ରଜସଂକ୍ରାନ୍ତି,ମାନୁଓକାଟ୍ରିନାକେଫ୍
ରଜସଂକ୍ରାନ୍ତି,ମାନୁଓକାଟ୍ରିନାକେଫ୍
ରଜ ସଂକ୍ରାନ୍ତି ଦିନ ସକାଳୁ ଆଇଁଷ ବ୍ୟାଗ ଟା ଧରି ଅତୁଲ ବାହାରି ଗଲା ବେଳେ ସ୍ତ୍ରୀ ଶ୍ଵେତାଙ୍କ ଉଦ୍ଦେଶ୍ୟରେ କହିଲା," ମାଂସ ଆଣିବାକୁ ଯାଉଛି।ଆଜିପରା ଗାଁ ଝିଅ ମାନେ ଆମଘରେ ଦିପହର ବେଳା ଖାଇବେ।"
ଚା କପଟା ହାତକୁ ବଢ଼ାଇ ଶ୍ଵେତା କହିଲା, "ସଂକ୍ରାନ୍ତି ରେ ମାଂସ ଆଣିବ ? ସାଧା ରେ ଚଳାଇଦିଅ।ଘରେ ଛେନା,ପାଳ ଛତୁ ଅଛି।"
"ଝିଅମାନେ ସବୁ ମାଂସ ଝୋଳ ଖୋଜିବେ ପିଠା ଓ ଭାତ ସାଙ୍ଗରେ।ରଜ ସଂକ୍ରାନ୍ତି କଣ ସବୁଦିନ ଆସୁଛି ?ଦୋଳି,ବାଗୁଡି,ତାସ, ଲୁଡୁ ଓ ତୋଟାରେ ଆମ୍ବ ଖିଆରେ ଆମ ଟାଇମ କଟୁଥିଲା ।ସେ ମଜା ଏବେ କାହିଁ ?"
ମୁରୁକି ହସି ଶ୍ଵେତା ପଚାରିଲା, "ପୁଅଙ୍କ ସହ କଟୁଥିଲା ନା ଝିଅଙ୍କ ସହ ?"
ଚୁପଚାପ ଚାଲିଗଲା ଅତୁଲ।ବିଲ ରାସ୍ତା ଦେଇ ହାଟ କୁ ଗଲାବେଳେ ଠାକୁରାଣୀ ବରଗଛ ମୂଳରେ ଟିକେ ବସି ପଡ଼ିଲା।ବଡ଼ ବଡ଼ ଓହଳରେ ପିଲାମାନେ ଡାଳି ମାଙ୍କୁଡି ଖେଳୁଛନ୍ତି।ପିଲାବେଳ କଥା, ବିଶେଷ କରି ମାନୁ କଥା ବାରମ୍ବାର ମନେପଡୁଥିଲା।
ଏଇ ବରଗଛ ଓହଳ ରେ କେତେ ଡାଳିମାଙ୍କୁଡି ଖେଳିଛନ୍ତି ଦୁହେଁ ?ଆଉ ରଜ ରେ !!!
ଅନ୍ୟମନସ୍କ ହୋଇ ଅତୁଲ ମଟର ସାଇକେଲ ଷ୍ଟାର୍ଟ କଲା।ସ୍କୁଲ ପଡ଼ିଆରେ ଦୋଳି ଲାଗିଛି।
କିଏ ଜଣେ ପାଟିକରି ଡାକିଲା, " ଭାଉଜଙ୍କୁ ନେଇ ଆସିବ। ବାଉଁଶ ଦୋଳି ଖେଳିବନି କି ?"
ମୁଣ୍ଡ ହଲାଇ ଚାଲିଗଲା ଅତୁଲ।ଆଜି କାହିଁକି କେଜାଣି ବାରମ୍ବାର ମାନେପଡୁଥିଲା ମାନୁ କଥା।ବାଉଁଶ ଦୋଳିରେ ମାନୁକୁ ବସାଇ ସେ କେତେ ପହି ମାରୁଥିଲା !
