଗ ନାହିଁ, ସୋନୁର ମାମା ପାପାଙ୍କ ପରି ଆଉ ଅନ୍ୟ ସମସ୍ତ ଙ୍କ ପରି ବେଶି ଲୋଭ ନାହିଁ, ମିଛ କଥା ନାହିଁ, ବିରକ୍ତି ହେବା ନାହିଁ, ଛି ଛି କହି କାହାକୁ ନିନ୍ଦା କରିବା ନାହିଁ । ଏତେ ସବୁ ନାହିଁ ନାହିଁ ଅଛି ବୋଲିତ ତୁମେ ନାସ୍ତିକ । ଠିକ ନାଁ ପାପା ? ପାପା ଆଉ ତୁମ ପାଖରେ କଣ ଅଛି ସେଇଟା ବି ଜାଣିଗଲି । ତୁମ ପାଖରେ ଧର୍ଯ୍ୟ ଅଛି, ଦୟା ଅଛି ଆଉ ଭଲପାଇବା ଅଛି ।

ପ୍ରିୟବ୍ରତ ହସି ହସି ପୁଅ କୁ ଗେଲ୍ହା କରୁଥିଲେ ଆଉ କହୁଥିଲେ, "ଆରେ ଆରେ ତୁ ତ ମୋ ବୁଦ୍ଧିମାନ ପୁଅ ଟା । ଏତେ ଜଲଦି ସବୁ ଜାଣିଗଲୁ ? ତୋ ମାମା ହେଲେ ଟିକେ ଜାଣିପାରନ୍ତା !"

ପ୍ରତିମା ଠାକୁର ଘର ଭିତରୁ ବାହାରି ଆସି ପଚାରିଲେ," କଣ ଜାଣିପାରନ୍ତି ମୁଁ ? "

ପ୍ରିୟବ୍ରତ ସେମିତି ହସି ହସି କହିଲେ, "କିଛି ନୁହେଁ । ଆମକୁ ଭୋକ ଲାଗୁଛି ତ ସେହି କଥା କହୁଥିଲୁ । ତୁମ ଠାକୁରଙ୍କ ଖିଆ ପିଆ ଯଦି ସରିଯାଇଥାଏ ତାହେଲେ ଆମେ ଏବେ କିଛି ଖାଇପାରିବୁ କି? "

" ହଁ ହଁ ଟିକେ ରୁହ । ନାସ୍ତିକ କୋଉଠିକାର ",କହି ପ୍ରତିମା ହାତ ପୋଛି ପୋଛି କିଚେନ୍ ଆଡ଼େ ଗଲେ । ପଛରେ ଥାଇ ରିଗୁଲ୍ ଓ ତା ନାସ୍ତିକ ପାପା ହସୁଥିଲେ ।

******

ଲୋପାମୁଦ୍ରା ମିିଶ୍ର

ଆଗ୍ରହ ଶ୍ରାଦ୍ଧ ବାର୍ଷିକୀ ପ୍ରଶ୍ନ

Rate the content


Originality
Flow
Language
Cover design

Comments

Post

Some text some message..