"ଆହୁରି ଉପରକୁ, ଆହୁରି ଉପରକୁ, ସେଇ ଆମ୍ବ ଟା କୁ ଛିଣ୍ଡାଇ ଆଣିଲେ ଆମେ ଫାଷ୍ଟ ହେବା।"ପାଟି କରି ଉତ୍ସାହିତ କରେ ମାନୁ।
ପବନ ସହ ତାଳ ଦେଇ, ଆକାଶକୁ ଉଡ଼ିଗଲା ପରି ଦୋଳିକୁ ଉଡାଏ ଅତୁଲ।ଆଖିବୁଜି ଦୁଇ ହାତରେ ତାକୁ ଚାପି ଧରୁଥିଲା ମାନୁ।ଏକ ଅଦ୍ଭୁତ ବାସ୍ନା ଥିଲା ମାନୁ ଦେହରେ ଓ ତା ବେଣୀରେ ଲାଗିଥିବା ବଉଳ ଫୁଲରେ। ଅତୁଲ ଦେହରେ କୁଆଡୁ ଆସୁଥିଲା ଏତେ ବଳ କେଜାଣି ?ଦାନ୍ତରେ ଟାଣି ଆଣୁଥିଲା ଆମ୍ବ ପତର ,ଆଉ ଆମ୍ବ ବି।ସମସ୍ତେ ଇର୍ଷାତୁର ଚାହାଣୀରେ ଦୁହିଁଙ୍କୁ ଦେଖୁଥିଲେ।
ରଜ ଦୋଳିରେ ସେ ଦୁହେଁ ହେଉଥିଲେ ରାଜା ଓ ରାଣୀ।
ଦୌଡିଯାଉଥିଲେ ସେମାନେ ଅତୁଲ'ଙ୍କ ଆମ୍ବ ତୋଟାକୁ।ଗୁରୁଡ଼ି ,ଗୋଦାବରୀ ,ଚେପେକି ନାକି,ଲାଟ ସୁନ୍ଦରୀ,କଞ୍ଚା ସୁଆଦି,ତୋଟାପଲେଇ,
ଅମୃତଝରି,ରସାଳ,ମହୁଚାଖ,ପାତେଇ, ଫାପୁଲି ଇତ୍ୟାଦି କେତେ ରକମର ଆମ୍ବ।ଜେଜେ ସବୁ ବଛା ବଛା କିସମର ଆମ୍ବ ଲଗାଇଥିଲେ।
ଟେକା ମାରି ହେଉ ଅଥବା ତଳେ ପଡିଥିବା ଆମ୍ବ ସବୁ ଖିଆ ହୁଏ। ଖଟା କଞ୍ଚା ଆମ୍ବରେ ଲୁଣ ,ଲଙ୍କା ଗୁଣ୍ଡ ଲଗାଇ ଫ୍ରକ ପିନ୍ଧା ମାନୁ ଯେବେ ଖାଇ ଆଖିକୁ ବନ୍ଦ କରିଦିଏ, ଅତୁଲ ଦେହଟା ଶିରି ଶିରି ହୋଇଯାଏ।ତାକୁ ଲାଗେ ଯେମିତି ତା ଦାନ୍ତ ଖଟା ହୋଇଯାଉଛି।
ଆଉ ପାଚିଲା ଆମ୍ବ ! ମନ ଖୁସିରେ ଉଭୟେ ଖାଆନ୍ତି। ମିଠା ଆମ୍ବ ଚାଖି, ମାନୁ ଅତୁଲକୁ ଖୁଆଇ ଦିଏ ; ଯେମିତି ଶବରୀ ରଖୁଥିଲା ମିଠା କୋଳି ରାମଚନ୍ଦ୍ରଙ୍କ ପାଇଁ।
"ଅତୁଲ ଭାଇ, ଏଇଟା ଖା।କେତେ ମିଠା ? ଭଲକରି ଚୁଚୁମି କି ଖା।ତୋତେ ଜମା ଆମ୍ବ ଖାଇ ଆସେନା।ହେଇ ଦେଖ ମୁଁ କେମିତି ଖାଉଛି।"
ଏକଲୟରେ ଅତୁଲ ଦେଖୁଥାଏ ମାନୁ ଓଠ ସନ୍ଧିରୁ ନିଗିଡ଼ି ଆସୁଥିବା ଆମ୍ବ ରସକୁ।ତାକୁ ଇଛାହୁଏ ଜିଭ ଲଗାଇ ଚାଟି ଦେବାପାଇଁ।
ରଜରେ କେତେ ଆମ୍ବ ଖାଆନ୍ତି ସେମାନେ ?ମାନୁ ମନ ଆନନ୍ଦରେ ଆମ୍ବ ଖାଏ। ।ଏକଲୟରେ ଅତୁଲ ଅନେଇଥାଏ ମାନୁକୁ।
ନିୟତି କେଡେ ନିଷ୍ଠୁର !ଦୁହିଁଙ୍କୁ ଅଲଗା କରିଦେଲା। ଗୋଟେ ସ୍କୁଲ ଟିଚରକୁ ବାହା ହୋଇଛି ମାନୁ।
"ଅତୁଲ ଭାଇ ,ଅତୁଲ ଭାଇ".ଗେଳ୍ହେଇ ହୋଇ ଡାକେ ମାନୁ।
ହାଠାତ୍ ବ୍ରେକ୍ କସିଲା ଅତୁଲ।
" କୁଆଡେ ଦେଖୁଛ ?ମୋ ଉପରେ ଗାଡ଼ି ଚଢେଇ ଦେବ ନା କଣ ?"
ଆବାକାବା ହୋଇ ଅନେଇଥିଲା ଅତୁଲ।ସାମ୍ନାରେ ମାନୁ ତା ଝିଅକୁ କାଖେଇ ଠିଆ ହୋଇଥିଲା।
"ଗାଁ କୁ ରଜ ପାଇଁ ଆସିଛି।ଅଟୋ କୁ ଅପେକ୍ଷା କରିଛି।ତମେ ବୋଧେ ହାଟ କରିବାକୁ ଆସିଛ।ଆଜି ତ ତମ ଘରେ ଝିଅଙ୍କ ଖାଇବା ପାଳି ଥାଏ।ମୋତେ ନିମନ୍ତ୍ରଣ କରିଵନି?ଭାଉଜ ଆସିଛନ୍ତି ନା ନାହିଁ ?।"
" ତୋତେ କଣ ନିମନ୍ତ୍ରଣ ଦରକାର !ତୁ ପରା ....ଚୁପ୍ ରହିଗଲା ଅତୁଲ।
"ରଜ ସଂକ୍ରାନ୍ତିରେ ଆମେ କେତେ ଦୋଳି ଖେଳୁଥିଲେ ଓ ଆମ୍ବ ଖାଉଥିଲେ।ତମର ମନେ ଅଛି ନା ଅତୁଲ ଭାଇ?"
ଆ,ମୁଁ ଛାଡ଼ିଦେବି ଘରେ।"
ମନା କଲା ମାନୁ।ଅଟୋ ଆସିଯାଥିଲା।ମାନୁ ଝିଅ ହାତରେ ଶହେ ଟଙ୍କା ଧରାଇଦେଲା ଅତୁଲ ଜବରଦସ୍ତ।
"ନେ, ମାମୁଁ ଦେଉଛନ୍ତି।" ଅଟୋରେ ବସି ଚାଲିଗଲା ମାନୁ।ସ୍ବପ୍ନଭଙ୍ଗ ହେଲାଭଳି ଲାଗୁଥିଲା ଅତୁଲ କୁ।ସେ ମାମୁଁ ହୋଇଗଲା !!!
ଖରାବେଳେ ଶ୍ଵେତା ଗୋଟେ ଥାଳିଆରେ ମେଞ୍ଚାଏ ପାଚିଲା ଆମ୍ବ ଆଣି ଅତୁଲ ସାମ୍ନାରେ ଥୋଇ କହିଲା,"ଆମ ତୋଟା ଆମ୍ବ।"
"ଆମ୍ବ ଖାଇବାକୁ ଇଛା ନାହିଁ।"
"କାହିଁକି ?ତମେ ତ ଏ ଆମ୍ବ ବହୁତ ଭଲ ପାଅ ବୋଲି ଶୁଣିଲି।କିନ୍ତୁ ତମକୁ ଭଲକରି ଚିପୁଡ଼ି ଆମ୍ବ ଖାଇ ଆସେନା।ବହୁତ ନଷ୍ଟ କର "।
ଅନ୍ୟମନସ୍କ ହୋଇ ଅତୁଲ ପଚାରିଲା, ବୋଉ କହୁଥିଲା ?
" ମାନୁ କହୁଥିଲେ।ଘରକୁ ଆସିଥିଲେ।"
ଝାଡ଼ିଝୁଡ଼ି ହୋଇ ଉଠିପଡ଼ି ଅତୁଲ କହିଲା, "ମାନୁ ଆସିଥିଲା ?"
ମୁରୁକି ହସି ଶ୍ଵେତା କିଛି ଉତ୍ତର ନଦେଇ ଟିଭି ଲଗାଇଦେଲା। ଗୋଟେ ମୃଦୁ ପାନୀୟ(ମ୍ୟାଙ୍ଗୋ ଡ୍ରିଙ୍କ)ର ବିଜ୍ଞାପନ ଦେଉଥିଲା।
ହିନ୍ଦୀ ଫିଲ୍ମ ନାୟିକା 'କାର୍ଟ୍ରିନା କେଫ୍ 'ସୁନ୍ଦର ଅଙ୍ଗଭଙ୍ଗୀ କରି ,ମନ ମତାଣିଆ ପୋଜରେ ଜିଭ ବଢ଼ାଇ ଚାଟୁ ଥିଲେ ପାଚିଲା ଆମ୍ବ ଜୁସ୍ ର୍ ଶେଷ ବିନ୍ଦୁକୁ।ଅନେକ ଆମନ୍ତ୍ରଣ ଥିଲା ସେ ଚାହାଣୀରେ।
ଅତୁ କୁ ଲାଗିଲା ଟିଭି ସ୍କ୍ରିନ୍ ରେ ମାନୁ ଠିଆ ହୋଇଛି।
ଆମ୍ବ ଗୋଟାଏ ତା ପାଟିରେ ପୁରାଇ ଦେଇ ଶ୍ଵେତା ହସି ହସି ପଚାରିଲା "କାହା କଥା ମନେ ପଡୁଛି କି "??????
(ଅରବିନ୍ଦ ଦାସ)